Rama Chandra Padhi

Inspirational Others

5.0  

Rama Chandra Padhi

Inspirational Others

ସ୍ୱପ୍ନାର ପରିଚୟ

ସ୍ୱପ୍ନାର ପରିଚୟ

9 mins
644


ସବୁବେଳେ ସେ ଚେଷ୍ଠା କରିଛି ଭଲ ସ୍ତ୍ରୀ ଟିଏ ହେବ, ଭଲ ମା ଟିଏ ହେବ, ଭଲ ବୋହୁ ଟିଏ ହେବ। ରାତି ନ ପାହୁଣୁ ଉଠି ପିଲାଙ୍କୁ ସ୍କୁଲ ପାଇଁ ପ୍ରସ୍ତୁତ କରିବା, ଶାଶୁ ଶଶୁରଙ୍କ ଚାହା, ଜଳଖିଆ କରିବା ସ୍ୱାମୀଙ୍କ ପ୍ରତ୍ୟେକ କଥା ବୁଝିବା ଥିଲା ତା ପନ୍ଦର ବର୍ଷ ବିବାହିତ ଜୀବନର ଅଂଶ ବିଶେଷ। ପରିବାର ଜଞ୍ଜାଳ ଭିତରେ ହଜେଇଦେଇଛି ତା ପରିଚୟ କୁ ଭୁଲିଯାଇଛି ତା ସ୍ବପ୍ନ କ'ଣ ଥିଲା। ତଥାପି କାମ ଧନ୍ଦା ସାରି ଯେତେବେଳେ ଦିପହର ରେ କିଛି ସମୟ ପାଏ, ସ୍ୱପ୍ନା ଶେଜ ଉପରେ ଶୋଇ ଭାବେ।

"ସତରେ କ'ଣ ତାର କିଛି ସ୍ବପ୍ନ ନାହିଁ? ଜୀବନ ଟା କ'ଣ ଏମିତି ପୁଅ, ଝିଅ, ସ୍ୱାମୀ, ଶାଶୁ, ଶଶୁରଙ୍କ ସେବା କରି କଟିଯିବ"?

"ଏହା ହିଁ ତ ଜଣେ ନାରୀର କର୍ତ୍ତବ୍ୟ"। ଏକ ଦୀର୍ଘ ନିଃଶ୍ୱାସ ମାରି, କରଲେଉଟାଇ ସେ ନିଜକୁ ବୁଝାଏ।

କିନ୍ତୁ ସେ କାହା ପାଇଁ ଏ ସବୁ କରୁଛି ଯାହାଙ୍କୁ ପନ୍ଦର ବର୍ଷ ଆଗରୁ ଜାଣି ନ ଥିଲା। ସେମାନଙ୍କୁ କେମିତି ସେ ନିଜର କହିବ ଯୋଉଁମାନେ କେବେ ବି ତା ସ୍ବପ୍ନ କ'ଣ ଜାଣିବାକୁ ଚାହିଁ ନାହାନ୍ତି। କର୍କଟ ରୋଗ ଭଳି ପ୍ରତିଦିନ ବଢୁଥିବା ତା ହୃଦୟ ର ପୀଡା କୁ ବୁଝି ନାହାନ୍ତି। ଦାୟିତ୍ୱ ଏବଂ ସମ୍ପର୍କର ଆଳ ଦେଖାଇ ସର୍ବଦା ନିଜ ସ୍ୱାର୍ଥ ହାସଲ ପାଇଁ ତା ଉପରେ ହୁକୁମ ଚଳାଇଛନ୍ତି।

ସ୍ୱପ୍ନାର ଅଜାଣତରେ ଆଖି ପଲକରୁ ଦୁଇ ଧାର ଲୁହ ବୋହି ହଜିଯାଏ ତକିଆର ନରମ ତୁଳା ଭିତରେ। ଲୁହକୁ ପୋଛି ଦେଇ ସେ ଚାଲିଯାଏ ଛାତ ଉପରେ ଥିବା ଘରକୁ। ଛୋଟ ଘରଟି ଭିତରୁ ଚେୟାର ଉପର ବସି ଝରକା ରୁ ଅନେଇ ରୁହେ ଘର ପଛ ବଗିଚା ରେ ଫୁଟିବା ଅପେକ୍ଷା ରେ ଥିବା କଢ଼ ଫୁଲ ଗୁଡିକୁ।

