Soumya Shubhadarshinee

Inspirational Thriller

3  

Soumya Shubhadarshinee

Inspirational Thriller

ସ୍ୱୟଂଭୁ

ସ୍ୱୟଂଭୁ

9 mins
231


ବାଲକୋନିର ସୂର୍ଯ୍ୟ ଯେତିକି ଲୋଭନୀୟ, ଶୀତ ସକାଳୁ ; ସେତିକି ଯନ୍ତ୍ରଣାଦାୟକ ଗ୍ରୀଷ୍ମ ଦ୍ଵିପହରେ । କିନ୍ତୁ ଉଭୟକୁ ଅନୁଭବ କରିବାକୁ ହୁଏ ଏତିକି ପାର୍ଥକ୍ୟ ସହ ;

ଶୀତ ସକାଳୁ ଅପେକ୍ଷା ଆଉ ଗ୍ରୀଷ୍ମରେ ଉପେକ୍ଷା ।

ତୁମେ ସେମିତି , ଅପେକ୍ଷା ଆଉ ଉପେକ୍ଷା ଭିତରେ ମୋର ଅନୁଭବର ଗନ୍ତାଘର ।

ଇଚ୍ଛାକୃତ ଭାବରେ ଏଡେଇ ଦେଇ ହୁଏନା ତୁମ ଅସ୍ତିତ୍ୱ ।

ବେଶ ବୁଝେଇ ସାରିଛି ସମୟ ମୋତେ , ମୁଁ ସ୍ୱୟଂଭୁ ବୋଲି । ଆବଶ୍ୟକତା ନାହିଁ ତୁମର ମୋ ଆବର୍ତ୍ତରେ । 

ମୁଁ ଦୃଢ଼ତା ସହ କହିପାରେ , ନାରୀ ଏକାକୀ ଜିଇଁବାରେ ବେଶ ଧୁରନ୍ଧର । ମୁଁ ସୃଷ୍ଟି କରିପାରେ , ପାଳନ କରିବାରେ , ବିଲୟ ମଧ୍ୟ କରିପାରେ । ନୁହେଁ କି ?

କିନ୍ତୁ ତୁମେ ଏକାକୀ କ'ଣ କରିପାର କହିଲ ଥରେ ??

ହୁଏତ ବେହେମିଆନ ହେଇ ବଞ୍ଚିପାର କିନ୍ତୁ ସ୍ୱୟଂଭୁ ହେଇପାରିବନି । ବିଜ୍ଞାନ ଆଜିବି ଏତେ ଉନ୍ନତି କରିନି ମଁ । ତୁମ ସୃଷ୍ଟି ପାଇଁ ଅନ୍ତତଃ ମୋ ଜଠର ଆବଶ୍ୟକତା ଅଛି । 

ତେଣୁ ମୋତେ ଶକ୍ତି ର ପରିଚୟ ମିଳିଛି । ଶକ୍ତି ରହିତ ଶିବ ମଧ୍ୟ ନିଷ୍କ୍ରିୟ ଶବ । ମନେପଡୁଛି କି ନାହିଁ ଦକ୍ଷ ଯଜ୍ଞ ପ୍ରସଙ୍ଗ । 

****

ଡେରି ରାତି ଯାଏଁ ବହିଟେ ପଢ଼ିବାର ଲୋଭ ମୋର ପିଲାବେଳୁ । ସେଇ ଲୋଭରୁ ମୋର ସୃଜନ ସମ୍ମୋହନ । କିଛି ଲେଖିବା କିନ୍ତୁ ସହଜ ନୁହେଁ, ଏକଦମ କସରତ ନିଜ ସହ ଅହରହ ।

ରୋଜି ଏତିକି ଲେଖି ଡାଏରୀ ବନ୍ଦ କରିଦେଲା। ଘଡିରେ ଏବେ ରାତି ଦୁଇଟା । ଆଉ ନୁହଁ , ଏବେ ଶେଜ ସହ ସମ୍ଭୋଗର ଆମନ୍ତ୍ରଣ । ହସିଲା ଅବଶ୍ୟ ରୋଜି , '' ଶେଜ ସହ ସମ୍ଭୋଗ '' କଥା ପଦକ ଆଜିଯାଏଁ ଭୁଲି ପାରୁନଥିବା ଅସହାୟତାକୁ ଏଡ଼େଇ ଯିବାକୁ ଏଇ ହସ ।

ଏଇ ହସର ପବନରେ କିନ୍ତୁ ନାହିଁ ସେ ଦମ , ଯେ ଅନିରୁଦ୍ଧ ଆଉ ତା' ଦ୍ୱାରା କୁହାଯାଇଥିବା ଅଗଣିତ କଥା ଗୁଡାକୁ ଉଡେଇ ନେବ ସ୍ମୃତି ଉପବନରୁ ନିରାପଦ ଦୂରତା କୁ ।

ହଁ ହୁଏତ ସେ ପିଠି କରି ଠିଆ ହେଇପାରେ ଅତୀତ କୁ କିନ୍ତୁ ଅତୀତରେ ସ୍ମୃତି ସବୁ ସର୍ବଦା ତା' ସମ୍ମୁଖରେ ଚିତ୍ରପଟ ଭଳି ଭାସିବୁଲନ୍ତି । ରାତିର ଗଭୀରତା ସେଇ ସ୍ମୃତିର ଫରୁଆ କୁ ଖୋଲିଦିଏ ଗୋଟେ ଚଗଲା ପିଲା ଭଳି ଆଉ ହଜେଇ ଦିଏ ରୋଜିକୁ ସେଥିରେ । ବୋଧେ ସେଥିପାଇଁ ନିଦ ତା' ରାସ୍ତା ଭୁଲେ ଆଉ କଲମ ତା' ସ୍ଥାନ ନେଇଯାଏ । 

ରୋଜି ଯଦି ଲେଖୁନଥାନ୍ତା ତେବେ ହୁଏତ ଆହୁରି ଅସହାୟତା ଭିତରେ ବିତନ୍ତା ତା' ଜୀବନ । ସୃଜନ ଅନ୍ତର ମନର ତମାମ ଯନ୍ତ୍ରଣା କୁ କାଗଜରେ ଉତାରି ଦେଇ ହଲ୍କା କରିଦିଏ ମଣିଷକୁ । ରୋଜି ପାଇଁ ସେଇଟା ଗୋଟେ ମାଧ୍ୟମ ନିଜକୁ ସମ୍ଭାଳି ନେବାକୁ । 

ଏବେ ଆଉ ନୁହେଁ , ଶେଜ ସହ ଏକାତ୍ମ ହେବା ଜରୁରୀ ନହେଲେ କାଲି ଆଉ ସତେଜ ଦିନଟିଏ ମିଳିବ ନାହିଁ । କାଲି ପୁଣି ବଡ଼ ଜରୁରୀ କାମ ଟେ ଅଛି , ହଁ ଝୁମୁରୀ କୁ ନେଇ ଯିବାର ଅଛି ସହର । ବୋକିଟା କିଛି ବି ବୁଝିନି ।

*****

-- '' ଆଛା ଦେଈ ତୁମେ କାହିଁକି ବେଶି ଭାବୁଛ ବା ?''

--'' ନାଇଁ ତ ମୁଁ କିଛି ଭାବୁନି , ତୋତେ ଖାଲି ଲାଗୁଛି ସେମିତି ବୁଝିଲୁ !''

-- '' ଆଉ ତାଲେ ଡାକ୍ତର ପାଖକୁ କିଆଁ ଯିବା

କି ଆଶା ଦିଦି ତ ଦେଖୁଛି ମୋତେ ।"

--'' ହଁ ଠିକ ଯେ , ଡାକ୍ତର ପା' ଆଶା ଦିଦି ଠୁ ଢେର ବେଶି ଜାଣେ ସେଇଥିପାଇଁ ଯିବା । ଆଉ ତୁମ ଦିହିଙ୍କ ଭଲ ମନ୍ଦ ବୁଝି ଆସିବା ।ଜାଣୁ ଏବେ ମେସିନ୍ ରେ ତୋ ପୁଅର ଫଟୋ

ଉଠେଇ ଦେଖିଆସିବା ଆଜି ।''

--" ନା ଦେଈ ମୋର ଝୁଅ ହବ , ଏକଦମ ତମ ଭଳିଆ ଗୋରୀ ।''

--'' ଧେତ୍ ବୋକି , ପୁଅ ପା' ସଭିଙ୍କର ପସନ୍ଦ , ଝିଅଟେ ହେଲେ ପବନା ବାଡ଼େଇବ ତୋତେ ବୁଝିଲୁ ।''

--" ନାଇଁ ଦେଈ ତା' ର ଝୁଅ ପସନ୍ଦ !''

ଏତିକିରେ ଲାଜେଇ ଗଲା ଝୁମୁରୀ । ତା' ଶ୍ୟାମଳି ରୂପରେ ଝଲସି ଗଲା ସ୍ନିଗ୍ଧ ଚମକ । ଆସନ୍ନ ପ୍ରସବା ନାରୀ ଟିଏ ସତରେ ଅପୂର୍ବା , ତା' ଭିତରେ ସୃଷ୍ଟିର ସମ୍ମୋହନ । ସେଇଥିପାଇଁ ସେ ହିଁ ଦେବୀ । ରୋଜି ଆଖିଭରି ଦେଖିନେଲା ଦେବୀଙ୍କ ଲଜ୍ଜାବନତ ରୂପ । ଆଉ ହସିଦେଇ କହିଲା , '' ହଉ ତୋର ଝିଅକୁ ଆଜି ଦେଖିବା ଚାଲ। ''

ସରକାରୀ ଡାକ୍ତରଖାନାରେ ଆଜିବି ମିଳୁନି ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁଯୋଗ । ତେଣୁ ତିନି ମାସରେ ଅଲ୍ଟ୍ରାସାଉଣ୍ଡ କରିବା କେତେ ଜରୁରୀ ବୁଝନ୍ତିନାହିଁ ଏଇ ନିପଟ ଗାଁ ର ସାଧାରଣ ଲୋକେ । ଝୁମୁରୀ ବା କେମିତି ବାଦ ପଡ଼ନ୍ତା !....

