STORYMIRROR

Aravinda Das

Inspirational Drama

3  

Aravinda Das

Inspirational Drama

ସମାଜସେବୀ ଓ ଶିଶୁଦିବସ

ସମାଜସେବୀ ଓ ଶିଶୁଦିବସ

2 mins
14.9K


ସେଦିନ ଥିଲା ନଭେମ୍ବର ୧୪। ଶିଶୁଦିବସ ପାଇଁ ରାସ୍ତା କଡ଼ରେ ପୋଷ୍ଟର ଓ ବିଜ୍ଞାପନ ହୋର୍ଡିଙ୍ଗ। ଷ୍ଟେସନ ଓ ବସ୍ ଷ୍ଟାଣ୍ଡ ପାଖରେ ଥିବା ଅନେକ ଛୋଟ ହୋଟେଲ ,ଦୋକାନରେ କରୁଥିବା କିଛି ଛୋଟ ପିଲାଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରିଥିଲା "ଶିଶୁ ସୁରକ୍ଷା" ସମାଜସେଵୀ ସଂସ୍ଥା।

    "ସରକାରୀ ନିୟମ ଅନୁଯାୟୀ ଶିଶୁ ମାନଙ୍କୁ କାମରେ ଲଗାଇବା ଆଇନତଃ ଦଣ୍ଡନୀୟ ଅପରାଧ ବୋଲି ଜାଣି ସୁଦ୍ଧା ,ଏମିତି କରୁଛନ୍ତି ?ଜେଲ ବି ଯାଇ ପାରନ୍ତି। ଜୋରିମାନା ତ ଅଲଗା । ଆଜି ପୁଣି ଶିଶୁଦିବସ।"

 ଜଣେ ଦୋକାନୀ କହୁଥିଲା, "ଏ ପୁଅକୁ ପଚାରନ୍ତୁ ସାର୍। ତା ସାବତ ମା ତାକୁ ଖାଇବାକୁ ଦେଉନି ବୋଲି ସବୁଦିନ ମୋତେ ଖାଇବାକୁ ମାଗେ। ସକାଳୁ ଦୋକାନରୁ କ୍ଷୀର ପ୍ୟାକେଟ ଦିଏ ଓ ପାଇପ ଲଗାଇ ଟ୍ୟାପରୁ ପାଣି ଭରି ଦିଏ ଡ୍ରମରେ। ବାସ୍ ଏତିକି କରେ ସେ ଖୁସିରେ। ଦୁଇବେଳା ଖାଇବା ଓ ସକାଳ ଜଳଖିଆ ଖାଇବାକୁ ମୁଁ ଦିଏ ଏଇଠି। ମୋର ବି ପିଲା ଛୁଆ ଅଛନ୍ତି ସାର୍। କେବଳ ତା ଭୋକିଲା ପେଟ ପାଇଁ ମୁଁ .....".

   କଥାଟା ସଂପୁର୍ଣ କରିବା ପୂର୍ବରୁ ପ୍ରଶାନ୍ତ ବାବୁ କହିଲେ,'ବିନା କାମରେ ତାକୁ ଖାଇବାକୁ ତ ଦେଇ ପାରିବ।ଏସବୁ ବାହାନା ଚଳିବ ନାହିଁ।"

   ପ୍ରଶାନ୍ତ ବାବୁ ଓ ନିଳୀମା ଦେବୀ ହେଉଛନ୍ତି ଏଇ ବେସରକାରୀ ସଂସ୍ଥାର ପରିଚାଳକ। ସ୍ୱାମୀ,ସ୍ତ୍ରୀ ଦୁହେଁ ସହରର ନାମୀ ସମାଜସେବୀ । ଅନେକ ଅସହାୟ,ଅନାଥ ପିଲାଙ୍କୁ ଉଦ୍ଧାର କରି ସମାଜରେ ଥଇଥାନ କରିଛନ୍ତି।

ନିଳୀମା ଦେବୀ ଏଠା ମହିଳା କ୍ଲବର ସଭାପତି ମଧ୍ୟ।

ଉଦ୍ଧାର କରାଯାଇଥିବା ପିଲାଙ୍କୁ ସଂସ୍ଥାରେ ଛାଡି ସମସ୍ତେ ପହଞ୍ଚିଲେ ପ୍ରଶାନ୍ତ ବାବୁଙ୍କ ଘରେ। ସ୍କୁଲରୁ ଆସି ପହଁଚିଥିବା ଦୁଇ ପିଲାଙ୍କୁ ଦେଖି ନିଳିମାଙ୍କ ବାନ୍ଧବୀ ପଚାରିଲେ, " ତମ ପୁଅ ରିକି ସାଙ୍ଗରେ ଏ ଝିଅଟି କିଏ ?"

