ଶ୍ରୀୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା' ଘର
ଶ୍ରୀୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା' ଘର
ଶ୍ରୀୟା ଚଣ୍ଡାଳୁଣୀ
ନଗ୍ର ବାହାରେ ତା' ଘର
===================
ଭକ୍ତକବି ବଳରାମଦାସଙ୍କ ଲକ୍ଷ୍ମୀ ପୁରାଣର କଥା l
ଦିନେ ମୁନି ପରାଶର ଏବଂ ଦେବର୍ଷି ନାରଦ ମର୍ତ୍ତ୍ୟକୁ ବୁଲିବାକୁ ଆସି ପହଞ୍ଚିଲେ ଉତ୍କଳର ଶ୍ରୀଜଗନ୍ନାଥ ଧାମରେ l ସେ ଦିନ ମାର୍ଗଶୀର ମାସର ଗୁରୁବାର ଶୁକ୍ଳ ଦଶମୀ ତିଥି ପଡ଼ିଥାଏ l ପ୍ରତି ଘରେ ଗୃହିଣୀ ମାନେ ସୁଦ୍ଧପୂତ ହୋଇ ସୁଦଶା ବ୍ରତର ଆୟୋଜନ କରୁଥାନ୍ତି l ନାରଦ ଏହା ଦେଖି ଅତି ଆଶ୍ଚର୍ଯ୍ୟ ହୋଇ ମୁନି ପରାଶରଙ୍କୁ ପ୍ରଶ୍ନ କଲେ, ଆଜି କଅଣ ପାଇଁ ଏ ସବୁର ଅୟୋଜନ ଚାଲିଛି l ମୁନି ପରାଶର କହିଲେ , ଆଜି ସୁଦଶା ବ୍ରତ ପଡ଼ିଛି, ସେଥି ପାଇଁ ଗୃହିଣୀ ମାନେ ଶୁଦ୍ଧପୂତ ହୋଇ ଏହି ବ୍ରତ ପାଳନର ଆୟୋଜନରେ ଲାଗି ପଡିଛନ୍ତି l ବ୍ରତ ବିଷୟରେ ନାରଦଙ୍କୁ ବୁଝାଇବାପାଇଁ ପରାଶର ପୁଣି କହିଲେ ଯଦି କୌଣସି ଶୁକ୍ଳ ଦଶମୀ ଗୁରୁ ବାରରେ ପଡ଼େ ତାହା ସୁଦଶା ବ୍ରତ ଭାବରେ ପାଳିତ ହୁଏ l ଏଥିରେ ମାଆ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଏ l
ଆହୁରି କୌତୁହଳୀ ହୋଇ ପୁଣି ଦେବର୍ଷି ପ୍ରଶ୍ନ କଲେ, ତା' ହେଲେ ଆପଣ ମୋତେ ବୁଝାଇ କୁହନ୍ତୁ ଏଭଳି ବ୍ରତକରି ଏ ମର୍ତ୍ତ୍ୟ ଲୋକରେ କେଉଁ ମନୁଷ୍ୟ କେଉଁ ଫଳ ଲାଭ କରିଛନ୍ତି,ଆଉ ଲକ୍ଷ୍ମୀ ଦ୍ରୋହକରି ପୁଣି କିଏ ଦୁଃଖ ପାଇଛି l ଏଭଳି ଯଦି କିଛିକଥା ଥାଏ ତାହା ମୋତେ ବିସ୍ତାର ଭାବେ କୁହନ୍ତୁ l ମୁନି ପରାଶର କହିଲେ, ହଉ ମୁଁ ତୁମକୁ ଏକ ପୁରାତନ କାହାଣୀ କହୁଛି, ମନଦେଇ ଶୁଣ l ଏପରି କହି ମୁନି କଥା ଆରମ୍ଭ କଲେ l
ଏହି ନୀଳାଚଳ ଧାମର କଥା, ସେଦିନ ଗୁରୁ ବାର ଶୁକ୍ଳଦଶମୀ ସୁଦଶା ବ୍ରତ ପଡ଼ିଛି l ଏହା ଲକ୍ଷ୍ମୀଙ୍କ ବାର l ଏଣୁ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ନିବେଦନ କଲେ, ଆପଣ ଟିକିଏ ଅନୁମତି ଦିଅନ୍ତୁ, ମୁଁ ଆଜି ମୋ ବାରରେ ଟିକେ ନଗର ବୁଲି ଆସେ l ମାଆ
