Padmalaya Padhy

Inspirational

4  

Padmalaya Padhy

Inspirational

ସିକ୍ସଥ ସେନ୍ସ

ସିକ୍ସଥ ସେନ୍ସ

5 mins
242



ବୋଉର ନିଷେଧାଦେଶର ଲମ୍ବା ତାଲିକା ଯଥା ଏଇଟା କରନା ସେଇଟା କରନା ଠିଆ ହୋଇ ପାଣି ପିଇନା ଓଷଦରେ ଥଣ୍ଡା ପାଣି ପିଇଲେ କାମ ଦେବନାହିଁ ଚୋବେଇ ଚୋବେଇ ଖାଆ ଶୁଣି ଶୁଣି ଚିଟା ଲାଗେ ।ମୋ ଇଚ୍ଛାରେ ମୋତେ କିଛି କରିବାକୁ ଦେବୁ କି ବୋଉ ? ବୋଉର ପ୍ରତ୍ୟେକ କଥାରେ ମୁଁ ରାଜି ହୋଇ ପାରେନା ।ବେଳେବେଳେ ପ୍ରବଳ ଯୁକ୍ତିତର୍କ ହୁଏ ।ଶେଷରେ ହାରିଯାଇ ବୋଉ କହିବ ହ…ଅ… ମୋର ଯାହା କହିବା କଥା କହିଦେଲି ତେଣିକି ତୋ ଇଛା ।ମୁଁ କଣ ସବୁବେଳେ କହିବାକୁ ଥିବି କି ।ବାସ ଆରମ୍ଭ ହୋଇଯାଏ ବୋଉର ଚିରାଚରିତ ବ୍ଲାକମେଲ ।କଥା ମନେଇବାର ସହଜ ଉପାୟ l


ସେଦିନ ମୋ ବାନ୍ଧବୀ ଶୀଲା ଆସିଥିଲା ।ମୋ ସହିତ କଲେଜରେ ପଢ଼େ ।ବୋଉ ତାକୁ ଦେଖି ଆରମ୍ଭରୁ ହିଁ ବିଶେଷ ଆନନ୍ଦିତ ହେଲାପରି ଲାଗୁ ନଥିଲା ।ଔପଚାରିକ କଥାବାର୍ତ୍ତା ପରେ ଚାଲି ଯାଇଥିଲା ସେ ।ସେଇଠୁ ବୋଉର ଆରମ୍ଭ ହୋଇଗଲା l

—ଦେଖ ଲିଟି ଏ ଝିଅଟିର ହାବ ଭାବ ମୋତେ କାଇଁ ଭଲ ଲାଗିଲା ନାହିଁ ।ଦେଖି ଚାହିଁ ଚଳିବୁ ୟା ସାଙ୍ଗେ ।ତାକୁ ହଠାତ ବିଶ୍ୱାସ କରିଯିବୁ ନାହିଁ l

— ବୋଉ ! ତୋର ଆଜିକାଲି ଜୀରାରୁ ଶିରା କାଢ଼ିବା ଗୋଟେ ଅଭ୍ୟାସ ହୋଇଗଲାଣି ଦେଖୁଛି ।ସବୁ କଥାରେ ତୋର ସନ୍ଦେହ ।ହଁ ମାନୁଛି ଶିଲାକୁ କଲେଜରେ ରାଣୀ ମହୁମାଛି ବୋଲି ନାଁ ଦିଆ ହୋଇଛି ।ଶହେଟା ଟୋକା ତା ଚାରି ପାଖରେ ଘୁରି ବୁଲନ୍ତି ସତ କିନ୍ତୁ ସିଏ ମୋର କ୍ଷତି କରିବାକୁ କାହିଁକି ଚାହିଁବ ଯେ ?

—ମୋତେ ସେମିତି ଲାଗିଲା ତ କହିଦେଲି ।ମାନିବା ନମାନିବା ତୋ ହାତରେ ।ବୋଉର ସବୁ କଥା ଏମିତି ।ପରିଶେଷରେ ସେ ଆମ ମୁଣ୍ଡ ଉପରେ ଆମର ବୋଝଟି ନେଇ ଥୋଇଦେବ ।ସେ ଯାହା ହେଉ ବେଳେ ବେଳେ ଶିଲା ଏମିତି ଆମ ଘରକୁ ଚାଲିଆସେ ଓ ଦୁଇ ଚାରିପଦ କଥା ହୋଇ ଚାଲି ଯାଏ ।ମୋର ତା ସହିତ ନାମମାତ୍ର ଏତିକି ସମ୍ପର୍କ l


