ବୁଢ଼ାଟିଏ ହୋଇଥା
ବୁଢ଼ାଟିଏ ହୋଇଥା
ଆଜି ଡିୟୁଟିରେ ଥିଲାବେଳେ ସକାଳୁ ସକାଳୁ ମୋ ଘରଣୀଙ୍କ call ଆସିଲା,ଏତେ ସକାଳୁ କଣ ପାଇଁ call କଲେ, ଏମିତି ଭାବୁଭାବୁ ମୋବାଇଲରେ callଟି ମୋ ଦ୍ଵାରା ରିସିଭ ହେଇଗଲା।ସେପଟୁ ଉତ୍ତର ଆସିଲା,
"ତୁମକୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା",
ଏହାଶୁଣି ମୁଁ ତାଙ୍କୁ ଧନ୍ୟବାଦ୍ ଜଣେଇଲି।ସତକଥା ହେଲା ମୁଁ ବି ଏ ବ୍ୟସ୍ତବହୁଳ ଜୀବନ ଭିତରେ,ମୋ ଜୀବନର ସବୁଠୁ ପ୍ରିୟଦିନଟିକୁ ସଂପୂର୍ଣ୍ଣ ରୂପେ ପାସୋରି ସାରିଥିଲି।ବୋଉ ଚାଲିଯିବାର ଦୀର୍ଘ ୧୯ବର୍ଷ ଅତିକ୍ରାନ୍ତ ହୋଇସାରିଲାଣି ଏହାଭିତରେ।ସମୟର ବଡ଼ ଉଦର ଭିତରେ ଯେମିତି ସେ ମାଧୁର୍ଯ୍ୟଭରା ଦିନଗୁଡିକ ଲୀନ ହୋଇଯାଇଛି।ମହତ୍ତ୍ଵକାଙ୍କ୍ଷୀ ମନର ରଙ୍ଗବଗିଚାରେ ଏ ଦିନର ମହତ୍ତ୍ଵ ପୁରା ଫିକା ପଡ଼ିଯାଇଛି।ଏମିତି ଭାବୁଭାବୁ କିଛି ଅମାନିଆ ଲୁହବୁନ୍ଦା ମନକୁ ବୁଝାଇବାର ପ୍ରୟାସରେ ନିଗିଡ଼ି ପଡ଼ିଲା।ପୁଣିଥରେ ନିଜ ହାତରେ ନିଜ ପିଠିକୁ ଥାପୁଡେଇ ବାଟ ଚାଲିବାକୁ ଚେଷ୍ଟାକଲି!! କାମିନୀ ଫୁଲ ପରି ଅସମୟରେ ଝଡିପଡ଼ିଥିବା ସ୍ଵପ୍ନଗୁଡ଼ାକୁ ଆଉଥରେ ସାଉଣ୍ଟିବାକୁ ଲାଗିଲି।
ବସନ୍ତର ଗୋଟିଏ ଗୋଟିଏ ପାହଚ ଚଢ଼ୁଚଢ଼ୁ ନିର୍ବୋଧ ଶିଶୁଟିଏ କେତେବେଳେ ତା ଅଜାଣତରେ ପରିପକ୍ଵତାର ଆସନରେ ବସିଯାଏ ଜଣିପାରେନା।ପ୍ରତ୍ୟେକ ବସନ୍ତ ତାକୁ ଯେତିକି ଖୁସି ଆଣି ଦେଇଥାଏ, ପ୍ରକାରାନ୍ତରେ ସେତିକି ଖୁସି ତା ମୁଣିରୁ ଚୋରେଇ ନେଇ ଚାଲିଯାଇଥାଏ।ନିଷ୍ଠୁର ସମୟ, ତା' ସାରଣୀର ସଂଖ୍ୟାକୁ ବଢେଇ ବଢେଇ ଖୁସିର ମୁହୂର୍ତ୍ତକୁ କମେଇ, ତାକୁ ପ୍ରତାରିତ କରି ଭୁଲିଯାଏ।