"କେତେ ନିର୍ଦୟୀ ମଣିଷ କେବେ ଚେଷ୍ଟା କରନ୍ତିନି ଜାଣିବାକୁ ଫୁଲର ଇଚ୍ଛାକୁ। ଫୁଟିବା ପୂର୍ବରୁ ତୋଳି ନିଅନ୍ତି ନିଜ ସ୍ୱାର୍ଥ ହାସଲ ପାଇଁ। କେତେବେଳେ ଅର୍ପଣ କରିଦିଅନ୍ତି ଭଗବାନ ଆଗରେ କାମନା ପୁରାଣ ପାଇଁ ତ କେତେବେଳେ ସଉକ ରେ ସଜେଇ ଦିଅନ୍ତି ଘରେ। ଶୁଖିଗଲେ ଫିଙ୍ଗି ଦିଅନ୍ତି ଅଦରକାରୀ ବସ୍ତୁ ଭଳି। କ'ଣ ଫୁଲ ଟି ଏ ପୃଥିବୀକୁ ଆସିଛି କେବଳ ଅନ୍ୟର ସ୍ୱାର୍ଥ ପୁରଣ କରିବା ପାଇଁ? ସେ ବି ଚାହେଁ ଫୁଟିବ, ନିଜ ସୌନ୍ଦର୍ଯ୍ୟ, ସୁଗନ୍ଧ ରେ ମୋହିତ କରିଦେବ ଧରା ପୃଷ୍ଠ କୁ। କିନ୍ତୁ ତା ଭାବନା କୁ କିଏ କାହିଁକି ବୁଝିବ। ମୁଁ ବି ବାପା, ମା ଙ୍କର ପ୍ରେମ ବଗିଚାର ଫୁଲଟେ ଥିଲି, ସ୍ବପ୍ନ ଦେଖୁଥିଲି ସମାଜରେ ନିଜ ପରିଚୟ ସୃଷ୍ଟି କରିବାକୁ। ମୋତେ ତୋଳି ଆଣି ଚାପି ଦେଲେ କର୍ତ୍ତବ୍ୟ ବୋଝ ତଳେ"।

ଗାଲରେ ହାତ ଦେଇ ଝର୍କାରେ ଆଉଜି ସ୍ୱପ୍ନା କୋଇଲିର ସୁମଧୁର ସ୍ୱର ସହ ବସନ୍ତର ସୁଲୁସୁଳିଆ ପବନରେ ଏମିତି ସବୁ କଥା ଭାବୁ ଭାବୁ କେତେବେଳେ ସ୍ବପ୍ନ ଦେଖି ଶୋଇ ପଡିଲା ଜାଣିପାରିଲା ନାହିଁ।

ଡୋର ବେଲର କର୍କଶ ନାଦରେ ସ୍ୱପ୍ନାର ନିଦ ଭାଙ୍ଗିଗଲା। ଆଖିକୁ ମନ୍ଥି ସେ କାନ୍ଥରେ ଝୁଲୁଥିବା ଘଣ୍ଟାକୁ ଚାହିଁଲା, ସମୟ ପାଖାପାଖି ତିନିଟା। "ଝିଅ ରିୟା ବୋଧେ ଆସିଲା ଦ୍ଵାଦଶ ପରୀକ୍ଷା ଦେଇ"। ସେ ମନରେ ଭାବି ତରବର ହୋଇ ତଳକୁ ଯାଇ କବାଟ ଖୋଲିଲା। ସାମ୍ନାରେ ରିଆ ତା ସାଙ୍ଗ ମାନଙ୍କ ସହ ହସ ଖୁସିରେ ମସଗୁଲ ଥାଏ।

"ମମି ଶୁଭୁନି ନା କ'ଣ? କେତେଥର ବେଲ ବଜେଇଲିଣି କହିଲ?" ରିୟାର ହସ ହସ ମୁହଁଟା ସ୍ୱପ୍ନାକୁ ଦେଖି ଅଚାନକ ରାଗରେ ଲାଲ ପଡ଼ିଗଲା। ସେ ଚିଲେଇକି ସାଙ୍ଗମାନଙ୍କ ସହ ଘର ଭିତରକୁ ପଶିଗଲା।

"ନା ଟିକିଏ ଆଖି ଲାଗିଯାଇଥିଲା"। ସ୍ୱପ୍ନା ହାଇ ମାରି କବାଟ ଆଉଜେଇ ଦେଇ କହୁଛି।

"ତମକୁ ଦିନରେ କେମିତି ନିଦ ହୋଉଛି କେଜାଣି, ମୋତେ ତ ରାତିରେ ବି ନିଦ ହୁଏନି। ଟିକିଏ ସ୍ୱାସ୍ଥ୍ୟ ପ୍ରତି ବି ଧ୍ୟାନ ଦିଅ। ଦେଖୁଛୁ ପିଙ୍କି ମୋ ମମି କେମିତି ଶୋଇ, ଶୋଇ ମୋଟୀ ହେଇଗଲାଣି"। ରିୟା ସାଙ୍ଗ ଗହଣରେ ଉପହାସ କରି ବସି ପଡିଲା ସୋଫା ଉପରେ।

