STORYMIRROR

Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ(୭୪)

ସରଯୂ ନଦୀର ତୀରେ(୭୪)

4 mins
175


(ରାମାୟଣର ଅମର କଥା)

      ୭୪

=================================

ତିମିର ଭିତରେ ଆଲୋକ ଶିଖା

=================================

ଗୋଟିଏ ପରେ ଗୋଟିଏ ଆଶାତୀତ ବିପଦର ସମ୍ମୁଖୀନ ହୋଇ ରାମ ଲକ୍ଷ୍ମଣ ଭାଙ୍ଗି ପଡିଥିଲେ। ତଥାପି ପରସ୍ପରକୁ ଶାନ୍ତ୍ବନା ନେଇ ଅରଣ୍ୟ ପଥରେ ସୀତାଙ୍କ ଅନ୍ବେଷଣରେ ଆଗେଇ ଚାଲିଲେ। କିଛି ପଥ ଅତିକ୍ରମ କରିବା ପରେ ହଠାତ୍ ଏକ ଭୟଙ୍କର, କଦାକାର ଅଦ୍ଭୁତ ଜୀବ କବଳରେ ଦୁଇଭାଇ ପଡିଗଲେ।ଗୋଡ଼ ଏବଂ ମୁଣ୍ଡ ନଥିବା(କବନ୍ଧ)ଏକ ବିଶାଳ ରାକ୍ଷସ ଦୁଇଭାଇଙ୍କୁ ଦୀର୍ଘ ହସ୍ତ ବଢ଼ାଇ କବଳିତ କରିନେଲା।


ରାକ୍ଷସର ମସ୍ତକ ତାର ବିଶାଳ ଉଦର ଭିତରେ ରହିଥିଲା।ଉଦର ଭିତରେ ଥିବା ସେହି ମୁଖ ଅତ୍ୟନ୍ତ ବିକଟାଳ ଦେଖାଯାଉଥିଲା। ରମ୍ଭା ବୃକ୍ଷ ଭଳି ଲମ୍ବା କଦର୍ଯ୍ୟ ଦନ୍ତପନ୍ତି  ସହିତ ମସ୍ତକରେ ଥିଲା, ଜ୍ବଳନ୍ତ ଅଗ୍ନି ଗହ୍ଵର ଭଳି ଦେଖାଯାଉଥିବା ଏକ ଚକ୍ଷୁ।ଏକଯୋଜନ ପର୍ଯ୍ୟନ୍ତ ଲମ୍ବମାନ ଥିଲା ତାର ଦୁଇ ବାହୁ।ବାହୁରେ ଏବଂ ମର୍ଦ୍ଦଳ ସଦୃଶ ବିଶାଳ ଶରୀରରେ ଲୁହାକଣ୍ଟା ଭଳି ଲୋମ ପରିପୂର୍ଣ୍ଣହୋଇ ରହିଥିଲା।ଗୋଟିଏ ସ୍ଥାନରେ ପଡିରହି,ଦୁଇ ପ୍ରଳମ୍ବିତ ଶକ୍ତ ହସ୍ତରେ ସେହି କବନ୍ଧ ତାର ଚତୁର୍ଦ୍ଦିଗ ସାଉଁଟି ଯେତେ ଜୀବ ପାଉଥିଲା ସେମାନଙ୍କୁ କବଳିତ କରି ଭକ୍ଷଣ କରୁଥିଲା। ଲୁହାର ଶିକୁଳି ପରି ଥିଲା ତାର ଦୁଇହାତ ଏବଂ ବ୍ୟାଘ୍ର,ଭଲ୍ଲୁକ, ହସ୍ତୀ,ଗଣ୍ଡା ଓ ସିଂହ ପରି ଜନ୍ତୁମାନେ ମଧ୍ୟ ସେ ଶିକୁଳିରୁ ନିସ୍ତାର ପାଉନଥିଲେ।