ଦିନେ ବାପା ଘରେ ନଥାନ୍ତି ।ପ୍ରାକ୍ଟିକାଲ କ୍ଲାସରେ ଟିକିଏ ମୋର ବିଳମ୍ବ ହୋଇ ଯାଇଥାଏ ।ପାଗ ବି ବହୁତ ଖରାପ ଥାଏ ଓ ଦିନ ତମାମ ରହି ରହି ଝିପି ଝିପି ବର୍ଷା ଅହରହ ଚାଲିଥାଏ ଏବଂ ତାଆରି ସାଙ୍ଗକୁ କରେଣ୍ଟ ଆସୁଥାଏ ଓ ଯାଉଥାଏ ।ମନ ଭିତରେ ଭୟ ଓ ଆଶଙ୍କା ସୃଷ୍ଟି କରିବା ପାଇଁ ସବୁ ପ୍ରକାର ଅନୁକୂଳ ପରିବେଶ ସୃଷ୍ଟି ହୋଇ ଯାଇଥାଏ ସେଦିନ ।କ୍ଲାସ ସରିବା ପରେ ରିକ୍ସା ଖୋଜି ଖୋଜି ମୁଁ ବି ନୟାନ୍ତ ହେଲି ।ଚାଲିକରି ଆସିଲେ ଘରେ ପହଞ୍ଚିବାକୁ କୋଡିଏ ପଚିଶ ମିନିଟ ଲାଗିବ ।ପ୍ରଥମ ଥର ପାଇଁ ସ୍କୁଟି କାହିଁକି ଶିଖିଲି ନାହିଁ ବୋଲି ନିଜ ଉପରେ ରାଗ ଆସୁଥାଏ ।ସେ ଯାହା ହେଉ ଶୀଘ୍ର ପାଦ ପକାଇ ଆସୁ ଆସୁ ମୋତେ ଲାଗିଲା ଯେମିତି କେତେଜଣ ଲୋକ ମୋ ପଛରେ ମୋ ଠାରୁ ବି ଶୀଘ୍ର ପାଦ ପକାଇ ଆସୁଛନ୍ତି l


ପଛକୁ ଚାହିଁଲେ କିଛି ବି ପରିଷ୍କାର ଦିଶୁ ନଥାଏ ।ଚତୁର୍ଦ୍ଦିଗ ତ ଅନ୍ଧକାରମୟ ।ଏମିତି ଅବସ୍ଥାରେ ହଠାତ ସାମ୍ନାରୁ ଗୋଟିଏ ପୋଲିସ ଭ୍ୟାନ ମୋତେ ଅତିକ୍ରମ କରୁଥିଲା ଏବଂ ଗାଡିର ହେଡ଼ ଲାଇଟରେ ମୋତେ ଓ ସେଇ ଲୋକ ମାନଙ୍କୁ ମୋ ପଛରେ ଦେଖି ଟିକିଏ ଗାଡିର ଗତି କମାଇ ଦେଇଥିଲା ।ଏହାର ସଦୁପଯୋଗ କରି ପ୍ରାଣମୂର୍ଚ୍ଛା ଦୌଡ଼ିଥିଲି ମୁଁ ।ଏକ ନିଶ୍ୱାସରେ ଘରକୁ ଆସି ଗ୍ରିଲ ବାହାରେ ପାହାଚ ଉପରେ କେତେ ସମୟ ବସି ଯାଇଥିଲି ଜାଣେନାହିଁ ।ବୋଉକୁ ସବୁକଥା କହିବାରୁ ସେ ତାର ଅତି ପ୍ରିୟ ଠାକୁରାଣୀ କଟକଚଣ୍ଡୀଙ୍କୁ ରାତିସାରା ଅଜସ୍ର ମୁଣ୍ଡିଆ ମାରି ଚାଲିଥିଲା l


ଏହାର କେତେଦିନ ପରେ ମୋର କେତେଜଣ ବିଶ୍ୱାସୀ ସହପାଠିନୀଙ୍କ ଠାରୁ ଜାଣିବାକୁ ପାଇଲି ଯେ ସେଦିନ ଯୋଉ ବର୍ଷା ହେଉଥିଲା ଏବଂ ମୁଁ ଏକୁଟିଆ ଆସୁଥିଲି ଶିଲା ହିଁ ମୋ ପଛରେ ଆମ କଲେଜର ଡେଙ୍ଗା ସୁବଳ ଏବଂ ନିଶୁଆ ରକିକୁ ପଠାଇ ଥିଲା ।ମୋତେ ଡରାଇବାର ଉଦ୍ଦେଶ୍ୟ ଥିଲା କି ସେମାନଙ୍କ ଜରିଆରେ ଆଉ କିଛି କ୍ଷତି କରିବାର ଉଦ୍ଦେଶ୍ୟ ଥିଲା ତାହା ଭଗବାନ ଜାଣନ୍ତି l


