Padmalaya Padhy

Others

4  

Padmalaya Padhy

Others

ମୃତ୍ୟୁର ପାଖା ପାଖି

ମୃତ୍ୟୁର ପାଖା ପାଖି

4 mins
378



ପ୍ରେୟସୀ ମୁଣ୍ଡରେ ଏଥର ଟିକେ ଟିକେ ଚିନ୍ତା ପଶିଲାଣି l କଣ ହେଇଛି ନା କେତେ ଉପଚାର କଲେ ବି ଭଲ ହେଉନାହିଁ l ଆଜିକୁ ପ୍ରାୟ ଦଶ ଦିନ ହେଲାଣି ଏମିତି ମୁଣ୍ଡ ବୁଲାଉଛି ଯେ କେଉଁଠାରେ ବି ଥୟ ଲାଗୁନାହିଁ ତାକୁ l ଏତିକି ବେଳେ ହିଁ ପ୍ରଣୟ ତାକୁ ରଗାଇବାକୁ କହିବ କଣ ନା ।

—ସେଇଟା କଣ ତୁମ ମୁଣ୍ଡ କି ସେଇଟା ପରା ବିଶ୍ୱ ବ୍ରହ୍ମାଣ୍ଡ l କେତେ କଥା କେତେ ଲଥା କେତେ ଅଛିଣ୍ଡା ଗଣିତ ଥିବ ସେଥିରେ l ଯେତେ ସବୁ ଅଳିଆ ଧରିକି ବସିଥାଅ ସେଥିପାଇଁ ମୁଣ୍ଡ ଖରାପ ହେଉଛି l

— ଏବେ ମୋତେ କିଛି ବି କୁହନି ପ୍ରଣୟ l ତୁମେ କିଛି ବୁଝି ପାରୁନାହଁ l ବହୁତ କଷ୍ଟ ହେଉଛି ମୋତେ l ସତେ ଯେପରି ମୋ ମୁଣ୍ଡ ସହିତ ସାରା ପୃଥିବୀଟା ଘୁରୁଛି l ବିଶ୍ୱାସ କର ମୋତେ l

କହି କହି କାନ୍ଦି ପକାଇଥିଲା ପ୍ରେୟସୀ l ପ୍ରଣୟର ଭାବି ପତ୍ନୀ ହେଉଛି ପ୍ରେୟସୀ l କେତେ ସ୍ବପ୍ନ କେତେ କଳ୍ପନା ଜଳ୍ପନା ସବୁ ଏବେ କେତେ ଦିନ ହେଲା ଫସର ଫାଟି ଯାଇଛି କହିଲେ ଚଳେ l ନୂଆ କଥା କିଛି ନାହିଁ ସବୁବେଳେ ପ୍ରେୟସୀ ଏମିତି କେଁ କେଁ ହେଉଥାଏ l ଆଜି ଥଣ୍ଡା ତ କାଲି କାଶ ପୁଣି ପରଦିନ ଏସିଡ଼ିଟି ଏମିତି ବର୍ଷ ସାରା କିଛି ନା କିଛି ଲାଗି ରହିଥାଏ l ହେଲେ ଏଥରକ ପ୍ରଣୟ ମନରେ ବି ଛନକା ପଶିଲା କାରଣ ଏପରି ବିକଳ ହୋଇ ପ୍ରେୟସୀ କେବେ ବି କାନ୍ଦି ନଥିଲା l

ଦେଢ଼ ବର୍ଷ ତଳେ ପ୍ରେୟସୀର ବାପା ମାଆଙ୍କର କାର ଦୁର୍ଘଟଣାରେ ପରଲୋକ ହେଲା ପରେ ବର୍ତ୍ତମାନ ପ୍ରଣୟ ହିଁ ପ୍ରେୟସୀର ସବୁକିଛି l ଅଫିସ ଚିନ୍ହା ପରିଚୟରୁ କଥାବାର୍ତ୍ତା, ପରସ୍ପର ପ୍ରତି ସହାନୁଭୂତିର ଆଦାନ ପ୍ରଦାନ ଏବଂ ପରିଶେଷରେ ହୋଇଥିବା ପ୍ରେମକୁ ସେ ଦୁହେଁ ବିବାହରେ ପରିଣତ କରିବାକୁ ଯାଉଥିଲେ l ସବୁ ଦିନ ପରି ଏଥର ବି ପ୍ରଣୟ ଚୁପ ରହେ ଏବଂ ପ୍ରେୟସୀ କହି ଚାଲେ l କିନ୍ତୁ ଏଥର ପ୍ରେୟସୀ ବି ଚୁପ ରହିଗଲା l ଯୁକ୍ତି ତର୍କ କଥା କାଟିବା ମାନ ଅଭିମାନରେ ଆଉ ମନ ନାହିଁ l

ସବୁ ପରୀକ୍ଷା ନିରୀକ୍ଷା ସରିଲାଣି ଓ ଶେଷରେ ବ୍ରେନସ୍କାନିଂର ଫଳାଫଳ ଆସିବାକୁ ବାକି ଅଛି l ଏତେ ପାଠ ପଢ଼ି କେବେ ଥରେ ବି ପାଠ କିମ୍ବା ପରୀକ୍ଷାକୁ ଡ଼ରି ନଥିବା ପ୍ରେୟସୀ ଏଥର କାହିଁକି ନା ତ୍ରସ୍ତ ହୋଇ ରହୁଛି l ପ୍ରଣୟ କହିଲା ଦେଖ ପୀହୁ ଭଲ ଓ ଖରାପ ଉଭୟକୁ ସାମ୍ନା କରିବାକୁ ପ୍ରସ୍ତୁତ ଥାଅ l ପ୍ରଣୟ ପ୍ରେୟସୀକୁ ପୀହୁ ବୋଲି ଡ଼ାକେ l ଏହା ହେଉଛି ପ୍ରଣୟର ଏକ ଚାଟିଆ ଅଧିକାର l ଆଉ କେହି ସେପରି ଡ଼ାକି ପାରିବ ନାହିଁ ତାକୁ l ଭଲ ଓ ଖରାପ ଉଭୟକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇ କେହି କେବେ ରହିଥାଏ କି ? ସମସ୍ତେ ତ ଭଲ ହିଁ ଚାହିଁବେ ନା ? ହଁ ପ୍ରଣୟ ତ କହିବ ହିଁ l ଆଜି ଯଦି ପ୍ରେୟସୀର କିଛି ହୋଇଯାଏ ତାକୁ ଅବା ଝିଅଙ୍କର କୋଉ ଅଭାବ ଯେ ! ସିଏ ବି କୋଉ ବିବାହିତା ପତ୍ନୀ ହୋଇଛି ଯେ ପ୍ରଣୟ ତା ସ୍ୱାସ୍ଥ୍ୟ ବିଷୟରେ ଏତେ ଭାବିବ l

ଚାହୁଁ ଚାହୁଁ ଆଶଙ୍କା ଜନିତ ସେଇ ମୁହୂର୍ତ୍ତଟି ଆସିଗଲା l ଫଳାଫଳ ହେଲା ପ୍ରେୟସୀକୁ ବ୍ରେନ ଟ୍ୟୁମର ହୋଇଛି l ଏଣେ ହଠାତ ପ୍ରେୟସୀର ମୁଣ୍ଡ ଘୁରିବା ଆରମ୍ଭ ହୋଇ ଯାଇଛି ଯେ ମୁଣ୍ଡ ତ ମୁଣ୍ଡ ତା ସହିତ ସାରା ପୃଥିବୀ ଘୁରୁଛି ପ୍ରେୟସୀ ପାଇଁ l ମନେ ପଡ଼ି ଯାଉଛି ସେଇ ପୁରୁଣା କଥା ଗୁଡ଼ାକ ଏବଂ ସେଇ କେତୋଟି ମୁହୂର୍ତ୍ତ ଯାହାକି ପ୍ରଣୟ ସହିତ କଟାଇଥିଲା ସେ l ପ୍ରଣୟ କହେ 

—ସବୁ ଯୁଗରେ ତୁମ ଭଳି ପତ୍ନୀଟିଏ ପାଇବା ପାଇଁ ଚାହିଁବି l

—ତୁମେ ପୂର୍ବ ପ୍ରସ୍ତୁତି ସହ ଯୋଗାଡ଼ି ହୋଇ ରହିଥିବା ପତ୍ନୀଟିଏ ହିଁ ଚାହିଁଲ କିନ୍ତୁ ପ୍ରେମିକାଟିଏ ପାଇବାକୁ ଇଛା କଲ ନାହିଁ ତ ?

—ପତ୍ନୀ ତ ପ୍ରେମିକା ଏବଂ ପ୍ରେମିକା ହିଁ ପତ୍ନୀ l ଯାହାକୁ ଭଲ ପାଇବି ତାକୁ ବିବାହ କରିବି ଏବଂ ଯାହାକୁ ବିବାହ କରିବି ତାକୁ ହିଁ ଭଲ ପାଇବି l ପ୍ରଣୟର ସରଳରେଖା ଭଳି ରୋକଠୋକ କଥା ଶୁଣି ପ୍ରେୟସୀ କହିବ 

—ଉହୁଁ ! ତୁମେ ଭୁଲ କହିଲ l ସବୁ ପ୍ରେମିକା ପାଖରେ ପତ୍ନୀ ହେବାର ଯୋଗ୍ୟତା ନଥାଏ କିମ୍ବା ସବୁ ପତ୍ନୀଙ୍କ ନିକଟରେ ପ୍ରେମିକା ଭଳି ମନ ବୁଝିଲା  ପରି ହୃଦୟଟିଏ ନଥାଏ l

—ଆହୁରି କଣ ଜାଣିଛ ପ୍ରଣୟ ? ମୁଁ କିନ୍ତୁ ତୁମକୁ ତୁମ ରୂପରେ ହିଁ ପାଇବି ଆଉ ପାଇ ସାରିଲା ପରେ ମୁଁ ଆଉ ମୁଁ ହୋଇ ନଥିବି l କି ପତ୍ନୀ କି ପ୍ରେମିକା ସବୁ ଆଡ଼େ ତ ତୁମେ ହିଁ ତୁମେ ଥିବ l ସେଥିରେ ମୁଁ ଆଉ କୋଉଠି ଥିବି ଯେ ?

ସ୍କାନିଂର ଫଳାଫଳ ଆସିଗଲା ପରେ ହଠାତ ପୃଥିବୀ ସ୍ତବ୍ଧ ହୋଇ ଯାଇଥିଲା ଦୁହିଁଙ୍କ ପାଇଁ l ତା ପରେ ପ୍ରଣୟକୁ ତା ହୃଦୟର ରାଣୀ ପୀହୁର ବିଦାୟ ବେଳାର ଦୁଇ ଧାଡ଼ି ଅଭିବ୍ୟକ୍ତି ବ୍ୟତୀତ ଆଉ କିଛି ଶୁଣା ଯାଇ ନଥିଲା l

—ରହିଲା ଆର ଜନ୍ମକୁ ଅପେକ୍ଷା l ବିଦାୟ ପ୍ରଣୟ ! ଅନେକ ଦୁରକୁ ଚାଲି ଯିବି ଏବଂ ଯେତେବେଳେ ପଛକୁ ଫେରି ଦେଖିବି ସେତେବେଳେ ତୁମେ ଦୃଶ୍ୟମାନ ହେବ ନାହିଁ l ଦେଖିବି ତ କେତୋଟି ଝାପ୍ସା ସ୍ମୃତି ଏବଂ ଫିକା ପଡ଼ି ଆସିଥିବା କେତୋଟି ଅଶ୍ରୁ ବୁନ୍ଦାର ଚି଼ହ୍ନ l

ପ୍ରେୟସୀ କେତେ ସମୟରୁ କାନ୍ଦି ଚାଲିଛି ସେ ଜାଣେନି l ହଠାତ ମୋବାଇଲରେ " ଆହେ ନୀଳ ଶଇଳ " ଧୁନଟି ବାଜି ଉଠିଲା l ଉଠାଇ ଦେଖିଲା ବେଳକୁ ପ୍ରଣୟର ନମ୍ବର l ପୂର୍ବରୁ ଦୁଇ ଥର ଫୋନ କରି ସାରିଛି କିନ୍ତୁ ପ୍ରେୟସୀଙ୍କୁ ଶୁଭି ନାହିଁ l କେତେବେଳୁ ନା ସ୍ୱପ୍ନରେ ସେ କାନ୍ଦି ଚାଲିଛି l ହେଲୋ କହି ଚୁପ ରହିଗଲା ପ୍ରେୟସୀ l ସେପଟରୁ ପ୍ରଣୟର କଣ୍ଠ ସ୍ୱର l

—ହେଲୋ ପୀହୁ ମାଡ଼ାମ ! କଣ୍ଠଟି ଏତେ ଗମ୍ଭୀର ଲାଗୁଛି ଯେ ତଣ୍ଟି ବସି ଯାଇଛି ନା କଣ l ହଁ ଫୋନ କଲି କାହିଁକି ନା ଏବେ ଆପଣଙ୍କର ଓଷଦ ଖାଇବା ସମୟ ହୋଇ ଯାଇଛି l

—ଓଷଦ…ହଁ ହଁ.. l

—ଭୁଲିଗଲେ କି ଆପଣ ? ଡକ୍ଟର କହିଥିଲେ ପରା ଅତ୍ୟଧିକ ଗ୍ୟାଷ୍ଟ୍ରିକ ହୋଇଛି ସେଥିପାଇଁ ପୀହୁ ମାଡାମଙ୍କର ଅତି ମୂଲ୍ୟବାନ ମୁଣ୍ଡଟି ଘୁରି ଯାଉଛି ବୋଲି ?

—କେତେ ଥର ତୁମକୁ କହିଥିବି ଯେ ମୋତେ ଆପଣ ନୁହଁ ' ତୁ ବୋଲି ସମ୍ବୋଧନ କରିବା ପାଇଁ ? ନା ଆଉ କାହାକୁ ନଜରରେ ରଖିଲଣି ଯେ ' ତୁ ' କହିବାଟା କେବଳ ତାଆରି ପାଇଁ ସୁରକ୍ଷିତ ହୋଇ ରହିଛି ? ସବୁ ସ୍ବପ୍ନ ସତ ହୁଏନାହିଁ ଏବଂ କେତେକ କ୍ଷେତ୍ରରେ ତାହାହିଁ ଆମେ ଚାହିଁ ଥାଉ l



Rate this content
Log in