STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶିବଙ୍କ ପୁତ୍ରୀ ଅଶୋକ ସୁନ୍ଦରୀ   

ଶିବଙ୍କ ପୁତ୍ରୀ ଅଶୋକ ସୁନ୍ଦରୀ   

5 mins
12

      ଶିବଙ୍କ ପୁତ୍ରୀ ଅଶୋକ ସୁନ୍ଦରୀ   
      =================
ଶ୍ରୀପଦ୍ମ ପୁରାଣର କଥା l ମାଆ ପାର୍ବତୀ ଓ ଭଗବାନ୍ ଶିବ କୈଳାସପୁରୀରେ ରହୁଥାନ୍ତି l ମାଆ ପାର୍ବତୀ ଦିନେ ଭଗବାନ ଶଙ୍କରଙ୍କୁ କହିଲେ, ଚାଲ ଆମେ ଟିକିଏ ସ୍ୱର୍ଗର ନନ୍ଦନ କାନନ ଆଡ଼େ ବୁଲିଆସିବା l ମାଆଙ୍କ କଥା ଶିବ କ'ଣ ଅନ୍ୟଥା କରି ପାରନ୍ତେ l ସଙ୍ଗେ ସଙ୍ଗେ ନନ୍ଦିଙ୍କୁ ଡାକି ମାତା ପାର୍ବତୀଙ୍କୁ ଧରି ସେ ନନ୍ଦନକାନନ ବୁଲି ବାହାରିଲେ l ନନ୍ଦନ ବନର ଶୋଭା ଦେଖି ଦେଖି ଶିବ ପାର୍ବତୀ ଦୁହେଁ ଚାଲିଥାନ୍ତି, ହଠାତ୍ ପାର୍ବତୀଙ୍କ ଦୃଷ୍ଟି ପଡ଼ିଲା ଏକ ଅପୁର୍ବ ବୃକ୍ଷ ଉପରେ l ଉମା ସେହି ଅପୁର୍ବବୃକ୍ଷର ସୌନ୍ଦର୍ଯ୍ୟରେ ମୋହିତ ହୋଇ, ଭଗବାନ ଶିବଙ୍କୁ ପ୍ରଶ୍ନ କଲାରୁ ସେ  କହିଲେ,ଏହି ବୃକ୍ଷ କୌଣସି ସାଧାରଣ ବୃକ୍ଷ ନୁହେଁ l ଏହା ହେଉଛି ମନୋବାଞ୍ଛା ପୂରଣ କାରୀ କଳ୍ପବୃକ୍ଷ l ଶିବଙ୍କ କଥାରେ ପାର୍ବତୀଙ୍କ ବିଶ୍ୱାସ ହେଲା ନାହିଁ l ସେ ପରୀକ୍ଷା କରିବା ପାଇଁ, କଳ୍ପ ବୃକ୍ଷକୁ ପ୍ରାର୍ଥନା କଲେ, ହେ ଇଚ୍ଛା ପୂରଣକାରୀ କଳ୍ପବୃକ୍ଷ ! ମୋର କାର୍ତ୍ତିକେୟ ଓ ଗଣେଶ ଦୁଇପୁତ୍ର ଅଛନ୍ତି l କିନ୍ତୁ ମୋର କୌଣସି କନ୍ୟା ନାହିଁ, ତୁମେ ସତରେ ଯଦି ଇଚ୍ଛା ପୂରଣକାରୀ କଳ୍ପ ବୃକ୍ଷ ହୋଇ ଥାଅ ତେବେ ତୁମେ ମୋତେ ଏକ କନ୍ୟା ସନ୍ତାନ ପ୍ରଦାନ କର l ସଙ୍ଗେ ସଙ୍ଗେ କଳ୍ପ ବୃକ୍ଷରୁ ଏକ ଅପୂର୍ବ ସୁନ୍ଦରୀ କନ୍ୟା ଉତ୍ପତ୍ତି ହେଲା l ଜନ୍ମହେବା ସଙ୍ଗେ ସଙ୍ଗେ ଝିଅଟି ପାର୍ବତୀଙ୍କୁ କହିଲା,ହେ ମାତେ ! ଆପଣ ମୋତେ କାହିଁକି ଉତ୍ପନ୍ନ କଲେ l କୁହନ୍ତୁ ମୁଁ ଆପଣଙ୍କର କେଉଁ କାର୍ଯ୍ୟ କରିବି l ମାତା ପାର୍ବତୀ କହିଲେ, କେବଳ ଉତ୍କଣ୍ଠା ବଶତଃ ମୁଁ କଳ୍ପ ବୃକ୍ଷକୁ ପ୍ରାର୍ଥନା କରିଥିଲି l ଠିକ୍ ଅଛି ମୁଁ ତୁମକୁ ମୋର କନ୍ୟା ଭାବେ ଗ୍ରହଣ କଲି l ତୁମ ନାମ ହେବ, ଅଶୋକ ସୁନ୍ଦରୀ l ଚନ୍ଦ୍ର ବଂଶରେ ଭବିଷ୍ୟତରେ ଜଣେ ରାଜା ଜନ୍ମ ହେବେ ନହୁଷ l ମୁଁ ତାଙ୍କ ସହ ତୋର ଵିଵାହ କରାଇବି l ଏପରି ଅଶୋକ ସୁନ୍ଦରୀ ହେଲେ ଭଗବାନ ଶିବ ଓ ମାଆ ପାର୍ବତୀଙ୍କ କନ୍ୟା l ଅଶୋକ ସୁନ୍ଦରୀ କ୍ରମେ ଯୁବାବସ୍ଥାରେ ଉପନୀତ ହେଲେ l ସେ ଆଉ ବିବାହ କରିବେ କଅଣ l ସେ ବନରେ ଯାଇ କଠୋର ତପରେ ନିମଗ୍ନ ହେଲେ l ଦିନେ ହୁଣ୍ଡା ନାମରେ ଏକ ଅସୁର ସେହି ବନରେ ବୁଲୁ ଥିଲା ବେଳେ ତା'ର ଦୃଷ୍ଟି ପଡ଼ିଲା ତପ ରତା ଅଶୋକସୁନ୍ଦରୀଙ୍କ ଉପରେ l ସେ ତାଙ୍କ ରୁପରେ ମୋହିତ ହୋଇପଡ଼ି କହିଲା, ହେ ସୁନ୍ଦରୀ, ତୁମେ ଏପରି କଠିନ ତପସ୍ୟା କରି କ'ଣ ପାଇବ l ଆସ ମୋତେ ବିବାହ କରି ସୁଖରେ ରହିବ l ଅସୁର କଥା ଶୁଣି ଅଶୋକ ସୁନ୍ଦରୀ କହିଲେ, ମୋର ବିବାହ ରାଜା ନହୁଷଙ୍କ ସହ ହେବବୋଲି ପୂର୍ବରୁ ମୋର ପିତାମାତା ନିର୍ଣ୍ଣୟ ନେ଼ଇ ସାରିଛନ୍ତି l ଏଣୁ ତୁମକୁ ମୁଁ ବିବାହ କରିପାରିବି ନାହିଁ l ତାଙ୍କଦ୍ବାରା ପ୍ରତ୍ୟାଖ୍ୟାତ ହୋଇ ମାୟାବୀ ଅସୁର ଏକ ବିଧବା ବେଶ ଧରି ଅଶୋକ ସୁନ୍ଦରୀଙ୍କୁ ତା ନିବାସସ୍ଥାନ ପର୍ଯ୍ୟନ୍ତ ପହୁଞ୍ଚାଇ ଦେବାପାଇଁ କହିଲା l ଅଶୋକ ସୁନ୍ଦରୀ, ଦୟା ପରଵଶ ହୋଇ, ବିଧବାଙ୍କ ସହିତ ଚାଲିଲେ l କିଛି ଦୂର ଗଲା ପରେ ଅସୁରର ସୁନ୍ଦର ପ୍ରାସାଦ ପଡ଼ିଲା l ଏବେ ଅଶୋକସୁନ୍ଦରୀଙ୍କୁ ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଏହା ସେହି ଅସୁରର ମାୟା ବୋଲି l ସେ କ୍ରୋଧିତା ହୋଇ, ତାକୁ ଶାପ ଦେଲେ, ରେ ରେ କପଟୀ ଅସୁର ! ତୋ ନିଧନ ରାଜା ନହୁଷଙ୍କ ହସ୍ତରେ ହେବ l ଏପରି ଅଭିଶାପ ଦେଇ ସେ କୈଳାସ ପୁରଜୁ ଫେରି ଗଲେ l
 ଅସୁର ହୁଣ୍ଡା ନହୁଷଙ୍କ ନାମ ଶୁଣି ତାଙ୍କୁ ଜୀବନରୁ ଶେଷ କରିଦେବା ପାଇଁ ନାନା ପ୍ରୟାସକଲା କିନ୍ତୁ ସେଥିରେ ବିଫଳହେଲା l ପରେ ନହୁଷ ତାଙ୍କୁ ନିଧନ କଲେ l ନହୁଷ ଚନ୍ଦ୍ରବଂଶୀ ରାଜା ଆୟୁଙ୍କ ପୂତ୍ର ଥିଲେ ଓ ତାଙ୍କ ମାତାଙ୍କ ନାମ ପ୍ରଭାଦେବୀ l ନହୁଷ ଗୁରୁ ବଶିଷ୍ଠଙ୍କ ଗୁରୁ କୁଳରେ ରହି ସମସ୍ତ ଶାସ୍ତ୍ରବିଦ୍ୟାରେ ପାରଙ୍ଗମ ହେଲେ l ଯଥା କାଳେ ଅଶୋକ ସୁନ୍ଦରୀଙ୍କ ସହ ତାଙ୍କର ବିବାହ ହେଲା l ପିତାଙ୍କ ଅନ୍ତେ ନହୁଷ ଜମ୍ବୁ ଦ୍ଵୀପର ରାଜାହେଲେ l କାଳ କ୍ରମେ ଅଶୋକ ସୁନ୍ଦରୀଙ୍କ ଗର୍ଭରୁ ଜନ୍ମିଲେ ଛଅପୁତ୍ର ଓ ଏକ ଶହ କନ୍ୟା l ତାଙ୍କ ପୁତ୍ର ମାନଙ୍କ ନାମ ହେଲା ଯତି, ଯଯାତି, ସଂଯାତୀ, ଆୟାତୀ, ବୟାତି ଓ କୃତି l ପୁତ୍ର ମାନଙ୍କ ମଧ୍ୟରୁ ଯଯାତିଙ୍କୁ ଛାଡ଼ି, ଆଉ କେହି ରାଜ ପଣ କରିବାକୁ ଚାହିଁଲେ ନାହିଁ l ଏଣୁ ନହୁଷଙ୍କ ଅନ୍ତେ ଯଯାତି ଜମ୍ବୁଦ୍ୱୀପର ରାଜା ହେଲେ l ସ୍ୱର୍ଗରେ ଇନ୍ଦ୍ର ବିଶ୍ୱାସ ଘାତକତା କରି ବୃତ୍ତ୍ରାସୁରକୁ ବଧ କଲେ l ଚିର ଶତ୍ରୁ ବୃତ୍ତ୍ର ସିନା ମଲା, କିନ୍ତୁ ତା' ସହ ବିଶ୍ୱାସ ଘାତକତା କରିଥିବାରୁ ଇନ୍ଦ୍ର ଅପରାଧ ବୋଧରେ ଘାରିହେଲେ l ପୂର୍ବରୁ ୠଷି ବିଶ୍ଵରୂପଙ୍କୁ ସେ ହତ୍ୟାକରିଥିଲେ l ଏ ଦୁଇଗୋଟି ପାପ ତାଙ୍କୁ ବାରମ୍ବାର ଦଂଶନ କରିବାକୁ ଲାଗିଲା l ସେ ବ୍ୟତି ବ୍ୟସ୍ତ ହୋଇ ଦିନେ ସ୍ଵର୍ଗ ପରିତ୍ୟାଗ କରି ପଳାଇଗଲେ l ସେ ପଳାଇ ଯିବାରୁ ଦେବତାଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା l ସ୍ବର୍ଗ ପୁରରେ କ୍ରମେ ଅରାଜକତା ଦେଖା ଦେଲା l ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ବାୟୁ, ବରୁଣ ପ୍ରଭୃତି ଦେବତା ମାନେ ତାଙ୍କ କାର୍ଯ୍ୟ ଠିକ୍ ଭାବେ ତୁଲାଇଲେ ନାହିଁ l ବୃଷ୍ଟି ଓ ଜଳଶୁନ୍ୟ ପୃଥିବୀରେ ହା ହାକାର ପଡ଼ି ଗଲା l ଦେବତା ଓ ଋଷି ମାନେ ମିଶି କାହାକୁ ଇନ୍ଦ୍ର ପଦରେ ଅଭିଷିକ୍ତ କରା ଯିବ ଖୋଜି ବୁଲିଲେ l କିନ୍ତୁ ସ୍ବର୍ଗର ଇନ୍ଦ୍ରପଦ ପାଇଁ କେହି ଉପଯୁକ୍ତ ପାତ୍ର ମିଲିଲେ ନାହିଁ l ସେତିକି ବେଳେ ପୃଥିବୀର ଜମ୍ଭୁ ଦ୍ଵୀପରେ ରାଜତ୍ଵ କରୁଥଲେ ପରମ ଧାର୍ମିକ, ବଳୀୟାନ ଓ ଯଶଶ୍ଵୀ ରାଜା, ନହୁଷ l ଦେବତା ଓ ଋଷି ମାନେ ଇନ୍ଦ୍ରପଦ ପାଇଁ ତାଙ୍କୁ ଉପଯୁକ୍ତ ମନେ କରି ସ୍ବାଗତ କଲେ l କିନ୍ତୁ ନହୁଷ କହିଲେ ମୁଁ ମର୍ତ୍ତ୍ୟର ମାନବ l ସ୍ବର୍ଗ ଇନ୍ଦ୍ରପଦରେ ଆସୀନ ହେବା ପାଇଁ ଯେଉଁ ସାମର୍ଥ୍ୟ ଲୋଡ଼ା ତାହା ମୋ ପାଖରେ ନାହିଁ l ଅତଏବ, ମୁଁ ଏହି ପଦ ଗ୍ରହଣ କରିପାରିବି ନାହିଁ l ଦେବତା ଓ ଋଷି ଗଣ କହିଲେ, ଆମେ ଦେଖୁଛୁ ଏବେ ସ୍ୱର୍ଗର ଇନ୍ଦ୍ରପଦ ପାଇଁ ଆପଣହିଁ କେବଳ ଏକ ମାତ୍ର ଯୋଗ୍ୟବ୍ୟକ୍ତି ଅଛନ୍ତି l ଆପଣ ଏହା ଗ୍ରହଣ କରନ୍ତୁ l ଆମେ ଆପଣଙ୍କୁ ବରଦାନ କରୁଛୁ, ଯକ୍ଷ ରକ୍ଷ,ଦେବ, ଦାନବ,ୠଷି, ସିଦ୍ଧ, ଗନ୍ଧର୍ବ, ପ୍ରଭୃତି ଯେଉଁ ପ୍ରାଣୀ ଆପଣଙ୍କ ଦୃଷ୍ଟିରେ ଆସିବେ ଆପଣ ସେମାନଙ୍କ ତେଜ ହରଣ କରି ନେବେ l ଆପଣଙ୍କୁ ଆଉ କେହି ମଧ୍ୟ ପରାଭବ ଦେବାପାଇଁ ସମର୍ଥ ହେବେନାହିଁ l ଏହିପରି ଅଖଣ୍ଡ କ୍ଷମତା ପାଇ ରାଜା ନହୁଷ ଇନ୍ଦ୍ର ପଦରେ ଅଧିଷ୍ଠିତ ହେଲେ l କଥା ଅଛି, କ୍ଷମତା ହିଁ ଲୋକଙ୍କୁ ଭ୍ରଷ୍ଠ କରି ଦିଏ l ବିଶାଳ କ୍ଷମତା ଲୋକଙ୍କୁ ପୂର୍ଣ୍ଣମାତ୍ରାରେ ଭ୍ରଷ୍ଟ କରି ଦିଏ l ରାଜା ନହୁଷଙ୍କ କ୍ଷେତ୍ରରେ ତାହା ହିଁ ହେଲା l କ୍ରମେ ସେ କ୍ଷମତା,ଐଶ୍ୱର୍ଯ୍ୟ ଏବଂ ଭୋଗ ବିଳାସରେ ବୁଡ଼ି ରହି ଅତ୍ୟନ୍ତ ମତ୍ତ ଗର୍ବି ହୋଇ ନିଜ କର୍ତ୍ତବ୍ୟ କର୍ମ ଭୁଲିଗଲେ l ଏପରିକି ଦିନେ ଶଚି ଦେବୀଙ୍କୁ ସେ ବଳ ପୂର୍ବକ ନିଜର ପତ୍ନୀ ହେବାକୁ କହିଲେ l ବୃହସ୍ପତିଙ୍କ ପାଖରେ ଆଶ୍ରୟ ନେଇଥିବା ଇନ୍ଦ୍ରାଣୀଙ୍କୁ ସେ ଶିବିକାରେ ବୋହି ଆଣିବା ପାଇଁ ୠଷିମାନଙ୍କୁ ଶିବିକା ବହନ କାର୍ଯ୍ୟରେ ଲଗାଇଲେ l ଅନଭ୍ୟସ୍ତ ୠଷିମାନେ ଶିବିକା କାନ୍ଧେଇ ଧୀରେ ଧୀରେ ଚାଲୁ ଥାନ୍ତି l ସେ କ୍ରୋଧିତ ହୋଇ ଶୀଘ୍ରସର୍ପ ଶୀଘ୍ରସର୍ପ (ଶୀଘ୍ର ଚାଲ, ଶୀଘ୍ର ଚାଲ ) କହି ୠଷି ଅଗସ୍ତ୍ୟଙ୍କୁ ଏକ ଶକ୍ତ ଗୋଇଠା ମାରିଲେ l ମହାତପା ଅଗସ୍ତ୍ୟ ତାଙ୍କୁ କ୍ରୋଧରେ,"ସର୍ପୋ ଭବ !" କହି ଅଭିଶାପ ଦେବାରୁ, ସେ ଏକ ସର୍ପ ହୋଇ ଭୂପତିତ ହେଲେ l ଏହିପରି ପୁରୁ ବଂଶର ପ୍ରସିଦ୍ଧ ରାଜା ନହୁଷ, ନିଜ ପୁଣ୍ୟ ବଳରେ ସ୍ଵର୍ଗର ଇନ୍ଦ୍ରପଦ ଲାଭକରିଥିଲେ ହେଁ କ୍ଷମତା ଅପବ୍ୟବହାର କରିବାରୁ ତାହା ହରାଇବାକୁ ପଡ଼ିଲା l ସର୍ପରୂପୀ ନହୁଷ ବହୁକାଳ ଯାଏ ଅରଣ୍ୟରେ ବାସ କରି, ପରେ ଯୁଧିଷ୍ଠିରଙ୍କ ଦର୍ଶନ ପାଇ ମୁକ୍ତିଲାଭ କରିଥିଲେ l ନହୁଷଙ୍କ ପୁତ୍ର ଯଯାତିଙ୍କ ଦୁଇରାଣୀ ଥିଲେ ଦେବଯାନୀ ଏବଂ ଶର୍ମିଷ୍ଠା l ଦେବଯାନୀଙ୍କ ଠାରୁ ତାଙ୍କର ଦୁଇ ପୁତ୍ର ଜନ୍ମ ହେଲେ, ଯଦୁ ଓ ତୁର୍ଭସୁ l ଶର୍ମିଷ୍ଠାଙ୍କ ଠାରୁ ଜନ୍ମହେଲେ ଦୃହ୍ୟୁ, ଅନୁ ଓ ପୁରୁ l ଯଦୁ ହେଲେ ଯଦୁ ବଂଶର ପ୍ରତିଷ୍ଠାତା l ଏହି ଯଦୁ ବଂଶରେ ପରେ ଜନ୍ମ ନେଇଥିଲେ, ଭଗବାନ୍ ଶ୍ରୀକୃଷ୍ଣ l ପୁରୁ, ପୁରୁବଂଶ ପ୍ରତିଷ୍ଠା କରିଥିଲେ l ପରେ ଏହି ପୁରୁ ବଂଶରେ ସମ୍ଭବି ଥିଲେ କୌରବ ଓ ପାଣ୍ଡବ ମାନେ l ତେଣୁ ସେମାନେ ପରିଚିତ ହୋଇ ଥାନ୍ତି, ପୁରୁବଂଶୀ ବୋଲି l
               🙏🙏🙏
                  ଅର୍ଜୁନୀ
                 -----------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧


Rate this content
Log in

Similar oriya story from Inspirational