ସ୍ୱାଭିମାନୀ ସ୍ୱାତୀ
ସ୍ୱାଭିମାନୀ ସ୍ୱାତୀ
ଅପା... ଅପା...ଆଉ କେତେ ସମୟ ତମେ ଠାକୁର ଘରେ ରହିବ?।ଘର କାମ ସଵୁ କ'ଣ ମୁଁ ଏକା କରିବି! ଭଗବାନଙ୍କ ଧ୍ୟାନରେ ଵସିଥିବା ସ୍ୱାତୀ ହଠାତ୍ ଚମକି ପଡ଼ିଲା।ଭାବିଲା ମଧୁ ପ୍ରତିଦିନ ଭଳି ଆରମ୍ଭ କରିଦେଲା ତା'ର କୁତ୍ସିତ ବ୍ୟବହାର।ମଧୁ ଉପରେ କାଳେ କାମର ଚାପ ଵେଶୀ ପଡିଯିଵ ବୋଲି ସ୍ୱାତୀ ରାତି ୪ଟାରୁ ଉଠି ଘର କାମ ସାରି ପିଲାମାନଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରେ। ତା'ପରେ କିଛି ସମୟ ଯୋଗ ପ୍ରାଣାୟାମ କରି ଗାଧୋଇ ପାଧୋଇ ପୂଜା କରିବାକୁ ଯାଏ ଓ ପ୍ରଭୁଙ୍କ ସହିତ କିଛି ସମୟ କଟାଏ। ଏତେ ସାହାଯ୍ୟ କରିସାରିବା ପରେ ବି "ଠିକ୍ ମୁଁ ପୂଜା କରିବା ସମୟରେ କାହିଁକି ଏମିତି ଗରଗର ହୁଏ ଜାଣି ପାରେନି।ମୋ'ର ଭଗବାନଙ୍କ ସହିତ କିଛି ସମୟ କାଟିବା ତାକୁ କାହିଁକି ଭଲ ଲାଗେନି କେଜାଣି। ଅଧଘଣ୍ଟା ପୂଜା କରିବା ପରେ ପୁଣି ମୁଁ ତାକୁ ରୋଷେଇରେ ସାହାଯ୍ୟ କରିବି। ଅନ୍ତତଃ ସେତିକି ସମୟ ସେ ମୋତେ ଶାନ୍ତିରେ ରଖେଇ ଦେଉନି" ଭାଵିଲା ସ୍ୱାତୀ।ପୁଣି ଆଉଥରେ ଚିତ୍କାର ଶୁଭିଲା"ତମକୁ କ'ଣ ଶୁଭୁନି ଅପା, ମୁଁ ପିଲାମାନଙ୍କୁ ସ୍କୁଲ ପାଇଁ ପ୍ରସ୍ତୁତ କରୁଛି।ତମେ ଆସି ପରିବା କାଟ। ଶୀଘ୍ର ରୋଷେଇ ହେବ। ପିଲାମାନେ ସ୍କୁଲ୍ରୁ ଫେରିଲେ ଖାଇବେ। ଟିକିଏ ବିଳମ୍ବ ହୋଇଗଲେ ମୋ ପୁଅ ଝିଅ ଘରକୁ କେମିତି ଉଠାନ୍ତି ପକାନ୍ତି ତମେ କ'ଣ ଦେଖିନ! ତମର ସିନା ପରିବାର ଵୋଲି କିଛି ନାହିଁ,ହେଲେ ମୋ'ର ତ ଅଛି! ଭାଇନା ନାହାଁନ୍ତି ବୋଲି ତମର ସିନା ସମୟ ବଳି ପଡ଼ୁଚି ହେଲେ ମୋର ତ ସ୍ୱାମୀ ଅଛନ୍ତି।ମାନେ ତୁମ ଭାଇକୁ ସମୟ ଦେବାକୁ ପଡ଼ିବ କି ନାଇଁ। ଏତିକି କଥା ଶୁଣୁ ଶୁଣୁ ସତେ ଯେମିତି ସ୍ୱାତୀକୁ ଲାଗିଲା ତା' ଛାତିରେ କିଏ ଛୁରୀ ଚଲେଇ ଦେଲା। ଦୁଃଖ ଭୁଲିବାକୁ ଚେଷ୍ଟା କରୁଥିବା ସ୍ୱାତୀ ପୁଣି ଅତୀତର ସ୍ମୃତିରେ ହଜିଗଲା। ଆଖିରୁ ଗଡ଼ି ଚାଲିଲା ଅସରନ୍ତି ଲୁହ। ହୃଦୟକୁ ହାଲୁକା କରିବା ପାଇଁ କିଛି ସମୟ ନିଜ ସହିତ କଥା ହେଲା।"