Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lopamudra Parida

Abstract Drama Inspirational

4.0  

Lopamudra Parida

Abstract Drama Inspirational

ରାବି ମାଉସୀ

ରାବି ମାଉସୀ

8 mins
234



_ଚାଇଁ ଚେନାଚୁଉଉର୍ ଚେନାନାଆଆଆଆ ଚୁର୍ ।ଚାଇଁ ଚାଇଁ


ଦି ପିଇସାରେ ପୁରୁଣା ଖାତା କାଗଜରେ ଦି ମୁଠା ।ସୁ ସୁ ହଉଥା, ନାକ କାନ ପୋଛୁଥା, ମଜା ନଉଥା ।ସତରେ ଚାଇଁ ମାରିଦିଏ ଚୁରା ଚୁରା ଚେନାଚୁର୍ ।ବଡ ଲୋକେ ପୁଣି ତହିଁରେ କଞ୍ଚା ନାଲି ମରିଚ ଘୋଟି ଖାନ୍ତି, ବାପ କିଲୋ ..... ପଖାଳ ପାଗ ସାଙ୍ଗକୁ ସେଇଥିରୁ ପାଗଟେ ଯୋଉ ବୋଉ ଭରିଆ ରସୁଣ ,ଆଉ ଟିପେ ଶୋରିଷ ତେଲ,ଅଧା କଞ୍ଚା ଅଧା ଚୁଲି ପୋଡା ବିଲାତି ବାଇଗଣ ଟେ କି ସିଝା କି ରଡପୋଡା ଆଳୁ ଦେଇ ମନ୍ଥି ଥାନ୍ତି ସେଥିରୁ ବାସ୍ ସୋଡକାଏ ପୁରା ଜିଭର ମନ୍ଥନ କରିଦିଏ ।ଦିନ ଯାକ ଉପର ଓଠ,ନିଶ ତଳ ତକ ହାଳୁ ହାଳୁ କି ପୋଡୁଥବ ଆଉ ପାଗ ହାପୁଡାକୁ ମନେ ପକଉଥବ ।କିନ୍ତୁ ବାସେନା ଟା ମନ ଛାଡେନି ....ପୁଣି ଆର ଥର କୁ ଟାକିଥାଏ ।


_ସୁଉଉକେ ସୁଉଉକେ ପୁଡିଏ ବାରର୍ମଜାଆ ।ଆହାଆ।


ଚାରେଣୀ ଟେ ଦେଇ ଟିକିଲି କାଗଜ ଠୁଙ୍ଗା ରେ ସୁଉକିଏର ବାରମଜା ଟା ଇସ୍କୁଲୁ ବେଗ୍ ରେ ଖଞିକି ବଡଦେଇ ରଖିଦିଏ, କହେ ଭାତଖିଆ ବେଳେ ସୁନିର ତୋର ମିଶିକିରି ଖାଇବ ହେଲା ।ସୁନି ଆଉ ମୁଁ ଦିହେଁ ପଢିବାକୁ ଯିବୁ ବଲି ସିଏ ଯାଏନା ।ବୋଉକୁ ଘର ପାଇଟିରେ ହାତ ଲଗାଏ ।ପେଜଗଳା,ଧାନଉଁସା, ଗାଇ କୁ ଚୋକଡ, କୁଣ୍ଡା ଗୋଳେଇ ପି ପି କହିବା, ଗୋବର ଲିପିବା,ଚିତା ଆଙ୍କିବା, ଶାଗ ବାଛିବା, ସୁନିର ମୁଣ୍ଡେରେ ନାଲି ରିବନ ମାରି ସାଇଜିକି ବେଣୀ ଆଣ୍ଟିବା, ଫୁଲବଡି ପାଇଁ ଶିଳେରେ ବିରି ବାଟିବା ଆଉ ଭଲକି ଫେଣେଇବା ଏଇମିତି ଏଇମିତି କେତେ କଣ ରେ ବଡଦେଇଟା ମୋର ଧିରେ ଧିରେ ବୋଉ ପରି ହେଇଯାଉଥିଲା ।ପୁଣି ବାପା ଦେଇଥିବା ଦୋଳ ମେଲଣ ଖର୍ଚ୍ଚ ରୁ ବଳେଇକି ଆମକୁ ବାରମଜା କିଣେଇଦିଏ ।