ରୋଜି ଏଠି ପ୍ଲାଣ୍ଟରେ ଯୋଗ ଦେଲା ପରେ  ବୁଝୁଛି ଜୀବନର ଅନ୍ଧକାର ଦିଗ ସଂକ୍ରାନ୍ତରେ । ଦେଖୁଛି ମାଟି ସହ ମାଟି ହେଇ ଜୀଉଁ ଥିବା ମଣିଷଙ୍କ ସଂଘର୍ଷ । ବଡ଼ ବିଚିତ୍ର ଏସବୁ ତା' ପାଇଁ । ଗତ ବର୍ଷ ପିଲାଟିଏ ନଷ୍ଟ ହେଇଯାଇଛି ଝୁମୁରୀର । ତେଣୁ ଏଥର ଅଧିକ ସଚେତନତା ଲୋଡ଼ା । କିନ୍ତୁ ତା' ଭିତରେ ସେମିତି ବ୍ୟାକୁଳତା ନାହିଁ । ଯେମିତି ପିଲାଟିଏ ହରେଇ ଦେବା ପୁଣି ଆର ବର୍ଷ ଜନ୍ମ ଦେବା ଉଭୟ ଏକଦମ ଚିରାଚରିତ । 

କିନ୍ତୁ ଆମେ ସଭ୍ୟ ସମାଜର ଶିକ୍ଷିତ ମଣିଷ ମାନେ କେବେ ସହଜରେ ଗ୍ରହଣ କରିପାରୁନା ଅଜନ୍ମାର ଚିର ବିଦାୟ ।

ହଠାତ କିଛି ଗୋଟେ ତୀକ୍ଷ୍ଣ ଶର ଭଳି ବିଦ୍ଧ କଲା ରୋଜିର ହୃଦୟରେ । ସେ ନିଜକୁ ଲୁଚେଇ ନେଲା ଚା ' ପିଆ କପ ଆଢୁଆଳରେ । ବୋଧେ ଅମାନିଆ ଲୁଣି ପାଣି ଛୁଇଁ ଯାଇଥିଲା ଗଣ୍ଡଦେଶ  ।

ସକାଳର ଆବଶ୍ୟକୀୟ କାମ ସାରି ସେମାନେ ବାହାରି ଗଲେ ପ୍ଲାଣ୍ଟର ଡାକ୍ତରଖାନା । ସବୁ ଚେକଅପ୍ ସାରି ଫେରୁ ଫେରୁ ସନ୍ଧ୍ୟା । ପିଲାଟି ଠିକ ଅଛି ଆଉ ସୁସ୍ଥ ଭାବେ ବଢୁଛି ଜାଣି ବେଶ ଖୁସି ଥିଲା 

ରୋଜି । କିନ୍ତୁ ଝୁମୁରୀ ବ୍ୟସ୍ତ ହେଉଥିଲା ଆଜି ଦୁଇ ଘରେ କାମ କରିନାହିଁ ବୋଲି । ବିହାରୀ ବୁଢ଼ୀ ମାଉସୀ ବିଗିଡିବ ବୋଲି ।

****

ରୋଜି ଡାକି ବସେଇଲା ଝୁମୁରୀ କୁ ଆଉ ଦେଖେଇଲା ଅଲ୍ଟ୍ରାସାଉଣ୍ଡ ରୁ ଉଠିଥିବା ଫୋଟୋ ଚିତ୍ର । ତିନି ମାସ ର ଅଜନ୍ମା ର କି ଯେ ଦୃଶ୍ୟ , କିନ୍ତୁ ତଥାପି ଏଇଟି ତା'ର ପ୍ରଥମ ଫଟୋ । ଝୁମୁରୀ ଅନେଇଥିଲା ବୋକି ଆଖିରେ ଆଉ ପଚାରୁଥିଲା , '' ଦିଦି କାଇଁ ବା' ଛବି ମୋତେ ତ କିଛି ଦୁଶୁନି ।''

 ରୋଜି କିନ୍ତୁ ବୁଝେଇ କହୁଥିଲା ଏଇ ଦେଖ କେମିତି ତୋ ପିଲା ଶୋଇଛି ତୋ ଭିତରେ

ଆରାମରେ । ''

ଝୁମୁରୀ ହସିଲା ଆଉ କହିଦେଇଗଲା ,'' ପାଗଳି ଟେ ତୁମେ ବୁଝିଲ ଦେଈ , ଦେଖୁଥା ସେ ଜାଲ ଜାଲୁଆ ଫଟୋ ବସି ମୁଁ ଯାଏଁ ମୋର ତେଣେ ଢେର କାମ " .....

ସାଧାରଣ କାମବାଲୀର କେତେ ବା ବୁଦ୍ଧି ।

ରୋଜି କିଛି ଶୁଣି ପାରୁନଥିଲା ହୁଏତ । ହଜି ଯାଇଥିଲା ନିଜ ଅତୀତରେ ନୀରବରେ । ଏମିତି ଦୃଶ୍ୟ ସହ ଭେଟ ହେଇଥିଲା ସେବେବି । କେତେ ଉନ୍ମାଦନା ଥିଲା ସଭିଙ୍କ ଭିତରେ । କେତେ ଉଦବିଘ୍ନ ଥିଲେ ଅନିରୁଦ୍ଧ ଓଃ !

