Debabrata Barik Debunu

Others Abstract

0.9  

Debabrata Barik Debunu

Others Abstract

ପ୍ରଥମ ପ୍ରେମର ପ୍ରଥମ ଚିଠି

ପ୍ରଥମ ପ୍ରେମର ପ୍ରଥମ ଚିଠି

8 mins
621


ପ୍ରଥମ ପ୍ରେମ ର ପ୍ରଥମ ଚିଠି, ଲେଖିଛି ଅଳପ ଭାବୁଛି ବେଶୀ, ନୂଆ ଚଢେଇ ର କଅଁଳ ଡେଣା, ଉଡୁଛି ଅଳପ ପଡ଼ୁଛି ବେଶୀ...


ମତେ ଲାଗେ ବୋଧେ ଏଇ ଗୀତଟା ମୋରି ପାଇଁ ଲେଖା ଯାଇଥିଲା। ଜୀବନରେ ପ୍ରାୟ ସମସ୍ତେ ପ୍ରେମ କରିଥିବେ କିନ୍ତୁ ପ୍ରଥମ ପ୍ରେମର ସ୍ଵାଦ ଟିକେ ନିଆରା ସବୁ ଦିନ ପାଇଁ ମନେ ରହେ । ଆଉ ପ୍ରଥମ ପ୍ରେମର ପ୍ରଥମ ଚିଠି ତା ଲେଖିବାର ଅନୁଭୂତି ବି ନିଆରା। ହଁ ଆଜି କାଲି ଏ whatsapp, Facebook ଚିଠି ତାରା ଅସ୍ତିତ୍ୱ ହରେଇ ଥିଲେ ବି ନବେ ଦଶକରେ ଚିଠି ହିଁ ଥିଲା ଜାହିର୍ କରିବା ପାଇଁ ବରିଷ୍ଠ ମାଧ୍ଯମ।


ମନେ ପଡୁଛି 2010 ମସିହାର ସେଇ ସନ୍ଧ୍ଯା ଜୁନ ମାସ ଖରା ଦିନ ସନ୍ଧ୍ୟା। ଆମ ଗାଁ ମୁଣ୍ଡ ମନ୍ଦିର ପାଖରେ ବସିଥିଲି ମୁଁ ଆଉ ବାପୁନ। ମେଟ୍ରିକ୍ ପରୀକ୍ଷା ସରିଯାଇଥାଏ। ରେଜଲ୍ଟକୁ ଅପେକ୍ଷା। ଆମେ ପ୍ରାୟତ ସମୟ ଗାଁ ମନ୍ଦିର ପାଖରେ ଖଟି କରୁ। ବାପୁନ ଆଉ ମୁଁ ଗୋଟେ ହାଇ ସ୍କୁଲରେ ପଢୁ, ଗୋଟିଏ ଗାଁ ର ପିଲା। ପିଲାଟି ଦିନରୁ ଆମେ ସାଙ୍ଗ ଇଂରାଜୀରେ ବେଷ୍ଟ ଫ୍ରେଣ୍ଡ୍ କହିଲେ ଚଳିବ। କିନ୍ତୁ ଯେତେ ଫ୍ରେଣ୍ଡସିପ୍ ଥିଲେ ବି ଆମ ଭିତରେ ଶୀତଳ ପ୍ରତି ଦୁନଦିତା ଥିଲା। ପାଠ ପଢ଼ା ହେଉ କି ଖେଳ କୁଦ ସବୁ ଥିରେ ଆମେ ପରସ୍ପର ଗୋଟେ ପାଦ ଆଗରେ ରହିବାକୁ ଚେଷ୍ଟା କରୁଥିଲୁ। କିନ୍ତୁ ସେଦିନ ମୁଁ ଗୋଟେ ପାଦ ପଛେଇ ଯାଇଥିଲି। ଯେତେବେଳେ ବାପୁନ ସେ ଚିଠିଟିକୁ ମୋ ହାତକୁ ବଢେଇ ଦେଲା ଆଉ କହିଲା ଲଭ ଲେଟର ମତେ ଲିଜା ଦେଇଛି ଏତକ କହିଲା ବେଳେ ବେଶ୍ ଉତ଼୍ଫୁଲ୍ଲିତ ଥିଲା ଆଉ ତା ଆଖିରେ ଗୋଟେ ବିଶେଷ ପ୍ରକାରର ଜମକ୍ ଥିଲା। ସେଇ ଜମକ୍ ମୋ ପାଦ ତଳଟା କିନ୍ତୁ ଗରମ କରି ଦେଇ ଥିଲା। ମୁଁ ଚିଠି ଟି ନେଇ ପଢିଲି ଅଧା ଶବ୍ଦ ବୁଝି ପାରିଲିନି କେବଳ ଏତିକି ବୁଝିଲି ଝିଅ ଟେ ବାପୁନକୁ ଚିଠିଟେ ଦେଇଚି। ହେଲେ ଏଥିରେ ସେ ଏତେ ଖୁସି କାହିଁକି ସେ କଥା ସେଦିନ ମୁଁ ବୁଝି ପାରିନଥିଲି। କିନ୍ତୁ ଜୁନ ମାସର ସେଇ ସନ୍ଧ୍ୟାରେ ଲାଗିଲା ବାପୁନ ଠୁ ମୁଁ ଆଜି ହାରି ଯାଇଛି। କାରଣ ମତେ କଉ ଝିଅ ଚିଠି ଦେଇନାହାନ୍ତି। ସେ ଦିନ ରାତିରେ ଶୋଇଲା ବେଳେ ମୁଁ ବି ଚିନ୍ତା କଲି ମୁଁ ବି ଗୋଟେ ଝିଅକୁ ଚିଠି ଦେବି ଆଉ ସେ ମତେ ଦେବ। ସେଇ ଚିଠିକୁ ନେଇ ମୁଁ ବାପୁନକୁ ଦେଖେଇବି କିନ୍ତୁ ସ୍ଥିର କରିପାରୁନଥିଲି କାହାକୁ ଦେବି ? 


