Padmalaya Padhy

Inspirational

4  

Padmalaya Padhy

Inspirational

ମାୟାରେ ବାୟା

ମାୟାରେ ବାୟା

6 mins
307



ରୋଜି ମୋ ପାଖ ଟେବୁଲରେ ବସି କାମ କରେ । ସିଏ ହିଁ ମୋର ଫେସବୁକରେ ଆକାଉଣ୍ଟଟିଏ ଖୋଲି ଦେଇ କହିଲା


—ଭାଗ୍ୟଶ୍ରୀ ଏଇଟା ହେଉଛି ମାୟାର ଦୁନିଆ । ତୁ କୁଆଡେ ଯିବା ଦରକାର ନାହିଁ । ଘର କୋଣରେ ବସି ସ୍ୱର୍ଗ ସୁଖର ଅନୁଭବ ପ୍ରତ୍ୟକ୍ଷ ରୂପେ ପାଇ ପାରିବୁ । ତୁ ଭୁଲିଯିବୁ ତୋର ସବୁ ଅସୁବିଧା ସୁବିଧା । ଜୀବନକୁ ନେଇ ତୋର ସବୁ ଅଭିଯୋଗ କୁଆଡେ ଉଭେଇ ଯିବ ଦେଖିବୁ ରହ ।


ଫେସବୁକରେ ଧୀରେ ଧୀରେ କେତେ ସାଙ୍ଗ ଜୁଟିଗଲେଣି । ସେମାନଙ୍କ ବିଷୟରେ କେତେ କଥା ଜାଣି ହେଉଛି । ଅଫିସରୁ ଆସି କାମଦାମ ସାରିବା ପରେ ରାତିରେ ଏଗାରଟାରୁ ବାରଟା ମୋର ଫେସବୁକ ଟାଇମ । ସେ ସମୟରେ ମୁଁ ମୋର ସବୁ ଦୁଃଖ ଓ ନୈରାଶ୍ୟ ଭୁଲିଯାଏ । ଲାଗେ ସତେ ଯେମିତି ମୁଁ ଆଉ ଗୋଟିଏ ଦୁନିଆରେ ଅଛି । ମନେ ମନେ ରୋଜିକୁ ଅନେକ ଧନ୍ୟବାଦ ଜଣାଏ । ରୋଜି ନଥିଲେ ମୋତେ ଏଇ ସୁଖର ମାଧ୍ୟମଟି କିଏ ଯୋଗାଇ ଥାଆନ୍ତା ।


ନିଜେ କେବେ ଯାଇ ନଥିଲେ ବି ସେଦିନ ସୁରଭିର ଫଟ ସବୁ ଫେସବୁକରେ ଦେଖି ଦାରଜିଲିଙ୍ଗ ବିଷୟରେ ଜାଣି ପାରିଲି । ବନିତା ସେଦିନ ତାର ଦିଲ୍ଲୀ ଭ୍ରମଣର ଫଟ ଗୁଡ଼ିକ କେତେ ବଢ଼ିଆ ଉଠାଇଥିଲା । ସାମ୍ନା ଘରେ ରହୁଥିବା ମୀନାର ବିବାହ ବାର୍ଷିକୀର ଫଟ ଗୁଡ଼ିକ ଦେଖିଲା ପରେ ମୋ ପାଟିରୁ ଆଉ କଥା ବାହାରିଲା ନାହିଁ । ଏକାବେଳକେ ସ୍ୱିଜରଲାଣ୍ଡ ଯାଇ ମନେଇଛନ୍ତି ସେମାନେ । ହଁ ଆମ ମାନଙ୍କୁ ଏଇଠି ତା ଘରେ ଗୋଟେ ପାର୍ଟି କରି ଡ଼ାକିଥିଲା କିନ୍ତୁ ଗଲେ ତ କିଛି ନା କିଛି ଦେବାକୁ ହେବ ସେଥିପାଇଁ ଗଲିନାହିଁ । ସେଠି ସମସ୍ତେ ତାର ଆଇସିଂ କେକର ପ୍ରଶଂସା କରୁଥିଲେ । କେକ୍ ଖାଇଛି ଯେ ହେଲେ ଆଇସିଂ କେକଟା କେମିତି ଲାଗେ ଜାଣିନାହିଁ ।


