ABhimanyu Panda

Others Inspirational

3  

ABhimanyu Panda

Others Inspirational

ପ୍ରତିବିମ୍ବ

ପ୍ରତିବିମ୍ବ

4 mins
389


ନିଜ ମନ ଠାରୁ ନିଜର ଦୂରତା ଅର୍ଥ ନିଜେ ନିଜ ଲାଗି ଅପରିଚିତ । ଏ କଥାଟା କେମିତି ଅଡ଼ୁଆ ଅଡ଼ୁଆ ଲାଗୁଛି । ଏ କେମିତିକା ଦୂରତା ? ଆମେ ସବୁବେଳେ ତ ନିଜର ମନ ସହିତ ଆଉ ନିଜେ ନିଜର ହେଇ ରହୁଛୁ ଏମିତିରେ ନିଜ ମନ ପାଖରୁ ଆମେ ଦୂରରେ କେମିତି ରହିଲୁ ? ଆମେ ସମସ୍ତେ ପଢିଛୁ ଲେଖିଛୁ ଶୁଣିଛୁ ମଧ୍ୟ କି ମନ ଚଞ୍ଚଳ ମନ ପାଗଳ ନିଜ ରାଇଜରେ ମନ ଅଜେୟ ଚକ୍ରବର୍ତ୍ତୀ ରାଜା ହେଲେ ଏ କି ପ୍ରକାରର କଥା ଆମ ନିଜ ମନ ନିଜ ପାଖରେ ନାହିଁ ! ମନ ଆମ ନିଜ ପାଖରୁ ଦୂରକୁ ଚାଲିଗଲା ! ତାହେଲେ ଆମ ମାଲିକତ୍ଵର କର୍ତ୍ତବ୍ୟରେ ହିଁ କିଛି ଊଣା ରହିଛି । ଆମେ ମନର ମାଲିକ ନା କି ମନ ଆମର ମାଲିକ ଏ ସ୍ୱିରୋକ୍ତିରେ ହିଁ ସମସ୍ତ ସମସ୍ୟାର ସମାଧାନ ଲୁଚି ରହିଛି ।

ଗୋଟେ କଥା ବିଚାର କରାଯାଉ ଯେମିତି - ଆମର ଜଣେ ବାଲ୍ୟବନ୍ଧୁ ପଡୋଶିରେ ହିଁ ରହୁଛି । ଉଭୟଙ୍କର ଉଭୟଙ୍କ ସହିତ ଭେଟିବାକୁ କଥା ହେବାକୁ ଇଚ୍ଛା ଥିଲେ ବି ସମୟର ଅଭାବରୁ ତାହା ପୂର୍ଣ୍ଣ କରିବାରେ ଅସମର୍ଥ ହେଉଛୁ । ଏଠି ଇଚ୍ଛା କରିବା ଆଉ ନିଜର ଇଚ୍ଛାକୁ କ୍ରିୟାନ୍ବିତ କରିବାରେ ସମୟ ବାଧକ ସାଜୁଛି । ପରିବାର ଚିନ୍ତା ପିଲାମାନଙ୍କର ଭବିଷ୍ୟତ ଚିନ୍ତା ଆଉ କାମର ବୋଝ ଏବଂ ନିଜକୁ ସମାଜ ସହ ଖାପ ଖୁଆଇ ଚାଲିବାର ପ୍ରତିଯୋଗିତା ଆମକୁ ଇଚ୍ଛାର ଆଗେବ ପୂର୍ଣ୍ଣ କରିବା ଦିଗରେ ବାଧକ ହେଉଛି । 

ଏମିତି ହିଁ କିଛି ଅସୁବିଧା ବାଧକ ଆମକୁ ଆମ ମନ ସହ ଭେଟିବାକୁ ସୁଯୋଗ ଦେଉନି । ଆମ ଜୀବନର ମୁହୂର୍ତ୍ତ ମୁହୁର୍ତ୍ତ ଏମିତି ସବୁ କାମରେ ଖର୍ଚ୍ଚ କରୁଛେ ଯାହା ଆମ ଜୀବନର ଲକ୍ଷ୍ୟ ନୁହେଁ । ଯେମିତି ଆମେ କାହାକୁ ଜଣକୁ ଆମ ଘରକୁ ଅତିଥି ରୂପେ ନିମନ୍ତ୍ରଣ କଲୁ ଆମ ଘରେ ଖାଇବାକୁ । କିନ୍ତୁ ଆମର ପୁରା ଧ୍ୟାନ ଘରର ସାଜସଜ୍ଜା ଉପରେ । ଘର ସଜ୍ଜା ରେ ଆମେ ନିଜକୁ ଏମିତି ନିୟୋଜିତ ରଖିଲେ ଯେ ମୂଳ ଲକ୍ଷ୍ୟ ଖାଇବାର ଗୁଣବତ୍ତାକୁ ଭୁଲିଗଲେ । ପରିଣାମ ସ୍ୱରୂପ ଖାଇବାରେ ଲୁଣ ବ୍ୟତୀତ ଅନ୍ୟ କିଛିର ସୁଆଦ ହିଁ ରହିଲାନି । 

