Padmalaya Padhy

Inspirational Others

4.0  

Padmalaya Padhy

Inspirational Others

ପିଢ଼ି

ପିଢ଼ି

6 mins
169



ଅନେକ ଦିନ ପରେ ହେଉଥିବା ବନ୍ଧୁ ମିଳନରେ ସେଇ ଚାରି ଜଣଙ୍କ ଛଡା ଆଉ କାହାର ଦେଖା ନଥିଲା l ରେଖା, ସମ୍ବିତା, କାମିନୀ ଓ ରୋହିଣୀ l ଚିରାଚରିତ ଢ଼ଙ୍ଗରେ ସେମାନେ ରେସଟୁ୍ରାଣ୍ଟର ଗୋଟିଏ କୋଣରେ ସ୍ଥାନ ଗ୍ରହଣ କରି ନେଇଥିଲେ l ଚାରି ଜଣ ଯାକ ଗୋଟିଏ ଗୋଟିଏ ମାଆର ଭୂମିକା ମଧ୍ୟ ନିଭାଉ ଥିଲେ l ସୁତରାଂ ସବୁ କଥାବାର୍ତ୍ତା ଘୁରି ଘୁରି ଆସି ନିଜ ପିଲାଙ୍କ ଉପରେ କେନ୍ଦ୍ରୀଭୂତ ହେଉଥିଲା l


ରେଖାର ଦୁଇ ପୁଅଙ୍କ ଭିତରୁ ଜଣେ କ୍ୟାମ୍ପସରେ ପାଇ ଏବେ କାନାଡ଼ାରେ ଅବସ୍ଥାପିତ l


—ବୁନୁ ଏବେ କାନାଡ଼ାରେ ମୁଁ କିନ୍ତୁ ଖୁସି ହୋଇ ପାରୁନାହିଁ l ସିଏ ତ ଗଲା ଯେ ଗଲା l


ରେଖା କଥା ଶୁଣି ସମ୍ବିତା କହିଲା


—ତୋର ଏଇ ଯୋଉ ରଗଡ଼ି କରି କଥା କହିବା ଅଭ୍ୟାସ ନା କହିଲା କଣ ନା " ସିଏ ତ ଗଲା l କୁଆଡେ ଗଲା ଲୋ ? ହାତୀ ବଣରେ ରହିଲେ ବି ରଜାଙ୍କର l ଆଉ କୁନୁ ଏବେ କଣ କରୁଛି ?


—ସିଏ ଥାଇକି ବି ନଥିଲା ପରି l କେବଳ ଖାଇବା ସମୟରେ ଆମର ତାର ଦେଖା ସାକ୍ଷାତ l ବିଶ୍ୱାସ କର ଏଥିରେ ତା ବାପାଙ୍କୁ କିଛି ଫରକ ପଡ଼େନା l ସେ କହନ୍ତି ଏମିତି ପୁଣି ଏଇ ଜେନେରେସନରେ ସମସ୍ତେ କରନ୍ତି l ମାନେ ବାପା ମାଆଙ୍କ ଭୂମିକା କାଳେ ଗୌଣ ହୋଇଯାଏ l ମୋ ମନ କିନ୍ତୁ ମାନେନା l କୁନୁକୁ ଡ଼ାକି ଜବରଦସ୍ତି ପାଖରେ ବସାଇ ତାର କଲେଜ ସାଙ୍ଗ ସାଥି ପଢ଼ା ପଢ଼ି କଥା ହେଲେ ସେ ଏମିତି ମୁହଁ କରିବ ଯେ ସତେ ଯେପରି ତାକୁ ଦୁନିଆ ଯାକର ନିଦ ମାଡ଼ି ବସୁଛି l ରୁମକୁ ଗଲେ ତାର ନିଦ ଛାଡ଼ିଯାଏ ଏବଂ ଦୁନିଆ କାମରେ ମାତିଯାଏ l ଇଏ ବି ଗଲା l


