STORYMIRROR

ASHIS KUMAR SWAIN33

Abstract Tragedy

4.5  

ASHIS KUMAR SWAIN33

Abstract Tragedy

ଶେଷ ଚିଠି

ଶେଷ ଚିଠି

6 mins
460


          ଜୟ ମା ତାରିଣୀ କୃପା 

     ସପନପୁର ଗାଁ ଆଜି ଚଳଚଞ୍ଚଳ ଥିଲା। ଗାଁର ଚାରିଆଡ଼େ ଆଖି ବୁଲେଇ ଦେଖିଲେ,ସବୁଆଡେ କଦଳୀ ଗଛର ତୋରଣ ସାଙ୍ଗକୁ ଆମ୍ବଡାଳର ସାଜସଜ୍ଜା ଯେମିତି ଗାଁକୁ ନବବଧୂ ସଦୃଶ ପ୍ରତିପାଦିତ କରୁଥିଲା।ଗାଁର ଆବାଳ ବୃଦ୍ଧବନିତାଙ୍କ ମହଲରେ ଏକ ଅପୂର୍ବ ଆନନ୍ଦ ଓ ସଂବେଗର ମଳୟ ବହୁଥିଲା।ସଭିଏଁ ଆଜି ଉପସ୍ଥିତ ଗାଁରେ ନବନିର୍ମିତ ସ୍କୁଲଘର ଅଗଣାରେ।ଦୀର୍ଘଦିନର ସ୍ବପ୍ନକୁ ବାସ୍ତବ ରୂପରେଖ ଦେବା ପାଇଁ ସତେକି ଭଗବାନ ଆଜି ଧରାବତରଣ କରୁଛନ୍ତି ସପନପୁର ମାଟିରେ।ବହୁଦଶନ୍ଧି ଧରି ଏକ ଅବହେଳିତ ଓ ଅନୁନ୍ନତ ଗାଁ ଭାବେ ଯେଉଁ ଅପଖ୍ୟାତି ବୋହିଚାଲିଥିଲା ତା' ର ଏକପ୍ରକାର ଅନ୍ତ ହେବାପାଇଁ ଯାଉଥିଲା !! ଆଉ କାହାକୁ ବାଉଁଶ ନିର୍ମିତ ପୋଲରେ ନଦୀ ପାରହୋଇ ସୁଦୀର୍ଘ ଚାରି ମାଇଲ ଅମଡ଼ା ରାସ୍ତାରେ ଅନ୍ୟ ଗାଆଁକୁ ପାଠପଢିବାକୁ ଯିବାକୁ ପଡିବ ନାହିଁ।ଏକ ନୂତନ ଉନ୍ମାଦନା ଓ ଉତ୍ସାହରେ ସଭିଁଙ୍କର ଅପେକ୍ଷା ସେ ବିଶେଷ ମୁହୂର୍ତ୍ତକୁ ଯାହାକୁ ସ୍ବଚକ୍ଷୁରେ ଦେଖିବାପାଇଁ ବ୍ୟଗ୍ର ଥିଲେ ସପନପୁରର ଜନମଣ୍ଡଳୀ।

