ସହରର ଗଳି କନ୍ଦି ରାସ୍ତାରେ ଓ ବଜାରରେ ଅନେକ ସାଇନବୋର୍ଡ ଭିତରୁ କୋଉଠି କୋଉ ଡକ୍ଟରଙ୍କ ସାଇବୋର୍ଡ ଲାଗିଥାଏ. କିଏ କାନର ଡାକ୍ତର ତ କିଏ ନାକର, କିଏ ଗଳାର ତ କିଏ ନାସା ଡାକ୍ତର ହେଲେ ଏ ସ୍ବପ୍ନର ଡକ୍ଟର ଲେଖା ସାଇନ ବୋର୍ଡ ଦେଖି କିଛି ବୁଝି ହେଉନଥିଲା ନିଶିକାନ୍ତଙ୍କୁ. ହସି ହସି ଗଡି ବେଦମ ହେଲାବେଳେ ଶୁଣୁ ଶୁଣୁ ଓ ବୁଝୁ ବୁଝୁ ସ୍ବପ୍ନ ଦେଖୁଥିବା ଫଳ, ସ୍ବପ୍ନରେ ଦେଖିବାକୁ ଚାହୁଁଥିବା ଵ୍ୟକ୍ତି, ପ୍ରାକୃତିକ ବା କୃତ୍ରିମ ବସ୍ତୁ ଓ ପଦାର୍ଥକୁ ସ୍ବପ୍ନରେ ଆଣିବାର ସହଜ ମାର୍ଗ ପାଇଁ କଣ ସବୁ କରାଯାଇପାରେ ଏସବୁର ଥେରାପି ବା ସୂତ୍ର ପ୍ରଦାନ କରୁଥିବା ମହିଳା ଡକ୍ଟର ଅଭିପ୍ସା ବାନାର୍ଜିଙ୍କ ଚର୍ଚ୍ଚା ସହର ସାରା ଚାଲିଥିଲା
ନିଶିକାନ୍ତ ଜାଣେ ସ୍ବପ୍ନ ଏକ ସାମୟିକ ମନର ଭ୍ରମ ଓ ସମୟର ଛଳନା ଛଡା ଆଉ କିଛି ନୁହେଁ. ତା ଛଡା ଏଯାଏଁ ସେ ଜାଣିଛି ଯେ ଯେଉଁମାନେ ସ୍ବପ୍ନ ଦେଖନ୍ତି ସେମାନଙ୍କୁ ଭଲ ନିଦ ହୁଏନାହିଁ ଅର୍ଥାତ ଆଖିର ଗହଣା ନିଦ ଭିତରେ ସ୍ବପ୍ନ ଏକ ଏମିତି ଅଳଙ୍କାର ଯାହା ଶୋଇବାରେ ବ୍ୟାଘାତ ସୃଷ୍ଟି କରେ ମଣିଷର. ଏମିତିକି କେତେକ ସ୍ବପ୍ନ ମଧ୍ୟ ରୋଗ ଓ ରୋଗରୁ ମୃତ୍ୟୁକୁ ଡାକି ଆଣିଥାଏ ବୋଲି ଜାଣେ ନିଶିକାନ୍ତ. ଯେମିତିକି ଯିଏ ସ୍ୱପ୍ନରେ ଭୂତପ୍ରେତଙ୍କ ସହ ନୃତ୍ୟ କରି ପାଣିରେ ବୁଡ଼ିଯାଏ ସେ ଖୁବ ଶୀଘ୍ର ଦୁନିଆଁକୁ ଛାଡିଦିଏ. ପୁଣି ସ୍ୱପ୍ନରେ ଯିଏ ନିଶାଗ୍ରସ୍ତ ଅବସ୍ଥାରେ ମୁଣ୍ଡ ଓଲଟା ରଖି ନିଜକୁ ଭୂତ ସହିତ ନୃତ୍ୟ କରିବାର ଦେଖେ ସେ ଉନ୍ମାଦ ରୋଗରେ ଆକ୍ରାନ୍ତ ହୋଇ ଖୁବ ଶୀଘ୍ର ମୃତ୍ୟୁ ବରଣ କରିଥାଏ. ସେମିତି ସ୍ୱପ୍ନରେ ନିଜକୁ ରାଶି ଲଡ଼ୁ ଓ ପିଠା ଖାଇବାର ଦେଖନ୍ତି ଓ ଜାଗ୍ରତ ହେବାପରେ ଯାହା ଖାଇଥାନ୍ତି ସେସବୁକୁ ବାନ୍ତି କରନ୍ତି ଓ ଏକଥାସବୁକୁ ଯେଉଁ ଡାକ୍ତର /ବୈଦ/କବିରାଜ ସ୍ୱପ୍ନର ଏହି ପ୍ରାକ ଲଷ୍ମଣଗୁଡିକୁ ଭଲଭାବରେ ବୁଝିଥାଏ, ସେ ସମ୍ପୃକ୍ତ ରୋଗର ଉପଚାର ସମ୍ଭବ କି ନୁହେଁ ଏବଂ ସମ୍ଭାବ୍ୟ ମୃତ୍ୟୁ ବିଷୟରେ ମଧ୍ୟ ପୂର୍ବାନୁମାନ କରିପାରେ. ତେବେ ଏ ସାଇନ ବୋର୍ଡ ଟାଙ୍ଗିଥିବା ଡାକ୍ତର କୋଉ ସ୍ବପ୍ନ ଦେଖେଇବାର କାରକ କାରଣ ନା ସକାରଣ ଥେରାପି ବୁଝିବାକୁ ହସ ରୋକି ନିଶିକାନ୍ତ ପହଞ୍ଚିଗଲା କ୍ଲିନିକରେ.
ପ୍ରଥମରୁ ସାଇନ ବୋର୍ଡ ଦେଖି ହସୁଥିବା ନିଶିକାନ୍ତ କିନ୍ତୁ ଦିନେ ସେହି ଡକ୍ଟରଙ୍କ ଦ୍ୱାରସ୍ଥ ହୋଇ ଲାଇନ ଲଗେଇବ ଜାଣିନଥିଲା ନିଜେ.ଡାକ୍ତର ଅଭିପ୍ସାଙ୍କୁ ଦେଖୁ ଦେଖୁ ଚମକି ପଡିଥିଲା ନିଶିକାନ୍ତ.ତଥାପି ସ୍ଥାନ କାଳ ପାତ୍ରର ମର୍ଯ୍ୟଦା ରଖି ତା ପାଳି ପଡିବା ଯାଏଁ ଅପେକ୍ଷା କଲା ନିଶିକାନ୍ତ. ତାକୁ ଦେଖି ଡକ୍ଟର ଦୁଇ ଚାରୋଟି ପ୍ରଶ୍ନ ପଚାରିଥିଲେ କେବଳ. ତାହା ଥିଲା ବୟସ, ଶିକ୍ଷା, ଯୋଗ୍ୟତା ସହ ଇଛା. ସବୁ ସ୍ପଷ୍ଟ ଶୁଣି ସାରିଲା ପରେ ଅଭିପ୍ସା ଦେବୀ କହିଉଠିଲେ ଚମତ୍କାର. ଆପଣ ନିଶ୍ଚୟ ଅଧା ଦେଖଥିବା ସ୍ବପ୍ନକୁ ପୁରା କରିବାକୁ ଚାହିଁ ଆସିଛନ୍ତି ମୋ ପାଖକୁ. ରାତିରେ ଠିକ ବାରଟା ପରେ କେହି ଜଣେ କରାଘାତ କରେ ଆପଣଙ୍କ କବାଟରେ ନା! ଶୁଭେ ଠକ ଠକ ଠକ. ଆଉ ଆପଣ ଜାଣିବାକୁ ଚାହାଁନ୍ତି କିଏ ସେହି ଛାୟା!କାହାର ସେ ପାଉଁଜି ସ୍ୱର, କାହାର ସେ ଛମ ଛମ ପାଦ. ଠିକ କହୁଛି ନା ନିଶିକାନ୍ତ!ଚମକି ପଡିଲା ନିଶିକାନ୍ତ. ଭାବିଲା ସ୍ବପ୍ନ ଥେରାପି ସହ ଏ ନାରୀ କଣ ମନସ୍ତତ୍ଵବିତ ନା କଣ!ସେ କେମିତି ଜାଣିଲେ ଯେ ସେ ନିଜେ ତାଙ୍କ ସ୍ବପ୍ନର ନାୟିକା ଦୂରରେ ଥିବା ଜହ୍ନଙ୍କୁ ଖୋଜିବୁଲୁଛନ୍ତି. ଖାଲି ସ୍ୱପ୍ନରେ ନୁହେଁ, ବରଂ ମରମ ତଳେ ଅତୀତ ଯେ ମରେନା. ସେଇ ତନୁପାତେଳି କ୍ଲାସମେଟ ଝିଅଟା, ଯିଏ ଆଜି ଦୂରଜହ୍ନ ହୋଇଯାଇଛି ନିଶିକାନ୍ତ ପାଇଁ. ଦିନେ ଯାହାଠୁ ନୋଟ କରିବା ବାହାନରେ ରଫ ଖାତା ନେଇ ଫେରେଇଲା ବେଳେ ନିଶିକାନ୍ତ ନିଜ ମନକଥା ଲେଖିଦେଇଥିଲେ ତା ଖାତାରେ କିନ୍ତୁ ଅନେକ ଦିନ ପରେ ରୁନୁ ଠାରୁ କିଛି ଉତ୍ତର ନପାଇ ବାଧ୍ୟ ହୋଇ ପଚାରିଥିଲେ ଗୋଟେ ନିରୋଳା ମୁହୂର୍ତ୍ତରେ ରୁନୁକୁ, ପଢ଼ିଲ ମୁଁ ଯାହା ଲେଖିଥିଲି. ଝିଅଟି ଆଶ୍ଚର୍ଯ୍ୟ ହୋଇ କହିଥିଲା କଣ ପଢିଥାନ୍ତି, କୋଉଠୁ? ତୁମ ରଫ ଖାତାରୁ, ମୁଁ ଯାହା ଲେଖିଦେଇଥିଲି ଫେରେଇଲା ବେଳେ କହି ନିଶିକାନ୍ତ ଉତ୍ତର ମାଗୁଥିଲା ବେଳେ ରୁନୁ ପଚାରୁଥିଲା କଣ ଲେଖିଥିଲ? ଇତିହାସ, ଭୂଗୋଳ, ସାହିତ୍ୟ ନା ଗଣିତ ସୂତ୍ର!ମୁଁ ତ ତାକୁ ସୁନୁପାମ୍ପୁଡ଼ି ବାଲାକୁ ଦେଇସାରିଛି. ନିଶିକାନ୍ତ କହିବାକୁ ଯାଇ କହିପାରିନଥିଲା କଣ କଲ ତୁମେ! ଇତିହାସ, ଭୂଗୋଳ, ସାହିତ୍ୟ, ବିଜ୍ଞାନ ସହିତ ଗଣିତ ସୂତ୍ର ଫେଣ୍ଟି ମୁଁ ଲେଖିଥିଲି ଆଈ ଲଭ ୟୁ. ହେଲେ ଉଚ୍ଚାରିତ ତିନି ଶବ୍ଦ ନିଜ ହୃଦୟରେ ରହିଗଲା ପଛେ କହିହୋଇନଥିଲା ରୁନୁକୁ କେଵେ ତାକୁ ନିରୋଳାରେ ନା ଗହଳିରେ.
