Kulamani Sarangi

Inspirational

4.0  

Kulamani Sarangi

Inspirational

ସମ୍ପର୍କ

ସମ୍ପର୍କ

3 mins
612


ଗାଁ'ମୁଣ୍ଡ ମେଳଣ ପଡିଆରେ ସୁସଜ୍ଜିତ ବିବାହ ବେଦୀରୁ ସାହାନାଇ ସୁର ଭାଷି ଆସୁଥିଲା।ଝିଆରୀର ବାହାଘର, କିନ୍ତୁ ଘର ଭିତରେ ଏକା ବସିଥିଲେ ଅବିନାଶ ।ସାହାନାଇର ସୁର କାନରେ ବାଜି ମଧ୍ୟ ବାଜୁନଥିଲା।ଶୂନ୍ୟ ଆଖିରେ ଆକାଶକୁ ଚାହିଁ ରହିଥିଲେ ସେ;ପ୍ରଶାନ୍ତ ମହାସାଗରର ଗଭୀରତା ଏବଂ ମହାକାଶର ଶୂନ୍ୟତା ଭରି ରହିଥିଲା ସେ ଦୃଷ୍ଟିରେ।ଭାବୁଥିଲେ , ସମ୍ପର୍କର ଉପପାଦ୍ୟ କେଉଁଠାରେ,କେତେବେଳେ ଭୁଲିଗଲେ ସେ ?ଆଜି ନିଜର ସ୍ନେହର ଝିଆରୀର ବାହାଘର କିନ୍ତୁ ତାକୁ ଆଶୀର୍ବାଦ ଦେବାର ଅଧିକାର ତାଙ୍କଠାରୁ ଛଡେଇ ନିଆଯାଇଛି ।

କାଲିପରି ମନେପଡେ,ପୂଜା ଜନ୍ମ ହେଲାବେଳେ ତାର କୁଆଁ କୁଆଁ ଶବ୍ଦରେ ମନ ତାଙ୍କର ଆନନ୍ଦରେ ଉଛୁଳି ପଡିଥିଲା।ଅଝିଆ ଘରେ ଝିଅ।ଆନନ୍ଦରେ ଭାଇ ଆଶୁତୋଷକୁ କୁଣ୍ଢେଇ ପକେଇଥିଲେ ଅବିନାଶ ।ଆଖିରୁ ଆନନ୍ଦାଶ୍ରୁ ବହିଯାଇଥିଲା।କହିଥିଲେ "ଆଶୁ ଏ ଝିଅଟିକୁ ମତେ ଦେଇଦେ ଭାଇ।" ଆନନ୍ଦ ଗଦ୍ଗଦ ହୋଇ ଆଶୁତୋଷ କହିଥିଲେ "ହଉ ହେଲା,ମୋର କଣ ତମର କଣ?ଝିଅ ଆମ ଦୁଇ ଜଣଙ୍କର।" ଝିଅକୁ କୋଳରେ ଧରିବାକୁ ତର ସହିଲାନି ଅବିନାଶଙ୍କର ,ଦଉଡି ଯାଉଥିଲେ ଏନ୍ତୁଡିଶାଳକୁ।ଚିକିତ୍ସା କରୁଥିବା ଡାକ୍ତର ବାଧା ଦେଲେ "ଏତେ ଶୀଘ୍ର ନୁହେଁ, ବାରଦିନ ପୂର୍ବରୁ ପିଲାକୁ ଛୁଇଁବା ଅନୁଚିତ୍,ଇନ୍ ଫେକ୍ସନ୍ ହୋଇପାରେ"।

ସେ ବାର ଦିନ କିପରି ବିତାଇଛନ୍ତି ଅବିନାଶ, ତାଙ୍କୁ ହି ଜଣା।

ବାରଯାତ୍ରା ପରେ ପୂଜାକୁ ଧରି ସବୁବେଳେ ବୁଲିଲେ ସେ।କାହା ହାତକୁ ଦେଲେ ନାହିଁ ।ତାଙ୍କ ଇଚ୍ଛା ଅନୁସାରେ ହିଁ ଝିଅର ନାଁ 'ପୂଜା' ରଖାଗଲା।ଝିଅର ଗୁହ ମୁତ ଭଲ ମନ୍ଦ ସବୁ କରିଛନ୍ତି ସେ।ଦେହ ଖରାପ ହେଲେ ରାତି ରାତି ଅନିଦ୍ରା ରହି ପୂଜାକୁ କୋଳରେ ଧରି ବୁଲିଛନ୍ତି ଅବିନାଶ।ଚନ୍ଦ୍ରକଳା ପରି ଝିଅ ବଢିବା ସଙ୍ଗେ ସଙ୍ଗେ ଅବିନାଶଙ୍କର ସ୍ନେହଚନ୍ଦ୍ର ପଞ୍ଚଦଶ ଗୁଣିତ ହୋଇଛି।ଝିଅର ଠୁକୁଠୁକୁ ଚାଲି,ଦରୋଟି କଥା, ଅଳି ଅଝଟ ତାଙ୍କ ପିତୃତ୍ବକୁ ଗର୍ବିତ କରିଛି।ଆଖିରୁ ଲୁହ ଝରାଇ ,ପୂଜାକୁ କୋଳରେ ଧରି ,ବୋକ ଦେଇ କହିଛନ୍ତି "ଧନରେ ! ବାତ୍ସଲ୍ୟ ସୁଖ ଦେଇ ତୁ ମୋ ଉପରେ ଯେଉଁ ଦୟା କରିଛୁ,ତାହା ଶହେ ଜନ୍ମରେ ମଧ୍ୟ ଶୁଝି ପାରିବିନି,ମତେ ତୁ ମର୍ତ୍ତ୍ୟରୁ ନେଇ ସ୍ୱର୍ଗରେ ବସେଇ ଦେଇଛୁ ଧନ !"