   ହଠାତ୍ ଏକ ଧଳା ରଙ୍ଗର କାରର ପେଁ ପେଁ ଶବ୍ଦରେ ସମସ୍ତେ ଚମକିପଡ଼ି, ରାସ୍ତା ଛାଡ଼ିଦେଲେ ଗାଡ଼ିକୁ ଆଗକୁ ବଢିବା ପାଇଁ।ହୁଳହୁଳି ଓ ଶଙ୍ଖଧ୍ଵନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଥାଏ।କାରଟି ଅଟକିଗଲା ନବନିର୍ମିତ ସ୍କୁଲଘର ଆଗରେ।ଗାଡିରୁ ଓହ୍ଲାଇ ପଡ଼ିଲେ ଡାକ୍ତର ଶୁଭଙ୍କର ମିଶ୍ର ମହୋଦୟ।ଫୁଲତୋଡ଼ା ଦେଇ ମିଶ୍ର ସାରଙ୍କୁ ପାଛୋଟି ନେଲେ ସପନପୁର ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ପୋଷ୍ଟମାଷ୍ଟର ସୀତାରାମ ମହାନ୍ତି ଓ ବିଷ୍ଣୁଚରଣ ଦାସ। ମିଶ୍ର ସାର୍ ଶ୍ରେଣୀ ଗୃହରେ ସୁସଜ୍ଜିତ ମଞ୍ଚଉପରକୁ ଉଠିଗଲେ। ଚାତକ ଭଳି ଚାହିଁଥିବା ସପନପୁର ଗ୍ରାମବାସୀଙ୍କୁ ବିନମ୍ରତାର ସହ ଯୋଡହସ୍ତ ପ୍ରଣାମ ଜଣାଇଲେ ଡାକ୍ତର ମିଶ୍ର । ମିଶ୍ର ସାର୍ ହେଉଛନ୍ତି ଆମରାଜ୍ୟ ତଥା ଦେଶ ବିଦେଶରେ ଖ୍ୟାତିସମ୍ପନ୍ନ ଜଣେ ସୁନାମଧନ୍ୟ ଭେଷଜ ବିଶେଷଜ୍ଞ।କିଛି ଉଦବୋଧନ ଦେବା ଉଦ୍ଦେଶ୍ୟରେ ତାଙ୍କ ଚେୟାରରୁ ଉଠିଆସି ମଞ୍ଚରେ ଉପସ୍ଥିତ ଥିବା ସିତାରାମ ଓ ବିଷ୍ଣୁବାବୁଙ୍କ ପାଦଛୁଇଁ ପ୍ରଣାମ କଲେ।

        ମିଶ୍ର ସାର୍ ଏବେ କହିବାକୁ ଆରମ୍ଭକଲେ, ମୁଁ ଆଜି ଏଠାରେ ଉପସ୍ଥିତ, କେବଳ ମୋହନ ସ୍ମାରକୀ ଅନୁଷ୍ଠାନର ପ୍ରଚେଷ୍ଠା, ଗାଆଁ ପ୍ରତିଥିବା ସେମାନଙ୍କର ତ୍ୟାଗ,କର୍ତ୍ତବ୍ୟନିଷ୍ଠତା,ମହାନୁଭବତା ,ସ୍ନେହ ଓ ଭଲପାଇବା ପାଇଁ।ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ଆପଣମାନଙ୍କ ପାଖରେ ଚିରଋଣୀ।ହୃଦୟରେ ଅନୁଭବ କରିଥିବା ଜୀବନର ସଂଘର୍ଷମୟ କାହାଣୀକୁ ପାଥେୟ କରି ଜନକଲ୍ୟାଣ ଉଦ୍ଦେଶ୍ୟରେ ସମର୍ପି ଦେଇଥିବା, ଏକ ଶ୍ରେଷ୍ଠ ମହତ୍ତ୍ଵକାଙ୍କ୍ଷୀ ଅନୁଷ୍ଠାନଟି ହେଉଛି ଏହି ମୋହନ ବିଦ୍ୟାପରିସର।ମିଶ୍ର ସାର୍ ଆଖିରୁ ନିଜ ଚଷମାଟି କାଢ଼ି ଏକ ଦୀର୍ଘଶ୍ଵାସ ନେଉ ନେଉ, ଏହି ମହାନ ଉଦ୍ଦେଶ୍ୟ ପଛରେ ଥିବା ସେ ମହାନୁଭବଙ୍କ ବିଷୟରେ ବଖାଣିବାକୁ ଲାଗିଲେ।ନିଜ ପ୍ୟାଣ୍ଟର ଦୁଇ ପକେଟରେ ରଖିଥିବା ଦୁଇଟା ଚିଠିକୁ ହାତରେ ଧରି ସେଠାରେ ଏକତ୍ରିତ ହୋଇଥିବା ଜନସମୂହକୁ ଦେଖାଇବାକୁ ଲାଗିଲେ। ସଭିଏଁ ଉତ୍ସୁକତାର ସହ ଚାଂହିଁଥାଆନ୍ତି କଣ ଏ ଚିଠି??? କିଏ ସେ ମହାନାୟକ ଯାହାର ଉଦ୍ଦେଶ୍ୟ ଏତେ ପବିତ୍ର??? ସଭିଙ୍କ ମନରେ ଅନେକ ପ୍ରଶ୍ନ। 

          "ମିଶ୍ର ସାର୍ ତନ୍ମଧ୍ୟରୁ ଗୋଟିଏ ଚିଠି ଖୋଲି ପଢ଼ିଲେ......  

