ସର୍ବଂସହା ପୁରୁଷ
ସର୍ବଂସହା ପୁରୁଷ
ଜୟ ମା ତାରିଣୀ କୃପା
ପରିବର୍ତ୍ତନଶୀଳ ସମୟ ସ୍ରୋତରେ କିଛି ଲୋକକଥା ରେ ବି ପରିବର୍ତ୍ତନ ଆସିଯାଇଥାଏ।ଏଇ ଯେମିତି ସଭିଏଁ ଶୁଣିଆସୁଥିଲେ ଓ କହିଆସୁଥିଲେ ସର୍ଵଂସହା ନାରୀ କିନ୍ତୁ ଏବେ ସମାଜରେ ସ୍ୱର ବଦଳିଛି ଏହା ପରିବର୍ତ୍ତେ ସର୍ବଂସହା ପୁରୁଷ ବାକ୍ୟଟି ପ୍ରଚଳିତ ହେବାକୁ ଲାଗିଲାଣି। ସତ କହିବାକୁ ଗଲେ ଏକ ପୁରୁଷର ଜୀବନ ଓ ତାର ସଂଘର୍ଷର କାହାଣୀ ଯେକୌଣସି କାଳ୍ପନିକ କଥାବସ୍ତୁର କାହାଣୀଠୁ ବହୁ ଉର୍ଦ୍ଧ୍ବରେ।ସର୍ବଶକ୍ତିମାନ ବିଧାତା ନାରୀ ଓ ପୁରୁଷକୁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵଭାବେ ଗଢ଼ିତୋଳିଛନ୍ତି।ପରସ୍ପର ନିଜ ନିଜ ବିନା ଅସମ୍ପୂର୍ଣ୍ଣ ମଧ୍ୟ।ନାରୀ ଯଦି ଶୀତଳତା,କୋମଳତା,ବୋଧଜ୍ଞ,ଲଜ୍ୟାଶୀଳା ଓ ସହନଶୀଳତାର ପ୍ରତୀକ ହୁଏ ତେବେ ପୁରୁଷ ବି ବଜ୍ର,ରୁଦ୍ର,କଠୋର ଓ ସ୍ଥିତପ୍ରଜ୍ଞ ଅଟେ।କିନ୍ତୁ ଗଭୀର ସମୁଦ୍ରରୁ ସୃଷ୍ଟ ବର୍ଷାର ଶୀତଳତାକୁ ସଭିଏଁ ଅନୁଭବ କରି ତାର ପ୍ରଶଂସାରେ ଶତମୁଖ ହେଉଥିବାବେଳେ ସମୁଦ୍ରକୁ ତାର କିଞ୍ଚିତ ଶ୍ରେୟ ଯେମିତି ମିଳି ନଥାଏ ସେମିତି ଏ ସମାଜ ପୁରୁଷକୁ ତା' ତ୍ୟାଗ ଓ ସହିଷ୍ଣୁତାର ଶ୍ରେୟ କେବେ ଦେଇନାହିଁ।କାହିଁକିନା ପୁରୁଷ କେବେ ଆଖିରୁ ଲୁହ ଗଡ଼ାଇ ପାରେନାହିଁ ବୋଲି।
ସେଦିନ ସୋମବାର ଥାଏ, ଘଡିକୁ ବାରମ୍ବାର ଚାହିଁ ଚାହିଁ ତରବର ହୋଇ ଅଫିସ ଯିବାପାଇଁ ବିଶିକେଶନ ଉଦ୍ୟତ ହେଉଥିଲାବେଳେ,ଅଫିସର କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଏ ଘରର ଆଲମିରା ରୁ ସେ ଘରର ଆଲମିରା ଖୋଜୁଥାଏ ତ ପୁଣି କେତେବେଳେ ତା ବାଇକ୍ ଚାବିଟା କେଉଁଠି ରହିଗଲା ତାକୁ ବ୍ୟସ୍ତ ହୋଇ ଖୋଜୁଥାଏ।