ଶ୍ରୀଜଗନ୍ନାଥଙ୍କ ଆଜ୍ଞା ପ୍ରାପ୍ତା ହୋଇ ଏକ ବ୍ରାହ୍ମଣୀ ବେଶରେ ବଡ଼ି ଭୋରରୁ ନଗର ଭ୍ରମଣରେ ବାହାରି ଗଲେ l ପ୍ରଭାତରୁ ଯିଏ ସବୁ ଶଯ୍ୟା ଛାଡ଼ି ନ ଥାନ୍ତି, ଉଠି ଘରଦ୍ୱାର ପରିଷ୍କାର କରିନଥାନ୍ତି ତାଙ୍କୁ ପରିଚ୍ଛନ୍ନତା ବାର୍ତ୍ତା ଶୁଣାଇ ଆଜି ଗୁରୁ ବାର ଲକ୍ଷ୍ମୀ ପୂଜା କରିବାକୁ କହିଲେ l ତା' ପରେ, ସେ ଜଣେ ସାଧବାଣୀ ଗୃହରେ ପହଞ୍ଚି, ତା'ର ପ୍ରଶ୍ନର ଉତ୍ତର ଦେଇ ଶ୍ରୀଲକ୍ଷ୍ମୀ ବ୍ରତ କିପରି କରିବ ତାହା ବୁଝାଇ ଦେଲେ l ପୁଣି, ମାଆ ଲକ୍ଷ୍ମୀ ସାଧବାଣୀକୁ ବିଭିନ୍ନ ଶୁଦ୍ଧାଚାର, ନାରୀ ଧର୍ମ ତଥା ପରିବାରର ଶୁଦ୍ଧତା ରକ୍ଷା ପାଇଁ କଅଣ କଅଣ ସବୁ କରଣୀୟ ତାହା ବୁଝାଇ କହିଲେ l ଏପରି ବୁଝାଇ ମାଆ ମହାଲକ୍ଷ୍ମୀ ସାଧବାଣୀ ଗୃହରୁ ପ୍ରସ୍ଥାନ କଲେ l
ଏହା ପରେ ମା' ଲକ୍ଷ୍ମୀ ଯାଇ ପହଞ୍ଚିଲେ ଏକ ଚଣ୍ଡାଳ ସାହିରେ l ସେଇଠି ରହୁ ଥାଏ ଦରିଦ୍ର ବିଷ୍ଣୁ ଭକ୍ତି ପରାୟଣା, ଚାଣ୍ଡାଳୁଣୀ, ଶ୍ରୀୟା l ନଗର ବାହାରେ ତାର ଘର l ସେ ପ୍ରତିଦିନ ଗୁଣ୍ଡିଚା ମନ୍ଦିରକୁ ଝାଡ଼ୁ କରେ l ସେଇଥିରୁ ଯାହା ମିଳେ, ତାର ଗୁଜୁରାମ ମେଣ୍ଟି ଯାଏ l ତାର ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ପ୍ରତି ଅଚଳା ଭକ୍ତି l ଶ୍ରୀୟାର ଭକ୍ତିମତ୍ତାକୁ ବର୍ଣ୍ଣନା କରି ପରାଶର କହିଲେ:-
ଶ୍ରୀୟା ଚଣ୍ଡାଳୁଣି ନଗ୍ର ବାହାରେ ତା' ଘର l
ମହିମା ତାହାର ଯେ ଦେବଙ୍କୁ ଅଗୋଚର ll
ସେଦିନ ଶ୍ରୀୟା ଶୁଦ୍ଧପୂତ ଭାବେ ଲକ୍ଷ୍ମୀପୂଜା ପାଇଁ ସମସ୍ତ ଆୟୋଜନ କରିଛି l ଚଣ୍ଡାଳୁଣି ସେଦିନ ସୁଦଶା ବ୍ରତ କରୁଛି l ମାଆଙ୍କ ନାମ ପଦ୍ମାଳୟା l ପଦ୍ମ ଫୁଲ ତାଙ୍କର ଭାରି ପ୍ରିୟ l ଶ୍ରୀୟା ଆଙ୍କିଥିବା ଝୋଟି ପଦ୍ମ ଫୁଲ ଉପରେ ଯାଇ ମାଆ ଶ୍ରଦ୍ଧାରେ ଠିଆ ହେଲେ l ପଦ୍ମାଳୟାଙ୍କୁ ଦେଖି ଶ୍ରୀୟା ଚମକି ପଡ଼ିଲା l ଭକ୍ତି ଗଦଗଦ ହୋଇ ଶ୍ରୀୟାର ଚକ୍ଷୁରୁ ଗଡ଼ି ପଡୁଥାଏ ଆନନ୍ଦାଶ୍ରୁ l ମାଆଙ୍କ ପାଦ ତଳେ ପଡ଼ି ଶ୍ରୀୟା