ସବୁଜ ଡକ୍ଟର
ସବୁଜ ଡକ୍ଟର
ବହୁତ ଦିନର ପୁରୁଣା ଗୋଟେ କାହାଣୀ ଖୋଜୁଥିଲି ମୁଁ । ଅବହେଳିତ ଆଲମାରୀର ପ୍ରତ୍ୟେକ ଥାକ ତନ୍ନ ତନ୍ନ ଖୋଜି ସାରିଥାଏ । ଜୀର୍ଣ୍ଣ ଜର୍ଜର କାଠ ଆଲମାରୀଟା ବି ବ୍ୟସ୍ତ ବିବ୍ରତ ହୋଇ ଯାଇ ଥାଏ ବୋଧେ କେଁ କେଁ ଶବ୍ଦ ତାର ପ୍ରତବାଦର ସ୍ୱର ଉତ୍ତୋଳନ କରୁଥାଏ ବାରମ୍ବାର । ହତାଶ ହୋଇ ଆଲମାରୀର ପୁରୁଣା ଫଟା କବାଟକୁ ବନ୍ଦ କରୁ କରୁ ନଜ଼ର ପଡିଲା ଏକ କଲମର କେପ ଉପରେ, ଉଠେଇ ଦେଖିଲି, ସବୂଜ ରଙ୍ଗର ଡକ୍ଟର ପେନର କେପ।ତା'ର ଷ୍ଟିଲ କ୍ଲିପ ଇଶତ ଧୂଳି ଧୂଷର, ମାତ୍ର ଆଜି ବି ଚକ ଚକ କରୁଥାଏ।ଝାଳରେ ଅଧା ଭିଜା ଗେଞ୍ଜି ରେ ପୋଛି ଦେଲି ଟିକିଏ,ଦେଖିଲି;ସେ ମୋତେ ବି ଦେଖୁଛି,ତାର ଷ୍ଟିଲ କ୍ଲିପର ପ୍ରତିବିମ୍ବିତ ରଶ୍ମି ରେଖା ଦେଇ।ମୋର ଚଷମା ଭିତରର ଆଖି ଦୁଇଟି ବି ଦେଖାଯାଉଥାନ୍ତି ତାକୁ।ଭାବିଲି କଲମଟା ବି ଏଇଠି କଉଠି ଲୁଚି ଥିବ।ଅଳ୍ପ ଖୋଜିଲା ପରେ ମିଳିଗଲା ସେ ସବୁଜ ରଙ୍ଗ ର "ଡକ୍ଟର" କଲମ।ଧୂଳି ଧୂଷରିତ ଅଳନ୍ଧୁ ଭରା ଦେହକୁ ତାର ଟିକେ ଆଉଁସି ଦେଇ ସଫା କରି ଦେଲି।ସବୁଜ ଡକ୍ଟର ମୋତେ ଦେଖୁଥାଏ ।କରୁଣା,ଅନୁନୟ,ଅବା ବିଦ୍ରୁପ ଭରା ସେ ଦୃଷ୍ଟି ଉପହାସ କରୁଥିଲା ମୋର ସାଂଗଛଡ଼ା, ମତଲବୀ, ଖାମାଖିଆଲୀ ବର୍ତ୍ତମାନକୁ ...ମୋତେ।
କପାଳ ସାରା ବିନ୍ଦୁ ବିନ୍ଦୁ ଝାଳ ଜକେଇ ଆସିଥାଏ।ଚଷମାଟା ବି ଚାହୁଁ ଥାଏ ଆଖି ତଳକୁ ଖସି ପଡ଼ିବାକୁ ସତେ ଅବା ସେ ସବୁଜ ଡକ୍ଟର ମୋ ଚାଷମାକୁ ଟାଣି ବାହାର କରି ଦେଇ ମୋ ଆଖିର ଭାଷା ପଢ଼ିବାକୁ ଚେଷ୍ଟା କରୁଥିଲା ! ଦି ଫାଳିଆ ଚକମକିଆ ଷ୍ଟିଲ ନିବ୍ ତା'ର ଆଜି ବି ବହୁତ କିଛି କହିବାକୁ ବ୍ୟଗ୍ର,ପଟକା ପଟକା ଦୁଇ ଦାନ୍ତ ତା'ର ଉପହାସ କରୁଥାନ୍ତି ମୋତେ।