ସ୍ପେସିମେନ କପି
ସ୍ପେସିମେନ କପି


"କଥାରେ ଅଛି ବହିଯାଉଥିବା ଜଳ ଆଉ ଚାଲିଯାଉଥିବା ସାଧୁ କେବେ କାହାରି ବଶୀଭୂତ ହୁଅନ୍ତି ନାହିଁ, କିନ୍ତୁ ଗଡିଯାଉଥିବା ସମୟର କ୍ଷିପ୍ର ଗତିରେ ଚଳୟମାନ ମନ ମଧ୍ୟରେ ଆସୁଥିବା ଚିନ୍ତା ଭାବନା କୁ ଯିଏ ଧରିନେଇ ଲେଖା ମାଧ୍ୟମରେ ବାସ୍ତବ ରୂପ ଦିଏ ସିଏ ହିଁ ଲେଖକ", ନିଜର ପ୍ରଥମ ପୁସ୍ତକ ଉନ୍ମୋଚନ ସଭାରେ ଏପରି କିଛି ମନ୍ତବ୍ୟ ଦେଲେ ଯୁବକବି ବିଦ୍ୟାଧର।
ପେଶାବତ ଜୀବନ ସଠିକ ରୂପେ ଆରମ୍ଭ ହୋଇନାହିଁ, ଅଦ୍ୟାବଧି ଅଧ୍ୟୟନରତ ଥିବା ସତ୍ୱେ ସରକାରଙ୍କ ଠୁଁ ମିଳୁଥିବା ବିଦ୍ୱାନଭତ୍ତାରୁ କିଛି କିଛି ସାଇତି ରଖି ଓଡ଼ିଆ ସାହିତ୍ୟର ରୁଚି ଯୋଗୁଁ ଲେଖା ଲେଖି ଆରମ୍ଭ କରିଥିଲେ। ସେଇ ସାଇତା ଟଙ୍କାରେ ଆଜି ତାଙ୍କ ସ୍ବପ୍ନକୁ ସାକାର କରିଛନ୍ତି ନିଜର ଏକ କବିତା ସଂକଳନ ମାଧ୍ୟମରେ।
ମଞ୍ଚାସିନ ହୋଇଥାନ୍ତି ବରଣ୍ୟ ଅତିଥିବୃନ୍ଦ, ତଥା ସମୀକ୍ଷକ ମହୋଦୟ। ତା ସହ ଆମନ୍ତ୍ରିତ ଅତିଥି ମଣ୍ଡଳୀରେ ଥାନ୍ତି ପୁରୁଖା ଓ ନବ ଲେଖକ ଲେଖିକା ଓ କବି ମାନେ। ପରିବେଶଟିକୁ ସୁନ୍ଦର ଓ ମନୋରମ କରିବା ପାଇଁ ତଥା ଓଡ଼ିଆ ସାହିତ୍ୟର ବିଶେଷ ଚର୍ଚ୍ଚା ପାଇଁ ଆୟୋଜନ ହୋଇଥାଏ କବିତା ଆସର। ଏହା ଦ୍ୱାରା ସମସ୍ତଙ୍କୁ ନିଜ ନିଜ ମତ ରଖିବାର ସୁଯୋଗ ଦେବା ସହ ନୂଆ ନୂଆ ଲେଖୁଥିବା କବି ମାନଙ୍କୁ ନିଜକୁ ପ୍ରକାଶ କରିବାର ଏକ ମାଧ୍ୟମ ହେବ ବୋଲି ଆଶା କରାଯାଇଥାଏ।
ନିର୍ଧାରିତ ସମୟାନୁଯାୟୀ ଆସର ପ୍ରାରମ୍ଭ ହେଲା, ସଭିଏଁ ସ୍ୱରଚିତ କବିତା ସାବଲୀଳ ଢଙ୍ଗ ରେ ଉପସ୍ଥାପନା କରୁଥାନ୍ତି, ଆଜିର ଡିଜିଟାଲ ଯୁଗ ରେ ସଙ୍ଗେସଙ୍ଗେ ଭିଡ଼ିଓ ଉତ୍ତଳୋନ ସହ ମୁଖପୁସ୍ତିକା ପରି ସାମାଜିକ ଗଣମାଧ୍ୟମରେ ଛାଡିବାରେ ସଭିଏଁ ଅଳ୍ପେ ବହୁତେ ସିଦ୍ଧହସ୍ତ ଏହା ଦ୍ୱାରା ଲୋକଙ୍କ ଠୁଁ ପ୍ରଶଂସା ମଧ୍ୟ ଆସିଥାଏ।