ମୁଁ ଥିଲି ବାପା ମାଆଙ୍କର ଅଲିଅଳି ଗୋଟିଏ ବୋଲି ଝିଅ।ବାପା ବୋଉ କେବେ ମୋ ନାଁ ଧରି ଡାକନ୍ତିନି।ସ୍ନେହରେ ମୋତେ "ଗେହ୍ଲୀ" ବୋଲି ଡାକନ୍ତି।ମୋ ବୋଉର ମୁଁ ଥିଲି ନୟନ ତାରା ଓ ବାପାଙ୍କର ଜୀବନ ଧନ। ମୁଁ ମୋ ଵାପା ମା'ଙ୍କ କଥା ମାନି ଚଳେ ଓ ତାଙ୍କୁ ବହୁତ ସମ୍ମାନ ଦିଏ ବୋଲି ମୋତେ ବହୁତ ଭଲ ପାଆନ୍ତି। ଭୁଲ୍ କଲେ ଵୋଉ ପଛକେ ରାଗିଯାଇ ଗାଳି ଦିଏ ହେଲେ ବାପା ବୋଉକୁ ପାଟି କରନ୍ତି।"ଛୋଟ ଭୁଲ୍ଟାଏ ତ କରି ଦେଇଛି,ମୋ ଝିଅକୁ କାହିଁକି ଗାଳି ଦେଉଛ?"ମୁଁ ଫାଷ୍ଟ ଡିଭିଜନ ରେ ମ୍ୟାଟ୍ରିକ ପାସ୍ କଲି।
ଜଣେ ଶିକ୍ଷୟତ୍ରୀ କିମ୍ବା ଅଧ୍ୟାପିକା ହେବାକୁ ଚାହୁଁଥିଲି।
ବି ଏସ ସି ଶେଷ ବର୍ଷର ଛାତ୍ରୀ ଥିଲାବେଳେ ମୋ ପାଇଁ ଜଣେ ଯନ୍ତ୍ରୀଂକ ଘରୁ ପ୍ରସ୍ତାବ ଆସିଲା।ସବୁ ଦୃଷ୍ଟିରୁ ଭଲ ଥିବାରୁ ଵାପା ମୋ'ର ବାହାଘର କରିବାକୁ ଚାହିଁଲେ। ବି ଏସ ସି ସାରିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କଲେ।ମୁଁ ଵି ଭାବିଲି ବି ଇ ଡ କିମ୍ବା ଏମ୍ ଏସ୍ ସି ବାହାଘର ପରେ କରି ପାରିବି।ମୋ'ର ବାହାଘର ସରିଗଲା ଶାଶ୍ୱତଙ୍କ ସହିତ। ତାପରେ ମୁଁ ଘର ସଂସାରରେ ବ୍ୟସ୍ତ ରହିଗଲି। ସବୁକିଛି ଠିକ୍ ଚାଲିଥିଲା। ମୁଁ ବହୁତ ଖୁସିରେ ଥିଲି।ମୋ ସ୍ୱାମୀଙ୍କ ଦରମା ଵି ଆମେ ଚଳିବା ପାଇଁ ପର୍ଯ୍ୟାପ୍ତ ଥିଲା। ତେଣୁ ପାଠପଢି ଆଉ ଚାକିରୀ କରିବାକୁ ଚେଷ୍ଟା କରି ନଥିଲି।ଘର ବାହାର ସବୁ ସମ୍ଭାଳିଲେ ମୋତେ କଷ୍ଟ ହେଵ ବୋଲି ମୋ ସ୍ୱାମୀ ମୋତେ ଆଉ ପଢେଇବାକୁ ଇଚ୍ଛା କଲେନି।ଘର କାମ କରି ସାରିଲା ପରେ ମୁଁ ଟିକିଏ ଆରାମ କରେ ବୋଲି ସେ ଚାହୁଁଥିଲେ।