ଆମେ ଆମ ନିଜ ମନ ସହିତ ମଧ୍ୟ ଏମିତି କରୁଛେ । ସୁତରାଂ । ଆମେ ଅନ୍ୟମାନଙ୍କ ସହିତ ଅନେକ ସମ୍ବାଦ ବିନିମୟ କରୁଛୁ  ଅନ୍ୟମାନଙ୍କ ଲାଗି ବହୁତ ସମୟ ବାହାର କରୁଛୁ  ନିଜ ଅଂଚଳରେ ନିଜ ସାହିରେ ଆମେ ନେତା ପାଲଟି ଯାଉଛୁ । ଆଉ ସାମାଜିକ ଗଣମାଧ୍ୟମ ରେ ଆମେ ନାୟକ ହେଇ ଯାଉଛୁ । ସାଙ୍ଗ ମାନଙ୍କର କୌଣସି ପୋଷ୍ଟ ଆମ ବିନା ଲାଇକ ଆଉ କମେଣ୍ଟ ରେ ବାଦ ଯାଇ ନଥିବ । ଆମ ନିଜ ପୋଷ୍ଟରେ ଲାଇକ କମେଣ୍ଟ ତ ଅତି ସହଜରେ ହଜାର ସଂଖ୍ୟା ପାର ହେଇ ଯାଉଛି । ପ୍ରଶ୍ନ ଉଠୁଛି ଆମେ ନିଜ ସହ କେବେ କଥା ହେଇଥିଲେ ? ଏହାର କୌଣସି ଉତ୍ତର ମିଳିବନି !! କ୍ୟାଲେଣ୍ଡର ରେ କେବେ କେଉଁ ତାରିଖକୁ ଆମେ ନିଜ ପାଇଁ ରଖିଥିଲେ ? ମନେ ଅଛି ? ଉତ୍ତର ନିଶ୍ଚିତ ନା ହିଁ ଆସିବ । 

ବର୍ତ୍ତମାନ ସମୟରେ ଆମକୁ ସବୁ ମନେ ରହୁଛି କେବେଳ ନିଜ ସହ ସମ୍ବାଦ ହେଇ ପାରୁନି । ନିଜ ଲାଗି ସମୟ ନ ବାହାର କରିବାର ଅନେକ କାରଣ ହେଇ ପାରେ କିନ୍ତୁ ତାର ପରିଣାମ ଗୋଟିଏ । 

ଯେଉଁମାନେ ନିଜକୁ ସମୟ ଦେଇପାରନ୍ତି ନାହିଁ ସେମାନଙ୍କ ଜୀବନରେ ନୀରସତା ଆଉ ଦେଖେଇହବା ପଣ ବଢିଯାଏ । ଅନେକ ସମୟରେ ବହୁବାର ଆମେ ଅନ୍ୟକୁ ଖୁସି ରଖିବାରେ ଏତେ ମଜ୍ଜି ଯାଉ ଯେ ନିଜ ବିଷୟରେ ଭାବିବା ଏବଂ ନିଜର ଚିନ୍ତା କରିବାର ଶକ୍ତି କୁ ଆମେ ଅନ୍ୟ ପାଖରେ ବନ୍ଧା ପକେଇ ଦେଇଥାଉ । 

କେବେ ନିଜର ମାଲିକ ପାଖରେ  କେବେ ଘର ପରିବାର ପାଖରେ  କେବେ ସେଇ ସମ୍ପର୍କ ପାଖରେ ଯାହାପାଇଁ ଆମେ ଜୀବନ ଦେବାକୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ଥାଉ । ଏ ସବୁ ଭିତରେ ଯଦି କିଛି ଅନୁପସ୍ଥିତ ରହୁଛି ସେ ହେଉଛି ଆମେ ନିଜେ ! ଆମେ ନିଜ ସହ କେବେ ଆଲୋଚନା କରୁଛୁ ? ଆମେ ନିଜକୁ ଆଇନାରେ ଦେଖିବା  ସଜେଇହେବା  ଶୃଙ୍ଗାର କରିବା  ନିଜର ପ୍ରଶଂସା କରିବା  ଆଉ ନିଜେ ନିଜେ ଆତ୍ମମୁଗ୍ଧ ହେବା ଏ ସମସ୍ତ କାର୍ଯ୍ୟ ନିଜ ସହିତ ନିଜ ମନ ସହିତ ସମ୍ବାଦ ସ୍ଥାପନ ଭୁକ୍ତ ନୁହଁନ୍ତି । 

