ରଜନୀଗନ୍ଧା
ରଜନୀଗନ୍ଧା
ମୁଣ୍ଡ ଉପରେ ସୂର୍ଯ୍ୟ ଆସି ପହଞ୍ଚିଲେଣି । ଜଗା ବଳିଆ ବି ଜମି କୁ କାଦୁଅ କରି ହାଲିଆ ହୋଇ ଗଲେଣି । ଗୋଟେ ଏକର ଜମିକୁ କାଦୁଅ କରିବା ପାଇଁ ସକାଳୁ ଲାଗିଛି। ଆଉ ଅଳ୍ପ ବାକି ଅଛି। ବେଳିକିଆ କରି କାମ ସାରି ଚାଲିଯିବି। କାଲିକି ଆସିଲେ ତଳି ଋଆଁ ଆରମ୍ଭ କରିବି।ହାଡ଼ ଭଙ୍ଗା ଖଟଣୀ ଭିତରେ ପେଟର ଭୋକ ବି ଦେହରେ ଜୁଲମ କରିବା ଆରମ୍ଭ କରି ଦେଲାଣି । ଆଉ ଦୁଇ ଗୁଣ୍ଠ ଜମିକୁ କାଦୁଅ ନକରି ଚାଲିଗଲେ , ପୁଣି ଥରେ ପାଣି କାଦୁଅ ହେବାକୁ ପଡିବ । ବର୍ଷା ଦିନ କଥା । ଆଜି ପାଗ ଟିକେ ଭଲ ଅଛି । କଷ୍ଟ ହେଉ ପଛେ କାମ ସାରି ଦେବି ।ଜଗା ବଳିଆ କୁ ଧରି ଆଗକୁ ଲଙ୍ଗଳ ଚଳେଇଲି । ପାଖ ବିଲ ହିଡ଼ ଉପରେ ସାଧୁଆ ବସି ରହିଥାଏ। ସେ ବି ଆଜି ଲାଗୁଚି ବେଳିକିଆ କରିବ। ଏତିକିବେଳେ ତାର ସ୍ତ୍ରୀ ହାତରେ ପୁଡ଼ିଆ ଧରି ଆସି ପହଞ୍ଚିଲା। ସାଧୁଆ ଆଉ ମୋର ସମାନ ବୟସ ହୋଇଥିବାରୁ ଥଟା ରେ ପଚାରିଲି , ଭାଉଜ ଆଜି ଖାଇବାରେ କଣ ହୋଇଛି କି ?ସ୍ମିତ ହସି ଦେଇ ଭାଉଜ କହିଲେ , ଗରିବର ଭାତ ହାଣ୍ଡିରେ କେବଳ ପଖାଳ ଭାତ ଆଉ ଆଳୁ ଚକଟା ଛଡା ବେଶି ହେଲେ ବଡି ଚୁରା ଥାଏ। ବାସ ଏତିକି ରେ ତ ଘର ଚଳୁଛି ମାସ ମାସ । ଆଜି କାଲି ଆଉ ଚାଷ କରି କଣ ପେଟ ପୋଷି ହେବ , କୁହ ମଦନ? ଦେଖୁଛ ତ ମୂଲ ଲାଗିଲେ ମିଳୁଛି ତିନିଶ ପଚାଶ ଟଙ୍କା କିନ୍ତୁ ତେଲ କିଣିଲେ ଦେବାକୁ ପଡୁଛି ଦୁଇ ଶହ ଟଙ୍କାରୁ ଦଶ ଟଙ୍କା କମ୍ । କେମିତି ଘର ସଂସାର ଚଳିବ କୁହ । ସରକାର ପ୍ରଥମେ ପେଟ୍ରୋଲ ବଢ଼େଇଲେ , ବିରୋଧୀ ପେଟ୍ରୋଲ ପାଇଁ ଓହହାଲ୍ଲା କରୁଛନ୍ତି ସିନା ଖାଇବା ସମାଗ୍ରୀ ପାଇଁ ସରକାରଙ୍କୁ ଘେରିବା ପାଇଁ ସମୟ ପାଉ ନାହାଁନ୍ତି । ଆଉ ଆମେ ଦାରିଦ୍ର୍ୟ ର ସୀମା ରେଖା ତଳେ ବଞ୍ଚୁଥିବା ମଣିଷ ମାନେ ହିଁ ବଳି ପଡୁଛେ। ଭାଉଜ ଅଳ୍ପ ପଢିଛନ୍ତି। ହେଲେ କିନ୍ତୁ ସଂସାରରେ କଣ ଘଟୁଛି ବେଶି ଭଲ ଭାବରେ ତାଙ୍କୁ ଜଣା। ତାଙ୍କ କଥାରେ ବି ବାସ୍ତବତା ଥିଲା। ସମ୍ମତି ଜଣାଇଲି । ଖଟି ଖାଇ ଯେତେ ଦିନ ପାରିବା ବଞ୍ଚିବା ତେଣିକି ଭଗବାନ ଙ୍କର ଭରଷା ।ଏତକ କହି ବିଲ କୁ କାଦୁଅ କରିବାରେ ବ୍ୟସ୍ତ ରହିଲି। ଏତିକି ବେଳେ ଭାଉଜ ସାଧୁଆ କୁ କହୁଥିଲେ ,
ଜାଣିଛ ରଜନୀ ଆଜି ଗାଁ କୁ ଆସିଛି । ଗାଁ ସାରା ଲୋକ ସେ ଆସିଲା ବେଳେ ରୁଣ୍ଡ ହୋଇଥିଲେ । ବିଚାରିଟା ହିନୀ କପାଳି , ଭାଗ୍ୟ ଖରାପ ତାର । ତା" ନ ହେଲେ ସାହୁ ଘର ଝିଅ ହୋଇ ଯେଉଁ ସୁଖ ସ୍ୱଚ୍ଛନ୍ଦରେ ଅଲିଅଳି ରେ ବଢିଥିଲା ଆଜି ବିଚାରୀକୁ ବିଧବା ବେଶ ଆଦୌ ମାନୁ ନାହିଁ। କଣ ବା ଆଉ କରିବା ? ନିୟତି ଯାହା ଭାଗ୍ୟରେ ଲେଖି ଥିବ ତାକୁ କିଏ ବା ବଦଳେଇ ପାରିବ। ଦୁଇ ବର୍ଷ ର ଛୁଆ କୁ କୋଳରେ ଧରି ଗାଁ କୁ ଫେରିଛି। ସାହୁ ବୁଢା ର ଟାଣ ପଣ ପାଇଁ ପୁଅ ମାନେ ଚୁପ ରହିଲେ । ପାଞ୍ଚ ପୁଅରେ ଗୋଟେ ଝିଅ ଥିଲା। ଅଭାବ ଅନଟନ ବୋଲି କିଛି ଜାଣି ନ ଥିଲା। ବିବାହ କେତେ ଧୂମ ଧାମ ରେ ତାର ହୋଇଥିଲା। ହେଲେ ସ୍ୱାମୀ କୁ ହରେଇବା ପରେ ଶାଶୁଘର ଲୋକେ ଯେଉଁ ଭଳି ତାକୁ ସହ ନିର୍ଯ୍ୟାତନା ଦେଉଥିଲେ ଏ କଥା ଶୁଣି ଆଖିରେ ଲୁହ ଆସି ଯାଉଛି।