ଏମିତି ଖୋଜିବା ଭିତରେ ବୋଉ..…...ବୋଉ ବୋଲି ଡାକଛାଡୁଥାଏ ତ ପୁଣି କେତବେଳେ ସ୍ନିଗ୍ଧା......ସ୍ନିଗ୍ଧା ବୋଲି ବିକଳରେ ଡାକଛାଡୁଥାଏ।ହେଲେ କାହାରି ଜବାବ ଆସୁ ନଥାଏ।ଏମିତି ନ ଶୁଣିବା ଘଟଣାଟି ବିଶିକେଶନର ଘରେ ନିତିଦିନିଆ କଥା।ପଡୋଶୀମାନଙ୍କୁ ଶୁଣାଯାଉଥିବ ଅଥଚ ଘରଲୋକଙ୍କର ଟିକେ ବି କର୍ଣ୍ଣପାତ ହେଉନଥିବ।ବିଶିକେଶନର ଏଇ ଦୁଇ ବର୍ଷ ହେବ ବିବାହ ହୋଇସାରିଥାଏ ପରିବାର କହିଲେ ତିନି ପ୍ରାଣୀ କୁଟୁମ୍ବ ମା ଉମା ଦେବୀ,ଧର୍ମପତ୍ନୀ ସ୍ନିଗ୍ଧା ଓ ବିଶିକେଶନ।ବାପା ତାର କେଉଁ ଅନାଦି କାଳରୁ ଆରପାରିରେ।ଏକମାତ୍ର ଭଉଣୀ ମାମିର ବିବାହ ହୋଇସାରିଥାଏ।ବାପା ଚାଲିଗଲାପରେ ଘରର ସମସ୍ତ ଦାୟିତ୍ଵକୁ ନିଜ କାନ୍ଧରେ ବୋହି ଜଣେ ଦାୟିତ୍ବବାନ ଭାଇ ଓ ପୁଅର କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବାରେ ଟିକେ ବି ଅବହେଳା କରି ନଥାଏ ବିଶିକେଶନ। ତା' ଦୁନିଆର ସତେଯେମିତି ସେ ଶ୍ରେଷ୍ଠ ଧୁରୀଣ। ଶାନ୍ତ ସରଳ ଆମୟିକ ପିଲାଭାବେ ସେ ବେଶ୍ ଜଣାଶୁଣା ଆଖପାଖରେ।ନିଜ ଅଫିସ୍ କାମ ଛଡା,ଘରର ଯାବତୀୟ କାମ ଏଇ ଯେମିତି ସଉଦାପତ୍ର,ମା ଙ୍କର ଔଷଧ,ପରିବାହାଟ ଠୁ ବିବାହବ୍ରତ,ବନ୍ଧୁବାନ୍ଧବ ବିଭିନ୍ନ ପର୍ବପର୍ବାଣିରେ ଭଉଣୀର ଅଳି ଓ ତା ମଧ୍ୟରେ ପତ୍ନୀ ଓ ମାଆଙ୍କ ଅଭିମାନକୁ ପୁରା କରିବାରେ ନା ସେ କେବେ ଅବହେଳା କରିଛି ନା କେବେ ବିରକ୍ତି ପ୍ରକାଶ କରିଛି !