Suchismita Sahoo

Inspirational Children

4  

Suchismita Sahoo

Inspirational Children

ପ୍ରତିଶୋଧ ପରାୟଣ ସମୟ

ପ୍ରତିଶୋଧ ପରାୟଣ ସମୟ

4 mins
213



ଆଜି ଗୋଟେ ନିଆରା କାହାଣୀ କହିବାକୁ ଯାଉଛି। ଆଶାକରେ ଯୁବପୀଢ଼ିଙ୍କୁ କିଛି ସଚେତନତା ଦେବ ମୋ କାହାଣୀ। କାହାଣୀ ର ନାୟିକା ସରିତା। ତନୁ ପାତଳୀ ସରିତା ଥିଲା ଛଅ ଭାଇରେ ଗୋଟିଏ ଭଉଣୀ; ଭାରି ଗେହ୍ଲେଇ। ଛୋଟ ପ୍ରଜାପତିଟେ ପରି ଖୁସିରେ ନାଚି ଗାଇ ଘରସାରା ଘୁରି ବୁଲୁଥିଲା। ପିଲାଦିନେ ବହୁତ ଭଲ ପାଠ ପଢୁଥିଲା। ପଢା ସହ କବିତା ଆବୃତ୍ତି, ଭାଷଣ ପ୍ରତିଯୋଗିତା, ଚିତ୍ରାଙ୍କନ, ଖେଳକୁଦ ସବୁଥିରେ ସେ ଥିଲା ଆଗୁଆ। ହେଲେ ନିଜ ଅଳସୁଆମି ଗୁଣ ଯୋଗୁ କିଛି ବି କାମ ପ୍ରତି ଯତ୍ନଶୀଳ ନଥିଲା। ତଥାପି ସବୁକିଛି କୁଶଳ ଥିଲା ତା ଜୀବନରେ। ହଠାତ ଦିନେ ବାପାଙ୍କ ଖିଆଲିଆମି ଗୁଣ ଆଉ ବଦଖର୍ଚ୍ଚ ପାଇଁ ଘରର କରଜ ଏତେ ବଢିଗଲା ଯେ, ମା ସମ୍ପୁର୍ଣ ପାଗେଳି ନହେଲେ ବି ମାନସିକ ଭାବେ ଅସୁସ୍ଥ ହେଇଗଲେ। ଭାଇମାନେ ଘରର ଦାୟିତ୍ୱ ନେବାକୁ ଯାଇ, ପଦାକୁ ଗୋଡ କାଢ଼ିଲେ ଅର୍ଥ ଆଶାରେ। ଘରେ ରହିଗଲେ କେବଳ ସେ ଆଉ ତା ମା। ମାନସିକ ଭାରସ୍ୟମ ହରେଇଥିବା ମା କୁ ଛାଡି ସେ ଉଚ୍ଚ ଶିକ୍ଷା ପାଇଁ ଆଉ ବାହାରକୁ ଯାଇ ପାରିଲା ନାହିଁ। ଗାଁ କଲେଜ ରେ ସ୍ନାତକ ପଢା ଶେଷ କଲା। ଘରର ଦାୟିତ୍ୱ ଆଉ ନିଜର ଅଳସୁଆ ଗୁଣ ଯୋଗୁ ସେଇଠି ତା ପଢ଼ାରେ ଡୋରି ବାନ୍ଧି ଦେଲା। ପାଞ୍ଚ ପାଞ୍ଚ ଭାଇ ଥାଉ ଥାଉ ତାର ଚାକିରି ର କିଛି ଆବଶ୍ୟକ ନାହିଁ କହି ପଢାକୁ ସମୂର୍ଣ୍ଣ ଅବହେଳା କରୁଥିଲା, ଯଦିଓ ବ୍ୟାଙ୍କ ରେ ଚାକିରୀ କରିବାକୁ ତାର ଇଛା ଥିଲା। ଏମିତି ୭-୮ ବର୍ଷ ବିତିଗଲା। ଆ ଭିତରେ ତା ଭାଇମାନେ ସମସ୍ତେ ହାତକୁ ଦୁଇ ହାତ ହେଇଗଲେ। ସମସ୍ତେ ନିଜ ପରିବାର ନେଇ ବାହାରେ ନିଜ ନିଜ ଦୁନିଆ ରେ ବ୍ୟସ୍ତ। ଗାଁ ଘରେ ଇତି ଓ ତା ମାଙ୍କ ସହ ରହୁଥିଲେ କେବଳ ଜଣେ ଭାଉଜ। ବିବାହ ପରେ ଭାଇମାନେ ସମୂର୍ଣ୍ଣ ବଦଳି ଗଲେ। ଭାଇ ମାନଙ୍କ ସହ ବିବାହ ପୂର୍ବ ଆଉ ପରର ସମ୍ପର୍କ କଥା ଅଲଗା। ବିବାହ ପରର ବାତାବରଣରେ ମନ ଖୋଲି କିଛି ମାଗିବାକୁ ଭଉଣୀକୁ ସଂକୋଚବୋଧ ଅନୁଭବ ହୁଏ। ଠିକ ଏମିତି ସବୁ ଘଟିଲା ଇତି ର ଜୀବନରେ। ଶେଷରେ ଶିକ୍ଷା ଆଉ ନିଜ ଗୋଡେ ନିଜେ ଛିଡାହେବାର ଆବଶ୍ୟକତା ସେ ବେଶ୍ ଅନୁଭବ କରିପାରିଲା। ଖାଲି ଅର୍ଥ ନୁହେଁ, ସ୍ୱାଭିମାନ ରେ ବଞ୍ଚିବାକୁ ଯେ ଚାକିରୀ ଲୋଡ଼ା, ବହୁତ ଭଲଭାବେ ଏ କଥା ସେ ବୁଝିଗଲା। ହେଲେ ଏତେବେଳକୁ ତ ଲେଡି ଗୁଡ କହୁଣିକୁ ବହିଗଲାଣି। ସରକାର ଙ୍କ ଚାକିରୀ ପାଇଁ ଧାର୍ଯ୍ୟ ଥିବା ବୟସ ସୀମା ଯୋଗୁ, ତା ହାତରେ ଥିଲା ଆଉ ମାତ୍ର ଗୋଟିଏ ବର୍ଷ। ସେ ବହୁତ ପରିଶ୍ରମ କରିବାକୁ ଇଚ୍ଛା କଲା, ଏଇ ଗୋଟିଏ ବର୍ଷର ସଠିକ ବ୍ୟବହାର କରିବାର ଯୋଜନା କଲା। ଘରର ଦାୟିତ୍ୱ ଏବେ ଭାଇ ଆଉ ଭାଉଜଙ୍କ ଉପରେ ଛାଡ଼ିଦେଇ ସେ ଏବେ କେବଳ ନିଜ ପଢ଼ାରେ ମନ ଦେବାକୁ ସ୍ଥିର କଲା। ହେଲେ ସମୟ ତାକୁ ସେ ସୁଯୋଗ ଆଉ ଦେଲାନି। ସେ ଅନେକ ନଷ୍ଟ କରିଛି ସମୟକୁ, ଏବେ ସମୟର ପାଳି। ଗାଁରେ ଥିବା ଭାଉଜଙ୍କର ନଅମାସର ଗୋଟିଏ ପୁଅ ରିଙ୍କୁ, ତା ସହ ସେ ଗର୍ଭବତୀ ବି ଥିଲେ। ତେଣୁ ରିଙ୍କୁର ସମସ୍ତ ଦାୟିତ୍ୱ ଇତି ଉପରେ ଠିକ ଯେମିତି ସେ ପିଉସୀ ନୁହେଁ ଦ୍ୱିତୀୟ ମା। ଏଇ କିଛି ଦିନ ତଳେ ଭାଇଙ୍କର ଗୋଟିଏ ଝିଅ ହେଲା। ସେ ଜାଣି ପାରୁନଥିଲା ସେ ଖୁସି ହେବ କି ଦୁଃଖ କରିବ। ଗାଁ ର ନୀତି ନିୟମ ଯୋଗୁ, ଦଶ ଦିନ ଭାଉଜ କାହାକୁ ଛୁଇଁବେନି। ସିଜରିଂ ହେଇ ପିଲା ହେଇଥିବାରୁ ସେ ଗୋଟିଏ ମାସ ଯାଏ ସମ୍ପୁର୍ଣ ବିଶ୍ରାମ କରିବେ; ଟିକେ ବି ପାଣି ହାତ ହେବେନି। ତେଣୁ ଘରର ସବୁ କାମର ଭାର ଇତି ଉପରେ ଲଦା ହେଇଗଲା। ପ୍ରତ୍ୟହ ଘର କାମ ସରୁ ସରୁ ରାତି ଏଗାର-ବାର। ସେବେ ପଢିବାକୁ ଚେଷ୍ଟା କଲେ ବି ଏତେ କ୍ଲାନ୍ତ ହେଇଯାଇଥାଏ ଯେ, ଆଖି ଆପେ ଆପେ ମୁଦି ହେଇଯାଏ ତାର। ପଢିବାକୁ ଅନେକ ଇଛା ଥିଲେ ବି ପଢିପାରୁନି ବୋଲି ବହୁତ କଷ୍ଟ ଲାଗେ ତାକୁ। ଆଉ କିଛି ମାସ ପରେ ତା ବୟସ ଯୋଗୁ ଯେ ସେ ଚାକିରୀ ର ଆବେଦନ ପତ୍ର ବି ଦାଖଲ କରିପାରିବେନି ଭାବି ଆହୁରି ଭାଙ୍ଗିପଡ଼େ। ଦିନେ ସ୍ଥିର କଲା ଘର ଛାଡ଼ି ଭୁବନେଶ୍ୱର ପଳେଇବ। ସେଠି ରହି ତା ସ୍ବପ୍ନ କୁ ସାକାର କରିବ। ଘରଲୋକଙ୍କ ଆଗେ ଏହି ମତ ରଖନ୍ତେ, ସବୁ ଅଶାନ୍ତି, ସେ ଚାଲିଗଲେ ଘରର ଦାୟିତ୍ୱ କିଏ ନେବ ଭାବି। ତାର ଏହି ନିଷ୍ପତି ଯୋଗୁ ପରୋକ୍ଷ ଭାବେ ସମସ୍ତେ ତାକୁ ସ୍ୱାର୍ଥପର କହିଲେ। ଦୀର୍ଘ ୭-୮ ବର୍ଷ ଧରି ଘରର ଦାୟିତ୍ୱ ନେବାକୁ ଯାଇ ଯେ ସେ ନିଜ ଭବିଷ୍ୟତକୁ ବଳି ଚଢେଇ ଦେଇଛି, ଏକଥା କ୍ଷଣିକେ ସବୁ ଭୁଲିଗଲେ। ଛାଡ଼; ସମାଜ ଏମିତି, ଯେତେ ଦେଲେ ବି ଯାହା ଦିଆ ହେଇନି ସେଇ କଥା ହିଁ କହିବ। ତଥାପି ସେ ତା ନିଷ୍ପତିରେ ଅଟଳ ରହିଲା ଆଉ ଘରର ଅନିଚ୍ଛା ସତ୍ତ୍ୱେ ଭୁବନେଶ୍ୱର ପଳେଇଲା ନିଜ ସ୍ବପ୍ନ ସାକାର ଆଶାରେ। ସେଠି ଗୋଟେ ବ୍ୟାଙ୍କିଙ୍ଗ କୋଚିଂ କେନ୍ଦ୍ର ରେ ଆଡ଼ମିଶନ ନେଲା ଆଉ ଗୋଟେ ଭଡାଘରେ ରହିଲା। ପାଖ ପାଖି ଗୋଟେ ମାସ ତା ପଢାପଢି ଠିକ ଠାକ ଚାଲିଲା। ହେଲେ ସମୟ ଯେତେ ବେଳେ ତାକୁ ନଷ୍ଟ କରିବାକୁ ନିଷ୍ପତ୍ତି ନେଇଛି, ତାକୁ ବଞ୍ଚେଇବ କିଏ। କୋଉଠି ଥିଲା କେଜାଣି ହଠାତ ମାଡି ଆସିଲା କରୋନା ରୋଗ। ସରକାର ଗୋଟେ ମାସ ପାଇଁ ତାଲାବନ୍ଦର ନିଷ୍ପତି ନେଲେ, ସବୁ ସ୍କୁଲ, କଲେଜ ବନ୍ଦ ହେଇଗଲା; ଆଉ ତା ସାଙ୍ଗଙ୍କୁ କୋଚିଂ କେନ୍ଦ୍ର ବି। ଘର ମାଲିକ ବି ଆଉ ଘରେ ରଖିବାକୁ ଦେଲାନି, ବାଧ୍ୟ କଲା ଘର ଛାଡିବାକୁ। ଶେଷରେ ଉପାୟଶୂନ୍ୟ ହେଇ, ସେ ଘରମୁହାଁ ହେଲା। ଜାଣି ଥିଲା ଘରେ ସମସ୍ତେ ତାକୁ ରହସ୍ୟ କରି ମଜା ଉଡେଇବେ। ସେଇୟା ହିଁ ହେଲା, ଘରେ ପହଞ୍ଚୁ ପହଞ୍ଚୁ, ଭାଉଜ କହି ଉଠିଲେ, ହେଇଲୋ ମୋ Bank P. O. ନଣନ୍ଦ ଆଇଲେଣି, ବନ୍ଦାଣ ଥାଳି ଯୋଗାଡ଼ କରିକି ଆଣେ ମୁଁ। ଏ କଥା ଇତି ର ହୃଦୟ କୁ କୋରି ଦେଉଥିଲା, ଭୋ ଭୋ ହେଇ କାନ୍ଦିବାକୁ ଇଛା ହେଉଥିଲା। ତଥାପି ଭାଉଜଙ୍କ କଥାର କିଛି ପ୍ରତିକ୍ରିୟା ନଦେଇ ଚୁପଚାପ ନିଜ ରୁମ କୁ ପଳେଇଲା। ଅନେକ କାନ୍ଦିଲା ଭଗବାନଙ୍କୁ ଚାହିଁ। କାହିଁକି ଏ କରୋନା ଆସିଲା, କାହିଁକି ତା ସ୍ବପ୍ନ ଆରମ୍ଭ ହେବା ପୂର୍ବରୁ ଶେଷ ହେଇଗଲା, ଏମିତି ଅନେକ ଅଭିଯୋଗ ବାଢ଼ିଦେଲା ଭଗବାନଙ୍କ ଆଗେ। କିଛିକ୍ଷଣରେ ନିଜକୁ ସମ୍ଭାଳି ତାଲାବନ୍ଦ ଶେଷ ହେବା ମାତ୍ରେ ପୁଣି ଭୁବନେଶ୍ୱର ପଳେଇବାର ଦୃଢ଼ ନିଷ୍ପତି ନେଲା। ହେଲେ କରୋନାର ପ୍ରଭାବ ପୁରା ଭାରତକୁ ଖେଳି ଗଲା, କରୋନା ରୂପୀ ରାକ୍ଷାସ ଗର୍ଭରେ ସବୁ ଧୀରେ ଧୀରେ ଲୀନ ହେବାକୁ ଲାଗିଲେ। ତେଣୁ ବାଧ୍ୟ ହେଇ ସରକାର ତାଲାବନ୍ଦ ବଢ଼େଇବାକୁ ଲାଗିଲେ। ତାଲାବନ୍ଦ ସହ ବନ୍ଦୀ ହେଇଗଲା ଇତି ର ସ୍ବପ୍ନ। ଦୁଇ ଦୁଇଟା ପିଲା ଓ ଘରର ଦାୟିତ୍ୱବୋଧ ଆଗରେ ସବୁଦିନ ପାଇଁ ବଳି ପଡିଗଲା ତାର ସ୍ବପ୍ନ। ସତଚେଷ୍ଟା ପରେ ବି ସେ ନିଜ ପଢା ପାଇଁ ଟିକେ ବି ସମୟ କାଢି ପାରିଲାନି। ଏବେ କର୍ମ ବ୍ୟସ୍ଥତାରେ ତାର ଦିନ ସିନା କଟିଯାଏ। ହେଲେ ରାତି କଟେ ଅନୁତାପ ର ଲୁହ ରେ। ସେ ଜାଣି ପାରୁନଥିଲା କାହାକୁ ଦାୟି କରିବ। ଘର ଲୋକଙ୍କୁ, କରୋନା କୁ ନା ନିଜକୁ। ଅତୀତରେ ନିଜର ଖାମଖିଆଲି ଆଉ ଅଳସୁଆମୀ କାର୍ଯ୍ୟ ଗୁଡା ତା ଆଖି ସାମନାରେ ଭାସି ଉଠୁଥିଲା। କେତେ ଯେ ନଷ୍ଟ ନ କରିଛି ସେ ସମୟକୁ। ଦଶମ ପରେ ଟିକେ ବି ଯତ୍ନଶୀଳ ନଥିଲା ନିଜ ପଢା ପ୍ରତି। ଆଉ ଆଜି ଚେଷ୍ଟା କରି ବି ପଢି ପାରୁନି ସେ। ନିଜ କାହାଣୀ କୁ ଉଦାହରଣ ଦେଇ ସେ ଅନେକ ଯୁବପିଢିଙ୍କୁ ସମୟ ନଷ୍ଟ ନକରି ଠିକ ସମୟରେ କର୍ତ୍ତବ୍ୟ କରିବାକୁ ଅନୁରୋଧ କରୁଛି। କିଛି ତା କଥା ଶୁଣୁଛନ୍ତି ଆଉ କିଛି ହସରେ ଉଡେଇ ଦେଉଛନ୍ତି। ହତାଶ ହେଇ ଅନୁତାପ ଭରା ଆଖିରେ ସେ କେବଳ ଚାହିଁ ରହୁଛି ଆକାଶକୁ; ମାଗୁଛି ଆଉ ଗୋଟେ ସୁଯୋଗ ନିଜକୁ ଗଢିତୋଳିବାର।


Rate this content
Log in

Similar oriya story from Inspirational