ସହଯାତ୍ରୀ
ସହଯାତ୍ରୀ
ଦକ୍ଷିଣ ଭାରତ ଭ୍ରମଣର ସୁଯୋଗ ମିଳିଥିଲା। କିଛି ଦିନ ବୁଲା ବୁଲି ପରେ ଓଡ଼ିଶା ଫେରିବା ନିମନ୍ତେ ବିଶାଖାପାଟଣା କମ୍ପ୍ଲେକ୍ସ୍ (ବସ୍ ଷ୍ଟାଣ୍ଡ) ଠାରେ ବସ୍ ଅପେକ୍ଷା ରେ ଥାଏ। ଅବଶ୍ୟ ଏହା ମୋର ପ୍ରଥମ ଯାତ୍ରା ନୁହେ ତଥାପି ମୁଁ ବ୍ୟସ୍ତ ବିବ୍ରତ । ପ୍ରାୟ ଅଧ ଘଣ୍ଟା ପରେ ବସ୍ ଛାଡିବ । ୭ ନଂ ପ୍ଲାଟଫର୍ମ ରେ ବସ୍ ଠିଆ ହୋଇଥାଏ। ମୋ ସଂରକ୍ଷିତ ସିଟ ପାଖରେ ଲଗେଜ୍ ରଖି ଗରମ ଅନୁଭୁତ ହେଉଥିବାରୁ ତଳକୁ ଆସି ହାୱା ଖାଉଥାଏ ଏବଂ ବିଭିନ୍ନ ଭାଷାଭାଷି ଲୋକମାନଙ୍କ ବେଶ ପୋଷାକ କଥାବାର୍ତ୍ତା ତଥା ଚାଲିଚଳନ ଏହି ସବୁ ନିରିକ୍ଷଣ କରୁଥାଏ। ନିରିକ୍ଷଣ କରୁ କରୁ କେହି ଜଣେ ଗୁଡ୍ ଲୁକିଙ୍ଗ୍ ଯୁବତି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ୭ ନଂ ପ୍ଲାଟଫର୍ମ ଆଡ଼କୁ ମାଡ଼ି ଆସୁଥିବା ଦୃଶ୍ୟମାନ ହେଲା। ମୋତେ ପୁର୍ବ ପରିଚିତା ଭଳି ଲାଗୁଥାଏ। ବାଇଗଣି ରଙ୍ଗର ଚୁଡି଼ଦାର କୁ ନାଲି ରଙ୍ଗର ଦୁପଟା ପରିଧାନ କରିଥାନ୍ତି। ପାଖକୁ ଆସି ଦେଖିଲି ହଁ ସେ ମୋ ପୁର୍ବ ପରିଚିତା ତାଙ୍କୁ ମୁ ଭଲ ଭାବେ ଜାଣେ ଏବଂ ସେ ମୋ ସହପାର୍ଠିନୀ । ଯୁକ୍ତ ତିନି ଅର୍ଥନୀତି ସମ୍ମାନରେ ଉଭୟେ ଏକା ବର୍ଷରେ ଅଧ୍ୟୟନ କରୁଥିଲୁ। ସେହି ଦିନ ମାନଙ୍କରେ ମୁଁ ବହୁତ ଲାଜୁଆ ସ୍ୱଭାବର ଥିଲି। ଯଦିଓ ଉଭୟେ ଅର୍ଥନୀତି ସମ୍ମାନରେ ଅଧ୍ୟୟନ କରୁଥିଲୁ ତଥାପି ଆମ ଭିତରେ ବିଶେଷ ବାର୍ତାଳାପ ହୋଇନାହିଁ । ଥରେ ଅଧେ ବାର୍ତାଳାପ ହୋଇଥାଇ ପାରେ ସେ ବି ପାଠ୍ୟ ସମ୍ଭନ୍ଧିୟ କିମ୍ବା ଶ୍ରେଣୀ ସମ୍ଭନ୍ଧିୟ ନତୁବା ସେମିଷ୍ଟାର ସମ୍ଭନ୍ଧିୟ। କଲେଜ୍ ରେ ପାଠ ପଢ଼ିବା ସମୟରେ ତାଙ୍କ ସହ ବାର୍ତାଳାପ କରିବାକୁ ତଥା ବନ୍ଧୁତ୍ୱ ସ୍ଥାପନ କରିବାକୁ ମୁଁ ବେଶ୍ ଆଗ୍ରହି ଥିଲି କିନ୍ତୁ ମୋ ପାଖରେ ଯଥେଷ୍ଟ ଆତ୍ମ ବିଶ୍ୱାସ ନ ଥିଲା। ଆଜି ମୁ ସରକାରୀ ମାଧ୍ୟମିକ ବିଦ୍ୟାଳୟ ରେ ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ ଭାବରେ କାର୍ଯ୍ୟରତ। ମୋ ଉଚ୍ଚ କୋଟିର କଥନ ଶୈଳି ଯୋଗୁଁ ମୁ ଶିକ୍ଷା ବିଭାଗରେ ଯଶ ଓ ସମ୍ମାନର ଅଧିକାରୀ ମଧ୍ୟ ବେସ୍ ପରିଚିତ । ମୁ ମୋ ଉଭୟ ପୁରୁଷ ଓ ମହିଳା ସହକର୍ମିଙ୍କୁ ମୋ ଇଂରାଜୀ ମିଶ୍ରିତ କଥା ଚାତୁରି ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖି ପାରେ। କିନ୍ତୁ ଆଜି ମୁଁ କାହିଁକି ମୌନ ? କଲେଜ ଦିନ ଗୁଡ଼ାକ ପୁନର୍ବାର ଫେରି ଆସି ମୋ ସାମ୍ନାରେ ଠିଆ ହେଇଛି କି ? ମୁଁ କ'ଣ ଏହି ତରୁଣିଙ୍କୁ ଭଲ ପାଉଥିଲି ଯେ ମୋ ହୃଦୟ ଏତେ ଆନ୍ଦୋଳିତ ? ଆଜି ତାଙ୍କ ସାମ୍ନାରେ ମୁଁ ମୋ କନ୍ଫିଡେନ୍ସ୍ ହରେଇ ବସିଛି। ନା ମୋର ଯଥେଷ୍ଟ କନ୍ଫିଡେନ୍ସ୍ ଅଛି ମୁ୍ଁ କେବଳ ସୁଯୋଗ ଅପେକ୍ଷାରେ। ମୁଁ ଅନୁମାନ କଲି ତାଙ୍କ ସହ ଥିବା ବ୍ୟକ୍ତି ଜଣକ ବୋଧ ହୁଏ ତାଙ୍କ ବାପା।
ଯୁକ୍ତ ତିନି ଅଧ୍ଯୟନ ସାରି ଛଅ ବର୍ଷ ବିତିଗଲାଣି ଇତି ମଧ୍ୟରେ ଆମର କେବେ ଦେଖା ହେଇନାହି କିମ୍ବା ମୁ ତାଙ୍କୁ କେବେ ହେଲେ ଦେଖିନାହି। ଆଜି ସେ ମୋ ସାମ୍ନାରେ । ମୁଁ ତାଙ୍କୁ ଦେଖିବାର ସୁଯୋଗ ପାଇଛି ତାହା ବି ଅନ୍ୟ ରାଜ୍ୟ ରେ । ଉଭୟଙ୍କ ବାସ ସ୍ଥାନ ମଧ୍ୟରେ କେବଳ ୧୨/୧୫ କି.ମି ର ବ୍ୟବଧାନ। ମୁଁ ମୌନ ଦେଖି ନ ଦେଖିଲା ଭଳି ଜାଣି ନ ଜାଣିଲା ଭଳି ଅଭିନୟ କରୁଥାଏ। ମୋ ପାଖରେ ଥିଲା ସ୍ମାର୍ଟ ଫୋନ । ଯଦି କାହାରିକୁ ଆଭୟେଡ କରିବାକୁ ଅଛି ତା'ହେଲେ ବେସ୍ଟ ଫର୍ମୁଲା ହେଉଛି ନିଜକୁ ମୋବାଇଲ୍ ଦୁନିଆରେ ହଜାଇଦେବା। ଚୋରି ନଜର ରେ ତାଙ୍କ ଆଡ଼କୁ ଚାହୁଁ ଥାଏ। ମୋତେ ହୃଦୟଙ୍ଗମ ହେଲା ବୋଧ ହୁଏ ସେ ମୋତେ ଚିହ୍ନି ପାରିଲେ ପାଖରେ ନିଜ ବାପା ଥିବାରୁ ବା କଲେଜ୍ ଦିନ ରେ ବନ୍ଧୁତ୍ୱ ସ୍ଥାପନ ହୋଇନଥିବାରୁ ମୋ ସହ ବାର୍ତାଳାପ କରୁ ନାହାନ୍ତି।ସେ ଯାହା ବି ହେଉ ନା କାହିଁକି ସୁଯୋଗ ମିଳିଲେ ମୁଁ ନିଶ୍ଚୟ ବାର୍ତଳାପ କରିବି ।
ବସଟି ଖଟ୍ ଖଟ୍ ହୋଇ ଆରମ୍ଭ ହେଲା, ହର୍ନ ବାଜିବାକୁ ଲାଗିଲା, ସହଯାତ୍ରୀ ମାନେ ଯିଏ ଯୋଉଠି ଥିଲେ ଦୌଡ଼ି ଆସି ବସ୍ ଉପରକୁ ଉଠିବାକୁ ଲାଗିଲେ। ମୁଁ ମଧ୍ୟ ବସ୍ ଉପରକୁ ଉଠୁଥାଏ ହେଲେ ମୋର ଚୋର ନଜର ତାଙ୍କ ଆଡ଼େ ଥାଏ। ମୁ ମୋ ସଂରକ୍ଷିତ ସିଟ୍ ରେ ବସିଲି। ମୋ ଚୋର ନଜର ତାଙ୍କୁ ହିଁ ପ୍ରତୀକ୍ଷା କରୁଥାଏ। ସେ ତାଙ୍କ ବାପାଙ୍କ ସହିତ ବସ୍ ଭିତରକୁ ଆସୁଥିବା ସମୟରେ ହଟାତ୍ ବସଟି ଗତିଶୀଳ ହେବା ଆରମ୍ଭ ହେଲା ଏବଂ ତାଙ୍କ ବାପା ପହଁଚିଲେ ଫୋନ୍ କରିବୁ ଭଲରେ ଯିବୁ ୮ଟା ବାଜିଲେ ଖାଇଦବୁ ଇତ୍ୟାଦି ଇତ୍ୟାଦି କହି ବସରୁ ହଡ଼ବଡ଼େଇ ଓହ୍ଲାଇ ପଡ଼ିଲେ। ମୁ ମନେ ମନେ ଭାବୁଥାଏ କାଶ୍ ମୋ ସଂଲଗ୍ନ ସିଟ୍ ତାଙ୍କ ପାଇଁ ରିଜର୍ଭ ହେଇଥାନ୍ତା କି ? ମୋର ସ୍ୱପ୍ନର ତାଜମହଲ୍ ଅଧୁରା ହୋଇ ରହିଗଲା ଯେତେବେଳେ ତାଙ୍କ ରିଜର୍ଭଡ୍ ସିଟଟି ମୋ ସାମ୍ନା ଧାଡ଼ିରେ ପାଇଲି।
ଯେକୌଣସି ନାଇଟ୍ ଟ୍ରାଭେଲ୍ସ୍ ରେ ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଏ। ଉକ୍ତ ମହିଳାଙ୍କ ସମ୍ବନ୍ଧୀିତ ପୁରୁଷଙ୍କ ବ୍ୟତିତ ଅନ୍ୟ କୌଣସି ପୁରୁଷଙ୍କୁ ସଂଲଗ୍ନ ସିଟ୍ ରେ ବସିବାକୁ ସୁଯୋଗ ଦିଆଯାଏ ନାହି। ଯଦି ଅନ୍ୟ କୌଣସି ମହିଳା ସହଯାତ୍ରୀ ଆଭେଲେବ୍ଲ ନ ହୁଅନ୍ତି ତା ହେଲେ ଗୋଟିଏ ସିଟ ଭ୍ୟାକେଣ୍ଟ ରୁହେ ବରଂ କୌଣସି ପୁରଷ କୁ ସିଟ୍ ଦିଆ ଯାଏ ନାହି। ତାଙ୍କ ପାର୍ଶ୍ୱରେ ଜଣେ ମହିଳା ସହଯାତ୍ରୀ ଏବଂ ମୋ ପାର୍ଶ୍ୱରେ ଜଣେ ପୁରୁଷ ସହଯାତ୍ରୀ ଯାତ୍ରା କରୁ ଥଆନ୍ତି।
ମୁଁ ନିରାଶ। ତଥାପି ଆଶାବାଦି। କେତେବେଳେ ବି ସୁଯୋଗ ମିଳିଲେ କଥାବାର୍ତା କରିବି। ଗାଡି଼ କିଛି ମାଇଲ ଗତି କଲା ପରେ ସହର ମଧ୍ୟରେ ହିଁ କିଛି ସମୟ ପାଇଁ ଅଟକି ଥିଲା। ମୁଁ ଇୟର ଫୋନ ଲଗେଇ କଣ ଗୋଟେ ୟୁଟ୍ୟୁବ୍ ରେ ଦେଖୁଥାଏ। ହଟାତ ମୋ ସାମ୍ନା ସିଟ୍ ରୁ ଅଳ୍ପ ଠିଆ ହୋଇ ପଛକୁ ବୁଲି ମୋ ଆଡ଼କୁ ଚାହିଁ କିଛି ଗୋଟେ କହିଲେ । ମୁଁ ଇୟର ଫୋନ କାନରୁ କାଢି଼ଲା ବେଳକୁ ଶୁଣିବାକୁ ପାଇଲି ତମେ ରାଜ୍ ନା ରାଜକିଶୋର ସାହୁ ? ମୋତେ ଚିହ୍ନି ପାରିଲ ନା ନାହିଁ ? କୋଉଠି ଆସିଥିଲ ? ଏକା ବେଳକେ ତିନୋଟି ପ୍ରଶ୍ନ ଶୁଣି ମୁଁ ହଡ଼ବଡେଇ ଉତ୍ତର ଦେଲି। ଯଦିଓ ଦୀର୍ଘ ୬ ବର୍ଷ ବିତି ଯାଇଛି, କଲେଜ ଦିନରେ କେବେ ବନ୍ଧୁତ୍ୱପୁର୍ଣ ବାର୍ତାଳାପ ହୋଇ ନାହି ତଥାପି ସେ ମୋ ବିଷୟରେ ସବୁ ଜାଣନ୍ତି। କେଉଁଠି ମୁଁ ଉଚ୍ଚ ଶିକ୍ଷା ଗ୍ରହଣ କଲି । କେଉଁ ଅନୁଷ୍ଠାନରେ ଶିକ୍ଷକତା କରେ ଇତ୍ୟାଦି ଇତ୍ୟାଦି। କଥାଛଳରେ ଏସବୁ ପଚାରିବାକୁ ଲାଗିଲେ। ମୁ ମଧ୍ୟ ତାଙ୍କ ସବୁ ଖବର ରଖିଛି। କେବେ ଚାକିରି କଲେ କୋଉଠି କଲେ ଇତ୍ୟାଦି। ବସ୍ ରେ ନିଜ ନିଜ ପ୍ରଫେସନ୍ ବିଷୟରେ କଥାବାର୍ତା ଚାଲିଥାଏ। ବସର ଦ୍ରୁତ ଗତି ସହିତ ଆମ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ କ୍ଷୀଣ ହୋଇଗଲା।