ସନ୍ଧ୍ୟାର ଆଳତୀ ହେଲା ବୋଧେ ପାଖ ଶିବ ମନ୍ଦିରରେ , ଶୁଣାଗଲା ଘଣ୍ଟ ଆଉ ଘଣ୍ଟି ର ସ୍ୱର । ରୋଜି ଉଠିଲା ନିଜ ଅତୀତର ଶୁନ୍ୟତା ଭିତରୁ ଆଉ ବାହାରିଗଲା ସନ୍ଧ୍ୟା ଧୂପ ପାଇଁ ।ଈଶ୍ୱର ଯଦିଓ ବଡ଼ କଠୋର ତା' ପାଇଁ ତଥାପି ତାଙ୍କୁ ମଧ୍ୟ ଏଡାଇ ଦେଇ ହୁଏନା ସହଜରେ । ଏଇଟା ହିଁ ବୋଧେ ମଣିଷର ବିବଶତା ।

ସେ କିଛି ଗତାନୁଗତିକତାର ଦାସ ଚିରକାଳ ।

ସନ୍ଧ୍ୟା ପୂଜା ସମୟରେ କିନ୍ତୁ ଅନିରୁଦ୍ଧ ଅଧିକ ମନେ ପଡ଼ନ୍ତି । କେବେ ବି ପୂଜା କରୁନଥିବା ନାସ୍ତିକଙ୍କ ପ୍ରବଳ ବିରକ୍ତି ସନ୍ଧ୍ୟା ପୂଜା ବେଳେ । ଶୁଭିଯାଏ ଆଜିବି ବେଶ ସ୍ପଷ୍ଟ ଭାବେ । ସକାଳୁ ତୁମ୍ବିତୋଫାନ କରନ୍ତି ନାହିଁ କାରଣ ପୂଜା ବେଳେ ଶୋଇ ଥାନ୍ତି ଘୋଡା ବିକିକି ନିଘୋଡ଼ ନିଦରେ । 

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଋଦ୍ଦିଷ୍ଟ ମଣିଷ ପାଇଁ କଉଠୁ ଆସେ ଏତେ ଆବେଗ ବୁଝି ପାରେନି ରୋଜି । କିନ୍ତୁ ଏତକ ନିଶ୍ଚିତ ଯେ ଆସେ ଆବେଗ ଖୁବ ଆଜିବି ।

ଆକାଶର ଇନ୍ଦ୍ରଧନୁ ହେଉ ବା ଧରିତ୍ରୀର ବାସନ୍ତୀ ରୂପଶ୍ରୀ । ସବୁଠି ଅନିରୁଦ୍ଧଙ୍କ ସୂକ୍ଷ୍ମ ଉପସ୍ଥିତି ବାରି ହେଇପଡ଼େ ରୋଜି କୁ । କିନ୍ତୁ ଏଇ ବର୍ଣ୍ଣମୟ ପୃଥିବୀର ରଙ୍ଗ ତକ ହଜି ଯାଇଛି ରୋଜି ପାଇଁ । ଏକାକୀ ଜୀବନ ଜୀଇଁବାକୁ ଇଚ୍ଛାକୃତ ଭାବେ ସିଦ୍ଧାନ୍ତ ନେଇଛି ସେ । 

..............

ଅଜବି ସତେଜ ଅଛି ହାସିମରା ର ମେଘମେଦୁର ସ୍ମୃତି । ଏୟାରଫୋର୍ସ  କ୍ୟାମ୍ପସର ସବୁଜିମା । ଶୃଙ୍ଖଳିତ ଜୀବନର ସ୍କେଚ୍ । ଠିକ ୬ :୩୦ ରେ ଅଫିସ ପାଇଁ ବାହାରୁଥିବା ଅନିରୁଦ୍ଧ ଆଉ ସକାଳର ସଜଳ ନିଦ ଭାଙ୍ଗି ଅଳସୀ ଆଖିରେ ବିଦାୟ ଦେଉଥିବା ରୋଜି । ରୋଜ ବିନା ଉପକ୍ରମ ରେ ଆସୁଥିବା ବର୍ଷା ଆଉ ଭିଜୁଥିବା ଅନିରୁଦ୍ଧ । କେତେଥର ଜୋର କରି ଭିଡି ନେଇଛନ୍ତି ଅନିରୁଦ୍ଧ ରୋଜି କୁ ଭିଜିବାକୁ ସେଇ ବର୍ଷା ସହ । 

କିନ୍ତୁ ସେଇ ପରିପୂର୍ଣ୍ଣ ଜୀବନ କୁ କେତେ ବା ଜିଇଁଲା ରୋଜି ??.......