କିନ୍ତୁ ଜଣଜଣ କରି ଦେଖାଗଲା
ସମସ୍ତେ ନିଜ ନିଜ ମତ ରଖି ବାସ୍ତବରେ ସଭାଟି ଯେଉଁ ଉଦେଶ୍ୟରେ ହୋଇଥିଲା ତାହା ଆରମ୍ଭ ହେବା ଆଗରୁ ହିଁ ଚାଲିଗଲେ।
ସେ ଯାହା ହେଉ ସମୟ ଅନୁସାରେ ଅତିଥି ସମୀକ୍ଷକ ମାନେ ପୁସ୍ତକ ଉନ୍ମୋଚନ କରିବା ସହ ନିଜ ନିଜ ମତ ରଖିବା ସହ ଯୁବକବିଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ସଭାସାଙ୍ଗ କଲେ।
ତହିଁ ପରଦିନ ହଠାତ ବିଦ୍ୟାଧରଙ୍କ ବସାରେ କଲିଂ ବେଲ ବାଜିଲା, ଦୁଆର ଖୋଲି ଦେଖିଲାରୁ ଦୁଇଜଣ କବି, ସମୀକ୍ଷା ଓ ସମାଲୋଚନା କ୍ଷେତ୍ରରେ ସିଦ୍ଧହସ୍ତ। ବିଦ୍ୟାଧର ଖୁସି ହୋଇ ସ୍ୱାଗତ କଲେ, ସମ୍ମାନର ସହ ସାଧ୍ୟମତେ ଅତିଥି ସତ୍କାର କଲେ।
କବି ଦୁହେଁ କହିଲେ,"ବାବୁ! ଆମେ ଗତକାଲି ଟିକେ ଶୀଘ୍ର ଚାଲିଆସିଲୁ, ତେଣୁ ଶେଷରେ ପୁସ୍ତକ ଉନ୍ମୋଚନ ପରେ ଲୋକାର୍ପଣ ହେବାଟା ଦେଖିପାରିଲୁନାହିଁ। ଯଦି ଥାନ୍ତୁ ତେବେ ନିଶ୍ଚୟ ସ୍ପେସିମେନ କପି ପାଇଥାନ୍ତୁ, ଭାବିଲୁ ଆଜି ତୁମକୁ ଦେଖା କରିବୁ ଆଉ ତୁମଠୁ ହିଁ ସ୍ପେସିମେନ କପି ଦୁଇଟା ନେଇଯିବୁ"।
ବିଦ୍ୟାଧର କହିଲେ, ଆଜ୍ଞା! ପ୍ରକାଶକ ହିଁ ଏ ବିଷୟରେ କହିପାରିବେ...
ନା ନା, ଏବେ ପ୍ରକାଶକଙ୍କ ପାଖକୁ ଗଲେ ମୂଲ୍ୟ ଦେବାକୁ ପଡିବ!! ତୁମ ପାଖେ ତ ଥିବ, ସେଥିପାଇଁ ଆସିଗଲୁ। ଦୁଇ ଜଣ ଏକ ସ୍ଵରେ କହିଲେ।
ଠିକ ଅଛି ଆଜ୍ଞା! ମୁଁ ମୋ ନିଜ ପାଇଁ ଦୁଇ ଯୋଡ଼ା ରଖିଥିଲି, ସେଥିରୁ ଦେଉଛି।
ଏତକ କହି ବିଦ୍ୟାଧର ଦୁଇଟି କପି ଆଣି ଦୁହିଁଙ୍କୁ ଦେଲେ,
ଧନ୍ୟବାଦ ଦେବାସହ ଦୁଇଜଣ ବିଦାୟ ନେଲେ, କିନ୍ତୁ ଦୁଇ ସାହିତ୍ୟିକଙ୍କ ଏପରି ଆଚରଣ ସାହିତ୍ୟକୁ ଗୋଟେ ପାଦ ତଳକୁ ଟାଣିଆଣିଲା, ବୋଲି ଯୁବଲେଖକ ଜଣକ ମର୍ମେ ମର୍ମେ ଅନୁଭବ କରୁଥିଲେ।