ରୋହିଣୀ ସେଇଠୁ ଆରମ୍ଭ କଲା


—ମୋ ଝିଅ ବି ତାର ପାଠ ନାଚ ଏବଂ ସାଙ୍ଗ ମାନଙ୍କୁ ନେଇ ବ୍ୟସ୍ତ ତ କଣ ହୋଇଗଲା ସେଇଠୁ ? ଏଥର ଛୁଟିରେ ସିଏ କହୁଛି ଘରକୁ ଆସିବ ନାହିଁ l ତାର ଗୋଟେ ସାଙ୍ଗ ଘରେ ରହି କଣ ପ୍ରୋଜେକ୍ଟ ତିଆରି କରିବ l ହଁ ମନଟା ଟିକେ ଖରାପ ଲାଗିଲା l ନିଜ ଘରେ ରହି କଣ ପ୍ରୋଜେକ୍ଟ ହେଇ ପାରିବନି ? କଣ କରିବା ଆଉ ? ଆମେ ହିଁ ତ ସେମାନଙ୍କୁ ଉଡ଼ିବା ପାଇଁ ଡ଼େଣା ଦେଇଥିଲେ ନା ? ଆଉ ଏବେ କହିବା ଚୁପଚାପ ଘରେ ବସି ରହ ବୋଲି ସେମାନେ କଣ ଶୁଣିବେ ?


ସମ୍ବିତାର ସମସ୍ତଙ୍କ କଥା ଶୁଣି ବ୍ୟସ୍ତ ହୋଇଯିବା ଅଭ୍ୟାସ l ରୋହିଣୀକୁ ପଚାରିଲା


—ତୁ ଯୋଉ କଥା ଆମ ସାମ୍ନାରେ କହିଲୁ ସେଇ କଥା ତୋ ଝିଅକୁ ପଚାରିଲୁ ନାହିଁ କାହିଁକି ? ବାପା ମାଆ ମାନେ ପିଲାଙ୍କ ସହ ସାମ୍ନା ସାମନି କଥା ହେବା ଦରକାର l ଜାଣୁ ଗୋଟିଏ ବୟସ ପରେ ସେମାନେ ପରା ସାଙ୍ଗ l ତାଙ୍କ ସହିତ ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର କରିବା ଦରକାର l


—ଆଉ ଆମେ ତ ପିଲାଦିନେ ମାଡ଼ ଖାଇ ଖାଇ କୁରୁମ ହୋଇ ଯାଉଥିଲେ l ଆମ ବୋଉ ମାନେ ପାଞ୍ଚ ଛଅଟା ଛୁଆଙ୍କୁ ସମ୍ଭାଳି ସମ୍ଭାଳି ଆକ୍ରାନ୍ତ ଆଉ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପୁଣି ଦେଖାଇବେ ? କିନ୍ତୁ ଆମ ସମୟରେ ବାପା ମାଆଙ୍କ ସହିତ ଆମର ଯୋଉ ବଣ୍ଡିଂଟା ଥିଲା ନା ଆମ ପିଲାଙ୍କ ସହିତ ଯେତେ ସାଙ୍ଗ ଭଳି ବ୍ୟବହାର କଲେ ବି ସେଇ ବଣ୍ଡିଂ ଆଉ ଆସିବ ନାହିଁ l ମାନେ ଗୋଟେ ଭାବାତ୍ମକ ସମ୍ବନ୍ଧ l ଏକ ନିଶ୍ୱାସରେ କହି ଦମ ନେଲା କାମିନୀ l


—ହାତ ଉଠାଇବା ତ ଦୂରର କଥା l ବଡ଼ ପାଟିରେ କଣ ଟିକେ କହିଦେଲେ ପୁଣି ମୋ ଝିଅର ସେଣ୍ଟିମେଣ୍ଟକୁ ବାଧିଯାଏ l ମୁଁ ପୁଣି ତା ବାପାଙ୍କ ପରି ନୁହେଁ l ମୁଁ ଗୋଟେ ବଦରାଗୀ ଏବଂ କଡ଼ା ମିଜାଜର ମାଆ ବୋଲି ଝିଅ ତା ସାଙ୍ଗ ମାନଙ୍କୁ କହେ l ସେ ନିଜେ ନକହିଲେ ବି ମୁଁ ଜାଣେ ସିଏ ସେଇଥିପାଇଁ ଖରା ଛୁଟିରେ ଘରକୁ ଆସୁ ନାହିଁ l କୌଣସି ପ୍ରକାର ତାଗିଦକୁ ସିଏ ପସନ୍ଦ କରେ ନାହିଁ l ଆଉ ଦେଖ ଆମ ପିଲା ହଷ୍ଟେଲରେ ଯେମିତି ଚଳୁଥିଲେ ଆମ ପାଖକୁ ଆସିଲେ ବି ଆମେ ସେମାନଙ୍କୁ ସେମିତି ଚଳିବାକୁ ଦେବା କି ? ଏଇ ଯେମିତି ହଷ୍ଟେଲରେ ଫାଷ୍ଟ ଫୁଡ଼ ଖାଇ ଶୋଇଗଲେ ଚଳୁଥିଲା ବୋଲି ଘରେ କଣ ମୁଁ ସେମିତି ଖାଇବାକୁ ଛାଡ଼ିଦେବି ? ହଷ୍ଟେଲରେ ଶୋଇବାରେ ଡ଼େରି ହେଉଥିଲା ବୋଲି ଘରେ ବି ସେମିତି ରାତି ଦୁଇଟା ଯାଏଁ ତାକୁ ମୁଁ ମୋବାଇଲ ଧରି ବସିବାକୁ  ଦେବି ?


ରୋହିଣୀ କଥା ସରୁ ସରୁ ସମ୍ବିତା କହିଲା


—ଆଚ୍ଛା ଗୋଟେ କଥା କହିଲୁ ଆମେମାନେ ପିଲାଙ୍କ ପ୍ରତି ଟିକେ ଅଧିକା କଟକଣା ଲଗାଉ ନାହୁଁ କି ? ଅନୁଶାସନ ନାଁ ରେ ଏଇଟା କରନା ସେଇଟା କରନା ଇତ୍ୟାଦି ବାରଣ କରି କରି ଫଳ କଣ ହେଉଛି ନା ସେମାନେ କ୍ରମଶଃ ଆମ ଠାରୁ ଦୁରେଇ ଯାଉଛନ୍ତି l କିନ୍ତୁ ଆଜିକାଲି ଯୁଗ ଯେମିତି ନା l ଟିକିଏ ହାତ ଛାଡ଼ିଦେଲେ କଣ ନା କଣ କରି ବସିବେ ଏମାନେ l


—ଆମେ ବୋଉଠୁ ଯେତେ ମାଡ଼ ଖାଇଲେ ବି ବୋଉ ପାଖେ ଶୋଇବା ପାଇଁ ପ୍ରତିଯୋଗିତା ଚାଲେ ଆମ ଭାଇ ଭଉଣୀଙ୍କ ଭିତରେ l ଅଥଚ ମୋ ପୁଅ ମାନଙ୍କୁ ତ ଜନ୍ମରୁ ଅଲଗା ଅଲଗା ରୁମ ଦରକାର ଏବଂ ପ୍ରାଇଭେସି ଦରକାର l ସବୁଥିରେ ଅଙ୍କୁଶ ଲଗାଇବା ଯୋଗୁଁ ଥରେ ଗଲେ ତ ଗଲେ ଆଉ ବାପା ମାଆକୁ ଫେରି ଚାହିଁବାକୁ ବି ସେମାନଙ୍କର ମନେ ପଡ଼େନି ଲୋ l କହୁ କହୁ କାନ୍ଦି ପକାଇଲା ରେଖା l


ଅନ୍ୟ ତିନିଜଣ ତାକୁ ଆସି କୁଣ୍ଢେଇ ପକାଇଲେ l


—ଆଲୋ କାନ୍ଦନା ଦେଖ ତୋତେ ମୋ ରାଣ l ଆମେ ସମସ୍ତେ ସେଇ ଗୋଟିଏ ନାଆର ଯାତ୍ରୀ l ସମସ୍ତଙ୍କ ଦଶା ସମାନ l ସେମାନଙ୍କୁ ଯୁଗୋପଯୋଗୀ କରିବା କଣ ଆମର ଭୁଲ l ନହେଲେ ସେମାନେ ଅନ୍ୟ ମାନଙ୍କ ଠାରୁ ପଛରେ ପଡ଼ି ଯିବେ ଯେ l ଅନ୍ୟ ପକ୍ଷରେ ଜନ୍ମ କରି ପିଲା ମାନଙ୍କୁ ବେଶୀ ସ୍ୱାଧୀନତା ଦେଇ ଅବାଟକୁ ବି ଯିବାକୁ ଛାଡ଼ି ପାରିବାନି ? ବାପା ମାଆ ହୋଇ ସେମାନଙ୍କୁ ସୁଧାରିବା ତ ଆମର କର୍ତ୍ତବ୍ୟ l ବେଶୀ ସ୍ନେହ ଦେଖାଇ ବେଶୀ ଗେଲବସର କଲେ ଯେତେବେଳେ ବାହାରେ ମୁହଁ କଳା କରି ଫେରିବେ ସେତେବେଳେ ତ ଆମ ନାଁ ହିଁ ପଡ଼ିବ ନା ? ପୁଣି ଆମେ ଢ଼ିଲା ଦେଲେ ସେମାନେ ବର୍ବାଦ ହୋଇଯିବେ ସେଇଟା ବି ଅଛି l ମୋର ଦୁଇଟି ଯାକ ଝିଅ ଏବେ ସିନା ଆମ ସହିତ ରହୁଛନ୍ତି ଆଉ ଦୁଇ ଚାରି ବର୍ଷ ପରେ କଣ ହେବେ କିଏ ଜାଣେ l ସବୁ ସେଇ ଭଗବାନଙ୍କ ଇଛା l


ସମ୍ବିତା କଥାରେ ରେଖା ସାମାନ୍ୟ ଆଶ୍ୱସ୍ତ ହେଲା ପରି ଲାଗିଲା l ହେଲେ ସମସ୍ତେ ତାଙ୍କ ପିଲା ମାନଙ୍କ କଥା କହି ସାରିଲେଣି କିନ୍ତୁ କାମିନୀ କିଛି କହୁ ନଥାଏ l ରୋହିଣୀ କହିଲା


—କାମିନୀ ଏଥର ତୁ କହ l ତୋର ତ ଗୋଟିଏ ପୁଅ ଏକୋଇର ବଳା ବିସିକେଶନ ହେଇଥିବ l


କାମିନୀ କିଛି ନକହି ଚୁପ ରହିଲା l ରୋହିଣୀ ପୁଣି ଥରେ ପଚାରିଲା l


—କଣ ହେଲା ଲୋ ତୋର ମୁହଁ କାହିଁକି ଶୁଖି ଯାଇଛି ?


—ମୋ ପୁଅ ବିଷୟରେ କହିବାକୁ କିଛି ନାହିଁ ତେଣୁ…l ତୁମ ପିଲା ମାନଙ୍କ ପରି ନା ସିଏ କ୍ଲାସରେ ଫାଷ୍ଟ ହେଉଛି ନା ଆଉ କୋଉଥିରେ କିଛି ପାରଦର୍ଶିତା ଅଛି ତାର l


—ହଉ କ୍ଲାସରେ ଫାଷ୍ଟ ନହେବା ପିଲା କଣ ମଣିଷ ନୁହେଁ ? ଆମେ କେବେ କ୍ଲାସରେ ଫାଷ୍ଟ ହେଉଥିଲେ କି ? ପୁଣି ଘର ସଂସାର କରି କର୍ତ୍ତବ୍ୟ ନିଭାଇ ଚାଲିଛୁ କିପରି l ଆମେ କାହିଁକି ଗୋଟେ ମଣିଷ ପିଲାକୁ ପାଠର ମାପକାଠିରେ ତଉଲିବା କହିଲୁ l ପାଠ କଥା ଛାଡ଼ l ଆଉ କଣ ସବୁ ତା ବିଷୟରେ କହ l ଭବିଷ୍ୟତରେ କଣ ହେବାର ଲକ୍ଷ୍ୟ ରଖିଛି ସିଏ l


—ମୋ ପୁଅ ପାଠ ବି ପଢ଼େ ନାହିଁ କଲେଜ ବି ଯାଏ ନାହିଁ l ସାଙ୍ଗ ମାନଙ୍କ ସହିତ ପିଆପିଇ କରେ ଏବଂ ଝିଅ ମାନଙ୍କୁ ବି ହଇରାଣ ହରକତ କରିବାର ଗୋଟେ ଦିଟା ଅଭିଯୋଗ ଘରକୁ ଆସି ସାରିଲାଣି l


କାମିନୀ କଥା ଶୁଣି ଅନ୍ୟ ତିନିଜଣ ଆଁ କରି ତାକୁ ଦେଖୁଥିଲେ l ସତେ ଯେପରି ସେମାନେ ଅନ୍ୟ ଏକ ଦୁନିଆରେ ଆସି ପହଞ୍ଚି ଯାଇଛନ୍ତି l କାମିନୀ ଏ କଣ କହୁଛି l ସେଦିନର କଡ଼ା କ୍ଲାସ ମନିଟର କାମିନୀ ଆଜି ନିଜ ବିଫଳ ମାତୃତ୍ୱର ଗାଥା ଗାଉଛି l କଣ ସବୁ ବିଗିଡି ଯାଏ ମଣିଷ କଣ ପୂର୍ବରୁ ଜାଣିଥାଏ l ସମସ୍ତଙ୍କର ନଜର କାମିନୀ ଆଡ଼େ l ଟିକେ ରହି କାମିନୀ ପୁଣି ଆରମ୍ଭ କଲା l


—ପ୍ରଥମେ ତାର କୁକର୍ମ ଗୁଡିକୁ ମୁଁ ତାର ବାପାଙ୍କ ଠାରୁ ଲୁଚାଉ ଥିଲି l କିନ୍ତୁ ନେଡି ଗୁଣ କହୁଣୀକୁ ବୋହି ଯିବାରୁ ତାଙ୍କ କାନକୁ ବି କଥା ଯାଇ ବାଡ଼ିଆ ପିଟା ଯାଏଁ ପହଞ୍ଚିଲା l କିନ୍ତୁ ସୁଧାରିବାର ସମୟ ବହୁତ ଆଗରୁ ଚାଲି ଯାଇଥିଲା l ଆଜିକାଲି ମୁଁ ତ ମୁଁ ସିଏ ତାର ବାପାଙ୍କୁ ବି ହାତ ଉଠାଇବାକୁ ପଛଉ ନାହିଁ l ଏଣିକି ତ ଘରକୁ ଯିବାକୁ ଡ଼ର ମାଡ଼ିଲାଣି l କେତେବେଳେ ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଯିବ ବୋଲି ପଇସା ମାଗିଲାଣି ତ କେତେବେଳେ ପାର୍ଟି କରିବା ପାଇଁ ପଇସା ଦରକାର l ତା ବାପା ତ ଠିକ କରି ସାରିଲେଣି ସ୍ବେଛାକୃତ ଅବସର ନେଲା ପରେ ଆମେ ଦୁହେଁ ଗୋଟେ ଆଶ୍ରମକୁ ଚାଲି ଯିବୁ l ସିଏ ତାର ଯାହା କରୁଛି କରୁଥାଉ l


—ଏବେ ମୁଁ କାନ୍ଦୁ ନାହିଁ କି ଦୁଃଖ ମଧ୍ୟ କରୁନାହିଁ l ପୁଅର ଏପରି କାମ ଦେଖି ପ୍ରଥମେ ପ୍ରଥମେ ଢ଼େର କାନ୍ଦିଥିଲି ଏବେ ଆଉ ଆଖିରେ ଲୁହ ହିଁ ନାହିଁ

ମୋର l


ଚାରି ଜଣ ଯାକ ବାନ୍ଧବୀ ଚୁପଚାପ ଥିଲେ ବୋଧେ ମନେ ମନେ ପରସ୍ପରର କପାଳ ଲିଖନ ଗୁଡିକୁ ତର୍ଜମା କରୁଥିଲେ l ବେଶୀ ଶାସନ କଲେ ଜନ୍ମିତ ସନ୍ତାନଟି ଦୁରେଇ ଯାଏ ପୁଣି ବେଶୀ ପ୍ରଶ୍ରୟ ଦେଲେ ପାଖରେ ରହି ଜନ୍ମଦାତାଙ୍କ ଜୀବନକୁ ନର୍କ କରିଦିଏ l


ଭଲକୁ ଭଲ ମିଳେନାହିଁ କାହିଁକି ପୁଣି ବେଳେ ବେଳେ ଯେତେ ଭଲ ମିଳିଲେ ବି କିଛି କିଛି ଅପ୍ରାପ୍ତି ରହିଯାଏ l ମନକୁ କେବେ ପୂରେ ନାହିଁ l ଅଳ୍ପ କିଛି ମିଳିଯାଇ ବହୁତ କିଛି ନମିଳିବାର ଅଭାବଟିକୁ ଛୁଞ୍ଚି ଭଳି ଅହରହ ଫୋଡୁ ଥାଏ l ଏହା ହିଁ ତ ଜୀବନ l ସବୁ ମିଳିଗଲେ ଆଉ ଭଗବାନଙ୍କୁ କିଏ ପୁଜିଥାନ୍ତା କି l ସବୁ ପାଇଗଲା ପରେ ଆଖି ଭିତରେ ଆଉ ଲୁହ ବୁନ୍ଦାଟିର କାମ କଣ ? ବିଚ୍ଛେଦ ନଥିଲେ ମିଳନର ସ୍ପୃହା ରହନ୍ତା ନା ବିରହ ନଥିଲେ ପ୍ରେମରେ ମଧୁରତା ଥାଆନ୍ତା l ଜୀବନଟିଏ ମିଳିଛି ତାକୁ ବୋହି ବୋହି ଚାଲିଥିବା l କିଏ କେମିତି ବୋହି ଚାଲିଛି l କାହାକୁ ଓଜନ ଲାଗୁଛି ତ କାହାକୁ ଜୀବନଟା ହାଲକା ଲାଗୁଛି l


Rate this content
Log in

Similar oriya story from Inspirational