_କଦମ କେ ଫୁଲ ଦୋ ଦୋ ରୁପିଆ ।କଦମ କେ ଫୁଲ୍ ।


ପଦୁଅଁ ପୁଲ ମଞ୍ଜି ର ଧଳା ଧଳା ନଡୁ ।କଦମ ଗଛର ଫୁଲ ପରି ଖଞ୍ଜା ହେଇଥାଇ ବୋଲି ସିଏ ଚିଲେଇ ଚିଲେଇ ଡାକୁଥାଏ କଦମ କା ଫୁଲ ,କଦମ କା ଫୁଲ ।ପ୍ରକୃତରେ କିନ୍ତୁ ସେଇଟା ପଦୁଅଁ କା ଫୁଲ୍ ।ମୋର ଭାରି ମନପସନ୍ଦ ଚିଜଟି ।ମସ ମସ କି ଖାସୁ ଖାସୁ କି ସେ ନରମିଆ ଜିନିଷ ଟି ଭାରି ନ ଲୋଭା ।ହେଲେ ଦାମ୍ ଟିକେ ଚଢା ।ହ ହବନି, ପଦୁଅଁ ତୋଳି, ମଞ୍ଜି କାଢି ତାକୁ ହାଲୁକା ଫୁଲ ଭଳିଆ ଭାଜି ଚିନି ସିରାରେ ବାସେନା ଗୁଣ୍ଡ ମସଲା ଟୋପା ଛିନ୍ଚି କେଡେ ବାଗେରେ ଗୋଲିଆ ପେଣ୍ଡୁ ପରି କରି ଗଢିଛି ଟି ।କଣ ସହଜ ପାଠ ନା କଣ ।ଦିନେ ଅଧେ ଦଦା କି ବାପା ଙ୍କ ଠି ଅଳି କଲେ ,ମୋ ଚାନ୍ଦ ପରି ମୁହଁଟି ଶୁଖେଇବା ଦେଖିଲେ ବୋଉର ଦିହ ସହେନି ତ ତା ' ପାଣି କାଚ ମୁଠେ ପେଇଁ କାନିରେ ବାନ୍ଧି ଥିବା କାଚେରା ର ଦି ଟଙ୍କା ଖୋଲି ହାତରେ ଥପେଇଦେଇ ହାଲୁକା ପେଲା ମାରିଦିଏ ।ଯା ଘିନିଆ ....ତିନିହେଁ ଯେମିତି ମିଶିକି ଖାଅ ।ମରାଟଣା ହବନି । ସମୁଦାୟ ରେ ତ ଗୋଟାଏ .....ଭୋଗ ପରିକା ପାଇଦଉ ।ବାପା କୁହନ୍ତି ଆର ଥର କୁ ଜଣକା ଗୋଟେ ଲେଖାଁ ଆଣିବା ।ଆମେ ବୁଝିଯାଉ ଆଉ ଭୁଲିଯାଉ ।ସବୁ ଥରକ ଦୃଶ୍ୟ ସେୟା ।


ତାର ହରିଣମାର୍କା ଶୋରିଷ ତେଲ ଟିଣ ଡବାଟିରେ ସିଏ କେତେ ଟା ରଖିଥାଏ କେଜାଣି ସେଥୁରୁ ଜାଣିବାକୁ ଭାଆରି ମନ ହୁଏ ।


