ASHIS KUMAR SWAIN

Tragedy

4.5  

ASHIS KUMAR SWAIN

Tragedy

ପୋଢୁଆଁ ଅଷ୍ଟମୀ ରାଜା

ପୋଢୁଆଁ ଅଷ୍ଟମୀ ରାଜା

4 mins
413


ଓଡ଼ିଆ ଘରେ ଜନ୍ମ ଏକ ସୌଭାଗ୍ୟର କଥା ଓ ତା ମଧ୍ୟରେ ବାର ମାସରେ ତେର ପର୍ବର ଆନନ୍ଦ ଏକ ନିଆରା ଅନୁଭୂତି।ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଯେମିତି ସବୁଦିନ ନିତିକାନ୍ତି ଓ ଯାନିଯାତ୍ରା ଲାଗିରହିିଥାଏ ସେହିଭଳି ଗୋଟେ ଓଡ଼ିଆ ଘରେ କିଛି ନା କିଛି ପରମ୍ପରାର ଚକ୍ର ଘୁରି ବୁଲୁଥାଏ।ବେଳେବେଳେ ମନେ ହୋଇଥାଏ ସମସ୍ତ ପରିବାରବର୍ଗଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ପାଇଁ ବୋଧହୁଏ ଏସବୁ ପରମ୍ପରାର ସୃଷ୍ଟି।

  ଏତେ ପର୍ବପର୍ବାଣୀ ମଧ୍ୟରେ ଗୋଟେ ଅନ୍ୟତମ ବଡ଼ ପର୍ବ ଭାବେ ପ୍ରଥମାଷ୍ଟମୀ ବା ପୋଢୁଆଁ ଅଷ୍ଟମୀକୁ ବିବେଚନା କରାଯାଏ।ଯେଉଁମାନେ ଘରର ବଡ଼ ପୁଅ ବା ଝିଅ ସେମାନଙ୍କ ପାଇଁ ଏହି ଦିନଟିର ସ୍ୱତନ୍ତ୍ରତା ବହୁତ୍ ଅଧିକ ହୋଇଥାଏ।ଏହି ଦିନଟି ଅପୂର୍ବ ଆନନ୍ଦର ମହକ ନେଇ ଆସିଥାଏ।

   ଆନନ୍ଦ ଯେହେତୁ ଘରର ବଡ ପୁଅ ସେ ଏହି ଦିନଟିକୁ ବହୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାଏ ଅନ୍ୟ ବଡ଼ ପୁଅମାନଙ୍କ ପରି।ଅନ୍ୟଦିନ ତୁଳନାରେ ଏହିଦିନ ତାକୁ ବେଶୀ ସ୍ନେହ,ଶ୍ରଦ୍ଧା,ଆଦର ଓ ସମ୍ମାନ ମିଳୁଥିବାରୁ ସେ ଭାରି ଖୁସି ହୋଇଯାଏ।ନୂଆ ଡ୍ରେସ୍ ବି ପିନ୍ଧିବାକୁ ମିଳିଥାଏ।ବଡ଼ଭାଇ ହିସାବରେ ଅଧିକ ଗୁରୁତ୍ବ ମିଳୁଥିବାରୁ ସାନଭାଇ ଓ ଭଉଣୀମାନେ ବହୁତ୍ ଈର୍ଷା କରନ୍ତି ତାକୁ।କାହିଁକି ବା ନ କରିବେ ??ତାଙ୍କ ପାଇଁ ସେମିତି କିଛି ସ୍ବତନ୍ତ୍ର ଦିନ ନଥାଏ ତାଙ୍କର ଉପସ୍ଥିତିକୁ ଜାହିର କରିବାପାଇଁ।

  ଆନନ୍ଦ ଏହିଦିନ ନିଜକୁ କୌଣସି ରାଜାଙ୍କଠୁ କମ୍ ଅନୁଭବ କରେନି!!ଭାରି ଖୁସି ହୁଏ ମନେ ମନେ,ଆଜି ଦିନରେ ସେ ଯାହାକୁ ଯାହା କରିବା ପାଇଁ ଆଦେଶ ଦେବ ସେ ତାହା କରିବ।

