Debaprakash Sahoo

Drama Tragedy

3  

Debaprakash Sahoo

Drama Tragedy

ପୁଗି

ପୁଗି

5 mins
7.3K


କ୍ଷୀର ଛାଡ଼ିଚିକି ନାଇଁ , କାହିଁକି ଆଣିଚୁ ତାକୁ ? ଆଜି ଯାଏଁ ନିଜେ ଗାଧେଇ ଶିଖିଲୁଣି ? ଏଠି ସେଠି ଗଡ଼ିକି ଯାହା ତ ଭୂତ ଛୁଆ ପରିକା ହଉଚୁ, ତୋରି ନବରଙ୍ଗ ବୁଝୁ ବୁଝୁ ମୋ ଦିନ ଯାଉଚି । ତା ପରେ ପୁଣି ଜନ୍ତୁ ଗୋଟେ ଆଣିକି ଚାଲି ଆସିଲା । କିଏ ବୁଝିବ ତା କଥା ? ସେଗୁଡ଼ାକ ଘରେ ପଶିବେ, ଦୁନିଆ ଅପରିଷ୍କାର କରିବେ । କିଏ ପୁଣି ତା ଗୁଅ ମୁତ ମୋର ସଫା କରିବ ? ତୋ ସେବା କରି କରି ମତେ କଣ୍ ହଉନିନା ପୁଣି ତୋ କୁକୁର ସେବା କରିବି । ନେଇଯା ତାକୁ ତା ମା ପାଖରେ ଛାଡି ଦେଇକି ଆ ରଅଖ ଲୋ ମା, ମୁଁ ତାକୁ କଇଦେବି ସିଏ ଘରେ ହଗିବନି ବାହାରେ ହଗିବ । ଏଣିକି ମୁଁ ନିଜେ ଗାଧେଇବି ମୋ କୁକୁରକୁ ବି ଗାଧେଇ ଦେବି ।

ଆର ଗାଁ କୁମ୍ଭାର ସାହିରୁ କୁକୁର ଛୁଆଟେ ଆଣିବା ପରର ଘଟଣା ଇଏ । ପିଣ୍ଢା ତଳେ ମୁଁ ସେମିତି କୁକୁର ଛୁଆଟେ ଧରିକି ଛିଡ଼ା ହେଇଥାଏ । ମା ଏମିତି ଗର୍ଜୁଥିଲା ଯେମିତିକି ମୁଁ ଗୋଟେ ବଡ ଅପରାଧ ଘଟେଇକି ଆଇଚି । ବାପା ଆସିକି କହିଲେ ପିଲା ଲୋକ ମନ କରିକି ଆଣିଚି ତ ରଖୁ, ତୁ ଇମିତି କାଇଁକି ହଉଚୁ । ବାପାଙ୍କ କଥା ଶୁଣିକି ମା ବେଶି ଚିଡି ଗଲା ଚିଲେଇ କି କହିଲା ତମର ବେଶି ପୁଅ ସୁଆଙ୍ଗ ବାହାରୁଚି । ହଉ ରଖିବ ଯଦି ରଖ, ହେଇ କହିଦଉଚି ଶୁଣ ସେ କୁକୁର ଯେମିତି ଘରେ ନପଶେ । ମା ଗଲାପରେ ବାପା ମୋ ହାତରୁ କୁକୁର ଛୁଆଟାକୁ ନେଲେ, ପଚାରିଲେ ୟା ନାଁ କଅଣ ଦେବା ? କଳା ଧଳା ହେଇକି ସୁନ୍ଦୁରିଆ ଛୁଆଟେ, କାନ ଯୋଡ଼ିକ ଝୁଲି ପଡିଚି, ମୋଡ଼ା ହେଇକି ସାଇଜିଆ ନାଙ୍ଗୁଡ଼ ଖଣ୍ଡେ , ମୋଟା ମୋଟା ଗୋଡ଼ , ତା ରୁମିଆ ଦେହ ଆଉ କୁନି କୁନି ଆଖି ଦିଟା ଦେଖିଲେ ଯେକେହିବି ଲୋଭେଇ ଯିବା । ମୋ ପାଟିରୁ ବାହାରି ପଡ଼ିଲା ‘ପୁଗି’, ବାସ୍ ସେବେଠୁ ତା ନାଁ ପୁଗି ହେଇଗଲା। ବାପା ଗୋଟାଏ ଚେନ୍ ଆଣିକି ତାକୁ ବାନ୍ଧିଦେଲେ । ରାତିରେ ସମସ୍ତେ ଖିଆ ପିଆ ସାରିକି ଶୋଇବାକୁ ଗଲେ। ପୁଗି ସେମିତି ବାହାରେ ବନ୍ଧା ହେଇଥାଏ, ଶୀତ ରାତି ବାହାରେ ପ୍ରବଳ ଥଣ୍ଡା । ପୁଗିକୁ ବୋଧେ ଶୀତ ଲାଗୁଥିଲା, ଖାଲି କୁଁ କୁଁ ହେଇକି କାନ୍ଦିଲା । ମୁଁ ଆଉ ସହି ପାରିଲିନି ଚୁପ୍ କିନା କବାଟ ଫିଟେଇକି ତାକୁ ଭିତରକୁ ନେଇ ଆସିଲି । ଶୀତରେ ପୁଗି ଗୋଟାପଣେ ଥରୁଥିଲା,ତାକୁ ଗୋଟେ କମ୍ବଳ ଘୋଡେଇ ଦେଲି । ସକାଳୁ ଉଠିକି ଦେଖେତ ମା ମୁଣ୍ଡଟା ବେଶି ବିଗିଡି ଯାଇଚି । ଶୁଣିଲି ପୁଗି କୁଆଡେ କମ୍ବଳରେ ହଗି ଦେଇଥିଲା । ମା ରାଗିକି ଖଣ୍ଡେ ପାଞ୍ଚଣରେ ସେକି ଦେଇଗଲା ଦି ପାହାର । ହଁ ସେବେଠୁ ଆମ ପୁଗି ଆଉ କେବେ ଘରେ ହଗିନି । ଦେଖୁ ଦେଖୁ ଦିନ କେତୁଟାରେ ପୁଗି ସମସ୍ତଙ୍କର ଗେହ୍ଲା ହେଇଗଲା । ତାକୁ ଏବେ ସବୁଠୁ ବେଶି ଭଲ ପାଉଥିଲା ମୋ ମା । ସକାଳୁ ରାତି ବାରଟା ଯାଏଁ ସିଏ ମା ପଛେ ପଛେ ଧାଉଁଥିବ । ମା ଚାଉଳ ବାଛୁଥାଉ କି ବାସନ ମାଜୁ ଅବା ଗୋରୁଙ୍କୁ ତୋରାଣି ଦଉଥାଉ, ପୁଗି ତା ପାଖେ ପାଖେ ଥାଏ । ସକାଳୁ ସକାଳୁ ପୁଗି ସମସ୍ତଙ୍କୁ ସଲାମ କରେ, ରେଡିଓରୁ ଗୀତ ଶୁଣେ, ଗୀତ ତାଳେ ତାଳେ ମୁଣ୍ଡବି ହଲଉଥିବ, ବଜାରରୁ ବାପା ଫେରିଲେ ତାଙ୍କ ସାଙ୍ଗେ ବହେ ଥଟ୍ଟା ମଜା ଖେଳେ । ବେଳେ ବେଳେ ଦି ଗୋଡ଼ରେ ଠିଆ ହେଇଯାଏ, ତା ଭାଷାରେ ଭାଉଁ ଭାଉଁ ହେଇକି କଣ୍ ମେଞ୍ଚେ କହି ପକାଏ । ବୋଧେ ମଣିଷ ଭିତରେ ରହିକି ନିଜକୁ ବି ମଣିଷଟେ ଭାବୁଥିଲା । ମୁଁ ସ୍କୁଲକୁ ଗଲା ବେଳେ ଖଣ୍ଡେ ବାଟ ଯାଏଁ ମୋ ପଛେ ପଛେ ଯାଏ । ଫେରିଲା ବେଳକୁ ପିଣ୍ଢା ଉପରେ ମୋ ବାଟକୁ ଅନେଇକି ସେମିତି ବସିଥିବ । ପାଖକୁ ଆସିକି ଉପରକୁ ଚଢ଼ିଯାଏ, ଦେହସାରା ଚାଟି ପକାଏ । ଯୋଉଦିନ ମୁଁ ସାରଙ୍କଠୁ ମାଡ଼ ଖାଇକି ଆସିଥାଏନା ସିଏ ଜାଣିପାରେ, ସେଦିନ ଆଉ ଚଢ଼ା ଚଢ଼ି କରେନି ଖାଲି କୁଁ କୁଁ ହୁଏ । ସନ୍ଧ୍ୟାବେଳେ ଆମେ ସବୁ ଭାଇ ବସିକି ପାଠ ପଢ଼ୁ, ସିଏବି ଆମ ପାଖରେ ବସେ, ଦାନ୍ତରେ କେବେ କାହା ଚୁଟିକୁ ଟାଣି ଦିଏ ତା ଆଉ କେତେବେଳେ କାହା କଲମ ନେଇକି ପଳାଏ । ଯଦି ସିଏ ବେଶି ଖୁସୀ ହେଇଗଲା ତ ଜାଣ ସେଦିନ ଆମ ବହି ଖାତା ସବୁ ରାମ୍ ରାମ୍ ସତ୍ୟ ହେ ହେଇଯିବ । ଭାରି ସୁକୁମାରିଆ ଖଣ୍ଡେ, କେବେବି ତଳେ ଶୁଏନି । ନିଜେ ନିଜେ ଅଖା ଖଣ୍ଡେ ପାରିଦିଏ, ଛାଞ୍ଚୁଣିରୁ ମୁଠେ ମୁଣ୍ଡ ତଳେ ଦେଇକି ଶୁଏ ।

         ପୁଗି ରହିବ ଦିନଠୁ ମଣିଷ ତ ଦୂରର କଥା ବାଡ଼ି ଭିତରକୁ ଗାଈ ଛେଳି , କୁକୁର ବିଲେଇଟେ ବି ପଶେଇ ଦିଏନି । କେହି ଯଦି ବାଡ଼ି ଭିତରୁ ପତର ଦିଟା କି କାଠି ଖଣ୍ଡେ ନେଇଯାଏ, ତା ଦିହ ସହେନି ଭୋ ଭୋ କରିକି ଗୋଡ଼େଇ ଯାଏ । ଆଉ ଗୋଟେ ମଜା କଥା କହୁଚି ଶୁଣ । ଦିନେ ଜେନାସାହିର ଚଞ୍ଚଳା ବୁଢ଼ୀ ଆସିଥିଲା, ବାଡ଼ ସେପଟେ ଠିଆ ହେଇକି ମାକୁ କହିଲା ବୋଉ ଏ….. ଦି ଦିନ ହେଲାଣି ମୋ ଦିହଟା ଭଲ ନାଇଁ, କିଛିବି ରୁଚୁନି, ତୋ ବାଡ଼ିରେ ଲେମ୍ବୁ ଅଛିନାଲୋ ଦେଏନି ଦି ଟା ।ମା ତାକୁ ଭିତରକୁ ଡାକିଲାରୁ ମନାକଲା କହିଲା ନା ଲୋ ତୋ କୁକୁର କାମୁଡ଼ିବ କାଳେ କିଏ ମୋର ଯିବ । ମା ସେଇଠୁ ଗୋଟେ ପଲିଥିନ୍ ରେ କିଛି ଲେମ୍ବୁ ବାନ୍ଧିକି ବାଡ଼ ବାଟେ ବଢ଼େଇଦେଲା । ପିଣ୍ଢା ଉପୁରୁ ପୁଗି ସବୁ ଦେଖୁଥିଲା ତାକୁ ବୋଧେ କଥାଟା ଭଲ ଲାଗିଲାନି । ଗୋଟେ ହୁମ୍ପାରେ ବାଡ଼ ଡେଇଁକି ବୁଢ଼ୀ ହାତରୁ ଲେମ୍ବୁ ପଲିଥିନ୍ ଟା ଝିଙ୍କି ଆଣିଲା, ଦି ଚାରିଟା ତଳେ ପଡ଼ିଗଲା ବାକିତକ ଆଣିକି ଘରେ ହାଜର । ବୁଢ଼ୀ କାନ୍ଦୁଣୁ ମାନ୍ଦୁଣୁ ହେଇକି କହୁଥାଏ ‘ଲୋ ଲେମ୍ବୁ ଦି ଟା ଦେଲୁ ପୁଣି କୁକୁର ପଠେଇକି ନେଇ ଗଲ। ଆମ ଗାଁ ଠୁ ଦି କୋଷ ଦୂର ହେବ ଗୋଟେ ସ୍କୁଲରେ ପ୍ରବଚନ ଚାଲିଥିଲା । ଗାଁର ସ୍ତ୍ରୀ ଲୋକଙ୍କ ସାଙ୍ଗେ ମୋ ମା ବି ସେଠିକି ପ୍ରବଚନ ଶୁଣିବାକୁ ଯାଏ, ମା ସହ ପୁଗି ବି । ମା ସହ ଯାଏ, ପାଖରେ ବସିକି ପ୍ରବଚନ ଶୁଣେ, ପୁଣି ମା ଫେରିଲେ ସିଏ ବି ଫେରେ । ପ୍ରବଚନ ଶେଷରାତି ବି ସେମିତି ଯାଇଥିଲେ । ସକାଳକୁ ଦେଖେ ତ ମା ଆସିଚି ହେଲେ ପୁଗି ଆସିନି । ମାକୁ ପଚାରିଲରୁ ସିଏବି କହିପାରିଲାନି । ମୁଁ ସାଙ୍ଗେ ସାଙ୍ଗେ ତାକୁ ଚାରିଆଡେ ଖୋଜାଖୋଜି କଲି କିନ୍ତୁ କୋଉଠିବି ପାଇଲିନି । ସେତେବେଳେ ବେଶି କାନ୍ଦ ଲାଗୁଥିଲା ଯେତେବେଳେ କି ଲୋକ କହୁଥିଲେ ତାକୁ ଅନ୍ୟ କୁକୁର କାମୁଡ଼ିକି ମରିଦେଇଥିବେ, କିଏ କହୁଥିଲା ସେ ଅମୁକ ଯାଗାରେ ଗୋଟେ କଳା କୁକୁରକୁ ଟ୍ରକ ମଡ଼େଇ ଦେଇଚି ସେଇଟା ବୋଧେ ତୋ କୁକୁର । ସାଇକଲ ଧରିକି ପାଖା ପାଖି ପନ୍ଦର ଖଣ୍ଡ ଗାଁ ଘୁରି ଆସିଲି, କୋଉଠିବି ତାକୁ ଦେଖିଲିନି । ଆଖି ଆଗରେ ଯେମିତି ପୁଗିର ଗୋଓଲିଆ ମୁଁହଟା ନାଚି ଯାଉଥିଲା । କିଛି ଲୋକ କହିଲେ ବରଗଛରେ ଚନ୍ଦନ ସିନ୍ଦୂର ଲଗେଇକି ମୁଣ୍ଡିଆଟେ ମାରିଦେ ତୋ କୁକୁର ଫେରିଆସିବ, ଆଉ କିଏ କହିଲା ସୁନାମୁଇଁ ପାଖରେ ଭୋଗ ମାନସିକ କଅରେ ମା ତୋ କୁକୁରକୁ ଫେରେଇ ଆଣିବେ । ସବୁ କଲି ବରଗଛରେ ଚନ୍ଦନ ସିନ୍ଦୁର ଲଗେଇଲି, ସୁନାମୁଇଁ ଠକୁରାଣୀକୁ ଭୋଗ ଲଗେଇଲି ତଥାପି ମୋ ପୁଗି ଆଉ ଫେରିଲାନି । ମା ତ ପନ୍ଦର ଦିନ ଯାଏଁ ଖାଇବା ଛାଡ଼ିଦେଲା, ବୋଧେ ସିଏ ନିଜକୁ ଦୋଷୀ ଦୋଷୀ ଭାବୁଥିଲା । ହଁ ସେଦିନ କିନ୍ତୁ ବାପା କହୁଥିଲେ ଶୁଣିଚି ‘ଆମ ପୁଗି କାଳେ ପ୍ରବଚନ ଶୁଣିକି କୁକୁର ଜନ୍ମରୁ କୁଆଡେ ମୁକ୍ତି ପାଇଗଲା’ ।        

          © ଦେବପ୍ରକାଶ ସାହୁ


Rate this content
Log in

Similar oriya story from Drama