_ଜୁଆନ୍ କସ୍, ଗରମା ଗରମ କଷା କଷ୍ ।।ଜୁଆନ୍ କସ୍ ।


ସାଇକଲ ପଛ ପଟେ କାଚ ଚାରିକୋଣିଆ ବାକ୍ସ ପରି ଡବା ରେ କାଠ ବନ୍ଧେଇ ତଳ ଉପର ପଟା ଥାଏ ।ଗୋଟିଏ ପଟ କାଚ ଅଳପ ତଳୁକୁ, ଖାଲି ତାରି ହାତ ସର୍ କି ପଶି ମୁଠେଇ ନେଇ ବାହାରି ଆସିବାକୁ ଯେତିକି ମେଲା ସେତିକି ।ସେ କାଚ ପଛରୁ ହଜାରେ ସରିକି ଗଣତି ରେ ସେଇ ସିଝା ସୋଲା ସବୁ ନଡିଆ ପାତ, ଭୃସଙ୍ଗ ପତ୍ର ଭଜା, ରାଶି ,ହେଙ୍ଗୁ, ଗୋଳେଇ ହେଇ ଆମକୁ ଚାହାଁନ୍ତି ଟକ ଟକ କି ।ଦଶ କି ପାଞ୍ଚ ପଇସି ଟେ ବଢେଇ ଦେଲେ ପାଲିସି ଖଲି ପତରଟିରେ ଟିକି ଖଇର ଡବା ଖୋଳରେ ଡବାଏ ଆଉ ଧାପେ ଢାଳିକି ସେଥିରେ ଲେମ୍ବୁ ରସ ବୋତଲରୁ ରସ,କଞ୍ଚା ମରିଚ କଟା ଆଉ ମଉଜିଆ ଲୁଣ ରୁ ଝିର୍ କି ସିନ୍ଚି ଦେଇ ହାତକୁ ବଢେଇଦିଏ ।ସେଇ ଯୋଉ ଲେମ୍ବୁ ବୋତଲର ଲମ୍ବାଳିଆ ଅଗ ରୁ ସିର୍ କି ପିଚ୍କି ପଡେ ଖଟା ପାଣିଟାନା ଆପେ ପାଟିରୁ ନାଳ ଛିଟିକି ଯାଏ ।ସିଏ ଆମ ମୁହଁ କୁ ଚାହିଁ ଗୋଟେ ଆଖି ଟିପ୍କି ଦେଇ ଟା ' କରି ଟାକରା ଟେ ଫୁଟେଇ ଦେଇ କହେ ,ଜୁଆନ୍ କଷ୍ ରେ ବେଟା ।ଖାଓ ୱର୍ ଜୁଆନ ବନ ଯାଓ .....ପରେ ଜାଣିଲି ସିଝା ସୋଲା ଟା ପ୍ରୋଟିନ୍ ରେ ଭରା ଓ ଘୋଡା ତାକୁ ଖାଇ ପବନରେ ଉଡେ ପରା। 


_ଝାଲ୍ ବେଡ୍ ଶ୍ କୁଆ ।।କୂଆ ଉଝାଲ୍ ବେ ଶ୍ କୂଅ ।ଝଣ୍ ଝଣ୍


ଅତଳ ତଳ ।ଲାଗେ ଯେମିତି ପାତାଳ ।ସିଏ କିନ୍ତୁ ଓଲ୍ହେଇ ଯାଏ ତଳକୁ ତଳ ଘର ପାହାଚ ପରି ଅତି ସହଜ ଢଙ୍ଗ ରେ ।ଡରରେ ଆମେ ଆଁ କରି ଚାହିଥାଉ ନନ୍ଦିଆ ଚାରିକଡ ଯାକ ।କୂଅ ପେଟରୁ ବାଲଟି ବାଲଟି କି ପାଣି ବୋହି ଆଣି ବାହାରେ ଦୁର୍ କି ଓଜାରି ଦେଇ ଫୁଣି ସାଏଁ କି ଓଲ୍ହେଇ ଯାଏ ତା ପେଟ ତଳକୁ ।ପୁରା ତଳକୁ ପଙ୍କ, ଲସର ନାଳ ,କାହାର ଢାଳୁଟେ, ଖାଲି ଟିଣୁଟେ, ମେଞ୍ଚେ ଶଂଙ୍ଖା, କାଚ,ବ୍ରତ ସୂତା, ପତର ,କାଗଜ ସବୁ ମିଶା ମିଶି ପାଣି ପଙ୍କ ସବୁ ଅନ୍ତ ସଫା କରି ଧୋଇଆଣେ ସେ ।ବାହାରେ ସେଇ ପଙ୍କରୁ ଧୋବେଇ ମା,ଝୁନୀ ଖୁଡି ,ସନା ବୋଉ ସବୁ ଅଣ୍ଡାଳନ୍ତି କାଳେ ତାଙ୍କର ସବୁ କୋଉ ସୁନା ମୁଦି କୂଅ ରୁ ପାଣି ଟାଣିଲା ବେଳେ ଖସିପଡିଥିଲା ।ଉଁ .....ଯୋଉ ସୁନା ।ଆଁ ।ମିଛେଇ ତକ ।


