Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Inspirational Others

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Inspirational Others

ସଙ୍ଗରୋଧର ସମୟ-୮

ସଙ୍ଗରୋଧର ସମୟ-୮

2 mins
130


ପ୍ରିୟ ଡାଏରୀ,

ସଙ୍ଗରୋଧର ଏଇ ସମୟରେ କିଛି ଅନନ୍ୟ ଅନୁଭୂତି ହେଉଛି ଅବଶ୍ୟ ।

***

ଲକଡାଉନ ପାଇଁ କେବଳ ଖାଦ୍ୟ ସାମଗ୍ରୀ(ତେଜରାତି ଓ ପନି ପରିବା)ର ଦୋକାନ ଖୋଲା ରହୁଛି ସକାଳ ଛଅଟା ରୁ ଦିନ ଏଗାରଟା ପର୍ଯ୍ୟନ୍ତ । ଏତିକି ସମୟର ଦୃଶ୍ୟ କିନ୍ତୁ ନିଆରା । ଅଧିକାଂଶ ଲୋକଙ୍କ ମୁହଁରେ ମୁଖା । ସମସ୍ତେ ଶୀଘ୍ର ଜିନିଷ କିଣି ନେଇ ଫେରିବାକୁ ବ୍ୟଗ୍ର । ପୋଲିସର ଘୋଷଣା:ଠିକ ଏଗାରଟାରେ ବନ୍ଦ ହେବ ଦୋକାନ ସବୁ । ଏଣୁ ଶେଷ ଘଂଟାକ ବେଶୀ ବ୍ୟସ୍ତ ବହୁଳ । ଦୋକାନ ଆଗରେ ଲମ୍ବା ଧାଡ଼ି । ଚେଷ୍ଟା କରି ବି ମୁଖାଟିଏ ଯୋଗାଡ଼ କରି ପାରିଲିନି ଏ ଯାଏ । କେଜାଣି ବଜାରରୁ ମୁଖା ସବୁ ଉଭାନ ହୋଇ ଯାଇଛି ଯେମିତି । ଅଥଚ ଏତେ ଲୋକ ଯେ ମୁଖା ପିନ୍ଧି ବୁଲୁଛନ୍ତି, କେଉଁଠୁ ଓ କେମିତି ସେମାନେ ସଂଗ୍ରହ କଲେ କେଜାଣି!

ମୋ ପଛରେ ଠିଆ ହୋଇଥିବା ଲୋକ ଜଣେ ମୋ ଆଗକୁ ଚାଲିଗଲା ମୋ ଅନ୍ୟମନସ୍କତାର ସୁଯୋଗ ନେଇ । ମୁଁ ପ୍ରତିବାଦ କଲି । ଲୋକଟି ମୁହଁ ବୁଲେଇ ଖିଙ୍କାରି ଉଠିଲା," ଚୁପଚାପ ଛିଡ଼ା ହୁଅ । "

ଲୋକଟି ମୁଖା ପିନ୍ଧିଥିଲା । ଏମିତି ସମୟରେ ଲୋକମାନେ ସାମାନ୍ୟ ସୌଜନ୍ୟ ଭୁଲି ଯାଆନ୍ତି କେମିତି?

ମୁଁ ଯୁକ୍ତି କରିବା ଉଚିତ ମଣିଲି ନାହିଁ । (ଅ)ଭଦ୍ରଲୋକ ବ୍ୟାଗଭର୍ତ୍ତି ଜିନିଷ ନେଇ ଫେରିଲା ବେଳେ ଆଉଥରେ ଅନେଇଲେ ମୋତେ ଗାରଡ଼େଇ,ଯାହାର ଅର୍ଥ ହେଉଛି:ଜୋର ଯାର, ମୁଲକ ତାର ।

ମୁଁ ବି ଫେରିଲି ଜିନିଷ କିଣି ସାରି । ଧାଡ଼ିରେ ତଥାପି ଲୋକେ ଛିଡ଼ା ହୋଇଥିଲେ । ସମସ୍ତେ ବି ଫେରିବେ ଜିନିଷ କିଣି ସାରି । ତେବେ କାହାକୁ ପଛରେ ପକାଇ ଆଗକୁ ଟପିବା ଲାଗି କାହିଁକି ଚେଷ୍ଟା କରନ୍ତି କିଛି ଲୋକ?ତାହା ପୁଣି କରୋନା ଆତଙ୍କର ଏଇ ଦୁଃଖଦ ସମୟରେ!

ରାସ୍ତା ପ୍ରାୟ ଶୁନଶାନ । ଲୋକମାନେ ଅଛନ୍ତି ଲକଡାଉନରେ । ଆଗରେ ସାଇକେଲରେ ଚାଲିଛି ଲୋକ ଜଣେ । ବ୍ୟାଗ ଝୁଲେଇ । ଦେଖୁ ଦେଖୁ ପଡ଼ି ଗଲା ଲୋକଟି ସାଇକେଲ ସହ । ବ୍ୟାଗରୁ ପରିବା ସବୁ ବାହାରି ଆସିଲା । ସୌଜନ୍ୟ ଦୃଷ୍ଟିରୁ ମୁଁ ଅଟକେଇଲି ଗାଡ଼ି ଓ ଲୋକଟିକୁ ଉଠେଇଲି ହାତ ଧରି । ସାଇକେଲକୁ ଛିଡ଼ା କରେଇଲି ବି । ଲୋକଟି ପରିବା ସବୁ ଗୋଟାଇବାରେ ଲାଗିଲା । ମୁଁ ବି ତାକୁ ଏଥିରେ ସାହାଯ୍ୟ କଲି ଯଥା ସମ୍ଭବ ।

-"ପାଣି ପିଇବେ କି?"ମୁଁ ପାଣି ବୋତଲ ବାହାର କରି ପଚାରିଲି ।

-"ନାଇଁ, ଧନ୍ୟବାଦ । "ଲୋକଟି ତଳକୁ ମୁହଁ ପୋତି କହିଲା ।

-"ଅସୁସ୍ଥ ଅନୁଭବ କରୁଛନ୍ତି କି?"

-"ନାଇଁ, ଅନ୍ୟମନସ୍କ ଥିଲି । ସେଇଥିପାଇଁ ପଡ଼ିଗଲି । "ଲୋକଟି ତଥାପି ତଳକୁ ମୁହଁ ପୋତିଥିଲା । ସଙ୍କୋଚରେ କି ସଂଭ୍ରମରେ କେଜାଣି!

-"ଠିକ ଅଛି । ସାବଧାନରେ ଯିବେ । "ମୁଁ ବସିଲି ଗାଡ଼ିରେ । ଲୋକଟି ବି ବସିଲା ସାଇକେଲରେ ।

ଠିକ ଅତିକ୍ରମ କରି ଆସିଚି ତ ଗାଡ଼ିର ଆଇନାରେ ଦେଖିଲି ଲୋକଟି ଆଗକୁ ଅନେଇ ସାଇକେଲ ଚଳାଉଛି । ଏ କଣ?ଇଏ ତ ସେଇ ଲୋକ ଯିଏ ଧାଡ଼ିରେ ମୋତେ ଟପି ଜିନିଷ କିଣିଥିଲା ଦୋକାନରୁ । ଏବେ କିନ୍ତୁ ପଛରେ ରହି ଗଲାଣି ସେ ।

କାହିଁକି ତେବେ ଆଉ କାହାକୁ ଟପି ଯିବାର ହୀନ ପ୍ରୟାସ?


Rate this content
Log in

Similar oriya story from Inspirational