ସବୁ ନେଇ ଦେଇ ସାରିଲାପରେ ଯଦି ନିଜପାଇଁ ଦିନଟିଏ ବଞ୍ଚେଇକି ରଖିଥାଏ ସେଦିନ ଟି ହେଉଛି ରବିବାର।କିନ୍ତୁ ତାକୁ ମଧ୍ୟ ମା ଓ ପତ୍ନୀଙ୍କ ପାଇଁ ଉତ୍ସର୍ଗ କରିଦେଇଥାଏ କେବଳ ସେ ଦୁଇ ଜଣକ ଓଠରେ ଟିକେ ହସ ଦେଖିବା ପାଇଁ।ଉମାଦେବୀ ଓ ସ୍ନିଗଧା ପରସ୍ପର ପ୍ରତି ଯେତିକି ସ୍ନେହ,ଶ୍ରଦ୍ଧା ଓ ସମ୍ମାନ କରିବା କଥା ତାହାର ଅଭାବ ଏ ଦୁଇବର୍ଷର ସମ୍ପର୍କ ମଧ୍ୟରେ କେଉଁଠି ନା କେଉଁଠି ବାରି ହେଇପଡୁଥିଲା।କାରଣଟା ଉଭୟ ପକ୍ଷର ଅହେତୁକ ଦଖଲ ନିଜ ନିଜର ବ୍ୟକ୍ତିଗତ ଜୀବନରେ।ଆଜିକାଲିକା ପିଲା ସ୍ନିଗ୍ଧା,ମୋବାଇଲର ମାୟାରେ ପଡି ଶାଶୁଙ୍କ ସହ ସମୟ ଅତିବାହିତ ନ କରିବାଟା ଏ ଅଶୋଭନୀୟ ପରିସ୍ଥିତି ପାଇଁ ଦାୟୀ ବୋଲି କହିପାରିବା।ଉମାଦେବୀ ମଧ୍ୟ ନିଜ ଝିଅ ସଦୃଶ ସ୍ନିଗ୍ଧାର ଛୋଟ ଛୋଟ ଭୁଲକୁ ଅଣଦେଖା କରିବା ପରିବର୍ତ୍ତେ କଠୋର ଅନୁଶାସନର ଶିକୁଳିରେ ବାନ୍ଧିବା, ତାଙ୍କ ପ୍ରତି ସ୍ନିଗ୍ଧାର ଥିବା ସମ୍ମାନକୁ କ୍ଷୁୂର୍ଣ୍ଣ କରୁଥିଲା।
ସେ ଯାହା ହେଉ ବହୁ ଖୋଜାଖୋଜି କରିବାପରେ ପରିଶେଷରେ ବିଶିକେଷନକୁ ତା'ର ଫାଇଲଟି ମିଳିଗଲା ଓ ନିଜ ମନର ରାଗକୁ ନିଜଭିତରେ ଲୁଚେଇନେଇ ସବୁଦିନ ଭଳି ନିରୀହ ପିଲାଟେ ପରି ଚୁପଚାପ୍ ଅଫିସକୁ ବାହାରିଗଲା।ଆଉ ହଁ ଗଲାବେଳେ ମନେକରି ବୋଉକୁ ଓ ସ୍ନିଗ୍ଧାକୁ ଅଫିସକୁ ଯାଉଛି ବୋଲି କହିଗଲା।ପତ୍ନୀକୁ କହିକି ଗଲେ ବୋଉ ମୁହଁ ଫୁଲେଇବ ଓ ବୋଉକୁ କହିକି ଗଲେ,ଧର୍ମପତ୍ନୀଙ୍କ ବିନା କାରଣରେ ଗୋଡ କଚଡ଼ିବାକୁ କିଏ ସମ୍ଭାଳିବ??ବାସ୍ତବରେ ବିଶିକେଶନ ଏଇ କିଛିଦିନ ଭିତରେ ଗୃହସ୍ଥ ବନ୍ଧନର ନାଗଫାଶକୁ ସଂପୂର୍ଣ୍ଣରୂପେ ନ ହେଲେ ମଧ୍ୟ ବହୁତ୍ କିଛି ମାତ୍ରାରେ ଭେଦ କରିସାରିଥାଏ।