ଅଥଚ ସେହି ସ୍ନେହର ପିତୁଳାର ବାହାଘର ବେଳେ ଆଜି ତାଙ୍କୁ ଆଶୀର୍ବାଦ ଦେବାପାଇଁ ମନା ! କେଉଁଠାରେ ଅମୃତରେ ହଳାହଳ ମିଶିଗଲା !!

ଆଜି ମନେପଡେ ଅବିନାଶଙ୍କର;ପୂଜା ସହରରେ କଲେଜରେ ପଢୁଥାଏ।ଅବିନାଶ ସବୁ ସପ୍ତାହରେ ଯାଇ ହଷ୍ଟେଲରେ ପୂଜାକୁ ଦେଖି ଆସନ୍ତି।ଥରେ ସହରରୁ ଫେରି ଘରେ ପହଞ୍ଚି ଦେଖିଲେ ତୁମୁଳ କାଣ୍ଡ।ଦୁଇ ଯା'ଙ୍କ ମଧ୍ୟରେ ପ୍ରବଳ ଝଗଡା।ଅତି ସାଧାରଣ କଥାରୁ ଆରମ୍ଭ ଏ ଝଗଡା।ଯୌଥ ପରିବାରରେ ଏହା ସାଧାରଣ କଥା,ପିଲାଙ୍କ ଖାଇବା ପିଇବା ନେଇ ବେଳେବେଳେ ମନୋମାଳିନ୍ୟ ହୁଏ,ପୁଣି ସମାଧାନ ହୋଇଯାଏ।ଏ ଝଗଡାର କିନ୍ତୁ ସମାଧାନ ନଥିଲା।ଦିନ ଦିନ ଧରି ଲାଗି ରହିଲା ।ଆଶୁତୋଷ ,ଦୁର୍ଭାଗ୍ୟ ବଶତଃ ନିଜ ପତ୍ନୀଙ୍କର ପକ୍ଷ ନେଲେ । ଅବିନାଶଙ୍କର ସମାଧାନପାଇଁ ସବୁ ପ୍ରୟାସ ବ୍ୟର୍ଥ ହେଲା।ଶେଷରେ ଦୁଇଭାଇ ଅଲଗା ହୋଇ ରହିବାକୁ ଠିକ୍ କଲେ।ଘର ମଝିରେ ପାଚେରୀ ପଡିଲା,ବାପାଙ୍କର ସଯତ୍ନବର୍ଦ୍ଧିତ ନୀଡଟି ଅବୁଝାବଣାର ଝଡରେ ଭାଙ୍ଗିଗଲା । ସମ୍ପତ୍ତି ଭାଗବଣ୍ଟା ହେଲାବେଳେ ବାପାଙ୍କ ତୈଳଚିତ୍ରଟି ଅବିନାଶଙ୍କ ଭାଗରେ ପଡିଲା;ମା'ଙ୍କର ଚିତ୍ରଟି ଆଶୁତୋଷଙ୍କ ଭାଗରେ।ସୌଭାଗ୍ଯକୁ ବାପା-ମାଆ ବଂଚି ନଥିଲେ,ନହେଲେ ସେମାନେ ମଧ୍ୟ ଭାଗବଣ୍ଟା ହୋଇଥାଆନ୍ତେ।

ଏତିକିରେ ମହାଭାରତର ଶେଷ ହେଲାନାହିଁ।ଘର ମଝିରେ ଇଞ୍ଚେ ଇଞ୍ଚେ ଯାଗାପାଇଁ ଦୁଇ ପରିବାରର ପୁଅ ମାନଙ୍କ ଭିତରେ ଟାଙ୍ଗିଆ କଟୁରୀ ଧରାଧରି ହେଲା।ସମ୍ପର୍କର ସୁତାଖିଅ ସବୁଦିନପାଇଁ ଛିଣ୍ଡିଗଲା । ପୂଜା ସହିତ ଦେଖା କରିବାକୁ ଅବିନାଶଙ୍କୁ ମନା କରାଗଲା । ସେଦିନ ସେ ଅନୁଭବ କଲେ ,ତାଙ୍କର ହୃଦୟ ଭିତରେ କଲିଜାକୁ କିଏ ଯେପରି ବ୍ଳେଡରେ ଖଣ୍ଡ ଖଣ୍ଡ କରି ଚିରି ପକାଉଛି।ଆଖିରୁ ଝରିଲା ଅଜସ୍ର ଅଶ୍ରୁଧାର।