ଭାଉଜ ଙ୍କୁ ଟିକେ ଧୀରେ କହିବା ପାଇଁ ସାଧୁଆ କହୁଥାଏ ,କାଳେ ମୋ କାନରେ କଥା ପଡିବ।ରଜନୀ ଗାଁ କୁ ଫେରି ଆସିଛି । ତାହା ପୁଣି ପାଞ୍ଚ ବର୍ଷ ପରେ । ଏଇ ତ କାଲି ଭଳି ଲାଗୁଛି ସେ ଦିନ ସବୁ। ଷୋଡ଼ଶୀ ତରୁଣୀ ରୂପ ଦେଖି ଦିନେ ମୁଁ ରଜନୀ କୁ ମନ ଦେଇ ବସିଥିଲି । ଗାଁ ରେ ତାଙ୍କ ପରିବାର ସହ ଆମର ସୂର୍ଯ୍ୟ ବନ୍ଧୁର ସମ୍ପର୍କ । ଦୁହେଁ ଜାତିରେ ଭିନ୍ନ ଥିଲୁ । ସେ ଥିଲା ଖଣ୍ଡାୟତ ଘର ଝିଅ ଆଉ ମୁଁ ଚଷା ଘର ପୁଅ। ହେଲେ ମୋ ବାପା ଙ୍କର ରଜନୀ ବାପା ଙ୍କ ସହ ଭଲ ସଂପର୍କ ଥାଏ । ସେଥିପାଇଁ ଦୁହେଁ ପିଲା ଦିନୁ ସାଙ୍ଗ ସାଥି ହୋଇ ଖେଳ କୁଦ , ପାଠ ପଢା ସବୁ କରୁଥିଲୁ । ରଜନୀର ଭଲ ପାଠ ହୁଏ ଆଉ ମୁଁ ତ ମୂଳରୁ ଗଜ ମୂର୍ଖ ଥିଲି । ପାଠ ସବୁ ମୋ ମୁଣ୍ଡ ଉପରେ ଦେଇ ଚାଲିଯାଏ। ଯେତେ ବୁଝିବାକୁ ଚେଷ୍ଟା କଲେ ବି , ପାଠ ମୋ ଦ୍ୱାରା ହେଉ ନ ଥାଏ । ବାପାଙ୍କ ଠାରୁ ବହୁତ ମାଡ଼ ଖାଇଛି। ହେଲେ ମୁଁ ବା କଣ କରିବି ଯେତେ ଚେଷ୍ଟା କଲେ ବି ପଢିକି ମନେ ରଖି ପାରୁ ନ ଥିଲି। ରଜନୀ କୁ ବାପା କହିଲେ ମତେ ଟିକେ ପାଠ ପଢ଼ାଇ ଦେବା ପାଇଁ , ଆଉ ସେ ମୁଣ୍ଡ ହଲ୍ଲାଇ ହଁ ବି ମାରିଲା। ଏଣିକି ସବୁଦିନ ଆସି ରଜନୀ ସନ୍ଧ୍ୟାରେ ମତେ ପଢ଼ାଏ । ହେଲେ ମୋର ତ ମୁଣ୍ଡରେ ଗୋବର ଥିଲା। ମତେ ପାଠ ପଢେଇବାରେ ରଜନୀ ବ୍ୟସ୍ତ ଥାଏ ଆଉ ମୁଁ ତାକୁ ପାଖରେ ପାଇ ଖୁସି ହେଉ ଥାଏ । ଅନେକ ଥର କାନ ମୋଡିକି କୁହେ , ପାଠରେ ଧ୍ୟାନ ଦେ । ମତେ ଚାହିଁବା ଟିକେ ବେଶି ହେଇ ଯାଉଛି । ନ ହେଲେ ମଉସା ଙ୍କୁ କହି ତତେ ଉତ୍ତମ ମଧ୍ୟମ ଦେବାର ବନ୍ଧୋ ବସ୍ତ କରିଦେବି। ବାପା ଙ୍କର ମାଡ଼ କଥା ଶୁଣିଲେ ଭୟରେ ମୁଁ ଥରେ । ସେଥିପାଇଁ ମୁଁ ଚୁପ ରୁହେ ଆଉ ମୁଣ୍ଡ ହଲ୍ଲାଇ ସବୁ ବୁଝି ପାରୁଛି କୁହେ । ପାଠ ପଢେଇ ସାରିବା ପରେ ରଜନୀ ଗଲା ବେଳେ କୁହେ , ମୁଁ ଜାଣିଛି ଗୋବର ଗଣେଶ ତୋ ମୁଣ୍ଡରେ ଖାଲି ପୋକ ଭର୍ତ୍ତି ଅଛି । ପାଠ ଟିକେ ପୁରା । ରଜନୀ ଦେଖିବାକୁ ଦୁଧ ଅଳତା ରଙ୍ଗର ଥିଲା ଆଉ ମୁଁ ଥିଲି କିଟ ମିଟ କଳା । ସମସ୍ତେ ମତେ ପିଲା ଦିନେ କଳା କାହ୍ନୁ କହି ଚିଡାଉ ଥିଲେ। ରଜନୀ ବି ମତେ କଳା କାହ୍ନୁ ବୋଲି ଡାକେ । ମତେ ଦେଖିଲେ ରଜନୀର ମାଆ କୁହନ୍ତି , ମୋ ଝିଅ ଠାରୁ ଦୂରେଇ ରହ , ତୋ ଦେହର ରଙ୍ଗ ଲାଗିଲେ ମୋ ଝିଅ ବି କଳା ଦେଖା ଯିବ । ରଜନୀ ବି ଏ କଥା ଶୁଣି ହସି ହସି ଗଡ଼ି ଯାଉଥିଲା। ଭଲ ମନ୍ଦ ବୁଝିବାର ବୟସ ମୋର ହୋଇ ନ ଥିଲା । ମୋ ହୁଣ୍ଡା ମନରେ ବି ଏ ସବୁ କିଛି ପସେ ନାହିଁ। ଥଟା କରୁଛନ୍ତି ଭାବି ସହି ଯାଏ। ପିଲା ଦିନର ଧୂଳି ଖେଳର ସମ୍ପର୍କ ଧୀରେ ଧୀରେ ପ୍ରେମର ଆକର୍ଷଣ ରେ ପରିବର୍ତ୍ତନ ହେଲା।