ସେ ଵି ମୋର ଵହୁତ ସମ୍ମାନ କରୁଥିଲେ। ତେଣୁ ମୁଁ ମୋ ପରିଚୟ ତିଆରି କରି ନଥିଲେ ବି ମୋର ଦୁଃଖ ନଥିଲା। କିନ୍ତୁ ମୋ'ର ସୁଖର ଦିନ ସେତିକି ଥିଲା। ହଠାତ୍ ମୋ ଜୀବନ ଆକାଶରେ କଳା ଵାଦଲ ଘୋଟି ଆସିଲା।ମୋ ପୁଅକୁ ଯେତେବେଳେ ୯ ବର୍ଷ ସେତିକି ବେଳେ ମୋ ସ୍ୱାମୀ ମୋତେ ସବୁଦିନ ପାଇଁ ଛାଡି ଚାଲିଗଲେ।ଆକାଶଟା ଯେମିତି ମୋ ମୁଣ୍ଡ ଉପରେ ଛିଡି ପଡିଲା।ମଥାରୁ ସିନ୍ଦୁର ଲିଭିଗଲା।ହାତରୁ ଶଙ୍ଖା ଓହ୍ଲେଇ ଦିଆଗଲା। ଦୁଃଖ କ'ଣ ଜାଣି ନଥିଲି।ବାପ ଘରେ ଅତି ଗେହ୍ଲାରେ ବଢିଥିଲି। ସ୍ବାମୀଙ୍କର ଥିଲି ପ୍ରିୟତମା ପତ୍ନୀ। ଶାଶୁ ଶ୍ୱଶୁରଙ୍କର ବି ଭଲ ଵୋହୁ ଥିଲି। ଜୀବନରେ ଏମିତି ଵି ଦିନ ଆସିବ କେବେ ଭାଵି ନଥିଲି। ହଠାତ୍ ଏତେବଡ଼ ଝଡକୁ ସାମ୍ନା କରିଵାର ଶକ୍ତି ମୋ'ର ନଥିଲା। ଶାଶୁ ଶ୍ୱଶୁରଙ୍କ ବ୍ୟବହାର ଵି ଧୀରେ ଧୀରେ ଵଦଳିବାକୁ ଲାଗିଲା। ସ୍ୱାମୀ ଥିଲାବେଳେ ମୋ'ର ଯେଉଁ ଓଜନ ଥିଲା ତାହା ହ୍ରାସ ପାଇ ବାକୁ ଲାଗିଲା। ପୁଅକୁ ହରେଇ ସେମାନେ ଭାଙ୍ଗି ପଡିଥିଲେ। ତେଣୁ ତାଙ୍କ ଭଲପାଇବା ତାଙ୍କ ବଡ ପୁଅ ବୋହୁ ନାତି ପାଇଁ ବହୁତ ଅଧିକ ବଢ଼ିଗଲା। ସେମାନେ ତାଙ୍କ ସହିତ ବ୍ୟସ୍ତ ରହିବାକୁ ଲାଗିଲେ। ମୁଁ ହେଇଗଲି ସମସ୍ତଙ୍କ ଦୟାର ପାତ୍ର। ମୋ ଜୀବନର ଯେମିତି କିଛି ଲକ୍ଷ ଆଉ ନଥିଲା। ଖାଲି ଘର କାମ କରି ଖାଇବା ମୋ'ର ନିତିଦିନିଆ କାମ ଥିଲା ।ଆଖିରୁ ନିଦ ହଜିଗଲା। ସବୁବେଳେ ସ୍ୱାମୀଙ୍କ ମୁହଁଟି ଆଖି ଆଗରେ ନାଚିଯାଏ। ପାହାନ୍ତିଆରେ କେତେ ବେଳେ କେମିତି ଆଖି ଲାଗିଯାଏ।ପୁଅ ଏବେ ଛୋଟ ଅଛି। ତା'ର ଭବିଷ୍ୟତ କେମିତି ହେଵ ବୋଲି ଭାବି ଭାବି ଚିନ୍ତାଗ୍ରସ୍ତ ହୋଇ ପଡୁଥାଏ। ନିଜକୁ ଖୁବ୍ ଏକା ଅନୁଭଵ କରୁଥାଏ। ସବୁବେଳେ ମନ ଦୁଃଖରେ ରହିଲି ବୋଲି ଵାପା ଶାଶୁଘରୁ ମୋତେ ଏଠିକି ନେଇ ଆସିଲେ।