ବାପାଙ୍କ ବଦଳି ସହ ନବମ ଶ୍ରେଣୀ ପ୍ରେମକୁ ସେଇଠି ସେମିତି ଆଧାରେ ଛାଡି ଉଚ୍ଚଶିକ୍ଷା ପରେ ରୁନୁ ସନ୍ଧାନରେ ଅନେକ ଘୁରି ଥିଲେ ବି ତାର ପତ୍ତା ନଥିଲା. ଶୂନ୍ୟରେ ମିଳାଇ ଯାଇଥିଲା ଯେମିତି ସେ.ସେହିଦିନ ରାତିରେ କିନ୍ତୁ ସ୍ୱପ୍ନରେ ରୁନୁର ଛାୟା ସ୍ପଷ୍ଟ ହେଲା. ହେଲେ ଏ ତ ଡକ୍ଟର ଅଭିପ୍ସା ବାନାର୍ଜି. ହଁ ବିଧବା ଅଭିପ୍ସା ମୁଣ୍ଡରେ ଯଦି ଟିକିଲି ବା ନାଲି ସିନ୍ଦୁର ପିନ୍ଧେଇ ଦିଆଯାଇପାରନ୍ତା ସେ ଟିକିଲି ନାଇ ଠିକ ରୁନୁ ପରି ଓ ସିନ୍ଦୁର ନାଇ ଠିକ ପରିଣିତା ବଧୂ ବେଶରେ ଅଭିପ୍ସା ରୁନୁ ପରି ଦେଖାଯାଉଥାଆନ୍ତା. ହଁ ଠିକ ଏଇ ଅଭିପ୍ସା ବାନାର୍ଜି ଭଳି ତ ତା ଦୂର ଜହ୍ନ ରୁନୁ. ଆରେ ଏତ ସେହି ସ୍ବପ୍ନର ଛାୟା ସୁନ୍ଦରୀ. ଯିଏ ପ୍ରତିଦିନ ସ୍ୱପନେ ଆସି ଗୋପନେ ଯାଏ. ଏଣିକି ତେଣିକି ଯୁଆଡେ ଦେଖିଲେ ଅଭିପ୍ସା ଦେଖାଯାଉଥିଲେ. ରାତି ଥାଉ ଥାଉ ଉଠି ନିଶିକାନ୍ତ ନିତ୍ୟକର୍ମ ବଢ଼େଇ ଦୌଡୁଥିଲା ଅଭିପ୍ସା ବାନାର୍ଜି ଦୁଆର ବାଡେଇବାକୁ ହେଲେ ଅଭିପ୍ସା ତ ଅଭିପ୍ସା ସାଇନବୋର୍ଡ ବି ନଥିଲା ଦୁଆରେ.ହୁଏତ ଦୂରଜହ୍ନ ହୋଇସାରିଥିଲା ପୁଣି ଥରେ ନିଶିକାନ୍ତ ଜୀଵନ ଆକାଶରେ .ନିଶିକାନ୍ତ ଆକାଶକୁ ଚାହିଁଲା.
ସେଦିନ ଜହ୍ନର ଜନ୍ମଦିନ ଥିଲା. ପୂର୍ଣ୍ଣମୀ ଆକାଶରେ ଜହ୍ନ ଝଟକୁ ଥିଲା ତ ଆଜି ଜହ୍ନର ଇଛା ହେଲା ଟିକେ ପୃଥିବୀ ପୃଷ୍ଠରେ ବୁଲିଆସିବାକୁ ତ ସେ ତାର ଜନ୍ମଦିନର ପୋଷାକ ପରିଚ୍ଛଦ ପିନ୍ଧି ବାହାରିଲା. ନିଜ ମୁହଁ ଦେଖିବାକୁ ଦର୍ପଣ ଆଣିବାକୁ ଭୁଲିଯାଇ ସମୁଦ୍ରରେ ମୁହଁ ଦେଖିବାକୁ ଚେଷ୍ଟା କରି ପାରିଲାନି କାରଣ ଢେଉ ଵା ଉର୍ମି ତରଙ୍ଗାୟିତ ଅବସ୍ଥାରେ ଜହ୍ନର ପ୍ରତିଫଳନରେ ତରଙ୍ଗ ସୃଷ୍ଟି ହେଉଥିଲା. ଝରଣା