          ସ୍ନେହର ପୁଅ,                                                                                                                        

             ମୋର ଆଶୀର୍ବାଦ ନେବୁ।ଅନେକଦିନ ହେବ ତୋତେ ଚିଠି ଲେଖିଲିଣି ନା ତା'ର ତୁ ଉତ୍ତର ଦେଉଛୁ ନା ପଇସା ପଠାଉଛୁ ମୋତେ।କଣ ତୋର ହେଇଛି ??ମୋ ବାପା,ତୁ ଭଲରେ ଅଛୁ ତ?? ମୋ ଜାଣିବାରେ ତ ତିନି ବରଷ ଭିତରେ ତୁ ଏମିତି କେବେ କରିନୁ।ଯାହା ପଇସା ପଠେଇଥିଲୁ ତାହା କେବେଠୁ ସରିଗଲାଣି।ତୋ ବୋଉର ଔଷଧ ଟିକିଏ ଆଣିବା ପାଇଁ ପାଖରେ ଟଙ୍କାଟିଏ ନାହିଁ।କେତେ ଆଉ ସୀତୁ ଦାଦା ପାଖରୁ ଧାର ଆଣିବି??ସେ ମନା ବି କରିପାରୁନି। ତା ସାହାଯ୍ୟର ବୋଝ ତଳେ ମୁଁ ଯେମିତି ଋଣୀ ହେଇଗଲିଣି ରେ...।ଏଥର ହାଟରେ କାଳିଆ ବାଛୁରୀଟାକୁ ବିକି ଯାହା ପଇସା ଆଣିଥିଲି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହେଲା।ତୋତେ ଆଠ ମାସ ହେବ ଚିଠି ଲେଖୁଛି କିଛି ଉତ୍ତର ନାହିଁ। ମୁଁ ତ ମୂର୍ଖ ଲୋକ,ଏତେ ଅସହାୟ ଅବସ୍ଥାରେ କଲିକତା ଭଳିଆ ସହରକୁ ଯିବାକୁ ଅକ୍ଷମ।ତୋ ବୋଉ ମନ ମାନୁନି କହୁଛି ମୋ ପୁଅର କିଛି ଅସୁବିଧା ହେଇଛି ନିଶ୍ଚେ। ଭରତ ଚିଠିବାଲାକୁ ଆଉ ବସେଇ ଉଠେଇ ଦେଉନି,ତାକୁ ବିରକ୍ତ ହେଇ କହୁଥିଲା ତୁ ମୋ ପୁଅର ଚିଠିକୁ ଜାଣିଶୁଣି ଆଣୁନୁ ବୋଧେ।କାନିରେ ବାନ୍ଧିଥିବା ଦୁଇଟଙ୍କିଆ ନୋଟ ଖଣ୍ଡିକ ଦେଇ,କହୁଥିଲା ଏଥର ଯତ୍ନରେ ମୋ ପୁଅ ଚିଠି ଆଣିକି ଦେବୁ।ଆଉ ପଛେ କିଛି ପଇସା ଦେବି ହେଲେ ମୋ ପୁଅ ଚିଠି ହଜେଇବୁନି।ମୁଁ ଆଉ ତାକୁ ବୁଝେଇ ପାରିବିନି କି ମିଛ କହିପାରିବିନି।ସେ ତୋତେ ଯେମିତି ଝୁରି ହେଉଛି କୋଉ ମୁହୂର୍ତ୍ତରେ ତା' ଜୀବ ଚାଲିଯିବ।ଆଗକୁ ଦୋଳ ଯାତ ତୁ ଯଦି ଆସିଥାନ୍ତୁ ଭାରି ଖୁସି ଲାଗିଥାଆନ୍ତା।ଆଖିକୁ ମୋର ଭଲକରି ଦେଖାଯାଉନହିଁ,ପରିବା ଚାଷ ସେମିତି ନାହିଁ।କଣ୍ଟ୍ରୋଲ ଚାଉଳ ଆଉ କିରୋସିନ ଆଣିବାକୁ ସେ ଚକରା ପୁଅର ହାତ ଓଠ ଧରି କହିବାକୁ ପଡୁଛି।ମୋତେ ବି ଚିଡିଚିଡା ଲାଗିଲାଣି।ତୁ ମୋର ଏଇଟାକୁ ଅଭିମାନ ଭାବେ କି ରାଗ ଏଇ ଚିଠିଟା ମୋର "ଶେଷ ଚିଠି" ତୋ ପାଇଁ।ଏହାପରେ ଯଦି ତୁ ନ ଆସିବୁ ତାହେଲେ ଏକାଥରେ ମୁହଁରେ ଆମର ନିଆଁ ଦେବାକୁ ଆସିବୁ !! 