କାନ୍ଦି କାନ୍ଦି କହିଲା, ସତେଲୋ ମାଆ କେଡ଼େ ଦୟାବତୀ ତୁ l ମୋର ଗରିବ କୁଟୀରରେ ଆଜି ପାଦ ପକାଇଛୁ l କି ଭାଗ୍ୟ ମୋର l କି ନୈବେଦ୍ୟରେ ମୁଁ ତୋର ଅର୍ଚ୍ଚନା କରିବି l ମାଆ କହିଲେ, ଶ୍ରୀୟା ! ମୋର ଆଉ କଛି ଲୋଡ଼ା ନାହିଁ l ତୋ ଭକ୍ତି ଓ ଶୁଦ୍ଧ ପୂତତାରେ ମୁଁ ସନ୍ତୁଷ୍ଟ ହୋଇଛି l ତୁ ମୋର ଭକ୍ତ ଶ୍ରେଷ୍ଠ l ଭକ୍ତ ଅଗ୍ରଣୀ l
ଶ୍ରୀୟା ଚଣ୍ଡାଳୁଣି ପୂଜା ଓ ଶୁଦ୍ଧ ପୂତତାରେ ଧନଐଶ୍ୱର୍ଯ୍ୟ ଦାତ୍ରୀ ମାଆ ସନ୍ତୁଷ୍ଟ ହୋଇ ତାକୁ ବର ଦେଲେ l ତା ଘର ଅମାପ ଧନ ଧାନ୍ୟରେ ପୁରି ଉଠିଲା l ଏହା ଥିଲା ଶ୍ରୀୟାର ମା' ମହାଲକ୍ଷ୍ମୀଙ୍କ ପ୍ରତି ଅଟଳ ଅଚଳ ଭକ୍ତିର ପରିଣାମ l
ତାପରେ ଲକ୍ଷ୍ମୀ ଫେରିଆସିଲେ ଶ୍ରୀମନ୍ଦିରକୁ l ଦୁଆରେ ଜଗି ବସିଥାନ୍ତି ଜଗନ୍ନାଥ ବଳରାମ ଦୁଇ ଭାଇ l ଲକ୍ଷ୍ମୀ କହିଲେ ବାଟ ଛାଡ଼ନ୍ତୁ ମୁଁ ଶ୍ରୀମନ୍ଦିର ଗଲେ ତୁମପାଇଁ ମଣୋହୀ ତିଆରି କରିବି l କିନ୍ତୁ ଲକ୍ଷ୍ମୀ, ଚଣ୍ଡାଳ ସାହିକୁ ଯାଇ ଅପବିତ୍ର ହୋଇଛନ୍ତି ! ସେ କିପରି ମନ୍ଦିରକୁ ପ୍ରବେଶ କରିବେ !! ଏକଥାକୁ ଅଡ଼ି ବସିଲେ, ଦୁଇ ଭାଇ l ଜଗନ୍ନାଥେ ଲକ୍ଷ୍ମୀଙ୍କୁ କହିଲେ, ତୁମେ ଚାଣ୍ଡାଳ ସାହିକୁ ଯାଇ, ଅପବିତ୍ର ହୋଇଛ l ଏହା, ବଡ଼ ଭାଇ ଜାଣିଛନ୍ତି l ତାଙ୍କର ନିର୍ଦ୍ଦେଶ, ତୁମକୁ ଶ୍ରୀମନ୍ଦିର ପ୍ରବେଶ ମନା l ଏକା ଦେଖି ଥିଲେ, କୌଣସି ମତେ ଏହା ମୁଁ ଘୋଡ଼ାଇ ଦେଇଥାନ୍ତି l କିନ୍ତୁ ବଡ଼ ଭାଇ ସ୍ୱୟଂ ଏହାକୁ ଦେଖି ଛନ୍ତି l ମୋର ଆଉ କିଛି ରାସ୍ତା ନାହିଁ l
ଲକ୍ଷ୍ମୀ ଯେତେ କରି ବୁଝାଇଲେ ମଧ୍ୟ ବଡ଼ ଠାକୁର ଓ ଜଗନ୍ନାଥ ବୁଝିଲେ ନାହିଁ l ଶେଷକୁ ଲକ୍ଷ୍ମୀ ବାଧ୍ୟ ହୋଇ, ସେଠାରୁ ପ୍ରସ୍ଥାନକଲେ ଓ ଗଲାବେଳେ ଦୁଇ ଭାଇଙ୍କୁ ଅଭିଶାପ ଦେଇଗଲେ :-
ସତେ ଯେବେ ଚନ୍ଦ୍ରସୂର୍ଯ୍ୟ ହୋନ୍ତି ଆତଯାତ, ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ l ବାରବର୍ଷ ଯାଏ ତୁମ୍ଭେମାନେ ଦରିଦ୍ର ହୋଇ ବାର ଦ୍ୱାର ଭିକ୍ଷୁକ ଭାବେ ବୁଲିବ l ତୁମ୍ଭଙ୍କୁ କେଉଁଠାରେ ଅନ୍ନ,ବସ୍ତ୍ର, ଜଳ, ମିଳିବ ନାହିଁ l ଆଉ ଚଣ୍ଡାଳୁଣୀ କହି ମୋତେ ଶ୍ରୀମନ୍ଦିରରୁ ବହାର କରି ଦେଉଛ, ଦେଖିବ, ସେହି ଦିନ ଆସିବ, ହେ ପ୍ରଭୁ କାଳୀୟ ଗଞ୍ଜନ ! ଏହି ଚଣ୍ଡାଳୁଣୀ ହସ୍ତରୁ ତୁମେ ଭୋଜନ କରିବାକୁ ବାଧ୍ୟ ହେବ l
