Pradeep Kumar Panda

Abstract

3  

Pradeep Kumar Panda

Abstract

ରାଈ ଓ ଜଗନ୍ନାଥ

ରାଈ ଓ ଜଗନ୍ନାଥ

3 mins
158



  ଅନେକ ଦିନ ତଳର କଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ବଡପଣ୍ଡା ଠାକୁରଙ୍କର ବଡ ସେବକ। ନୈଷ୍ଠିକ ବ୍ରାହ୍ମଣ ସେ। ତାଙ୍କ ଚଳୁରେ ଜଗନ୍ନାଥ ଦେଖାଯାଆନ୍ତି।ତେବେ ଯାଇ ଭୋଗ ଲାଗେ। ଦିନ ପରେ ଦିନ ଗଡି ଚାଲେ। ବଡ ପଣ୍ଡାଏ କ୍ରମେ ବୟସ ଭାରରେ ନଇଁ ପଡିଲେ। ବଡ ଦେଉଳକୁ ଯିବା ଆସିବା କଷ୍ଟକର ହେଲା।

ଦିନକର କଥା। ବଡପଣ୍ଡା ବଡ କଷ୍ଟରେ ବଡଦେଉଳରେ ସେବାପୂଜା ସାରି ମନ୍ଦିରରେ ବସିପଡିଥିଲେ। କେହି ନଥାନ୍ତି। ବଡପଣ୍ଡା ବଡ କରୁଣ ଭାବରେ କାନ୍ଦି କାନ୍ଦି ହାତଯୋଡି କହିଲେ,“ହେ ଚକାଡୋଳା ! ମୋର ମୃତ୍ୟୁ ଆସନ୍ନ। ମୋର ଶରୀର ଆପଣଙ୍କ ସେବା କରିବାକୁ ଅସମର୍ଥ। ମୁଁ ଆଉ କାଲିଠାରୁ ବଡଦେଉଳକୁ ଆସି ପାରିବିନି ପ୍ରଭୁ। ମୋତେ କ୍ଷମା ଦିଅନ୍ତୁ ମହାବାହୁ।

ଭକ୍ତର ଆକୁଳ ଡାକରେ ପ୍ରଭୁ ବିଗଳିତ ହୋଇ ବଡପଣ୍ଡାଙ୍କ ଆଗରେ ଆଵିର୍ଭୂତ ହେଲେ। ବଡପଣ୍ଡାଙ୍କ ଆଖିରୁ ଶ୍ରାବଣର ଧାରା ଝରିଲା।

ସାଷ୍ଟାଙ୍ଗ ପ୍ରଣିପାତ କରି ପଣ୍ଡାଏ ନିଜକୁ ଭୁଲିଗଲେ। ମହାପ୍ରଭୁ ମହାଭକ୍ତଙ୍କୁ ବର ଯାଚିଲେ। ବଡପଣ୍ଡା କାନ୍ଦିକାନ୍ଦି କହିଲେ,“ଜୀବନର ଶେଷ ବେଳରେ ଆପଣଙ୍କ ଦେବଦୁର୍ଲଭ ଦର୍ଶନ ପାଇଲି ପ୍ରଭୁ। ଆଉ କିଛି କାମନା ନାହିଁ। କିନ୍ତୁ ଜଗନ୍ନାଥ କହିଲେ,“କିଛି ତ ହେଲେ ମାଗ।” ପଣ୍ଡା କହିଲେ,“ତେବେ ପ୍ରଭୁ ମୋର ଏକମାତ୍ର ଝିଅ ରାଈ ପାଇଁ କିଛି ମାଗିବି।ସେ ପିଲାଦିନୁ କୃଷ୍ଣଭକ୍ତ। ତା'ର ଏକମାତ୍ର ଇଚ୍ଛା ଆପଣଙ୍କ ଦର୍ଶନ କରିବ। ତା'ର ସେଇ ଇଚ୍ଛାଟିକୁ ପୂରଣ କର ପ୍ରଭୁ ; ଆଉ କିଛି ମୋର ଲୋଡା ନାହିଁ।ଜଗନ୍ନାଥ ତା' ପରଦିନ ଦେଖା ଦେବାପାଇଁ କଥା ଦେଲେ। ବଡ ଖୁସିରେ ପଣ୍ଡାଏ ଘରକୁ ଫେରି ଝିଅକୁ ଏ ଖୁସି ଖବର ଦେଲେ।ପରଦିନ ରାଈ ଦିନସାରା ବଡ ନିଷ୍ଠାରେ ପୂଜାବ୍ରତ କରି ଅପେକ୍ଷା କରିଥାଏ ଠାକୁର ଘରେ। ରାତି ହେଲା। ମହମହ ବାସି ଉଠିଲା ପୂଜାଘର।*