ସିଏ କୂଅ ଉଝାଳିବାକୁ ଗୋଟେ କଣ୍ଟା ମାଳ ଆଣେ, ଯୋଉଟା ଚାବି ପେନ୍ଥା ପରି ଗୋଟେ ବଡ ଗୋଲେଇ ଲୁହା ରିଙ୍ଗରେ ଝୁଲିଥିବା ସାନ ବଡ ଆଙ୍କୁଡା ପରି କଣ୍ଟାଟି ମାନ .....ଯାହାର ନାମ ବିଲେଇକଣ୍ଟା ।ବିଲେଇ ପଂନ୍ଝା ପରି ତିକ୍ଷ୍ଣ ହୋଇଥାଏ ବୋଲି ବୋଧେ ଏମିତି ନାମକରଣ ।

ବାମ୍ଫି କୂଅ ର ପେଟ ଚିକଣ ସଫା ହେଇଗଲା ପରେ ସେଥିରୁ ପୁଣି ମିଠା ପାଣିର ଝର ପଡେ, କୂଅରେ ମଧୁର ପାଣି ର ଭଣ୍ଡାର ଭରି ଯାଏ ।ଗାଁ ସାରା ତୃପ୍ତ ହୁଅନ୍ତି ବରଷେ ଯାଏଁ ।ପୋଖରୀ ଥିଲେ ବି ପିଇବା ପାଣିଟି ଏଇ କୂଅ ରୁ ଯାଏ ।ଆଉ କାହା କାହା ଘର କୂଅ ବି ସିଏ ଉଝାଳି ଦିଏ ବରାଦ କଲେ ।


କୂଅ ବି ତାକୁ କୃତଜ୍ଞତା ଢାଳେ ।


_ ପଇସାକର୍ ଗୁଡ୍ ଉଖୁଡା ।ଏକ୍ ଏକ୍ ପଇସା କର୍ ।


ଭାଲୁକୁଣି, ଗଣେଶ ପୂଜା, ଜନ୍ହିଓଷା, ଜମଦୁତିଆ କୋଉ ପୁନିଅଁ ପରବ ଓଷା ବାର ନାହିଁ ଯା ଅଗିଲା ଦିନ ସିଏ ନ ଆଇଚି ।ଝୁଡିଏ ଲିଆ, ଖଇ, ଗୁଡ ପାଗଦିଆ ମସଲା ଉଖୁଡା, କଳାଗୁଡ ଦିଆ ଆଉ ଚିନି ଦିଆ ରାଶି କୋରା ଡିବାଏ ପସରାଏ ମୁଣ୍ଡ ରେ ଥୋଇ ଆସେ ।ସବୁ ଘରୁ ଜାଣିକି କିଣନ୍ତି ତା ଠଉ ।ଗଲା ବେଳୁକୁ ଝାଡି ଝୁଡି ହେଇ ଯାଏ ।ଗାଁ ମୁଣ୍ଡରେ ଠାକୁରାଣୀ ପିଣ୍ଡି ଠି ଡେରିଥିବା ତା ସାଇକେଲ ସେଦିନ ଡେଣା ଧରେ ।ଗାଁ ରେ ହୁଳହୁଳି ଶୁଭିଲେ ,ତା ଭୋଗ ସରଞ୍ଜାମ ସବୁ ଆମ ଆଞୁଳି ପୁରେଇ ପାଟି କୁ ମିଠା କରିଦିଅନ୍ତି ।ଅବଚେତନେ ଆମେ ପୁଣି ତା ବାଟକୁ ଚାହୁଁ ।


_ ନାଲି ଟିପିଲ୍, ରିବନ୍, ସୁନ୍ଦୁର ।।କଲ୍ କତି, ଆଫ୍ ଗାନୀ ଅତ୍ର ।


ହରରଙ୍ଗୀ ପକାର ପକାର ନାଲିନେଳି ଟିପାଟିକିଲି ଯାହାକୁ ସେ ଟିପିଲି ବୋଲି ଡାକେ, ସାନ ବଡ ରଙ୍ଗବେରଙ୍ଗୀ ପାଣିକାଚ,ନାଲି ଶଂଙ୍ଖା, ପ୍ଲାଷ୍ଟିକ୍ ଭାଙ୍ଗ ପକା ଚୁମୁକି ଦିଆ ଚୁଡି, କେତେ ରଙ୍ଗର ରିବନଫିତା, ଇଲାଷ୍ଟିକ୍ ରବର ବ୍ଯାଣ୍ଡ, ନଖପଚା, ଇମିଟେସନ୍ ଚେନ ବେକକୁ ଆଉ କାନକୁ ଝୁମୁକା ଆଉରି କେତେ କଣ ମନୋହରି ଜିନିଷ .....ନିକାଲ ନିକାଲ କେ ଦେଖୋ, ସଜଲୋ, ସବର୍ଲୋ ,ଡାକୁଥାଏ ।ଝିଅ ପିଲା ପଂନ୍ଝାକ ବେଢି ଯାନ୍ତି ମହୁମାଛି ପରିକା ।ପେଲା ଠେଲା।

ରହ ରହ ବେଟି, ଏକ୍ ଏକ୍ ଆଓ ,ଏକ୍ ଏକ୍ ।ସବ୍ କଲକତି, ସବ୍ କଟକି ।

ଏ ଶବ୍ଦ ଦୁଇଟି ଯାଦୁଗରୀ .....କଲିକତି ଓ କଟକି ।ଶୁଣି ଶୁଣି ସେବେ ଲାଗୁଥିଲା ଯାଦୁନଗରୀ ବୋଧେ ..... କୁହୁକ ସହର ସତେ ।ବହୁତ ଦିନ ଯାଏ ଗାଁ ଦାଣ୍ଡ ରଜନୀଗନ୍ଧା ଅତରରେ ବାସେ ଆଉ ଝିଅ ମାନେ ସବୁ ସଜଫୁଲିଆ ଦିଶନ୍ତି ନୂଆ ସ୍ନୋ,ନଖପଚା ପାଉଁଡର ମାଖି ।

କେତେ ପ୍ରକାରରେ ଲାଲି ରଙ୍ଗର ସିନ୍ଦୁର ବିଭିନ୍ନ ଖୋପ ଡବାରେ ରଖିଥାଏ ,ସବୁଠୁ ବେଶି ବିକିରି ସେଇ ..... ପାନ ପରିକା କାଗଜକୁ ମୋଡିଦେଇ ଚାମଚେ ଦିଚାମଚ ଯାହା ଯେମିତି ଦେଇ ଖିଲ ମୋଡିଦିଏ ।ବୋଉ ସେତକ ନେଇ ଦିଅଁ ଥାକେରେ ମଙ୍ଗଳା ବୁଢୀକୁ ଛୁଏଁଇ ତା ଫରୁଆ ଡିବାରେ ରଖେ ।