ମୋନା ତା ସ୍ୱାମୀ ସହିତ ଗୋଟେ ନାଚ ଭିଡିଓ ପୋଷ୍ଟ କରିଥିଲା ସେଦିନ । ମୋନା ଠାରୁ ତା ସ୍ୱାମୀ ବେଶୀ ଚଳ ଚଞ୍ଚଳ ଲାଗୁଥାଏ । ମୋନାଟା ମୋଟି ହେଇ ଗଲାଣି । ନାଚି ପାରୁନି । ଆଉ ତା ସ୍ୱାମୀ ? ପଚାଶ ଡେଇଁଲେ ବି ଲୋକ ଏତେ ସ୍ମାର୍ଟ କେମିତି ଥାଆନ୍ତି ଯେ ?


ମୋ ଭାଗ୍ୟ ଗଢିଲା ବେଳେ ଭଗବାନ ବୋଧେ ଟିକିଏ ଢୁଲେଇ ପଡ଼ିଥିଲେ କି କଣ । ନହେଲେ ସମସ୍ତଙ୍କ ରାସ୍ତା ସିଧା ସଳଖ ଥିଲା ବେଳେ ମୋ ରାସ୍ତାଟି ଏତେ ବଙ୍କା ଟଙ୍କା କାହିଁକି ? ପୁଣି ସେଇ ଅଙ୍କା ବଙ୍କା ରାସ୍ତାରେ ମୁଁ କୋଉଠି ବି ଥକୁନାହିଁ ମାଡ଼ି ଚାଲିଛି ଯଦିଓ ମନ ଭିତରର ଆଗ୍ନେୟଗିରିଟି କେତେବେଳେ ଉଦଗୀରଣ ହୋଇ ମୋତେ ଭସାଇ ନେବ ସେଇ ବିହିଙ୍କୁ ହିଁ ଜଣା ଯିଏ ମୋର ଏଇ ତେଢ଼ା ମେଢ଼ା ଭାଗ୍ୟଟି ବନେଇଛନ୍ତି । ସବୁବେଳେ ଏମିତି ହିଁ ଲାଗେ ମୋତେ । ଦେଖାହେଲେ ଭାଗ୍ୟ ବିଧାତାଙ୍କୁ ପଚାରି ଥାନ୍ତି ଯେ ମୋତେ ହିଁ ଏମିତି କାହିଁକି କଲେ ।


ମୋ ସ୍ୱାମୀ ସୁବ୍ରତଙ୍କର ପ୍ରାଇଭେଟ ଚାକିରୀ ଥିଲା । ଆଉ ଛଅ ମାସରେ ସରକାରୀ ହେଇ ଯାଇଥାନ୍ତା । କଣ ହେଲା ନା ଆଉ ଚାଲି ପାରିଲେ ନାହିଁ । କହିଲେ ଗୋଡ଼ ହାତ ଥରୁଛି ଚାଲି ପାରୁନି ଲୋ ମୁଁ ମରିଯିବି ଏଥର । କେତେ ଜାଗାରେ ଦେଖେଇଲୁ ସମସ୍ତେ କହିଲେ ଏଇଟା ଭଲ ହେବାର ସମ୍ଭାବନା କମ କିନ୍ତୁ ଚେଷ୍ଟା କରା ଯାଇପାରେ । ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । କୋଉଠୁ ଆଣିବୁ ଆମେ ? ଧୀରେ ଧୀରେ ସେ ଆଉ ଚାଲି ପାରିଲେନି । ଏବେ ହୁଇଲ ଚେୟାର ହିଁ ସାହାରା । ଭଲ ଲୋକଟାର ହଠାତ କଣ ଏମିତି ହୋଇଗଲା ଯେ ? ବେଳେ ବେଳେ ମୁଁ ବୁଝି ପାରୁନି ମୋ ଚାରି ପାଖରେ କଣ ସବୁ ଘଟି ଯାଉଛି ।