"ମମି ପ୍ରବଳ ଭୋକ ହେଲାଣି, ପ୍ଲିଜ ଆମ ପାଇଁ କିଛି ଖାଇବା ବ୍ୟବସ୍ଥା କର। ତୁ ଜାଣିଛୁ ମୀରା ମମିର ହାତ ରୋଷେଇ ବହୁତ ଟେଷ୍ଟି"। ଝିଅର ଚାପୁଳୁଷି କଥା ବୁଝିପାରି, ନ ଚାହିଁ ବି ହସିଦେଲା ସ୍ୱପ୍ନା।

"ତୁ ବୁଝିପାରିବୁନି ଲୋ ଝିଅ ମୁଁ କାହିଁକି ଦିନରେ ଶୁଏ। ମୁଁ ଶୁଏ ନାହିଁ ହଜେଇଦେଇଥିବା ମୋ ଅତୀତର ସ୍ବପ୍ନ କୁ ଆଖି ବୁଜି ଦେଖିବା ପାଇଁ ଚେଷ୍ଠା କରେ"। ମନେ ମନେ ଭାବି ଚାଲିଗଲା ରୋଷେଇ ଘରକୁ। ୱଭେନ ରେ ଥିବା ସିଙ୍ଗଡ଼ା, କିଛି ବିସ୍କୁଟ ପ୍ଲେଟ ରେ ଆଣି ସେମାନଙ୍କ ଆଗରେ ପରସି ଦେଲା। ସେଓ ଚାରୋଟି କାଟି ଗ୍ରାଇଣ୍ଡର ଭିତରେ ପକେଇ ସେ ହଜି ଗଲା ଅତୀତରେ।

ସେ ବି ଦିନେ ରିୟା ଭଳି ସୀମାହୀନ ଆକାଶରେ ପକ୍ଷୀଟିଏ ହୋଇ ଘୁରି ବୁଲୁଥିଲା ସାଙ୍ଗମାନଙ୍କ ଗହଣରେ। ସ୍ବପ୍ନ ଦେଖୁଥିଲା ନିଜର ପରିଚୟ ସୃଷ୍ଟି କରିବ। ନାମୀ ଲେଖିକା ହୋଇ ଲେଖା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବ। ଆଜି ତା ପାଖେ ନା ସାଙ୍ଗସାଥି ଅଛନ୍ତି, ନାହିଁ ସେ ଦେଖିଥିବା ସ୍ବପ୍ନ। ଭୁଲ ତାର ହିଁ ଥିଲା। ପିଲାଟି ବେଳୁ ଦେଖୁଥିବା ନିଜ ହୃଦୟର ସ୍ବପ୍ନ କୁ ସାକାର ନ କରି ହୃଦୟ ଦେଇ ଦେଇଥିଲା ଆକାଶ କୁ। ଆକାଶ ବି ଦେଖି ପାରିଲାନି ତା ହୃଦୟ ଭିତରେ ଛଟପଟ ହେଉଥିବା ସ୍ବପ୍ନ କୁ। ନିଜେ ଜଣେ ଶ୍ରେଷ୍ଠ ଲେଖକ ହୋଇ ବି କେବେ ସମ୍ନାନ ଦେଲାନି ସ୍ତ୍ରୀ ସ୍ୱପ୍ନାର ଲେଖାକୁ। କିନ୍ତୁ ସେ କେବେବି କୁଣ୍ଠାବୋଧ କରିନି ଆକାଶର ସ୍ବପ୍ନ କୁ ପୁରା କରିବାରେ ସହାୟତା କରିବାକୁ। ନିଜର ସବୁ ଆଶା, ଆକାଂକ୍ଷାକୁ ଚାପି ଦେଇ ପ୍ରତ୍ୟେକ ମୁହୂର୍ତ୍ତ ଆକାଶ ପାଖରେ ରହିଛି ସାଥିଟିଏ ହୋଇ। ସାହାଯ୍ୟ କରେ ତା କାହାଣୀରେ ଥିବା ତ୍ରୁଟି ସଂଶୋଧନ କରିବାରେ। କିନ୍ତୁ ତା ପାଇଁ ଆକାଶ ପାଖେ ଗୋଟେ କ୍ଷଣ ବି ସମୟ ନ ଥାଏ। ବୋଧେ ନାରୀ ଜୀବନ ପାଇଛି ତ୍ୟାଗ କରିବାକୁ। ଭାବନାରୁ ବାହାରି ସେ ମେସିନ ବନ୍ଦ କରି ଜୁସ କୁ ଢାଳିଦେଲା ତିନୋଟି ଗ୍ଲାସ ରେ। କାନରେ ବାଜୁଥାଏ ଲିଭିଂରୁମ ରୁ ଭାସିଆସୁଥିବା ରିଆ ଓ ତା ସାଙ୍ଗ ମାନଙ୍କର କୋଳାହଳ ଧ୍ଵନି।