ସବୁ ମଣିଷର ସଂଘର୍ଷମୟ ଜୀବନ ଫର୍ଦ୍ଦରେ ଅନ୍ୟତମ ଅଲିଭା ଓ ସ୍ମରଣୀୟ ଦିନଟି ଯଦି କିଛି ଥାଏ,ସେ ହେଉଛି ତା'ର ଜନ୍ମଦିନ। ମୁଁ ବା କେମିତି ବାଦ୍ ପଡନ୍ତି ଏଥିରୁ।ବର୍ଷକର ଗୋଟିଏ ଦିନ ଯାହାକୁ ଅତି ଉତ୍ସକତାର ସହିତ ମୁଁ ଅପେକ୍ଷା କରିଥାଏ।ପରମ୍ପରା ସହିତ ସଂଶ୍ଳିଷ୍ଟ ଓ ଗ୍ରାମ୍ୟ ପରିବାରର ପରିବେଶରେ ବଢ଼ି ଆସିଥିବା ପିଲାଟିଏ ପାଇଁ ଜନ୍ମଦିନର ମହକ ଯେ କେତେ ମହତ୍ତ୍ଵ ବହନ କରିଥାଏ, ତାର ଆବେଗକୁ ସେ କିଛି ଶବ୍ଦର ବନ୍ଧନୀରେ ଆବଦ୍ଧ କରି ରଖିବାକୁ ଚାହେଁନା।ରାକ୍ଷୀ ପୂର୍ଣ୍ଣମୀର ଗଲା ତିନିଦିନେ ମୋ ଜନ୍ମଦିନ ପଡେ।ପୂର୍ବଦିନ ରାତିରେ ଆଖିରେ ଆଖିଏ ସ୍ଵପ୍ନ ସକାଳ ହେଲେ ନୂଆଡ୍ରେସ ପିନ୍ଧିବି,ମନ୍ଦିର ଯିବି ଓ ଚକୁଳି ପିଠା ନେଇ ସାହି ପଡ଼ିଶାରେ ବାଣ୍ଟିବି।ସକାଳର ସବୁ କାମ ସରୁସରୁ ପୁଣି ରାତି ପାଇଁ ସାଜସଜ୍ଜା,ପଣ୍ଡିତ ନନା ଆସିବେ ସତ୍ୟନାରାୟଣଙ୍କ ପୂଜା ହେବ ସାଙ୍ଗସାଥୀମାନେ ଆସିବେ ସିରିଣୀ ଭୋଗ ହେବ ଇତ୍ୟାଦି। ସବୁଠୁ ତତ୍ପର ତ ମୋ ବୋଉ ଥାଏ,ବଡି ସକାଳୁ ଉଠି ସେ ଚକୁଳି ପିଠାର ଗୋଟେ କୃତ୍ରିମ ପାହାଡ଼ ତିଆରି କରିଦେଇଥାଏ।ଗୋଟେ ଘିଅ ବୋଳା ପିଠା ଅଲଗା କରି ରଖିଥାଏ ମୋ ପାଇଁ ସେଇଟା ପୂଜା ପିଠା,ଯାହାକୁ ପୁଜାପରେ ମୁଁ ଖାଇବି। ମୁଁ ନୂଆ ଡ୍ରେସଟି ନେଇ ପ୍ରଥମେ ଆମ ଘରର ମା' ବୃନ୍ଦାବତୀଙ୍କ ପାଖରେ ରଖି ମୁଣ୍ଡିଆ ମାରିସାରିଲା ପରେ ତାକୁ ପିନ୍ଧି ଦିଏ ଓ ଦୁଇ ଚାରୋଟି ପିଠା ନେଇ ଆମ ଗୁହାଳରେ ଥିବା ଗାଈକୁ ଖାଇବାକୁ ଦିଏ।ବାପାଙ୍କ ସାଥିରେ ମନ୍ଦିରରୁ ଫେରି ଘରେ ଓ ସାହିରେ ଯେତେ ଗୁରୁଜନ ଥାଆନ୍ତି ତାଙ୍କ ପାଦ ଛୁଇଁ ପ୍ରଣାମ କରେ।ମୋ ବୋଉ ଏସବୁ ଦେଖି ଭାରି ଖୁସି ହେଇଯାଏ।ମୋ ଖୁସିରେ ସତେ ଯେମିତି ସେ ହଜିଯାଏ।
ଅତୀତର ଅଲିଭା ମାନସପଟ୍ଟରେ କୁହୁଳି ଉଠିଥିବା ସ୍ମୃତିଗୁଡ଼ା ସଦ୍ୟ ଶ୍ରାବଣର ବର୍ଷା ଛିଟାରେ ଲିଭି ଆସୁଥିଲାବେଳେ, ଦଲକାଏ ଶୀତଳ ପବନ ମୋ କ୍ଳାନ୍ତ ମନର କବାଟକୁ ହଠାତ୍ ଠକ୍ ଠକ୍ କଲା।ହୃଦୟର କୋଠରୀ ଭିତରୁ ବାହାରି ଆସି ମନଟି ମୋର ହାତଯୋଡି ନେହୁରା ହେଉଥିଲା ପବନକୁ,