ସେ ବସିଗଲା ପରେ ମୁଁ ବାହାରିଲି ବାହାରକୁ । ମୁଁ ଗଲେ ବୁବୁନକୁ ସମ୍ଭାଳିବ କିଏ ? ସେଠୁ ଶାଶୁଙ୍କୁ ଆଣି ରଖିଲୁ ପାଖରେ । ତାଙ୍କୁ ସତୁରି ଉପରେ ହେଲାଣି । ସିଏ ପୁଣି ନାତିକୁ ସମ୍ଭାଳିବେ । ମୋତେ ବି ଖରାପ ଲାଗେ । କଣ କରିବି ଆଉ । ସେ ଯାହିତାହି କଷ୍ଟେ ମଷ୍ଟେ କଣ ଦିଟା ଫୁଟାଇ ପୁଅ ଓ ନାତିକୁ ଖୁଆଇ ଥାନ୍ତି । ମୁଁ ଆସିଲା ବେଳକୁ ଗୁଡ଼ାଏ ଅଇଁଠା ବାସନ ଘରର ସବୁ ଏଣେ ତେଣେ ଅସ୍ତ ବ୍ୟସ୍ତ ହୋଇ ପଡ଼ିଥିବ । ବୁବୁନକୁ ଦେଖିଲା ବେଳକୁ ତା ମୁହଁରେ ଡ଼ାଲି ଗୁଡ଼ାକ ଶୁଖିକି ଲାଗିଥିବ । ଶାଶୁଙ୍କୁ କିଛି କହି ହେବନି ତାଙ୍କୁ ତ ଭଲ ଦେଖା ଯାଉନି । ପିଲାଟାର ଯତ୍ନ ନେବାକୁ କେହି ନାହିଁ । ଅନାଥଙ୍କ ପରି ବଢ଼ୁଛି ।


ମୋର କଲେଜ ବେଳର ସାଙ୍ଗ ହେମାର ପୁଅଟା ଦେଖିବାକୁ ଆମ ବୁବୁନ ପରି ହେଲେ ବି ପୁରା ରାଜକୁମାର ପରି ହେମା ତାକୁ ସଜେଇ ରଖିଛି । ସଫା ସୁତରା ଫିନ ଫିନ ସାର୍ଟ ପ୍ୟାଣ୍ଟ ଯେମିତି ଜୋତା ବି ସେମିତି ଚକାଚକ । ହେମା ଦିନକୁ ତା ପୁଅର ଦଶ ପନ୍ଦରଟା ଫଟ ଛାଡୁଥିବ । କେମତି ନା ତା ପୁଅକୁ ଏମିତି ସଫା ସୁନ୍ଦର କରି ରଖି ପାରୁଛି କେଜାଣି ।


ସୁବ୍ରତଙ୍କ ଗୋଡ଼ରେ ତେଲ ଘଷୁ ଘଷୁ ତେଲ ଗିନାଟି ଫୋପାଡ଼ି ଦେଇ ବହୁତ କାନ୍ଦିଥିଲି ସେଦିନ । ସୁବ୍ରତ ଭାବିଲେ ଯେ ମୁଁ ତାଙ୍କ କଥା ଭାବି କାନ୍ଦୁଛି ବୋଲି ।


