ଶୀତଳ ଛୁରୀ ,୍
ଶୀତଳ ଛୁରୀ ,୍


ଅବସର ଦିନ ବିଦାୟସମ୍ବର୍ଦ୍ଧନାରେ ଖୁବ ଗର୍ବର ସହ ଉପେନ୍ଦ୍ରବାବୁ କହିଥିଲେ କି ଏଣିକି ମୋର ଏକ ନୂଆଜୀବନ ଆରମ୍ଭ ହେବାକୁ ଯାଉଛି. ଏତେ ବର୍ଷଧରି ଅତୀତ ପରିବାର ଓ ବର୍ତ୍ତମାନ ପରିବାର ଅର୍ଥାତ ବାପା ମାଆ ଭାଇ ଭଉଣୀଙ୍କ କଥା ସାଙ୍ଗକୁ ପତ୍ନୀ ପୁତ୍ର ଓ କନ୍ୟାଙ୍କ କଥା ବୁଝୁ ବୁଝୁ ସମୟ ଗଲା. ଏବେ ପିତା ମାତାଙ୍କ ଆବର୍ତ୍ତନ ସହ ସେମାନଙ୍କ ଅସ୍ଥି ବିସର୍ଜ୍ଜନ ଓ ଭାଇ ଭଉଣୀମାନଙ୍କ ସବୁ କର୍ମ ସମ୍ପାଦନ କରିବା ପରେ ପୁତ୍ର ଓ କନ୍ୟାଙ୍କୁ ମଧ୍ୟ ପଢେଇ, ଯୋଗ୍ୟ ଓ ଯୋଗ୍ୟା କରି ତାଙ୍କ ବିବାହ କାର୍ଯ୍ୟ ମଧ୍ୟ ସୁସମ୍ପର୍ଣ୍ଣ ହୋଇସାରିଛି ତ ଏଣିକି ମୋର ସୁନାଝରା ସମୟ. ଉପେନ୍ଦ୍ରବାବୁଙ୍କ ଏ କଥା ତାଙ୍କ ବାଲ୍ୟବନ୍ଧୁ ଦିବାକରବାବୁ ଶୁଣି ଖୁବ ଖୁସି ହୋଇଥିଲେ ଯା ହେଉ ସାଙ୍ଗଟା ତାଙ୍କର ସକାରାତ୍ମକ ଚିନ୍ତାଧାରା ନେଇ ବଞ୍ଚୁ ଏ ଦୁନିଆଁରେ.ହେଲେ ଯେଉଁଦିନ ଦୁଇବନ୍ଧୁଙ୍କର ଦେଖାହୋଇଗଲା ହାଟ ପାଳିକୁ ହାଟର ଏକ ନିର୍ଜ୍ଜନ ପରିବେଶରେ ଦିବାକରବାବୁ ଉପେନ୍ଦ୍ରବାବୁଙ୍କୁ ଚିହ୍ନି ପାରିନଥିଲେ. ବୟସ ଏକ ସଂଖ୍ୟା ମାତ୍ର କହୁଥିବା ଲୋକଟା ଏତେ ବିଷାଦଗ୍ରସ୍ତ ଥିଲା ଯେ ନଦେଖିଲେ ବୁଝି ହେବନି ତ ଉପେନ୍ଦ୍ର କହିଥିଲେ ଦିବାକାରଙ୍କୁ ଯେ ତାଙ୍କ ଜୀଵନ ଗୋଟେ ହଡ଼ାବଳଦ ଶଦୃଶ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ.
ସମୟ ଦେଇ ଦିବାକର ଶୁଣୁଥିଲେ ଉପେନ୍ଦ୍ରଙ୍କ ଦୁଃଖ. ସ୍ତ୍ରୀ ତାଙ୍କର ଘରଟିଏ କରିପାରିନଥିବାରୁ ସବୁବେଳେ ଉପେନ୍ଦ୍ରଙ୍କ ଉପରେ କ୍ଷୁବ୍ଧ. ଲୋକେ ସିନା କହୁଛନ୍ତି ଧନ ସଂଚିବା କଣ ଦରକାର ଯଦି ପିଲାମାନଙ୍କୁ ଯୋଗ୍ୟ ଓ ଉପଯୁକ୍ତ କରିପାରିଛ,ତେବେ ତାହା ଧନଠାରୁ ଅର୍ଥାତ ଟଙ୍କା ପଇସା, ସୁନା ଗହଣାଠାରୁ ମଧ୍ୟ ବଡ଼ କାରଣ ପୁଅ ଝିଅ ଵା ସନ୍ତାନ ଯଦି ଯୋଗ୍ୟର ହେଲେ ଧନ କାହିଁ ପାଇଁ ସଞ୍ଚିବି ବୋଲି କଥାରେ ଅଛି. କିନ୍ତୁ ଶେଷ ସମୟର ବାନ୍ଧବୀ ଯଦି ବଦଳି ଯାଏ ତ କଥା ସରିଲା. ଘରକୁ ଡେରିରେ ଆସିଲେ ଦୋଷ.ଘରକୁ ସଅଳ ଫେରିଲେ ବି ଦୋଷ. କେତେକ ହିତାକାଂକ୍ଷୀଙ୍କ କହିବା ଅନୁଯାୟୀ ଶାଢ଼ୀ ଦୋକାନ ପାଖେ ଘରଭଡା ନେଇ ରହିଲି ଯେ କେମିତି ସ୍ତ୍ରୀ ତାଙ୍କ ମନପସନ୍ଦ ଶାଢ଼ୀ ଦେଖୁ ଦେଖୁ ସମୟ ପାଇବେନି କଳି କରିବାକୁ କିନ୍ତୁ ଫଳ ହେଲା ଓଲଟା. ଶାଢ଼ୀ ଦେଖୁ ଦେଖୁ ରୋଷେଇ ବନ୍ଦ ସ୍ତ୍ରୀଙ୍କର ପୁଣି ଅଭିଯୋଗ ସ୍ୱାମୀ ହିସାବରେ ତାଙ୍କୁ କେତେ ଶାଢ଼ୀ ଗହଣା ଦେଇପାରିଛି ନପାରିଛିର ତର୍ଜ୍ଜମା କରି ଅହରହ କଳି.
ଦିବାକରବାବୁ ବନ୍ଧୁ ଉପେନ୍ଦ୍ରଙ୍କୁ କୁଣ୍ଢେଇ ଧରି କହିଲେ ତୁମେ ତ ଜାଣ ବନ୍ଧୁ ଅବସର ପରେ ମୁଁ ସାହିତ୍ୟ ସାଧନା କରୁ କରୁ ଗୋଟେ ଉପନ୍ୟାସ ଲେଖିଛି. ତାକୁ ଯଦି ଭାଉଜ ପଢନ୍ତେ ନିଶ୍ଚୟ ବଦଳି ଯାଆନ୍ତେ.
ବହି ଖଣ୍ଡିକ ନେଇ ସ୍ତ୍ରୀଙ୍କ ହସ୍ତରେ ଦେବାର ସତସାହାସ ନଥିବାରୁ ଓ ବିଷୟବସ୍ତୁ ପଢି କାଳେ ସ୍ତ୍ରୀ ଅଧିକ ଉତକ୍ଷିପ୍ତ ହେବେ ଭାବି, ଉପେନ୍ଦ୍ର ବହିଟିକୁ ସ୍ତ୍ରୀଙ୍କ ବେଡ଼ ଉପରେ ରଖି କହିଲେ ଓଃ ଭାରି ଗୋଟେ ସାହିତ୍ୟ ସାଧନା କରି ଉପନ୍ୟାସ ବହି ଲେଖିଛି ଦିବାକର. କାମ ଦେଲା ଉପେନ୍ଦ୍ରଙ୍କ କଥା ତ ସ୍ତ୍ରୀ ସୁଲୋଚନା ମୂଳରୁ ଚୁଳ ଅର୍ଥାତ ଉପନ୍ୟାସଟିର ଆମୂଳଚୂଳ ପଢିଗଲେ.
