**ଆଜିବି ସାଧବ ବୋହୂ**
**ଆଜିବି ସାଧବ ବୋହୂ**
ବୟସର ସେଇ ପ୍ରଥମ ଫଗୁଣର ଆଶ୍ଳେସ ରେ କୋଉ ଗୋଟେ ଦୁର୍ବଳ ମୁହୂର୍ତ୍ତରେ ଛୁଇଁ ଯାଇ ଥିଲ ତୁମେ ଏଇ ମନକୁ, କେବଳ କେଇ ପଦ କଥାରେ।ତୁମକୁ ଦେଖିବା ଆଗରୁ ମଧ୍ୟ ବହୁ ଥର ଉତାରି ସାରି ଥିଲି ତୁମକୁ ମୋ କବିତାରେ,ଭାବନାରେ,ସ୍ୱପ୍ନରେ ଆଉ ହୃଦୟର କାନ୍ଥରେ।ଭିଜି ଯାଇଥିଲା ତନୁ ଆଉ ଓଦା ହେଇ ଯାଇଥିଲା ଦୁଇ ଦୁଇଟା ମନ ତୁମର ସେଇ ନିଃସର୍ତ୍ତ ପ୍ରେମରେ।ତୁମର ବାସ୍ତବ ଉପସ୍ଥିତି ଆଉ କଣ ବା ଅଧିକା କରି ଥାନ୍ତା ଯେ?ଖାଲି ଯାହା ଆନମନା ହୋଇ ଉଠିଥିଲି ଗୋଟେ ଥର ହୃଦୟରେ ଆଂକିଥିବା ତୁମ ପଟ୍ଟଚିତ୍ର ସହ ତୁମର ସଂଯୋଗକୁ ଦେଖିବାକୁ। ସେଥି ପାଇଁ ତ ହୃଦୟର ଭାଷାକୁ ବୁଝି ପାରି ତମେ ଚାଲି ଆସିଥିଲ କାହିଁ କେତେ କୋଷରୁ ହଠାତ୍ ଭାବରେ ମୋ ଅଜ୍ଞାତରେ କୌଣସି ପୁର୍ବଭାସ ନଦେଇ, ମନର ମରୁଭୂମିରେ ଢ଼ାଳିଦେବା ପାଇଁ ପିୟୁସ ର ରସ ଆଉ ପ୍ରୀତିର ବିଶ୍ୱାସ।ଆଉ ପ୍ରଥମ ଦେଖାରେ ବୁଝି ବୋଧେ ପାରିଥିଲ ଏଇ ହୃଦୟର ବିସ୍ତୀର୍ଣ୍ଣ ସମୁଦ୍ରରେ ତୁମ ପାଇଁ ଥିବା ପ୍ରେମର ଗଭୀରତାକୁ,ତୁମ ପ୍ରତି ଥିବା ନିରୀହ ହଳେ ଆଖି ର ସମ୍ପୁର୍ଣ୍ଣ ସମର୍ପଣ କୁ,ଛାତି ତଳର ଅକୁହା ଆବେଗକୁ।ଆଉ ପ୍ରତି ବଦଳ ରେ ଦେଇ ଯାଇଥିଲ ଜୀବନ ସାରା ଏକାଠି ରହିବାର ଏକ କଅଁଳ ପ୍ରତିଶୃତି।ସାଧବ ବୋହୂ ସାଜି ଦର୍ପଣ ଆଗରେ ଖିଲି ଖିଲି ହସର ମେଞ୍ଚାଏ ସ୍ବପ୍ନ,ମାଖି ଦେଇ ଯାଇ ଥିଲ ମୋର ଏହି ଗୋରା ଦେହରେ ତୁମ ପ୍ରେମର ଅଷ୍ଟମ ରଙ୍ଗ ଆଉ ସମ୍ପ୍ରସାରିତ ଅଧରରେ ଆତ୍ମତୃତ୍ପ୍ତିର ଚେନାଏ ହସ।
ଆଂଜୁଳାଏ ସୁନେଲି ସ୍ବପ୍ନ,କେଇ ବୁନ୍ଦା ଆଶା ଆଉ ଦଲକାଏ ଶାଶ୍ୱତ ପ୍ରେମର ମହ ମହ ବାସ୍ନା ରେ ମହକାଇ ଦେଇଥିଲି ନିଜକୁ ଆଉ ମସଗୁଲ ହେଇ ଯାଇ ଥିଲି ତୁମ ପ୍ରତୀକ୍ଷାରେ।ବୋଧେ ଏଇଠୁ ହିଁ ଆରମ୍ଭ ହୋଇଥିଲା ଆମ ପ୍ରେମ ପର୍ବ।ବଞ୍ଚିବା ପାଇଁ ଏତିକି ତ ଲୋଡ଼ି ଥିଲି ମୁଁ।
ପ୍ରତିଶୃତି ର ଏକ ସୁକ୍ଷ୍ମ ବଳୟ ଆଉ ପ୍ରତିଘାତର ତୀବ୍ର ଘୁର୍ଣିଝଡ.... ମଝିରେ ସମ୍ପର୍କର ଅବୋଧ ଶିଶୁଟା ଝଡ ବେଳେ କାନ୍ଦି ଉଠେ ଆଉ ଝଡ ଥମିଗଲେ ଫିକ୍ କରି ହସିଦିଏ।ଏଇ ଅତର୍କିତ ଝଡ଼ର ଆକ୍ରମଣ ଆଉ ମୁଣ୍ଡନୁଆଁ ଶାନ୍ତି ମଝିରେ କେଜାଣି କେମିତି ବିତି ଗଲା ଆଠ ବର୍ଷର ପ୍ରେମ ସମ୍ପର୍କ।ପରିଶେଷରେ ହାର ମାନିଲା ଝଡ,ସମ୍ପର୍କର ସେତୁବନ୍ଧ ଆଗରେ।ଅଧା ଗଢ଼ା ସ୍ୱପ୍ନର ତାଜମହଲ ଟା ଜୀବନ୍ତ ହୋଇ ଉଠିଲା, ଯେଉଁ ଦିନ ପକ୍ଷୀରାଜ ଘୋଡ଼ା ଚଢି ତୁମେ ଆସିଥିଲ ବର ବେଶରେ ଆଉ ଭରି ଦେଇ ଥିଲ ଧାରଟେ ସିନ୍ଦୂର।
ପାଦରେ ଅଳତା, ମଥାରେ କୁଙ୍କୁମ,ଗଭାରେ ଗଜରା,ପାଟ ଶାଢ଼ୀ ଆଉ ନାଲି ଚୁଡ଼ି ପିନ୍ଧି ତୁମ ମନ ଅଗଣା ରେ ପାଦ ଥାପିଥିଲି ସପନର ସାଧବ ବୋହୂ ରୁ କୂଳବଧୁ ସାଜି।ହେଲେ ତୁମ ପାଇଁ ରହି ଯାଇଥିଲି ଆଜୀବନ ସେଇ ଲାଲ ଟୁକ୍ ଟୁକ୍ ସାଧବ ବୋହୂ ଟିଏ ହେଇ । ରଂଗମୟ ହେଇ ଯାଇ ଥିଲା ଜୀବନର ପରିଧି।ଭରି ଯାଇଥିଲା ମଥା ଆଉ କେତେ ଦିନ ପରେ ପୂର୍ଣ୍ଣ ହୋଇ ଯାଇଥିଲା ଶୂନ୍ୟ କୋଳ।ଆଭୁସିତ ହୋଇଥିଲି ମାତୃତ୍ୱ ର ସର୍ବଶ୍ରେଷ୍ଠ ଅଳଙ୍କାରରେ।
ସମୟର ପ୍ରଖର ସ୍ରୋତରେ ଆଖି ଆଗରେ ଭାସି ଚାଲିଗଲା ପରିବେଶ ଆଉ ପରିସ୍ଥିତିର କୁଟାସବୁ।ପିଲା ଦୁହିଁଙ୍କୁ ଖଣ୍ଡି ଉଡା ଶିଖାଉ ଶିଖାଉ କେତେବେଳେ ଏତେ ଉପରକୁ ଉଡିଗଲେ କେଜାଣି,ନା ପାଇଲା ଆଖି ନା ହାତ!ଯୋଉ ହାଥ ଦୁଇଟା ତାଙ୍କ ମଥା ଉପରେ ଆଶୀର୍ବାଦର ବର୍ଷାକରି ରକ୍ଷା କବଚ ସାଜିଥିଲା,ସେ ହାଥ ଯୋଡ଼ାକ ଚାହୁଁ ଚାହୁଁ ବୋଝ ପାଲଟି ଗଲା ସେମାନଙ୍କ ପାଇଁ।ସେଥି ପାଇଁ ତ ନିଜ ବୋଝକୁ ନିଜେ ମୁଣ୍ଡେଇବା ପାଇଁ ତୁମ ନିସ୍ପତିରେ ନିଜକୁ ସାମିଲ କରି ତୁମର ଥରିଲା ହାଥ କୁ ଧରି ଚାଲି ଆସିଥିଲି ତମ ସହ ବୃଦ୍ଧାଶ୍ରମକୁ ନିର୍ଦ୍ୱନ୍ଦରେ ବିବାହର ଦୀର୍ଘ ତିରିଶ ବର୍ଷ ପରେ।ସେଇ ଦିନଠୁ ଏଇ ବୃଦ୍ଧାଶ୍ରମ ହିଁ ପାଲଟି ଯାଇଥିଲା ଆମର ସ୍ଥାୟୀ ଠିକଣା।ଏଇତ ପ୍ରେମ।ଖୁସି ଯଦିଅଛି କେବଳ ତୁମ ସହ ହିଁ ଅଛି।
ଅବଶ୍ୟ ବହୁତ କିଛି ବଦଳି ଯାଇଚି ଇତି ମଧ୍ୟରେ।ଧୋକା ଦେଇ ଚାଲି ଯାଇଚି ଯଉବନ, ବାଟ ଭାଙ୍ଗି ଚାଲି ଯାଇଛନ୍ତି ପିଲାମାନେ,ହାର ମାନି ନେଇଛି ଦେହର ବଳ,ହେଲେ ବଦଳିନି ତୁମ ମୋ ମଧ୍ୟର ପ୍ରେମର ପରିଭାଷା ଓ ପ୍ରତିଶୃତିର ଅର୍ଥ।ପ୍ରେମର କଣ କିଛି ବୟସ ଥାଏ!!