ଯିଏ ନିଜ ମନ ସହିତ ସମ୍ବାଦ କରେ ନିଜ ମନ ସହିତ ରୁହେ ସେମାନେ ଅନ୍ୟ ସହ ଥିଲେ ବି ନିଜର ବିଚାର ଶକ୍ତିକୁ କାହା ପାଖରେ ବନ୍ଧା ପକାନ୍ତି ନାହିଁ । ସେମାନେ ବେଶୀ ଦିନ ଯାଏ ନିଜ ମନକୁ ମାରି ରହି ପାରନ୍ତି ନାହିଁ । ସେ ସମ୍ପର୍କ ସେ ସାମାଜିକ ଦାୟିତ୍ୱ ଯାହାବି ହେଉ ନିଜର ଆତ୍ମବିରୋଧୀ ଆଉ ଆତ୍ମବିସଙ୍ଗତି ସପକ୍ଷରେ ସେମାନେ ନିଜକୁ ବେଶି ଦିନ ରଖି ପାରନ୍ତି ନାହିଁ । ଅଣନିଶ୍ୱାସୀ ହୋଇପଡ଼ନ୍ତି । 

ସେଥିପାଇଁ ଏଭଳି ଆଚରଣର ମଣିଷ ମାନେ ନିଜର ନିକଟତର ଥାନ୍ତି । ନିଜକୁ ପ୍ରସନ୍ନ ଚିତ୍ତ ରଖିବା ଲାଗି ଏମାନଙ୍କୁ ଅନ୍ୟର ସାହାଯ୍ୟର ଆବଶ୍ୟକତା ପଡ଼େନି । ଏମାନେ ନିରନ୍ତର ନିଜ ମନ ସହିତ ସମ୍ପର୍କ ସ୍ଥାପନା କରିଥାନ୍ତି । ନିଜେ ନିଜର ମୂଲ୍ୟାଙ୍କନ କରନ୍ତି । ନିଜ ସହିତ କଥା ହୁଅନ୍ତି  ନିଜେ ନିଜକୁ ଭରସା ଦିଅନ୍ତି ଓ ନିଜ ଭରସାରେ ଅଟଳ ରୁହନ୍ତି । ଦୁନିଆର ନିରାଶା ନକରାତ୍ମକତା ବିରୁଦ୍ଧରେ ଲଢ଼ିବାର କଳା ଏଇ ମାନେ ହିଁ ବିକଶିତ କରନ୍ତି । 

ଯିଏ ନିଜ ସହିତ ବନ୍ଧୁତା ସ୍ଥାପନ କରିଥାଏ ଯିଏ ନିଜ ମନର ସଠିକ ମୂଲ୍ୟାୟନ କରି ମନ ସହିତ ଜଡିତ ଥାଏ ଯେଉଁମାନଙ୍କର ନିଷ୍ପତ୍ତି ନେବାର କ୍ଷମତା ଥାଏ ଭୁଲ ଠିକର ଭୟ ନଥାଏ । ସେଇ ମାନେ ହିଁ ଅନ୍ୟର ସୁଖ ନିର୍ମାତା ହେଇଥାନ୍ତି । ସେଇମାନେ ହିଁ ଅନ୍ୟର ଦୁଃଖରେ ନିଜକୁ ଦୁଃଖୀର ସାଥି ବୋଲି ପ୍ରମାଣିତ କରନ୍ତି । କିନ୍ତୁ ସେମାନଙ୍କ ବିନା ଅନୁମତିରେ କେହି ସେମାନଙ୍କୁ ଦୁଃଖୀ କରିପାରେ ନାହିଁ । ତେଣୁ ସୁଖୀ ହେବା କି ଦୁଃଖୀ ହେବା ନିଜ ଉପରେ ସମ୍ପୁର୍ଣ୍ଣ ନିର୍ଭର କରେ । ଏହା ମଧ୍ୟ ନିର୍ଭର କରେ କେଉଁ କାରଣ କେଉଁ ପ୍ରକାରର ମଣିଷ କେଉଁ ପ୍ରକାରର ଆଚରଣ ଆମର ଅନୁମତି ଅପେକ୍ଷାରେ ଅଛନ୍ତି । କାହାକୁ ଏ ମନରୁପକ ଗୃହକୁ ଅନୁମତି ମିଳିବା ଉଚିତ । ଯଦି ଏତିକି ବିଚାର କରିପାରିଲେ ପୁରା ସଂସାରଟା ଅମୃତମୟ ହବାଟା ନିଶ୍ଚିନ୍ତ । 

ଏବେ ନିଜେ ନିଜର ମୂଲ୍ୟାୟନ କରି ଜାଣିପାରିବା ଆମେ ନିଜ ପ୍ରତି ଆଉ ନିଜ ମନ ପ୍ରତି କେତେ ସଚେତନ ? ଆମେ ନିଜକୁ ନିଜେ କେତେ ଭଲ ପାଉଛେ ? ନିଜ ବିଷୟରେ ଆମେ କେତେ ଜାଣିଛେ ?


Rate this content
Log in