ଉପନ୍ୟାସଟିର ବିଷୟ ବସ୍ତୁ ଥିଲା ଖୁବ ସ୍ପର୍ଶକାତର. ଯୋଉଥିରେ ସ୍ୱାମୀର ଅତ୍ୟାଚାରର ଶୀକାର ହେଉଥିଲା ସ୍ତ୍ରୀଟିଏ. ଛୋଟମୋଟ ଭୁଲରେ ମାଡ଼ ଖାଇ ମଧ୍ୟ ପାଟି ଖୋଲି ପ୍ରତିବାଦ କରିବା ଦୂରେ ଥାଉ ଅଭିଯୋଗ କରୁନଥିଲା କାରଣ ସେ ସ୍ୱାମୀଙ୍କୁ ଦେବତା ସମ ମଣି ଭଲପାଉଥିଲା. ପ୍ରେମ ଭକ୍ତି କରୁଥିଲା. ସେଦିନ ଗୋଟେ ଛୋଟ ଭୁଲକୁ ନେଇ ସ୍ୱାମୀଟି ସ୍ତ୍ରୀକୁ ଛୁରୀକାଘାତ କରିବାରୁ ସ୍ତ୍ରୀଟି ବିଚରା ପଡୋଶୀଙ୍କ ସହାୟତାରେ ହସ୍ପିଟାଲରେ ମୁର୍ମୁଷୁ ଅବସ୍ଥାରେ ଥିଲା. ଉପଚାର ପରେ ଯେତେବେଳେ ତାର ଚେତା ଫେରିଥିଲା ସେ ଚାରିପଟେ ଥିବା ବନ୍ଧୁବାନ୍ଧବ, ଚିହ୍ନାପରିଚୟ, ଶୁଭେଛୁ ମାନଙ୍କ ଭିତରେ କାହାକୁ ଖୋଜି ହେଉଥିଲା. ଡାକ୍ତର ଜାଣିବାକୁ ପାଇଥିଲେ ସ୍ତ୍ରୀଟି ତାର ସ୍ୱାମୀଙ୍କୁ ଖୋଜୁଛି ଯେତେବେଳେକି ସ୍ୱାମୀଟି ଜେଲରେ ଥିଲା. ଜଣଙ୍କର ଜୀଵନ ମରଣ ସମସ୍ୟା ପାଇଁ ପୋଲିସ କର୍ଡନ ଭିତରେ ସ୍ୱାମୀଙ୍କୁ ଅଣାଗଲା ତ ସ୍ତ୍ରୀଟି ତାର ସ୍ୱାମୀ ନିର୍ଦୋଷ କହି ତା ଛୁରାଘାତ କ୍ଷତ ପାଇଁ ସେ ନିଜେ ଦାୟୀ ଅର୍ଥାତ ଝୁଣ୍ଟି ପଡି ଛୁରୀକାଘାତ ହୋଇଥିଲା ନିଜର କହି ସ୍ୱାମୀର ଗିରଫଦାରୀରୁ ସ୍ୱାମୀଙ୍କୁ ମୁକ୍ତ କରିବାକୁ ଅନୁରୋଧ କରି ନେହୁରା ହେଇଥିଲା. ଏତିକି ପଢିବା ପରେ ସୁଲୋଚନା କାନ୍ଦିବାର ଅନୁଭବ କାରିଥିଲେ ଉପେନ୍ଦ୍ର. ତା ପରେ ଯାହା ହେଲା ଜାଣିଲେ ଆହୁରି ବିସ୍ମୟ ଜାଗେ କାରଣ ସ୍ତ୍ରୀ ସୁଲୋଚନା ସ୍ୱାମୀ ଉପେନ୍ଦ୍ରଙ୍କୁ ଅନୁରୋଧ କରିଥିଲେ ଦିବାକରବାବୁଙ୍କ ପଡୋଶୀ ହୋଇ ରହିବାକୁ. ସେୟା ହେଲା ପରେ ଦିବାକରବାବୁଙ୍କ ସ୍ତ୍ରୀଙ୍କ ସହ ମିଶି ସୁଲୋଚନା ଗୋଟେ ଫୁଲ ବଗିଚା କରିଥିଲେ ଯୋଉଥିରେ ବର୍ଷକ ବାରମାସ ଋତୁ ଅନୁଯାୟୀ ଫୁଲ ସହ ଖରା, ବର୍ଷା ଓ ଶୀତ ଦିନିଆଁ ଫୁଲ ମଧ୍ୟ ଖୁବ ଫୁଟି ଲୋଟୁଥିଲା. ଏଣିକି ଦିବାକରବାବୁ ତାଙ୍କ ପିଲାଦିନ ବନ୍ଧୁ ଉପେନ୍ଦ୍ରଙ୍କ ମୁହଁରେ ହସ ଉକୁଟୁଥିବା ଦେଖି କଥାଟା ବୁଝିଯାଇଥିଲେ ମଧ୍ୟ ଉପେନ୍ଦ୍ର କହୁଥିଲେ ସାହିତ୍ୟ ମଣିଷର ଗତିପଥ ତଥା ଜୀବନଶୈଳୀକୁ ସୌନ୍ଦର୍ଯ୍ୟରେ ଭରିଦେଇପାରେ. ଏହାର ଉତ୍ତରରେ ଦିବାକର ହସି ହସି କହୁଥିଲେ ଆରେ ସାଙ୍ଗ ତା ନୁହେଁ ବରଂ ସଙ୍ଗଦୋଷ ଏଇଟା. ହସି ହସି ଉପେନ୍ଦ୍ରବାବୁ ଏଣିକି ସ୍ତ୍ରୀଙ୍କର ସାମୟିକ ପ୍ରସଂଶା କରିବାକୁ ଭୁଲୁନଥିଲେ ।