ବିଶିକେଶନର ସବୁଦିନିଆ ରୁଟିନରେ ଏହା ଲେଖା ସରିଥାଏ ଯେ ତା ଘରେ ଦୁଇଟି ଅବୋଧ ଶିଶୁ ଅଛନ୍ତି ଓ ସେ ଘରକୁ ଫେରିଲେ ତାର ସର୍ବପ୍ରଥମ କାମ ହେଲା ସେ ଦୁଇଜଣକୁ ମନାଇବା ପାଇଁ କିଛିନା କିଛି ମିଛ ବାହାନା କରିବ !! ବାହାରର ଯେତେ ଟେନସନ ଥାଉ ପଛେ ଘର ଭିତରର ମନୋମାଳିନ୍ୟକୁ ସଜାଡ଼ିବା ପାଇଁ ମାନସିକ ସ୍ତରରେ କ୍ଷଣ କ୍ଷଣ ପ୍ରତାରିତ ହେଉଥିବା ଏକ ନିର୍ବୋଧ ପ୍ରେମିକ ସଦୃଶ ହୋଇସାରିଥାଏ ବିଶିକେଶନ। ତା ଧୈର୍ଯ୍ୟର ସମୁଦ୍ରରେ ଲହଡ଼ି ଭାଙ୍ଗୁଥିବା ସ୍ଵପ୍ନଗୁଡ଼ା ଯେତିକି ସ୍ଥିରହୋଇ ଆସୁଥାଏ କାନଗୁଡ଼ା ଶାଶୁ ବୋହୂ ଦୁଇଜଣଙ୍କ କଳିରେ କ୍ରମଶଃ ବଧିର ହୋଇଆସୁଥାଏ। ଅନୁଚାରିତ ଯନ୍ତ୍ରଣାରେ ଖାଲି ଯାହା ଭାଗ୍ୟକୁ ଦୋଷାରୋପ କରିବାଛଡ଼ା ମୂକ ପ୍ରାୟ କିଛି କହିପାରୁନଥାଏ ସେ।
ଆଜି ବିଶିକେଶନର ବାଇକରେ କିଛି ସମସ୍ୟା ଯୋଗୁଁ ସେ ବସ୍ ଯୋଗେ ତା' ଅଫିସକୁ ଯାଉଥାଏ।ଜୟଦେବ ବିହାରରୁ କଳ୍ପନା ଆଡ଼କୁ ବସ୍ ମୁଁହାଇଲା ବେଳେ ସେ ଦେଖିଲା କିଛି ପୋଷ୍ଟର ଲାଗିଛି ଓଭରବ୍ରିଜର କାନ୍ଥରେ ,ତା ଉପରେ କିଛି ମୋବାଇଲ୍ ନମ୍ବର ଓ ତଳେ ଜଏନ ପୁରୁଷ କମିଶନ ଲେଖାଅଛି।ସେ ନମ୍ବରକୁ ନିଜ ମୋବାଇଲ ସ୍କ୍ରିନରେ ଡ଼ାଏଲ କଲାବେଳେ ହଠାତ୍ ବୋଉର କଲ୍ ଆସିଲା !!
ଉଚ୍ଚ ଗଳାରେ.......ବୋଉର ତାଗିଦ୍ ତୋ ଭାରିଯାକୁ ନେଇ ତା' ବାପଘରେ ଛାଡ ନଚେତ୍ ମୋ ମଲା ମୁଁହ ଦେଖିବୁ!
ଏଇ କିଛିଦିନ ପୂର୍ବରୁ ଧର୍ମପତ୍ନୀ ବି ଠିକ୍ ସେଇଆ କହୁଥିଲେ........ତୁମ ବୋଉକୁ ନେଇ କେଉଁ ବୃଦ୍ଧାଶ୍ରମରେ ଛାଡ଼ ନଚେତ୍ ମୋ ମଲା ମୁଁହ ଦେଖିବାଟା ଥୟ !!
