Debaprakash Sahoo

Children

3  

Debaprakash Sahoo

Children

ଖୁସୀ ର ଲୁହ

ଖୁସୀ ର ଲୁହ

2 mins
14.7K


ତା ସହ ମୋର ନା ଜମାବି ପଡ଼େନି । ସବୁବେଳେ ଝଗଡ଼ା, ଛୋଟଟେ ହେଇକି ସବୁବେଳେ ମୋ ଉପରକୁ ହାତ ଉଠଉଥିବ , କଥାଟେ କହିଲେ ଶୁଣିବନି କି ମାନିବନି । ଆଉ ଜାଣିଚନା ସବୁଦିନ ମୋ ନାଁ ରେ କିଛି ଗୋଟେି ମିଛ ସତ କହିକି ମତେ ଗାଳି ନଶୁଣେଇଲେ ତା ର ଯେମିତି ଭାତ ହଜମ ହୁଏନି । ବେଳେ ବେଳେ ଇଚ୍ଛା ହୁଏ ସେ ପେଚିରି ମୁହିଁକୁ ଟେକିକି କଚ୍ଚି ଦେବା ପାଇଁ, କେବଳ ବାପାଙ୍କ ଡରରେ ତାକୁ କିଛି କୁହେନି ।
ହଁ ସେଦିନ ଖରାବେଳେ ସେମିତି ଆସିକି ଲାଗିଲା, ମୁ ରାଗରେ ଚାପୁଡ଼ାଟେ ବସେଇଦେଲି, ମତେ କଣ ଜଣା ଥିଲା ଚାପୁଡ଼ାଟା ଏତେ ଜୋରେ ବାଜିଯିବ ବୋଲି ! ସିଏ ଛିଟିକି ପଡ଼ିଲା ଟେବୁଲ୍ ପାଖକୁ, ତା ହାତ ବାଜି କାଳି ବଟଲଟା ବି ପଡ଼ିଗଲା ବାପାଙ୍କ ର ଗୋଟେ ଦରକାରି କାଗଜ ଉପରେ । ବାପା ବହୁତ୍ ରାଗି ଏକଥା ଶୁଣିଲେ ମତେ ଖୁବ୍ ବାଡ଼େଇବେ । ଏଣେ ଖୁସି ବି କାନ୍ଦି କାନ୍ଦି କହୁଥାଏ ବାପା ଆସନ୍ତୁ ସବୁ କହିବି, ମୁଁ ଭୟରେ ବାହାରକୁ ଚାଲିଗଲି ଜାଣି ଜାଣି ଡେରିରେ ଫେରିଲି । ଫେରି ଦେଖେତ ଖୁସୀ କାନ୍ଦୁଚି, ମା କହିଲା ବାପା ଖୁସିକୁ ବାଡ଼େଇଚନ୍ତି । ସିଏ ତାଙ୍କର କୋଉ କାଗଜ ଉପରେ ଗୋଟେ କାଳି ପକେଇ ଦେଇଚି । ରାତିରେ ସମସ୍ତେ ଖାଇ ପିଇ ଶୋଇଲେ, ମତେ କିନ୍ତୁ ନିଦ ଲାଗୁନଥିଲା, ଭିତରେ ଭିତରେ ମୁଁ କେମିତି ଗୋଟେ ଜଳୁଥିଲି, ଧିକ୍କାରୁଥିଲି ନିଜ ଭାଇ ପଣିଆକୁ । ମୋ ପାଇଁ ସିଏ ଏତେ ମାଡ଼ ଖାଇଲା, ସତରେ ତାକୁ କେତେ କଷ୍ଟ ହେଇନଥିବ ଯେ ! ମତେ ବି ଭାରି କାନ୍ଦ ଲାଗୁଥିଲା , ଆଉ ଶୋଇ ପାରିଲିନି, ଉଠିକି ଖୁସୀ ପାଖକୁ ଗଲି, ତା ପାଦକୁ ଟିକେ ଆଉଁସି ଦେଲି । ଖୁସୀ ଉଠି ପଡ଼ି କହିଲା ଭାଇ ତୁ ଏଯାଏଁ ଶୋଇନୁ... ଆ..ରେ.. କାନ୍ଦୁଚୁ କଣ ପାଇଁ ? ତା କୁନି କୁନି ହାତରେ ମୋ ଲୁହ ପୋଛୁ ପୋଛୁ କହିଲା , ମୁଁ ମାଡ଼ ଖାଇଲି ବୋଲିତ... ସେଥିରେ ମୋର ବି ତ ଦୋଷ ଥିଲା । ଆଉ ମୁ କଣ କୋଉ ପର ପିଲା ପାଇଁ ମାଡ଼ ଖାଇଲିକି ? ମୁ ତ ମୋ ଭାଇ ପାଇଁ ମାଡ଼ ଖାଇଲି । ଦେଖ୍ ଏଥିରେ ତୁ ଯଦି କାନ୍ଦିବୁ ତାହେଲେ ମୁ ବି କାନ୍ଦିବି । ଅଧା ଅଟକି ଥିବା ଲୁହ ଆଉ ଅଟକିଲେନି  ।  ବାସ୍ ତାକୁ ଜାବୁଡ଼ି ଧରି ଆହୁରି କାନ୍ଦିବାକୁ ଲାଗିଲି ଆଉ ସିଏ ବି, କିନ୍ତୁ ମତେ ଏବେ କାନ୍ଦିବାରେ ଜମା କଷ୍ଟ ଲାଗୁନଥିଲା ବରଂ ଖୁସି ଲାଗୁଥିଲା । ବୋଧେ ସେ ଲୁହ ଗୁଡ଼ାକ ଆମ ଖୁସୀ ର ଲୁହ ଥିଲା ।


Rate this content
Log in

Similar oriya story from Children