—ଜାଣିଛ ନା ପଲ୍ଲବୀର ଝିଅ ମାଥସ ଅଲମ୍ପିୟାଡ଼ରେ ଫାଷ୍ଟ ହେଇଛି । ସେ ପ୍ରାଇଜ ନେବାର ଲାଇଭ ଭିଡିଓ ପଲ୍ଲବୀ ଛାଡ଼ିଛି । କେତେ ଭାଗ୍ୟ ତାର । ଆଉ ଆମ ବୁବୁନକୁ ତିନି ବର୍ଷ ଚାଲିଲାଣି ପାଠ ଆରମ୍ଭ ହୋଇନାହିଁ । କେତେବେଳେ ମୋର ସମୟ ଅଛି କହୁନ ? କେତେ କୁଆଡେ ଦଉଡିବି ଆଉ ? କେତେବେଳେ କୋଉ କାମ କରିବି ବୁଝି ହେଉନାହିଁ ।


—ଶୁଣ ଶ୍ରୀ ! ସବୁ ତୁମ ମାଇଣ୍ଡ ଉପରେ ହିଁ ନିର୍ଭର କରୁଛି । ତୁମେ ଯେମିତି ଭାବୁଛ ସେମିତି ଦେଖିବାକୁ ଆରମ୍ଭ କରୁଛ । ତୁମ ମାଇଣ୍ଡ ବଦଳାଇ ଦିଅ ତୁମର ଦୃଷ୍ଟିଭଙ୍ଗୀ ବି ବଦଳି ଯିବ ।


ସୁବ୍ରତ ତ କହିଦେଲେ ହେଲେ ପୁଣି ସେଇ ଏକା କଥା କେମିତି କଣ କରିବି ମୁଁ ତ ଜଣେ ଲୋକ । ମୋ ପିଲା କଣ ପାଠ ପଢ଼ି ପାରିବନି ? ଆଜିକାଲି ମୋତେ ସବୁ କଥାରେ ବହୁତ ହତାଶ ଲାଗୁଛି । ଲାଗୁଛି ମୋର ସମୟ କମ କାମ ବେଶୀ କରିବାକୁ ଏଣେ ବଳ ନାହିଁ । ଜାଣେନି କାହିଁକି ଏମିତି ହେଉଛି । ସୁବ୍ରତ କହିଲେ ମାଇଣ୍ଡ ବଦଳାଇବା ପାଇଁ । ଛାଡ଼ ତୁଚ୍ଛା ଉପଦେଶରେ କଣ ଅଛି । ଯିଏ ସୁଖୀ ସିଏତ ସୁଖୀ ଆଉ ଯିଏ ଦୁଃଖୀ ସିଏ ଆଜନ୍ମ ଦୁଃଖୀ ଏହା ହେଲା ଚିରନ୍ତନ ସତ୍ୟ । ତେଣୁ ଆଜିକାଲି ଆଉ କାହା ସାଙ୍ଗେ ଦେଖା କରିବାକୁ ମାନ ହେଉନାହିଁ । ସୁବ୍ରତଙ୍କ କଥା ପଚାରି ପଚାରି ଲୋକ ମୋତେ ପାଗଳ କରିଦେବେ ।