ଲକ୍ଷ୍ମୀ ଯାଇ ସାଗର କୂଳରେ ବିଶ୍ଵକର୍ମାଙ୍କ ନିର୍ମିତ ନବରରେ ବାସ କଲେ ଏବଂ ବେତାଳ ମାନଙ୍କ ଦ୍ୱାରା ଶ୍ରୀ ମନ୍ଦିରର ସମସ୍ତ ସମ୍ପଦକୁ ହରଣ କରି ନେଲେ l ବଳଭଦ୍ର ଓ ଜଗନ୍ନାଥ ତା ପରେ ଭିକ୍ଷା ମାଗି ବୁଲିଲେ l ଲକ୍ଷ୍ମୀଛଡ଼ା ହୋଇ ଥିବାରୁ କେଉଁ ଠାରେ ଭିକ୍ଷା ମିଳିଲା ନାହିଁ l ଲକ୍ଷ୍ମୀଛଡ଼ା ଜଗନ୍ନାଥ ବଳରାମଙ୍କୁ ଲୋକେ ଦୂର ଦୂର, ମାର ମାର କରି ତଡ଼ି ଦେଲେ ଏପରିକି ମିଳିଥିବା ଭିକ୍ଷା ମଧ୍ୟ ତାଙ୍କୁ ପ୍ରାପ୍ତ ନହୋଇ ପବନରେ ଉଡ଼ିଗଲା l
ଶେଷରେ ଯାଇ ସେମାନେ ମାଆ ଲକ୍ଷ୍ମୀଙ୍କ ଦୁଆରେ ଭିକ୍ଷା ମାଗିଲେ l ମାଆଙ୍କ ହାତରନ୍ଧା ଖାଇ ତାଙ୍କୁ କ୍ଷମା ମାଗି ପୁନଶ୍ଚ ଶ୍ରୀମନ୍ଦିରକୁ ଘେନି ଆସିଲେ l ମାଆ ତାଙ୍କ ଠାରୁ ସର୍ତ୍ତ କରାଇ ନେଲେ:-
ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ l
ସମସ୍ତେ ଖାଇଣ ହସ୍ତ ଜଳେ ନଧୋଇବେ ll
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ l
ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ll ମୁନି ପରାଶର କଥାଟି ଶେଷ କରି କହିଲେ, ଦେବର୍ଷି ! ତୁମେ ଯେଉଁ ଦୁଇଟି ପ୍ରଶ୍ନ ମୋତେ ପଚାରି ଥିଲ ତାର ଉତ୍ତର ପାଇଲ ତ ଆଉ ଶୁଣିଲ ତ ଚାଣ୍ଡାଳୁଣୀ କିପରି ଭକ୍ତି ବଳରେ ଦାରିଦ୍ର୍ୟ ଭାଞ୍ଜନୀଙ୍କ କରୁଣା ଲାଭ କରିଥିଲା ଆଉ ଲକ୍ଷ୍ମୀଙ୍କ ଦ୍ରୋହ କରି ସ୍ଵୟଂ ଜଗତର କର୍ତ୍ତା, କିପରି ଦୁର୍ଦ୍ଦଶା ଭୋଗ କରି ଥିଲେ l ନାରଦ ଆଉ କିଛି କହି ନପାରି ଦୟାମୟୀ ମାଆଙ୍କ ମହିମା କେବଳ ସ୍ମରଣ କରୁଥିଲେ l କମଳେ କମଳାୠଢ଼େ
ଶକ୍ତି ପ୍ରଦାୟିନୀ ଦେବୀ l
ତ୍ରୈଲୋକ୍ୟପାଳିନୀ ଦେବୀ
ସତତଂ ତାଂ ନମାମ୍ୟହମ୍ ll
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ - 76930 91971