ମୋର ମନ ହୁଏ ବଡଦେଇ ଆଉ ସୁନି ପାଇଁ ସବୁ ରଙ୍ଗରୁ ହଳେ ହଳେ ରିବନ କିଣି ଦିଅନ୍ତି ।ସାନପିଇସୀ ଘରଠିକି ଗଲାଦିନ ଯୋଉ ଦି ଟଙ୍କା ସିଏ ହାତଖରଚକୁ ତା ଶାଶୁ ଠୁ ନୁଚେଇକି ମୋ ହାତରେ ଗୁଞି ଦେଇଥିଲା ସେଇ କଥା ମନେ ପଡିଲା।ଧାଇଁଲି ଠଣା, ବହି, ଚଦର ତଳ ,ଦିଅଁ ଙ୍କ ଥାକ, ମାଟିଘଡି ସରାଗାତ ସବୁ ଅଣ୍ଡାଳି ଗଲି .ମନେ ପଡିଲା ହେ ହେ ମୁଁ ବା ଭାଡି ଉପର ଶିକା ତଳୁକୁ ସାଇତିଥିଲି ।ବାଉଁଶ ସିଡିରେ ଧଡପଡ ଚଢି କୁଲାପାଛିଆ ଟେକି ଦେଲା ବେଳକୁ ଏଡେ ଝିଟିପିଟି ଟେ ଲାଞ୍ଜ,ଅଣ୍ଟା ହଲେଇ ଗଲା ଯେ ଚିର୍ କିନା ଶବ୍ଦ ଟେ ଆପେ ବାହାରିଗଲା ।ହେଲେ ସେ ମୋଡାଲୋଚା ଦି ଟଙ୍କା ଟି ସେଠି ମଡା ହେଇ ହେଇ ଫାଟି ଯାଇଥିବା ଆଉ ମାଟି ଲାଗି ସରିଯାଇଥିବା ଦେଖି କାନ୍ଦ ଲାଗିଲା ।ମୁହଁ ଓହଳେଇ ତଳକୁ ପଛେଇ ପଛେଇ ଓହ୍ଲେଇ ଦେଖେ ବଡଦେଇ ଧରିଛି ସବୁ ରଙ୍ଗ ରିବନରୁ ଥାକେ .......ପବନରେ ତା କାନି କଟା ଅଗ ସବୁ ଫରଫରଉଛି ।ଦେଇ ଲୋ କହି କୁଣ୍ଢେଇ ପକେଇଲାରୁ କହିଲା ଆରେ ଛୁଟିରେ ମାମୁଁ ଆସିଥିଲେ ନା ,ଦେଇଥିଲେ ।ହେଇ ନେ ତୋ ପାଇଁ ପାନିଆଁ ଟେ ବି କିଣିଛି ଆଉ ଏଇ ବାସନା ତେଲ ।ଗାଧେଇ ଗଲା ବେଳେ ମାରିହବୁ ।

ବୋତଲ ମୁହଁ ରେ ନାକ ଦେଇ ଦେଲାରୁ ଆଖି ଆପେ ବୁଜିହେଇ ଗୋଟେ ଅଜଣା ସୁନ୍ଦର ଫୁଲବାରିକି ଘିଇଇଇଁ କି ଘେନି ଗଲା ।


ଏଥର ମୁଁ ତାକୁ କହିଛି ଆମ ବାପା ଙ୍କ ପାଇଁ ହଳେ ଟାଣୁଆ କଲିକତି ଚପଲ ଆଣିଦବାକୁ, ପୁରୁଣା ସ୍ଲିପର ଟା ଶିଉଳି ଲାଗି ତା ଟେପେ ଫିଟିଆଇଲାଣି ତ ସେଇଲାଗି ....... ଆଉ ବୋଉ ଲାଗି ତାରା ଲଗା ହଳେ କାଚ ।ସଭିଁଙ୍କ ଠୁ ନିଆରା ହବ ଯେମିତି ।


ତଣ୍ଟି ଫଟେଇ ରାବି ରାବି ଯାଏ ବୋଲି ବୋଧେ ତା ନାଁ ଟି ଏଇମିତି ।ସବୁ ବେଳେ ଅଲଗା ଅଲଗା ପ୍ରକାର ପସରାରେ କେତେ କଣ ପରସେ , ଲୋକଟି କିନ୍ତୁ ଜଣେ ।ଆମେ ଛୁଆ ଯାକ ତା ପାଟି କୁ କାନେଇ ଥାଉ ଆଉ ଆମ ମା ଖୁଡିଏ ଅନେଇ ଥାନ୍ତି ।କିଛି ସେମିତି ନିର୍ଦିଷ୍ଟ ସମୟ ସିଏ ରଖିନଥାଏ ଯେ ଏଇ ଏଇ ଦିନ ,ଏଇ ଏଇ ମାସ ଆସିବ ବୋଲି, କିନ୍ତୁ ଆମେ ତାକୁ ଜଗିଥାଉ ।କେତେ ଦିନ ଗଢି ଗଲେ ଖୋଜନ୍ତି ସଭିଏଁ ।କାହାକୁ ତାର ଠିକଣା ଜଣା ନ ଥାଏ, କୋଉଠି ରହେ, କୋଉ ଗାଁ, କୋଉଠୁ ଆସେ କୁଆଡେ ଯାଏ ।କିଏ କହେ ସେ ଆଫ୍ଗାନୀ, କିଏ କହେ କଲିକତି କିଏ କଟକି ।କିନ୍ତୁ ଖୋଜା ପଡେ ତାର ପନ୍ଦର ଦିନ ମାସରେ ।