   ହସିଦେଇ ନିଳୀମା କହିଲେ, " ଇୟେ ପରା ଲତା। ଉଦ୍ଧାର କରାଯାଇଥିବା ସେଇ ଶିଶୁ ଶ୍ରମିକ ଯାହାକୁ ଆମେ ଆଡ଼ପ୍ଟ କରିଛୁ।ଏବେ ସେ ଆମ ଝିଅ।"

  ତା ପରେ ଲତା ଉଦେଶ୍ୟରେ କହିଲେ, " ମାରେ ,ଡାଇନିଂ ଟେବୁଲ ଉପରେ ପିଜା ଓ ବର୍ଗର ଅଛି। ଧୁଆଧୁଇ ହୋଇ ଜଲଦି ଆସ ଦୁହେଁ।"

   " ଶିଶୁଦିବସରେ ଏହାଠୁ ଭଲ ବାର୍ତ୍ତା ସମାଜ ପାଇଁ କଣ ହୋଇପାରେ ? ଆପଣ ଦୁହିଁଙ୍କ ପରି ସମସ୍ତେ ହେଲେ ଏମିତି ପିଲାଙ୍କ ଭାଗ୍ୟ ବଦଳି ଯାଆନ୍ତା"ପ୍ରଶଂଶାରେ ଶତମୁଖ ହୋଇ ବିଦାୟ ନେଲେ ସମସ୍ତେ।

   ଡାଇନିଂ ଟେବୁଲ ପାଖରେ ଭଲ ଡ୍ରେସ ପିନ୍ଧି ଠିଆ ହୋଇଥିବା ଲତାକୁ ନିଳୀମା କହିଲେ ,"ତୁ ଏଇ ଡ୍ରେସଟା ପାଲଟି ପକା। ବାହାର ଲୋକ ପରା ସବୁ ଚାଲିଗଲେଣି।"

   ବାହାର କବାଟଟା ବନ୍ଦ କରି ଭିତରକୁ ଆସି ପ୍ରଶାନ୍ତ ,ଲତାକୁ ପଚାରିଲେ ,ବାହାର ଲୋକ କେହି ପଚାରିଲେ ତୁ କଣ କହିବୁ ମନେ ଅଛି ତ ?"

    କଥାକୁହା ପୋଷା ଶୁଆ ପରି ଲତା କହିଲା, "ମୁଁ ଏଠି ଖୁସିରେ ନିଜ ଘରେ ରହିଲା ଭଳି ଅଛି,ସ୍କୁଲ ଯାଉଛି। ପାଠ ପଢେ।କିଛି କାମ କରିବାକୁ ଦିଅନ୍ତିନି ବାବୁ,ମା।"

ବାଃ, ସୁନା ପିଲା। ଠିକ ଅଛି।

ନିଳୀମା କହିଲେ,"ରିକିକୁ ପିଜା,ବର୍ଗର ଖାଇବାକୁ ବାଢ଼ିଦେ। ତୋର ତ ଏସବୁ ହଜମ ହେବନି। ପଖାଳ ଖାଇଦେଇ ଜଲଦି ବାସନ ତକ ମାଜିଦେ। ଆଜିପରା କାମବାଲୀ ଆସିଲାନି।" ଚୁପଚାପ ବାସନ ମାଜିଲା ବେଳେ ଲତା ମାନେପକାଉଥିଲା ଆଜି ସକାଳେ ସେ ବୋଲିଥିବା କବିତା ,"ଆମେ ତ ଭାଗ୍ୟବାନ ପିଲାରେ, ଆମ ପରି ଆଉ କିଏ ଅଛିରେ ?"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational