Padmalaya Mishra

Inspirational

4.0  

Padmalaya Mishra

Inspirational

ପୁନରାବୃତ୍ତି

ପୁନରାବୃତ୍ତି

3 mins
204


   ଦୁଃଖ କ'ଣ ? ପୁଣି ଦୁଃଖର କାରଣ କ'ଣ ? ମଣିଷ ତ ସବୁବେଳେ ସୁଖ ଚାହେଁ ... ତେବେ ଦୁଃଖ ଭୋଗେ କାହିଁକି ? ଏମିତି ଅନେକ ପ୍ରଶ୍ନର ବାଣ କମଳିନୀଙ୍କ ମନରେ ଉଠୁଛି । କୋହ ଉଠୁଛି । ସ୍ଵାମୀଙ୍କ ସ୍ଵର୍ଗବାସ ପରେ ଏଇ ଆଠ ବାଇ ଚାରି ରୁମ୍ ଖଣ୍ଡିକ ସମ୍ପୂର୍ଣ୍ଣ ସଂସାର । ଏହାରି ଭିତରେ ଦିନ ରାତି କଟୁଛି । 


  ଅନେକ ସ୍ଵପ୍ନକୁ ଆଖିରେ ସଜେଇ ଜଗଦୀଶଙ୍କ ଧର୍ମପତ୍ନୀ ସାଜିଥିଲେ କମଳିନୀ । ଜଗଦୀଶ ସରକାରୀ ଉଚ୍ଚ ପଦାଧିକାରୀ । ଅଚଳାଚଳ ସମ୍ପତ୍ତିକୁ ଦୁଇ ଭାଇ ଜଗଦୀଶ ଓ ହରିଶ୍ । ଜଗଦୀଶ ସୁଦୂର ଆସାମରେ ଚାକିରୀ କରନ୍ତି । କେତେ ଥର ତାଙ୍କ ବାପା ବୋଉ କହିଛନ୍ତି, ବୋହୂକୁ ପାଖକୁ ନେଇ ଯା । କିନ୍ତୁ ଜଗଦୀଶଙ୍କ ଗୋଟିଏ ଉତ୍ତର ଆଉ କିଛି ଦିନ ଯାଉ । ହରିଶ୍ ବାହା ହେଇଯାଉ । କମଳିନୀ ବହିରେ ଆସାମର ପ୍ରାକୃତିକ ଶୋଭା ବିଷୟରେ ପଢିଛନ୍ତି । ସେଠିକି ଯିବାକୁ ସବୁଥର ମନ କରନ୍ତି । କିନ୍ତୁ ଜଗଦୀଶ ବୁଝେଇ ଦେଇ ଏକୁଟିଆ ଯାଆନ୍ତି । 


  ଏବେ ହରିଶର ବିବାହ ହୋଇଗଲା । ସମସ୍ତଙ୍କ ଆଶା ବିପରୀତ ସେ ତା ସ୍ତ୍ରୀ କୁ ନେଇ ବିବାହର ପନ୍ଦର ଦିନ ପରେ ନିଜ କର୍ମସ୍ଥାନ ଅହମଦାବାଦ ଗଲା । ତେଣୁ ଏଥର କମଳିନୀଙ୍କୁ ନେବାକୁ ମନସ୍ଥ କରିଥିବା ଜଗଦୀଶ ଚିନ୍ତାରେ ପଡିଲେ । ଆରଥରକୁ ଆସିଲେ ନିଶ୍ଚୟ କମଳିନୀଙ୍କୁ ସାଙ୍ଗରେ ନେବେ ବୋଲି କହିଲେ । 


  ଏଥର କମଳିନୀ ମନରେ ଦୁଃଖ ନୁହେଁ ରାଗ ବଢିଲା । ତିନି ବର୍ଷର ପୁଅକୁ ନେଇ ବାରମ୍ବାର ବାପଘରେ ଯାଇ ରହିଲେ । ଜଗଦୀଶ ଆସାମରୁ ଫୋନ କରି ବୁଝେଇଲେ ଆଠ ଦଶ ଦିନ ପାଇଁ ଶାଶୁଘରକୁ ଆସନ୍ତି । 


  ବୋହୂର ମନର ଅବସ୍ଥା ବୁଝି ପାରି ଜଗଦୀଶଙ୍କୁ ତାଙ୍କ ବାପା ବୋଉ ଡକାଇ ଏଥର ପୁଅ ବୋହୂକୁ ଆସାମ ବିଦା କଲେ । ଜଗଦୀଶ ଓ କମଳିନୀ ବର୍ଷକୁ ଥରେ ଗାଆଁକୁ ଆସନ୍ତି । ହରିଶ୍ ବର୍ଷକୁ ଦୁଇଥର ଗାଆଁକୁ ଆସେ। କିନ୍ତୁ ତା ସ୍ତ୍ରୀ ଜମା ଆସେନି । 


  ଏଥର କମଳିନୀ ବି ଆସିବା ବନ୍ଦ କରି ଦେଲେ । ସମୟର ସୁଅରେ ବାପା ବୋଉ ଚାଲିଗଲେ । ଗାଆଁ ଘର ରକ୍ଷଣାବେକ୍ଷଣ ଅଭାବରୁ ଡିହ ପାଲଟି ଗଲା । ଦୁଇ ଭାଇ ଭିତରେ ସମ୍ପତ୍ତିର ଭାଗବଣ୍ଟା ହେଇଗଲା । ଯିଏ ଯାହା ଭାଗ ବିକ୍ରି କରି ସହରରେ ବଙ୍ଗଳା ପ୍ରସ୍ତୁତ କରିନେଲେ । ଗାଆଁ ପ୍ରତି ମୋହ ଯୋଗୁଁ କମଳିନୀଙ୍କ ବାରଣ ସତ୍ତ୍ୱେ ଜଗଦୀଶ ଗାଆଁ ଡିହରେ ଦିବଖରା ଘର ଖଣ୍ଡେ ତୋଳିଲେ । ଭୁବନେଶ୍ୱର ତ ଏବେ ଚାକିରୀ କ୍ଷେତ୍ର । ତେଣୁ ଶନି ରବି ଏକୁଟିଆ ଗାଆଁକୁ ଆସି ରୁହନ୍ତି । ପର୍ବ ପୁନିଅରେ ବି ଆସନ୍ତି । କମଳିନୀ କ'ଣ ସେ ଗାଆଁରୁ ମିଳୁଛି କହି ଚିଡନ୍ତି ।


  ଝିଅ ବାହା ହୋଇ ଜୋଇଁ ସଙ୍ଗେ ଗଲା ଲଣ୍ଡନ । ପୁଅର ଚାକିରୀ ଭୁବନେଶ୍ୱରରେ । ତେଣୁ ଏଇ ଘରେ ରୁହନ୍ତି । କମଳିନୀ ଯଦିଓ ଶାଶୁ ପଣିଆ ଦେଖାନ୍ତି ନାହିଁ, କିନ୍ତୁ ଜଗଦୀଶଙ୍କ ସହ ଜମା ଗାଆଁକୁ ଯାଆନ୍ତି ନାହିଁ । 


  ହୃଦ୍ ଘାତରେ ଅଚାନକ ଜଗଦୀଶଙ୍କ ଦେହାନ୍ତ ହେଲା । ଏକୁଟିଆ ହେଇଗଲେ କମଳିନୀ । ଏବେ ଶାଶୁଙ୍କ କଥା ମନେ ପଡିଲା । ଶଶୁରଙ୍କ ଦେହାନ୍ତ ପରେ ସେ ଏମିତି ଅନୁଭବ କରିଥିବେ । 


  ଇତିହାସର ପୁନରାବୃତ୍ତି ହେଲା । ପୁଅର ଟ୍ରାନସଫର ହେଲା ଦିଲ୍ଲୀ । ବୋହୂ ଓ ନାତିକୁ ନେଇ ଚାଲିଗଲା । ଏଡ଼େ ବଡ଼ ଘରେ ବୋଉ ତୁ କ'ଣ ଏକୁଟିଆ ରହିବୁ କହି ଗୋଟିଏ ବଖରା ଛାଡି ବାକି ସବୁ ଭଡା ଲଗେଇ ଦେଲା । 


  କମଳିନୀ ମନେ ମନେ ଭାବିଲେ ଏଇ ଘର ତାଙ୍କର ସ୍ଵପ୍ନର ଘର ଥିଲା । ସେଇ ଘର ଉପରେ ବି ଆଉ ଅଧିକାର ନାହିଁ । ବୋଧହୁଏ ଭଗବାନ ମୋ ଭୁଲର ଶାସ୍ତି ଦେଉଛନ୍ତି । ଇତିହାସର ପୁନରାବୃତ୍ତି ତାଙ୍କ ଆଖି ଖୋଲିଦେଲା । 


  ଚାରି ବାଇ ଆଠର ଏଇ ରୁମ୍ ଛାଡି ଗାଆଁ ରେ ସ୍ଵାମୀ ତିଆରି ଥିବା ଦି ବଖରା ଘରେ ରହିବା ମନସ୍ଥ କଲେ । ଦୁଃଖ ତ ନିଶ୍ଚୟ ମନରେ ରହିଲା ଅତୀତ ଓ ବର୍ତ୍ତମାନର ଚିନ୍ତାରେ । କିନ୍ତୁ ଭବିଷ୍ୟତ ଅନିଶ୍ଚିତ ନାହିଁ । ସେ ଏବେ ସୁଖ ଅନୁଭବ କରୁଛନ୍ତି ।।

    


Rate this content
Log in

Similar oriya story from Inspirational