ମୋ ମନରେ ରଜନୀ ପ୍ରତି ଦୁର୍ବଳତା ବଢିବାକୁ ଲାଗିଲା। ରଜନୀ ଙ୍କ ଘରକୁ ଯିବା ଆସିବାରେ ମୋର କୌଣସି ଅସୁବିଧା ହେଉ ନ ଥିଲା। ବୟସ ର ଯୌବନରେ ରଜନୀ ସେତେବେଳେ ସତେଜ ଗୋଲାପ ଫୁଲ ପରି ଦେଖା ଯାଉ ଥିଲା । ଦଶମ ଶ୍ରେଣୀ ରେ ସେ ଜିଲ୍ଲାରେ ପ୍ରଥମ ହୋଇ ପାସ କଲା । ଆଉ ମୁଁ ଦଶମ ଶ୍ରେଣୀ ହିଡ ଅଳ୍ପ ମାର୍କ ରଖି ପାସ କରିଲି। ରଜନୀ ଜିଲ୍ଲାରେ ପ୍ରଥମ ହୋଇଛି ଭାବି ମୁଁ ଖୁସି ହେଉଥିଲି। ଏହା ଭିତରେ ବାପା ଙ୍କର ଦେହାନ୍ତ ହୋଇ ସାରିଥାଏ । ବାପା ସଂସାର ଛାଡି ଚାଲିଯିବା ପୂର୍ବରୁ କହିଲେ , ରଜନୀ ର ବାପା ଯାହା କହିବେ ସବୁ ମାନିବୁ। କେବେ ବି ତାଙ୍କ ଭରଷା ଭାଙ୍ଗିବୁ ନାହିଁ। ଆମ ଉପରେ ତାଙ୍କର ଅନେକ ଋଣ ଅଛି। ଆଉ ସେ ସବୁ ତୁ ହିଁ ସୁଝି ପାରିବୁ । ବୋଉ ର ଶ୍ବାସ ରୋଗ ପାଇଁ ରଜନୀ ର ବାପା ଅନେକ ଥର ଟଙ୍କା ଦେଇ ଚିକିତ୍ସା କରାଇବା ପାଇଁ ବାପାଙ୍କୁ ସାହାଯ୍ୟ କରିଥିବାର ମୁଁ ଦେଖିଥିଲି । ବାପାଙ୍କର ଶେଷ ଇଛାକୁ ମାନି ନେଲି। ବାପା ଙ୍କର ଦେହାନ୍ତ ପରେ ବୋଉକୁ ଧରି କେମିତି ଚଳିବି କିଛି ବୁଝି ପାରୁ ନ ଥିଲି । ରଜନୀର ବାପା ଆସି ମତେ ଆଗକୁ ପଢିବାକୁ କହିଲେ , ମୋ ଦ୍ୱାରା ପାଠ ହେଉ ନ ଥିବାରୁ ଘରେ ରହି ବିଲ ବାଡ଼ି କାମ କରିବି ବୋଲି କହିଲି । ଜମି ବାଡି ଆଠ ଏକର ଥିଲା। ପାଠ ଶାଠ ନ ହେବାରୁ ଚାଷ କାମ କରିବାକୁ ଲାଗିଲି। ଆଉ ରଜନୀ କଲେଜ ଯାଇ ଆଗକୁ ପଢିଲା।ସହରରେ ରଖି ଝିଅକୁ ପଢେଇବାକୁ ରଜନୀର ବାପାଙ୍କର ଜମାରୁ ଇଛା ନ ଥିଲା । ରଜନୀକୁ ମଉସା ବହୁତ ଭଲ ପାଉଥିଲେ। ତେଣୁ ଗାଁ ପାଖ କଲେଜରେ ତାର ନାଁ ଲେଖାଇ ଦେଲେ ବିଜ୍ଞାନ ବିଭାଗରେ।
ଏହା ଭିତରେ ଦୁହିଁଙ୍କ ମଧ୍ୟରେ ଆଉ ସେ ପିଲାଳିଆମି ର ଖେଳ କୁଦର ବୟସ ନ ଥିଲା। ଦୁହେଁ ଥିଲୁ ବୟସର ରଙ୍ଗରେ ରଙ୍ଗିନୀ। ରଜନୀ କୁ ଗାଁ ର କିଛି ପିଲା ମନେ ମନେ ବହୁତ ଭଲ ପାଉଥିଲେ। ଅନେକ ଥର ବି ଚେଷ୍ଟା କରିଛନ୍ତି ପଟେଇବା ପାଇଁ ,କିନ୍ତୁ ରଜନୀ ସମସ୍ତଙ୍କୁ ମନା କରି ଦିଏ। କେବଳ ଗାଁ ରେ ମୁଁ ହିଁ ଜଣେ ଏ ଯାଏଁ ସାହାସ କରି ମନ କଥା କହି ପାରୁ ନ ଥିଲି । ତା ମାନେ ନୁହେଁ ଯେ ମୁଁ ରଜନୀକୁ ଭଲ ପାଉ ନ ଥିଲି । ଗାଁ ର ପିଲା ମାନେ ପାଖକୁ ଆସି ମତେ କୁହନ୍ତି ବୁଝିଲୁ ମଦନ , ଯାହା କହ ରଜନୀ ମନରେ କେବଳ ତୁ ହିଁ ଅଛୁ। ତୋର ସିନା ରଙ୍ଗ କଳା । ହେଲେ ଆମ ସମସ୍ତଙ୍କୁ ଲାଗୁଛି ତୁ ହିଁ ତାର ମନର କଳା କୃଷ୍ଣ । ଆଉ ସେମାନଙ୍କ କଥା ଶୁଣି ମୋ ମନରେ ବି ରଜନୀ ପ୍ରତି ଦୁର୍ବଳତା ଆହୁରି ବଢ଼ି ଯାଏ ।