ବାଁ ହାତର ବିଶି ଆଙ୍ଗୁଳି ରେ ଚଷମାଟାକୁ ନାକ ଉପରକୁ ଟେକି ଦେଲି।ଝାଲୁଆ ଆଖି କୁ ଏବେ ବି ଝାପ୍ସା ଝାପ୍ସା ଦିଶୁଥାଏ ଏବଂ ଦେଖୁଥାଏ ମୁଁ।ଦିଶୁଥାଏ, "ସମୟ" ଅତୀତ ହୋଇଯାଏ କିପରି!ସମ୍ପର୍କ ବଦଳି ଯାଆନ୍ତି ଏବଂ ହଜି ଯାଆନ୍ତି ଅତି ଆପଣାର ମୁହୂର୍ତ୍ତ ମାନେ କିପରି... ସଫା ସୁଥୁରା କରି ଡକ୍ଟର ସାହେବକୁ ଟେବୁଲ ଉପରେ ରଖିଲି,ଫେନ ଅନ କରି ସେଇଠି ତଳେ ବସି ପଡ଼ିଲି ଲଥ କିନା, କାନ୍ଥ କୁ ଆଉଜି।ଆଖି ଭିତରକୁ କିଛି ଝାଳ ପଶି ଯାଇ ଥାନ୍ତି, ସାମାନ୍ୟ ଜଳନ ଅନୁଭବ କରୁଥାଏ ମୁଁ।ଗେଞ୍ଜି ଟେକି ଆଖି ପୋଛିଲି;ଜଳ ଜଳ ହୋଇ ଦେଖା ଯାଉଥାଏ ସେ ସମୟ, ଗୁପ୍ତ ଅତୀତ ଏବଂ ଶୁପ୍ତ ମୁହୂର୍ତ୍ତ ସମସ୍ତ।
ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଖାପାଖି, ବାପାଙ୍କ ସାଙ୍ଗରେ ହାଟକୁ ଯାଇଥାଏ।ଦି ଦସ୍ତା କାଗଜ, ପେନସିଲ ଗୋଟେ କାଠ ସ୍କେଲ ପଟା ରବଡ଼ ଆଦି କିଣି ସାରିଲା ପରେ ବହି ଦୋକାନରୁ ଫେରିବା ବେଳେ ବାପା କହିଲେ,କିରେ! କଲମଟେ ନବୁ କି? ଫେରି ଚାହିଁଲି ମୁଁ।ଗୋଟେ ଦି'ଟା ପ୍ୟାକେଟ ରେ କଲମ ରଖା ହୋଇଥାଆନ୍ତି ନାଲି,ନୀଳ,ହଳଦିଆ ଆଦି ରଙ୍ଗର । ସେତେବେଳେ dot pen ଆସି ନଥାଏ ବଜ଼ାରକୁ । ଝର କଲମ(ଫାଉଂଟେନ ପେନ)ର ମାତ୍ର କେତୋଟି ବ୍ରାଣ୍ଡ, ରାଉରକେଲା ଏକ୍ସପ୍ରେସ,ପାଇଲଟ ଆହୁରି କିଛି ମନେ ନାହିଁ, ଜରି ପ୍ୟାକେଟ ଭିତରେ ଶୋଇ ଥାଆନ୍ତି।କାଠି ନାନା (ବହି ଦୋକାନୀ) ଆମ ସମ୍ପର୍କୀୟ ବି ବାପାଙ୍କୁ କହିଲେ, ଏବେ ସବୁଠୁ ବଢିଆ ପେନ ବଜ଼ାରରେ ନୂଆ ନୂଆ ଆସିଛି "ଡକ୍ଟର ପେନ"।