ଦୁଇ ପରିବାର ମଝିରେ କାନ୍ଥ ପଡିବାର କିଛିଦିନ ପରେ ଆଶୁତୋଷ ପୁଅ ବାହାଘର କଲେ।କିନ୍ତୁ ଭାଇକୁ ନିମନ୍ତ୍ରଣ ଦେଲେ ନାହିଁ । ଆଜି ପୂଜାର ବାହାଘର,ସେଥିପାଇଁ ମଧ୍ୟ ତାଙ୍କ ପରିବାରକୁ ନିମନ୍ତ୍ରଣ ନାହିଁ । ଅବିନାଶଙ୍କର ପତ୍ନୀ ପିଲାମାନଙ୍କୁ ନେଇ ବାପଘର ଚାଲି ଯାଇଛନ୍ତି; ଅବିନାଶ ଯାଇ ପାରି ନାହାଁନ୍ତି ।ନୟନ ପିତୁଳା ପୂଜାକୁ ବିଦାୟୀ ସମୟରେ ଥରେମାତ୍ର ଦେଖିବାର ଅଦମ୍ୟ ଇଚ୍ଛା ତାଙ୍କୁ ଅଟକେଇ ରଖିଛି।ଆଖିରୁ ବହିଯାଉଛି ଅବାରିତ ଅଶ୍ରୁଧାର।ଭାବିଥିଲେ ଆଶୁତୋଷ ଡାକିବେ;ଡାକିଲେ ନାହିଁ । ଆଶା ମଉଳି ଯାଉଛି।ସକାଳୁ ଜଳ ପର୍ଯ୍ଯନ୍ତ ସ୍ପର୍ଶ କରି ନାହାନ୍ତି ।

କ୍ରମେ ବେଳ ବୁଡିଲା । ବ୍ରାହ୍ମଣ ବାହାଘର,ବିବାହ ଶେଷ ହୋଇ ବିଦାୟୀ ସମୟ ଆସିଲା । ଆଉ ସମ୍ଭାଳି ପାରିଲେ ନି ଅବିନାଶ । ଧୀରେ ଧୀରେ ମେଳନ ପଡିଆ ଆଡକୁ ଚାଲିଲେ । କିଛି ଦୂରରେ ଗଛମୂଳେ ଠିଆ ହୋଇ ଝିଅର ବିଦାୟ ମୁହୁର୍ତ୍ତକୁ ଅନାଇଁ ରହିଲେ।ବିଦାୟ ସମୟରେ ସୁସଜ୍ଜିତ କାର୍ ଭିତରେ ବସିବାକୁ ବରକନ୍ୟା ଆଗେଇ ଯାଉଛନ୍ତି; ପୂଜା କାହାର ପ୍ରତୀକ୍ଷାରେ ଚାରିଆଡକୁ ଅନାଉଁଛି।ହଠାତ୍ ଅବିନାଶଙ୍କ ଉପରେ ଆଖିପଡିଲା।ଆଉ ସଂଭାଳେ କିଏ;"ମୋ ବଡବାପା" ବୋଲି ଉଚ୍ଚ କଣ୍ଠରେ କାନ୍ଦିକାନ୍ଦି ଅବିନାଶଙ୍କୁ ଯାବୁଡି ଧରିଲା ପୂଜା।କୋହ ଅଶ୍ରୁରେ ଦି'ଜଣଙ୍କର ବକ୍ଷ ତିନ୍ତି ଗଲା।କାନ୍ଦି କାନ୍ଦି ପୂଜା କହୁଥିଲା "ତମେ ମତେ ସବୁବେଳେ ଦେଖିବାକୁ ଆସିବ ବାପା,ମୋର ଆଉ କାହା ସହିତ ସମ୍ପର୍କ ଦର୍କାର ନାହିଁ ।

ପୂଜାର 'ବାପା' ଡାକରେ ଅବିନାଶଙ୍କର ହୃଦୟ ଗର୍ବରେ ଫାଟି ପଡୁଥିଲା।ଭାବୁଥିଲେ,ସମ୍ପର୍କର ପାଣିକୁ ଯେଉଁ ଛଡିରେ ଯେତେ ଯୋରରେ ପିଟିଲେ ମଧ୍ୟ ତାହା କଣ ଦି'ଭାଗ ହୋଇ ପାରିବ!


Rate this content
Log in

Similar oriya story from Inspirational