                                ।। ରହିଲି।। 

                                ତୋ ବାପା    

ଏଥିଲା ଗୋଟେ ଅଭିମାନୀ ବାପାର କୋହଭରା ଚିଠି।।


ରହସ୍ୟ ଉନ୍ମୋଚନ ଅପେକ୍ଷାରେ ଥିବା ସପନପୁରର ଜନସମୁହ ପୁଣି ଥରେ ରହସ୍ୟ ଘେରରେ ବନ୍ଦୀ ହୋଇଗଲା ପରି ଅନୁଭବ କରୁଥିଲେ।କିଛି ବୁଝିପାରୁ ନ ଥିଲେ ଏ ଚିଠି ସହ ବିଦ୍ୟାଳୟ ଓ ଉପସ୍ଥିତ ଥିବା ଏ ଭଦ୍ରବ୍ୟକ୍ତିଙ୍କର କଣ ସମ୍ପର୍କ ଅଛି???ସମସ୍ତେ ସମସ୍ତଙ୍କ ମୁହଁକୁ ଚାହାଁ ଚାହିଁ ହୋଇ ଟୁପୂର୍ ଟାପୂର୍ ଯାହା ହେଉଥିଲେ। ଦ୍ୱିତୀୟ ଚିଠି ହିଁ ଏ ଅଡ଼ୁଆ ସୂତାର ଖିଅ ଖୋଲିବ ବୋଲି ସମସ୍ତେ ଆଶା ବାନ୍ଧିଥିବାବେଳେ, ଚାପା ଗୁଞ୍ଜରଣ ଭିତରେ ଡାକ୍ତର ମିଶ୍ର ତାଙ୍କ ଜୀବନରେ ଘଟିଥିବା ଏକ ସମ୍ବେଦନଶୀଳ ଓ ଅଲିଭା ଘଟଣା ବର୍ଣ୍ଣନାକରିବାକୁ ଲାଗିଲେ..................!

ଏକ ଅଖ୍ୟାତ ପଲ୍ଲୀରୁ ଆଖିରେ ଆଖିଏ ସ୍ବପ୍ନ,ମୁଣ୍ଡରେ ଦାୟିତ୍ୱର ଗଣ୍ଠିଲି ବୋହି,ହୃଦୟରେ ଦୃଢ ଆତ୍ମବିଶ୍ୱାସର ଶକ୍ତି ଓ ସର୍ବୋପରି ପିତାମାତାଙ୍କ ଆଶୀର୍ବାଦ ସହ ନିଜ ବିଦ୍ୟାରୂପକ ପୁଞ୍ଜିକୁ ସାଥିକରି ସେ ସୌମ୍ୟସୁଦର୍ଶନ ଯୁବକ ବହାରିଯାଇଥିଲା ସେଦିନ ଏକ ଅଚିହ୍ନା ସହରକୁ,ଯେଉଁଠି ତାକୁ ଅପେକ୍ଷା କରିଥିଲା ତା' ଜୀବନର ପ୍ରଥମ କର୍ମକ୍ଷେତ୍ର।ଯୁବସୁଲଭତାର ଉନ୍ମାଦନା,ଉଦ୍ଧାମତା ଓ ପ୍ରତ୍ୟେକ କାର୍ଯ୍ୟକୁ ହାସଲ କରିବାର ଆକାଂକ୍ଷା ତାକୁ ଖୁବ୍ ଶୀଘ୍ର ପରିଚିତ କରାଇଥିଲା ସହକର୍ମୀଙ୍କ ଗହଣରେ। ମନ ପ୍ରଦେଶେ ଅଙ୍କୁରିତ ପ