ସତରେ ତମେ ସତ କହୁଥିଲ।ପ୍ରେମ ଆସେ କେବେ ବୟସର ଚପଳତାରେ,କେବେ ଯୌବନ ର ଉଦ୍ଦାମତାରେ,ପୁଣି କେବେ ବାର୍ଦ୍ଧକ୍ୟର ଶିଥିଳତାରେ ।
ଏମିତି କେତେ କଣ ଭାବି ପ୍ରଭା ଦେବୀ ଭାସୁ ଥିଲେ ଅତୀତର ଢେଉରେ। ବିବାହର ପଞ୍ଚତିରିଶତମ ବିବାହ ବାର୍ଷିକୀ ଉପଲକ୍ଷେ ସାଉଁଟି ଆଣୁ ଥିଲେ ସ୍ମୃତି ସବୁକୁ।ଠିକ୍ ଏତିକି ବେଳେ ବଂକୁଲି ବାଡ଼ି ଟାକୁ ଠକ ଠକ କରି ପହଁଚିଲେ ପ୍ରଭା ଦେବୀ ଙ୍କର ସ୍ୱାମୀ, ପରେଶ ବାବୁ।ବୟସ ପଞ୍ଚଶଠି ପରେ।ପ୍ରଭାଙ୍କ ଆଖି ଦୁଇ ଟାକୁ ମୁଜି ଦେଇ ପ୍ରଭା ଦେବୀଙ୍କ ହାତରେ କଣ ଗୋଟାଏ ଦେଇ ଦେଇ ପାକୁଆ ପାଟିରେ କହି ପକାଇଲେ
-ଦେଖିଲ ପ୍ରଭା କେମିତି ଲାଗୁଚି?
ପ୍ରଭା ଦେବୀ ଲାଜେଇ ଯାଇ ଦେଖନ୍ତି ତ ନାଲି ରଙ୍ଗର ସମ୍ବଲପୁରୀ ଶାଢ଼ୀଟାଏ।
-ମା କି ସୁଂଦର ହେଇଛି ଶାଢ଼ୀଟା!!ଖୁସିରେ କହି ପକାଇଲେ ପ୍ରଭା ଦେବୀ।
-ଯାଅ ପ୍ରଭା ପିନ୍ଧି ଦେଇ ଆସ ଶାଢ଼ୀଟା।ମୁଁ ବି ତ ଦେଖେ ମୋ ବୁଢ଼ୀ ସାଧବ ବୋହୂକୁ କେମିତି ମାନୁଛି ଏଇ ବୁଢା ସାଧବ ପୁଅ ଆଣି ଥିବା ଶାଢ଼ୀ ଖଣ୍ଡକ।
ପ୍ରଭା ଦେବୀ ଶାଢ଼ୀଟାକୁ ଜାକିଧରି ଆଉଜି ପଡ଼ିଥିଲେ ପରେଶ ବାବୁଙ୍କ ଛାତିରେ।ବୋଲ ମାନୁ ନ ଥିଲା ଆଖିରେ ଖୁସିର ଲୁହ ଗୁଡାକ।
ଜୀବନର ସାୟାନ୍ହ ରେ ଆଜିବି ଝରିପଡୁଥିଲା ପାକୁଆ ପାଟିରୁ ପ୍ରେମସ୍ନିକ୍ତ ହସର ପାଖୁଡା।ସ୍ନେହର ପ୍ରଦୀପ,ତ୍ୟାଗର ସଳିତା,ଆଉ ଭକ୍ତିର ଅର୍ଘ୍ୟରେ ହୃଦୟର ନିଭୃତ କୋଠରୀ ରେ ଆଜି ଵି ପାଳନ ହେଉଥିଲା ପ୍ରେମ ପର୍ବ।
**ସ୍ୱାଗତିକା ମିଶ୍ର**