"ମମି ଜାଣିଛ ଆଜି ଗୋଟେ ମଜା କଥା ହେଲା। ଆମେ ସ୍କୁଲ ରୁ ଫେରିବା ବେଳେ ବାଟରେ ସ୍କୁଟି କୁ ରଖି ଖରାପ ହେବାର ଅଭିନୟ କଲୁ। ଦିଟା ପୁଅ ଆସି ଆମ ପାଖେ ଅଟକିଲେ"। "ଆମେ କିଛି ସାହାର୍ଯ୍ୟ କରିବୁକି?" ହିରୋ ଭଳି କହିଲେ। ମୁଁ କହିଲି "ହଁ....ଆମ ପିଛା କରିବା ଛାଡିଦିଅ ନଚେତ ଥାନା କୁ ଯିବ। ମୋ କଥା ଶୁଣି ସେମାନେ ପୁରା ଗୟାବ ହୋଇଗଲେ"। ରିୟା ସାଙ୍ଗମାନଙ୍କ ସହ ମନ ଖୋଲି ହସିଲା।

ସ୍ୱପ୍ନା ବି ହସିବା ଅଭିନୟ କରି ଗ୍ଲାସ ଗୁଡିକୁ ସାମ୍ନା ଟେବୁଲରେ ରଖି ଫେରିଆସିଲା ବେଡ଼ ରୁମ କୁ। ଦର୍ପଣ ଆଗରେ ନିଜ ପ୍ରତିବିମ୍ବ ଦେଖି ଚମକି ପଡିଲା। "ସତରେ କେତେ ମୋଟୀ ହେଇଯାଇଛି, କେବଳ ଯେ ଶାରୀରିକ ସ୍ତରରେ ତାହା ନୁହେଁ ମାନସିକ ସ୍ତରରେ ବି ସେ ପୁରା ବଦଳି ଯାଇଛି। ଥାକରୁ ପୁରୁଣା ମାସିକ ପତ୍ରିକା ଟି କାଢି ପୃଷ୍ଠା ଗୁଡିକୁ ଓଲଟାଉଛି। ମଝିରେ ପୃଷ୍ଠାରେ ଛପି ଥିବା ତା ପ୍ରଥମ କାହାଣୀ ଉପରେ ଥିବା ଫୋଟୋ କୁ ଅନେଇ ମନେ ମନେ ହସି ଦେଲା। କେତେ ସୁନ୍ଦର ଥିଲା ସେ, ତା ଠୁ ସୁନ୍ଦର ତା ସେହି କାହାଣୀ। ଯୋଉ କାହାଣୀ ବଦଳେଇ ଦେଇଥିଲା ତା ଜୀବନ ଧାରା କୁ, ଭେଟ କରାଇଥିଲା ଆକାଶ ସହ, ଆଣି ଦେଇଥିଲା ତା ଜୀବନର ପ୍ରଥମ ସାହିତ୍ୟିକ ପୁରସ୍କାର। ଆଜି ବି ସେ ଯେତେବେଳେ ବହିକୁ ଖୋଲେ ତା ହୃଦୟ ରେ ଖେଳିଯାଏ ଏକ ଅପୂର୍ବ ଉଲ୍ଲାସ। ସେ ଅନୁଭବ କରେ ଷୋଳ ବର୍ଷ ପୂର୍ବର ସେହି ପୁରୁଣା ରୋମାଞ୍ଚ।

ପ୍ରଥମ ଥର ପାଇଁ ସେ ଆକାଶ କୁ ସେହି ପୁରସ୍କାର ବିତରଣ ଉତ୍ସବ ରେ ଭେଟିଥିଲା। ଦୁହିଁଙ୍କୁ ମିଳିଥିଲା ପ୍ରଥମ ପୁରସ୍କାର। ଆରମ୍ଭରେ ସେମାନଙ୍କୁ ସେମାନଙ୍କ କାହାଣୀ ଆକର୍ଷିତ କରିଥିଲା। ଧୀରେ ଧୀରେ ହୃଦୟ। ଆଲୋଚନା କରିବା ଆଳରେ ଧୁହେଁ ଘଣ୍ଟା ଘଣ୍ଟା ଧରି ଗପୁଥିଲେ। ତଥାପି ସମୟ କମ ପଡୁଥିଲା ସେମାନଙ୍କ ପାଇଁ। ଯେତେବେଳେ ବିଦାୟ ନେବା ସମୟ ଆସେ ଦେହ ଥରି ଉଠେ ସେମାନଙ୍କର। ସାରା ରାତି ଅନିଦ୍ରା ରୁହନ୍ତି ଅନ୍ୟ ଏକ ସକାଳର ଅପେକ୍ଷା ରେ।