ସେଦିନ ହଠାତ ରାସ୍ତାରେ ସ୍କୁଲ ବେଳର ସାଙ୍ଗ ମୀରା ସହିତ ଦେଖା ହୋଇଗଲା । ଅନ୍ୟ ସାଙ୍ଗ ମାନଙ୍କ କଥା ପଡ଼ିଲା । ମୁଁ କହିଲି ପଲ୍ଲବୀର ଝିଅଟା ଭଲ ପଢ଼ୁଛି କେତେ ପ୍ରାଇଜ ସବୁ ପାଉଛି । କିନ୍ତୁ ମୀରାର ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହେଲି । ସେ ଝିଅଟି ପୁଣି ତା ସ୍ୱାମୀର ପ୍ରଥମ ସ୍ତ୍ରୀର ଝିଅ । ପଲ୍ଲବୀ ଦ୍ଵିତୀୟ ପକ୍ଷ । ଟିକିଏ ହଡବଡ଼େଇ ଗଲି ସିନା ଭାବିଲି ଯାହା ହେଉ ସାବତ ମାଆ ହୋଇ ବି ଝିଅକୁ ଭଲ ଭାବେ ପାଳି ପାରିଛି । କେତେଦିନ ପରେ ଆହୁରି ବି ଶୁଣିଲି ଯେ ଆମ ସାମ୍ନା ଘରର ମୀନା ସ୍ୱିଜରଲାଣ୍ଡ ଯାଇ ନଥିଲା । ସିମଲା ଯାଇ ସେ ତାର ବିବାହ ବାର୍ଷିକୀ ପାଳନ କରିଥିଲା । କଲୋନୀର ଜାଣିବା ଶୁଣିବା ଆଣ୍ଟି ମାନେ କହିଲେ ସିମଲାରେ ବି ସେମିତି ଆଧୁନିକ ହୋଟେଲ ସବୁ ରହିଛି ଯାହାକୁ ଦେଖିଲେ ବିଦେଶୀ ହୋଟେଲର ଭ୍ରମ ହୁଏ । ମୁଁ ନା ସିମଲା ଯାଇଛି ନା ସ୍ୱିଜରଲାଣ୍ଡ । ଯିଏ ଯାହା କହିଲେ ଆଁ କରି ଶୁଣିବା କଥା । ଏଥର କିନ୍ତୁ ସୁବ୍ରତଙ୍କ କଥା ଶୁଣିବି ବୋଲି ଠିକ କଲି ।


ଆଜିକାଲି ଆଉ ମୁଁ ଫେସବୁକ ହ୍ୱାଟ୍ସଅପ ଇନଷ୍ଟା କିଛି ବି ଦେଖୁନି । କଷ୍ଟ ହେଉଛି ସତ କିନ୍ତୁ ରାତି ଏଗାରଟା ରୁ ବାରଟା ମୋର ସେଇ ଯୋଉ ମହାର୍ଘ୍ୟ ମୁହୂର୍ତ୍ତଟି ମୁଁ ସୁବ୍ରତଙ୍କ ସାଙ୍ଗେ କଥା ହୋଇ କଟାଇ ଦେଉଛି । ଲୋକଙ୍କ ସହିତ ମିଶିବା ଯୋଗୁଁ ଆମ ଅଫିସର ନିରଞ୍ଜନ ବାବୁଙ୍କ ପୁଅ ବାଙ୍ଗାଲୋରରେ ନ୍ୟୁରୋ ଡକ୍ଟର ଅଛି ବୋଲି ଜଣା ପଡ଼ିଲା । ନିରଞ୍ଜନ ବାବୁ ମୋଠୁ ସବୁ ରିପୋର୍ଟ ନେଇ ତାଙ୍କ ପୁଅ ପାଖକୁ ପଠାଇ ଥିଲେ । ସେ ସବୁ ଦେଖି ସାରି କହିଲା ଯେ ସୁବ୍ରତଙ୍କର ଭଲ ହେବାର ଆଶା ଅଛି । କିନ୍ତୁ ଖର୍ଚ୍ଚ ବେଶୀ ହେବ । ବଡ଼ ଭାଇ କହିଛନ୍ତି କିଛିଟା ସାହାଯ୍ୟ କରିବେ ବୋଲି । ଆଉ କେତୋଟି ବଦାନ୍ୟ ସଂସ୍ଥା ବି ସାହାଯ୍ୟର ହାତ ବଢ଼ାଇଛନ୍ତି । ଦେଖାଯାଉ କଣ ହେଉଛି । ବୁବୁନର ସ୍କୁଲ ବସ ଠିକ କରିଛି । ଆସନ୍ତା ମାସ ଠାରୁ ସିଏ ସ୍କୁଲ ଯିବ । 