୍ରତ୍ୟେକ ଫୁଲକୁ ତୋଳିଆଣି ସେ ସଜେଇ ଦେବାକୁ ଚାହୁଁଥିଲା, ଅବହେଳିତ ଓ ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ଥିବା ତା ସ୍ୱପ୍ନର ସରଗପୁର ଗାଁକୁ।ଅଦମ୍ୟ ପ୍ରଚେଷ୍ଠାର ରାସ୍ତା ଏତେ ଲମ୍ବା ଓ କଣ୍ଟକିତ ହୋଇ ମଧ୍ୟ ତାକୁ ତାର ଲକ୍ଷ୍ୟ ସ୍ଥଳରୁ ବିଚ୍ୟୁତ କରିବାର ସାହାସ କେବେ କରିପାରି ନ ଥିଲା।କିନ୍ତୁ କାଳଚକ୍ରର କାଳିମା ତାକୁ ଦିନେ....................!!!                                                            ଅଟକି ଗଲେ ମିଶ୍ର ସାର୍। 


ବାଷ୍ପରୁଦ୍ଧ କଣ୍ଠ ଓ ବୋଲ ମାନୁ ନ ଥିବା ଆଖିର ଲୁହକୁ ଲୁଚେଇ ଚିଠିଟିକୁ ପକେଟରେ ରଖିଦେଲେ।ଏବେ ଦ୍ଵିତୀୟ ଚିଠିିଟିକୁ ଖୋଲିଲେ ପଢିବାକୁ.......


             ବାପା,

                ମୋର ଭୂମିଷ୍ଠ ପ୍ରଣିପାତ ଗ୍ରହଣ କରିବ ଓ ବୋଉକୁ ବି ଜଣେଇ ଦେବ।ତୁମେ ପଠେଇଥିବା ଚିଠି ସବୁ ପାଇଛି ହେଲେ ପ୍ରତ୍ୟୁତ୍ତର କରିବାର ସାମର୍ଥ୍ୟ ମୋର ଭିତରେ ନଥିଲା।ମୋ ସ୍ୱପ୍ନର ତାସଘର ମୋ ଆଖି ଆଗରେ ଭୁଶୁଡ଼ି ପଡ଼ିବାର କଷ୍ଟ ମୋ ପାଇଁ ଅସହ୍ୟ ହେଉଥିଲା।ସମୟର ନିଷ୍ଠୁରତା ଓ ପ୍ରତାରଣାରେ ମୁଁ ଭାଙ୍ଗି ପଡ଼ିଥିଲି।ତୁମେ ଶିଖାଇଥିବା ସଂଯମତା,ଧୈର୍ଯ୍ୟ ଆଉ ସାହସିକତାର ପ୍ରେରଣାରେ ମୁଁ ଦୀର୍ଘ ଛ'ମାସ ହେବ ଯାହା ସଂଘର୍ଷ କରିଚାଲିଛି।ତୁମେ କହୁଥିଲ ଯିଏ ଲୁହକୁ ଲୁଚେଇ ହସିବା ଶିଖିଛି ସେ ଜୀବନ ଯୁଦ୍ଧରେ କେବେ ହାରି ପାରେନା କିନ୍ତୁ ମୋ ଓଠ ସହ ହସର ଯେମିତି କଟି ପଡ଼ିଯାଇଛି।ତୁମ କାନ୍ଧରେ ବସାଇ ଯେଉଁ ଦୁନିଆକୁ ମୋତେ ଦେଖାଇଥିଲ, ବୋଧହୁଏ ତାକୁ ଶେଷ ଥର ପାଇଁ ଦେଖିବାର ବିଫଳ ପ୍ରୟାସ କରୁଥିଲି ମୁଁ !! ବୋଉର ପଖାଳ କଂସା ଠାରୁ ମୋହ ତୁଟାଇବା ମୋ ପାଇଁ କଷ୍ଟକର ଥିଲା।ସପନପୁର ଫେରିବାର ଶତ ଚେଷ୍ଟା ମୋ ଶାରୀରିକ ଅକ୍ଷମତା ଆଗରେ ହାର ମାନିସାରିଥିଲା, କାହିଁକି ନା ମୁଁ ଏକ ଅଫେରା ରାଇଜର ବାଟୋଇ ହୋଇସାରିଥିଲି। ଦୁରାରୋଗ ବ୍ୟାଧି କର୍କଟ ମୋ ଆୟୁଷରେଖାରେ ପୂର୍ଣ୍ଣଛେଦ ଟାଣିସାରିଥିଲା।ମିଶ୍ର ସାରଙ୍କ ଭଳି ଜଣେ ବଡ଼ ଭାଇ ସଦୃଶ ମଣିଷଙ୍କ ସେବା ଯତ୍ନ ମୋତେ ଶେଷନିଃଶ୍ୱାସ ନେବା ପାଇଁ ଟିକେ ବିଳମ୍ବ କରାଉଥିଲା।ପ୍ରକୃତ ମାନବବାଦର ନିଛକ ଉଦାହରଣ ହେଉଛନ୍ତି ମିଶ୍ର ସାର୍।ମୋ ଅନ୍ତେ ମୋ ସ୍ୱଳ୍ପ ସଞ୍ଚିତ ଅର୍ଥରେ ଗାଁରେ ଗୋଟେ ବିଦ୍ୟାମନ୍ଦିର ପ୍ରତିଷ୍ଠା କରି ସବୁ ପିଲାଙ୍କୁ ସ୍ବାବଲମ୍ବୀ କରିବାର ପ୍ରୟାସ ହିଁ ମୋର ଶେଷ ଇଚ୍ଛା ହେବ ବାପା।ମୋତେ କ୍ଷମା କରିଦେବ ବାପା, ବୋଧହୁଏ ଏହା ମୋର "ଶେଷ ଚିଠି" ତୁମ ପାଇଁ।