ସମୟର କଣ୍ଟା ବହୁତ୍ କ୍ଷୀପ୍ର ଓ ପରିବର୍ତ୍ତନଶୀଳ, କେତେବେଳେ କାହାର ପଟ ପରିବର୍ତ୍ତନ ହୋଇଯାଏ ଜଣାପଡେନି।ବାଲ୍ୟରୁ ଯୁବାବସ୍ଥାର ଯାତ୍ରାଟା ବି ଖୁବ୍ ଶୀଘ୍ର ସରିଯାଏ!!ଗତିଶୀଳ ସମୟର ଚକରେ ନିର୍ବୋଧ ଥିବା ବଡ଼ଭାଇଟିକୁ ତା ଅଜାଣତରେ ଘରର ଗୁରୁଦାୟିତ୍ଵର ବୋଝକୁ କାନ୍ଧରେ ବୋହିବାକୁ ପଡ଼ିଯାଏ।ବାପାଙ୍କ ପରେ ଯଦି ଘରର ସବୁ କଷ୍ଟ,ସୁଖ,ଦୁଃଖକୁ ନିଜ ହୃଦୟରେ ଲଗେଇ ତା ସହିତ ଲଢ଼ିବପାଇଁ ଅଣ୍ଟା ଭିଡ଼ି ଛିଡ଼ା ହୋଇଥାଏ ସେ ହେଉଛି ସେଇ ବଡ଼ଭାଇ।କେଜାଣି କେମିତି ଠୁକୁ ଠୁକୁ ପାଦରେ ଚାଲୁଥିବା ସେଇ ଛୋଟ ପିଲାଟି ସମସ୍ତଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାର ଗୋଟେ ଯାଦୁକରୀ ଜିନ୍ ପାଲଟିଯାଏ।ସମୟକ୍ରମେ ନିଜ ଦୁର୍ବଳ ଗୋଡ଼କୁ ସଜାଡ଼ି ନେଇ ଆଗକୁ ବଢ଼ିଚାଲିଯାଏ।ଜୀବନ ଜଞ୍ଜାଳରେ ଆସୁଥିବା ପ୍ରତ୍ୟେକ ଝଡ଼ଝଂଜା,ବାଆବତାସରେ ସେ ସଭିଙ୍କୁ କୋଳେଇ ଧରି ନିଜ ପିଠିକୁ କଷ୍ଟ ସହିବା ପାଇଁ ଦେଖେଇଦିଏ।ଦାୟିତ୍ଵର ଗଣ୍ଠିଲି ବୋହି ଚାଲିଥିବା ପାଦଗୁଡ଼ା ଏ ରାସ୍ତାରୁ ସେ ରାସ୍ତା କେମିତି ନିମିଷକେ ପାର ହେଇଯାଏ ଜଣାପଡେନା।ପରିବାରର ବୋଝ ତଳେ ଯେମିତି ଏକ ଅସହାୟ ମାଟି ପିତୁଳା ସଦୃଶ ଆବାକ୍ ହୋଇ ଭାବୁଥାଏ ଜୀବନରେ ଏମିତି ଏକ ସମୟର ପବନ ତାକୁ ଆସି ଛୁଇଁବ ବୋଲି।ସମସ୍ତଙ୍କ ସ୍ବପ୍ନ ଓ ଇଚ୍ଛାକୁ ପୁରାଣ କରୁକରୁ ସେ ନିଜ ସ୍ବପ୍ନ ଓ ଇଚ୍ଛାକୁ ଏମିତି ଗୋଟେ କୋଣରେ ସମାଧି ଦେଇ ଦିଏ ଯେ ସେ ଆଉ ସେଠୁ ବହାରିପାରେନା।