ସବୁ ଗାଁ କୁ ଯାଏ ତ ,ସବୁଠି ତାର ଆଦର ।କିଏ କିଏ ତାକୁ ଚାଉଳ ପାଏ ,କଞ୍ଚା ବନ୍ତଳ ଯୋଡେ,ନଡିଆ ଫାଳେ ଶାଗ ପତର ଯୋଡେ, ଦିଅନ୍ତି ।ହରଡ କି ମୁଗ ମୁଠେ ଅକାଳେ ସକାଳେ .....ଡାଲି ବା ସବୁ କାଳେ ମହରଗ ।କିଏ କିଏ ଲୁଗା,ଗାମୁଛା ଯୋଡେ ଦିଅନ୍ତି।ଏକେ ତ ଗାଁ କଥା ,ଏଠି ସମସ୍ତଙ୍କର ଯେତିକି ଚୂନାକୁ ସେତିକି ପିଠା ।କାହାର ଯଦି ବହୁତୁ ସିଏ ଜମିଦାରେ ।

ସିଏ କାନି ପାରି ନିଏ ।ଦି ହାତ ଟେକି ଆଶିଷ ଓଜାରି ଯାଏ ।ଆଖି ରେ ଆଖିରେ କେତେ କଥା କହେ ।କୃତ୍ଯ କୃତ୍ଯ ହୁଏ ।


ଆରମା ଅମରି ବଣ ସେପାରୁ ତା ଡାକ ଶୁଭିବା ଆରମ୍ଭ ହେଇ ଧିରେ ଧିରେ ଗାଁ ଭିତରକୁ ମାଡିଆସେ ଆଉ ଟାଣିହେଇଯାଉ ସମସ୍ତେ ।କିଚ ମିଚ ଧଣ୍ଡିଆ କେଣ୍ଡୁଆ ସବୁ ଧାଉଁ ତା ଝୁମ୍ ଝୁମୀ ପଛରେ ଅଧା ଗଳ ଗଳ ପେଣ୍ଟ ଟେକି, ରବର ଫଟା କଳା ଟାୟାର ଚକ କୁ ଚାକୁଣ୍ଡା ଡାଙ୍ଗେରେ ଘିର୍ ଘିର୍ ଘୁରେଇ ଘୁରେଇ ।ରାମେଶ୍ବର ଙ୍କର ଦୋଳ ମଣ୍ଡପ ପିଢା ଠି ବାପା ଦଦା ସମତିଙ୍କି ପାରି ହେଇ ,ଆମ ବଡ ପୋଖରୀ, ମାଛ ଗାଡିଆ, ପଦୁଅଁ ପୋଖରୀ ଡେଇଁ ସର ଘରଠି ଢେଙ୍କିଆ କତିରେ ତା ବୁଜୁଳା ଆଉ ମୁଣ୍ଡ ଡାଲା ତଳୁକୁ ଥୋଇ ପାଣି ମାରି ଆଞୁଳି ରେ ସିଏ ପିଇବା ଭିତରେ ଆମ ଆଖି ତା 'ନ ଦୁଶୁଥିବା ଲୁଚିଥିବା ଜିନିଷ କୁ ଖୋଜିପକାଏ, ତା ମୁଣି ଆଉ ଝୁଡି ଲାଗେ କୁହୁକିଆ ।କୋଉ ଦିନ କଣ ବାହାରିବ କେବଳ ସିଏ ହିଁ ଜାଣେ .....କିନ୍ତୁ ଥରେ ପେଡିରୁ ବାହାରିଲେ ଆମର ପାଟିରୁ ଲାଳ ଗଢିବାଟି ଥୟ ।


