STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ଓଡ଼ିଆ ସିଂହଭୂମି ଆବେଗର କଥା

ଓଡ଼ିଆ ସିଂହଭୂମି ଆବେଗର କଥା

5 mins
7

     ଓଡ଼ିଆ ସିଂହଭୂମି ଆବେଗର କଥା

ଆମ ରାଜ୍ଯ ଓଡ଼ିଶା ଉତ୍ତର ସୀମା ଆର ପଟେ ପ୍ରତିବେଶୀ ରାଜ୍ଯ ଝାଡଖଣ୍ଡ। ଝାଡଖଣ୍ଡ ରାଜ୍ଯ ର ଓଡ଼ିଆ ଅଧ୍ଯୁଷିତ ଅଂଚଳ ଗୁଡିକ ହେଲା ଖୁଣ୍ଟି, ଗୁମଲା, ସିିମଡେଗା, ଷଢେ଼ଇକଳା-ଖରସୁଆଁ, ପୂର୍ବୀ ସିଂହଭୂମି ଏବଂ ପଶ୍ଚିମ ସିଂହଭୂମି। ଅବିଭକ୍ତ ସିଂହଭୂମି ଜିଲ୍ଲା ପରବର୍ତ୍ତୀ ସମୟରେ ପ୍ରଶାସନିକ ସୁବିଧା ଦ୍ରୁଷ୍ଟିରୁ ତିନିଗୋଟି ଜିଲ୍ଲା ରେ ବିଭକ୍ତ କରାଯାଇଛି।ଏହି ଜିଲ୍ଲା ଗୁଡିକ ହେଲା ପୂର୍ବୀ ସିଂହଭୂମି, ପଶ୍ଚିମ ସିଂହଭୂମି ଓ ଷଢେ଼ଇକଳା-ଖରସୁଆଁ। ଏହି ତିନିଗୋଟି ଜିଲ୍ଲା କୁ ନେଇ କୋଲ୍ହାଣ ଡିଭିଜନ ଗଠିତ।୧୮୦୩ ମସିହାରେ ଇଂରେଜ ମାନେ ଓଡ଼ିଶା କୁ ନିଜ ଅଧିନକୁ ନେବା ପରେ ସମଗ୍ର ସିଂହଭୂମି ମଧ୍ଯ ବ୍ରିଟିଶ ଅକ୍ତିଆର କୁ ଚାଲିଗଲା। ଇଂରେଜ ଶାସନ କାଳରେ ସିଂହଭୂମି ଜିଲ୍ଲା ବେଙ୍ଗଲ ପ୍ରେସିଡେନ୍ସି ଏବଂ ୧୯୧୨ ମସିହାରେ ବିହାର-ଓଡିଶା ପ୍ରଦେଶର ଅଧିନରେ ରହିଲା। ୧୯୩୬ ମସିହାରେ ବିହାର ଠାରୁ ଅଲଗା ହୋଇ ଭାରତର ଭାଷାଭିତ୍ତିକ ପ୍ରଥମ ରାଜ୍ଯ ରୂପେ ଓଡ଼ିଶା ଗଠନ ହେଲା। ଅନେକ ଓଡ଼ିଆ ଅଂଚଳ ଗୁଡିକ ଓଡ଼ିଶା ରେ ମିଶି ପାରିଲେନି ଯାହାକୁ ଆମେ ଓଡ଼ିଶା ର ବିଛିନ୍ନାଞ୍ଚଳ ବୋଲି କହିଥାଉ। ସେହି ବିଛିନ୍ନାଞ୍ଚଳ ମଧ୍ଯରେ ସିଂହଭୂମି ଏବଂ ଷଢେ଼ଇକଳା-ଖରସୁଆଁ ଗଡଜାତ ଅନ୍ଯତମ। ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ପ୍ରାଚୀନ କଳିଙ୍ଗ ଦେଶର ଉତ୍ତର ଭାଗରେ ଅବସ୍ଥିତ ଏହି ପ୍ରାଚୀନ ଅଂଚଳ ଟି ଭୂୟାଁ ସମ୍ପ୍ରଦାୟର ଆଦି ଭୂମି ବୋଲି ସର୍ବଜନାଦୃତ। ପରବର୍ତ୍ତୀ ସମୟରେ ଭୂଜ ସମ୍ପ୍ରଦାୟର ଲୋକ ମାନେ ଆସି ଏଠାରେ ବସବାସ କରିବାକୁ ଲାଗିଲେ। ଆଷ୍ଟ୍ରୋଏସିୟଟିକ୍ ମୁଣ୍ତା ସମ୍ପ୍ରଦାୟର ଆଦିବାସୀ ମାନେ ମଧ୍ଯ ଏହି ଅଂଚଳରେ ବସତି ସ୍ଥାପନ କରି ରହିଲେ। ଭୂୟାଁ ସମ୍ପ୍ରଦାୟ ଓଡ଼ିଆ ଜନ ଗୋଷ୍ଟୀ ର ଲୋକମାନେ ଯିଏକି ପୁରୀ ଗଜପତି ରାଜାଙ୍କ ଅନୁଗତ ଥିଲେ। ଭୂୟାଁ ଏବଂ ଭୂଜ ସମ୍ପ୍ରଦାୟ ମଧ୍ଯରେ ବାରମ୍ବାର ଉପୁଜୁଥିବା ବିବାଦ କୁ ଦମନ କରିବା ନିମନ୍ତେ ଗଜପତି ରାଜା ନିଜର ପ୍ରତିନିଧି ଦର୍ପ ନାରାୟଣ ସିଂହ ଙ୍କୁ ଏଠାକୁ ପଠାଇଲେ। ଦର୍ପ ନାରାୟଣ ସିଂହ ଏହି ଅଂଚଳ କୁ ଆସିବା ପରେ ୧୨୦୫ ମସିହାରେ ସିଂହ ଶାସନର ଅୟମାରମ୍ଭ ହେଲା। ଓଡ଼ିଆ ଅଧିବାସୀ ଙ୍କ ବହୁଳତା ଏବଂ ଓଡ଼ିଆ ଭାଷାକୁ ନିଜର କରି ରାଠୋର ବଂଶୀୟ ଏହି ସିଂହ ସାଙ୍ଗିଆ ରାଜା ଏଠାରେ ନିଜର ରାଜ୍ଯ ସ୍ଥାପନ କଲେ। ସିଂହ ରାଜ ପରିବାର ଶାସନାଧିନ ଏହି ଅଂଚଳ ର ନାଁ ସିଂହଭୂମି ନାମରେ ଜନାଦୃତ ହେବାକୁ ଲାଗିଲା। ପୁରୀ ଗଜପତି ରାଜାଙ୍କ ଆନୁଗତ୍ଯ ହୋଇ ଏମାନେ ଏଠାରେ ଉତ୍କଳ ର ସଂସ୍କୃତି କୁ ପ୍ରଚାର ପ୍ରସାର କରିବାକୁ ଲାଗିଲେ। ଏହି ରାଜବଂଶର ତ୍ରୁତୀୟ ରାଜା କାଶିରାମ ସିଂହ ୧୨୭୨ ସାଲ ରେ ପୋଡାହାଟ ( ଚକ୍ରଧରପୁର) ଠାରେ ଏକ ଦୁର୍ଗ ନିର୍ମାଣ କରି ନୂତନ ରାଜ୍ଯ ସ୍ଥାପନ କଲେ। ରାଜା କାଶିରାମ ଙ୍କ ପରେ ରାଜା ଅଚ୍ଯୁତ ସିଂହ ନିଜର କୂଳ ଦେବୀ ମାଁ ପାଉଡି ଙ୍କ ମନ୍ଦିର ସ୍ଥାପନା କରିଲେ। ୧୬୨୦ ସାଲ ରେ ରାଜା ବିକ୍ରମ ସିଂହ ଷଢେ଼ଇକଳା ରାଜ୍ଯ ସ୍ଥାପନ କଲେ। ୧୬୫୦ ସାଲ ରେ ରାଜା ବିକ୍ରମ ସିଂହ ଙ୍କ ବଂଶଜ ପଦ୍ମ ସିଂହ ପ୍ରୁଥକ ଖରସୁଆଁ ରାଜ୍ଯ ସ୍ଥାପନ କଲେ। ସମଗ୍ର ସିଂହଭୂମି ଯଥା ଷଢେ଼ଇକଳା-ଖରସୁଆଁ, ସିଂହଭୂମି ଓ ଧଳଭୂମି ଗଜପତି ରାଜାଙ୍କ ଅଧିନସ୍ଥ ଥିଲା। ପୋଡାହାଟ ପରବର୍ତ୍ତୀ ସମୟରେ ରାଜା ଚକ୍ରଧର ସିଂହ ଙ୍କ ନାମ ଅନୁସାରେ ଚକ୍ରଧରପୁର ନାମରେ ଖ୍ଯାତ ହେଲା। ରାଜା ଲକ୍ଷ୍ମୀ ନାରାୟଣ ସିଂହ କେରା ଗ୍ରାମ ରେ ମା କେରା ଭଗବତୀ ଙ୍କ ମନ୍ଦିର ସ୍ଥାପନା କରିଥିଲେ। ମା କେରା ଙ୍କ ଆଶୀର୍ବାଦ ଲାଭ କରି ସିପାହୀ ବିଦ୍ରୋହ ସମୟରେ ପୋଡାହାଟ ରାଜା ଅର୍ଜୁନ ସିଂହ ଏବଂ ତାଙ୍କର ମୁଖ୍ଯ କର୍ମଚାରୀ ଜଗୁ ଦେବାନ୍ ଇଂରେଜମାନଙ୍କ ବିରୁଦ୍ଧ ରେ ସଂଗ୍ରାମ ରେ ଯୋଗ ଦେଇଥିଲେ। ଜଗୁ ଦେବାନ୍ ଙ୍କ ନେତୃତ୍ବ ରେ ସମଗ୍ର ସିଂହଭୂମି ରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା। ଇଂରେଜ ମାନେ ବିଦ୍ରୋହ କୁ ଦମନ କରିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିକି ମଧ୍ଯ ରାଜା ଅର୍ଜୁନ ସିଂହ ଏବଂ ଜଗୁ ଦେବାନ୍ ଙ୍କୁ ଧରିବାରେ ବିଫଳ ହେଲେ। କିନ୍ତୁ କିଛି କୁଚକ୍ରୀ ଙ୍କୁ ହାତବାରିସି କରି ଉଭୟ ରାଜା ଅର୍ଜୁନ ଏବଂ ଜଗୁ ଦେବାନ୍ ଙ୍କୁ ବନ୍ଦୀ କରିବା ରେ ସଫଳ ହେଲେ। ରାଜା ଅର୍ଜୁନ ଙ୍କୁ ନେଇ ବନାରସ କାରାଗାରରେ ରଖିଲେ। ଜଗୁ ଦେବାନ୍ ଙ୍କୁ ପୋଡାହାଟ ଠାରୁ ଅନତି ଦୂରରେ ନେଇ ଫାଶୀ ଦେଲେ। ସିଂହଭୂମି ର ବୀର ଓଡ଼ିଆ ପୁଅ ଜଗୁ ଦେବାନ୍ ଦେଶମାତୃକାର ସେବାରେ ବ୍ରତୀ ହୋଇ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ। ତାଙ୍କର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ସ୍ଥାନୀୟ ଓଡ଼ିଆ ମାନେ ଚକ୍ରଧରପୁର ଠାରେ ଜଗୁ ଦେବାନ୍ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଷଢେ଼ଇକଳା ରାଜା ଆଦିତ୍ୟ ପ୍ରତାପ ସିଂହଦେଓ ଙ୍କ ନାମ ରେ ଆଦିତ୍ୟପୁର ନଗର ଗଠିତ ହୋଇଛି। ଷଢେ଼ଇକଳା ଏବଂ ଖରସୁଆଁ ଠାରେ ସିଂହ ରାଜବଂଶର କଳା ସ୍ଥାପତ୍ୟ ଏବେ ମଧ୍ଯ ଦେଖିବାକୁ ମିଳେ। ଏବେବି ଷଢେ଼ଇକଳା ଛଉ ନ୍ରୁତ୍ଯ ସାରା ବିଶ୍ବରେ ନିଜର ଶ୍ରେଷ୍ଠତା କୁ ପ୍ରତିପାଦିତ କରୁଅଛି। ଏଠାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଏବେବି ବିଦ୍ଯମାନ ରହିଅଛି।