ସଂଶୋଧନ
ସଂଶୋଧନ
ସ୍ଵପ୍ନ ଦେଖିବାକୁ ମତେ ଭାରି ଭଲ ଲାଗେ । ହେଲେ ଏବେ ଆଖିକୁ ନିଦ ନାହିଁ । ମନେ ପଡିଯାଉଚି ସେ ବିଗତ ଦିନ ମାନ ଯେବେ ମୁଁ ଥିଲି ମୁକ୍ତ ବିହଙ୍ଗ । ଉଡି ବୁଲୁଥିଲି ଖୋଲା ଆକାଶ ତଳେ । କେବେ ଡାଳରେ ବସୁଥିଲି ତ କେବେ ଉଡି ଯାଉଥିଲି ମନ ଫୁଲାଣିଆ ଗୀତ ଗାଇ । ଘରର ଅଲିଅଳୀ ରାଜକୁମାରୀ ସ୍ଵପ୍ନା ।
ନାମ ପରି ଆଖି ମୋର ପରିପୂର୍ଣ୍ଣ ଥିଲା ରଙ୍ଗୀନ ସ୍ଵପ୍ନରେ । ଜଗା ବଳିଆ ପରି ଦୁଇ ଭାଈଙ୍କ ଗେହ୍ଲେଇ ସୁଭଦ୍ରା ଥିଲି । ପିଲାଦିନେ ଜେଜେମା ଠାରୁ ପରୀ ରାଇଜର କାହାଣୀ ଶୁଣି ଜୀବନକୁ ପରୀ ରାଇଜ ସହ ତୁଳନା କରୁଥିଲି । କେବେ ଦୁଃଖ ସହ ସାମନା ସାମନି ହୋଇ ନଥିଲା ।
ସମୟ ଘୋଡାର ଟାପୁ ଶବ୍ଦକୁ କେବେ ଶୁଣିବାକୁ ଚେଷ୍ଟା କରି ନଥିଲି । ଖିଆଲି ମନକୁ ଘୋଡ଼ା ଠାରୁ କ୍ଷିପ୍ର ଗତିରେ ଦୌଡେଇ ଚାଲିଥିଲି । ସ୍ଵପ୍ନରେ ସ୍ଵପ୍ନରେ ଗଢି ତୋଳିଥିଲି ମନ ପସନ୍ଦର ମହଲ ଟିଏ । ସେଇ ସ୍ଵପ୍ନ ମହଲର ରାଣୀ ସାଜି ତମାମ ଜୀବନ ବଞ୍ଚି ଯିବାର ନିଶାରେ ବିଭୋର ଥିଲି ।
ଅନେକ ଆଶା ଓ ଆକାଂକ୍ଷା ନେଇ ହାତ ଧରିଲି ନିଜ ପସନ୍ଦର ରାଜକୁମାର ବିଭୁଦତ୍ତଙ୍କ । ଅବଶ୍ୟ ଉଭୟ ପରିବାରର ସହମତି ସହ ହୋଇଥିଲା ଏଇ ମିଳନ । ବୋଉର କଥା କାନେ କାନେ ମନେ ଥିଲା, ଶାଶୁ ଶଶୁରଙ୍କ କଥା ମାନିବୁ । ଆଜିଠୁ ସେଇଟା ତୋ ଘର । ମୋର ଦୁଇ ଭାଉଜ ବି ଯେତେବେଳେ ବାହା ହେଇ ଆସିଥିଲେ ବୋଉ ସେମାନଙ୍କୁ ମୋ ପରି ସ୍ନେହ ଆଦର ଦେଲା । ତେଣୁ ଶାଶୁ ପରିଭାଷା ମୋ ପାଇଁ ବୋଉ ପରି ହିଁ ଥିଲା । ବାପାଙ୍କ ଛଳଛଳ ଆଖି ମନେ ପଡି ଯାଉଛି । କନ୍ୟା ଦାନ କଲି ବୋଲି ଭାବିବୁନି ପର ହେଇଗଲୁ । ଦୁହିତା ଦୁଇ କୂଳକୁ ହିତା ।
ମୋ ବିବାହରେ କେଉଁ ଥିରେ ଉଣା କରିନଥିଲେ ବାପା ଭାଈ । କିନ୍ତୁ ବିବାହ ପରେ ମୁଁ ଶାଶୁ ଶଶୁରଙ୍କ ଭିତରେ ଯେତେ ମୋ ବାପା ବୋଉଙ୍କୁ ଖୋଜିଲି ପାଇଲିନି । ବିଭୁ ମଧ୍ୟ ପ୍ରେମିକ ରୂପେ ଭିନ୍ନ ଥିଲେ, ସ୍ଵାମୀ ରୂପେ ତାଙ୍କ ଚରିତ୍ର ହିଁ ବଦଳି ଗଲା ପରି ଅନୁଭବ କଲି । ଦିଅର ଭିତରେ ଭାଈକୁ ଖୋଜି ପାଇ ପାରିଲିନି ।