ପାଣିରେ ମଧ୍ୟ ସେଇ ଅବସ୍ଥା ତ ଗଡିଆ ପାଣି ମଧ୍ୟ ଖୁବ ଗୋଳିଆ ଥିଲା. କାଚକେନ୍ଦୁ ପରି ନଈ ପାଣିରେ ମୁହଁ ଦେଖିବାକୁ ଯାଇ ସେ ଦେଖିଲା କଇଁକୁ. ତା ମୁହଁଠୁ ମଧ୍ୟ କଇଁର ନୀଳ ମୁଁହଁ ଖୁବ ସୁନ୍ଦର ଥିଲା ତ ନିଜ ମୁହଁ ଦେଖିବାକୁ ଯାଇ ସେ ଦିଖିଲା କଇଁ ଭିତରେ ତା ମୁହଁ ଖୁବ ସୁନ୍ଦର. ଠିକ ରାଧା କୃଷ୍ଣଙ୍କ ପରି. ଆକାଶରେ ବାଦଲ ଭିତରେ ମେଘ ଲୁଚିଗଲା ପରେ ଯେମିତି ସୁନ୍ଦର ଦିଶେ ଠିକ ସେମିତି. ଜହ୍ନକୁ ପ୍ରେମ ହୋଇଗଲା ନିଶ୍ଚୟ
ଜହ୍ନ ଭାବୁଥିଲା ମାଆ ଲଷ୍ମୀ ଠାକୁରାଣୀ,ପ୍ରଥମେ ଧରଣୀକୁ ବୁଲି ଆସିବାକୁ ଯାଇ ଦେଖିଥିଲେ ପେଚାକୁ. ତାକୁ ଦେଖି ସେ ନିଜର ବାହାନ କରିନେଇଥିଲେ. ସେହିଦିନଠୁ ପେଚାକୁ ଲଷ୍ମୀଙ୍କ ବାହାନର ମାନ୍ୟତା ମିଳିଗଲା. କିନ୍ତୁ ଜହ୍ନ ନିଜ ମୁହଁ ଦେଖିବାକୁ ଯାଇ କଇଁକୁ ପ୍ରଥମେ ଦେଖି ତାର ପ୍ରେମିକ ହୋଇଯିବ ଏକଥା ସ୍ୱପ୍ନରେ ଭାବିନଥିଲା.
ଉପରୁ ତାରା ମାନେ ଚିକିମିକ ହୋଇ ହାତଠାରି ଜହ୍ନକୁ ଡାକିଲେ. ଜହ୍ନର ଦୃଷ୍ଟି ଆକର୍ଷଣ କରି ଉଲକାମାନଙ୍କୁ ପ୍ରେରଣ କଲେ.ପୁଣି ମେଘକୁ କହି ଘଡଘଡି ବାଜା ସାଙ୍ଗକୁ ଚଡ଼ଚଡ଼ି ଓ ବିଜୁଳି ରୋଷଣୀ ଜାଳିଲେ.ଯେତେ ଯାହା କଲେ ମଧ୍ୟ ଜହ୍ନ ନିଜ ମୁହଁ ଦେଖୁ ଦେଖୁ କଇଁ ମୁହଁ ଦେଖି ଓ ତା ଭିତରେ ନିଜ ମୁହଁ ଦେଖି ବିଭୋର ହେଉଥିଲା ତ ସାରୁ ବୁଦା ମୂଳେ ବେଙ୍ଗ ଓ ବେଙ୍ଗୁଲି କେଁ କଟର କେଁ କଟର କହି ବୋବାଇବାକୁ ଲାଗିଲେ.ଝିଙ୍କାରୀ ଝିଂ ଝିଂ ସ୍ୱର କରି ତାଳ ଦେଲା ବେଙ୍ଗ ବେଙ୍ଗୁଲିଙ୍କ ସ୍ୱରରେ ତ ଧରଣୀରେ ଲୋକେ ସବୁ କୁହାକୁହି ହେଲେ ବରଷା ଆସୁଛି ମେଘ ପାଲିଙ୍କିରେ କିନ୍ତୁ ପ୍ରକୃତି ଏମିତି କରୁଥିଲା ଜହ୍ନର ଧ୍ୟାନ ଭଗ୍ନ ପାଇଁ ବୋଲି କେବଳ ପିତା ଆକାଶ ଓ ସାଙ୍ଗ ସାଥି ତାରାମାନେ ଜାଣିଥିଲେ. ଶେଷକୁ ଝିପି ଝିପି ବର୍ଷା ପକେଇ ଡରେଇ ଜହ୍ନକୁ ଫେରେଇନେଲେ ଆକାଶକୁ ତାରାମାନେ ସିନା ସେଇଦିନଠୁ ଜହ୍ନ କିନ୍ତୁ ନୀଳକଇଁକୁ ଝୁରୁଥିଲା ଆଉ ପୂର୍ଣ୍ଣମୀ ଆସିଲେ, ଜହ୍ନ, ନିଜର ଜନ୍ମଦିନରେ ନୀଳକଇଁ ମଧ୍ୟ ବେକ ଭାଙ୍ଗି ଜହ୍ନକୁ ଚାହିଁ ରହୁଥିଲା. ଏ ପ୍ରେମ ନିଆରା ହେଲେ ବି ନୀଳକଇଁକୁ କେହି କେହି ରାଧା ବୋଲି କହୁଥିଲେ ତ କେହି କେହି ଜହ୍ନକୁ ଆକାଶର ଶ୍ରେଷ୍ଠ ପ୍ରେମିକ ଶ୍ରୀକୃଷ୍ଣ କହିବାକୁ ଭୁଲୁ ନଥିଲେ.ନିଶକାନ୍ତ କିନ୍ତୁ ତୁମେ ଦୂର ଜହ୍ନ ତୁମେ ହିଁ ରୁନୁ, ତୁମେ ହିଁ ଅଭିପ୍ସା ବୋଲି ସ୍ବପ୍ନ ଦେଖି ସାରି କହିବା ସହ ହସୁଥିଲା ଖୁବ ଜୋରରେ. ବୋଉ ଯେବେ ପଚାରୁଥିଲା ସ୍ବପ୍ନ ଦେଖିଲୁକି ପୁଅ. ସ୍ୱପ୍ନରେ ତୋ ବାଗଦତ୍ତା ଶ୍ରାବଣୀ କିଛି କହୁଥିଲା କି!ହଁ ବୋଉ ଶ୍ରାବଣୀ ମୋ ସହ ପିଲାଦିନେ ନବମ ଶ୍ରେଣୀ ଯାଏଁ ଏକାଠି ପଢିଛି ବୋଲି କହୁଥିଲା. ବୋଉ ହସି ହସି ଗାଡିଯାଇ କହୁଥିଲେ ଆରେ ସ୍ବପ୍ନ କଣ କେଵେ ସତ କୁହେ!ସତ ସିନା କୁହେ ନାହିଁ ହେଲେ ସତ ହୁଏ ବୋଲି କହି ନିଶିକାନ୍ତ ଚଟାର୍ଜି ଶୀଘ୍ର ନିତ୍ୟକର୍ମ ବଢ଼େଇ ବାଇକରେ ସାଙ୍ଗ ଓ ବୋଉଙ୍କୁ ବସେଇ ଗାଡି ଗଡ଼ଉଥିଲା ଶ୍ରାବଣୀ ଘର ଆଡ଼େ. ଯାଉ ଯାଉ ଦେଖିଲା ଶ୍ରାବଣୀ ଘରେ କ୍ଲିନିକ ଖୋଲି ସ୍ବପ୍ନ ଡାକ୍ତର ହୋଇ ଥେରାପି ଦେଇଚାଲିଛି ସ୍ବପ୍ନକୁ ସତ କରିବାକୁ ତ ବୋଉ ଓ ସାଙ୍ଗ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲା ବେଳେ ନିଶିକାନ୍ତ ହସି ହସି ଗାଡିଯାଇ କହୁଥିଲା ମୁଁ ଠିକ ଜାଣିଥିଲି ରୁନୁ ହିଁ ଅଭିପ୍ସା ଓ ଅଭିପ୍ସା ହିଁ ଶ୍ରାବଣୀ. ଅଭିପ୍ସା ସେତେବେଳକୁ କ୍ଲିନିକ ବନ୍ଦ କରିସାରିଥିଲା.