ସୁଖର ଆୟୁଷ ଦୁଃଖ ଠାରୁ ଢେର ଛୋଟ ସବୁବେଳେ । 

ଚିର ସବୁଜିମାର ସେ ସହର , ଅସରନ୍ତି ବର୍ଷାର ସେ ନଅର , ଦୁଇ ମୁକ୍ତ ବିହଙ୍ଗଙ୍କୁ ସୁରକ୍ଷିତ ଘରଟିଏ ଦେବାକୁ ଯେ ଅସମର୍ଥ ହେବ କେବେ କଳ୍ପନା ମଧ୍ୟ କରିନଥିଲେ କେହି । 

ରୋଜି ଏମିତି ସବୁକିଛି ଛାଡି ଦେଇ ଫେରି ଆସିବ ବୋଲି ନିଜେ ବି ଭାବିନଥିଲା କେବେ । କିନ୍ତୁ ସେ କରିଛି ସେମିତି , ନିଜ ହାତଗଢା ସ୍ୱର୍ଗ କୁ ନିଜ ହାତରେ ଉଜାଡି ଦେଇ ଆସିଛି । 

ଏଥିପାଇଁ ଅନିରୁଦ୍ଧ ଦାୟୀ ନା ପରିସ୍ଥିତି କେବେ ଆତ୍ମସମୀକ୍ଷା କରିନାହିଁ ରୋଜି । କାରଣ ସେ ସିଦ୍ଧାନ୍ତ ନେଇଛି ନିଜେ । 

ନିଜକୁ ନିଜେ ଭୁଲ ପ୍ରମାଣିତ କରିବାର ଆବଶ୍ୟକତା ନଥାଏ କେବେ ହୁଏତ ।

 .............

ଝୁମୁରୀକୁ ପାଖରେ ବସେଇ ଧରେଇଲା ରୋଜି ଗୋଟେ ଗ୍ଲାସ ମଦର୍ ହର୍ଲିକ୍ସ । ଝୁମୁରୀ ନାହିଁ ନାହିଁ ହେଉଥିଲା ହେଲେ ରୋଜି ଜମା ଛାଡିଲା ନାହିଁ । ଏତକ ତୋ ପାଇଁ ନୁହେଁ ତୋ ପିଲା ପାଇଁ ଜରୁରୀ ଖୋରାକ ବୋଲି ବୁଝେଇ କହୁଥିଲା ରୋଜି ।

ଝୁମୁରୀ ସଂଶୟ ଭିତରେ ପଚାରୁଥିଲା ," ଦେଈ ଏଗୁଡା ପିଇଲେ ଛୁଆ ବହୁତ ବଡ଼ ହେଇଯିବ ଯେ ତେଣିକି ମୋତେ ଅଡୁଆ ହେବ ।"

ହସୁଥିଲା ରୋଜି ଆଉ ତା ଗାଲ ଚିପି କହୁଥିଲା , '' ବେକାର କଥା ସବୁ ବୁଝିଲୁ ବୋକି । ଏମିତି ହୁଏନି କିଛି , ଏସବୁ ଛୁଆକୁ ଆହୁରି ସୁସ୍ଥ ସବଳ କରେ ଆଉ ମା' କୁ ଶକ୍ତ କରେ ଭବିଷ୍ୟତ ପାଇଁ ।''

ରୋଜି କଥା ଶୁଣି ବଲବଲ ହେଇ ଅନଉ ଥିଲା ଝୁମୁରୀ । ହୁଏତ ଭାବୁଥିଲା ଏ ଦେଈ ର ତ ବର ନାହିଁ କି ପିଲା ନାହିଁ । ଏତେ କଥା ଆକୁ କେମିତି ଜଣା ଲୋ ମା' ? ପାଠ ପୁଳାଏ ପଢିଲେ ବୋଧେ ଏମିତି ସବୁ ଜଣା ପଡେ । 

ଝୁମୁରୀର ସମୟ ଯେତେ ନିକଟବର୍ତ୍ତୀ ହେଉଥିଲା ତା' ପ୍ରତି ରୋଜିର ଯତ୍ନ ସେତେ ଅଧିକ ହେଉଥିଲା । ଏବେ ଆଉ ରୋଜି ତାକୁ କାମ କରିବାକୁ ଦେଉ ନଥିଲା । ରୋଜି ଘରେ ଆଜିକାଲି ଝୁମୁରୀ ବେଶ ପେଟପୂରା ଖାଦ୍ୟ ଖାଇ ଘଡ଼ିଏ ଆରାମ କରୁଥିଲା । ରୋଜି ଝୁମୁରୀ କୁ କେବେ ବାଦାମ ଆଣି ଖୁଆଉ ଥିଲା ତ କେବେ ଅଖରୋଟ ଆଣି 

ଚଖଉ ଥିଲା । ଇଣ୍ଟରନେଟ ରୁ ଡାଏଟ୍ ପ୍ଲାନ ବାଛି ରୋଜ ସଲାଡ଼ ଆଉ ଶାଗ ଖାଇବାକୁ ଜିଦ କରୁଥିଲା । ଝୁମୁରୀ ଜମାରୁ ପସନ୍ଦ କରୁଥିବା ଗନ୍ଧିଆ ପ୍ରୋଟିନ୍ ପାଉଡର ମଧ୍ୟ ପିଓଉ ଥିଲା । 