,*ଅଦ୍ଭୂତ ଆଲୋକରେ ଉଦ୍ଭାସିତ ହେଲା ଘରର ଅଭ୍ୟନ୍ତର।ମନମୋହନ ଶ୍ରୀକୃଷ୍ଣଙ୍କ ରୂପରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ। ଲୁହ ଆଉ କୋହରେ ଅନ୍ଧୁଣୀ ପ୍ରାୟ ହୋଇଗଲେ ବ୍ରାହ୍ମଣକନ୍ୟା ରାଈ। ପ୍ରଭୁ ତାଙ୍କୁ ସ୍ପର୍ଶ କଲେ। ଚେତନା ଫେରି ଆସିଲା।

ପ୍ରଭୁ କହିଲେ,“ତୁମ ମନଇଚ୍ଛା ବର ମାଗିନିଅ ରାଈ”।ରାଈ କହିଲା,“ମୋତେ ବିବାହ କରନ୍ତୁ ପ୍ରଭୁ। ମୁଁ ଆପଣଙ୍କୁ ସ୍ବାମୀ ରୂପରେ ଚାହେଁ।"

ଅଡୁଆରେ ପଡିଗଲେ ଦୀନବନ୍ଧୁ।କହିଲେ,“କଥା ଦେଇଛି ; ବିବାହ କରିବି ; କିନ୍ତୁ ଗୋପନରେ। ଲକ୍ଷ୍ମୀ ଜାଣିଲେ ରାଗିବେ। ରାତାରାତି ପଣ୍ଡାଏ ବିବାହ ବିଧି ସାରିଦେଲେ। ରାତି ନ ପାହୁଣୁ ହଟିଆ ନାଗର ପ୍ରଭୁ ବଡ ଦେଉଳକୁ ଫେରିଗଲେ। ପ୍ରଭାତରେ ଲକ୍ଷ୍ମୀମା' ଠାକୁରଙ୍କୁ ଦେଖି ସନ୍ଦେହ କଲେ। ଦେହରେ ହଳଦୀ, ପାଦରେ ଅଳତା,ପ୍ରଭୁଙ୍କର ଇଏ କି ବେଶ ! ମା ମହାଲକ୍ଷ୍ମୀ ପଚାରିଲେ,“ଇଏ କ'ଣ ଚକାଆଖି ! କ'ଣ ପ୍ରଭୁ ଦ୍ବିତୀୟ ବିବାହ କଲେ କି ?ଜଗନ୍ନାଥ ଚମକି ଗଲେ,“ନାଁ, ନାଁ, ମୁଁ ସ୍ବର୍ଗକୁ ଇନ୍ଦ୍ରଙ୍କ ବାହାଘରକୁ ଯାଇଥିଲି ; ସେଇଠି ଏ ଦଶା ହୋଇଛି।"

ମାଆ ସରଳ ; ନିଷ୍କପଟ ; ତେଣୁ ବୁଝିଗଲେ। ଗଲା କିଛିଦିନ।

କଳିହା ନାରଦ ସବୁ ଜାଣନ୍ତି ; ସତ କହି କଳି ଲଗାନ୍ତି। ତାଙ୍କୁ ଭଲ ପ୍ରସଙ୍ଗଟିଏ ମିଳିଗଲା। ସେ ଦିନେ ବଡପଣ୍ଡାଙ୍କ ଘରେ ଯାଇ ପହଞ୍ଚି ଗଲେ। ବଡପଣ୍ଡା ଓ ଝିଅ ରାଈ ତାଙ୍କର ଆଦର ସତ୍କାର କଲେ। ନାରଦ ଝିଅଟି ମଥାରେ ସିନ୍ଦୁର ଦେଖି ତା' ଶାଶୁଘର କଥା ପଚାରିଲେ। ବଡପଣ୍ଡା ସବୁ ସତକଥା କହିଦେଲେ। ନାରଦ ଜାଣିଲେ ଜଗନ୍ନାଥଙ୍କୁ ବିବାହ କରି ରାଈ ବାପଘରେ ଅଛି।


 ନାରଦ ରାଈକୁ ତାଙ୍କ ଶାଶୁଘର ଶ୍ରୀମନ୍ଦିରକୁ ଯିବାକୁ ପରାମର୍ଶ ଦେଲେ। କହିଲେ,“ତୁମେ ବଡଦେଉଳ ଯାଇ ମାଆ ମହାଲକ୍ଷ୍ମୀଙ୍କ ସେବା କର। ଦେଖାହେଲେ ସବୁ ସତକଥା କହିଦେବ। ଲକ୍ଷ୍ମୀ ମାଆ ଦୟା କଲେ ତୁମେ ଶାଶୁଘରେ ରହି ପାରିବ।"ତା’ପର ଦିନଠୁ ରାଈ ଲକ୍ଷ୍ମୀଙ୍କ ପହଡ ଭାଙ୍ଗିବା ପୂର୍ବରୁ ବଡଦେଉଳରେ ପହଞ୍ଚି ମନ୍ଦିର ପରିଷ୍କାର କରି, ଅନ୍ୟକାମ ସବୁ ସାରି ଗୋପନରେ ଫେରିଆସେ।ମହାଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ ଭାବିଲେ : "କିଏ ? କାହିଁକି ଗୋପନରେ ମୋର ଏତେ ସେବା କରୁଛି ?ଦେଖିବାକୁ ହେବ। ଦିନେ ରାଈକୁ ଧରିଲେ ଓ ପରିଚୟ ପଚାରିଲେ।ରାଈ ସତକଥା ଖୋଲି କହିଦେଲେ। ମା' ଲକ୍ଷ୍ମୀ ରାଗି ନିଆଁବାଣ।ଜଗନ୍ନାଥେ ଡରି ଛାନିଆ। ବୁଝେଇଲେ କି ଲକ୍ଷ୍ମୀ ବୁଝିବେ ? ଠିକ୍ ସମୟରେ ପହଞ୍ଚିଗଲେ କଳିହା ନାରଦ। ସବୁ କଥା ଆଉଥରେ ଶୁଣି ମାଆଙ୍କୁ ବୁଝାଇଲେ,"ପ୍ରଭୁ ତ ବିବାହ କରି ସାରିଲେଣି।

ବର୍ଷକ ୩୬୫ ଦିନ। ସେଥିରୁ ୨୫ ଦିନ ରାଈଙ୍କ ନାମରେ ରହୁ।ମା' ସର୍ବସଂହା...ରାଜି ହେଇଗଲେ।


ସେଇ ଦିନଠୁ ଆଶ୍ବୀନ ମାସ ଶୁକ୍ଳ ଦଶମୀ ଠାରୁ ୨୫ ଦିନ ଜଗନ୍ନାଥ ବଡପଣ୍ଡାଙ୍କ ଝିଅ ରାଈଙ୍କର ସ୍ବାମୀ ହୁଅନ୍ତି। ପ୍ରଭୁଙ୍କର "ରାଈ-ଦାମୋଦର" ବେଶ ଦର୍ଶନ କଲେ ଆଖି ପବିତ୍ର ହୁଏ। ମହାପାତକ ନାଶ ହୁଏ ।              ଲୀଳାମୟଙ୍କର ବିଚିତ୍ର ଲୀଳା ।


Rate this content
Log in

Similar oriya story from Abstract