STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ସ୍ମୃତି ବିଜଡ଼ିତ ଗାଁ କାର୍ତ୍ତିକ ମାହାତ୍ମ୍ଯ

ସ୍ମୃତି ବିଜଡ଼ିତ ଗାଁ କାର୍ତ୍ତିକ ମାହାତ୍ମ୍ଯ

3 mins
7

ଶୀର୍ଷକ- ସ୍ମୃତି ବିଜଡିତ ଗାଁ କାର୍ତ୍ତିକ ମାହାତ୍ମ୍ଯ

ଗୋବଣ୍ଡିଆ ନାମକ କ୍ଷୁଦ୍ର ମୋର ଗାଁ ଟି ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଟେ।ଗାଁର ପୂର୍ବ ଦିଗରେ ଗ୍ରାମଦେବତୀ ମାଁ ମଲକେଶ୍ବରୀ ପୂଜା ପାଉଛନ୍ତି। ପଶ୍ଚିମ ଦିଗରେ ମାତକାତପୁର ଗ୍ରାମ ଅବସ୍ଥିତ। ଉତ୍ତର ଏବଂ ଦକ୍ଷିଣ ଦିଗରେ ସବୁଜ ଧାନକ୍ଷେତ ପିଲା ବେଳେ ଖୁବ୍ ଆକର୍ଷିତ କରେ। ଗାଁକୁ ଦୁଇ ଭାଗ କରି ରାସ୍ତା ଟିଏ ଯାଇଅଛି। ଏହି ଆଶ୍ବିନ ମାସରେ ଆମ ଗାଁ ପାଟନାଳୀ ର ଦୁଇ ପାର୍ଶ୍ୱ ରେ କାଶତଣ୍ଡୀ ଫୁଲର ସମାହର କାହିଁକି କେଜାଣି ମନକୁ ଆନ୍ଦୋଳିତ କରେ। ଗାଁ ପାଟରେ ବଭିନ୍ନ ପ୍ରକାର ପକ୍ଷୀ ମାନେ ନିଜର ବାସସ୍ଥାନ ରୂପେ ବାଛିଥାନ୍ତି।ବିଦେଶୀ ପକ୍ଷୀମାନଙ୍କ ସହିତ ଗାଁ କୁ ଶୀତ ଆସିଥାଏ। ଏହି ଆଶ୍ବିନ ମାସରେ ଶାରଦୀୟ ଦୁର୍ଗୋତ୍ସବ ଆମ ଗାଁରେ ବଡ ଆଡମ୍ବର ସହକାରେ ପାଳିତ ହୁଏ।ଏହି ପର୍ବରେ କୁଣିଆ ସବୁ ଘରକୁ ଆସିଥାନ୍ତି। ଘର ପିଠାପଣା ରେ ମହକି ଉଠେ। ପୂଜାର ଶେଷ ଲଗ୍ନ ଅର୍ଥାତ୍ ଦଶମୀ ରେ ଗାଁର ଯୁବକ ମାନେ ନାଟକ ପରିବେଷଣ କରିଥାନ୍ତି। ପୂଜାର ଆସର ସରୁ ସରୁ କୁମାର ପୂର୍ଣ୍ଣିମା ଆସି ଯାଇଥାଏ। ଗାଁର ଝିଅ ମାନେ ଚଉଁରା ମୂଳେ ଚନ୍ଦ୍ରପୂଜା କରିଥାନ୍ତି। କୁମାର ପୁନେଇଁ ଜହ୍ନକୁ ଦେଖି ଆମେ ତାଳଗଜା ସହିତ ଖଇ ଖାଇଥାଉ। ଏହି ଦିନ ଠାରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୁଏ। ପୂର୍ଣ୍ଣିମା ପର ଦିନ ଠାରୁ କାର୍ତ୍ତିକ ମାସ ଆରମ୍ଭ ହୁଏ। ଏହି ଧର୍ମ ମାସରେ ଗାଁରେ ଧର୍ମୀୟ ପରିବେଶ ସ୍ପଷ୍ଟ ବାରି ହୋଇପଡେ। ବଡି ଭୋରରୁ ଗାଁ ର ହବିଷ୍ୟାଳୀ ମାନେ ସ୍ନାନ ସାରି ଚଉଁରା ମୂଳେ , ଅଁଳା ଗଛ ମୂଳରେ ଚିତ୍ର ଅଙ୍କନ କରି ପୂଜା କରିଥାନ୍ତି। ଗାଁର ଲୋକମାନେ ସକାଳୁ ସକାଳୁ ସ୍ନାନ ସାରି ମନ୍ଦିର ରେ ଠାକୁର ଦର୍ଶନ କରିଥାନ୍ତି। କାର୍ତ୍ତିକ ମାସର ଅମାବାସ୍ଯା ଦିନ ଦୀପାବଳି ପର୍ବ ପଡିଥାଏ। ଏହି ଦୀପାବଳି ରେ ଆମେ ବାଣ ଫୁଟାଇ ଥାଉ। ଦୀପାବଳି ର ସଂଧ୍ଯା ରେ କାଉଁରିଆ କାଠି ଜାଳି ବଡବଡୁଆ ଙ୍କୁ ସ୍ମରଣ କରିଥାଉ। "ବଡବଡୁଆ ହୋ ଅନ୍ଧାରରେ ଆସି, ଆଲୁଅରେ ଯାଅ"କହିଥାଉ। କାଳୀପୂଜା ଏହି ଦିନଠାରୁ ଆରମ୍ଭ ହୁଏ।