ଗାଁ ଦାଣ୍ଡରେ ରଜନୀ ଯେତେବେଳେ ହଳଦିଆ ଚୁଡ଼ିଦାର ପିନ୍ଧି ବେଣୀରେ ରଜନୀ ଗନ୍ଧା ହାର ଗୁନ୍ଥି , ଚାଲି ଯାଏ , ତାକୁ ଦେଖିଦେଲେ ମୋ ପ୍ରେମିକ ପଣରେ ପ୍ରେମର ଜୁଆର ହୃଦୟରେ କୂଳ ଲଙ୍ଘିବାକୁ ଲାଗେ। ଆଉ ଯେତେବେଳେ ମତେ ଚାହିଁ ତାର ଲାଲ ଲିପିଷ୍ଟିକ ଅଧର ଧାରରେ ତିରିଛି ଚାହାଣି ଦେଇ ହସି ଦିଏ , ତା ପାଇଁ ହୃଦୟରେ ପ୍ରେମ ମୋର ଭରି ଯାଏ
ମୋ ଜୀବନ ଠାରୁ ତାକୁ ବେଶି ଭଲ ପାଉଥିଲି। ହେଲେ ଓଠ ଖୋଲି କହିବାର ସାହାସ ବି ମୋର ହେଉ ନ ଥାଏ। ସେ ଦିନ ବୋଉର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ରଜନୀ ଘରକୁ ବୁଲି ଆସିଥାଏ। ଆମ ଘରକୁ ଆସିବାରେ ବି ତାଙ୍କ ଘରେ ବାରଣ ନ ଥାଏ । ରଜନୀର ଭାଇ ମାନଙ୍କ ସହ ମୋର ସମ୍ପର୍କ ବହୁତ ଭଲ ଥାଏ । ମଉସା ବି ମତେ ବହୁତ ଭଲ ପାଉଥିଲେ । ବାପା ଙ୍କର ଦେହାନ୍ତ ପରେ ସୁବିଧା ଅସୁବିଧାରେ ମୋର ଆସି ପାଖରେ ଠିଆ ହେଉଥିଲେ।ସେ ଦୃଷ୍ଟି ରୁ ଆମ ଦୁହିଁଙ୍କର ସମ୍ପର୍କ କୁ ସେମିତି କେହି ବି ଖରାପ ଦୃଷ୍ଟିରେ ଦେଖୁ ନ ଥିଲେ ।କାରଣ ମୋ ଦେହର ରଙ୍ଗ ଆଉ ରଜନୀର ରୂପ ଭିତରେ ଥିଲା ବହୁତ ଫରକ । ତା" ଛଡା ଦୁହେଁ ପିଲାଦିନର ସାଙ୍ଗ ତେଣୁ ଆମ ଭିତରେ ଏମିତି କିଛି ଥିବ ବୋଲି ବୋଧ ହୁଏ ତାଙ୍କ ପରିବାର ଲୋକ ଭାବୁ ନ ଥିଲେ ।ବାହାରେ ପ୍ରବଳ ବର୍ଷା ହେଉ ଥାଏ । ବୋଉ ର ଶ୍ଵାସ ରୋଗ ଥିବାରୁ ସେ ଶୋଇ ରହିଥାଏ। ଚା ' କରି ପିଇବା ପାଇଁ ରଜନୀକୁ ଆଣି ଦେଲି । ଅନେକ ଦିନ ପରେ ଦୁହେଁ ପାଖା ପାଖି ଥିଲୁ। ତାର ପାଠ ପଢାରେ ବେଶି ସମୟ କଟି ଯାଉଥିଲା। ଦେଖା ଚାହାଁ ଏତେ ବେଶି ହୋଇ ପାରୁ ନ ଥିଲା। ତା ପାଇଁ ଚକଲେଟ ସବୁବେଳେ ମୋ ପକେଟରେ ଥାଏ। ମୁଁ ଜାଣେ ସେ ଚକଲେଟ ଖାଇବାକୁ ପିଲାଟି ଦିନରୁ ବହୁତ ଭଲ ପାଏ। ସେଥିପାଇଁ ତା ସହ ଦେଖା ହେବା ମାତ୍ରେ ଯାହା ବି ଚକଲେଟ ପାଖରେ ଥିବ ତୁରନ୍ତ ତାର ହାତକୁ ବଢ଼ାଇ ଦିଏ । ଆଉ ସେ ହସିକି ହାତରୁ ନେଇ ଚାଲି ଯାଏ। ତାର ସେଇ କ୍ଷଣକ ଚମକ ରେ ମୋ ଜୀବନରେ ଅମାବାସ୍ୟା ରେ ବି ପୁନେଇଁ ର ଜହ୍ନ ଉଇଁ ଆସେ । ଅନେକ ଥର ରଜନୀ କୁ ବୋହୂ ବେଶରେ ଦେଖିଛି ସ୍ୱପ୍ନରେ ମୋର। ହେଲେ ତାର ନିରୀହ ଆଖି କୁ ସାମ୍ନା କରିବାର ଶକ୍ତି ମୋର ନ ଥାଏ । ତାକୁ ଦେଖିଲେ ମୋ ପାଟି ଥଂଗେଇ ଯାଏ । ଦେହରୁ ଝାଳ ବୁହେ। ମନ କଥା ମୋର ମନରେ ରହିଯାଏ ।
ମୋ ନୀରବତା କୁ ଭାଙ୍ଗି ରଜନୀ କହିଲା , ସେତେବେଳ ରୁ ଏମିତି ଚୁପ ବସି ରହିଛୁ । କିଛି କହିବୁ , ନା' ମୁଁ ଚାଲିଯିବି ।
ବାହାରକୁ ଦେଖିଲି ବର୍ଷା କମି ନାହିଁ । ଆଉ ଟିକେ ରହ ,ବର୍ଷା କମିଲେ ଚାଲିଯିବୁ ।
ହଁ ତୋର ବା ମତେ ଆଉ କଣ କହିବାକୁ ଅଛି ଯେ ? ଯେତେବେଳେ ଦେଖ ଖାଲି ମୁଁ ଗପୁଥିବି ଆଉ ତୁ ବସି ମୁଣ୍ଡ ଟୁଙ୍ଗାରି ଶୁଣୁ ଥିବୁ। ତୋର ଏ ସ୍ଵଭାବ ପିଲାଟି ଦିନରୁ ବଦଳିଲା ନାହିଁ । ପିଲା ଦିନର ଅନେକ ଅଭୂଲା ମୁହୂର୍ତ୍ତକୁ ମନେ ପକାଇବାରୁ ରଜନୀ , ଦୁହେଁ ମିଶି ହସୁ ଥିଲୁ।
ଆରେ ହଁ ତ , ତତେ ଗୋଟେ କଥା କହିବାକୁ ଭୂଲି ଯାଇଛି ?
କେଉଁ କଥା
ମୋ ପାଇଁ ବାପା କେଉଁଠି ଭଲ ପ୍ରସ୍ତାବ ଦେଖିଛନ୍ତି। ପୁଅ ଇଞ୍ଜିନିୟର ଅଛି। ଭଲ ଘର କୁଆଡେ ତାଙ୍କର ବୋଲି ବାପା କହୁଥିଲେ। ଆସନ୍ତା ଶୁକ୍ରବାର ଦିନ ଆମ ଘରକୁ ଦେଖିବାକୁ ଆସିବେ ।ତୁ ସେ ଦିନ କୁଆଡେ ଯିବୁ ନାହିଁ। ଆମ ଘରେ ଆରମ୍ଭ ରୁ ଶେଷ ଯାଏଁ ରହିବୁ। ତୁ ତ ମୋର ବେଷ୍ଟ ଫ୍ରେଣ୍ଡ ଆଉ ତୋ ଛଡା ଏ ଗାଁ ରେ ମୁଁ ଆଉ କାହାକୁ ବି ବିଶ୍ୱାସ କରେ ନାହିଁ । ସେଥିପାଇଁ ମୋ ରାଣ ରହିଲା ତୁ ଅବଶ୍ୟ ଆସିବୁ।
ରଜନୀର କଥା ପ୍ରଥମ ଥର ଶୁଣିଲା ପରେ ଛାତିରେ ଯନ୍ତ୍ରଣା ଆରମ୍ଭ ହେଲା। ମନ କଥା ନ କହିବାର ବି ଅଵସୋସ ରହିଗଲା। କେମିତି କହିବି ଭାବିବା ଭିତରେ ଏତେ ବର୍ଷ କେବଳ ଭାବନା ରେ ବିତିଗଲା। ହେଲେ ମୁହଁ ଖୋଲି କହିବାର ସାମର୍ଥ୍ୟ ମୋର ନ ଥିଲା। ଆଜି ତା ମୁହଁରେ ମୋ ପ୍ରତି ଟିକେ ବି ସମବେଦନା ନାହିଁ । ବାହାଘର ପ୍ରସ୍ତାବ ଶୁଣି ସେ ବି ଖୁସି ଅଛି। ସେ କଣ ମତେ ପସନ୍ଦ କରେ ? ମୋ ମନ କଥା କହିଲେ ସେ କଣ ମତେ ଗ୍ରହଣ କରି ନେବ ? ହୁଏତ ଏ କଥା ମତେ ଜଣା ନାହିଁ ।ଏକତରଫା ପ୍ରେମୀ ହୋଇ ରହିବା ବୋଧ ହୁଏ ଭାଗ୍ୟରେ ଲେଖା । ଏ କଳା ରଙ୍ଗ ହିଁ ଆଜି ମୋ ପ୍ରେମର ବାଧକ । ରଜନୀ ଙ୍କର ମାଆ ବି ମତେ ଅନେକ ଥର କଳା କହି ଆକ୍ଷେପ କରିଛନ୍ତି। ଆଉ ରଜନୀ ଯଦି ମତେ ଚାହୁଁଥାନ୍ତା ତେବେ ସେ ବାହାଘର ପାଇଁ ରାଜି ହୋଇ ନ ଥାନ୍ତା।
ମନ କଥା ଆଜି ନ କହିଲେ ହୁଏତ ଆଉ କହି ପାରିବି ନାହିଁ । ମନରେ ସାହାସ ବାନ୍ଧିଲି। ହୃଦୟରେ ଚାପି ରଖି ବଞ୍ଚିବା ଅପେକ୍ଷା ମନ କଥା ଖୋଲି କହି ଦେବାରେ ବା ଆପତ୍ତି କଣ ?
ଥଂଙ୍ଗ ଥଂଙ୍ଗ ହୋଇ କହିଲି , ତତେ କିଛି କହିବାକୁ ଚାହୁଁ ଅଛି ? ହଁ କହୁନୁ ? କଣ କହିବୁ ମତେ ! ମୁଁ ମାନେ କଣ ଖାଲି ମୁଁ.. ମାନେ .ମୁଁ ମାନେ ହେଉଛୁ। ଆଗକୁ କିଛି କହିବୁ ନା ନାହିଁ ?
ମୁଁ ତତେ ବହୁତ ଭଲ ପାଏ । ବାହା ହେବା ପାଇଁ ଚାହେଁ । ଗୋଟେ ନିଶ୍ୱାସରେ କହି ପାଟିରେ ଗାମୁଛା ଦେଇ ମୁଣ୍ଡ ନୁଆଇଁ ଦେଲି।ମୋ କଥା ଶୁଣି ରଜନୀ କିଛି ସମୟ ଚୁପ ରହିଲା। ତା ଆଖିରେ ଲୁହ ଦେଖି , ସହି ପାରିଲି ନାହିଁ। ମୋର ଭୂଲ ହୋଇ ଯାଇଛି କହିଲି। ସେ ଛଳ ଛଳ ଆଖିରେ କହିଲା , ଏଇ ପଦକ କହିବାକୁ ତତେ ଏତେ ଦିନ ଲାଗିଗଲା। ଆଜି ଯେତେବେଳେ ସବୁ କିଛି ସ୍ଥିର ହୋଇ ସାରିଲାଣି, ତୁ ମତେ ଭଲ ପାଉ ବୋଲି କହୁଛୁ । ତୋ ଉପରେ ମୋର ଭରଷା ଥିଲା । ଭାବିଥିଲି ଦିନେ ନିଶ୍ଚୟ ତୁ ମତେ କହିବୁ । ପିଲା ଦିନର ବୋହୂ ବୋହୂକା ସଢେଇ ଖେଳରୁ ଦିନେ ତୁ ମତେ ସତ ସତିକା ସ୍ତ୍ରୀ କରି ନେବୁ । ବହୁତ ଅପେକ୍ଷା କରିଲି ତତେ , ତୋ ଠାରୁ ଏଇ ଅଢେ଼ଇ ଅକ୍ଷର ଶୁଣି ପାରିଲି ନାହିଁ ବୋଲି ମନ ଭିତରେ ଅପସ୍ୱସ ରହୁଥିଲା। ସେ ଦିନ ବାହାଘର ପ୍ରସ୍ତାବ କଥା ବାପା ପଚାରିବାରୁ , ମନା କରିପାରିଲି ନାହିଁ। ତୁ ତ ଜାଣିଛୁ ସେ କେମିତିକା ଲୋକ। କିଛି ବୁଝିବେ ନାହିଁ। ତା" ଛଡା ବୋଉ ମୁହଁରୁ ବି ତୋ ଦେହର କଳା ରଙ୍ଗ ନେଇ ଅନେକ ଆକ୍ଷେପ ଶୁଣିଛି। ଭାବିଲି ମନ କଥା କହି ଦେବି ତାଙ୍କୁ କିନ୍ତୁ ବୋଉ ପାଖକୁ ଆସି କହିଲା , ମୋ ଝିଅ କେବେ କଣ ଆମ କଥାରୁ ଓହରି ଯାଇଛିକି । ତୁମେ ପୁଅ ଘର ଵାଲା ଙ୍କୁ ଆସିବାକୁ କୁହ।