ହଠାତ୍ ଏପରି ଏକ ହିଂସ୍ର ରାକ୍ଷସର କବଳରେ ପଡ଼ି ଶ୍ରୀରାମ ଓ ଲକ୍ଷ୍ମଣ କିଂ କର୍ତ୍ତବ୍ୟ ବିମୂଢ ହୋଇ ରହିଗଲେ।ଅକ୍ଟୋପାସ୍ ଭଳି ସେମାନଙ୍କୁ ଜାବୁଡ଼ି ଧରିଛି ମରଣଯନ୍ତା।ଭୟଙ୍କର ଯନ୍ତ୍ରଣାରେ ଛଟପଟ ହୋଇ ଲକ୍ଷ୍ମଣ କହିଲେ...ଅଗ୍ରଜ ! ଏପର୍ଯ୍ୟନ୍ତ ଏଭଳି ଶକ୍ତିଶାଳୀ ଦାନବର ସମ୍ମୁଖୀନ ଆମେ ହୋଇ ନାହେଁ।ଏହି ମରଣ ଯନ୍ତାରୁ ମୁକ୍ତିଲାଭ କରିବା ଆଶା ବହୁତ କ୍ଷୀଣ। ମନେହୁଏ ଏହିଠାରେ ହିଁ ଆମର ଜୀବନ ଦୀପ ନିର୍ବାପିତ ହେବ।


 ଶ୍ରୀରାମ କହିଲେ..ଅନୁଜ ! ବିପଦକୁ ଅତିକ୍ରମ କରିବା ପାଇଁ ଧୈର୍ଯ୍ୟ ଓ ସାହସିକତା ନିତାନ୍ତ ଆବଶ୍ୟକ। ଏହି ରାକ୍ଷସ କବଳରୁ ବୁଦ୍ଧିମତାର ସହିତ ଆମକୁ ମୁକ୍ତିଲାଭ କରିବାକୁ ପଡିବ।ରାକ୍ଷସର ଦୁଇ ବାହୁ ହିଁ ତା'ର ଶକ୍ତି।ତୁମକୁ ଧରିଥିବା ବାମ ଭୁଜ ତୁମେ ଖଡ୍'ଗରେ ଛେଦନ କର; ମୁଁ ତାର ଦକ୍ଷିଣ ଭୁଜ ଛେଦନ କରୁଛି। 

 

ସମସ୍ତ ଶକ୍ତି ପ୍ରୟୋଗ କରି ଦୁଇଭାଇ ରାକ୍ଷସର ଦୁଇ ବାହୁ ଛେଦନ କଲେ।ଯନ୍ତ୍ରଣାରେ ଛଟପଟ ହୋଇ ବିଶାଳକାୟ ଦାନବ ଭୟଙ୍କର ଗର୍ଜନରେ ବନଭୂମି ପ୍ରକମ୍ପିତ କରି କହିଲା..କିଏ ତୁମେ ଦୁହେଁ ଅଦ୍ଭୁତ ଶକ୍ତିମାନ ପୁରୁଷ ! ଏ ପର୍ଯ୍ୟନ୍ତ କବନ୍ଧ କବଳରୁ କେହି ମୁକ୍ତିଲାଭ କରିନଥିଲେ।


ରାମଚନ୍ଦ୍ର କହିଲେ..ହେ ଅଦ୍ଭୁତ ପ୍ରାଣୀ ! ମୋ ନାମ ଶ୍ରୀରାମ ଏବଂ ଏ ହେଉଛନ୍ତି ମୋ ଅନୁଜ ଲକ୍ଷ୍ମଣ। ପିତୃସତ୍ୟ ପାଳନ ନିମନ୍ତେ ପତ୍ନୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ସହିତ ଚଉଦବର୍ଷ ପାଇଁ ଦଣ୍ଡକାରଣ୍ୟକୁ ଆସିଥିଲି। ସେଠାରେ ଦଶବର୍ଷ ବ୍ୟତୀତ ହେବା ପରେ ଆମ ଉପରକୁ ବିପଦର ଝଡଝଞ୍ଜା ମାଡ଼ି ଆସିଛି।ଲଙ୍କାର ରାଜା ରାବଣ ମୋ ପ୍ରିୟତମା ପତ୍ନୀ ସୀତାଙ୍କୁ ଅଳ୍ପଦିନ ତଳେ ହରଣ କରି ନେଇଯାଇଛି।ତାଙ୍କ ସନ୍ଧାନରେ ଆସି ଆମେ ତୁମ କବଳରେ ପଡିଥିଲୁ।ଏବେ ତୁମେ ତୁମର ପରିଚୟ ପ୍ରଦାନ କର। ତୁମକୁ ଏଭଳି କୁରୂପ କିଏ ଦେଇଛି। କାହିଁକି ଏଠାରେ ପଡିରହି ପ୍ରାଣୀଙ୍କୁ କବଳିତ କରୁଛ ?"


