ପୁରୁଖା ଲୋକଙ୍କ ପୁରୁଖା ଅନୁଭୂତି
ପୁରୁଖା ଲୋକଙ୍କ ପୁରୁଖା ଅନୁଭୂତି
ମୋ ପିଇସୀ ଅପା ଜଣେ ପୁରୁଖା ମହିଳା। ଆମକୁ ସବୁ ବହୁତ ଭଲ ପାଆନ୍ତି।ତାଙ୍କର ଏକମାତ୍ର ଭାଇଙ୍କର ଝିଆରୀ ପୁତୁରା ହିସାବରେ ଆମକୁ ଖୁବ ଭଲ ପାଆନ୍ତି ତ ପ୍ରତି ପୂଜା ଛୁଟିରେ ବାପା ବୋଉଙ୍କ ସହ ଆମେ ତାଙ୍କ ଘର ଥିବା ଗ୍ରାମକୁ ଯାଉ। ସେହି ଗ୍ରାମର ସମସ୍ତ ଝିଅ ବୋହୁ ଗାଧୁଆ ପାଧୁଆ ସାରି ଯିଏ ଯାହା ଘରୁ ପଖାଳ ବେଲା ସହ ପୋଡାପୋଡ଼ି କରି ପାଗପୁଗା ଓ ଶାଗ ଭଜା, ବଡିଭଜା ମିକ୍ଚର ଇତ୍ୟାଦି ଧରି ଗୋଟିଏ ଜାଗାରେ ଏକତ୍ରିତ ହୋଇ ଏକାଠି ସକାଳ ପଖାଳ ଖିଆ କରନ୍ତି। ମୋ ପିଇସୀ ଝିଅ ଭଉଣୀ ମାନେ ବି ସେ ପଖାଳ ଖିଆରେ ଯୋଗ ଦିଅନ୍ତି। ମୋର ବି ମାନଥାଏ। କିନ୍ତୁ ଅପା ମତେ ବା ମୋ ଭାଇଭଉଣୀ ମାନଙ୍କୁ ସେଠାକୁ ଛାଡି ଦିଅନ୍ତି ନାହିଁ। କହନ୍ତି ସମସ୍ତେ ଗୋଳିଆ ମିଶା କରି ଏକାଠି ଖାଉଥିବେ, ମୋ ପିଲାମାନଙ୍କୁ ଅସୁକୁ ଲାଗିବ। ଏମିତି କହି ତାଙ୍କ ସହ ନିଜ ଘରେ ପଖାଳ ଯୋଗାଡ କରନ୍ତି। ସେତେବେଳକୁ ଆମେ ଲିଆ କ୍ଷୀର ବା ମୁଢ଼ି ପାଗ ବା ମୁଢି କ୍ଷୀର ଖାଇଥାଉ ତ ଖାଇବାରେ ଆଗ୍ରହ ନଥାଏ। ଅନାଗ୍ରହର କାରଣ କିନ୍ତୁ ଅପା। ବୋଉ ଯଦିଓ ଖାଉଥାଏ ନିର୍ଦୋନ୍ଦ ରେ ଆମେ କିନ୍ତୁ ଅପାଙ୍କର ଡ଼ାହାଣ ହାତରେ ଥିବା କାଣୀ ଆଙ୍ଗୁଠିକୁ ଦେଖି ଖାଉନା। ଅପାଙ୍କର ସେହି କାଣୀ ଆଙ୍ଗୁଠିଟା ମଝିରୁ ବାଙ୍କି ଯାଇ ଏକ ତ୍ରିକୋଣ ଭୂମିର ପରିଚୟ ଦିଏ। ସେ ସେହି ହାତ ବୁଡ଼ାଇ ପାଗ କରୁଥାନ୍ତି ତ ଆମେ ଖାଉନା।
ବୁଝି ପାରନ୍ତି ପିଇସୀ ଅପା ଆମ ମନ କଥା କହନ୍ତି ଆସୁକ କରୁଛ କି ପିଲାମାନେ ମୋ ଆଙ୍ଗୁଠି ଦେଖି। ମତେ ପରା ଗର୍ଭିଣୀ ଚୁଚୁନ୍ଦ୍ରା କାମୁଡି ଦେଇ ଏମିତି ଅବସ୍ଥା। ଯେତେ ଔଷଧ ପତ୍ର ଖାଇଲି ଘାଆ ଶୁଖିଗଲା କିନ୍ତୁ ଆଙ୍ଗୁଠି ସିଧା ହେଲା ନାହିଁ। ଦେଖୁନ କିଛି ଖରାପ ନୁହଁ ଖାଲି ଏମିତି ବାଙ୍କି ଯାଇଛି ସିନା ମୋ ହାତର ପାଗ କିନ୍ତୁ ଭାରି ସୁଆଦ। ଖପ୍ ଖାପ ହୋଇ ଘେରିଯାଉ ଭାତ କଂସା। ବଡି ପାଗ, ଚୁନାମାଛ ଭଜା, ପିତା ଶାଗ ସହ ଯାବତୀୟ ପାଗ ମହମହ ବାସେ। ରସୁଣ ଧନିଆଁ ପତ୍ର ମହକରେ ସତରେ ପଖାଳ ଖିଆ ଭାରି ମଜ୍ଜା ଲାଗେ।
ଏସବୁ ବହୁତ ଦିନ ତଳର କଥା। ଅପା ବି ଚାଲିଗଲେଣି। ସେଦିନ ଶୋଇବାକୁ ଯାଇ ତକିଆ ଭିତରେ କିଛି ଖସ ଖାସ ହେବାରୁ ଉଠି ଦେଖେତ ମୂଷା ଦିଟା ପଶିଥିଲେ, ହେ ପ୍ରଭୁ ଗର୍ଭିଣୀ ମୂଷା ଯଦି ହୋଇଥିବ, ଯଦି କାମୁଡି ଥାଆନ୍ତା??? ପୁଅ ସେଶବୁ ନଶୁଣି ମୂଷା ଯନ୍ତା ସହ ମୂଷାମରା ଔଷଧ ନେଇଆସିଥିଲା।