"ତମଠୁ ଗୋଟେ କ୍ଷଣ ବି ଆଉ ମୁଁ ଅଲଗା ହୋଇ ରହିପାରିବିନି ସ୍ୱପ୍ନା"। ସ୍ୱପ୍ନାର ଘନ କେଶର ଛାୟା ତଳେ, କୋଳରେ ମୁଣ୍ଡ ରଖି ଆକାଶ କହିଲା।

"ମୁଁ ବି କୋଉ ଶାନ୍ତିରେ ରହିପାରୁଛି ଆକାଶ। କିନ୍ତୁ ଆମ ପାଖେ ଅନ୍ୟ ଉପାୟ ବି କିଛି ନାହିଁ"।

"ଯଦି ଆମେ ବିବାହ କରିନେବା। ମୁଁ ଭାବୁଛି ବାପାଙ୍କୁ ତମ ଘରକୁ ଯିବାକୁ କହିବି"।

"କିନ୍ତୁ ମୋ ସ୍ବପ୍ନ ପୁରା ହୋଇନି ଆକାଶ। ମୋ ପି. ଏଚ. ଡି ସରିନି। ସମୟ ଅଭାବରୁ ମୋ କାହାଣୀ "ସ୍ୱପ୍ନାର ପରିଚୟ" ଅଧା ଲେଖା ହୋଇ ପଡିଛି। ଏଭଳି ସମୟରେ ବିବାହ କରିବା ମୁଁ ଭାବୁଛି ଠିକ ହେବନି।

"ବିବାହ ପରେ ବି ତମେ ପି. ଏଚ. ଡି କରି ପାରିବ। ଆଉ ତମ ପରିଚୟ କ'ଣ ମୋ ପରିଚୟ ନୁହେଁ କି? ଆମେ ମିଶି କି ଲେଖି ପାରିବନି ସେ କାହାଣୀ କୁ"? ସେତେବେଳେ ଆକାଶ ର କଥା ମନକୁ ଛୁଇଁ ଯାଇଥିଲା। ବୋଧେ ତା ହୃଦୟ ମଧ୍ୟ ଅଧିର ଥିଲା ଆକାଶ କୁ ପାଇବାକୁ। ଠିକ ଭୁଲ ବିଚାର ନ କରି ରାଜି ହୋଇଗଲା ବିବାହ ପାଇଁ। ବିବାହ ପରେ ଆକାଶ ର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ହଜେଇ ଦେଇଥିଲା ନିଜ ପରିଚୟ କୁ।

କାହିଁକି କେଜାଣି ନାରୀଟିଏ ଯିଏ କି ଗୋଟିଏ ନୁଆଁ ଜୀବନକୁ ପରିଚିତ କରାଏ ଦୁନିଆଁ ରେ ସେ ହିଁ ନିଜ ପରିଚୟ ହଜେଇ ଦିଏ ସମାଜରେ। ବଞ୍ଚେ କେତେବେଳେ ବାପା ପରିଚୟ ନେଇ କେତେବେଳେ ସ୍ୱାମୀର। ତାର କ'ଣ କିଛ ପରିଚୟ ନାହିଁ? ସେ କଣ ଏ ସଂସାର କୁ ଆସିଛି କେବଳ ଅନ୍ୟକୁ ପରିଚିତ କରାଇବାକୁ। ପ୍ରତିଦିନ ସ୍ୱପ୍ନା ର ମନରେ ଉଙ୍କି ମାରୁଥିବା ଏଭଳି ଅସଂଖ୍ୟ ପ୍ରଶ୍ନର ଉତ୍ତର ପାଏନି ସେ।

ମମି ମୁଁ ଯାଉଛି ଟିଉସନକୁ। ଝିଅର ଅବାଜ଼ ଶୁଣି ସ୍ୱାଭାବିକ ଅବସ୍ଥାକୁ ଫେରୁଛି ସ୍ୱପ୍ନା। ଆଖିର ଲୁହରେ କେବେଠୁ ଭିଜି ଯାଇଥିଲା ବହି ପୃଷ୍ଠାଟି ସେ ଜାଣିପାରି ନଥାଏ। ଗଳା ଶୁଖି ଯାଇଥିଲା ସେ ଜବାବ ଦେବାକୁ ଅକ୍ଷମ ଥିଲା। ବହୁ କଷ୍ଟରେ ହୁଁ ମାରି ଉତ୍ତର ଦେଲା। ତକିଆକୁ ମୁଣ୍ଡ ରେ ଦେଇ ଗଡି ପଡିଲା ଖଟ ଉପରେ। "ଘର କାମ ସାରି ଦିନରେ ଶୋଇବା ଛଡା ସେ କ'ଣ ବା ଆଉ କରିବ"? ନିଜକୁ ପ୍ରତିଦିନ ପ୍ରଶ୍ନ କରେ।

