Anita Jena

Abstract

3  

Anita Jena

Abstract

ଶୁଷ୍କ ମାନବିକତା

ଶୁଷ୍କ ମାନବିକତା

4 mins
39



ଅପରାହ୍ନ ସମୟ । ଅଧା ଖରା ଅଧା ଛାଇ ବେଳ, କମ୍ପାନୀରୁ ଫେରିଲେ ମାଝୀ ବାବୁ । ମହାମାରୀ ଯୋଗୁଁ କମ୍ପାନୀରେ ଏବେ ରୁଟିନ କରାଯାଇଛି । କେତେବେଳେ ସକାଳୁ ପାଞ୍ଚ ଘଣ୍ଟା ତ କେତେବେଳେ ଅପରାହ୍ନ ପାଞ୍ଚ ଘଣ୍ଟା ଏଇ ଭଳି ଭାବେ ମାଝୀ ବାବୁ କାମ ସାରି ଫେରନ୍ତି । 

  ସେଦିନ ଥାଏ ହାଟ ବାରି, ଫେରିଲା ବେଳେ ପତ୍ନୀ କହିଛନ୍ତି ପରିବା ନେଇ ଯିବାକୁ । ମାଝୀ ବାବୁ ହାଟରୁ ପରିବା କିଣି ସାଇକେଲରେ ଫେରୁଥାନ୍ତି ଘରକୁ । କିଛି ବାଟ ଗଲା ପରେ ଏକ ଦୃଶ୍ୟ ଦେଖି କିଛି ସମୟ ପାଇଁ ସେଇଠି ଅଟକି ଗଲେ ସେ । ରାସ୍ତା କଡ କୁଡିଆ ରହେ ଜଣେ, ରୋଗିଣା ସ୍ତ୍ରୀ ଲୋକ, ଆଗରୁ ତ ନ ଥିଲା ହେଲେ ଏ ଲକ୍ ଡାଉନ୍ ପରେ ପରେ ଆସି ରହୁଛି । ଗାଁ ପିଲା ମିଶି କୁଡିଆଟି ତିଆରି କରି ଥିଲେ ମଝିରେ ମଝିରେ ଆସି ସେଠି ଭୋଜି ଭାତ କରନ୍ତି । ସ୍ତ୍ରୀ ଲୋକଟି ତାର ଦୁଇ ପିଲାଙ୍କୁ ନେଇ କୁଡିଆର ବାରଣ୍ଡାରେ ରୁହେ । ଆଉ ସେଦିନ ବି ବୋଧହୁଏ କିଛି ପିଲା ସେ ଘରେ ଭୋଜି ଭାତ କରୁଥିଲେ । ସେ ସ୍ତ୍ରୀ ଲୋକଟି ନିଜର ଦୁଇ ପିଲା ସହ ବାରଣ୍ଡାରେ ବସି ରହିଥାଏ, ପିଲା ଦୁଇଟି ରଡି ଛାଡି କହିଲେ, ମାଆ, ଜୋରରେ ଭୋକ ହେଲାଣି ଖାଇବାକୁ ଦେ, ମାଆ ଭୋକ ହେଲାଣି ଦେ । ହେଲେ ସ୍ତ୍ରୀ ଲୋକଟି ନିରୁତ୍ତର, ପିଲା ଦୁଇଟିକୁ କୋଳକୁ ନେଇ କହୁ ଥାଏ, ରୁହ ପିଲାମାନେ ରୁହ ମୁଁ ଦଉଛି କହି ନିଜ କାନିରୁ ଗଣ୍ଠି ଖୋଲି ଗୋଟେ ଛୋଟ ୫ ଟଙ୍କିଆ ବିସ୍କୁଟ ପକେଟ କାଢି ଦେଲା, ଦେଖୁ ଦେଖୁ ବଡ଼ ପିଲାଟି ପକେଟକୁ ଛଡେଇ ନେଇ ଏକା ଥରେ ଖାଇ ନେଲା ବିସ୍କୁଟତକ ଆଉ ଛୋଟ ପିଲାଟି ତା ପାଟିକୁ ଅନେଇ ଚାହିଁ ରହି ଥାଏ ସେମିତି । ମାଆ ତାର କୋଳେଇ ନେଲା ସେ ଛୋଟ ପିଲାକୁ ଆଉ ବଡ ପିଲାକୁ କିଛି କହିବାକୁ ଯୁ ନ ଥାଏ ତାର । ମୁହଁରୁ ତାର ସ୍ପଷ୍ଟ ବାରି ହେଇ ପଡୁଥାଏ ପେଟ ଭିତରର ଭୋକିଲା ରାକ୍ଷସର କରାଳ ଗର୍ଜନ । ଯୋଉଠି ନିଜ ଛୁଆର ଭୋକ ସେ ମେଣ୍ଟେଇ ପାରୁନି ସେଠି ନିଜ ପାଇଁ କୋଉଠୁ ଆଣିବ ଖାଇବା ଜିନିଷ । ମାଝୀ ବାବୁ ଆଉ ନିଜକୁ ସମ୍ଭାଳି ରଖି ପାରିଲେ ନାହିଁ । ପାଖ ଦୋକାନକୁ ଯାଇ କିଛି ବିସ୍କୁଟ ଆଉ ପାଉଁରୁଟି କିଣି ଆଣିବାକୁ ଚାଲିଗଲେ । କିଛି ସମୟ ପରେ ଫେରି ଦେଖିଲେ ସେଠାରେ ଭୋଜି ଭାତ କରୁ ଥିବା ପିଲାଗୁଡା ଗୋଟେ ବଡ଼ ଜାଗାରେ ସବୁ ତକ ମାଛ ତରକାରୀ ଆଉ ଭାତ ଆଣି ଦେଇ ଦେଲେ ସ୍ତ୍ରୀଲୋକଜଣଙ୍କୁ । କହିଲେ ମାଉସୀ ନିଅ ଖାଇ ନବ ଆଉ ଛୁଆ ଦୁଇଟାଙ୍କୁ ବି ଖୁଆଇ ଦବ । ଆମେ ଆସୁଛୁ । ସ୍ତ୍ରୀ ଲୋକ ଜଣଙ୍କ ଅବାକ୍ ହେଇ ବସି ରହି ଥାଏ ବୋଧହୁଏ ଆଗରେ ଥୁଆ ହେଇ ଥିବା ଭାତ ତରକାରୀ ତାକୁ ସ୍ୱପ୍ନ ମନେ ହଉ ଥିଲା । ପିଲା ଗୁଡା ଚାଲି ଗଲା ପରେ ସ୍ତ୍ରୀଲୋକଜଣଙ୍କ ଅତି ଖୁସିରେ ଛୁଆଙ୍କୁ ସେଗୁଡା ଖୁଆଇ ଦେଲା, ଆଉ ନିଜେ ବସି ଖାଇବାକୁ ଲାଗିଲା । ମୁହଁ ତାର ଝଲସି ଉଠୁ ଥାଏ ଏକ ସୁନ୍ଦର ହସରେ । ସତେ ଯେମିତି ଅନେକ ଦିନ ପରେ ପେଟର ଭୋକକୁ ସେ ଶାନ୍ତ କରି ପାରିଛି । ମାଝୀ ବାବୁ ଭାବିଲେ ଯାହା ହଉ ଆଜି କାଲିର ପିଲାଙ୍କୁ ସେ ଯେତେ ଅସଭ୍ୟ ଭାବୁ ଥିଲେ ସବୁ ପିଲା ସେମିତି ନୁହନ୍ତି, ସେଇଥି ପାଇଁ ତ ପିଲାମାନେ ସେ ସ୍ତ୍ରୀ ଲୋକ ଆଉ ପିଲାଙ୍କର ଭୋକର ଆକୁଳତାକୁ ସହି ନ ପାରି ଭୋଜି ଖାଦ୍ୟ ତକ ସବୁ ତାକୁ ଦେଇ ଦେଲେ । ମାଝୀ ବାବୁ ମନେ ମନେ ପିଲାଙ୍କ ଉପରେ ବହୁତ୍ ଖୁସି ହେଲେ ଆଉ ସେଠାରୁ ଚାଲି ଆସିବାକୁ ବାହାରିଲେ । ଏବେ ତ ସେମାନେ ଏତେ ସୁନ୍ଦର ଭୋଜିର ଆନନ୍ଦ ନେଇଛନ୍ତି କଣ ପାଇଁ ଏ ଶୁଖିଲା ବିସ୍କୁଟ ପାଉଁରୁଟି ଦେଇ ତାଙ୍କୁ ନିଜର ସେ ପୂର୍ବ ପରିସ୍ଥିତି କଥା ମନେ ପକେଇ ଦେବି । ହଉ କାଲି ଆସି ଏଗୁଡିକ ଦେଇ ଦେଇ ଯିବି ଛୁଆଙ୍କୁ ।

  