ଵାପା ମା'ଙ୍କ ସହିତ ସମୟ ଟିକିଏ ଭଲରେ ଅତିବାହିତ ହେବାକୁ ଲାଗିଲା। ଛୋଟବେଳୁ ମୁଁ ଈଶ୍ୱର ବିଶ୍ୱାସୀ। କିଛି ଆଧ୍ୟାତ୍ମିକ ବହି ପଢିବା ଓ ପୂଜାପାଠରେ ମନୋନିବେଶ କରିବାରୁ ମାନସିକ ଶାନ୍ତି ପାଇଲି। କିଛି ଦିନ ପରେ ସାନ ଭାଇର ଵାହାଘର ସରିଗଲା।ଵିଵାହର କିଛି ଦିନ ପରେ ତାଙ୍କର ପରିବାର ବଢିଲା। ମୋର ଉପସ୍ଥିତି ତାଙ୍କୁ ଭଲ ନଲାଗିବାର ମୁଁ ଅନୁଭବ କଲି। ଧୀରେ ଧୀରେ ଦାୟିତ୍ଵ ଓ କାମ ବଢିବାକୁ ଲାଗିଲା।ଘର କାମ ଵଢିବା ଦେଖି ମୁଁ ଵି କାମରେ ବହୁତ ସାହାଯ୍ୟ କରେ। ତଥାପି କାହିଁକି କେଜାଣି ମୋଠୁ ଅଧିକ ସାହାଯ୍ୟ ଆଶା କରାଗଲା। ଏମିତିକି ମଧୁ ନିଜ ପିଲାଙ୍କ ଦାୟିତ୍ଵ ଵି ଠିକ୍ ଭାବରେ ନେବାକୁ ଚାହିଁଲାନି।ମୋ ଉପରେ ନିର୍ଭର କରି ନିଶ୍ଚିନ୍ତ ହେଇଯାଉଥାଏ। ମୁଁ ମୋ ନିଜ ପାଇଁ ଟିକେ ସମୟ ବାହାର କଲେ କିମ୍ଵା ଥକା ମାରି ଵସି ପଡ଼ିଲେ ଗରଗର ହୁଏ।ମୋର ଭଗବାନଙ୍କୁ ପ୍ରାର୍ଥନା କରିବା ଵି ସମୟର ଅପଚୟ ବୋଲି ଭାବି ଘର କାମ ସାରିବାକୁ ନିର୍ଦ୍ଦେଶ ଦିଏ। ମୋତେ ଯେମିତି ଲାଗୁଥିଲା ଅସହାୟ ହୋଇ ମୁଁ ବାପଘରେ ଆଶ୍ରୟ ନେଇଛି। ମୋ'ର ନିଜର ଇଚ୍ଛା ବୋଲି କିଛି ନାହିଁ। ଭାଇବୋହୁ ର ଇଚ୍ଛା ମୁତାବକ ମୋତେ ଚଳିବାକୁ ପଡିବ। କିଛି ଦିନ ପରେ ବାପା ଚାଲିଗଲେ। ଲାଗିଲା ଯେମିତି ମୋ ସପକ୍ଷରେ ଆଉ କେହି ନାହାଁନ୍ତି। ବାପା ଥିଲାବେଳେ ଵୋଉ ବେଳେ ବେଳେ ଅନ୍ୟାୟ ଦେଖିଲେ ମୁହଁ ଖୋଲୁଥିଲା।ହେଲେ ବାପା ଚାଲିଗଲା ପରେ ବୋଉ ନିଜକୁ ଅସହାୟ ମଣିଲା।ପୁଅ ବୋହୁ ଉପରେ ନିର୍ଭର କରୁଛି ଭାବି ଏକ ଅଜଣା ଡରରେ ଭୁଲ୍ ଦେଖିଲେବି ମୁହଁ ଖୋଲିଲାନି। ବୋହୁ ଆଉ ଝିଅ ଭିତରେ ଭୁଲ୍ ଵୁଝାମଣା ହେଲେ ସେ ନ୍ୟାୟରେ ହେଉ ପଛକେ ଝିଅର ପକ୍ଷ ନେଲେ ତାକୁ ହଇରାଣ କରିଵେ , ସେଥିପାଇଁ ଭୟ କରି ଚୁପ୍ ରହିବାକୁ ଲାଗିଲା। ମୁଁ ଶାଶୁ ଘରୁ ଆସି ବାପ ଘରେ ରହୁଛି ବୋଲି ମୋତେ ହଁ ମଧୁ ସହିତ ବୁଝାମଣା କରି ଚଳିବାକୁ ପଡିବ ବୋଲି ବୋଉ ସାନ୍ତ୍ୱନା ଦେଉଥାଏ। ବୋଉର ଏଭଳି କଥା ମୋତେ ବହୁତ ବାଧିଲା।