ସ୍ବୀକାରୋକ୍ତି
ସ୍ବୀକାରୋକ୍ତି
ବିଭୁର ହାତକୁ ଛାଟି ଦେଇ ସେଲି ତର ତର ହେଇ ଚାଲି ଆସିଲା କଲେଜରୁ।ହଷ୍ଟେଲ ରେ ପହଁଚିଲା ବେଳକୁ କେହି ରୁମ ରେ ନାହାନ୍ତି।ଭିତର ପଟୁ କବାଟ ଟାକୁ ଧଡ଼ କରି ବନ୍ଦ କରି ଦେଇ ସିଧା ଗଛ ଭଳି ପଡିଲା ଖଟ ଉପରେ।
ନା ସେ ପୁଣି ଥରେ ସେଇ ଭୁଲ କରି ପାରିବନି ଯୋଉ ଭୁଲ ଦିନେ ସେ ତିନି ବର୍ଷ ତଳେ ଶାନ୍ତନୁକୁ ଭଲ ପାଇ କରିଥିଲା।କେତେ ସହଜରେ ଶାନ୍ତନୁ ତା ସହ ପ୍ରେମର ସୁନ୍ଦର ଅଭିନୟ କରି ତା ହାତ ଛାଡି ଅଧା ବାଟରେ ଚାଲି ଯାଇଥିଲା।ସେଇଠୁ ନିଜକୁ ସମ୍ଭାଳିବାକୁ ଢେର କଷ୍ଟ କରିଛି ସେ ନିଜେ।ତା ନିଜ ଘର ସାଙ୍ଗ ସାଥି ଛାଡ଼ି ଚାଲି ଆସିଥିଲା ଚେନ୍ନାଇ।ଆଉ ଥରେ ସେଇ ଭୁଲ ସେ ବିଭୁକୁ ଭଲପାଇ ଦୋହରାଇ ବାକୁ ଆଦୌ ଚାହୁଁନି।ହେଲେ କାହିଁକି ସେ ଭିତରୁ ଦୁର୍ବଳ ହେଇ ପଡେ ବିଭୁ ସାମ୍ନାରେ ଆସିଗଲେ।ଏଇଟା କଣ ପ୍ରେମ!ଯଦି ଏଇଟା ପ୍ରେମ ତାହାଲେ ଶାନ୍ତନୁ ସହ ଯାହା ଥିଲା ତା କଣ!ଛି..ଛି... ତାହାଲେ ତା ଆଉ ଶାନ୍ତନୁ ଭିତରେ କି ଫରକ?ଗୋଳମାଳିଆ ହେଇ ଆସୁ ଥାଏ ସେଲି ମୁଣ୍ଡ।ହଠାତ ଫୋନଟା ବାଜି ଉଠିଲା।
-ହ୍ୟାଲୋ
-ସେଲି!ବିଭୁ ହିଅର।କିଛି ଉତ୍ତର ଦେଲାନି ଯେ;
-କୋଉ ଉତ୍ତର।ମୁଁ ବାରମ୍ବାର କହିଛି ମୁଁ ପ୍ରେମକୁ ଘୃଣା କରେ ଆଉ ତା ଠାରୁ ଅଧିକ ତମକୁ।ଦୟା କରି ମତେ ଆଉ ହଇରାଣ କରନି ବିଭୁ।
-ଓଃ ତାହାଲେ ତମେ ମୋ ପାଇଁ ହଇରାଣ ହେଲାଣି।ଗୁଡ଼ ଗୁଡ଼ ଲାଗୁଚି ଆଉ ଅଳ୍ପ ଦିନ ପରେ ସେଇ ଥ୍ରୀ ମ୍ୟାଜିକାଲ ୱାର୍ଡ ମତେ ଶୁଣିବାକୁ ମିଳିଯିବ।
