Pallabi Das

Inspirational

2  

Pallabi Das

Inspirational

ସ୍ଵପ୍ନର ଆତଙ୍କ

ସ୍ଵପ୍ନର ଆତଙ୍କ

2 mins
7.5K


ଆମାଜି, ଓରଫ୍ ରମା ମାଉସୀ, ମତେ ଛୁଆ ଦିନେ ପାଳିଥିଲେ ମା ପରି ସ୍ନେହ ଦେଇଥିଲେ।

ସେଦିନ ଆମାଜି ସାଥିରେ ବାଡ଼ି ପଛକୁ ଯାଇଥିଲି, କୋଉଥିପାଇଁ ମନେ ପଡୁନି କିନ୍ତୁ ସେ ମତେ ସାଙ୍ଗରେ ନେଲାନି। ଘର ପଛ ପଟ ବାରଣ୍ଡାରେ ଠିଆ କରେଇ ମତେ ଅପେକ୍ଷା କରିବାକୁ କହି ନିଜେ ଏକା ଏକା ଅନ୍ଧାରିଆ ରାସ୍ତାରେ ବଉଳ ଗଛ ଆଡ଼େ ଚାଲିଲା। ଜହ୍ନ ଆଲୁଅରେ ମିଞ୍ଜି ମିଞ୍ଜି ଦେଖା ଯାଉଥିବା ରାସ୍ତାକୁ ଅନେଇ ରହିଥିଲି। ଏତେ ଭୟରେ ଏକୁଟିଆ ଠିଆ ହେଇଥିଲି ଯେ ବେଶୀ ସମୟ ସେଠି ଠିଆ ହେବା ମୋ ପାଇଁ କଷ୍ଟ କର ହୋଇ ପଡିଥିଲା। ତେଣୁ ମୁଁ ଆସି ବାରିପଟ କବାଟ କିଳି ଠିଆ ହେଇଥିଲି, କବାଟକୁ ଆଉଜେଇ ଆଉ ଥରୁଥିଲି ଡ଼ରରେ। ହଠାତ୍ ଆମାଜିର ଚିତ୍କାର ଶୁଭିଲା ମୋ ନାଁ ଧରି ଡାକୁଥିଲା- ପୁତୁଲ୍ ପଳା , ପୁତୁଲ୍ ପଳା। ମୁଁ ଯେ ଡ଼ରିକି ଆଗୁଆ ପଳେଇ ଆସିଛି କହିବି କଣ! ମତେ ଏକା କାହିଁକି ଛାଡ଼ିକି ଯାଉଥିଲା କି! ପର ମୁହୂର୍ତ୍ତରେ ଭାବିଲି ମୋ ଆମାଜି କିଛି ବିପଦରେ ନାହିଁ ତ! କାହିଁ ଏଯାଏ ଆସିଲାନି ତ! ମୁଁ ପୁଣି କବାଟ ଖୋଲି ଚାଲିଲି ତାକୁ ଖୋଜିବାକୁ। କିଟ୍ ମିଟ ଅନ୍ଧାର ଥିଲା, ବାରିପଟ ଆଲୁଅଟା ମିଞ୍ଜି ମିଞ୍ଜି ଦିଶୁଥିଲା ବଉଳ ଗଛ ଆତେ। କେଜାଣି କାହିଁକି ଆତଙ୍କରେ ଥରୁ ଥିଲି, ହୃତସ୍ପନ୍ଦନ ବଢ଼ି ବଢ଼ି ଚାଲିଥିଲା। ଏତିକି ବେଳେ ଆଟୁ ଉପରୁ ବିଲେଇ ଗୋଟେ ଡେଇଁ ପଡିଲା।

ମୁଁ ଚିଲେଇ ଦେଲି ଆଉ ଆଖି ଖୋଲି ଦେଖିଲା ବେଳକୁ କିଛି ନାହିଁ ବେଶ୍ ଆରମ୍ ରେ ମୁଁ ଶୋଇଚି। ଆଉ ଟିକେ ସେ ସ୍ଵପ୍ନ ଦେଖିଥିଲେ ଖଟରୁ ତଳେ ପଡ଼ିବାଟା ନିଶ୍ଚିନ୍ତ ଥିଲା। ଚିତ୍କାର ଶୁଣି ଅମାଜିର ନିଦ ଟିକେ ଖରାପ୍ ହୋଇଯାଇଥିଲା, ଅଧା ନିଦରେ ଚିଡ଼ି ଚିଡ଼ି ହଉଥିଲା ମୋ ଉପରେ। ଡ଼ରରେ ଜ୍ଵର ଆସି ଯାଇଥିଲା, ତଥାବି ନିଜର ମନ ବୁଝେଇବାକୁ ହାତ ମାରୁଥିଲି ପାଖ ଖଟକୁ, ଜାଣି ପାରୁଥିଲି ଏବେ, ଏଟା ସତ ସତ ମୋ ସ୍ଵପ୍ନ ଥିଲା। ମୋବାଇଲଟା ଅଣ୍ଡାଳି ସମୟ ଦେଖୁଛି ଭୋର ୪ ଟା ବାଜି ୬ ମିନିଟ୍। ପୁଣି ଥରେ ଶୋଇବାକୁ ଚେଷ୍ଟା କଲି କିନ୍ତୁ ନିଦ ହେଲାନି ଯେତେ ଥର ଆଖି ବୁଜିଲି ସେତେ ଥର ଡ଼ର ଲାଗିଲା, ଖରାପ ଚିନ୍ତା ମୁଣ୍ଡରେ ପଶୁଥିଲା। ଆଖି ବୁଜି, ଦି ଗାଲକୁ ଚାପୁଡ଼ା ମାରି ପୁଣି ଶୋଇବାକୁ ଚେଷ୍ଟା କଲି। ତାଥାବି ନିଦ ହେଲାନି। ଏବେ ମୁଁ ରୁମ୍ ବାହାରେ ଅନ୍ଧାରରେ ଟିକେ ଫ୍ରେସ୍ ପବନ ପାଇଁ ଚାଲୁଥିଲି। ପବନ ବି ଆଜି କୋଉ ଦିଗରେ ବୋହୁଥିଲା ଜଣା ପଡିଲାନି। ବିରକ୍ତି ରେ ଚୁ ଚୁ ଶବ୍ଦ କେତେ ଥର ପାଟିରୁ ବାହାରି ଆସିବାରୁ ପୋଷା ବିଲେଇଟା ଆଟୁ ଉପରୁ ମିଆ ଉଁ ମିଆ ଉଁ ଡାକ ଛାଡ଼ିଲା। ଆଖି ତରାଟି ବିଦ୍ରୁପ କରିବା ଭଙ୍ଗୀରେ ଚାହିଁ ରହିଥିଲା। ଆଲୋ ଯାଉନୁଲୋ ଶୋଇବୁ ପ୍ରେତ ଆତ୍ମା ପରି କାହିଁ ହଉଛୁ। ମୋ କଥା ଶୁଣି ସେ ବାଟେ ବାଟେ ଶୋଇବାକୁ ଚାଲିଗଲା। ହଁ ତାର ଛୁଆ ଗୁଡ଼ିଏ ବି ଅଛନ୍ତି ସେମାନେ ହୁଏତ ତାକୁ ଜଗି ବସିଥିବେ, ମାଆ ଇୟାଡେ ଆଖି ତରାଟିବାରେ ବ୍ୟସ୍ତ।

 କଣ ଭାବୁଥିବ କେଜାଣି, ଏଇ ବିଲେଇ ମାନଙ୍କୁ ମଣିଷମାନଙ୍କ ସ୍ବପ୍ନ ଆସେ କି ନାହିଁ କେଜାଣି, ମୋ ସ୍ଵପ୍ନ ରେ ସେ କଣ କରୁଥିଲା ଇତ୍ୟାଦି ପ୍ରଶ୍ନର ଉତ୍ତର ମୁଁ ସେ ଅନ୍ଧାର ଭିତରେ ଖୋଜୁଥିଲି। 

 ଆଉ ସ୍ଵପ୍ନଟା ପୁଣି ମନେ ପକାଉଥିଲି, ଦେଖିବାକୁ ଚେଷ୍ଟା କରୁଥିଲି ମୋ ଆମାଜି କୁଆଡ଼େ ଗଲା ବୋଲି। ପୁଣି ଚାପୁଡ଼ା ମାରୁଥିଲି ନିଜକୁ। କାହିଁକି ଅଯଥାରେ ମନେ ପକାଉଛି, ମୋ ଆମାଜି ତ ଶାନ୍ତିରେ ଶୋଇଛି।  ଅଧାରୁ ଅଧିକା ସମୟ ତ ମୁଁ ଭୁଲି ଯାଏ କଣ ଦେଖିଥିଲି ବୋଲି l ଆଜି କିନ୍ତୁ ମନେ ଅଛି। ଏମିତି ସବୁ ଭାବନା ର ପୂର୍ଣ୍ଣଛେଦ ଟାଣି ଆମଜି ଆସି ମୋ ପାଖରେ ଠିଆ ହୋଇ କହୁଥିଲା ପୁତୁଲ୍ ଚାଲ୍ ଯିବା ବାଡି ପଛକୁ।

ଚମକି ପଡ଼ି ଭୂତ ଦେଖିବା ପରି ମୁଁ ତାକୁ ଅନେଇ ରହିଥିଲି।

ସେତିକି ବେଳେ ବିଲେଇ ଟା ତା ଛୁଆମାନଙ୍କ ସହ ମିଶି ମତେ ଆଖି ତରାଟୁ ଥାଏ। 


 



Rate this content
Log in

Similar oriya story from Inspirational