ଏହି କାର୍ତ୍ତିକ ମାସରେ ସଂଜ ବେଳେ ଆକାଶଦୀପ ଜଳାହୁଏ। ଗାଁ ର ଭୁଆସୁଣୀ ବୋହୂ ମାନେ ଚଉଁରା ମୂଳେ ସଂଜବତୀ ଜାଳି ଥାନ୍ତି। ଗାଁ ଦାଣ୍ତ ରୁ କ୍ଷେତକୁ ଧୂଳି, ଧୂଆଁ, କୁହୁଡ଼ି ର ଆସ୍ତରଣ ଲମ୍ବିଥାଏ। ଘଣ୍ଟ ଘଣ୍ଟା, ମର୍ଦ୍ଦଳ ବାଦନରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୁଏ।ଶଙ୍ଖ ଧ୍ବନି ଓ ବଂଶୀ ସ୍ବନରେ ଭକ୍ତିମୟ ପରିବେଶ ସ୍ରୁଷ୍ଟି ହୁଏ। ଭାଗବତ ଟୁଙ୍ଗି ରେ ଶ୍ରୀମଦ୍ଭାଗବତ ପଠନ କରାଯାଏ। ଶୀତୁଆ ସଂଧ୍ଯା ରେ ଶେଫାଳି ଫୁଲର ବାସ୍ନାରେ ଗାଁ ଦାଣ୍ତ ମହକି ଉଠେ। ଗହୀର ବିଲରୁ ରହି ରହି ହୁକେ- ହୁ ର ସ୍ବର ଭାସି ଆସେ। ରାତିରେ ଯେଉଁ ଶିଶିର ପଡିଥାଏ ସକାଳେ ସେଗୁଡିକ ସୂର୍ଯ୍ୟଙ୍କର କିରଣ ସ୍ପର୍ଶ ରେ ଘାସ ଗାଲିଚା ଉପରେ ଝଲସି ଉଠନ୍ତି। କାର୍ତ୍ତିକ ମାସରେ ପ୍ରଭାତରେ ଗାଁ ରେ ସଂକୀର୍ତ୍ତନ ହୁଏ। କାର୍ତ୍ତିକ ମାସର ସୋମବାର ରେ ସୋମବାର ବ୍ରତ କରାଯାଏ। ଘରେ ଘରେ ସ୍ବାତ୍ତିକ ଖାଦ୍ୟ ରନ୍ଧା ହୁଏ। ଚାହୁଁ ଚାହୁଁ ପଂଚୁକ ଆସିଯାଏ। ଏହି ପଂଚୁକ ରେ ଗାଁ ର ନବ ତନୟା ମାନେ ସକାଳୁ ସ୍ନାନ ସାରି ବ୍ରୁନ୍ଦାବତୀ ମୂଳରେ ମୁରୁଜ ଘେନି ଭଳିକି ଭଳି ଚିତ୍ର ଆଙ୍କିଥାନ୍ତି। ଏହି ସମୟରେ ବଡଓଷା ପାଳନ କରାଯାଏ। ଗାଁ ରୁ ଭକ୍ତମାନେ ଧବଳେଶ୍ଵର ଠାକରଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି। ବଡଓଷା ପର୍ବ ଟିକୁ ଘରେ ନିଷ୍ଠାର ସହିତ ପାଳନ କରାହୁଏ। ଗଜଭୋଗ, ତରଣ ଆଦି ପ୍ରସାଦ ଠାକୁରଙ୍କ ପାଖରେ ଲାଗିଲା ପରେ ଆମେ ଶ୍ରଦ୍ଧା ରେ ଖାଇଥାଉ। କାର୍ତ୍ତିକ ପୂର୍ଣ୍ଣିମା ଦିନ ପାହାନ୍ତିଆ ରୁ ଉଠି କଦଳୀ ବାସୁଙ୍ଗା ଡଙ୍ଗା ରେ ପାନ, ଗୁଆ, ଅକ୍ଷତ, ରାଶି,ହିଙ୍ଗୁଳ ଆଦି ରଖିଥାଉ। ତୁଳା ବତୀ ଡଙ୍ଗି ଟିର ଦୁଇ ପାର୍ଶ୍ୱ ରେ ଜଳାଇ ଗାଁ ପୋଖରୀରେ ଧର୍ମଡଙ୍ଗା ଟିକୁ ଭସାଇ ଥାଉ। ଡଙ୍ଗା ଭସାଇବା ସମୟରେ ଆମେ "ଆ-କା-ମା-ଭୈ , ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧରମ ମୋର " ଗାଇ କାର୍ତ୍ତିକ ବ୍ରତକୁ ସମାପନ କରିଥାଉ। ପେଟପାଟଣା ପାଇଁ ପ୍ରବାସରେ ଆସି ରହିବା ପରଠାରୁ ଆଉ ସେ ଗାଁ ର କାର୍ତ୍ତିକ ମାସ ର ମାହାତ୍ମ୍ଯ କୁ ହ୍ରୁଦବୋଧ କରିବା ସମ୍ଭବ ହୋଇ ପାରୁନାହିଁ। ଅତୀତର ସ୍ମୃତିକୁ ମନେ ପକାଇ ଲୌହନଗରୀ ରେ କାର୍ତ୍ତିକ ବ୍ରତକୁ ପାଳନ କରୁଅଛୁ। ସୁବର୍ଣ୍ଣରେଖା ରେ ଡଙ୍ଗି ଭସାଉଛୁ କିନ୍ତୁ ଗାଁ ର କାର୍ତ୍ତିକ ବ୍ରତ ର ମିଠା ଅନୁଭୂତି ଆଶାରେ ରହି। 


 



Rate this content
Log in

Similar oriya story from Classics