ସଣ୍ଠଣା
ସଣ୍ଠଣା


" ଯୋଉ ଦେଶେ ଯାଏ ସେ ଫଳ ଖାଏ" ଏହି ରୂଢି ପ୍ରୟୋଗଟି ତ ସମେସ୍ତେ ଶୁଣିଥିବେ, "ଦେଶ କେ ବାଙ୍କ ନଈ କେ ଫାଙ୍କ ", ମଧ୍ୟ ଜାଣିଥିବେ, ସେମିତି ଯିଏ ଯୋଉ ସ୍ଥାନର ପରିବେଶର ସିଏ ସେହିଭଳି ହିଁ ଆଚରଣ କରେ, ଯେମିତିକି ପୁରୀ ମୂଳଅଧିବାସୀମାନଙ୍କର କିଛି ଭାଷା ରୋଚକପୂର୍ଣ୍ଣ ହୋଇଥାଏ, ସମ୍ବଲପୁରୀ ଭାଷା ଆମକୁ ଭଲ ଲାଗେ, ହେଲେ ନିଜ ଆଞ୍ଚଳିକ ଭାଷା ନିଜକୁ ବି ବେଳେ ବେଳେ ଖରାପ ଲାଗେ, ଯେମିତିକି ଟୁକେଲ, ଟୋକି, ବୁଇର ଅର୍ଥ ଏକା ହେଲେବି ଟୋକି ଶବ୍ଦ ଆମକୁ ହଜମ ହୁଏନି, ହେଲେ ଘରର ମାଆ ମାଉସୀ, ପିଇସୀ ଆଇ, ଜେଜେମା କିଛି କିଛି ଅରୁଚିକର ଶବ୍ଦ ପ୍ରୟୋଗ କରି ଝିଅ ମାନଙ୍କୁ ଶିଖାନ୍ତି ସଣ୍ଠଣା.
ମାଳତୀଙ୍କ ଝିଅ ଯେବେ ଠିକ ସେ ଓଢଣୀ ବାନ୍ଧି ରଖି ପାରେନି ତ ଚିଡ଼ନ୍ତି ସେ ଯେ ବାପା ଭାଇଙ୍କ ଦେହରେ ବାଜିବ, ବାପା ଭାଇ ମାଆ କଥା କହୁଥିଲା ବେଳେ ଶୁଣିବା, ଉପରେ ପଡି ମତାମତ ଦେବା ତ ଝିଅକୁ ଆକଟ କରି କହିଥାନ୍ତି "ଫାଜିଲ" ବା "ମାମ୍ଲତକାର " ନହେବାକୁ. ପରଘରକୁ ଗଲେ ଯେମିତି ଶୁଣିବାକୁ ନ ପଡେ "ମାଆ ବାପା ଥିଲେ, ଏଡ଼େ ଅଘୋରୀ କେମିତି ଝିଅ ", ଝିଅଟିଏ ଯେତେ ପାଠଶାଠ ପଢି ଉପାର୍ଜନକ୍ଷମ ହେଲେ ବି ଦୁଇ କୁଳର ହିତା ହେବାପାଇଁ ସଣ୍ଠଣା ନିହାତି ଅପରିହାର୍ଯ୍ୟ
ସେଦିନ ଝିଅକୁ ଅଣ୍ଟାରେ ହାତ ଦେଇ ଛିଡା ହେଇଥିବାର ଦେଖି ମାଳତୀ ଭୀଷଣ ବିରକ୍ତ ହୋଇଥିଲେ, ଶାଶୁ ଘରକୁ ଗଲେ ଶାଶୁ ଶଶୁର ମଳାଶୁର ମାନିବନି ଏ ଟୋକି କହି ରାଗିଥିଲେ. ବାପାଙ୍କ ପାଇଁ ଉଦ୍ଦିଷ୍ଟ ଚୌକିରେ ବସିବା, ବାପା ଭାଇଙ୍କ ଗାମୁଛାରେ ମୁଁହ ପୋଛିବା, ଓଢଣୀ ଦେହରେ ବଜାଇ ଚାଲିବା, ଦେହରେ ଘଷି ହେଲା ପରି ଚାଲିଯିବା ଏସବୁ ଭଲ ଢଙ୍ଗ ନୁହେଁ, ଏଇଥି ପାଇଁ ଆଜି ସମାଜ କଳୁଷିତ, ଝିଅ ବୋହୁଙ୍କ ଆଚରଣ ଅଶୁଦ୍ଧି ହିଁ ନାରୀ ନିର୍ଯ୍ୟାତନାର ପରମ ଓ ଚରମ କାରଣ, ସେଦିନ ଝିଅ ଖୁବ କାନ୍ଦିଥିଲା ହେଲେ କଠୋର ମାଳତୀ ନିଜ ଲୁହ ନିଜେ ପି ଝିଅକୁ ସଣ୍ଠଣା ଶିଖାଉଥିଲେ
ପାଠଶାଠ ପଢ଼ାଇ ରୋଜଗାରକ୍ଷମ କରି ବାହା କରି ସାରିବା ପାଞ୍ଚ ବର୍ଷ ପରେ ଝିଅ ଯେବେ ଘରକୁ ଆସେ, ଓ ବାହାରକୁ ଯିବା ବେଳେ ହାତେ ଓଢଣା ଟାଣେ ତ ମାଳତୀ ପ୍ରତିବାଦ କରନ୍ତି, ତୁ ତ ଏଠା ଝିଅ ତୁ କାହିଁ ମୁଣ୍ଡରେ ଓଢଣା ପକାଉଛୁ, ଝିଅ ହସିକି କହେ ବାହାରେ ମଉସା, ପିଇସା, ଭାଇନା ଇତ୍ୟାଦି ପଡୋଶୀ ବୟସ୍କ ଗୁରୁଜନ ଅଛନ୍ତି, କଣ ଭାବିବେ, ଦୂରକୁ ଗଲେ ମତେ କିଏ ଚିହ୍ନିବ??? ଆଶ୍ଚର୍ଯ୍ୟ ମାଳତୀଙ୍କ ଛାତି କୁଣ୍ଢେମୋଟ, ନଇଁ ପଡନ୍ତି ବାଲ୍କୋନିରୁ, ଝିଅ ମୁଣ୍ଡିଆ ମାରୁଥାଏ ଓଢଣାରେ ରହି, ଦୀର୍ଘନିଃଶ୍ୱାସଟିଏ ବାହାରିଆସେ, ସେଇଟା ମୁରବୀ ପଣିଆର ବୋଧେ.