STORYMIRROR

Aravinda Das

Inspirational Tragedy

3  

Aravinda Das

Inspirational Tragedy

ସୋନାଲି ବେନ୍ଦ୍ରେ ଓ ରୂପାଲୀ ଦାସ

ସୋନାଲି ବେନ୍ଦ୍ରେ ଓ ରୂପାଲୀ ଦାସ

3 mins
14.6K


ସୋନାଲି ବେନ୍ଦ୍ରେ

ରୂପାଲୀ ଦାସ

★★★★★★★

ଖବର କାଗଜ ଟା ଅସିତ ହାତକୁ ବଢ଼ାଇ ଦେଇ ରୂପାଲୀ କହିଲା," ସୋନାଲି ବେନ୍ଦ୍ରେ କଥା ବାହାରିଛି।"

ଏକ ଅନିଚ୍ଛା ଭାଵ ମୁହଁରେ ଖେଳାଇ ଅସିତ କହିଲା, "ନୂଆ ଫିଲ୍ମ ଆସୁଛି ନା ଛାଡ଼ପତ୍ର ?"

" ଓହୋ ତୁମର ସବୁବେଳେ ନେଗେଟିଭ ଚିନ୍ତା।ସୋନାଲି ମୋର ଫେବରାଇଟ ହିରୋଇନ ଥିଲା କଲେଜ ପଢିଲାବେଳେ।କେତେ ସୁନ୍ଦର ଆଜି ବି ....ଭଗବାନ ଏମିତି କାହିଁକି କରନ୍ତି କେଜାଣି ?ବିଚାରୀକୁ କ୍ୟାନସର।"

"କ୍ୟାନସର !ତେବେ ଏଥିରେ ବିଚାରୀ ଶବ୍ଦ କାହିଁକି ଲଗାଉଛ ? ସେଲିବ୍ରିଟି ମାନେ କଣ ସାଧାରଣ ଲୋକଙ୍କ ଠାରୁ ଅଲଗା ? ତମେ ଓ ସୋନାଲି ଭିତରେ ଫରକ କଣ ଅଛି ?"

ଚମକି ପଡ଼ିଲା ରୂପାଲୀ।ମୁହଁକୁ ତଳକୁ ପୋତି ବାଥରୁମକୁ ଚାଲିଗଲା।ସାୱାର ଓ ଟ୍ୟାପ ଖୋଲି ମିରର ସାମ୍ନାରେ ଠିଆ ହେଲା ସେ।ରୂପାଲୀ ଜାଣେ ଏଇନା ଅସିତ ଅନେକ ଯୁକ୍ତି କରିବ ତା ସହ।ମୁହଁଟା ଧୋଇଦେଲା ରୂପାଲୀ।ଆଖିଟା ଲାଲ ଦିଶୁଛି।ସବୁଦିନ ରାତିରେ ନିଦ ନଆସିଲେ କଣ ହେବ ? ସବୁଦିନ ମନରେ ସେଇ ଗୋଟିଏ ଭୟ।ଆସନ୍ତା କାଲି ର ସକାଳ .........

ଅସିତ ଏବେ ବହୁତ ଚିଡ଼ଚିଡ଼ା ସ୍ୱଭାବର ହୋଇଯାଇଛି।ମାନସିକ ସ୍ତରରେ ଦୁର୍ବଳ ହୋଇପଡୁଛି ଅସିତ।

"ତମେ ବାଥ ରୁମରେ କାନ୍ଦୁଛ ବୋଲି ମୁଁ ଜାଣିଛି।"

ସାୱାର ଓ ଟ୍ୟାପ ବନ୍ଦ କରିଦେଇ ବାହାରକୁ ଆସିଲା ରୂପାଲୀ।ମିଛ ହସଟେ ମୁହଁରେ ଖେଳାଇ କହିଲା, "ଲକ୍ଷ ଲକ୍ଷ ଲୋକ ସୋନାଲିଙ୍କୁ ଶୁଭେଛା ବାର୍ତ୍ତା ପଠାଇ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।ନିଜେ ଖବରଟା ଡିକ୍ଳାର କରିଛନ୍ତି।ସି ଇଜ ବ୍ରେଭ।"

ଚେୟାରରେ ବସି ଅସିତ କହିଲା ,"ମରିବା ପାଇଁ ସାହାସ ପୁଣି କଣ ?ତା ଛଡ଼ା ଏଇ ସେଲିବ୍ରିଟି,ଫିଲ୍ମ ଷ୍ଟାର ପବ୍ଲିସିଟି ଚାହାନ୍ତି।ଇରଫାନ ଖାନ, ଲିସାରେ,ମନୀଷା କୋଇରାଲା ସମସ୍ତେ କଣ ସାହାସ ଅଥବା ସମବେଦନା ପାଇଁ ଏମିତି ଡିକ୍ଳାର କରିଛନ୍ତି ।ଆମ ଭଳି କେତେଜଣ ସାଧାରଣ ଲୋକ ଏମିତି ମିଡିଆ ସାମ୍ନାରେ ବା ସୋସିଆଲ ମିଡିଆରେ ନିଜ ବେମାରି ବିଷୟରେ ବଖାଣୁଛେ ?ତମେ ନିଜେ ଏମିତି କହିପାରିବ?କହିଲେ ବି କେତେଟା ଲୋକ ସାହାଯ୍ୟ କରିବେ ?ସବୁ ଡ୍ରାମା,ସୁଦୁ ଡ୍ରାମା।ଆହା,ଚୁ ଚୁ ଶୁଣିବା ପାଇଁ।"

ଫଳ ଜୁସ୍ ଗ୍ଲାସ୍ ଟା ହାତରେ ଧରି ରୂପାଲୀ ଅସିତ ପାଖରେ ବସି ତା ଛାତିରେ ମୁଣ୍ଡକୁ ଲଦି କହିଲା,"ଫଟକୁ ଭଲ କରି ଦେଖ ଅସିତ।ସୋନାଲି କେତେ ଦମ୍ଭରେ ନିଜ ପରିବାର ର ସପୋର୍ଟ ବିଷୟରେ କହିଛନ୍ତି।ତାଙ୍କ ସ୍ୱାମୀ ଗୋଲ୍ଡି ବେହେଲ ପାଖରେ ବସିଛନ୍ତି।ଠିକ୍ ତମେ ଯେମିତି ମୋ ପାଖରେ ବସିଛ।ଦୁନିଆରେ ମଣିଷ ଆଉ କଣ ଚାହେଁ କହିଲ ?

"ନିଜ ମୃତ୍ୟୁ ନିଶ୍ଚିତ ଜାଣିଲେ, ମଣିଷ ର ଜୀବନ ପ୍ରତି ଲୋଭ ବଢେ।ସେ ଚାହେଁ ଅଧିକ ଦିନ ବଞ୍ଚିବା ପାଇଁ।ମୁଁ ସତ କହୁଛି ନା ?ସୋନାଲି ପରି ସମସ୍ତେ କଣ ବେଷ୍ଟ ଟ୍ରିଟମେଣ୍ଟ ପାଇଁ ଆମେରିକା ଯାଇ ପାରିବେ ?ଆଚାର୍ଯ୍ୟ ହରିହର ହସ୍ପିଟାଲ ହିଁ ଅନେକଙ୍କ ଭାଗ୍ୟରେ ଥାଏ।"

ଅସିତ ଛାତିରୁ ମୁହଁ କାଢି ରୂପାଲୀ ସିଧା କରି ଅନେଇଲା ସ୍ବାମୀକୁ।ଆଖିରେ ଜକେଇ ଆସୁଥିବା ଲୁହ ପୋଛିଦେଇ ଗେଲ କରି କହିଲା, "ମୋତେ ତମେ ବହୁତ ଭଲ ପାଅ ପରା ।"

