ରୋମାଞ୍ଚିତ ଅପରାହ୍ନ
ରୋମାଞ୍ଚିତ ଅପରାହ୍ନ
ଚମ୍ପି ଚା କରିଆଣି ଖାଇବା ଟେବୁଲ ଉପରେ ରଖୁ ରଖୁ ଦେଖିଲେ କେଳୁବାବୁ ଛାତ ଉପରୁ ଲୁଗା ତୋଳି କାନ୍ଧରେ ବୋହି ତଳକୁ ଓହ୍ଲଉଥିଲେ । ଆରେ ଆରେ ! ତମେ କାଇଁ ଲୁଗାଗୁଡା ଆଣିଲ ?ଚେମି ଆସିଲେ ଆଣି ନଥାଆନ୍ତା। ନ ହେଲେ ମୋତେ କହି ଥାଆନ୍ତ।
ଦେଖୁନ କି କେମିତି କଳାହାଣ୍ଡିଆ ମେଘ ମାଡି ଆସିଲାଣି । ତମେ ତ ଚା କରୁଥିଲ ସେଇଥି ପାଇଁ ନେଇ ଆସିଲି । ଚମ୍ପିଙ୍କୁ କିନ୍ତୁ ଖୁବ୍ ଭଲ ଲାଗୁଥିଲା କେଳୁବାବୁଙ୍କ ଏଇ ପରିବର୍ତ୍ତିତ ରୂପ । ଆଜିକାଲି କ'ଣ ହେଇଚି କେଜାଣି ତାଙ୍କର ଚମ୍ପିଙ୍କର ବହୁତ ଖିଆଲ ରଖୁଛନ୍ତି ସେ । ଛୋଟ ଛୋଟ କାମ ସବୁ ଚମ୍ପିଙ୍କ ହାତରୁ ଛଡେଇ ନେଇ ନିଜେ କରି ପକଉଚନ୍ତି । ସାନଝିଅ ଚାକିରୀ କରି ପୁନା ପଳେଇଲା ପରେ କେଳୁବାବୁ ଅନେକ ବଦଳି ଯାଇଛନ୍ତି । ଘରେ ଏବେ ବୁଢାବୁଢୀ ଦୁଇଜଣ କେବଳ । ଓଳାପୋଛା ଆଉ ମଜାମଜି କାମ ପାଇଁ ଚେମି ଆସେ ଦୁଇ ଓଳି । ରୋଷେଇ କାମଟା ଚମ୍ପି ନିଜେ କରନ୍ତି । ବାହାଘରର ଚାଳିଶ ବର୍ଷ ପରେ ସବୁ ବାହାରକୁ ଚାଲିଗଲା ପରେ ଖାଁ ଖାଁ ଘରଟା ରେ କେମିତି ଏକୁଟିଆ ରହିବୁ ଭାବି ଚମ୍ପି ବିଚଳିତ ହେଇ ଉଠୁଥିଲେ । ବାହାଘର ପରେ ଘରେ ଦିଅର ନଣନ୍ଦ ଶାଶୁ ଶଶୁର ସମସ୍ତେ ଥିଲେ । ପରେ ପିଲାମାନେ ହେଲେ । ଏଇ ଚାଳିଶବର୍ଷ ଭିତରେ ସେମାନେ ବଡ ହେଇ ଯେଝା ବାଟରେ ଯିଏ ବାହାରି ଗଲେ । ଶାଶୁ ଶଶୁର ଆରପାରିକି ଚାଲିଗଲେ । ଘର ପୂରା ଶୂନଶାନ । ଆରେ ଚା ଟା ପିଇ ଦେଉନ ! ଥଣ୍ଡା ହେଇଯିବ । କ'ଣ ଭାବୁଚ ଏତେ ? ଚମ୍ପି ଚା ପିଇବାରେ ମନ ଦେଲେ । କାଲି ସାବିତ୍ରୀ ଅଛି ବୋଲି ତମର ମନେ ଅଛି ତ ? ଫଳମୂଳ ସାଗୁ ଆଣିବନି କି ? ମୋ କଥା ମାନ ଏବେଠୁ ଆଉ ବ୍ରତ କରନି । ଚାଳିଶ ବର୍ଷ ହେଲା ତ କଲଣି । ଏବେ ତମର ସବୁ ପ୍ରକାର ବେମାରି ବି ବାହାରି ସାରିଲାଣି । ଓପାସ ରହିଲେ ଦେହ ବେଶୀ ଖରାପ ହେବ । ପୁଣି ସେତେବେଳେ କିଏ ପିଠିରେ ପଡିବ ? ଆଜି ପର୍ଯ୍ୟନ୍ତ ଘର ପାଇଁ ତମେ ଯେତିକି କଲଣି ସେ କୋଉ ବ୍ରତରୁ କମ୍ ନୁହଁ ତମେ ଯଦି ଜିଦି କରି ଓପାସ କରିବ ,ମୁଁ ବି ଓପାସ କରିବି କିଛି ଶୁଣିବିନି ।
ଚମ୍ପି ବସି ବସି ବେଶ୍ ଉପଭୋଗ କରୁଥିଲେ କେଳୁବାବୁଙ୍କ ମିଛ ଅଭିମାନ । ସତରେ ଲୋକଟା କେତେ ଭଲପାଏ ମୋତେ ? କାଇଁ ଆଗରୁ ତ କେବେ ଏମିତି ପରିପ୍ରକାଶ କରି ନଥିଲେ । ଅବଶ୍ଯ ସେତେବେଳେ ସମୟ ବା ପାଇଲେ କୋଉଠି ? ଏତେ ବଡ ପରିବାରର ଦାୟିତ୍ବ ଓ କର୍ତ୍ତବ୍ଯବୋଧ ଭିତରେ ଏମିତି ପେଶି ହୋଇ ଯାଇଥିଲେ ଯେ ନିଜର ଭଲପାଇବା ଦେଖେଇବାର ସୁଯୋଗ ହିଁ ପାଇ ନଥିଲେ । ଜୀବନ ସଂଘର୍ଷର ହରଡଘଣାରେ ପଡି ସେ ଯେମିତି ପାଲଟି ଯାଇଥିଲେ ଆଜନ୍ମ ସ୍ଥବିର । ଏବେ ଚିତ୍ରପଟ୍ଟ ବଦଳି ଯାଇଛି ।
ତମେ ଯଦି କାଲି ସକାଳେ ମୋ ସାଙ୍ଗରେ ମନ୍ଦିର ନଯିବ , ମୁଁ କାଷ୍ଟା ଓପାସ କରିବି ଜଳ ବି ସ୍ପର୍ଶ କରିବି ନାହିଁ । ନିଶ୍ଚୟ ଯିବି , ଝର୍କା ସେପାଖ ଅଦିନିଆ ବର୍ଷାକୁ ଅନେଇ କହିଲେ । ଚମ୍ପିଙ୍କ ହାତକୁ ମୁଠେଇ ଧରିଲେ । ସତରେ ଷାଠିଏ ପର ରୋମାନ୍ସର ମଜା ନିଆରା । ବୟସର ଅପରାହ୍ନରେ ସେମାନେ ସାଉଁଟୁଥିଲେ ରୋମାଞ୍ଚକର ଏକାନ୍ତ ଅପଣାର ମୁହୂର୍ତ୍ତ ।