ମୁଁ ଝିଅ ସତ୍ତା ହଜେଇ ଦେଲା ପରି ଅନୁଭବ କଲି । ଭୋରରୁ ଉଠି ଜଳଖିଆ, ଦ୍ଵିପହର ଖାଇବା ସବୁ ପ୍ରସ୍ତୁତ କରି ଦଶଟା ଭିତରେ ଅଫିସ୍ ବାହାରି ଯାଏ । ଫେରିବା ବେଳକୁ ସନ୍ଧ୍ୟା ପାଞ୍ଚଟା । ପୁଣି ଅପେକ୍ଷା କରିଥାଏ ଘରର ସବୁ କାମ ମୋ ପାଇଁ । ଅଫିସ୍ ରୁ ଫେରିବା ସଙ୍ଗେ ସଙ୍ଗେ ଡେଇଁ ପଡେ ଘର ଜଞ୍ଜାଳରେ । ବିଛଣାରେ ପଡିଲେ ବି ଆଖିକୁ ନିଦ ଆସେନି । ମନେ ପଡେ ଅତୀତର ସ୍ମୃତି ।
ଦିଅରର ପାଠ ପଢା ପାଇଁ ମତେ ହିଁ ଆଗକୁ ରଖାଗଲା । ଇମୋସନାଲି ବ୍ଲାକମେଲ୍ ହେଲା ପରି ଅନୁଭବ କଲି, ତଥାପି ନୀରବ ରହିଲି । ସ୍ଵାମୀର ସୁଖଦୁଃଖର ଭାଗୀଦାର କହି ମୋ ଠାରୁ ଛଡାଇ ନେଲେ ମୋର ସ୍ଵପ୍ନ ସବୁ ।
ନୀରବ ରହିଯାଇ ବେଳେବେଳେ ଆତ୍ମ ମନ୍ଥନ କରିବାକୁ ଇଚ୍ଛା ହୁଏ । କିନ୍ତୁ ପରିସ୍ଥିତି ଓ ପରିବେଶ ନୀରବ ରହିବାକୁ ଦିଏ ନାହିଁ । ମୁଁ ହଜି ଯାଉଥିଲି, ଅଣନିଶ୍ଵାସୀ ହୋଇ ଯାଉଥିଲି ଯେମିତି ଏ ସମ୍ପର୍କ ମାନଙ୍କ ଭିତରେ । କହିବି ଯଦି କହିବି କାହା ଆଗରେ । ଭଲ ପାଇବାର ଦାବା କରୁଥିବା ମଣିଷ ଜଣଙ୍କ ସମ୍ପର୍କରେ ସମତୁଲ ରଖି ପାରୁନାହିଁ । ବାପା ବୋଉ ଆଗରେ କହି ସେମାନଙ୍କ ଚିନ୍ତାକୁ ବଢାଇବାକୁ ଚାହେଁନି । ଭାଈ ମାନେ ତ ସେମାନଙ୍କ ପରିବାରରେ ବ୍ୟସ୍ତ । ଏବେ ନିଜ ସମସ୍ୟା ନିଜେ ହିଁ ସମାଧାନ କରିବାକୁ ପଡିବ ।
ସମୟର ଚକ ଓଲଟା ବୁଲି ଯାଆନ୍ତା କି । ସଂଶୋଧନ କରି ପାରନ୍ତି କେତେକ ନିଷ୍ପତ୍ତି । ପୁଣି ହେଇ ଯାଆନ୍ତି ମୁକ୍ତ ବିହଙ୍ଗ । ସ୍ଵପ୍ନ ଦେଖିବାକୁ ନିଦ ଫେରି ଆସନ୍ତା ଏ ଆଖିକୁ । କିନ୍ତୁ ଏ ତ ଅସମ୍ଭବ । ହେବାକୁ ପଡିବ ମତେ ନିଜେ ନିଜର ତାରଣକର୍ତ୍ତା । ନିଜତ୍ବକୁ ସମ୍ପୂର୍ଣ୍ଣ ହରେଇବା ଆଗରୁ ସ୍ଵପ୍ନା ପ୍ରସ୍ତୁତ ହେଲା ଲଢିବା ଲାଗି ନିଜ ପାଇଁ ନିଜ ସ୍ଵପ୍ନ ପାଇଁ ।।