   ଛିଡି ଯାଇଥିବା ଚପଲରେ ମାଇଲ ମାଇଲ ରାସ୍ତା ଚାଲିବା ଭିତରେ ଚପଲରେ ହୋଇଥିବା ଛିଦ୍ର ଦ୍ଵାରା କଷ୍ଟ ଯେତିକି ତାକୁ ଆଘାତ ଦେଇ ନଥାଏ ତା'ଠୁ ଅଧିକ ଆଘାତ ସେ ପାଇଥାଏ ଯେତେବେଳେ ନିଜ ସାନଭାଇକୁ ବିନା ଚପଲରେ ଦେଖିଦିଏ।ନିଜ ଚିରା ଡ୍ରେସକୁ ସିଲେଇ କରି ପିନ୍ଧିବାକୁ ଭଲପାଉଥିବା ମଣିଷଟି ପ୍ରତ୍ୟେକ କଷ୍ଟ ଅର୍ଜିତ ପଇସାଟିଏ ସଞ୍ଚୟ କରୁଥାଏ ତାର ଭାଇଭଉଣିଙ୍କୁ ଗୋଟେ ଭଲ ଡ୍ରେସ୍ ଟିଏ ଦେବା ପାଇଁ।ନିଜ ଦେହ ଖରାପ ହୋଇଗଲେ ବିଭିନ୍ନ ବାହାନା କରି କୁହେ କଣ ଟିକେ ହେଇଛି ଡାକ୍ତରଖାନା କଣ ଯିବି??ସେ ଆପେ ଠିକ୍ ହେଇ ଯିବନି!! କିନ୍ତୁ ଘରେ କିଏ ଅସୁସ୍ଥ ହୋଇଗଲେ ବ୍ୟସ୍ତବିବ୍ରତ ହୋଇ ସେ ଡାକ୍ତରଖାନାକୁ ଦୌଡ଼ିଯାଏ ତାକୁ ଭଲକରିବା ପାଇଁ ସେଇ ନିିଃସ୍ୱାର୍ଥପର ମଣିଷଟି।ନିଜ ଭଙ୍ଗା ସାଇକେଲରେ ପେଡାଲ ମାରୁ ମାରୁ ସନଭାଇକୁ ମୋଟରସାଇକେଲ ଦେବାର ସ୍ବପ୍ନ ଦେଖୁଥିବା ପାଗଳା ମଣିଷଟା ସେ ବଡ଼ଭାଇ।

  

କେଉଁଠି ଓଭରଟାଇମ ପରିଶ୍ରମ କରୁଥାଏ ତ କେଉଁଠି ମୁଣ୍ଡଫଟା ଖରାରେ ଖଟି ଚାଲିଥାଏ ଗୋଟେ ନିଶ୍ଚଳ ଯନ୍ତ୍ରାଂଶ ସଦୃଶ।ଭାଇମାନଙ୍କ ପାଠ ପଢ଼ିବାଠୁ ଆରମ୍ଭ କରି ଭଉଣୀମାନଙ୍କ ବାହାଘର ପର୍ଯ୍ୟନ୍ତ ସମସ୍ତକାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରୁ କରୁ ନିଜ ଭବିଷ୍ୟତକୁ ଜଳାଞ୍ଜଳି ଦେଇଦିଏ।ସବୁ କାମସାରି ଦୀର୍ଘ ନିଶ୍ଵାସ ନେଉ ନେଉ ଏହା କହିବୁଲେ, ସେମାନେ ମୋ ପିଲାମାନେ ମୋ ଭାଇଭଉଣୀ ନୁହନ୍ତି!! ତାଙ୍କ ଖୁସିରେ ମୁଁ ଖୁସି। ପ୍ରଥମାଷ୍ଟମୀ ରେ ଗୋଟିଏ ନୂଆ ଡ୍ରେସ୍ ପିନ୍ଧିଥିଲା ବୋଲି ତାକୁ ସାନମାନେ ବହୁତ୍ କଥା ଶୁଣାଉଥିଲେ ଓ ତାର ହିସାବ କରୁଥିଲେ।ଆଜି ସେଇ ଦାୟିତ୍ବବାନ ମଣିଷଟି କେତେ ଯେ ନୂଆ ନୂଆ ଡ୍ରେସ୍ ଆଣି ତା'ର ଭାଇଭଉଣୀ ମାନଙ୍କୁ ଦେଉଛି ପିନ୍ଧିବାକୁ ତାର ସେ କେବେ ହିସାବ ରଖିନି, କି ଈର୍ଷା ବି କରିନି।