                                                  ।। ଇତି।।

                                                  ତୁମ ମହନି 

ହଠାତ୍ ଶ୍ରେଣୀ ଗୃହର ନୀରବତା ଭାଙ୍ଗି ବିଷ୍ଣୁ ବାବୁଙ୍କ ବୁକୁଫଟା କାନ୍ଦ ମୂକ ପ୍ରାୟ ଥିବା ସପନପୁର ବାସୀଙ୍କ ଆଖିରେ ଅମାନିଆ ଲୁହର ବନ୍ୟା ନେଇ ଆସିଲା।ଆଉ ବୁଝିବାକୁ ବାକି ନଥିଲା "ମହନିର ମହାନତା" କାହା ପାଇଁ ଓ କେତେ ପ୍ରଣୋଦିତ।। ସ୍ତବ୍ଧ ପ୍ରାୟ ଧୈର୍ଯ୍ୟହରା ସପନପୁର ଗ୍ରାମବାସୀ ଆଉ କିଛି ଶୁଣିବାକୁ ଚାହୁଁଥିଲେ ମିଶ୍ର ସାରଙ୍କ ଠାରୁ ବୋଧହୁଏ ମହନି ବିଷୟରେ !! ସାର୍ କହିବା ଆରମ୍ଭକଲେ, ଯେବେ ମୋହନ ମୋ ହାତରେ ଚିଠିଟିକୁ ଦେଲେ ସେ ମୋ ପାଖରେ ସେତେବେଳେ ଚିକିତ୍ସା ହେଉଥିଲେ।ବ୍ୟକ୍ତିଗତ ଚିଠିଟି ପଢିବାକୁ ଇଚ୍ଛା ନଥିଲେ ବି ମୁଁ ତାଙ୍କ ଅନୁମତି ନେଇ ପଢିଲି ।ପ୍ରଥମଥର ପାଇଁ ଗୋଟେ ଡାକ୍ତରର କଠୋର ହୃଦୟ ତା ରୋଗୀ ନିକଟରେ ବରଫ ଭଳି ତରିଳିବାକୁ ଲାଗିଲା!! ମୁଁ ଚିକିତ୍ସା ଓ ରୋଗ ବିଷୟରେ ସଂପୂର୍ଣ୍ଣ ଜ୍ଞାତ ଥିଲେ ମଧ୍ୟ ନିରୁପାୟ ସଦୃଶ ପିଲାଟିର ହାତକୁ ଧରି ବିଦାୟ ଦେଲାବେଳେ ମୋ ଅନ୍ତରଆତ୍ମା ତା' ପାଦ ଛୁଇଁ ପ୍ରଣାମ କରିବାକୁ ନିର୍ଦ୍ଦେଶ ଦେଉଥିଲା ମୋତେ।ଭାବୁଥିଲି କେମିତି ତା ବାପା ମାଆଙ୍କୁ ମୁଁ ସାମ୍ନା କରିବି?? ପ୍ରଥମଥର ସପନପୁର ମାଟିରେ ପାଦ ଦେଲାବେଳେ ମୋ ପାଦ ଥରକୁ ଥର ଅଟକିଯାଉଥିଲା। ମୁଁ ସାହାସ ଜୁଟାଇ ପାରୁନଥିଲି ଏ ଚିଠିଟି ମୋହନଙ୍କ ବାପାଙ୍କ ହାତକୁ ଦେଲାବେଳେ କଣ କହିବି??ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ତାଙ୍କୁ ଅସୀମ ଧୈର୍ଯ୍ୟ ଦେବାପାଇଁ।ଚିଠିଟି ମୋତେ ଯେତେେବେଳେ, ବିଷ୍ଣୁବାବୁ ପଢିବାକୁ କହିଲେ ମୁଁ ଥର ଥର କଣ୍ଠରେ ପଢିଲି !!! ମୋହନଙ୍କ ମା' ଖବରଟି ଶୁଣି ସେହି  ମୁହୂର୍ତ୍ତରେ ନିର୍ବାକ ଜଡ ପାଲଟିଗଲେ।ତାଙ୍କ ଆତ୍ମା ସଶରୀର ତ୍ୟାଗ କରିସାରିଥିଲା।ଯନ୍ତ୍ରଣା ଯେ କେତେ ବିଭତ୍ସ ଓ କାତର ହେଇପାରେ ମୁଁ ବାକ୍ ଶୂନ୍ୟ ହୋଇ ଚାହିଁଥିଲି। ଓଃ ଭଗବାନ୍................!!