-ଚୁପ କର ବିଭୁ।ତମକୁ ତ ସବୁବବଳେ ମଜାକ ହି ଦେଖା ଯାଏ ନା!ମୁଁ ଆଗରୁ କହିଛି ଆଉ ଏବେ ବି ଦୟା କରି ମୋ ଜୀବନରୁ ଦୁରେଇ ରୁହ।ପ୍ରେମ ଫ୍ରେମ ପାଇଁ ମୋ ହୃଦୟରେ ଟିକେ ବି ଜାଗା ନାହିଁ।
-ଓଃ ହେଲା ମ୍ୟାଡାମ୍ ମୁଁ ବି କହୁନି ତମେ ମୋ ପାଇଁ ହୃଦୟରେ ପ୍ରେମ ପାଳ ବୋଲି।ଆମ ପାଇଁ ତ ତୁମ ଘୃଣା ହିଁ ପ୍ରେମ।ଆଉ ରହିଲା ତମର ସ୍ବୀକାରୋକ୍ତି ତା ତ ସମୟ କହିବ।ତମ ହୃଦୟରେ ପ୍ରେମ ପାଇଁ ଜାଗା ଥାଉ କି ନଥାଉ ହେଲେ ଆମେ ଆମ ପାଇଁ ତମ ହୃଦୟରେ ନିଶ୍ଚିତ ଜାଗା ଖଣ୍ଡେ ଯୋଗାଡ କରି ଦେବୁ।ବାଇଇ।
ଫୋନ ଟାକୁ ହାତରୁ କଚି ଦେଇ ଚିଡି ଉଠିଲା ସେଲି।ଏଇ ବିଭୁ ସତରେ ନିଜକୁ କଣ ମୁଣ୍ଡି ବୋଲି ଭାବୁଛି କି।ମତେ ଚାଲେଞ୍ଜ କରୁଛି।ମୋ ମୁଣ୍ଡ ଖରାପ ହେଲେ ସିଧା ତା ନାଁରେ କମ୍ପ୍ଲେନ କରିବି।ଦୁଇ ଦିନ ଯାଏ ହଷ୍ଟେଲ ରେ ମୁହଁ ମାଡି ପଡିଲା ସେଲି।ସେ ବି ନିଜେ ଜାଣିନି ସେ କାହାକୁ ଡରୁଛି।ବିଭୁକୁ ନା ତା ପ୍ରେମରେ ପକେଇବାର କଳାକୁ।ହେଲେ କେତେ ଦିନ ବା ଏମିତି ରହିବ!ତୃତୀୟ ଦିନ ବାଧ୍ୟ ହେଇ କଲେଜ ବାହାରିଲା।କଲେଜ ହତା ଭିତରେ ପସୁ ପସୁ ବିଭୁ।ବିଭୁ ଆଖିରେ ଆଖି ପଡିଗଲା ପରେ ସେଲି ଫେରେଇ ଆଣିଲା ଦୃଷ୍ଟି।ପ୍ରତି ଥର ପରି ବିଭୁ ନିଜ ନିଆରା ଅନ୍ଦାଜ ରେ ଗପ ମାରୁଥିଲା ତା ସାଂଗ ସାଥିମାନଙ୍କ ସହ।ବିଭୁ ତା ପାଖକୁ ଆସିବା ଆଗରୁ ହିଁ ସେଲି ସେ ସ୍ଥାନ ଛାଡି ଚାଲି ଆସିଲା।ସେ ଆଗରୁ ହି ଭାବି ସାରିଛି ପ୍ରେମ ପାଇଁ ତା ହୃଦୟରେ ଆଉ କୌଣସି ଜାଗା ନାହିଁ।ତାକୁ ଏକା ହିଁ ଚାଲିବାକୁ ପଡିବ।ଯେମିତି ଶାନ୍ତନୁ ଛାଡି ଚାଲିଗଲା ପରେ ସେ ଏଇ ତିନି ବର୍ଷ ହେଲା ଚାଲି ଆସୁଛି।ସେ ସ୍ଥିର କରି ସାରିଥିଲା ନିଜ ପରିଧି। ସେତିକି ଭିତରେ ତାକୁ ବଞ୍ଚିବାକୁ ହେବ।ପରିଧି ସେପଟେ ଖାଲି କଣ୍ଟା ହିଁ କଣ୍ଟା।ବିଭୁର ପ୍ରେମ ନିବେଦନ ପରେ ଏବେ ଏବେ ବିଭୁର ଉପସ୍ଥିତି ଖୁବ ଅସ୍ବସ୍ତି ବୋଧ ହୁଏ ସେଲିକୁ।ଜମାରୁ ବିଭୁ ଆଗରେ ସେ ସାଧାରଣ ଭାବେ ରହି ରହି ପାରେ ନାହିଁ।ସେଥିପାଇଁ ତ କ୍ଲାସ ସରୁ ସରୁ ଏକମୁହାଁ ହେଇ ହଷ୍ଟେଲ ଧାଏଁ ନିତିଦିନ ସେଲି।ବିଭୁକୁ ଅଣଦେଖା କରିବା ପାଇଁ ସବୁ ପ୍ରସ୍ତୁତି ସେ କରି ସାରିଛି।ବିଭୁ ଫୋନ ନମ୍ବର ସେ ବ୍ଲକ କରିଛି।ନିଜ ଫେସବୁକ ଆକାଉଣ୍ଟ ବି ଡିଆକ୍ଟିଭେଟ କରି ଦେଇଛି।କଲେଜ ରେ ବି ବେଶି ତାର ରହିବାର ନାହିଁ।ବାସ ଆଉ ବର୍ଷଟେ ବିତି ଗଲେ ବିଭୁ ଆଉ ତା ରାସ୍ତା ସମ୍ପୂର୍ଣ ଅଲଗା ହେଇଯିବ।ସେତିକି ଦିନ ତାକୁ ଟିକେ ଜଗି ଦେଲେ ଗଲା।
ପ୍ରତିଥର ବିଭୁ ନିଜ ଚେଷ୍ଟାରେ ବିଫଳ।କଥା ହେବା ତ ଦୂରର କଥା ଆଖି ରେ ଆଖି ପଡିଗଲେ ବି ସେଲି ଏପରି ଘୃଣା ଦୃଷ୍ଟିରେ ଦେଖେ ଯେ ବିଭୁ ଚାହିଁ ସୁଦ୍ଧା ଆଉ ଆଗକୁ ଆସି ପାରେନି।ଜଣଙ୍କ ଭିତର ପ୍ରେମ ଆଉ ଜଣଙ୍କ ଘୃଣା କେବେ ବି ଫେଣ୍ଟାଫେଣ୍ଟି ହେଇ ପାରେ ନାହିଁ।
ସବୁଦିନ ପରି ସେଦିନ ବି ସେଲି କ୍ଲାସ ସାରି ଫେରୁଥାଏ।ହଠାତ ସାମ୍ନାରେ ଉଭା ହେଇ ଗଲା ବିଭୁ।ସେଲି ବାଟଭାଙ୍ଗି ଯିବାକୁ ବାହାରୁ ବାହାରୁ ବିଭୁ କହିବା ଆରମ୍ଭ କଲା
- ସେଲି!ବେସି ସମୟ ନେବି ନାହିଁ।ଜାଣିଛି ତମ ହୃଦୟରେ ମୋ ପାଇଁ କୌଣସି ପ୍ରେମ ନାହିଁ।ମୋର ଖାଲି ତୁମକୁ ଗୋଟାଏ କଥା ଜଣେଇବାର ଥିଲା।କଥା କଣ କି ଗୋଟେ ଭଲ କମ୍ପାନୀ ରୁ ଅଫର ଲେଟର ଆସିଛି।ଭାବୁଛି ଜୈନ କରିଯିବି।ତା ଛଡା ପ୍ୟାକେଜ ବି ଖୁବ ଭଲ।କଣ କହୁଚ?
-ଆଶ୍ଚର୍ଯ୍ୟ!ତମର ଯଦି ଇଛା ଅଛି ତମେ ଯାଇ ପାର। ମତେ ପଚାରୁଛ କାହିଁକି।ତମେ ଚାଲିଗଲେ ମୁଁ ହିଁ ତ ସବୁଠୁ ଖୁସି ହେବି।ଆଉ ହଁ ଏକଥା ବି ମୁଁ ଜାଣିଚି ଏଇଟା ତମର ଗୋଟେ ନୂଆ ନାଟକ।ମୋ ହୃଦୟ ତରଳେଇବା ପାଇଁ।
-ସତ ସେଲି।ମୁଁ ସତରେ ଚାଲି ଯାଉଛି।ଚାହିଁବ ଯଦି ତମେ ଦେଖି ପାର ମୋ ଅଫର ଲେଟର।
-ମୋର ଦେଖିବା ଆଦୌ ଦରକାର ନାହିଁ।ତମ ଜବ ତମ ମର୍ଜି ଇଛା ହେଲେ ଯାଅ ନହଲେ ନାହିଁ।ମତେ ରାସ୍ତା ଛାଡ଼।
ଚାଲି ଆସିଲା ସେଲି।ପରଦିନ କଲେଜ ଯିବା ରାସ୍ତା ସାରା ଗୋଟେ ଅଜବ ଭାବନା ତା ଛାତିରେ ଉଙ୍କି ମାରୁଥିଲା।ସତରେ ବିଭୁ କଣ ଚାଲିଯିବ!ହଁ ମୁଁ ତ ସେଇୟା ହି ଚାହୁଁ ଥିଲି।ବିଭୁ ମଧ୍ୟ ୟା ପର ଠାରୁ କେବେ ବି ସେଲି କୁ ହଇରାଣ କରିବାକୁ ଚେଷ୍ଟା କରିନି।କିଛି ଦିନ ପରେ ହଠାତ ବିଭୁ ଉଭାନ ହେଇ ଗଲା କଲେଜ ରୁ।ଦିନେ ଦୁଇଦିନ ଦଶ ଦିନ ପରେ ମଧ୍ୟ ସେଲି ବିଭୁକୁ କଲେଜରେ ନପାଇ ଏଥର ସ୍ଥିର ହେଲା ଯେ ବିଭୁ ଚାଲି ଯାଇଛି ନିଜ କର୍ମସ୍ଥଳକୁ।ଏବେ ସେଲି ନିତି କଲେଜ ଆସେ।ବାଇକ ଷ୍ଟାଣ୍ଡ ରେ ବିଭୁ ବାଇକ ଟାକୁ ଆଗ ଖୋଜେ।କଲେଜ ହତାଭିତରେ ପସୁ ପସୁ ବିଭୁ ଖଟି ଆଡେ ଟିକେ ଚାହେଁ କାଳେ ବିଭୁ ଥିବ ସେଠି ।ହେଲେ ପ୍ରତି ଥର ତା ଆଶା ନିରାଶା ରେ ପରିଣତ ହୁଏ।ସେ ଜାଣେ ବିଭୁ ଆଉ କଲେଜ ଫେରିବନି।ତଥାପି କାହିଁକି କେଜାଣି ବିଭୁକୁ ଦେଖିବାକୁ ସେ ବ୍ୟାକୁଳ ହେଇ ଉଠେ।ସେ ଅନୁଭବ କରେ ତା ହୃଦୟରେ ମେଞ୍ଚେ ଘୃଣା ସହ ଜମା ହେଇ ଯାଇଚି ବିଭୁର ସ୍ମୃତି।
ସେଦିନ ପ୍ରୀତମ ଆଉ ଶିଖାଙ୍କୁ ଏକାଠି ଦେଖି କାହିଁକି କେଜାଣି ଭାରି ଦୁର୍ବଳ ହେଇ ଆସିଲା ସେଲି।ପ୍ରଥମ ଥର ତାର ଇର୍ଷା ହେଉଥିଲା ଶିଖା ଉପରେ।ବିଭୁ କଥା ତାର ବହୁତ ମନେ ପଡୁଥିଲା।ପ୍ରାୟ ପନ୍ଦରଦିନ ହେବ ବିଭୁକୁ ସେ ଦେଖିନି।ବିଭୁ ଯାଇଛି ଯେ ଯାଇଛି।ଥରୁଟିଏ ଯିବା ଆଗରୁ କହିଲା ବି ନାହିଁ ତାକୁ।ଚୁପ ଚାପ କ୍ଲାସ ନକରି ଚାଲି ଆସିଲା ସେଲି।କଲେଜ ପଛ ହତା ଶେଷରେ ଛାଇ ଦେଖି ଗଛ ମୂଳେ ଏକଲା ଜାଗାଟିଏ ଖୋଜି ବସୁ ବସୁ କାହିଁକି କେଜାଣି ବିଭୁକୁ ଥରେ ଦେଖିବାର ଇଛା ତାକୁ ଟାଣି ନେଲା ଫେସବୁକ ଆଡକୁ।ରି-ଆକ୍ଟିଭେଟ କଲା ସେଲି।ହେଲେ ଆଶ୍ଚର୍ଯ୍ୟ ସୋସିଆଲ ମେଡିଆ ରେ ଆଉ ଦେଖାଉ ନଥିଲା ବିଭୁର ଆଇଡି।ମନରେ ଅଭିମାନକୁ ଚାପି ଧରି ଥରୁଟିଏ ବିଭୁର ସ୍ୱର ଶୁଣିବା ନିମନ୍ତେ ଅନବ୍ଲକ କଲା ବିଭୁର ନମ୍ବର।ଥରି ଥରି ଲଗାଇଲା ନମ୍ବର ଟାକୁ।କାଟିଲା।ପୁଣି ଲଗାଉଥାଏ।କାଟୁଥାଏ।ଏଥର ନିଜକୁ ଶକ୍ତ କରି ସାହସ ଜୁଟେଇ ପୁଣି ଥରେ ଲଗାଇଲା ନମ୍ବର ଟି।ମାତ୍ର ସେପଟୁ ଭାସି ଆସିଲା ବିଭୁର ସ୍ୱର ବଦଳରେ ସ୍ୱିଚ ଅଫ ଅଛି ବୋଲି କଷ୍ଟମର କେୟାରର ସ୍ୱର।କାନ୍ଦ କାନ୍ଦ ହେଇ ଆସିଲା ସେଲି।ତା ଅଜାଣତରେ ଅନିଚ୍ଛା ସତ୍ତ୍ୱେ ଆଖିରୁ ବୋହି ଗଲା ଦୁଇ ବୁନ୍ଦା ଲୁହ।ଛୋଟ ପିଲା ପରି ଫୋନକୁ ଫିଙ୍ଗି ଦେଇ ଭୋ ଭୋ ହେଇ ସେଇଠି କାନ୍ଦିଉଠିଲା ସେଲି।
କିଛି ଗୋଟାଏ ସିଦ୍ଧାନ୍ତରେ ପହଂଚିବା ଆଗରୁ ହିଁ ହଠାତ ତା ଗାଲ ପାଖରେ ପଛପଟୁ ପହଂଚି ଯାଇଥିଲା ଗୋଟେ ଧଳା ରୁମାଲ ସହ କାହାର ଗୋଟେ କଅଁଳ ସ୍ପର୍ଶ।ଆଉ ଭାସି ଆସିଥିଲା ଏକ ପରିଚିତ ସ୍ୱର।ମାଡାମ ଆମେ ହୃଦୟ ଭିତରକୁ ଆସିଗଲୁ କି!!ଲାଜମିଶା ଅଭିମାନରେ ସେଲି ମୁଣ୍ଡ ଉଠାଇ ବିଭୁକୁ ଠେଲି ଦେଉ ଦେଉ ତା ଛାତିରେ ମଥାଗୁଞ୍ଜି ଜଣାଉଥିଲା ନିଜ ସ୍ବୀକାରୋକ୍ତି।