ଶ୍ରୀରାମଙ୍କ ପରିଚୟ ପାଇ ଦାନବର ଉଦରସ୍ଥ ମୁଖ ଉଜ୍ଜଳ ଦେଖାଗଲା ଏବଂ ଏକମାତ୍ର ଚକ୍ଷୁରୁ ଆନନ୍ଦର ଲୁହ ଝରି ଗଲା।ଦାନବ କହିଲା.. ଆଜି ମୋ ଜୀବନର ସବୁଠାରୁ ଆନନ୍ଦର ଦିନ। ଏହି ଦିନଟି ପାଇଁ ଯୁଗାବ୍'ଧି ଅପେକ୍ଷା କରି ରହିଛି।ହେ ଦାଶରଥି ! ମୋ ନାମ କବନ୍ଧ। ମୁଁ ଏକ ଅଭିଶପ୍ତ ଗନ୍ଧର୍ବ।ପୂର୍ବେ ସ୍ଵର୍ଗରେ ମୋର ନିବାସ ଥିଲା। ଏକଦା ମୋର ସୁନ୍ଦର ଶରୀରକୁ ନେଇ ମନରେ ଅସୀମ ଗର୍ବ ଥିଲା।ମୋ ସୌନ୍ଦର୍ଯ୍ୟ ଦେଖି ଅଶ୍ଵିନୀ କୁମାର ମଧ୍ୟ ଲଜ୍ଜାରେ ମୋ ନିକଟକୁ ଆସୁନଥିଲେ।ବ୍ରହ୍ମାଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ଦୀର୍ଘ ଜୀବନ ଅତିବାହିତ କରିବାପାଇଁ ଆଶୀର୍ବାଦ ଲାଭକଲି।ଜୀବନରେ ସଫଳତା ମୋର ଅହଂକାର ବଢାଇଦେଲା। ପୂଜ୍ୟପୂଜାର ଘୋର ବ୍ୟତିକ୍ରମ ଘଟିଲା ମୋ ଜୀବନରେ। ବିକୃତ କଦାକାର ରୂପ ଧାରଣ କରି ଅନ୍ୟମାନଙ୍କୁ ଭୟଭୀତ କରିବା ମୋର ଏକ ମୁଖ୍ୟ କର୍ମ ପାଲଟିଗଲା। 


ଦିନେ ଭୟଙ୍କର ରାକ୍ଷସ ରୂପ ଧାରଣ କରି ସ୍ଥୂଳଶିର ନାମଙ୍କ ଜଣେ ଋଷିଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିବାରୁ ସେ ମୋତେ ଅଭିଶାପ ଦେଇ କହିଲେ... ଯୌବନ ଓ ଦୀର୍ଘାୟୁ ଗର୍ବରେ ପ୍ରମତ୍ତ ପ୍ରାଣୀ ! ମନେରଖ, ଏହି ଦୁଇ ଅବସ୍ଥା ଚିରସ୍ଥାୟୀ ନୁହଁନ୍ତି। ଦିନେ କାଳ ଗର୍ଭରେ ବ୍ରହ୍ମଲୋକ ମଧ୍ୟ ବିଲୁପ୍ତ ହୁଏ। ଯେତେ ରୂପ,ଗୁଣ ଥିଲେ ମଧ୍ୟ ଗର୍ବ ଓ ଅହଂକାର ଏବଂ ପୂଜ୍ୟପୂଜାର ବ୍ୟତିକ୍ରମ ଯୋଗୁଁ ଜୀବନ ମୂଲ୍ୟହୀନ ହୁଏ। ମୋତେ ତାତ୍ସଲ୍ୟ ଏବଂ ଭୟଭୀତ କରିବାର ଫଳ ଭୋଗକର।


ତୋର ଏ ଶରୀର କୁତ୍ସିତ କଦାକାର ରାକ୍ଷସର ଶରୀରରେ ପରିଣତ ହେଉ। ତାହା ଦେଖି ସମସ୍ତେ ତୋତେ ଘୃଣା କରନ୍ତୁ। ଦୀର୍ଘ ଜୀବନ ତୋ ପାଇଁ ଅସହ୍ୟ ହୋଇଯାଉ।


ଅଭିଶାପ ପାଇବା ସଙ୍ଗେ ସଙ୍ଗେ ମୁଁ ରାକ୍ଷସରେ ପରିଣତ ହୋଇଗଲି।ମୁନିଙ୍କୁ ଅନୁନୟ କରି ମୋର ସୁନ୍ଦର ରୂପ ଫେରାଇ ଦେବା ପାଇଁ ଅନୁରୋଧ କଲି।ସ୍ଥୂଳଶିର କହିଲେ..ଦେଇଥିବା ଅଭିଶାପ ତୂଣୀରରୁ ନିର୍ଗତ ତୀର ସହିତ ସମାନ।ମୋର ପ୍ରଚଣ୍ଡ ତପୋଶକ୍ତି ଯୋଗୁଁ ଦେଇଥିବା ଅଭିଶାପ ନିଶ୍ଚିତ ଭାବରେ ଫଳିବ। କିନ୍ତୁ ଏହି ଦୀର୍ଘ ରାକ୍ଷସ ଜୀବନ ଯନ୍ତ୍ରଣାରୁ ତୋତେ ମୁକ୍ତି ଦେବେ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ।"