ମୋ ' ସ୍ୱାଭିମାନ ଆହତ ହେବାକୁ ଲାଗିଲା। ଭାବିଲି ଏମାନଙ୍କ ଉପରେ ନିର୍ଭର କରୁଛି ବୋଲି ଏମାନଙ୍କ ଇଚ୍ଛା ହିସାବରେ ମୋତେ ଚାଲିବବାକୁ ପଡ଼ୁଚି।ସ୍ୱାମୀଙ୍କୁ ହରାଇ ଏକାକୀପଣରୁ ମୁକ୍ତି ପାଇବା ପାଇଁ ଈଶ୍ୱରଙ୍କୁ ଆରାଧନା କରିବାରେ ଵି ଯେତେବେଳେ ପ୍ରତିବନ୍ଧ ଲଗାଗଲା ମୁଁ ଆଉ ସହି ପାରୁନି। କାହିଁକି ନା ଈଶ୍ୱର ହିଁ ଏଵେ ମୋ'ର ଶେଷ ଠିକଣା ଓ ସେ ହିଁ ଚିରନ୍ତନ ସତ୍ୟ ବୋଲି ମୁଁ ଅନୁଭବ କରି ସାରିଲିଣି।ଭାଇ ବନ୍ଧୁ ସମସ୍ତେ ଗୋଟିଏ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଓ ସୀମା ଭିତରେ ସାହାଯ୍ୟ କରିଵେ।କାହା ଉପରେ ନିର୍ଭର କରି ରହିଲେ ସେ ତା' ପାଇଁ ଵୋଝ ପାଲଟି ଯାଏ ଓ ଦିନେନା ଦିନେ ଅନୁଭଵ କରାଏ ଯେ ସେ ତା' ସ୍ୱାଭିମାନକୁ ଵଳୀ ପକେଇ ଦେଇଛି ,ଆଉ ତାକୁ ତାଙ୍କ କଥା ମାନି ଚଳିବାକୁ ପଡିବ"। ସ୍ୱାତୀ ଭାବିଲା "ଏଥର ମୋତେ ଆତ୍ମନିର୍ଭରଶୀଳ ହେବାକୁ ପଡିଵ।ନିଜର ପରିଚୟ ସୃଷ୍ଟି କରିବାକୁ ପଡ଼ିବ।ଏଵେ ମୋର ଲମ୍ବା ଜୀବନ ପଡ଼ିଛି। ପୁଣି ମୋ ପୁଅର ଭବିଷ୍ୟତ ଗଢ଼ିବାକୁ ପଡିବ। "ନାଁ ମୁଁ ଭାଙ୍ଗି ପଡିଵିନି"। "ମୋତେ ସମ୍ମାନର ସହିତ ବଞ୍ଚିବାକୁ ପଡିବ। ତେଣୁ ମୋତେ ଅର୍ଥ ଉପାର୍ଜନ କରିବାକୁ ପଡିବ। ଭାବୁଛି ଏଇ ସହରରେ ରହିବି କିନ୍ତୁ ଅଲଗା ଘରେ ରହିଵି। ସେମିତି କଲେ ବୋଉକୁ ବି ଖରାପ ଲାଗିବନି ଆଉ ମୋ'ର ସ୍ୱାଭିମାନ ଵି ବଞ୍ଚିଯିବ।ଆଉ ଆମେ ସ୍ୱାଧୀନ ଭାବରେ ମା ପୁଅ ଵଞ୍ଚି ପାରିବୁ।ମୋ ପାଖରେ ଯାହା କିଛି ଟଙ୍କା ଅଛି ମୁଁ ଘରଭଡ଼ା ନେଇ ରହିଵି। ପ୍ରଥମେ କିଛି ପିଲାଙ୍କୁ ଟ୍ୟୁସନ ପଢେଇଵି ଓ ଆଗକୁ ପଢ଼ା ଆରମ୍ଭ କରିଵି ଆଉ ନିଜ ପାଇଁ ଚାକିରୀ ଖଣ୍ଡିଏ ଯୋଗାଡ କରିଵି। ଯାହାଫଳରେ ପୁଅ ବଡ ହେଵା ଭିତରେ ତା'ର ପାଠପଢ଼ା ପାଇଁ କିଛି ଟଙ୍କା ରଖି ପାରିଵି। ଏମିତି ଭାବୁ ଭାବୁ କେତେ ବେଳେ ଆଖି କୋଣରେ ଲୁହ ଜକେଇ ଆସିଲାଣି। ଦୁଃଖ ଦୁର୍ଦ୍ଦଶା ଗୁଡ଼ିକ ତାକୁ ଦୁର୍ବଳ କରିବାକୁ ବସିଥାନ୍ତି। କିନ୍ତୁ ସ୍ୱାତୀ ମନେ ମନେ ଭାବୁଥାଏ ନା" ଏଇଟା କାନ୍ଦିଵାର ସମୟ ନୁହେଁ। ଯାହା ଚାଲି ଯାଇଛି ତା ପାଇଁ ଚିନ୍ତା କରି କିଛି ଲାଭ ନାହିଁ। ଜୀବନ ସଂଗ୍ରାମ ପାଇଁ ମୋତେ ଅଣ୍ଟା ଭିଡିବାକୁ ପଡିଵ।ଏକା ରହିବାର ଅଭ୍ୟାସ କରିବାକୁ ପଡ଼ିବ"। ବାପାଙ୍କ କଥା ତା'ର ବହୁତ ମନେ ପଡୁଥାଏ।ଆଉ କହୁଥାଏ"ଦେଖିଯାଅ ଵାପା ତୁମ ଅଲିଅଳି ଝିଅ ଆଜି ଜୀବନରେ କୋଉ ମୋଡରେ ଛିଡ଼ା ହୋଇଛି। ଯୋଉଠି ତାକୁ ମାନସିକ ଵଳ ଯୋଗେଇ ଦେଵା ପାଇଁ କେହି ଵି ନାହାଁନ୍ତି କେଵଳ ଈଶ୍ୱରଙ୍କ ବ୍ୟତୀତ"। ମନରେ ସାହସ ବାନ୍ଧି ନିଜେ ନେଇଥିବା ନିଷ୍ପତ୍ତିଟି ବୋଉକୁ ଶୁଣେଇଲା ସ୍ୱାତୀ।ଵୋଉ ଯେତେ ଅଟକେଇବା ପାଇଁ ଚେଷ୍ଟା କରିଥିଲେ ଵି ସେ ଆଉ ଅଟକି ନଥିଲା। କାହିଁକି ନା ଏଇଟା ତା' ସ୍ୱାଭିମାନର ପ୍ରଶ୍ନ। ଖାଲି ଏତିକି କହିଥିଲା" ମା ବାପା ହିସାବରେ ତୁମେମାନେ ମୋ ପାଇଁ ଯଥେଷ୍ଟ କରିଛ ଵୋଉ। ଏଵେ ତୁ ବିଶ୍ରାମ ନେ।ଏବେ ମୁଁ ବଡ଼ ହୋଇଗଲିଣି, ଆମକୁ ଆମ ଜୀଵନର ଦାୟିତ୍ଵ ନେବାକୁ ପଡ଼ିବ। କର୍ତ୍ତବ୍ୟ କରିବାକୁ ପଡ଼ିବ।ତୁ ଆଉ ମୋ ପାଇଁ ଚିନ୍ତା କରନି। ତୋତେ ଯେତେବେଳେ ମୋତେ ଦେଖିବାକୁ ଇଚ୍ଛା ହେଵ ମୁଁ ଚାଲି ଆସିବି। ମୁଁ ଵେଶୀ ଦୂର ଯାଉନି,ଏଇ ସହରରେ ରହିବି।ତୁ ଆଉ ବାପା ମୋତେ ଯେଉଁ ଶିକ୍ଷା ଓ ସଂସ୍କାର ଦେଇଛ, ତା'ର ମର୍ଯ୍ୟାଦା ରକ୍ଷା କରି ମୋ କର୍ମ ପଥରେ ଆଗେଇ ଯିଵି"। ନିଜ ପୁଅ ସହିତ ସ୍ୱାତୀ ଅନ୍ୟ ଏକ ଭଡ଼ା ଘରେ ରହିବାକୁ ଚାଲିଗଲା। ବିପରୀତ ପରିସ୍ଥିତି ତାକୁ ତା'ର ଅନ୍ତର୍ନିହିତ ଶକ୍ତି ସହିତ ପରିଚିତ କରାଇଦେଲା। "ସ୍ୱାଭିମାନୀ ମଣିଷ କେବେ ହାରି ପାରିବନି",ଏଇ ଆତ୍ମବିଶ୍ବାସର ସହିତ କର୍ମ ପଥରେ ସ୍ୱାତୀ ଆଗେଇ ଗଲା ନିଜର ଭାଗ୍ୟ ନିଜେ ତିଆରି କରିବାକୁ।