ପାଠ ସରିବା ପରେ ମୁଁ ଚାକିରୀ ଖଣ୍ଡିଏ ପାଇ ଯାଇଥିଲି ।ପୂର୍ବର ସେ ଡର ଭୟ ଆଉ ନଥିଲା ସିନା ବୋଉ କିନ୍ତୁ ଏଣିକି ସବୁ କଥାରେ ବେଶୀ ବେଶୀ ଖୁଣ ବାହାର କରୁଥିଲା ।ମୁଁ ଭାବେ ବୋଧେ ବୟସ ବଢ଼ିଲେ ମଣିଷର ଦୋଷ ଦୁର୍ବଳତା ଗୁଡିକ ବି ବଢ଼ି ବଢ଼ି ଚାଲିବ ଯେମିତି ସେଦିନ ସୁଦୀପକୁ କହିଲା ।ସୁଦୀପ ଏବଂ ମୁଁ ଗୋଟିଏ ଅଫିସରେ କାମ କରୁଥିଲୁ ଏବଂ ବିବାହ କରିବା ପାଇଁ ଆଗ୍ରହୀ ଥିଲୁ ।ସେ ଅନେକ ଥର ଆମ ଘରକୁ ଆସି ବୋଉ ଏବଂ ବାପାଙ୍କୁ ଦେଖା କରି ସାରିଛି ।କିନ୍ତୁ ପ୍ରତ୍ୟେକ ଥର ବୋଉ ତାକୁ ଦେଖିଲେ ନାକ ଟେକିବ ।ସେ ଗଲା ପରେ ବାପା ଓ ମୁଁ ଗୋଟିଏ ଦଳ ଏବଂ ବୋଉ ଆଉ ଗୋଟିଏ ପଟେ ଭାଗ ହୋଇଯାଉ l


—ଏ ପିଲାଟା ଯେମିତି ଦିଶୁଛି ନା ସେମିତି ମୋଟେ ନୁହଁ ।ତାର ସେ ଯୋଉ ମୁହଁ ସେ ଯୋଉ ଆଖି ନଚେଇ କଥା କହିବା ଭଙ୍ଗୀ ଯିଏ ଦେଖିଲେ କହିବ ଟୋକାଟା ଠିକ ନାହିଁ ।ତାର ଆଖି କାନ ନାକ ସବୁ କଥା କହୁଛି l

—ବୋଉ ସେ ଜମା ଦୁଇ ତିନିଥର ଆସିଛି ଏବଂ ତୁମ ମାନଙ୍କର ପାଦ ଛୁଇଁ କଥା ହୋଇ ଚାଲିଗଲା ।ତା ବିଷୟରେ ତୁ ଏତେକଥା କିପରି ଜାଣିଗଲୁ ଯାହା ମୁଁ କିମ୍ବା ବାପା ଜାଣି ପାରିଲୁ ନାହିଁ ?

—ପାଦ ଛୁଇଁ ଦେଲେ କଣ ଜଣକୁ ଭଲ ବୋଲି କୁହାହେବ ? ମୋର କର୍ତ୍ତବ୍ୟ ଥିଲା ତୋତେ ସାବଧାନ କରିଦେବା ସେତିକି ହିଁ କରି

ପାରିବି l


ବୋଉର ଅନିଚ୍ଛା ସତ୍ତ୍ୱେ ବାପାଙ୍କ ସମର୍ଥନ ପାଇ ମୁଁ ସୁଦୀପକୁ ବିବାହ କରିଥିଲି ।ବିବାହ ପୂର୍ବରୁ ମାମୁଁ ଏବଂ ପିଇସା ଯାଇ ସବୁ ଅନୁସନ୍ଧାନ କରି ଆସିଥିଲେ ।ପିଲାଟି ବହୁତ ଭଲ ଏବଂ କୌଣସି ବଦଭ୍ୟାସ ନାହିଁ ତଥା ଉଚ୍ଚ ଶିକ୍ଷିତ ପରିବାରର ଏକମାତ୍ର ସନ୍ତାନ ।ତେଣୁ ଲିଟି ପାଇଁ ଉପଯୁକ୍ତ ପାତ୍ର ବୋଲି ସେମାନେ ସାର୍ଟିଫିକେଟ ଦେଇଥିଲେ ।ସର୍ବୋପରି ମୁଁ ବି ସୁଦୀପ ସହିତ ଗୋଟିଏ ଅଫିସରେ ଚାକିରୀ କରୁଛି ।ମୋ ଠାରୁ ତାକୁ ଅଧିକା ଆଉ କିଏ ଜାଣିଛି ଅବା ।ବାପା ବୋଉଙ୍କର ଆଶୀର୍ବାଦରେ ମୁଁ ସୁଦୀପ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଗଲି ।ଏହାର ତିନି ମାସ ପରେ ବାପା ଏବଂ ବର୍ଷେ ପରେ ବୋଉ ଆରପାରିକୁ ଚାଲିଗଲା l