"ଏ ପବନ.....… ମୋତେ ଟିକେ ଉଡ଼ାଇ ନିଅନ୍ତୁନି ??ପୁଣିଥରେ ସେଇଠିିକୁ, ଯେଉଁଠି ମୁଁ ନୂଆ ଡ୍ରେସ ହଳେ ପିନ୍ଧି ପଡିଶାସାରା ବୁଲିବୁଲି ମୁଣ୍ଡିଆ ମାରୁଥାଆନ୍ତି ଓ ସମସ୍ତ ଗୁରୁଜନଙ୍କର 'ବଡ଼ ମଣିଷ ହୋ', 'ଈଶ୍ଵର ସଦବୁଦ୍ଧି ଦିଅନ୍ତୁ', 'ଭଲ ମଣିଷ ହୋ', 'ବୁଢ଼ାଟିଏ ହୋଇଥା' ଏମିତି ଅଜସ୍ର ଆଶୀର୍ବାଦରେ ଭରିଯାଉଥାନ୍ତା ମୋ ନୂଆ ଡ୍ରେସର ପକେଟ୍ ସବୁ।ବୋଉର ହାତ ତିଆରି ପିଠାପଣାରେ ମହକୁଥାନ୍ତା ଆମ ଘର।ବାପାଙ୍କ ସେ ଅଭାବୀ ଅଗଣାରେ ଫୁଟିଉଠୁଥା'ନ୍ତା ଭାବର ପାରିଜାତ।ହସଖୁସିରେ ବିତିଯାଇଥନ୍ତା ସମୟ ସବୁ।ମୋ ଆୟୁଷ ବଢିବା ପାଇଁ ପ୍ରାର୍ଥନା କରୁକରୁ ନିଜ ଆୟୁଷକୁ ସାରିଦେଇ ଚାଲିଯାଇଥିବା ମୋ ବୋଉ ବି ମୋତେ ଟିକେ ଗେଲ କରିପକେଇଥାନ୍ତା। ଓଃ..........
ଆନ୍ଦୋଳିତ ଅନ୍ତରରେ ଯନ୍ତ୍ରଣାର ଉତ୍ତାଳ ତରଙ୍ଗ ମୋ ଧୈର୍ଯ୍ୟର କୂଳ ଲଂଘୁ ଲଙ୍ଘୁ ହଠାତ୍ ପବନର ବେଗ ସ୍ଥିର ହୋଇଗଲା ଓ ମୋ କାନରେ କହିଗଲା "ଆରେ ପାଗଳା, ଯାହା ଅତୀତ ତାକୁ ତୁ କେମିତି ଫେରିପାଇବୁ ?? ଝୁଣ୍ଟିପଡ଼ି ଛିଡ଼ା ହୋଇସାରିବାପରେ ପୁଣିଥରେ ଝୁଣ୍ଟିବାକୁ କାହିଁକି ଚାହୁଁଛୁ?? ମୁଁ ପ୍ରକୃତିସ୍ଥ ହେଲି।
ଅତୀତର ସେ ସ୍ମୃତିଗୁଡା ଏବେ ବୟସର କାନ୍ଥରେ ଝୁଲୁଥିବା ଗୋଟିଏ ଗୋଟିଏ ନିର୍ଜୀବ ରଙ୍ଗୀନ ମାନଚିତ୍ର ଭଳି। ଯେତେେବେଳେ କି ଅତୀତ ମୋତେ ବଞ୍ଚିବାର କଳା ଶିଖେଇଛି ବର୍ତ୍ତମାନ ତାକୁ ଭୁଲିଯିବା ପାଇଁ କହୁଛି।
ହେଲେ କେମିତି ଭୁଲିବି ତାକୁ ?? କଣ ମୁଁ ସତରେ ବୁଢ଼ାଟିଏ ହୋଇସାରିଲିଣି ନା ଆହୁରି ଅନେକ ରାସ୍ତା ଅତିକ୍ରାନ୍ତ କରିବାକୁ ବାକି ଅଛି???
ବର୍ତମାନ ଭିତରେ ଅତୀତର ଅନୁସନ୍ଧିତ୍ସୁ ମୋ ଝିଅର ଶୁଭେଚ୍ଛା ବାର୍ତ୍ତା "ବାବା ହାପି ବାଥଡେ ଟୁ ୟୁ"ର ଗୁଞ୍ଜରଣରେ ବିଶ୍ଳେଷାତ୍ମକ ଯୁକ୍ତିର ପରିସମାପ୍ତି ଘଟାଇଲା............।ଆଖି କୋଣରେ ଜକେଇ ହୋଇଆସୁଥିବା ଲୁହକୁ ପୁଣିଥରେ ସେ ଆଖିର ମହୋଦଧିରେ ସମାଧିସ୍ଥ କରିଦେଲି।