ବିଶିକେଶନ ଭାବୁଥିଲା " ସତରେ ମୃତ୍ୟୁ ରୂପକ ଶଯ୍ୟାଟା ଯଦି ନମନୀୟ ହୋଇଥାନ୍ତ୍,ତାହେଲେ ମୁଁ ବି କଥା ଛଳରେ କହିଦେଇଥାନ୍ତି ତୁମେ ଦୁଇଜଣ ଚୁପ୍ ରୁହ ନହେଲେ ମୁଁ ଚିରଦିନ ପାଇଁ ଶୋଇଯିବି।
ବର୍ଷ ବର୍ଷ ଧରି ଏମାନଙ୍କ କଟୁଭାଷା ଶୁଣି ଶୁଣି ବିଚରା ବିଶିକେଶନ ପଥର ପାଲଟି ସାରିଥିଲା।ନା ତା' ପ୍ରତି ଏମାନଙ୍କର ଦୟା ଥିଲା ନା ଶ୍ରଦ୍ଧା। ଆଉ ଏ ପଥର ଦେହରେ ଏ ପୁରୁଷ କମିଶନ କି ପ୍ରକାରର ମୂର୍ତ୍ତି ବା ଗଢ଼ିବ ??ବାପା ମା' ଅତି ସ୍ନେହରେ ନାଆଁ ରଖିଥିଲେ ବିଶିକେଶନ।ସେଇ ଏକୋଇରବେଳା ବିଶିକେଶନ ଯାହାର ହୃଦୟ ବକ୍ଷକୁ ଗୋଇଠା ମାରି ଭୃଗୁ ୠଷିଙ୍କ ପାଦକୁ କଷ୍ଟ ହୋଇଥିଲା ବୋଧହୁଏ ସେହିପରି ତା ହୃଦୟଟି ବଜ୍ର ହୋଇସାରିଥିଲା ଯଦ୍ୱାରା ଏ ଶାଶୁ ବୋହୂଙ୍କ ଆଘାତ ଆଉ ପାଷାଣ ହୃଦୟକୁ କଷ୍ଟ ଦେଉନଥିଲା !!
ଏ ପ୍ରକାରର ଅତ୍ୟାଚାର କାହିଁକି??କି ଦୋଷ ଥିଲା ବିଶିକେଶନର ?? ସେ ତ ବିବାହ ନିଜ ଇଚ୍ଛାରେ କରିନଥିଲା??ସେ ତ ବିବାହ ତା' ବୋଉର ସହମତିରେ କରିଥିଲା।ସ୍ନିଗ୍ଧା ସିନା ପର ଝିଅ କିନ୍ତୁ ସେ ତ ନିଜର ତା' ପ୍ରତି ଏତେ ବିତୃଷ୍ଣା କାହିଁକି???ଏମିତି ସ୍ଵ ପ୍ରଶ୍ନ ବାଣରେ ଛନ୍ଦି ହୋଇ ମୋବାଇଲକୁ ନିଜ ପକେଟରେ ରଖି ଗୋଟେ ବଡ଼ ଦୀର୍ଘଶ୍ୱାସ...… ନେଲା ବିଶିକେଶନ।ଆଖି ଦୁଇଟି ତାର ବସ୍ ର ଆଗ ସିଟରେ ବସିଥିବା ସଦ୍ୟ ବିବାହିତ ଯୋଡ଼ିଙ୍କର ହାତରେ ହାତ ଛନ୍ଦା ହସ ହସ ମୁହଁକୁ ଦେଖୁ ଦେଖୁ ଛାଇନିଦରେ ମୁଦି ହୋଇଗଲା।ବସ୍ କଣ୍ଡକ୍ଟରର କଳ୍ପନା ସ୍କୋୟର.......କଳ୍ପନା ସ୍କୋୟାର ଡାକରେ ତାର ଆଖି ଖୋଲିଗଲା।ଚାଲି ଚାଲି କିଛି ପାଦ ଅତିକ୍ରାନ୍ତେ ପୁଣି ସେଇ ଅଫିସ୍ ଓ ତାର ଅନ୍ଧାରିଆ କୋଠରୀର ଚାରିକାନ୍ଥରେ, ପୁରୁଣା ଫାଇଲ୍ ଗହଣରେ ନିଜକୁ ହଜେଇଦେଲା।
ଏମିତି କେତେ ଯେ ବିଶିକେଶନ ମୂକ ଓ ନିଷ୍ପେସିତ ନିଜ ନିଜ ଦୁନିଆରେ ତା'ର ହିସାବ କାହା ପାଖରେ ନ ଥିବ।ସତରେ ପ୍ରତ୍ୟେକ ପୁରୁଷ ନିଜ ନିଜ ଭାଗ୍ୟର ଗୋଟିଏ ଗୋଟିଏ ପୃଥିବୀ ସଦୃଶ ସର୍ବଂସହା।
ଆଶିଷକୁମାରସ୍ବାଇଁ
ପୋପାରଡ଼ା,ଟାଙ୍ଗୀ,କଟକ
ମୋ-୭୦୦୮୧୫୭୮୦୦