ପିଲା ଦିନରୁ ଥିବା ତୋ ପ୍ରତି ଭଲ ପାଇବାକୁ ହରେଇବା ଦୁଃଖରେ ଭାଙ୍ଗି ପଡିଲି। ଭାବିଲି ସବୁ ଶୁଣି ସାରିଲା ପରେ କାଳେ ଭାଇ ମାନେ ତୋର କିଛି ଅନିଷ୍ଟ କରିବେ । ମନକୁ ଭୟ ହେଲା। ଦୁଇ ପରିବାର ରେ ଭୁଲ ବୁଝାମଣା ହୋଇ ସମ୍ପର୍କ ତୁଟି ଯାଉ , ଏ କଥା ମୁଁ ଚାହୁଁ ନ ଥିଲି । ମୁଁ ଜାଣେ ବାପା ତତେ ବହୁତ ଭଲ ପାଆନ୍ତି। ମଉସା ଙ୍କର ଦେହାନ୍ତ ପରେ ସେ ତତେ ନେଇ ଖୁବ ଚିନ୍ତିତ ରହୁଥିଲେ। ଆଉ ଆମ ବିବାହ କଥା ଶୁଣି ସେ ତତେ ଭୂଲ ବୁଝନ୍ତୁ ମୁଁ ଚାହୁଁ ନ ଥିଲି। ସେଥିପାଇଁ ଦୁଇ ପରିବାରର ମଙ୍ଗଳ ପାଇଁ ଚୁପ ରହିଲି।ମିଛେ ଖୁସି ହେବାର ଅଭିନୟ କଲି। ବୁଝିଲୁ , ଆମେ ଦୁହେଁ ଜୀବନ ତମାମ ଭଲ ବନ୍ଧୁ ହୋଇ ରହି ପାରିବା ସିନା , ତା ଠାରୁ ଆଗକୁ ଆଉ ବେଶି ଆଗେଇ ପାରିବା ନାହିଁ। ମତେ କ୍ଷମା କରି ଦେବୁ। ବାପା ଙ୍କୁ କଥା ଦେଇ ସାରିଛି , ତାଙ୍କ ମନ ଭାଙ୍ଗି ପାରିବି ନାହିଁ। ତୁ ବି ଭୂଲି ଯାଆ ମତେ । ଭଲ ଝିଅ ଦେଖି ବାହା ହୋଇ ଘର ସଂସାର କରେ । ପିଲା ଦିନର ସଢେଇ ଖେଳ ର ମିଛି ମିଛିକା ସମ୍ପର୍କ ଆମର ସେମିତି ଥାଉ । କିଛି ସମୟ ନିରବ ରହିଲା ପରେ ରଜନୀ ବାହାରିଲା ଯିବା ପାଇଁ। ମୋ ଆଖିରେ ଲୁହ ବସା ବାନ୍ଧି ସାରିଥାଏ । ରଜନୀକୁ ଶେଷ ଥର ପାଇଁ ପାଖରୁ ଭଲ ଭାବରେ ଦେଖି ନେଲି । ହୁଏତ ଏହା ପରେ ସେ ଆଉ କାହାର ହୋଇଯିବ। କାହିଁକି ମୁଁ ଆଗରୁ କହୁ ନ ଥିଲି ଭାବି ମନ ଦୁଃଖ କରି କାନ୍ଦୁ ଥିଲି । ବୋଉ ପାଖ ଘରେ ଶୋଇ ଏ ସବୁ ଶୁଣି କହିଲା , ବାବୁରେ ରଜନୀ ଠିକ ବୁଝିଛି, ଏମିତି ନ ହେଉ ଦୁଇ ପରିବାର ର ଭଲ ସଂପର୍କ ଖରାପ ହେଇ ଯାଉ। ତୁ ମନରୁ ଏ ସବୁ କଥା କାଢି ଦେ । ସେ ବି ଆଉ କିଛି ନ କହି ଚାଲିଗଲା। ମୋ ମନକୁ ଏକ ଶକ୍ତ ଧକ୍କା ଲାଗିଲା। କଣ କରିବି ବୁଝି ପାରୁ ନ ଥିଲି । ରଜନୀ କୁ ହରେଇବାର ଦୁଃଖ କୁ ସହି ପାରୁ ନ ଥିଲି। ବାପା ଙ୍କର କଥା ମନେ ପଡୁ ଥିଲା , ଯାହା ବି ହେଇ ଗଲେ ତାଙ୍କ ପରିବାରର କୌଣସି ଅନିଷ୍ଟ ହେବାକୁ ଦେବି ନାହିଁ ବୋଲି କଥା ଦେଇଥିଲି। ଆଉ ଯଦି ଆମ କଥା ତାଙ୍କ ଘର ଲୋକେ ଜାଣିବେ ତେବେ ସେମାନେ ଆଉ ମତେ ବିଶ୍ୱାସ କରିବେ ନାହିଁ । ମଉସା ଦେଇଥିବା ଟଙ୍କା ର ଋଣ ବି ସୁଝି ପାରି ନ ଥିଲି । ଆଉ ଆଜି ତାଙ୍କ ଝିଅର ହାତ କେଉଁ ମୁହଁ ନେଇ ମାଗିବି। ତାଙ୍କ ପରିବାର ସହ ମୁଁ ସମସ୍ଖନ୍ଦ ନ ଥିଲି ।ସେଥିପାଇଁ ମନକୁ ମାରି ଚୁପ ରହିବା ଉଚିତ ହେବ ଭାବିଲି । ଏହା ଭିତରେ ରଜନୀର ବାହାଘର ଠିକ ହୋଇଗଲା। ଆଉ ଆମ ପିଲା ଦିନର ଧୂଳି ଖେଳ ବି ସମାପ୍ତ ହୋଇ ଗଲା। ରଜନୀ ବାହା ହୋଇ ଶାଶୁଘର ଚାଲିଗଲା। ଆଉ ମୋ ପୋଡା ଭାଗ୍ୟକୁ ଆଦରି ଘରେ ଜୀବିତ ଶବ ହୋଇ ପଡି ରହିଲି । ଆଜି ଅନେକ ଦିନ ପରେ ରଜନୀ ଫେରିଛି । ତାକୁ ବହୁତ ଦିନ ହେଲା ଦେଖି ପାରି ନ ଥିଲି । ଏହା ଭିତରେ କାମ ସରି ଯାଇଥାଏ। ଜଗା ବଳିଆ ଙ୍କୁ ଧରି ତରତର ହୋଇ ବିଲରୁ କାଦୁଅ ହୋଇ ସେମିତି ଘରକୁ ବାହାରିଗଲି ।
ବଳଦଙ୍କୁ ଘରେ ବାନ୍ଧି ସାରିଲା ପରେ , ଦେହ ହାତ ଭଲ ସେ ଧୋଇ ହୋଇଛି କି ନାହିଁ ରଜନୀ କୁ ଦେଖିବା ପାଇଁ ବ୍ୟକୁଳ ହୋଇ ତା ଘରକୁ ଚାଲିଗଲି ।
ଘର ସାମ୍ନାରେ ପହଞ୍ଚିଛି କି ନାଇଁ , ଭିତରୁ ପାଟି ତୁଣ୍ଡ ଶୁଣିବାକୁ ମିଳିଲା। ପାଞ୍ଚ ପୁଅ ମିଶି ରଜନୀର ବାପା ଙ୍କୁ ଗାଳି କରୁଥିଲେ । ଆଉ ରଜନୀ କୁ ନେଇ ତା" ଶାଶୁଘରେ ଛାଡି ଦେଇ ଆସିବା ପାଇଁ କହୁଥିଲେ। ମଉସା ଙ୍କର ପାଞ୍ଚ ପୁଅ ବିବାହିତା ଥିଲେ। ପତ୍ନୀ ମାନଙ୍କ କଥାରେ ପଡି ଭଉଣୀ କୁ ଅସହାୟ ଅବସ୍ଥାରେ ଦୂରେଇ ଦେଉ ଥିଲେ। ଏ ସବୁ ଶୁଣି ଦୌଡ଼ି ଯାଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କାରିବାରୁ , ସେମାନେ ମତେ ବାହାର ଲୋକ କହି ଘରେଇ କଲହରୁ ଦୂରେଇ ରହିବାକୁ କହି ଧମକ ଦେଲେ। ରାଗରେ ମଉସା କହିଲେ ତୁମ ପରି ପୁଅ ମୋର ଦରକାର ନାହିଁ । ମୋ ଝିଅକୁ ନେଇ ମୁଁ ରହିବି। ଯାହାର ଅସୁବିଧା ହେଉଛି , ସେ ମୋ ଠାରୁ ଭିନ୍ନ ହେଇ ଯାଅ। ଦେଖୁ ଦେଖୁ ସମସ୍ତେ ଅଲଗା ରହିବାର ନିଷ୍ପତ୍ତି ମଉସା ଙ୍କୁ ଶୁଣେଇ ଦେଲେ। ଅଗଣାରେ ପଡିଥିବା ଫିତା ଖଟ ଉପରେ ମଉସା ଥମ କରି ବସି ପଡିଲେ। ପାଖରେ ବସି ରଜନୀ ପୁଅକୁ ଧରି କାନ୍ଦୁ ଥାଏ। ଝିଅ ର ମୁଣ୍ଡକୁ ଆଉଁସି ଦେଇ ମଉସା କହିଥିଲେ ,
ତୁ କାହିଁକି ଖାଲି ଟା ରେ ବ୍ୟସ୍ତ ହେଉଛୁ ରେ ମାଆ । ଏବେ ବି ତୋ ବାପା ବଞ୍ଚିଛି । ତୋ ଭାଇ ମାନେ ନ ପଚାରିଲେ କଣ ହେଲା। ତୁ ମୋ ଭାଗରେ ଏଇଠି ମୋ ପାଖରେ ରହିବୁ । ପାଖରେ ଠିଆ ହୋଇ ରଜନୀକୁ ଧଳା ଶାଢୀରେ ଦେଖି , ମୋ ଆଖି ଛଳ ଛଳ ହୋଇ ଆସୁଥାଏ। ଯାହାକୁ ଦିନେ ହଳଦୀ ରଙ୍ଗର ଚୁଡ଼ିଦାର ଡ୍ରେସ ରେ ଦେଖି ଆଖି ଝଲସି ଉଠୁଥିଲା ଆଜି ତା ଦେହରେ ଶୁଭ୍ର ବସ୍ତ୍ର। ସତରେ ନିୟତି କେତେ ନିରଦୟ । ପୁଅ ମାନଙ୍କ ଉପରେ ରାଗିକି ମଉସା ମାଉସୀ ଅଲଗା ରହିଲେ ରଜନୀକୁ ସାଥିରେ ଧରି । ସ୍ୱାମୀକୁ ହରାଇ ରଜନୀ ମନରେ ଗଭୀର ଆଘାତ ଲାଗିଥାଏ । ମାନସିକ ସନ୍ତୁଳନ ତାର ଠିକ ରହୁ ନ ଥାଏ। ନିଜ ପିଲାର ବି ଯତ୍ନ ନେବା ତା ପକ୍ଷେ ସମ୍ଭବ ନ ଥିଲା। ପାଗେଳି ପରି ବ୍ୟବହାର କରିବାକୁ ଲାଗିଲା। ମଉସା ଆଉ ମୁଁ ମିଶିକି ରଜନୀର ଚିକିତ୍ସା ପାଇଁ ମେଡ଼ିକାଲ ନେଇ ଗଲୁ। ମାନସିକ ସ୍ତରରେ ଆଘାତ ପାଇ ଥିବା କାରଣରୁ ବ୍ୟଥିତ ଅଛନ୍ତି । ସେଥିପାଇଁ ତାଙ୍କର ମାନସିକ ଯନ୍ତ୍ରଣା କୁ ଦୂର କରିବାକୁ ହେବ। ଦୁଃଖ ଠାରୁ ତାଙ୍କୁ ଦୂରେଇ ରଖିବାକୁ ଉପଦେଶ ଦେବା ସହ ଡାକ୍ତର ଔଷଧ ଦେଲେ।
ରଜନୀର ମନର ପରିବର୍ତ୍ତନ ପାଇଁ ମଉସା ଙ୍କୁ ଅନୁରୋଧ କରି ତାର ଦାୟିତ୍ୱ ନିଜ ଉପରକୁ ନେଲି ।ପିଲା ଦିନର ସେଇ ଜୀବନ୍ତ ଅତୀତକୁ ଆଉ ଥରେ ରଜନୀ ସମ୍ମୁଖରେ ଜୀବନ୍ତ କରିବାର ପ୍ରୟାସ କରିଲି। ଏ ଭିତରେ ଔଷଧ ସହ ତାର ମାନସିକ ଚାପ କମ ହେବା ଦ୍ୱାରା ସେ ଧୀରେ ଧୀରେ ସୁସ୍ଥ ହେବାକୁ ଆରମ୍ଭ କରିଲେ। ଏହା ଦେଖି ମଉସା ମାଉସି ବି ଖୁସି ହେଲେ ।
ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଛଅ ମାସ ଲାଗିଲା। ତାର ଜୀବନ ସ୍ଵଭାବ ହେଲା ପରେ ମଉସା ପୁଣି ଥରେ ଦ୍ୱିତୀୟ ବିବାହ କରାଇବା ପାଇଁ ରଜନୀର ସ୍ଥିର କରିଲେ । ଆଉ ମତେ ବି କହିଲେ ଯେ ରଜନୀକୁ ବୁଝେଇବାର ଦାୟିତ୍ୱ ମୋର ବୋଲି।
ରଜନୀ ଦ୍ୱିତୀୟ ବିବାହ କରିବା କଥା ଶୁଣି ରାଗରେ ମତେ ଗାଳି କରିଲା। ମୋ ମୁହଁ ଚାହିଁବ ନାହଁ ବୋଲି ମୁହେଁ ମୁହେଁ ଶୁଣେଇ ଦେଲା। ମାଉସି ମୁଣ୍ଡ ଛୁଆଇଁ ରାଣ ଦେବାରୁ ବାଧ୍ୟ ହୋଇ ହଁ ଭରିଲା। ଯେତେ ପ୍ରସ୍ତାବ ଆସୁଥିଲା , ରଜନୀ କୋଳରେ ପିଲାଟିକୁ ଦେଖି ସମସ୍ତେ ମନା କରି ଦେଉଥିଲେ ।
ଆଉ ଯିଏ ରାଜି ହେଉ ଥିଲେ ଅଧିକ ଯୌତୁକ ଡିମାଣ୍ଡ କରୁଥିଲେ।ଆଉ ମଉସା ବି ଦେବା ପାଇଁ ସକ୍ଷମ ନ ଥିଲେ। ବଢ଼ିଲା ଝିଅକୁ ବିଧବା ବେଶରେ ଦେଖି ମଉସା ଖୁବ ଚିନ୍ତିତ ରହୁଥିଲେ। ତାଙ୍କ ମନ ରେ କେବଳ ରଜନୀର ଭବିଷ୍ୟତ କଣ ହେବ ସେ କଥା ସବୁବେଳେ ଚାଲୁ ଥାଏ। ଧୀରେ ଧୀରେ ତାଙ୍କର ବି ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା।ସବୁ ଆଡୁ ନିରାଶ ହେବା ପରେ ଦିନେ ପାଖକୁ ଡାକି ମଉସା କହିଲେ , ମଦନ ରେ ମୋର ଗୋଟେ କଥା ରଖିବୁ ?