କାହିଁକି ସେ ତା ଅଧା ଲେଖା କାହାଣୀ "ସ୍ୱପ୍ନାର ପରିଚୟ" କୁ ପୁରା ବି ତ କରିପାରିବ। ଯାହାର ପରିଚୟ ହିଁ ନାହିଁ ସେ ଯଦି ପରିଚୟ ବିଷୟରେ ଲେଖିବ ଲୋକେ ହସିବେ। ଯେମିତି ତା ପରିବାର ଲୋକ ହସନ୍ତି। ଛାତରେ ଘୁରୁଥିବା ପଙ୍ଖାକୁ ଦେଖି ସ୍ୱପ୍ନା ଭାବେ। ନିଦ ହୁଏନି ତାକୁ, ମନ ବି ବୁଝେନି ବାଧ୍ୟ ହୋଇ ଉଠେ। ଆଲମାରୀ ଭିତରେ ଲୁଚେଇ ରଖିଥିବା ବହୁ ପୁରୁଣା ଡାଏରି ଟି ଖୋଲି ଲେଖିବା ଆରମ୍ଭ କରିଦିଏ। ସେଦିନ ବି ସେ କିଛି ଧାଡି ଲେଖିଛି କି ନାହିଁ କବାଟ ବାହାରୁ ଶାଶୁ ଙ୍କ ସ୍ୱର ଶୁଭିଲା।

"ଆଲୋ ବୋହୁ ଉଠୁ ପାଞ୍ଚ ଟା ବାଜିଲା ବାପାଙ୍କ ପାଇଁ ଚା କପ ଟେ ମୁଢି ଟିକେ ନେଇ ଆସେ। ସେ ତରବର ହୋଇ ଡାଏରି କୁ ଆଲମାରୀ ଭିତରେ ରଖି ଘଣ୍ଟା କୁ ଦେଖିଲା। ସମୟ ସାଢ଼େ ଚାରି। ପୁଅ ସ୍କୁଲ ରୁ ଫେରୁଥିବ, ତା ପଛକୁ ଝିଅ ଆଉ ଆକାଶ ମଧ୍ୟ ପହଞ୍ଚି ଯିବେ। ତା ନିୟନ୍ତ୍ରଣ ର ସମୟ ଟି ସାରିଯାଇଛି। ଆଜିର ଲେଖା ଏତିକି ରେ ବନ୍ଦ କରିବାକୁ ପଡିବ।

ସମୟକ୍ରମେ ସ୍ୱପ୍ନା ର ଲେଖା ସରିଯାଉଛି କିନ୍ତୁ ତା ଚିନ୍ତା ବଢିଯାଉଛି। ଏତେ ଦିନ ପରିଶ୍ରମ କରି ଲେଖିଥିବା କାହାଣୀ ଟି କ'ଣ ଆଲମାରୀ ଭିତରେ ପଡି ପଡି ଖତ ହୋଇଯିବ? ନା ତାକୁ କିଛି ଉପାୟ ଖୋଜି ଲେଖା ଟି ଛାପି ବାକୁ ହେବ।

ଉପାୟ ଖୋଜୁ ଖୋଜୁ ଦିନେ ସ୍ୱପ୍ନାର ମନେ ପଡିଗଲା ସଂଘମିତ୍ରା ମେଡମ କଥା। ମେଡମ ଏକାଧାରରେ ଜଣେ ଭଲ ଅଧ୍ୟାପିକା, ଲେଖିକା ଏବଂ ଏକ ମାସିକ ପତ୍ରିକାର ସମ୍ପାଦିକା। ସ୍ୱପ୍ନାର କଲେଜ ଦିନମାନଙ୍କରେ ସେ ସର୍ବଦା ତାକୁ ପ୍ରେରଣା ଦେଇଛନ୍ତି। ସେ ହିଁ ସ୍ୱପ୍ନାର ପ୍ରଥମ କାହାଣୀ ପଢି ପ୍ରକାଶିତ କରିଥିଲେ ନିଜର ମାସିକ ପତ୍ରିକାରେ।