        ଇଏ ସେଇ ସପନପୁରର ମୋହନ ସୁନ୍ଦର ଦାସ (ମହନି) ଯିଏ ତୁଳସୀ ଦୁଇ ପତ୍ରରୁ ବସିଲା ପରି ତା ମହକରେ ସପନପୁରର ବାତାବରଣରେ ଅପୂର୍ବ ମହକ ଭରି ଦେଇଥିଲା ପିଲାବେଳୁ।ଗୋଟେ ସଚ୍ଚୋଟ,ନିଷ୍କପଟ, ଆଜ୍ଞାକାରୀ ପୁତ୍ରକୁ ଜନ୍ମ ଦେଇ ନିଜକୁ ଧନ୍ୟ ମନେ କରୁଥିବା ସପନପୁର ମାଟି ତା ଶ୍ରେଷ୍ଠ କର୍ତ୍ତବ୍ୟବୋଧତା ଆଗରେ ମଥାନସ୍ତକ ପୂର୍ବକ ତା'ର ଅବର୍ତ୍ତମାନରେ ଭାଳି ହେଉଥିଲା। 

          ବେଶ୍ କିଛି ମିନିଟର ନୀରବତା ପରେ,

ମିଶ୍ର ସାର୍ ବିଷ୍ଣୁ ବାବୁଙ୍କ ହାତଧରି ସଭାମଞ୍ଚରୁ ନେଇଆସିଲେ ଅନାବରଣ ହେବାକୁଥିବା ଫଳକ ପାଖକୁ। ବିଷ୍ଣୁ ବାବୁଙ୍କ କରକମଳରେ ପରଦାଟି ହଟିଲାପରେ ଲାଗୁଥିଲା," ମୋହନ ସୁନ୍ଦର ଦାସ" ନାଁଟି ଇତିହାସ ଯେମିତି ତା ଲେଖନୀର ମୁନରେ ସପନପୁରର ଛାତି ଚିରି ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଦେଇଛି।ଗୋଟିଏ ମୋହନର ଅସ୍ତ ଆଗାମୀ ସକାଳ ପାଇଁ ଅନେକ ମୋହନର ଉଦୟକୁ ଦୃଢ଼ନିଶ୍ଚିତ କରିବାର ପ୍ରତିଜ୍ଞାରେ, ସପନପୁର ଆକାଶରୁ ଉଭେଇ ଯାଉଥିଲା !! କରତାଳି ଓ "ମୋହନ ସୁନ୍ଦର ଅମର ରହେ" ସ୍ଲୋଗାନର ପ୍ରତିଧ୍ଵନିରେ ପ୍ରକମ୍ପିତ ହେଉଥିଲା ସେଦିନ ସପନପୁରର ଦିଗବଳୟ........................।। 

                                             ଆଶିଷ କୁମାର ସ୍ବାଇଁ 

                                            ପୋପରଡ଼ା,ଟାଙ୍ଗୀ, କଟକ

                                             ମୋ -୭୦୦୮୧୫୭୮୦୦


                                                       


Rate this content
Log in

Similar oriya story from Abstract