ଫେସବୁକରେ ଶହ ଶହ ସଂଖ୍ୟାରେ ନୋଟିଫିକେସନ ଆସି ଖୋଲା ନହୋଇ ପଡ଼ି ରହିଛି । ଅଳ୍ପ କେତୋଟି ବିଷୟକୁ ଛାଡ଼ିଦେଲେ ମୁଁ ଆଉ ବେଶୀ ବ୍ରାଉଜିଂଗ କରୁନାହିଁ । ଯେଉଁ ମାନଙ୍କ ଫଟୋ ଦେଖି ମୁଁ ନିଜ ଭାଗ୍ୟକୁ ନିନ୍ଦୁଥିଲି ସେମାନେ ସାମ୍ନା ସାମନି ହେଲା ପରେ ଅତି ସାଧାରଣ ଲାଗିଥିଲେ ମୋତେ । ଏମାନେ କଣ ମୋର ସ୍ବପ୍ନର ନାୟକ ନାୟିକା ? ଫଟରେ ତ ସମସ୍ତେ ସୁନ୍ଦର ସମସ୍ତେ ଭାଗ୍ୟବାନ ଲାଗୁଥିଲେ । ଫଟ ପଛରେ ସମସ୍ତେ ଜଣେ ଜଣେ ସୁଖ ଦୁଃଖ ମିଶ୍ରିତ ସାଧାରଣ ମଣିଷ ଏବଂ ଅସାଧାରଣ କେହି ବି ନାହିଁ । ମଣିଷ ମାନଙ୍କ ସହିତ ମିଶିଲେ ହିଁ ସାହାଯ୍ୟ ସହାନୁଭୂତି ମିଳିବ ବୋଲି ଏଣିକି ମୋର ହୃଦୟଙ୍ଗମ ହେଲାଣି ।


—ମାଡ଼ାମ ଶ୍ରୀକୃଷ୍ଣ ନଗର ଆସିଗଲା ।


ହଠାତ ଅଟୋବାଲାର ପାଟିରେ ମୁଁ ଭାବନା ରାଜ୍ୟରୁ ଫେରି ଆସିଥିଲି । ମୋ ଘର ହୋଇଗଲା ଓଲ୍ହାଇବା ପାଇଁ ଡ଼ାକୁଛି ସେ । ଓଲ୍ହାଇ ଆସି ଘର ଭିତରକୁ ଗଲା ବେଳେ ବୁବୁନର ଅଇଁଠା ମୁହଁରେ ଆସି ମୋତେ ଚୁମା ଦେବା କି ସୁବ୍ରତଙ୍କର ଶ୍ରୀ ଶ୍ରୀ ଡ଼ାକ କିମ୍ବା ଶାଶୁଙ୍କର ରୋଷେଇ ଘରେ ବାସନ ଏଣେ ତେଣେ ପକାଇବା ଘଟଣା ମୋତେ ଆଉ ଖରାପ ଲାଗୁ ନଥିଲା । ମୁଁ ଭାବୁଥିଲି ଆଜିର ତାରିଖରେ ମୁଁ ସବୁଠାରୁ ଭାଗ୍ୟବାନ । ମୋ ଛୁଆର ଅନାବିଳ ସ୍ନେହ ମୋ ଶାଶୁଙ୍କର ନିରବଛିନ୍ନ କର୍ତ୍ତବ୍ୟ ଏବଂ ଦିନ ଦିନ ଧରି ହୁଇଲ ଚେୟାର ସାହାରାରେ ରହିବା ସତ୍ତ୍ୱେ ବି ମୋ ସ୍ୱାମୀଙ୍କର ପିଲାଙ୍କ ପରି ମୋତେ ହିଁ ଚାହିଁ ବସିବା ଭାଗ୍ୟରେ ଥିଲେ ମିଳେ ନାହିଁକି ?


Rate this content
Log in

Similar oriya story from Inspirational