"ମୋତେ ପୁଣି ଥରେ ସଂଘମିତ୍ରା ମେଡମଙ୍କ ସହାୟତା ନେବାକୁ ହେବ। କିନ୍ତୁ କେମିତି ମୁଁ ତ ତାଙ୍କ ଠାରୁ ବହୁ ଦୂରରେ ଅଛି। କେମିତି ପହଞ୍ଚିବ ତାଙ୍କ ପାଖରେ"? ସ୍ୱପ୍ନା ମନେ ମନେ ଭାବେ। ସେ ନିଜ ପରିବାର ଦାଇତ୍ୱ ଆଗରେ ବନ୍ଧା ଦାସୀ ଟିଏ। ଗୋଟେ କ୍ଷଣ ଘର ଛାଡ଼ି ବାହାରକୁ ବାହାରିବା ପାଇଁ ଅକ୍ଷମ। ତରବର ହୋଇ ପତ୍ରିକା ପୃଷ୍ଠା ଆଡେଇ, ସ୍ୱପ୍ନା ଫୋନ ରେ ଡାଏଲ କଲା ଲେଖା ଥିବା ଫୋନ ନମ୍ବରକୁ। ନମ୍ବର ଟି କଟି ଯାଇଥିଲା ସବୁଦିନ ପାଇଁ। ନିରାଶ ସ୍ୱପ୍ନା ପାଖେ ଶେଷ ଉପାୟ ଥିଲା ନିଜେ ରାଉରକେଲା ଯାଇ ଭେଟିବ ମେଡମ ଙ୍କୁ। କିନ୍ତୁ କଟକ ରୁ ରାଉରକେଲା ଏତ ଦୂର ସେ ଯିବ କେମିତି? ଭାବୁ ଭାବୁ ଦିନଟି ସରିଯାଏ। ଅନ୍ୟ ଏକ ଦିନର ଅପେକ୍ଷା ରେ ସାରା ରାତି ଛଟପଟ ହୁଏ ତା ହୃଦୟ। ବାରମ୍ବାର ଲେଖାଟି ପଢି ତୃଟି ସଂଶୋଧନ କରେ ସିନା ହେଲେ ପ୍ରକାଶିତ ନ କରି ପାରିବ ଦୁଃଖ ତା ହୁଦାୟ କୁ ସବୁବେଳେ ଆନ୍ଦୋଳିତ କରୁଥାଏ।

"ବାଃ ଅତି ଚମତ୍କାର କାହାଣୀ ହେଇଛି। କିନ୍ତୁ ଦର୍ପଣରେ ନିଜ ଚେହେରା ନିଜକୁ ସୁନ୍ଦର ଦିଶିବା ଭଳି ତା କାହାଣୀ ତାକୁ ଭଲ ଲାଗୁଥିବ। ଜଣେ ଲେଖିକା କୁ ତା ପାଠକ ର ମତ ସର୍ବଦା ଅନୁପ୍ରେରିତ କରିଥାଏ, ସାହାଯ୍ୟ କରେ ତ୍ରୁଟି ସଂଶୋଧନ କରିବାରେ। କିନ୍ତୁ ସେ କହିବ କାହାକୁ? ଛୁଆଙ୍କୁ? ସେମାନେ କାହୁଁ ବା ଏ କାହାଣୀ ର ମର୍ମ ବୁଝିବେ। ଆକାଶ? ଯାହାଙ୍କ ପାଖେ କ୍ଷଣେ ବି ସମୟ ନାହିଁ। ଶାଶୁ, ଶଶୁର ରାମାୟଣ ମହାଭାରତ ଛଡା ଅନ୍ୟ କିଛ ଶୁଣିବା ପସନ୍ଦ କରନ୍ତିନି।

ସେ ଦିନ ସ୍ୱପ୍ନା ବହୁତ ଖୁସି ଥିଲା। ଜୀବନରେ ପ୍ରଥମ କରି ଆକାଶକୁ ମିଛ କହି ରାଉରକେଲା ଆସିଥିବା ଯୋଗୁ ନୁହେଁ। ସଂଘମିତ୍ରା ମେଡମଙ୍କ ପ୍ରଶଂସା ପାଇ। ଆକାଶକୁ ମିଛ କହିବା ଛଡା ତା ପାଖେ ଅନ୍ୟ ଉପାୟ ବି ନଥିଲା। ବାପାଙ୍କ ଦେହ ଖରାପ ଅଛି କହି ସିଧା ସେ ମେଡମଙ୍କ ପାଖକୁ ଚାଲି ଆସିଥିଲା। ମେଡମ ତାକୁ ଦେଖୁ ଦେଖୁ ଆଲିଙ୍ଗନ କରି ପାଛୋଟି ନେଇଥିଲେ ଘର ଭିତରକୁ। ଚାହା ପିଇବା ଭିତରେ ସେ ସ୍ୱପ୍ନାର ଲେଖାର କିଛି ଅଂଶ ପୃଷ୍ଠା ଆଡେଇ ପଢି ନେଲେ।

"ବାଃ ଅତି ଚମତ୍କାର କାହାଣୀ, ଏତେ ବର୍ଷ ହେଲା ଏ ସମାଜକୁ ତୁମ ଲେଖାରୁ ବଂଚିତ କରି କାହିଁକି ରଖିଥିଲ ସ୍ୱପ୍ନା? ମୁଁ ଚେଷ୍ଠା କରିବି ଯେତେ ଶୀଘ୍ର ସମ୍ଭବ ତମ ଲେଖା କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ"।

ମେଡମଙ୍କ ପ୍ରଶଂସା ସ୍ୱପ୍ନାର ହୃଦୟରେ ଉତ୍ସାହ ଭରି ଦେଲା। ମନ ଉଚ୍ଛନ୍ନ ହେଉଥାଏ ଖୁସି ଖବରଟି ପରିବାର ସହ ବାଣ୍ଟିବ। କାଳ ବିଳମ୍ବ ନ କରି ସେ ବସି ପଡ଼ିଲା କଟକ ଅଭିମୁଖେ ଥିବା ବସ ରେ। ଭବିଷ୍ୟତରେ ସୁନାମଧନ୍ୟା ଲେଖିକା ହେବା କଳ୍ପନା କରି ହଜି ଗଲା ସ୍ୱପ୍ନର ରାଇଜରେ। ହଠାତ ଚକା ଫାଟିବାର ଜୋରଦାର ଶବ୍ଦ ରେ ଚମକି ପଡିଲା ସ୍ୱପ୍ନା। କିଛି ଭାବିବା ଆଗରୁ ଲୋକଙ୍କ ଆର୍ତ୍ତଚିତ୍କାର ରେ ଫାଟି ପଡିଲା ବସ ଭିତର ଟା। ଦେଖୁ ଦେଖୁ ବସ ଟି ଖସି ପଡ଼ିଲା ଘାଟି ତଳକୁ। ପନ୍ଦର ଦିନ ମୃତ୍ୟୁ ସହ ସଂଘର୍ଷ କରି ଆଖି ଖୋଲିଲା ସ୍ୱପ୍ନା। ପାଖରେ ସମସ୍ତେ ଘେରି ରହିଥାନ୍ତି। କିନ୍ତୁ ତା ମନରେ ହର୍ଷ ନଥିଲା, ଆଖି ଖୋଜୁଥାଏ "ସ୍ୱପ୍ନା ର ପରିଚୟ" ଦେଖିବାକୁ । ହସ ହସ ମୁହଁରେ ସଂଘମିତ୍ରା ମେଡମ ସ୍ୱପ୍ନା ହାତରେ ଫୁଲ ତୋଡା ଧରାଇଦେଲେ।

"ଅନେକ ଅନେକ ଅଭିନନ୍ଦନ ସ୍ୱପ୍ନା ତମ ନୂଆ ଜୀବନ ଏବଂ ନୁଆଁ ପରିଚୟ ପାଇଁ। ଏ ନିଅ ତମ ବହି ଯାହା ଓଡ଼ିଆ ସାହିତ୍ୟ ଜଗତରେ ହଇଚଇ ସୃଷ୍ଟି କରିଛି"।

ସୁନ୍ଦର ଆବରଣ ପୃଷ୍ଠା ଉପରେ ଜଣେ ନିରୀହ ଦ୍ବିଧାରେ ପୀଡିତ ନାରୀର ଛାଇ ଚିତ୍ର, ତାରି ଉପରେ ବଡ଼ ବଡ଼ ଅକ୍ଷରରେ "ସ୍ୱପ୍ନାର ପରିଚୟ-ଲେଖିକା ସ୍ୱପ୍ନା ମହାନ୍ତି" ଲେଖା ଥିବା ବହିଟି ଧରେଇ ଦେଲେ ସ୍ୱପ୍ନାକୁ। ସତରେ ସେ ନୁଆଁ ଜୀବନ ପାଇଛି ଆଉ ନୁଆଁ ପରିଚୟ ବି? ସ୍ୱପ୍ନା ବିଶ୍ୱାସ କରି ପାରୁ ନ ଥାଏ। ଲୁହ ଛଳଛଳ ତା ଆଖି ଦୁଇଟି ଏକ ଲୟରେ ଚାହିଁ ରହିଥିଲା ସେ ଲେଖାକୁ। ନିଜ ପରିଚୟ ଯେ ଏତେ ଆନନ୍ଦ ଦାୟକ ଯାହାକୁ ବର୍ଣ୍ଣନା କରିବାକୁ ସ୍ୱପ୍ନା ପାଖେରେ ଲୁହ ଝରାଇବା ବ୍ୟତୀତ ସେଦିନ ଶବ୍ଦ ନଥିଲା।


Rate this content
Log in

Similar oriya story from Inspirational