         ଗାଁ ମାଟିରେ ନିଜ ରକ୍ତ,ମାଂସ, ହାଡ ଏକ କରି ଖରା,ବର୍ଷା,ଶୀତ କାକରକୁ ଖାତିର ନ କରି ସୁନାର ଫସଲ ଫଳେଇ ଦୌଡିଯାଏ ତାକୁ ନେଇ ତା'ର ଭାଇ ଭଉଣୀଙ୍କ ପାଖକୁ ସହରକୁ!!ସେମାନେ ଯାଇଛନ୍ତି ସହରକୁ ପଢିବାକୁ।ବଡ଼ ବଡ଼ କଲେଜରେ ପଢ଼ି ସେମାନେ ସାହେବ୍,ସହେବାଣୀ ହେବେ।କଲେଜ ଗେଟ ପାଖରେ ଛିଡ଼ାହୋଇ ମୁରୁକି ମୁରୁକି ହସୁଥିବା ବଡ଼ଭାଇ ଆନନ୍ଦ, ତା'ର ପିଲାମାନଙ୍କୁ ଦେଖି ଆତ୍ମବିଭୋର ହୋଇଯାଏ।

     ଅଣ୍ଟା ପକେଟ୍ ରୁ ମୋଡ଼ି ମୋଡ଼ି ହୋଇଥିବା କିଛି ଟଙ୍କା ଯାହାକୁ କି ଆନନ୍ଦ ସଞ୍ଚୟ କରି ଆଣିଥିଲା ତାଙ୍କ ହାତରେ ଦେବାପାଇଁ। ତାକୁ ବଢେଇ ଦେଉ ଦେଉ ଭୁଲିଯାଏ, ଯେ କିଛି ଟଙ୍କା ତ ରଖିନି ଖାଇପିଇ ଘରକୁ ଫେରିବା ପାଇଁ!!ସେମାନଙ୍କ ମୁହଁରେ ହସ ଦେଖି ଯେମିତି ତା ପେଟ ପୁରିଯାଏ।କଷ୍ଟ ଯେମିତି ତା ପାଖେ ହାର ମାନିଛି ବୋଲି ସମସ୍ତଙ୍କୁ ଅନୁଭବ କରାଏ।ବାସ୍ତବ ଜୀବନର ସୁଖଠୁ ଆନନ୍ଦ ବହୁ ଦୂରକୁ ଚାଲି ଯାଇଥାଏ।ସମସ୍ତଙ୍କ ସ୍ବପ୍ନକୁ ପୂରଣ କରୁ କରୁ ଯେତେବେଳେ ତା' ମନ ତାକୁ ପଚାରେ, ଆରେ ପାଗଳାଟା ତୋ ପାଇଁ ତ କିଛି ଭାବେ,ତୋ ଭବିଷ୍ୟତ ଟିକେ ଦେଖ!! ସେତେବେଳେ ଆନନ୍ଦ ନିଜ ମନକୁ କୁହେ, ମୋର କଣ ଅସୁବିଧା ହୋଇଯାଇଛି ଯେ ମୁଁ ତ ବହୁତ୍ ଆନନ୍ଦରେ ଅଛି ମୋ ପାଖରେ ମୋ ପିଲାମାନେ ଅଛନ୍ତି ଏହାଠୁ ବଡ ଖୁସି ଆଉ କଣ ଦରକାର???