ଦୀର୍ଘ ବର୍ଷ ଧରି ଓଡ଼ିଆ ରାଜା ମାନେ ଏହି ଅଂଚଳ କୁ ଶାସନ କରୁଥିବା ହେତୁ ଏବେବି ଏଠାରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ର ଝଲକ ଦେଖିବାକୁ ମିଳେ। ଓଡ଼ିଆ ସଂସ୍କୃତି କୁ ଲୋକମାନେ ଏବେବି ସମଗ୍ର ସିଂହଭୂମି ରେ ବଂଚାଇ ରଖିଛନ୍ତି। ସିଂହଭୂମି ରାଜାମାନଙ୍କର ଢେଙ୍କାନାଳ, ପୁରୀ, ପାଟଣାଗଡ଼ ରାଜପରିବାର ମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରହି ଆସିଅଛି। ସିଂହଭୂମି ର ରାଜା ମାନେ ସିଂହ ସାଙ୍ଗିଆ ସହିତ ଦେବ ର ମିଶ୍ରଣ କରିଥିଲେ। ସେଇଥିପାଇଁ ସେମାନେ ନିଜ ନାମ ସହିତ ସିଂହଦେଓ ଲେଖିଥାନ୍ତି। ସିଂହଭୂମି ରାଜା ମାନେ ନିଜ ମାତ୍ରୁଭାଷା ଓଡ଼ିଆ କୁ ବହୁତ ଭଲ ପାଉଥିଲେ। ଏଠାରେ କୁହାଯାଉଥିବା ଓଡ଼ିଆ ଭାଷାକୁ ସାଧାରଣତଃ ସିଂହଭୂମି ଓଡ଼ିଆ ନାମରେ ଜଣାଯାଏ। ରାଜା ଆଦିତ୍ୟ ପ୍ରତାପ ସିଂହଦେଓ ଙ୍କ ରଚିତ "ହରିଶ୍ଚନ୍ଦ୍ର ନାଟକ", କୁମାର ବିଜୟ ପ୍ରତାପ ସିଂହଦେଓ ଙ୍କ ପୁସ୍ତକ 'ଅଭିରାମ ସିଂହ ', ପଣ୍ଡିତ ଶ୍ରୀ କ୍ରୁଷ୍ଣଚନ୍ଦ୍ର ଆଚାର୍ଯ୍ୟ ଙ୍କ 'ସିଂହଭୂମି ଓ ଓଡ଼ିଆ ଭାଷା'ର ଇତିହାସ' ଓଡ଼ିଆ ବାଣୀ ଭଣ୍ଡାର କୁ ଋଦ୍ଧିମନ୍ତ କରିଛି। ଶ୍ରୀମତୀ କୁମାରୀ ଦେବୀ ପଟାଏତୁଣୀ ଙ୍କ ଦ୍ବାରା ରଚିତ "ଭଜନମାଳା ", ଲକ୍ଷ୍ମୀ ନାରାୟଣ ସିଂହଦେଓ ଙ୍କ ରଚିତ "ଆନନ୍ଦ ଲହରୀ" , ଶ୍ରୀ କ୍ରୁଷ୍ଣ ଚରଣ ରଥ ଙ୍କ 'ଭୀଷ୍ମ ପଂଚକ ବ୍ରତ କଥା' ଆଦି ସିଂହଭୂମି ସାହିତ୍ୟ ର ଶ୍ରେଷ୍ଠତା କୁ ଦର୍ଶାଉଛି। ଇଂରେଜ ଶାସନ କାଳରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ସମଗ୍ର ସିଂହଭୂମି ରେ ଓଡ଼ିଆ ବିଦ୍ଯାଳୟ ଗୁଡିକ ସ୍ଥାପନ କରି ଶିକ୍ଷାର ପ୍ରସାର କରିଥିଲେ। ଏଠାର ଓଡ଼ିଆମାନେ ଓଡ଼ିଶା ର ସବୁ ପର୍ବପର୍ବାଣୀ ବହୁ ଆଡମ୍ବରରେ ପାଳନ କରିଥାନ୍ତି। ଦେଶ ସ୍ବାଧୀନତା ଲାଭ ପରେ ସିଂହଭୂମି ଜିଲ୍ଲା ବିହାର ପ୍ରଦେଶ ରେ ରହିଗଲା। ୧୯୦୧ ମସିହାରେ ୩,୮୯୧ ବର୍ଗ ମାଇଲ୍ ପରିବ୍ୟାପ୍ତ ଏହି ଅଂଚଳର ଜନସଂଖ୍ୟା ୬,୧୩୫୭୯ ଥିଲା। ୧୯୩୧ ମସିହାରେ ଧଳଭୂମି ଗଡ ରାଜ୍ଯ ମିଶିଲା ପରେ ଜନସଂଖ୍ୟା ୯୨୯୮୦୨ ହେଲା। ଷଢେ଼ଇକଳା-ଖରସୁଆଁ ଦୁଇଟି ସ୍ବତନ୍ତ୍ର ଗଡଜାତ ଅଂଚଳ ରୂପରେ ଥିଲା। ଗଡଜାତ ମିଶ୍ରଣ ସମୟରେ ୧ ଜାନୁଆରୀ ୧୯୪୮ ମସିହାରେ ଷଢେ଼ଇକଳା-ଖରସୁଆଁ ଗଡଜାତ କୁ ଓଡ଼ିଶା ରେ ମିଶାଇ ଦିଆଗଲା। ସେତେବେଳେ ମୟୂରଭଞ୍ଜ ଗଡଜାତ ଓଡ଼ିଶା ରେ ମିଶି ନଥିଲା। ଏହି ଦୁଇ ଟି ଗଡଜାତ ଅଂଚଳ ଓଡ଼ିଶା ସୀମାକୁ ସିଧାସଳଖ ସଂଯୋଗ ହୋଇପାରିଲାନି।ଯାହାର ସୁଯୋଗ ନେଇ କୁଚକ୍ରୀ ବିହାରୀ ରାଜନେତା ମାନେ ନିରୀହ ଆଦିବାସୀ ମାନଙ୍କୁ ଓଡ଼ିଶା ବିରୁଦ୍ଧରେ ଲଢେଇ କରିବାକୁ ପ୍ରବର୍ତ୍ତାଇଲେ। ଖରସୁଆଁ ଠାରେ ଆଦିବାସୀ ମାନେ ଓଡ଼ିଶା ସରକାର ବିରୁଦ୍ଧରେ ଆନ୍ଦୋଳନ କରିଲେ। ଓଡ଼ିଶା ପୁଲିସ ଗୁଳିରେ ୩୫ ଜଣ ଆଦିବାସୀ ଟଳି ପଡିଲେ। ଫଳରେ ବାଉଦକର କମିଟିର ସୁପାରିଶ କ୍ରମେ ୧୯୪୮ ମସିହା ମେ ୧୮ ତାରିଖ ରେ ଷଢେ଼ଇକଳା-ଖରସୁଆଁ କୁ ବିହାର ରେ ମିଶାଇ ଦିଆଗଲା। ଓଡ଼ିଶା ରୁ ବିଛିନ୍ନ ହେବାରୁ ଏଠାକାର ଓଡ଼ିଆ ମାନେ ପ୍ରବାସୀ ହୋଇ ରହିଲେ। ୧୯୯୦ ମସିହାରେ ଅବିଭକ୍ତ ସିଂହଭୂମି କୁ ଭାଙ୍ଗି ପୂର୍ବୀ ସିଂହଭୂମି ଏବଂ ପଶ୍ଚିମ ସିଂହଭୂମି ନାମରେ ଦୁଇଟି ନୂଆ ଜିଲ୍ଲା ଗଠନ କରାଗଲା। ଷଢେ଼ଇକଳା-ଖରସୁଆଁ କୁ ପୂର୍ବୀ ସିଂହଭୂମି ଜିଲ୍ଲାରେ ଅନ୍ତର୍ଭୂକ୍ତ କରାଗଲା। ୨୦୦୦ ମସିହାରେ ବିହାର ଠାରୁ ଅଲଗା ହୋଇ ନୂତନ ଝାଡଖଣ୍ଡ ରାଜ୍ଯ ଗଠନ କରାଗଲା। ସେ ସମୟରେ ଓଡିଶା ର ଓଡ଼ିଆ ମାନେ ଏବଂ ସ୍ଥାନୀୟ ଓଡ଼ିଆ ମାନେ ଆପ୍ରାଣ ଉଦ୍ଯମ କରିଥିଲେ ଷଢେ଼ଇକଳା-ଖରସୁଆଁ ସହିତ ସମଗ୍ର ସିଂହଭୂମି କୁ ଓଡ଼ିଶା ରେ ମିଶ୍ରଣ କରିବା ପାଇଁ ଯାହା ସମ୍ଭବ ହେଲାନାହିଁ। ଓଡ଼ିଶା ବିଧାନସଭାର ତତ୍କାଳୀନ ବାଚସ୍ପତି ଶରତ କରଙ୍କ ନେତୃତ୍ବ ରେ ଏକ ସର୍ବଦଳୀୟ କମିଟି ଭାରତର ପ୍ରଧାନମନ୍ତ୍ରୀ ଓ ଗ୍ରୁହ ମନ୍ତ୍ରୀ ଙ୍କୁ ଭେଟି ନିଜର ଦାବୀ ଜଣାଇଲେ କିନ୍ତୁ ଭାରତ ସରକାର ଆପୋଷ ବୁଝାମଣା ର ଦ୍ବାହି ଦେଇ ପୁନଶ୍ଚ ଓଡ଼ିଆ ମାନଙ୍କୁ ସେମାନଙ୍କର ଅଧିକାର କୁ କୁଠାରଘାତ କରିଲେ। ଓଡ଼ିଶା ରେ ଏହି ଓଡ଼ିଆ ଅଂଚଳ କୁ ମିଶ୍ରଣ କରିବାରୁ ନିବୃତ୍ତ ରହିଲେ।୨୦୦୧ ମସିହାରେ ଷଢେ଼ଇକଳା-ଖରସୁଆଁ ଜିଲ୍ଲା ମାନ୍ଯତା ଲାଭ କରିଲା। ଝାଡଖଣ୍ଡ ରାଜ୍ଯ ଗଠନ ପରେ ଓଡ଼ିଆ ମାରଣ ନୀତି ତୀବ୍ର ହେବାରେ ଲାଗିଛି। ଓଡ଼ିଆ ଙ୍କୁ ହୀନ ଚକ୍ଷୁ ରେ ଦେଖାଯାଉଛି। ଓଡ଼ିଆ ବିଦ୍ଯାଳୟ ଗୁଡିକୁ ବନ୍ଦ କରି ଦିଆଯାଉଛି, ନଚେତ ହିନ୍ଦୀ ଭାଷୀ ବିଦ୍ଯାଳୟ ରେ ମିଶାଇ ଦିଆଯାଉଛି। ବହଡାଗୋଡା ଠାରୁ ମନୋହରପୁର ଏବଂ ଚାଣ୍ଡିଲ ଠାରୁ ଜୟନ୍ତଗଡ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ବିଶାଳ ଅଂଚଳ ର ଲୋକମାନେ ଘୋର ମନସ୍ତାପ ରେ ରହୁଛନ୍ତି।ସପ୍ତମାତୃକା ଙ୍କ ଏହି ଭୂମି ରେ ଅନୁପ୍ରବେଶ କରି ରହୁଥିବା ବଙ୍ଗଳା ଭାଷୀଙ୍କ ପାଦ୍ରୁଭାବ ରେ ମୂଳ ଅଧିବାସୀ ଓଡ଼ିଆ ନିଜର ଅସ୍ତିତ୍ବ ରକ୍ଷା କରିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। 

                 



Rate this content
Log in

Similar oriya story from Classics