ଶୃଙ୍ଗାର
ଶୃଙ୍ଗାର
ବାହାଘର କୁ ୫ ବର୍ଷ ହୋଇଗଲାଣି ହେଲେ ନିଜକୁ କେବେ ଏମିତି ଅସହାୟ ଅନୁଭବ କରି ନଥିଲା ପ୍ରିତୀପଦ୍ମା ।ନିଜ ଛୋଟ ପରିବାରରେ ତ ବହୁତ ଖୁସିରେ ଥିଲା ସେ ।ଏତେ ପଇସାବାଲା ନହେଲେ ବି କିଛି ଅଭାବ ନଥିଲା ତା ସଂସାରରେ । ତା ଜୀବନକୁ ନେଇ ନା ଥିଲା କିଛି ଅଭିଯୋଗ ନା କିଛି ଅଭିଳାଷ । ଏଇ ୫ ବର୍ଷ ଚଳଣୀ ଭିତରେ ତା ଜୀବନ ଟା କେବେ ଜଟିଳ ଲାଗିନି କି ଆଉ କିଛି ପାଇବାର ଲୋଭ ତାକୁ ଆବୋରି ବସିନି ।
କିନ୍ତୁ ଆଜିର ଘଟଣା ତାକୁ ଅସ୍ତବ୍ୟସ୍ତ କରି ପକାଉଛି । ପୁରୁଣା ବନ୍ଧୁ ମାନଙ୍କ କେଇପଦ କଥାରେ ସେ ଆଜି ଭାଂଗି ପଡିଛି ।
ପ୍ରଥମଥର ପାଇଁ ସ୍ବାମୀ ତା ଆଖିରେ ଅସମର୍ଥ ମଣିଷ ପରି ଲାଗୁଛନ୍ତି ।ଆଖିରେ ପୁଣି ଲୁହ ଜକେଇ ଆସିଲା ।
କାହିଁକି ୟାଙ୍କ ପାଖରେ ମୁଁ ମୋ କୁଆଁରୀ ଜୀବନର ପୂର୍ଣଛେଦ ପକେଇଦେଲି ?ମୋ ରୂପ ଯୌବନ ରେ ସେମିତି କିଛି ଅଭାବ ତ ନଥିଲା ? ଚାହିଁଥିଲେ ୟାଙ୍କଠାରୁ ଆହୁରି ଭଲ ମୋ ଜୀବନରେ ଆସି ପାରିଥା'ନ୍ତେ ।ହଁ ଆଜି ପ୍ରଥମ ଥର ପାଇଁ ଏମିତି ପାପ କଥା ପଦ୍ମା ମନକୁ ଛୁଉଁଛି ।ବିବାହ ଭୋଜୀ ରୁ ଫେରିବା ପରେ ସେ ଯେମିତି ସରିଯାଇଛି ।
ଅପମାନ ବି ଏତେ ଦୟନୀୟ ହୋଇପାରେ ?
ସାଂଗ ମାନଙ୍କ କଥା ଗୁଡିକରେ ସେ କେବଳ ଆହତ ହୋଇଥିଲା ତା ନୁହେଁ , ତା ଆଖିକୁ ବି ସେମାନେ ସବୁ ଆଧୁନିକା ଲାଗୁଥିଲେ ।
ଆଖିରୁ ଦୁଇ ଟୋପା ଲୁହ ଖସି ପଡିଲା ପଦ୍ମା ର ।
ସ୍ବାମୀ ଦୁଇକଡ ନିଦ ଗଲେଣୀ କେତେବେଳୁ ।
ତଥାପି ପଦ୍ମା ଆଇନା ସାମ୍ନାରେ ବସି ନିଜକୁ ଆଉ ସାଂଗ ମାନଙ୍କୁ ତୂଳନା କରୁଥିଲା ।
ସେମାନଙ୍କ ପୂରିଲା ପୂରିଲା ଗହଣା ର ଚମକ୍ ରେ ନିଜକୁ ଚମକଉ ଥିଲା ।