ନିଶ୍ଚୟ ରଖିବି ମଉସା । ଆପଣ ଖାଲି କହିକି ଦେଖନ୍ତୁ !
ତୋ ବାପା ଙ୍କ ସହ ମୋର ବନ୍ଧୁତ୍ୱ ର ସମ୍ପର୍କ । ସେ ଭାରି ଭଲ ଲୋକ ଜଣେ ଥିଲେ। ତୋ ଉପରେ ମୋର ବିଶ୍ୱାସ ଅଛି। ମତେ କଥା ଦେ ଆଗ ,ତାପରେ କହିବି ।
ମଉସା ଙ୍କୁ କଥା ଦେଲାପରେ , ରଜନୀକୁ ବିବାହ କରିବାର ପ୍ରସ୍ତାବ ମତେ ଦେଲେ। ହାତ ଯୋଡ଼ି ବି ଅନୁରୋଧ କରିଲେ । ଏତେ କମ୍ ବୟସରେ ଝିଅକୁ ଧଳା ଶାଢୀରେ ଦେଖି ପାରିବେ ନାହିଁ ବୋଲି କହିଲେ। ତୋର ସବୁ ଋଣ କୁ ମୁଁ ଛାଡ଼ କରିଦେବି ଯଦି ତୁ ମୋର ଜୁଆଇଁ ହେବୁ । ମଉସା ଙ୍କର ନିବେଦନ ଶୁଣି , ରଜନୀ କଣ ରାଜି ହେବ ବୋଲି ପଚାରିଲି ?
ସେ ସବୁ ତାଙ୍କ ଉପରେ ଚଡ଼ିଦେବା ପାଇଁ କହିଲେ । ରଜନୀ ବି ଦୂରେ ଠିଆ ହୋଉ ସବୁ ଶୁଣୁ ଥାଏ । ତା ଆଖି ସହ ମୋ ନଜର ମିଶିଲା ପରେ ପ୍ରଥମ ଥର ପାଇଁ ତାର ନଜର ତଳ ମୁହାଁ ହୋଇଲା। ପୁଅକୁ ନେଇ ଘର ଭିତରକୁ ଲାଜରେ ଚାଲିଗଲା। କିନ୍ତୁ ମତେ ବିବାହ କରିବା ପାଇଁ ସେ ମୋ ସମ୍ମୁଖରେ ସର୍ତ୍ତ ରଖିଲା। ବିବାହ ପରେ ମୋ ସହ ନା ଶାରୀରିକ ସମ୍ପର୍କ ରଖିବାକୁ ମୁଁ ବାଧ୍ୟ କରିବି ନାହିଁ ଆଉ ତାର ପୁଅ କୁ ହିଁ ବାପା ର ପରିଚୟ ଦେବି । ନିଜର ସନ୍ତାନ ପାଇଁ କେବେ ବି କହିବି ନାହିଁ। ରଜନୀ କୁ ମୁଁ ପାଇବା ପାଇଁ ଚାହୁଁ ଥିଲି । ଆରମ୍ଭରୁ ପ୍ରେମ ର ହୃଦୟର ଥିଲା ଆଉ ଆଜି ଦୈହିକ କେଉଁଠୁ ଆସିଲା। ମୋ ମନ କଥା ବି ତାକୁ ଶୁଣେଇ ଦେଲି। ଶେଷରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେଲୁ । ଆଜି ଦୁହେଁ ଆମେ ଗୋଟିଏ ଡୋରି ରେ ବନ୍ଧା। ଶାରୀରିକ ସ୍ତରରେ ସମ୍ପର୍କ ନ ଥିଲେ ବି ଦୁହେଁ ମାନସିକ ସ୍ତରରେ ବନ୍ଧା । ମଉସା ଆଉ ମାଉସୀ ଙ୍କୁ ଆଣି ପାଖରେ ରଖିଲି । ଏହା ଦେଖି ରଜନୀ ବି ଖୁସି ହେଲା। ଦୁହେଁ ପୁଅ ସହ ଖେଳୁ ଥିଲୁ । ରଜନୀର ପୁଅ ଟା ଦେଖିବା ପାଇଁ ରଜନୀ ପରି ଗହମ ରଙ୍ଗର ହୋଇ ଥାଏ ।ପୁଅକୁ କୋଳରେ ଧରି ରଜନୀର ମାଆ କହୁଥିଲେ , ମୋ ନାତି ଟୋକା ଠାରୁ ଦୂରେଇ ରହିବୁ ।ନ ହେଲେ ତୋର କଳା ରଙ୍ଗରେ ମୋ ନାତି କଳା ହୋଇ ଯିବ।
ରଜନୀ ଆଉ ମୁଁ ଦୁହେଁ ଏହା ଶୁଣି ହସୁଥିଲୁ ।