ଝୁମୁରୀ ବେଶ ଖୁସି ଥିଲା ଦେଈର ଏଇ ଶ୍ରଦ୍ଧା ଭିତରେ । ପବନାର ବେପରୁଆ ବାପାପଣ ଆଉ ବ୍ୟସ୍ତ କରୁନଥିଲା ତାକୁ । ଦେଶୀ ନାଲି ପାଣି ଚଢ଼େଇ ଆଉ ରୋଜ ମାଡ଼ ଦେଉନଥିଲା ପବନା ତାକୁ । 

ରୋଜି ଦେଈ ପବନା କୁ ବି ବୁଝେଇ ବାଝେଇ ବାଗେଇ ଦେଇଥିଲେ କୁହୁକ କଥା କହି । ସତରେ ତାଙ୍କ ରୂପ ଯେମିତି , ତାଙ୍କ ସ୍ନେହ ସେମିତି ଆଉ ତାଙ୍କ କଥା ସବୁଠୁ ମିଠା । ବଶ କରିନିଆନ୍ତି ସଭିଙ୍କୁ । ଏଡ଼େ ଭଲ ଦେଈ ଟି କିନ୍ତୁ ଦୁନିଆରେ ଏକା । କେମିତି କେଜାଣି ବିଚାର ପ୍ରଭୁଙ୍କର । କେବେ କେମିତି ଅଦୃଶ୍ୟ ଆଗରେ ହାତ ଯୋଡି ନିଏ ଝୁମୁରୀ ଆଉ ଗୋଟେ ନିଷ୍ପାପ ହୃଦୟରୁ ରୋଜି ପାଇଁ ଝରିଆସେ ପ୍ରାର୍ଥନାର ସ୍ୱର , '' ପ୍ରଭୁ ଦେଈ ଙ୍କୁ ଭଲ ବର ଭଲ ଘର ଟେ ଦିଅ ।''

ସଭିଁଙ୍କ ଜାଣିବାରେ ରୋଜି ମ୍ୟାମ୍ ଏକା । ସେ ବିବାହିତ କି ଅବିବାହିତ ତା' ମଧ୍ୟ କେହି ଠିକ ଭାବେ ଜଣେନି । ରୋଜି ଏଇ ପ୍ରସଙ୍ଗ କୁ ନେଇ କେବେ କୌଣସି ଚର୍ଚ୍ଚା କରିବାକୁ ଭଲ ପାଏନି । 

ସେ ନିଜକୁ ପ୍ରତିଷ୍ଠିତ କରିପାରିଛି ଏବଂ ଏକାକୀ ଜିଇଁ ପାରୁଛି । ବାସ୍ ଏତିକି ଯଥେଷ୍ଟ ପରିଚିତି ପାଇଁ । ଆଉ ଅଧିକ ଆବଶ୍ୟକତା ନାହିଁ । ନାରୀ ଟେ ଏକାକୀ ରହିବା ଯଦିଓ ଟିକେ ଦୃଷ୍ଟିକଟୁ ଆମ ସମାଜରେ କିନ୍ତୁ ସେ ଯେବେ ଉଚ୍ଚପଦସ୍ଥ ହେଇଯାଏ ଏଇ ଦିଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିବା କମିଯାଏ ଆପଣା ଛାଏଁ ।

ରୋଜି କିନ୍ତୁ ଝୁମୁରୀ ଭିତରେ ନିଜକୁ ଆବିଷ୍କାର କରୁଥିଲା ପ୍ରତି ମୁହୂର୍ତ୍ତରେ । ଜିଉଁ ଥିଲା ନିଜ ଅସମ୍ପୂର୍ଣ୍ଣତା କୁ ତା' ଭିତରେ । ତା' ଅଭାବବୋଧ କୁ ପୂର୍ଣ୍ଣ କରିବାର ସବୁଜ ସଙ୍କେତ ଟିଏ ମିଳୁଥିଲା ଝୁମୁରୀ ଭିତରେ । ଆଜିକାଲି ଗୋଟେ ସୁନ୍ଦର ପିଲାଟେ ଦୋଳି ଭିତରେ ଖେଳୁଥିବାର ସ୍ୱପ୍ନରେ ଦେଖୁଥିଲା ରୋଜି । 

ଭାବୁଥିଲା ତାଜା ଉପରେ ଥିବା ସେଇ ପିଲାଙ୍କ ଦୋଳି କାଢି ଝାଡିଝୁଡି ଝୁମୁରୀ କୁ ଦେଇଦେବ । ପୁଣି ଭାବୁଥିଲା ନା' ନା' ଦେବନାହିଁ ବରଂ କହିବ '' ପୁଅକୁ ନେଇକି ଆସିବୁ ଏଇଠି ସେ ଝୁଲାରେ ଝୁଲିଝୁଲି ଶୋଇବ ।''