  କିଛି ଦୂର ଆସିଲା ପରେ ମାଝୀ ବାବୁ ଦେଖିଲେ ସେ କୁଡିଆ ଘରେ ଭୋଜି କରୁ ଥିବା ପିଲା ଗୁଡାକ ଏକ ଚାନ୍ଦିନୀ ଉପରେ ବସି ଗପସପ କରୁଛନ୍ତି । ତାଙ୍କ କଥା ଶୁଣି ମାଝୀ ବାବୁଙ୍କ ମୁହଁରେ ଏକ ଦୁଃଖର ଛାୟା ଖେଳି ଗଲା । ତାଙ୍କ ଭିତରୁ ଜଣେ କହୁ ଥାଏ ହେ ଆଜି ଭୋଜିଟା ପୁରା ନଷ୍ଟ ହେଇ ଗଲା । ମଣିଷ କେତେ ଖୁସିରେ ଭୋଜିର ବ୍ୟବସ୍ଥା କରି ଥିଲା ହେଲେ ସବୁ ମଜା ସରି ଗଲା ଯେତେବେଳେ ସେ ଚାଳ ଉପରୁ ପୋକଗୁଡା ଖସି ପଡ଼ିଲେ ସେ ମାଛ ତରକାରୀରେ । ଛିଃ ଛିଃ କିଏ ଖାଇ ଥାଆନ୍ତା ତାକୁ, ହେଲେ ଯାହା କୁହ ସାଙ୍ଗ ମାନେ ଆମ ତରକାରୀ କିନ୍ତୁ ନଷ୍ଟ ହେଲା ନାହିଁ । ସେ ଭିକାରୀ ବୁଢୀ ଆଉ ତା ପିଲାମାନେ ଭାରି ଖୁସିରେ ଖାଇ ପକେଇଲେ ସେଗୁଡା । 

  ମାଝୀ ବାବୁ ଏ ସବୁ କଥା ଶୁଣି ମନ ଦୁଃଖ କଲେ ଆଉ ପିଲାମାନଙ୍କ ପାଖକୁ ଆସି କହିଲେ - ବାଃରେ ପିଲାମାନେ ବାଃ ଏଇ ତମମାନଙ୍କ ମାନବିକତା, ତରକାରୀରେ ପୋକ ପଡିଗଲା ବୋଲି ତମେ ମାନେ ଖାଇ ପାରିଲନି, ହେଲେ ସେ ସ୍ତ୍ରୀ ଲୋକକୁ ଦେଇ ଦେଲ, କଣ ପାଇଁ ସେ ସ୍ତ୍ରୀ ଲୋକ ଜଣଙ୍କ ଆଉ ତାର ପିଲାମାନେ କଣ ମଣିଷ ନୁହଁ । ଅନ୍ୟ ଜଣର ଭୋକ ସହ ତମେ ଖେଳ ଖେଳି ଏଠି ଆସି ଖୁସି ଗପ କରୁଛ । ଏତେ ସୁଆଦିଆ ଆମିଷ ଝୋଳ ପାଇ ସେ ତମମାନଙ୍କୁ ତାର ହୃଦୟ ଭିତରୁ କେତେ କଣ ଆଶୀର୍ବାଦ ଦଉଛି । ହେଲେ ତାକୁ କୋଉଠୁ ଜଣା ତମେ ତା ପେଟକୁ ରାସ୍ତା କଡର ମଇଳା ଜମା ଡବା ଭାବି ତା ଆଗରେ ଥୋଇ ଦେଇ ଥିଲ ସେଗୁଡା । ଭାରି ଖୁସି ମନରେ ଖାଉଥିଲେ ସେମାନେ ସେ ପୋକ ମିଶା ଆମିଷ ଝୋଳକୁ । ବାଃ ବାଃରେ ପିଲାମାନେ ବହୁତ୍ ଭଲ ମାନବିକତାର ପରିଚୟ ଦେଲ ତମେ ମାନେ । ଯଦି ତମକୁ ସେ ତରକାରୀ ଖାଇବା ଠିକ୍ ମନେ ହେଲାନି ତେବେ ସେମାନଙ୍କୁ କେମିତି ଦେଇ ପାରିଲ । ସେମାନେ ବି ତ ମଣିଷ । ହେଲେ ଫରକ୍ ଏତିକି ସେ ଭୋକର ରାକ୍ଷସ ଜାଲରେ ବନ୍ଦୀ ଯାହା କି ତାଙ୍କୁ ଭଲ ଖାଦ୍ୟ ଅସନା, ଅଇଁଠା ଖାଦ୍ୟର ବାଛିବାର କ୍ଷମତା ଛଡେଇ ନେଇଛି । 

  ମାଝୀ ବାବୁଙ୍କ କଥା ଶୁଣି ତଳକୁ ମୁହଁ ପୋତି ଠିଆ ହେଇ ଥିଲେ ପିଲାଗୁଡା । ଚାଲି ଗଲେ ମାଝୀ ବାବୁ ନିଜ ବାଟରେ ହେଲେ ଗଲାବେଳେ ପିଲାମାନଙ୍କୁ ଦେଇଗଲେ ସେମାନଙ୍କ ଶୁଷ୍କ ମାନବିକତାର ପରିଚୟ । । । ।



Rate this content
Log in

Similar oriya story from Abstract