ପୁଣିଥରେ ମୋବାଇଲରେ ନିଜକୁ ହଜେଇଦେଲା ଭଳି ଛଳନା କରୁଥାଏ। କିନ୍ତୁ ବାସ୍ତବରେ ମୁଁ ମୋ ଅତିତ ପୃଷ୍ଠାକୁ ଅଲଟାଉଥାଏ। ଦୀର୍ଘ ୬ ବର୍ଷ ବିତି ଯାଇଛି ତଥାପି ସେ ବଦଳି ନାହାନ୍ତି। ସେହି ସ୍ମିତ ହାସ୍ୟ, ସେହି ଉନ୍ମାଦତା, ସେହି ଚାହାଣି, ସେହି ଦୃଷ୍ଟିଭଙ୍ଗି। ଯଦି କିଛି ବଦଳିଛି ତ ସମୟ। ମୁ ପଛପଟୁ ନିରକ୍ଷଣ କରୁଥାଏ ଯେ ସେ ତାଙ୍କ ସହଯାତ୍ରୀ ମହିଳାଙ୍କ ସହିତ ବସିବା ରେ କମ୍ଫର୍ଟେବ୍ଲ ଫୀଲ କରୁ ନଥିଲେ। ମହିଳା ଜଣଙ୍କ ବାରମ୍ବାରମ ଏପଟେ ସେପଟେ ହୋଇ ପଛକୁ ବୁଲି ମୋ ପାଖରେ ବସିଥିବା ଜେଣ୍ଟଲମ୍ୟାନ ସଙ୍ଗରେ କଥା କହୁଥିଲେ । ବୋଧ ହୁଏ ସେମାନେ ସ୍ୱାମି ସ୍ତ୍ରୀ ଥିଲେ। ଶେଷରେ ମୋ ସହପାର୍ଠିନୀ ବିରକ୍ତ ହୋଇ ଠିଆ ହେଲେ ଏବଂ ପଛକୁ ବୁଲି ସେହି ଜେଣ୍ଟଲମ୍ୟାନଙ୍କୁ କହିଲେ "ଊଡ୍ ୟୁ ପ୍ଲିଜ୍ ସିଟ୍ ହିୟର୍ ଉଇଥ୍ ଇୟର ୱାଇଫ୍, ଆଇ ୱିଲ ବି ମଚ୍ କମ୍ଫର୍ଟେବ୍ଲ ଟୁ ସିଟ୍ ଦେର୍ ୱିଥ୍ ହିମ। ଏହା ପରେ ଉଭୟେ ସିଟ୍ ଏକ୍ସଚେଞ୍ଜ୍ କଲେ ଏବଂ ମୋ ସହପାର୍ଠିନୀ ମୋ ପାଖରେ ଆସି ବସିଲେ । ମୁ ମୋବାଇଲ୍ ରେ ହିଁ ବ୍ୟସ୍ତ ଥାଏ। ସେ ଟିକିଏ ବିରକ୍ତ ହୋଇ କହିଲେ ଏକ୍ସକ୍ୟୁଜ୍ ମି, ହେଲୋ ହିୟର୍ ଆଇ ଏମ୍। ସ୍ଟିଲ୍ ୟୁ ଆର ଇନ୍ ମୋବାଇଲ୍। ଓହ୍ ସୋରି କହି ମୋବାଇଲକୁ ପୋକେଟରେ ପୁରେଇଦେଲି।
ଏ ମନ ଖଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ଆଳରେ ଦୁହିଙ୍କ ମଧ୍ୟରେ ବାର୍ତାଳାପ ଚାଲିଥାଏ। ଅଜାଣତରେ ହେଉ ପଛେ ସ୍କନ୍ଧ କୁ ସ୍କନ୍ଧ ହସ୍ତ କୁ ହସ୍ତ ସ୍ପର୍ଶ ହେଉଥାଏ। ମୁ ମୋ ମନର ନାୟିକାକୁ ପାଖରେ ପାଇ ଖିୁସିରେ ବିଭୋର। ବସ୍ ଟି ଦ୍ରୁତ ଗତିରେ ଅଗ୍ରସର ହେବା ସହିତ ଆମ ବନ୍ଧୁତ୍ୱର ଗତି ମଧ୍ୟ ଦ୍ରୁତ ଗତିରେ ଅଗ୍ରସର ହେଉଥାଏ। ବସଟି ଗୋଟିଏ ଢାବା ନିକଟରେ ଅଟକିଲା। କଣ୍ଡକ୍ଟର ବଡପାଟିରେ କହିଲେ ଗାଡ଼ି ଏଠି ଅଧ ଘଣ୍ଟା ରହିବ ଯେଉଁ ମାନେ ଖାଇବେ ଖାଇଦିଅନ୍ତୁ। ସହଯାତ୍ରୀ ମାନେ ରାସ୍ତା ପାର୍ଶ୍ୱରେ ଥିବା ଢାବା ଆଡ଼କୁ ଅଗ୍ରସର ହେଉଥାନ୍ତି । ମୁ ବି ଯିବାକୁ ପ୍ରସ୍ତୁତ ହେଉଥାଏ ତାଙ୍କୁ ମଧ୍ୟ ଆମନ୍ତ୍ରଣ କଲି। ସେ ବାରଣ କଲେ। ମୁ ତ କର୍ସି ଦୃଷ୍ଟିରୁ ଆମନ୍ତ୍ରଣ କରିଥିଲି ନହେଲେ ମୁ ଭଲ ଭାବରେ ଜାଣେ ଲେଡ଼ିସ୍ ମାନେ ବାହାରେ ବା ଢାବା ଭଳି ସ୍ଥାନରେ ଭୋଜନ କରିବାକୁ ପସନ୍ଦ କରନ୍ତି ନାହି। କିନ୍ତୁ ସେ ମୋତେ ମଧ୍ୟ ଢାବାରେ ଭୋଜନ କରିବାଠୁ ନିବୃତ ରହିବାକୁ କହିଲେ ଏବଂ ନିଜ ପାଇଁ ଆଣିଥିବା ଖାଦ୍ୟକୁ ଉଭୟେ ଖାଇବାକୁ ଅନୁରୋଧ କଲେ ମଧ୍ୟ ଯୋଗ କଲେ ଢାବାରେ ମଦ୍ୟପି ମାନେ ଥାଆନ୍ତି ମଧ୍ୟ ତେଲ ମସଲା ଯୁକ୍ତ ଖାଦ୍ୟ ପରିବେଷଣ କରାଯାଏ । ମୁଁ ଯେତେ ବାରଣ କଲେ ମଧ୍ୟ ଜଣଙ୍କ ଖାଦ୍ୟ ଉଭୟେ ଖାଇଲେ ତମ ପାଇଁ ନିୟଣ୍ଟ ହେବ ବୋଲି କହିଲେ ମଧ୍ୟ ଶୁଣିଲେ ନାହି। ସେ ଉଭୟଙ୍କ ପାଇଁ ଖାଦ୍ୟ ଆଣିଥାନ୍ତି। ଯେମିତିକି କେହି ଜଣେ ଦେବଦୁତ ଆସି ତାଙ୍କ କାନରେ କହି ଯାଇଥିଲା ଯେ ତାଙ୍କ ସ୍ୱଳ୍ପ ପରିଚିତ ବ୍ୟକ୍ତି ଆଜି ତାଙ୍କ ସହଯାତ୍ରୀ ହେବେ। ସୁସ୍ୱାଦୁ ଏବଂ ଦେହପୋଯୋଗି ଭୋଜନ ଥିଲା। ଭୋଜନ ସମାପ୍ତ କରି ମୁକ୍ତ ଆକାଶ ତଳେ କିଛି କ୍ଷଣ ଅତିବାହିତ କରିବା ନିମନ୍ତେ ତଳକୁ ଗଲୁ ଏବଂ ୱାସ୍ ରୁମ ଯାଇ ଡ୍ରାଇଭରଙ୍କ ହର୍ଣ ଶୁଣି ପୁନର୍ବାର ବସ ଉପରକୁ ସମସ୍ତ ପାସିଞ୍ଜର ସହ ଉଠି ଆସିଲୁ।
ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ। ମନ ହେଉ ଥାଏ ଏମିତି କଥାବାର୍ତା ରେ ହିଁ ରାତି ପାହି ଯାଉ। କିନ୍ତୁ ଆଟିଟ୍ୟୁଡ ରେ ମୁ ମୌନ ହୋଇ ବସିଥାଏ। କଣ୍ଡକ୍ଟର ଆସି ଲାଇଟ୍ ଅଫ କରି ଚାଲିଗଲେ। ମୁ ଭାବିବାକୁ ଲାଗିଲି ଆଜି ପାଇଁ ଏତିକି । ବୋଧ ହୁଏ ଜୀବନରେ ଏମିତି ସୁଯୋଗ ଆଉ ଥରେ ମିଳିବ ନାହିଁ। ପ୍ରଭୁ ଏମିତି ସୁଯୋଗ ବାରମ୍ବାରମ ଦିଅ ମୋ ସ୍ୱଳ୍ପ ପରିଚିତା ମୋ ଉତ୍ତମ ବନ୍ଧୁ ହୋଇ ଯାଆନ୍ତୁ। ସହଯାତ୍ରୀ ମାନେ ମଧ୍ୟ ବାର୍ତାଳାପ ବନ୍ଦ କଲେ। ବସ ମଧ୍ୟରେ ନିସ୍ତବ୍ଧତା ଖେଳିଗଲା। କିଛି କ୍ଷଣ ପରେ କେହି ଜଣେ ବ୍ୟକ୍ତିଙ୍କ ଘୁଙ୍ଗୁଡ଼ି ଶବ୍ଦ ଶୁଭିଲା। ମୋ ସହପାର୍ଠିନୀ ମଧ୍ୟ ଶୋଇଗଲେ। ମୁ ଶୋଇବାର ଅଭିନୟ କରୁଥାଏ । ସେ ଅଜାଣତରେ ଘୁମେଇ ଘୁମେଇ ତାଙ୍କ ମଫଲର ବନ୍ଧା ମସ୍ତକ କୁ ମୋ ସ୍କନ୍ଧରେ ଲଗାଉଥାନ୍ତି ପୁନର୍ବାର ଫେରାଇ ନେଉଥାନ୍ତି ।
ପାର୍ବତ୍ୟାଂଚଳ! ବସଟି ଦ୍ରୁତ ଗତିରେ ଆଗେଇ ଚାଲିଥାଏ। ଶୀତ ଦିନ ହୋଇଥିବାରୁ ସମସ୍ତ ପାସିଞ୍ଜର ଶୀତ ବସ୍ତ୍ରରେ ଆଛାଦିତ। ଯଦିଓ ଦକ୍ଷିଣ ଭାରତରେ ଏତେଟା ଶୀତ ଅନୁଭୁତ ହୁଏ ନାହି ତଥାପି ପାର୍ବତ୍ୟାଂଚଳ ଦେଇ ଗତି କରୁ ଥିବାରୁ ପ୍ରବଳ ଶୀତ ଅନୁଭୁତ ହେଉଥାଏ। ମୋର ଅଭ୍ୟାସ ଯେ ଶୋଇବା ସମୟରେ ମୁଖମଣ୍ଡଳକୁ ଆଚ୍ଛାଦନ କରି ଶୋଏ। ବସରେ ମଧ୍ୟ ବ୍ଲାଙ୍କେଟ୍ ଦ୍ୱାରା ଶରିରକୁ ଏବଂ ମୁହକୁ ଘୋଡା଼ଇ ବସିଥାଏ ଯାହାଫଳରେ ବାହାରର
ଦୃଶ୍ୟ ଦୃଶ୍ୟମାନ ହେଉ ନ ଥାଏ। ଯାତ୍ରା ମଧ୍ୟରେ ଥରେ ମୋ କାନ୍ଧକୁ ଥାପୁଡା଼ଇ କହିଲେ ଭୁତ ଭଳିଆ କାହିଁକି ମୁହକୁ ଘୋଡା଼ଇଛ।ମୁ ଉତ୍ତର ଦେଲି ଶୀତ ଯୋଗୁଁ। ସେ ମଧ୍ୟ ନିଜ ବ୍ୟାଗରୁ ବ୍ଲାଙ୍କେଟ୍ ବାହାର କରି ଘୋଡା଼ଇ ହେଲେ। ପାହାଡ଼ ଘେରା ଅରଣ୍ୟ ମଧ୍ୟ ଦେଇ ବସଟି ଗତି କରୁଥାଏ। ସହଯାତ୍ରୀ ମାନଙ୍କ ସହିତ ଆମେ ମଧ୍ୟ ଘୋର ନିଦ୍ରାରେ ସେ ଅଜାଣତରେ ମୋ କାନ୍ଧ ଉପରେ ନିଜର ମୁଣ୍ଡ ରଖି ଅବୋଧ ଶିଶୁଟି ପରି ଶୋଇ ଯାଇଥାନ୍ତି। ମୁ ଚଳଚିତ୍ର ଦେଖିବାକୁ ଭଲପାଏ ବେଳେ ବେଳେ କୌଣସି କୌଣସି ଚଳଚିତ୍ରର ଖାସ ଚରିତ୍ର ସହିତ ନିଜକୁ ସାମିଲ କରିଦିଏ।
ଗାଡି଼ କେଉଁ ବାଟ ଦେଇ ଯାଉଛି କୋଉଠି ପହଂଚିଛି ମୁ କିଛି ଜାଣିପାରୁ ନ ଥାଏ। ହଟାତ ଗାଡି଼ି ଅଟକି ଗଲା। ବ୍ଲାଙ୍କେଟ ପଛରେ ମୋ ଆଖି ବନ୍ଦ ଥାଏ। ସବ୍ ଲୋଗ୍ ହାତ୍ ଉପର୍ କରୋ, ବାହାର୍ ନିକ୍ଲୋ ଏଭଳି କିଛି ବାକ୍ୟ ଶୁଣିବାକୁ ପାଇଲି। ଆଖି ଖୋଲି ଦେଖେତ କିଛି ବ୍ୟକ୍ତି ଟର୍ଚ ଧରି ଏପରି କହୁଥାନ୍ତି। ଭିତରେ ଅନ୍ଧାର ଥାଏ ଠିକ ଭାବରେ କିଛି ଦେଖାଯାଉ ନ ଥାଏ। ଅଳ୍ପ ଆଲୋକ ପଡି଼ିବାରୁ ଦେଖିବାକୁ ପାଇଲି ଯେ ମୁଖା ପିନ୍ଧା ବନ୍ଧୁକ ଧାରୀ ମାନେ। ସହଯାତ୍ରୀ ମାନେ ଜଣ ଜଣ କରି ହାତ ଉପରକୁ କରି ବାହାରକୁ ଯାଉଥାନ୍ତି। ଆମେ ମଧ୍ୟ ଠିକ ସେମିତି କଲୁ। ମୋ ବାନ୍ଧବି ଭୟରେ ଥରୁଥାନ୍ତି ଓ ମୋତେ ଜାବୁଡି଼ ଧରି ଥାନ୍ତି। ତଳକୁ ଓହ୍ଲାଇ ଦେଖିବାକୁ ପାଇଲି ଯେ ଗୋଟିଏ ପାହାଡି଼ିଆ ସଙ୍କିର୍ଣ ପଥରେ ବସଟି ଅଟକି ରହିଛି ମଧ୍ୟ ସେଠାରେ ରାସ୍ତାର ସମାପ୍ତି ଘଟିଛି।
ସୂର୍ଯ୍ୟାସ୍ତ ସମୟ ! ପାଦଚଲା ରାସ୍ତା ଦେଇ ପାହାଡ଼ ଉପରକୁ ଯିବାକୁ ହେବ। ପାହାଡ଼ଟି ବିଭିନ୍ନ ଜାତୀର ବୃକ୍ଷରାଜି ଏବଂ ଝଙ୍କାଳିଅା ବୁଦାରେ ପରିପୁର୍ଣ। ସମସ୍ତ ବରିଷ୍ଠ ନାଗରିକ ଓ ଶିଶୁ ମାନଙ୍କୁ ମୁକ୍ତ କରିଦିଆଗଲା ଏବଂ ସମସ୍ତ ଆଡଲ୍ଟ ମାନଙ୍କୁ ବନ୍ଧୁକ ମୁନରେ ସେହି ପାଦଚଲା ରାସ୍ତା ଦେଇ ଘଂଚ ଅରଣ୍ୟ ଭିତରକୁ ନିଆଯାଉଥାଏ। ଏହି ପଦ ଯାତ୍ରା ଏତେ ସହଜ ସାଧ୍ୟ ନ ଥିଲା ପାର୍ବତ୍ୟ ଅରଣ୍ୟ ହୋଇଥିବାରୁ କେଉଁଠି ଉପରକୁ ଚଢି଼ବାକୁ ହୁଏ ତ କେଊଁଠି ତଳକୁ ଓହ୍ଲାଇବାକୁ ହୁଏ। ସ୍ଥାନେ ସ୍ଥାନେ ହାଲୁକା ମାଟି ଥିବାରୁ ପାଦ ଖସି ଯାଉ ଥାଏ। ମୋ ସହପାର୍ଠିନୀ ଭୟରେ ଥରୁଥାନ୍ତି ଏବଂ ନିଜ ଦୁଇଟି ହାତ ଦ୍ୱାରା ମୋ ଡାହାଣ କାନ୍ଧ ଓ ବାହୁକୁ ଜାବୁଡି଼ ଧରି ମୋତେ ସାହାରା କରି ଧିର ମନ୍ଥର ଗତିରେ ଚାଲୁଥାନ୍ତି। ବନ୍ଧୁକ ଧାରୀ ମାନେ ଯଲ୍ଦି ଚଲୋ ଯଲ୍ଦି ଚଲୋ କହି ଧମକ ଦେଉଥାନ୍ତି। ମୋ ବାନ୍ଧବି ଏବଂ ସମସ୍ତ ସହଯାତ୍ରୀ ମାନେ ଭୟରେ ସ୍ତବ୍ଧ । ମୋତେ କିନ୍ତୁ ଲାଗୁଥାଏ ସତେ ଯେମିତିକି ଏହି ଉପତ୍ୟାକାରେ, ପାହାଡ଼ ପର୍ବତ ଘେରା ସବୁଜ ବନାନୀ ରେ , ମନ ମୁଗ୍ଧଙ୍କର ଝରଣା ତଳେ , ବନ୍ୟ ଫୁଲର ମହକରେ ଆମେ କଲେଜ୍ ପିକନିକ ଆସିଛେ ଏବଂ ମୁ ଯେ ରଙ୍ଗହୀନ ବାସ୍ନାହୀନ ଫୁଲଟିଏ, ଯାହାକୁ ମନେ ମନେ ଭଲ ପାଏ ସେ ମୋ ବାହୁ ବନ୍ଧନରେ ରହି ମୋ ଦେହରେ ରଙ୍ଗ ଓ ବାସ୍ନା ବଳି ଦେଇ ମୋ ସହ ରମାଣ୍ଟିକ ପଦଯାତ୍ରା କରୁଛନ୍ତି।
ଦକ୍ଷିଣା ପବନେ ତାଙ୍କ ଘନ କେଶ ମୋ ମୁହଁକୁ ବାରମ୍ବାର ସ୍ପର୍ଶ କରି ଚାଲିଛି। ସ୍ଥାନେ ସ୍ଥାନେ ଉଭୟଙ୍କ ପାଦ ଖସି ଯାଉଛି। ଉଭୟେ ଉଭୟଙ୍କୁ ସାହାରା ଦେଉଛେ। ମନେ ପଡି଼ ଯାଉଛି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଅଧ୍ଯୟନ କରୁଥିବା ସମୟର ହରିଶଙ୍କର ପିକନିକ ଟ୍ରିପର ଘଟଣାବଳି। ଜଣେ ଖାସ୍ ସହପାର୍ଠିନୀଙ୍କୁ ସର୍ପପ୍ରଇଜ୍ ଦେବା ଉଦ୍ଦେଶ୍ୟରେ ପାହାଚ ଦେଇ ପର୍ବତ ଶୀର୍ଶକୁ ନ ଯାଇ ଏଭଳି ଆବଡା଼ ଖାବଡା଼ ଗନ୍ଧମାର୍ଦ୍ଦନ ପର୍ବତ ଉପରକୁ ଚଢି଼ ଯାଇଥିଲି। ସେହି ଖାସ୍ ବାନ୍ଧବିକୁ ସର୍ପରାଇଜ୍ ତ ଦେଇଥିଲି କିନ୍ତୁ ଠିକ ଏହି ବାଟ ଭଳି ସେହି ବାଟ ମଧ୍ୟ ଏତେ ସହଜ ସାଧ୍ୟ ନ ଥିଲା। ସେହିଦିନ ସେହି ଖାସ୍ ବାନ୍ଧବି ମାଙ୍କଡ଼ ମାନଙ୍କ ବ୍ୟୁତ୍ପାତରେ ଭୟଭିତ ହୋଇ ମୋତେ ଜାବୁଡି଼ ଧରିଥିଲେ ଏବଂ ଜୟ ହନୁମାନ ଗୁଣ ଗାନ ମନ୍ତ୍ର ଉଚ୍ଚାରଣ କରିଥିଲେ। ଆଜି ଏହି ଖାସ୍ ବାନ୍ଧବି ମଧ୍ୟ ବନ୍ଧୁକଧାରୀ ମାନଙ୍କ ଭୟରେ ମୋତେ ଜାବୁଡି଼ ଧରିଛନ୍ତି ଜାଣେନା କେଉଁ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଜୀବନ ଯାତ୍ରାର ଅନ୍ତ ଅଛି କିନ୍ତୁ ଏହି ପ୍ରେମ ଭରା ଯାତ୍ରାର ଅନ୍ତ ନାହି।
ମୋ ପ୍ରେମିକାର ହାତ ଧରି ପାର୍ବତ୍ୟ ଭୁମି ରେ ଚାଲୁ ଚାଲୁ ମୋ କାନକୁ ଶୁଭିଛି ସହଯାତ୍ରୀ ମାନଙ୍କ କଥୋପକଥନ। ମୋ ପାଖରେ ଠିଆ ହେଇଛନ୍ତି କଲେଜ ପଢୁ଼ଆ ଛାତ୍ରମାନେ ହାତରେ ଧରି ନୋଟ୍, ଛାତ୍ରୀମାନେ ଟ୍ୟାଡି଼ ବ୍ୟାଗ୍ ଏବଂ ବ୍ୟବସାୟୀ ମାନେ ଟଙ୍କା ଥଳି। ଯାନବାହାନର ଶବ୍ଦ ସାଙ୍ଗକୁ ହର୍ନର ଶବ୍ଦ ମୁ ବ୍ଲଙ୍କେଟ୍ କୁ ମୋ ମୁହଁରୁ ଏଡା଼ଇ ଚାହିଁଲା ବେଳକୁ ଆଉ ଗୋଟିଏ ଶବ୍ଦ ଶୁଭିଲା 'ରହିବ' ବସଟି ଅଟକି ଗଲା। ମୋର ସେହି ଖାସ୍ ବାନ୍ଧବି ମୋ ସାମ୍ନା ସିଟରୁ ପଛକୁ ମୋ ଆଡ଼କୁ ଅନାଇ ବାଇ କହି ସ୍ମିତ ହାସ୍ୟ ଦେଇ ନିଜ ବାପାଙ୍କ ସହ ବସରୁ ଓହ୍ଲାଇ ଚାଲିଗଲେ। ମୁ ମଧ୍ୟ କିଛି ମାଇଲ ଯାତ୍ରା କଲା ପରେ ମୋ ଗନ୍ତବ୍ୟ ସ୍ଥଳରେ ପହଂଚି ଗଲି।
ଫେସବୁକ ପୋଷ୍ଟରୁ ଜାଣିବାକୁ ପାଇଲି ମୋର ସେହି ଖାସ୍ ସହପାର୍ଠିନୀଙ୍କ ବିବାହ ଜଣେ ଏନ ଆର ଆଇଙ୍କ ସହ ହୋଇଛି। ସେମାନଙ୍କର ଦେଶ ବିଦେଶ ଭ୍ରମଣର ଫୋଟ ଦେଖେ ଲାଇକ ବି କରେ ବେଳେ ବେଳେ କମେଣ୍ଟସ୍ ମଧ୍ୟ ଦିଏ। ସେମାନଙ୍କର ଗୋଟିଏ କ୍ୟୁଟ୍ ପୁଅ ବି ଅଛି । ଛୁଆର ଫୋଟରେ ସୋ କ୍ୟୁଟ୍ ବୋଲି ଲେଖି ଦିଏ। ଇତି ମଧ୍ୟରେ ୫ ବର୍ଷ ବିତିଯାଇଛି ବର୍ତ୍ତମାନ ମୁ ମଧ୍ୟ ବିବାହିତ। ମୋର ସମସ୍ତ କାଳ୍ପନିକ ପ୍ରେମିକା ମାନଙ୍କୁ ମୁ ମୋ ଧର୍ମପତ୍ନୀ ଠାରେ ହିଁ ପାଏ। ମୋ ବସ୍ ଯାତ୍ରା ସେଦିନ ସମାପ୍ତ ହୋଇଯାଇଥିଲା କିନ୍ତୁ ମୋ କାଳ୍ପନିକ ଯାତ୍ରା ଏବେ ବି ଅବ୍ୟାହତ।