ଶ୍ରୀରାମ ପଚାରିଲେ.. କିନ୍ତୁ ତୁମର ଏ ପାଦ ଓ ମସ୍ତକ ବିହୀନ କବନ୍ଧ ରୂପ କେଉଁ ଅଭିଶାପର ଫଳ ?"

କବନ୍ଧ କହିଲା .. ଶୁଣନ୍ତୁ ପ୍ରଭୁ ! ସ୍ଥୂଳଶିରଙ୍କ ଅଭିଶାପ ଯୋଗୁ ରାକ୍ଷସରେ ପରିଣତ ହୋଇ ମୋର ସମସ୍ତ ରକ୍ଷଗୁଣ ପ୍ରକଟିତ ହେଲା।ଅତ୍ୟାଚାରରେ ତ୍ରିପୁର ପ୍ରକମ୍ପିତ ହେଲା। ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବା ପାଇଁ ସ୍ବର୍ଗରେ ପହଞ୍ଚିଲି। ଇନ୍ଦ୍ର,ବଜ୍ରାଘାତରେ ମୋର ଜାନୁ ଭଗ୍ନ କଲେ ଏବଂ ମୋର ଗ୍ରୀବାକୁ ଭାଙ୍ଗି,ମୋଡ଼ି ଦେଇ ମୋ ଉଦର ଭିତରେ ପୂରାଇ ଦେଲେ ଏବଂ କହିଲେ.. କବନ୍ଧ ନାମ ଧାରଣ କରି ତୁ ଏହି ସ୍ଥାନରେ ପଡ଼ି ରହିଥା'। ହାତକୁ ମୋର ଯୋଜନ ପର୍ଯ୍ୟନ୍ତ ପ୍ରଳମ୍ବିତ କରିଦେଇ ଇନ୍ଦ୍ର କହିଲେ.. ଚାରିପାଖ ଏହି ହାତରେ ସାଉଁଟି ଯାହା ପାଇବୁ ତାହା ଭକ୍ଷଣ କରି ଜୀବିତ ରହିଥା'। ଦୀର୍ଘ ଜୀବନର କଷ୍ଟ ପ୍ରତିକ୍ଷଣ ଅନୁଭବ କର।ମୁନି ସ୍ଥୂଳଶିରଙ୍କ ଭବିଷ୍ୟବାଣୀ ଅନୁଯାୟୀ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଙ୍କ ହାତରେ ତୋର ମୁକ୍ତି ହେବ।ସୀତାଙ୍କୁ ହରାଇ ପ୍ରଭୁ ଯେତେବେଳେ ତାଙ୍କ ଅନ୍ବେଷଣରେ ବୁଲୁଥିବେ ସେତେବେଳେ ତୁ ତାଙ୍କୁ କବଳିତ କରିବୁ।ତୋର ହସ୍ତ ଛେଦନ କରି ଶ୍ରୀରାମ ଓ ଲକ୍ଷ୍ମଣ ଯେବେ ତୋ ଶରୀରକୁ ଅଗ୍ନିରେ ଭସ୍ମ କରିଦେବେ ତାହେଲେ ତୁ ରାକ୍ଷସ ଶରୀରରୁ ମୁକ୍ତିଲାଭ କରିବୁ ଏବଂ ପୂର୍ବର ଦିବ୍ୟରୂପ ଫେରିପାଇବୁ ତଥା ତୋର ସ୍ବର୍ଗବାସ ହେବ। ସେହି ସୁଦିନ ଆଜି ଆସିଛି ରାଜୀବ ଲୋଚନ। ମୋ ଶରୀରକୁ ଅଗ୍ନିରେ ଦାହ କରନ୍ତୁ।ନୂତନ ରୂପ ଫେରିପାଇଲେ ମୋର ବିସ୍ତୃତି କଟିଯିବ ଏବଂ ଆପଣଙ୍କୁ ଅନେକ ଦିଗଦର୍ଶନକାରୀ ସୂଚନା ପ୍ରଦାନ କରିବି । ତାହା ଦେବୀ ସୀତାଙ୍କୁ ଉଦ୍ଧାର କରିବାରେ ଆପଣଙ୍କୁ ସାହାଯ୍ୟ କରିବ।ଆଉ ବିଳମ୍ବ କରନ୍ତୁ ନାହିଁ ପ୍ରଭୁ ! ଶୀଘ୍ର ମୋ ଶରୀରକୁ ଅଗ୍ନିରେ ଦହନ କରନ୍ତୁ।"