ମୁଣ୍ଡ ହଲାଇଲା ଅସିତ ଛୋଟ ପିଲାଙ୍କ ଭଳି।ଫୋନରେ ଅନେକ ମେସେଜ୍ ଆସିବାର ଶବ୍ଦ।ତା ସହିତ କିଛି କଲ।

ଧୀର ସ୍ଥିର ଭାବରେ କଥା ହେଉଥିଲା ରୂପାଲୀ।

"କାହାର ଫୋନ୍ "?ଅସିତ ପଚାରିଲା।

ତା କପାଳରେ ଚୁମାଟିଏ ଦେଇ ରୂପାଲୀ କହିଲା, ମୋ ସାଙ୍ଗ ଅମରେଶ, ଟିଭିରେ ଓ ମାନିନୀ,ଆଶିଷ ଖବରକାଗଜ ରେ ରିପୋର୍ଟର ଅଛନ୍ତି।ଆଜି ଆମ କଥା ସବୁ ପେପରରେ ବାହାରିଛି।ବ୍ୟାଙ୍କ ଏକାଉଣ୍ଟ ନମ୍ବର ବି ଦିଆଯାଇଛି।ଅନେକ ଫୋନ୍ ଓ ମେସେଜ୍।ବହୁତ ଲୋକ ସାହାଯ୍ୟ ପଠାଇଲେଣି।ଆହୁରି ଆସିବ। ବମ୍ବେ, ବାଙ୍ଗାଲୋର ଯାଇପାରିବା।ଦରକାର ପଡିଲେ ଆମେରିକା ଯିବା।ଏତେ ସହଜରେ ହାର ମାନିବା ଲୋକ ମୁଁ ନୁହେଁ।

ଖବରକାଗଜ ଉପରେ ଆଖି ବୁଲାଇ ଆଣିଲା ଅସିତ।ସୋନାଲି ବେନ୍ଦ୍ରେ ଭଳି ରୂପାଲୀ ଆଜି ଜୀବନର ଚାରିଛକରେ ଠିଆ ହୋଉଛି।ଅବଶ୍ୟ ରୂପାଲୀ କୁ କ୍ୟାନସର ହୋଇନି।

ସାଧାସିଧା ,ଚୁପଚାପ ରହୁଥିବା ଏଇ ରୂପାଲୀ ର ରୂପାନ୍ତର ଦେଖି ଆଶ୍ଚର୍ଯ୍ୟ ହେଉଛି ଅସିତ।ଆତ୍ମବିଶ୍ବାସ ରେ ଭରପୁର ଏକ ନୂଆ ରୂପାଲୀି ନିଜ ଜୀବନକୁ ବାଜି ଲଗାଇଦେଇଛି ଅସିତ ପାଇଁ।ଅସିତକୁ ସେ ମରିବାକୁ ଦେବନି ବୋଲି ପଣ କରିଛି ଯେମିତି।ପୁରା ପାଗିଳୀ ଟା।ଅସିତ କୁଣ୍ଢାଇ ପକାଇଲା ରୂପାଲୀକୁ।ରୂପାଲୀ ଦାସ କେଉଁ ଗୁଣରେ କମ ସୋନାଲି ବେନ୍ଦ୍ରେ ଠାରୁ ?

ମନ କୁ ମନ ହସିଲା ଅସିତ।ଯାହାର ଜୀବନସାଥୀ ଓ ପରିବାର ଢାଲ ହୋଇ ସବୁବେଳେ ସାଂଗରେ ଥିବେ, ସେ ଲୋକ କାହିଁକି ଡରିବ କ୍ୟାନସରକୁ ?ଅସିତ ବି ଡରିବନି।

😢(ଅରବିନ୍ଦ ଦାସ)


Rate this content
Log in

Similar oriya story from Inspirational