ପୂର୍ବରୁ କେତେ ବାତ୍ୟା ବିତ୍ପାତ ହୋଇ ଯାଇଥିଲା ।ଫାଇଲିନ ହୁଡହୁଡ ତିତଲୀ, ସବୁ ଥର ବୋଉ ଓ ବାପା ମୋ ସହିତ ଥାଆନ୍ତି ଏବଂ ଆମେ କେହି ବି ସେଇ ସମୟରେ ବାହାରକୁ ବାହାରି ନାହୁଁ ।କିନ୍ତୁ ସର୍ବଶେଷରେ

ଯେଉଁ ବାତ୍ୟାଟି ଆସିଥିଲା ସେ ସମୟରେ ମୋର ବାପା କି ବୋଉ କେହି ବି ମୋତେ ସାହାରା ଦେବାପାଇଁ ମୋ ନିକଟରେ ଉପସ୍ଥିତ ନଥିଲେ ଓ ମୁଁ ଏକାକୀ ସେଇ ତୋଫାନ ମଧ୍ୟ ଦେଇ ସୁଦୀର୍ଘ ପଥଟି ଅତିକ୍ରମ କରିଥିଲି ।ସେଇ ବାତ୍ୟାଟିର ନାମ ଥିଲା ସୁଦୀପ ।ତାର ଅତୀତ ବାତ୍ୟା ଠାରୁ ବି ଅଧିକ ଭୟଙ୍କର ଥିଲା ।ସୁଦୀପ ପୂର୍ବରୁ ବିବାହିତ ଥିଲା ଏବଂ ତାର ପତ୍ନୀ ଏବଂ ଗୋଟିଏ ପୁଅ କାନପୁରରେ ଅଛନ୍ତି ବୋଲି ଅନେକ ଦିନ ପରେ ଜାଣିବାକୁ ପାଇଥିଲି ।ମୁଁ ନିଜେ ଏହାର ଅନୁସନ୍ଧାନ କରି ସତ୍ୟାସତ୍ୟ ଜାଣିବା ପରେ ସୁଦୀପକୁ ଛାଡି ଚାଲି ଯାଇଥିଲି ଓ ଦେଢ଼ ବର୍ଷ ପରେ ଆମେ ଆଇନ ଅନୁଯାୟୀ ଅଲଗା ହୋଇ ଯାଇଥିଲୁ l


ମାଆ ବାପାଙ୍କ କଥା ଗୁଡିକ ଯୁଗୋପଯୋଗୀ ଲାଗେ ନାହିଁ ଲାଗିବ ବି ନାହିଁ ।ଆମ୍ଭ ମାନଙ୍କର ନଜର ଓ ସେମାନଙ୍କର ଦୃଷ୍ଟିଭଙ୍ଗୀ ଅଲଗା ଥିଲେ ମଧ୍ୟ ବର୍ଷ ବର୍ଷ ଧରି ଦୁନିଆକୁ ଗଭୀର ଅନୁଶୀଳନ କରିବାର ଯେଉଁ ଅଭିଜ୍ଞତା ତାହା ଅଳ୍ପ ବୟସ୍କ ବ୍ୟକ୍ତିଙ୍କ ଠାରେ ନଥାଏ ।ଅବଶ୍ୟ ଜୀବନରେ ଥରେ ଠୋକର ଖାଇବା ପରେ ଆମେ ସବୁ କିଛି ଶିଖିଯାଉ ଯେମିତି କି ମୁଁ ଶିଖିଥିଲି ।କିନ୍ତୁ ସାଧାରଣତଃ ଆମେ ସବୁବେଳେ ଉପର ଠାଉରିଆ ଭାବେ ଦୁନିଆକୁ ଦେଖିଥାଉ ଏବଂ ସେମାନେ ବହୁତ ଗଭୀରକୁ ଯାଇଥାନ୍ତି ।ଆମ ପିଢ଼ି ଟା ଭାବ ପ୍ରବଣ ଏବଂ ସେମାନେ ବାସ୍ତବବାଦୀ ।ମୋତେ ସତର୍କ କରାଇବା ପାଇଁ ମୋ ବୋଉ ସିନା ପାଖରେ ନାହିଁ ମାତ୍ର ସିଏ ତାର ଷଷ୍ଠ ଇନ୍ଦ୍ରିୟଟିକୁ ମୋତେ ଦେଇ ଯାଇଛି ।ସେଥିପାଇଁ ଆଜିକାଲି ମୁଁ ଫୁଙ୍କି ଫୁଙ୍କି ବାଟ ଚାଲିବାକୁ ଆରମ୍ଭ କରିଛି l


Rate this content
Log in

Similar oriya story from Inspirational