ଶ୍ରୀରାମ ଓ ଲକ୍ଷ୍ମଣ ଅବିଳମ୍ବେ ଅଗ୍ନି ପ୍ରସ୍ତୁତ କରି କବନ୍ଧର ବିଶାଳ ଶରୀରକୁ ଦାହ କଲେ। ଅଗ୍ନି ଶିଖାରୁ ଏକ ଦିବ୍ୟପୁରୁଷ ନିର୍ଗତ ହେଲେ।ତାଙ୍କ ପାଖରେ ସ୍ଵର୍ଗରୁ ଏକ ଦିବ୍ୟ ବିମାନ ଆସି ପହଞ୍ଚିଲା।ରାମ ଲକ୍ଷ୍ମଣଙ୍କୁ ଯୋଡ ହସ୍ତରେ ପ୍ରଣାମ କରି ସେ ଦିବ୍ୟ ପୁରୁଷ କହିଲେ..ପ୍ରଭୁ ! ଆପଣ ମାତା ସୀତାଙ୍କୁ ନିଶ୍ଚିତ ଭାବରେ ଉଦ୍ଧାର କରିବେ।ଏଠାରୁ ପଶ୍ଚିମ ମୁଖା ହୋଇ କିଛି ପଥ ଅତିକ୍ରମ କଲେ ଆପଣ ପମ୍ପା ସରୋବର ନିକଟରେ ପହଞ୍ଚିବେ। ଅତି ସୁନ୍ଦର ସ୍ଥାନ ଏହି ସରୋବର। କାଚକେନ୍ଦୁ ଭଳି ଜଳ,ଅଳ୍ପଦୂରରେ ରହିଛି ଋଷ୍ୟମୁକ ପର୍ବତର ଅନୁପମ ପ୍ରକୃତିକ ସୌନ୍ଦର୍ଯ୍ୟ।ଚିରବସନ୍ତର ସ୍ଥାନ ଏହି ପମ୍ପା ସରୋବର। ସେଠାରେ ଥିବା ପର୍ବତ ଗୁମ୍ଫା ମାନଙ୍କରେ ଅନେକ ମୁନି ଋଷି ତପ ସାଧନା କରିବା ପରେ ମୋକ୍ଷ ହୋଇଯାଇଛନ୍ତି। ସେଠାରେ ଆପଣ ପାଇବେ ମାତଙ୍ଗ ମୁନିଙ୍କ ଆଶ୍ରମ।


ଆଶ୍ରମରେ ମାତଙ୍ଗ ମୁନିଙ୍କ ଶିଷ୍ୟା ସାଧ୍ବୀ ଶବରୀଙ୍କ ସହିତ ଆପଣଙ୍କର ସାକ୍ଷାତ ହେବ। ସେହି ପରମ ଭକ୍ତ ଶବରୀ କେତେକାଳରୁ ଆପଣଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି। ତାଙ୍କଠାରୁ ଆପଣ କିଷ୍କିନ୍ଧ୍ୟାର ରାଜ୍ୟ-ଚ୍ୟୁତ ବାନରରାଜ ସୁଗ୍ରୀବଙ୍କ ସନ୍ଧାନ ପାଇବେ।ଅଗ୍ରଜ ବାଳିଙ୍କ ଦ୍ବାରା ରାଜ୍ୟଚ୍ଯୁତ ସୁଗ୍ରୀବ ବର୍ତ୍ତମାନ ଋଷ୍ୟମୁକ ପର୍ବତରେ ହନୁମାନ,ଅଙ୍ଗଦ, ଜାମ୍ବବାନ,ନଳ ନୀଳ ଆଦି ଅନୁଗତଙ୍କ ସହିତ ଅବସ୍ଥାନ କରୁଛନ୍ତି। 

ସେମାନଙ୍କ ସାହାଯ୍ୟ ନେଇ ଆପଣ ସୀତାଙ୍କୁ ଠାବ କରିପାରିବେ।


କ୍ରମଶଃ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics