Aravinda Das

Inspirational Abstract


3  

Aravinda Das

Inspirational Abstract


ସ୍କାଇଲାଇଟରେ ସୁର୍ଯ୍ୟୋଦୟ

ସ୍କାଇଲାଇଟରେ ସୁର୍ଯ୍ୟୋଦୟ

3 mins 7.2K 3 mins 7.2K

ଏକ ଲୟରେ ମୁଁ ଅନେଇଥିଲି ବେଡ଼ରୁମର ସ୍କାଇଲାଇଟ ଦେଇ ଆସୁଥିବା ସକାଳର ସୂର୍ଯ୍ୟ କିରଣକୁ। ଅନେକ ଚିନ୍ତା ଗୁଡେଇ ତୁଡେଇ ହୋଇ ମନ ଭିତରକୁ ପଶି ଆସୁଥିଲା। ବାରମ୍ବାର ଗୋଟାଏ ଚେହେରା ଆଖି ସାମ୍ନାରେ ଉଭା ହେଉଥିଲା। ବାପିର ମୁହଁ। ଅନ୍ୟମନସ୍କ ହୋଇ ଭାବନାରାଜ୍ୟରେ ହଜିଗଲି। ସେଦିନ ଶିଶୁଦିବସ ଥିଲା।ମାର୍କେଟରୁ ଫେରିଲାବେଳେ ଦେଖିଲି ଗୋଟେ ଛୋଟ ପିଲାକୁ ଗୋଟେ ଲୋକ ବାଡୋଉଛି । କିଛି ଲୋକ ଭିଡ଼ ଜମାଇଥିଲେ।ଘଟଣା ଜାଣିବାକୁ ଚେଷ୍ଟାକଲି। "ବଦମାସ ବାରବୁଲା ଟୋକା। ପାଖରେ ପଇସା ନାହିଁ,ହୋଟେଲରେ ଜଳଖିଆ ଖାଇଦେଇଛି ପେଟେ।ଦୋକାନୀ କଣ ଛାଡିବ ?" ପାଖକୁ ଯାଇ ସେ ଦୋକାନୀ ଉପରେ ବିରକ୍ତ ହୋଇ କହିଲି, "କେତେ ପଇସା ହୋଉଛି ତୁମର ? ଭୋକ ସମ୍ଭାଳି ନପାରି ପିଲାଟା କଣ ଖାଇଦେଲା ବୋଲି ଅମଣିଷଙ୍କ ପରି ତାକୁ ବାଡୋଉଛ ?"  ମୋ କଥା ଶୁଣି ଅଟକି ଯାଇ ଦୋକାନୀ କହିଲା, "ଏଠି ଅନ୍ନଛତ୍ର ଖୋଲିନି ମୁଁ।ଚାଳିଶ ଟଙ୍କାର ଖାଇଛି ଇୟେ।" ପକେଟରୁ ଟଙ୍କା ବାହାରକରି ଦୋକାନୀକୁ ଦେଲି ଓ ସେ ପିଲାକୁ ଆଉଁଶି ଦେଇ କହିଲି, ଯା ଘରକୁ ଯା। ଭିଡ଼ ଅପସରି ଯାଇଥିଲା।ତମାସା ସରିଗଲା ବୋଲି ବୋଧେ। ମନେ ମନେ ହସିଲି। କାର ଷ୍ଟାର୍ଟ କଲା ବେଳେ ସେ ପିଲାକୁ ପାଖରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। କିଛି କହିବାକୁ ଚେଷ୍ଟା କରୁଥିଲା। ତୁ ଘରକୁ ଯାଇନୁ ? ମୁଁ ଅନାଥ ସାର୍।ଜରି ଗୋଟାଏ। କିଛି କାମ ଦେଇପାରିବେ ବାବୁ। ଆପଣଙ୍କ ଘରେ କିଛି କାମ ମିଳିବ ?" 

 ପିଲାଟା କଥା ଶୁଣି ମନଟା ନରମି ଗଲା। ମୋ ପିଲାମାନେ ବିଦେଶରେ ଚାକିରୀ କରୁଛନ୍ତି। ଏଠି ଆମେ ବୁଢ଼ା,ବୁଢ଼ୀ ରହୁଛୁ। ଭାବିଲି, ପିଲାଟାକୁ ଘରକୁ ନେଇଯିବି। ପୁଣି ଭୟ ଲାଗିଲା। କି ବିଶ୍ବାସ ଏମାନଙ୍କୁ ? ଚୋରୀ,ବଦମାସୀ ....."

ମୋତେ ବିଶ୍ବାସ କରନ୍ତୁ ସାର୍। ସବୁ କାମ ମନ ଦେଇ କରିବି। ଦୁଇ ଓଳି ଖାଇବାକୁ ଓ ଶୋଇବାକୁ ଜାଗା ଖଣ୍ଡେ ଦରକାର ମୋର। ସ୍କୁଲରେ ପଢିବାକୁ ଇଛା, ହେଲେ ଆମ ଭାଗ୍ୟରେ ସେସବୁ କାହିଁ ? ତୋ ନାଁ କଣ ? ଆ, ଗାଡ଼ିରେ ବସ।ମୋ ବିଶ୍ଵାସରେ ବିଷ ଦେବୁନି। ଆଖି ଛଲଛଳ କରି ସେ କହିଲା,ମୋ ନାଁ ବାପି । ନିଜ ନାଁ ମୁଁ ଦେଇଛି।ଆପଣଙ୍କ ପରି କେତେ ଲୋକ ଆମ ପରି ପିଲାଙ୍କ ଭୋକ ଓ ମନ କଥା ବୁଝନ୍ତି ?

 ବୟସ ଦୃଷ୍ଟିରୁ ପିଲାଟା ଅଧିକ ଅନୁଭବୀ ଜଣା ପଡୁଥିଲା।ଘରେ ପହଂଚି ତା ବିଷୟରେ ସୁପ୍ରିୟାଙ୍କୁ ସବୁ କହିଲି।ସେଇଦିନଠୁ ବାପି ଆମ ଘରର ଜଣେ ସଦସ୍ୟ ହୋଇଗଲା। ପାଖ ସ୍କୁଲରେ ତା ଆଡ଼ମିସନ କରାଇଦେଲି। ବହୁତ ଖୁସି ଥିଲା ବାପି । ଅବସର ସମୟରେ ତାକୁ ମନା କଲେବି ବଗିଚାରେ ପାଣିଦିଆ, ଦୋକାନରୁ ସଉଦା,କୁକୁରକୁ ବୁଲାଇନେବା କାମ କରୁଥିଲା। ମୋତେ ଓ ସୁପ୍ରିୟାଙ୍କୁ ଜିଦି କରି ଘଷି ମୋଡି ଦେଉଥିଲା। ସେ ଆମ ସାନ ପୁଅ ବନିଯାଇଥିଲା ବୋଧେ।ସୁପ୍ରିୟା ତାକୁ ନିଜ ହାତରେ ଖୁଆଇ ଦେଲେ ସେ ଖୁସିରେ କାନ୍ଦି ପକାଉଥିଲା। ହାଠାତ୍ ଦିନେ ଚାଇଲ୍ଡ଼ ହେଲ୍ପ ଲାଇନ ବାଲା ଓ ଏକ ସ୍ଵୟଂସେବୀ ସଂସ୍ଥା ପୋଲିସକୁ ସାଙ୍ଗରେ ନେଇ ଆମ ଘରେ ପହଂଚିଲେ।

  " ମିଷ୍ଟର ମହାନ୍ତି, ଜଣେ ନାବାଳକୁ ଆପଣ ଘରେ କେମିତି ଖଟାଉଛନ୍ତି ? ଶିଶୁଶ୍ରମିକ ଆଇନ ବିଷୟରେ କଣ ଜାଣି ନାହାନ୍ତି ?" ବ୍ୟସ୍ତ ହୋଇ ସବୁ କଥା କହିଲି ଓ ବାପିକୁ ଡାକି ସବୁ ସତକଥା ବୁଝିବାକୁ ଅନୁରୋଧ କଲି। ବାପି କହିଲା, "ବାବୁ, ମା ମୋ ପାଇଁ ଭଗବାନ। ଏ ଘର ଛାଡି ମୁଁ କୁଆଡେ ଯିବିନି। ଏମାନେ ମୋ ବାପା,ମା। ଏଇଟା ମୋ ଘର।"

ପୋଲିସ ବାବୁଙ୍କ ଠାରୁ ଜାଣିଲି ଯେ ବାପିକୁ ଦୁଇବର୍ଷ ତଳେ ସେଇ ସ୍ୱୟଂସେବୀ ସଂସ୍ଥା ଷ୍ଟେସନ ପାଖରୁ ଉଦ୍ଧାର କରି ନିଜ ସଂସ୍ଥାରେ ରଖିଥିଲା। ସେଠାରୁ ଲୁଚି ପଳାଇ ଆସିଥିଲା। ସମସ୍ତଙ୍କୁ ବହୁତ ବୁଝାଇଲି। ତାକୁ ଆମ ଘରେ ରହିବାକୁ ଅନୁମତି ଦିଆଯାଉ ବୋଲି ନେହୁରା ହେଲି ।ବାପି ଆମକୁ ଆଦରି ନେଇଥିଲା। ଘରଟା ବି ଗହଳ ଚହଳ ଲାଗୁଥିଲା। "ଦେଖନ୍ତୁ, କାନୁନ ଅନୁସାରେ ଆମକୁ କାମ କରିବାକୁ ପଡିବ।ଭାବପ୍ରବଣତା ଭିନ୍ନ ଜିନିଷ।"ପୋଲିସ ବାବୁ କହିଲେ।

ବାପିକୁ ବୁଝାଇ ସାଙ୍ଗରେ ନେଇ ପୋଲିସ ଷ୍ଟେସନ ଆସିଲି। ଚାଇଲ୍ଡ଼ ହେଲ୍ପ ଲାଇନ ବାଲା ବାପିକୁ ନେଇଗଲେ।ଯିବା ଆଗରୁ ମୋ କାନରେ ଧୀର ସ୍ୱରରେ ବାପି ଯାହା କହିଲା ,ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ପୋଲିସ,ଓକିଲ, ଆଇନ,କାନୁନ ପଛରେ ୧୫ ଦିନ ଧାଇଁ ବି କିଛି ସୁଫଳ ମିଳିନଥିଲା ମୋତେ। " ସେ ତ ଆପଣଙ୍କ ପିଲା ନୁହେଁ, କିମ୍ବା ଆଇନତଃ ତାକୁ ଆପଣ ଆଡ଼ପ୍ଟ କରି ନାହାନ୍ତି। ତେଣୁ ତା ଉପରେ କିଛି ଅଧିକାର ନାହିଁ ଆପଣଙ୍କର।ବାପି ବି ସାବାଳକ ନୁହେଁ।"

 ଏହି ଉତ୍ତର ଶୁଣି ମନଟା ମରିଗଲା ମୋର। ସତରେ ଦୁନିଆରେ ଭାବପ୍ରବଣତାର ମୂଲ୍ୟ କିଛି ବି ନାହିଁ ।ବାପି କଣ ଆମକୁ ମନେ ପକାଉଥିବ ? ଆଜି ସକାଳୁ ଖବର କାଗଜରେବାହାରିଥିବା ସମ୍ବାଦ ଓ ଟିଭିରେ ପ୍ରସାରିତ ନିଉଜ ଦେଖି ମୁଁ ଲଥ୍ କରି ସଫାରେ ବସିପଡ଼ିଲି। "ବାଳ ସୁଧାର ଗୃହରୁ ଦଶ ଜଣ ପିଲା ,ଗାଧୁଆ ଘର ସ୍କାଇଲାଟ ବାଟେ ଗଳି, ଖସି ପଳାଇଛନ୍ତି।ପୋଲିସ ଘଟଣାର ତଦନ୍ତ କରୁଛି। ସେଦିନ ବାପି ମୋ କାନରେ କହିଥିବା କଥା ମନେପଡି, ମୋ ମନଟା ଅସ୍ଥିର ହୋଇପଡୁଥିଲା। "ଚିନ୍ତା କରନ୍ତୁନି। ଆପଣ ଓ ମାଆଙ୍କ ଠାରୁ ମୋତେ କେହି ବେଶୀ ଦିନ ଅଲଗା କରିପାରିବେ ନାହିଁ।"ସ୍କାଇଲାଇଟକୁ ଅନାଇ ଭାବୁଥିଲି, ସତରେ କଣ ବାପି ପାଇଁ ସୁର୍ଯ୍ୟୋଦୟ ହୋଇଛି !

(ଅରବିନ୍ଦ ଦାସ)


Rate this content
Originality
Flow
Language
Cover Design