ବେଳେବେଳେ ଇଚ୍ଛା କରୁଥିଲା କହିବ , '' ଝୁମୁରୀ ତୁ ଆଉ କାମ କରିବାକୁ ଯାଆନା ସମୟ ପାଖ ହେଇଗଲାଣି । ମୋ ପାଖରେ ରହିଯା । ରେଷ୍ଟ ନେ , ପିଲା ପାଇଁ ବେଶ ଭଲ । ''

କିନ୍ତୁ ସେମିତି କିଛି ହୁଏନା ଝୁମୁରୀ ବାର ଘରେ କାମ ସାରି ପବନା ପାଖକୁ ଫେରିଯାଏ । କିଛି ମୁହୂର୍ତ୍ତ ପାଇଁ ମିଳେ ରୋଜି କୁ ଆଉ ସେତିକିରେ ରୋଜି ସୁଖୀ ହେବାକୁ ଚେଷ୍ଟା କରେ । 

ମନ କିନ୍ତୁ ମାନେନା , ଆହୁରି କିଛି ସମୟ ସାଇତି ନେବାକୁ ଇଚ୍ଛା କରେ ସବୁବେଳେ।

****

ଜୋରରେ ଚିତ୍କାର କରୁଥିଲା ପବନା ,'' ରୋଜି ମେମ୍ ଝୁମୁରୀକୁ ଛାଡିଦିଅ ମୁଁ ତାକୁ ନେଇକି ଯିବି , ମୁଁ ତା' ଗିରସ୍ତ । ''

ସକେଇ କାନ୍ଦୁଛି ଝୁମୁରୀ । ପବନା ମଦ ପିଇକି ଢେର ବାଡେଇଛି ତାକୁ ରାତିରେ ।

ପବନାକୁ ତା' ସାଂଗ ମେଞ୍ଚାକ ପେଟେ ପେଇ ଦେଇକି ଘଟେଇଛନ୍ତି ଏମିତି ଉନ୍ମତ୍ତ କାଣ୍ଡ ।କେଡେ କଦର୍ଯ୍ୟ ଲୋକ ଆମ ସମାଜରେ । ମଣିଷ କୁ ସୁଖୀ ହେବାକୁ ଦିଅନ୍ତି ନାହିଁ ।

ଝୁମରୀ ରାତିରେ ପଳେଇ ଆସିଛି ରୋଜି ଦେଈ କତିକି । ତା' ଛୁଆ ଜୀବନ ପ୍ରତି ପବନା ଟା ବିପଦ ଆଣିଛି ଆଜି । ଆଉ ସେ ଯିବନି ଜମା ସେ ଜାନୁଆର ପାଖକୁ ।  

ପବନା ଚିତ୍କାର କରୁଛି ଘର ବାହାରେ ଆଉ ଝୁମୁରୀ କାନ୍ଦୁଛି ରୋଜି ପାଖରେ । 

ଏଇ ପରିବେଶ ହଠାତ ଝୁମୁରୀର ଯନ୍ତ୍ରଣା ଆରମ୍ଭ ହେଇଗଲା । ଏବେ ଯଥାଶୀଘ୍ର ଡାକ୍ତରଖାନା ଯିବା ଜରୁରୀ । ରାତି ସାଢ଼େ ବାରଟା ରେ ଆଶା କର୍ମୀ କୁ ଡକେଇ ଡାକ୍ତର ପର୍ଯ୍ୟନ୍ତ ଯିବାକୁ ବେଶ ସମୟ ଲାଗିବ । ରୋଜି ଏତେ ସମୟ ନଷ୍ଟ କରିବାକୁ ଉଚିତ ମନେ କଲାନି । ଟିକିଏ ଡେରି ଯେ କେତେ ଘାତକ ତା' ବ୍ୟତୀତ ଆଉ କିଏ ଅଧିକ ଜାଣେ ଭଲା । ସେ ନିଜେ କାର କାଢି ଝୁମୁରୀ ଓ ପବନା କୁ ନେଇ ବାହାରିଗଲା ।

ପବନା ସେମିତି ପାଟି କରୁଥିଲା , '' ମୋ ଝୁମୁରୀ କି ମୋ ଛୁଆ ର ଯଦି କିଛି ଭଲମନ୍ଦ ହେବ ମୁଁ ଜମା ଛାଡ଼ିବି ନି ମେମ୍ ସତ କହୁଛି ।''

............

ଅନିରୁଦ୍ଧ ପଚିଶ କିଲୋମିଟର ଡ୍ରାଇଭ୍ କରି ସେଇ ପାହାଡି ରାସ୍ତାରେ କେମିତି ଯାଇଥିବେ ସେ ରାତିରେ ଏବେ ବୁଝୁଥିଲା ରୋଜି । ସ୍ତ୍ରୀ ଟିର ଗର୍ଭ ବେଦନା ଠାରୁ ପୁରୁଷର ଦାୟିତ୍ୱ ଯେ କୌଣସି ଗୁଣରେ କମ ନୁହେଁ ଅନୁଭୂତ ହେଉଥିଲା ଆଜି । 

ଝୁମୁରୀର ଯନ୍ତ୍ରଣାସିକ୍ତ କାନ୍ଦଣା ଭୟଙ୍କର ଭାବରେ ବ୍ୟଥିତ କରୁଛି ରୋଜିର ହୃଦୟକୁ । ସତରେ ଗାଡିର ଷ୍ଟିୟରିଂ ସଠିକ ଭାବରେ ଧରି ପାରୁନି ରୋଜି । ଅଜଣା ଆତଙ୍କ ଭିତରେ ଭୟଭିତ ହେଇଯାଉଛି ତା' ଅନ୍ତରମନ । 

ସେଦିନ ରାତିରେ ହୁଏତ ଅନିରୁଦ୍ଧ ଠିକ ଏମିତି ଆନ୍ଦୋଳିତ ହେଇଯାଇଥିବେ । ତାଙ୍କ ପୋଖତ ହାତ ଚହଲି ଯାଇଥିବ ଆଉ ଦୁର୍ଘଟଣା ଘଟିଥିବ । ସେ ନିଶାଶକ୍ତ ନଥିଲେ ସେଇ ରାତିରେ । କେବଳ ବ୍ୟତିବ୍ୟସ୍ତ ଥିଲେ। ରୋଜି ର ଅସହ୍ୟ ଯନ୍ତ୍ରଣା ଦେଖି ଦୋହଲି ଯାଇଥିଲେ । ଆଉ ଦୁର୍ଘଟଣା ଘଟିଥିଲା ।ରୋଜି ନିଜକୁ ଫେରି ପାଇଲା ସିନା କିନ୍ତୁ ଅଜନ୍ମା ପିଲାଟିକୁ ହରେଇ ଦେଲା । ସେତିକି ଯନ୍ତ୍ରଣା ହୁଏତ ସହି ନେଇଥାନ୍ତା ଜୀବନ ଯଦି ସେଇ ଦୁର୍ଘଟଣା ପରେ ପୁଣି ସମ୍ଭାବନାମୟ ହେବାର ସୁଯୋଗ ଟିଏ ମିଳିଥାନ୍ତା । କିନ୍ତୁ ସେଇ ଦୁର୍ଘଟଣାରେ ସେ ସୃଷ୍ଟି କରିବାର ସାମର୍ଥ୍ୟ ହରେଇ ଥିଲା । ଜରାୟୁ ରେ ଭୀଷଣ ଆଘାତ ତା ସୃଜନଶୀଳତା କୁ ଅଥର୍ବ କରିନେଇଥିଲା । 

କିନ୍ତୁ ଏଥିପାଇଁ ଅନିରୁଦ୍ଧ କେବଳ ଦାୟୀ ନଥିଲେ । ନିୟତି ର ନିର୍ଦ୍ଦେଶ ବି ହୁଏତ ଏମିତି ଥିଲା ।  

କିନ୍ତୁ ରୋଜି ଅନିରୁଦ୍ଧକୁ ତା' ସ୍ୱପ୍ନହନ୍ତା ର ଦୋଷାରୋପ କରିଥିଲା । ରହି ପାରିନଥିଲା ତା' ସହ ଆଉ । ସବୁବେଳେ ତା' ହାତରେ ନିଜ ଅଜନ୍ମା ପିଲାର ରକ୍ତ ମଖା ହେବାର ଅନୁଭବ ତାକୁ ପାଗଳ କରିଦେଲା । ସେ ଚାଲିଆସିଲା ସବୁ କିଛି ଛାଡି । ଏକାକୀ ରହିବାର ସିଦ୍ଧାନ୍ତ ନେଇ । ସେ କ୍ଷମା କରିପାରି ନଥିଲା ଅନିରୁଦ୍ଧ କୁ । 

କିନ୍ତୁ ଆଜି ଅନୁଭବ ହେଉଥିଲା ଦୁର୍ଘଟଣା ସବୁବେଳେ ଅପ୍ରତ୍ୟାଶିତ । ଏଥିପାଇଁ କାହାକୁ ଦୋଷ ଦେଇ ଲାଭ ନଥାଏ । ଏଇ ଯେମିତି ଆଜି ତା' ହାତରେ ଷ୍ଟିୟରିଂ , ଯଦି କେଉଁଠି ଚହଲି ଯିବ ହାତ ତା'ର ଓଃ !........

****

ଝୁମୁରୀ ବେଶ ତୃପ୍ତି ରେ ନିଜର ସଦ୍ୟଜାତ ଝିଅଟିକୁ ଧରେଇ ଦେଲା ରୋଜି ହାତରେ । ଗୋଟେ ଅୟୁତ ଯୁଗର ସ୍ୱପ୍ନ ବାସ୍ତବ ହେଇଯାଇଥିଲା ଆଜି । 

ରୋଜି ଝିଅକୁ କୋଳେଇ ନେଇ ଅନିରୁଦ୍ଧ କୁ ଫୋନ୍ ଲଗେଇଲା ଯଥା ଶୀଘ୍ର ଆସିବା ପାଇଁ ।

କାରଣ ଏକାକୀ ସ୍ୱୟଂଭୁ ହେବାରେ ପରିପୂର୍ଣ୍ଣତା ନଥାଏ ଜୀବନରେ ।


Rate this content
Log in

Similar oriya story from Inspirational