   ପୁଣିଥରେ ସମୟର ଚକ ଘୂରେ ସେଇ ବଡ଼ ଭାଇ ଆନନ୍ଦ ଅସହାୟ ଓ ନିରାଦର ହୋଇପଡେ।ସେଇ ଯନ୍ତ୍ରାଂଶ ରେ କଳଙ୍କି ଲାଗିଯାଏ। ହାରମାନିଯାଏ ନିଜ ଶରୀର ଆଗରେ।ଧୂସର ରଙ୍ଗର କେଶରେ ରୁଗଣ ଥରଥର ଆନନ୍ଦ ଆଜି ସରକାରୀ ଭ୍ରାମ୍ୟମାଣ ଔଷଧ ଗାଡ଼ି ପାଖରେ ଛିଡ଼ା ହୋଇଥାଏ ତା' ପାଇଁ କିଛି ଔଷଧ ନେବାକୁ।

    ପରିବର୍ତ୍ତିତ ସମୟରେ ଅସହାୟ ହୋଇପଡ଼ିଥିବା ଆନନ୍ଦ ଯିଏ ସେଦିନ ନିଜକୁ ପୋଢୁଆଁ ଅଷ୍ଟମୀର ରାଜା ବୋଲି ଭାବୁଥିଲା!!ଯିଏ ଆଦେଶ ଦେଉଥିଲା ଅନ୍ୟମାନଙ୍କୁ, ସେ ଆଜି ଆଉ କାହା ଆଦେଶକୁ ଅପେକ୍ଷା କରିଛି।ତା'ର ସେଇ ପିଲାମାନେ ଉଡ଼ିଯାଇଛନ୍ତି ବହୁଦୂରକୁ।ତା'ର ଛୋଟ କୁଡ଼ିଆଟା ଆଜି ଖାଲିପଡ଼ିଯାଇଛି।ଅନ୍ଧାର ଭିତରେ କିଛି ଆଲୋକର ଆବିର୍ଭାବକୁ ଆନନ୍ଦ ଅପେକ୍ଷା କରିଛି।

   

    କଥାରେ ଅଛି ଆଜିର ରାଜା କାଲିର ଭିକାରୀ ସେମିତି ଲାଗୁଛି କି କାଲିର ସେଇ ରାଜାଟି ଆଜି ନିଃସ୍ଵ ହୋଇଯାଇଛି।


   ତଥାପି ଆନନ୍ଦ ହସୁଛି ଆଉ କହୁଛି ମୁଁ ଏବେ ବି ସେଇ ପୋଢୁଆଁ ଅଷ୍ଟମୀର ରାଜା!!!

ମୋ ବଡପଣିଆର ଯେଉଁ ମର୍ଯ୍ୟାଦା ସୃଷ୍ଟିକର୍ତ୍ତା ମୋତେ ଦେଇଛନ୍ତି ତାକୁ ମୋ ଠୁ କିଏ ଛଡେଇ ନେଇ ପାରିବ???

 ଦମ୍ଭୋକ୍ତିର ସହ ଆନନ୍ଦ କହୁଛି ଧନଦୌଲତ ସିନା ମୋ ପାଖରେ ନାହିଁ କିନ୍ତୁ ବଡ଼ ଭାଇର ସେ ପାରିବା ପାଣିଆ ଏବେ ବି ଅଛି!!!

  "ପ୍ରକୃତରେ ସେ ହିଁ ରାଜା,ବିରାଟ ହୃଦୟର ରାଜା।ଅସୀମ ସ୍ନେହର ରାଜା।ନିଜେ କଷ୍ଟ ଭିତରେ ମୁଣ୍ଡ ଟେକି ଅନ୍ୟକୁ ସାହାରା ଦେଇ ତା' ର ଭବିଷ୍ୟତ ଗଢିବାର ରାଜା।


"ପ୍ରକୃତରେ ସେ ହିଁ ଯୋଗ୍ୟ ବିଧାତା ର ବିଧାନରେ ହେବା ପାଇଁ ପୋଢୁଆଁ ଅଷ୍ଟମୀର ରାଜା"।



Rate this content
Log in

Similar oriya story from Tragedy