ସବୁଥର ତା' କାମ ବେଉସା ସାରି ଫେରି ଗଲା ବେଳେ ଗାଁ ବସତି ଶେଷକୁ ଯୋଉଠୁ ନିଛାଟିଆ ସେଇଠୁ ,ମୁଁ ଦେଖେ ସେ ତା ଅଣ୍ଟି ରୁ ଗୋଟେ କଣ କାଢି ନିଆଁ ଧରାଏ ଆଉ କୁଣ୍ଡଳୀ କରି ଆକାଶ କୁ ଧୂଆଁ ଛାଡେ ।କୌତୁହଳ ବଢେ ।ଥରେ ବାପା ଙ୍କୁ ପଚାରି ଗୋଟେ ବ୍ରହ୍ମ ଚଟକଣି ଖାଇଥିଲି ଯେ ଚଢେଇ ସବୁ କାନମୁଣ୍ଡା ଚାରିକଡେ ଚଁ ଚାଁ ଫଡ୍ ଫାଡ୍ କରି ଉଡିଗଲେ ।ଝାଇଁ ଝିଲି ମାରିଗଲା ।ଆଉ ସେଦିନୁ ପଚାରିନି କେବେ ।ସାଙ୍ଗ ମାନଙ୍କ ଠୁ ଶୁଣିଲି ପରେ ସେ ନିଆଁ କାଠିରୁ କାଳେ ତାକତ ମିଳେ, ଓଅଃ ସେଇ ଲାଗି ସାବିମାଉସୀ ର ଏତେ ଯୋଗାଡିଆ ବୁଦ୍ଧି ଜୁଟୁଥାଇ ।ମାଉସୀ ଟି ହେଲେ ବି ପୁରୁଷଙ୍କ ପରି ଏତେ ଖଟି ପାରେ, ଗାଁ ଗାଁ ବୁଲିପାରେ, ଏତେ ଭାଷା କହିପାରେ........କଲିକତି, କଟକି, ଆଫଗାନି ,ସାଇକଲ ଚଢେ ।ଇଲୋ ମା ।ଗୁମର ତେବେ ଏଠି ।ସେ ଦପ୍ ଦପ୍ କରୁଥିବା ଚିଜ ଟିକୁ ଫୁଙ୍କ ମାଇଲେ ଜୋର୍ ଜଳେ ଆଉ ଛାତି ଭିତରଟା କାଳେ ଉଷୁଆସିଆ ଲାଗେ ।



ଧିରେ ଧିରେ ବଡ କ୍ଲାସ୍ ହବାରୁ ପାଠ ପଢିବାକୁ କଟକ ମାମୁଁ ଘରେ ରୁହା ।ମଝିରେ ମଝିରେ ଗାଁ କୁ ଯିବା ଭିତରେ ଆଉ ତାକୁ ଦେଖିନି ।ବୋଉ କୁ ଦିନେ ପଚାରିଲାରୁ ଜାଣିଲି ସେ ନିଆଁ କାଠି ଟଣା ଟି ହି ତା ପାଇଁ କାଳ ହେଲା ।ଯେତେ ଯାହା ହେଲେ ନିଆଁ ନା ।ଜାଳିବା ତା ଧର୍ମ ।ଜାଳିଦେଲା କଲିଜା ହୁତ୍ କି ।ଯୋଉ ପାଟିରେ ପବନ ଦେଇ ଦେଇ ସିଏ ସେ ନିଆଁ କୁ ବଞ୍ଚେଇ ରଖିଥିଲା ସେଇ ପବନକୁ ଗିଳିଦେଲା ସେ ସର୍ବଗିଳା ନିଆଁ ।


ସହରରେ ପଢିବା ଭିତରେ ମୁଁ ଯାଣିସାରିଥିଲି ତା ନାଁ ଯିଏ ହଜେଇ ଦେଇ ଥିଲା ଆମ ଗାଁ ପିଲା ଙ୍କର ପୋଟଲି ଆମ୍ମା କୁ ।ଆମ ସାବି ମାଉସୀ କୁ ।" ବିଡି " ଆଉ ତାର ବହୁତ ଗୁଡେ ବଡ ଭାଇଙ୍କର ନାମାବଳୀ ।


ତା ପରଠୁ ଯିଏ ଟାଣେ ତାକୁ ମୁଁ ଅପେ ଘୃଣା କରେ ..... ସେତିକି କାରଣ ଯଥେଷ୍ଟ ।।



Rate this content
Log in

More oriya story from Lopamudra Parida

Similar oriya story from Abstract