ପୁଅକୁ ଏଇଟା ଦେଇ ଦିଅ।କେତେ ସୁନ୍ଦର hand writting ପୁଅର,ତାକୁ ଭଲ ଲାଗିବ କାଳି ଝରି ହାତ ଅସନା ବି ହବନି, ତାକୁ ଭଲ ଲାଗିବ।ମ୍ୟାଟ୍ରିକ ପରୀକ୍ଷା ସାରି କଲେଜ ପଢିବା ଯାଏ କାମ ଆସିବ। ଦାମ ଟଙ୍କେ କୋଡ଼ିଏ ପଇସା।ମୁଁ ଭାବୁ ଥାଏ ଟଙ୍କେ କୋଡ଼ିଏ ପଇସା ! ବହୁତ ବେଶୀ, ରାଉରକେଲା ଏକ୍ସପ୍ରେସ ତ ବାର ଅଣା ରେ ମିଳିଯିବ ଡକ୍ଟର କାହିଁକି? କିଛି ସମୟର ନିରବତା.... ହାଫ ହାତ ଫତେଇ ର ଝୁଲା ପକେଟ ର ଖୁଚୁରା ପଇସା କୁ ପଚାରି ବାପା କହିଲେ,ହଉ ଦେଇ ଦେ।ମୁଁ ଆନନ୍ଦିତ ଠୁଁ ଅଧିକ ଆଶ୍ଚର୍ଯ୍ୟ ମୁଦ୍ରା ରେ ଦେଖୁଥାଏ... କାଠି ନାନାଙ୍କୁ,ବାପାଙ୍କୁ ଆଉ ଡକ୍ଟର କଲମକୁ ଦଶମ ଶ୍ରେଣୀ ପରୀକ୍ଷା ସରିଲା।ସବୁଥର ଭଳି ମୋର ପରୀକ୍ଷାରେ ବି ଭଲ ହୋଇ ଥାଏ।ଭାବୁଥିଲି କ୍ଳାସ ରେ ଫାଷ୍ଟ ଆସିଯିବି,ମାତ୍ର ଗଣିତରେ କିଛି କମ ନମ୍ବର ପାଇଁ ମୁଁ ସେକେଣ୍ଡ ହେଲି,ମଧୁ କାର୍ତ୍ତିକ ସାହୁଙ୍କ ପୁଅ ଫାଷ୍ଟ । ମୋତେ ଡର ଲାଗୁଥାଏ ବାପାଙ୍କୁ କହିବାକୁ,ମାତ୍ର ଆମ high school ର head master ସାମନ୍ତରାୟ ସାର ବାପାଙ୍କୁ ଆଗରୁ କହି ଦେଇଥାନ୍ତି । ମୋର କହିବା ପୂର୍ବରୁ ବାପା କହିଲେ,ଭଲ result କରିଛୁ,ମନ ଲଗେଇ ପାଠ ପଢ଼ । ଆର ବର୍ଷ ଏକାଦଶ, ବୋର୍ଡ଼ ପରୀକ୍ଷା । ସେତେବେଳେ 10+2 ନଥିଲା 11th ରେ ମ୍ୟାଟ୍ରିକ ପରୀକ୍ଷା ହେଉଥିଲା । ମୋ ହାତରେ ଥିଲା ସେତେବେଳେ ଏହି ସବୁଜ ରଙ୍ଗର ଡକ୍ଟର ପେନଟି । ମୋ ହାତରୁ କଲମଟିକୁ ନେଇ ମୋ ଜାମା ପକେଟରେ ଖୋସି ଦେଲେ ବାପା । ଏବେ ବି ସେହି ସବୁଜ ଡକ୍ଟର ଟେବୁଲ ଉପରୁ ଚାହୁଁଥାଏ ମୋ ଆଡ଼କୁ।