STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରାମାୟଣ ବର୍ଣ୍ଣିତ ପ୍ରୟାଗର ଅକ୍ଷୟବଟ   

ରାମାୟଣ ବର୍ଣ୍ଣିତ ପ୍ରୟାଗର ଅକ୍ଷୟବଟ   

4 mins
23

 ରାମାୟଣ ବର୍ଣ୍ଣିତ ପ୍ରୟାଗର ଅକ୍ଷୟବଟ   
    ===================
ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହ ସେ ଦିନ ବନବାସ ପଥରେ ଶୃଙ୍ଗବେରପୁରରେ ନିଷାଦ ରାଜ ଗୁହକଙ୍କ ଆତିଥ୍ୟରେ ପ୍ରଭୁ ଶ୍ରୀରାମ ରାତ୍ରୀ ଯାପନ କଲେ l ପରଦିନ ଗୁହଙ୍କ ସହାୟତାରେ ସେମାନେ ଗଙ୍ଗାନଦୀ ପାର ହୋଇ ଆର ପାରିରେ ପହଁଚିଲେ l ସୁମନ୍ତ୍ର ଗଙ୍ଗା ତୀରରେ ବହୁ ସମୟ ଯାଏ ଅପେକ୍ଷା କରି ରହିଥିଲେ l ଯେତେବେଳେ ସେମାନେ ଆଉ ଦୃଶ୍ୟ ହେଲେ ନାହିଁ ସେ ସଜଳ ନୟନରେ ଶୂନ୍ୟ ରଥଟିକୁ ଧରି ଅଯୋଧ୍ୟା ଫେରି ଆସିଲେ l କିଛି ସମୟ ଚାଲିବା ପରେ ଶ୍ରୀରାମ ସମୃଦ୍ଧ ଏବଂ ଶସ୍ୟ ଶ୍ୟାମଳ ବତ୍ସ ଦେଶରେ ପହଞ୍ଚିଲେ l କ୍ରମେ ସନ୍ଧ୍ୟା ହୋଇ ଆସିଲା l ଏକ ବୃକ୍ଷ ତଳେ ଆଶ୍ରୟ ନେଇ, ସେମାନେ ଫଳ ମୂଳରେ କ୍ଷୁଧା ନିବାରଣ କଲେ l ସେଦିନ ପ୍ରଥମକରି ଜନବସତି ବାହାରେ ସେମାନେ ରାତ୍ରି କଟାଇଲେ l ଶ୍ରୀରାମ କହିଲେ, ଏଣିକି ଆମକୁ ଏହିପରି ବାସ କରିବାକୁ ପଡ଼ିବ l ପରଦିନ ପ୍ରଭାତରୁ ସେମାନେ ପ୍ରୟାଗ ଅଭିମୁଖେ ଯାତ୍ରା ଆରମ୍ଭ କଲେ l ବନର ଶୋଭା ରାଜିକୁ ଦେଖି ଦେଖି ଯାଇ ସେମାନେ ସନ୍ଧ୍ୟା ହେଲା ବେଳକୁ ଏକ ସ୍ଥାନରେ ପହଞ୍ଚିଲେ l ଦୂରରୁ ଧୁମ୍ର କୁଣ୍ଡଳୀ ଦେଖି ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, ଆମେ ଏବେ ଗଙ୍ଗା ଯମୁନା ସଙ୍ଗମ ନିକଟରେ ପହଁଚିଲେ l ଏଠାରେ ଦୁଇନଦୀ ଜଳ ମିଶୁଥିବା ହେତୁ ତାହାର ସଂଘର୍ଷ ଧ୍ଵନୀ ଶୁଣାଯାଉଛି l ଧୂଆଁ ଉଠୁଥିବାସ୍ଥାନ ହେଉଛି ମହର୍ଷି ଭରଦ୍ୱାଜଙ୍କ ଆଶ୍ରମ l ମହର୍ଷିଙ୍କ ଯଜ୍ଞ କୁଣ୍ଡରୁ ଏହି ଧୁମ୍ର କୁଣ୍ଡଳୀ ଉଠୁଛି l ସେମାନେ ଚାଲି ଚାଲି ଯାଇ ତାଙ୍କ ଆଶ୍ରମରେ ପହଞ୍ଚି ମୁନିଙ୍କୁ ଅଭିବାଦନ କଲେ l ଭରଦ୍ୱାଜ ସେମାନଙ୍କୁ ସ୍ବାଗତଜଣାଇ ଜଳ ଓ ଫଳମୂଳ ଆଦି ପ୍ରଦାନ କଲେ l ମହର୍ଷି ରାମଙ୍କୁ କହିଲେ, ମୁଁ ତୁମର ଏହି ଅକାରଣ ନିର୍ବାସନ ଖବର ଆଗରୁ ଶୁଣିଛି l ତୁମେ ଦୁଇ ନଦୀର ସଙ୍ଗମ ସ୍ଥଳ ଏହି ରମଣୀୟ ଓ ପବିତ୍ର ସ୍ଥାନରେ ସୁଖରେ ବାସ କର l ମୁନିଙ୍କ କଥା ଶୁଣି, ପ୍ରଭୁ ଶ୍ରୀରାମ କହିଲେ, ଭଗବନ୍ ! ଏଠାରେ ପାଖରେ ନଗର ଓ ଜନପଦ ସବୁ ରହିଛି l ଆମେ ଏଠାରେ ରହୁଛୁ ଜାଣିଲେ, ଆମକୁ ଦେଖିବା ପାଇଁ ଅନେକଲୋକ ଆସିବେ l ତେଣୁ ଏପରି ଏକ ସ୍ଥାନ ଆପଣ ଆମକୁ ନିର୍ଦ୍ଦେଶ କରନ୍ତୁ ଯେଉଁଠିକି ଆମକୁ କେହି ଦେଖି ପାରିବେ ନାହିଁ ଏବଂ ସେଠାରେ ଆମେ ସୁଖରେ ବାସ କରି ପାରିବୁ l ଶ୍ରୀରାମଙ୍କ କଥା ଶୁଣି, ଭରଦ୍ୱାଜ କହିଲେ, ବତ୍ସ ! ଏଠାରୁ ଦଶକୋଷ ଦୂରରେ ମୁନି ୠଷି ମାନଙ୍କ ଅଧ୍ୟୁଷିତ ଏକ ରମଣୀୟ ପର୍ବତ ଅଛି l ସେଠାରେ ବହୁ ମୁନି ଋଷି ଦୀର୍ଘ ତପସ୍ୟା କରି ସ୍ୱର୍ଗାରୋହଣ କରିଛନ୍ତି l ସେଠାରେ ଗୋ-ଲାଙ୍ଗୁଳ ଯୁକ୍ତ ବାନର ଓ ଭଲ୍ଲୁକ ମାନେ ବିଚରଣ କରୁଛନ୍ତି l ଅତି ରମଣୀୟ ସେହି ଚିତ୍ରକୁଟ ପର୍ବତରେ ରହିଲେ ତୁମେ ନିର୍ଜନତା ଓ ପବିତ୍ରତା ଅନୁଭବ କରି ପାରିବ l ନଚେତ୍ ତୁମେ ଏଠାରେ ମୋ ସହିତ ସମ୍ପୂର୍ଣ୍ଣ ବନବାସର ସମୟ କଟାଇ ଦେଇ ପାରିବ l ଦେଖ ତୁମର ଯାହା ଇଚ୍ଛା l
ମୁନି ଭରଦ୍ୱାଜଙ୍କ ଆଶ୍ରମରେ ସେଦିନ ପ୍ରଭୁ ରାମ ଲକ୍ଷ୍ମଣ, ସୀତା ମହର୍ଷିଙ୍କ ଦ୍ୱାରା ଅଭ୍ୟର୍ଥିତ ହୋଇ ରାତ୍ରି ଯାପନ କଲେ l ପ୍ରଭାତ ହେବାରୁ ସେମାନେ ଚିତ୍ରକୁଟ ଯିବାପାଇଁ ପ୍ରସ୍ତୁତ ହୋଇ ମୁନିଙ୍କ ଠାରୁ ବିଦାୟ ନେଲେ l ପୁଣି ତାଙ୍କୁ ଚିତ୍ରକୁଟର ଅପରୂପ ଶୋଭା ବର୍ଣ୍ଣନା କରି ଭରଦ୍ୱାଜ ସେମାନଙ୍କୁ ବିଦାୟ ଦେବାକୁ କିଛିଦୂର ଆସି କହିଲେ, ତୁମେ ଗଙ୍ଗା ଯମୁନାର ସଙ୍ଗମ ସ୍ଥଳରେ ପହଞ୍ଚି, ଯମୁନା ଯେଉଁ ଆଡୁ ଆସିଛି ସେହି ଆଡ଼େ ଗତି କଲେ ଏକ ପୁରୁଣା ଘାଟ ପଡ଼ିବ l ଗୋଟିଏ ବଡ଼ ଭେଳା କରି ତୁମେ ସେଠାରେ ଯମୁନାକୁ ପାର କରିବ l ଆର ପାରିରେ ପହଞ୍ଚି ତୁମେ ସବୁଜ ପତ୍ର ଶୋଭିତ ଏକ ବିଶାଳ ବଟ ବୃକ୍ଷକୁ ଦେଖି ପାରିବ l ସୀତା ସେହି ବଟକୁ ପ୍ରଣାମ କରି ବଟଙ୍କ ଆଶୀର୍ବାଦ ଭିକ୍ଷା କରିବେ l ସେହି ବଟ ଦ୍ରୁମ ହେଉ ଛନ୍ତି, ମନୋବାଞ୍ଛା ପୂରଣ କାରୀ
ଅକ୍ଷୟ ବଟ l
ଭରଦ୍ୱାଜଙ୍କ କହିବାନୁଯାୟୀ ରାମ ଲକ୍ଷ୍ମଣ ସୀତା ଯମୁନାକୂଳର ସେହି ଘାଟ ନିକଟରେ କାଠବାନ୍ଧି ଏକ ବଡ଼ଭେଳା ପ୍ରସ୍ତୁତ କଲେ l ଶୁଖିଲା ବାଉଁଶ, ବେଣାଚେର ଘାସ ପକାଇ ସୀତାଙ୍କ ପାଇଁ ଭେଳା ଉପରେ ଏକ ଆସନ ପ୍ରସ୍ତୁତ ହେଲା l ସୀତା ନିଜ ଅଳଙ୍କାର ଓ ବସ୍ତ୍ରାଦି ସହ ଭେଳାରେ ବସିଲେ ଓ ସେମାନେ ଯମୁନା ସ୍ରୋତରେ ଜଳଯାତ୍ରା ଆରମ୍ଭ କଲେ l ଭେଳା ଯାଇ ନଦୀ ମଝିରେ ପହଞ୍ଚିବାରୁ ସୀତା କୃତାଞ୍ଜଳି ପୁଟ ହୋଇ ଯମୁନା ଦେବୀଙ୍କୁ ପ୍ରାର୍ଥନା କଲେ, ଶ୍ରୀରାମ ବନ ବାସ ଶେଷ କରି କୁଶଳରେ ଅଯୋଧ୍ୟାକୁ ଫେରି ଆସିଲେ ମୁଁ ଏକ ସହସ୍ର ଗାଭୀ ଓ ଏକଶତ ସୁରାଘଟ ଦ୍ବାରା ତୁମ ପୂଜା କରିବି l ଯମୁନା ପାର ହୋଇ ସେମାନେ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ସେହି ବଟବୃକ୍ଷ ନିକଟରେ ଯାଇ ପହଁଚିଲେ l ସୀତା ବଟ ବୃକ୍ଷଙ୍କୁ ପ୍ରାର୍ଥନା କରି କହିଲେ, ମୋର ପତି ତାଙ୍କ ବ୍ରତ ନିର୍ବିଘ୍ନରେ ପାଳନ କରନ୍ତୁ, ଆପଣ ଆମ ମାନଙ୍କୁ ଏହି ଆଶୀର୍ବାଦ କରନ୍ତୁ l ରାତ୍ରୀ ହୋଇ ଯିବାରୁ ସେ ଦିନ ସେମାନେ ଏକ ସମତଳ ଭୂମିରେ ରାତ୍ରୀ କଟାଇଲେ l ପ୍ରଭାତରୁ ସେମାନେ ଚିତ୍ରକୂଟ ଆଡ଼େ ଯାତ୍ରାରମ୍ଭ କରି ଯାଇ ମୁନି ବାଲ୍ମୀକିଙ୍କ ଆଶ୍ରମରେ ପହଞ୍ଚି ନିଜ ପରିଚୟ ଦେଲେ l ବାଲ୍ମୀକି ସେମାନଙ୍କୁ ଆଦରରେ ସତ୍କାର କଲେ l ନିକଟରେ ରାମ ଗୋଟିଏ ଆଶ୍ରମ ନିର୍ମାଣ କରିବାକୁ ମନସ୍ଥକଲାରୁ ଲକ୍ଷ୍ମଣ କାଠ କୁଟା ଆଦି ସଂଗ୍ରହ କରି ଏକ ସୁନ୍ଦର ପର୍ଣ୍ଣଶାଳା ନିର୍ମାଣ କରି ଦେଲେ l ବାସ୍ତୁଶାନ୍ତି, ଗୃହପ୍ରତିଷ୍ଠା ଓ ଗୃହପ୍ରବେଶ ଆଦି କର୍ମ ସମାପ୍ତ କରି ରାମ ସେହି ଠାରେ ବାସ କଲେ l ଅତି ମନୋରମ ଚିତ୍ରକୁଟ ପର୍ବତ, ହରିଣ ମୟୂର ଓ ନାନା ପକ୍ଷୀ ସେବିତ ପୁଷ୍ପିତ କାନନ, ସୁନ୍ଦର ଘାଟ ବିଶିଷ୍ଟ ମାଲ୍ୟବତୀ ନଦୀ କୂଳରେ ରମଣୀୟ ପର୍ଣ୍ଣ କୁଟୀରକୁ ଲାଭକରି ରାମ ଲକ୍ଷ୍ମଣ ସୀତା ବନବାସ ଦୁଃଖ ଭୁଲି ସେଠାରେ ଆନନ୍ଦରେ ନିବାସ କଲେ l
ରାମାୟଣ ବର୍ଣ୍ଣିତ ସେହି ଅକ୍ଷୟ ବଟ, ଆଜି ମଧ୍ୟ ପ୍ରୟାଗରେ ଦଣ୍ଡାୟମାନ ରହିଛି ଏବଂ ପର୍ଯ୍ୟଟକ ମାନଙ୍କ ଆନନ୍ଦ ବର୍ଦ୍ଧନ କରୁଛି l
            !!! ଜୟ ଶ୍ରୀରାମ !!!
                 🙏🙏🙏
                    ଅର୍ଜୁନୀ 
                  -------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Rate this content
Log in

Similar oriya story from Inspirational