କୌଣସି ଝିଅ ବିଷୟରେ ଭାବିଲା ବେଳକୁ ମାନସୀ ହିଁ ପ୍ରଥମେ ମୋ ମନକୁ ଆସିଥିଲା। ମାନସୀ ମୋ ବଡ ବାପା ଝିଅ ମାନେ ମୋ ବଡନାନୀ ର ନଣନ୍ଦ। ନାନୀ ବାହାଘର ବେଳକୁ ମୁଁ ପଞ୍ଚମ ଶ୍ରେଣୀରେ ପଢୁଥିଲି। ବାହାଘର ପରେ ପ୍ରଥମ ଥର ନାନୀ ଶାଶୁ ଘରକୁ ଯାଇଥିଲି ସେତିକି ବେଳେ ମୋର ମାନସୀ ସହିତ ଦେଖା ହେଇଥିଲା। ମାନସୀ ସେତେ ବେଳେ ମୋ ସାଙ୍ଗରେ ମାନେ ପଞ୍ଚମ ଶ୍ରେଣୀରେ ପଢୁଥାଏ ତାଙ୍କ ଗାଁ ସ୍କୁଲରେ। ସେତେ ବେଳେ ମୋର ମାନସୀ ସହିତ ଭଲ ବନ୍ଧୁତା ହେଇଯାଇଥିଲା । ଯେତେ ଦିନ ମୁଁ ନାନୀ ଶାଶୁ ଘରେ ଥିଲି ପ୍ରାୟ ସମୟ ମୋର ମାନସୀ ସହିତ ବିତୁ ଥିଲା। ଗାଁ ସାରା ମୁଁ ତା ସହିତ ଖେଳି ବୁଲୁ ଥିଲି ପିଜୁଳି ତୋଳିବା ଠୁ ଆରମ୍ଭ କରି ଗାଁ ପାଖ ଆମ୍ବ ତୋଳିବ ପର୍ଯ୍ୟନ୍ତ ସବୁ କାମରେ ସେ ମୋର ସାଙ୍ଗ ଥିଲା। ନାନୀ ଘରେ ଗୋଟେ କଂସାରେ ଯେତେବେଳେ ଏକାଠି ପଖାଳ ଖାଉଥିଲା ମୁଁ କେବେ ଭାବି ନଥିଲି ତା ସହିତ ମୋର ସମ୍ପର୍କ କଣ ? ନଈ କୂଳର ନିର୍ଜନ ପଥର ବନ୍ଧ ଉପରେ ସେଦିନ ବିଳମ୍ବିତ ଅପରାହ୍ଣରେ ଆମେ ଦୁହେଁ ହସି ଖେଳି ହାତ ଧରାଧରି ହୋଇ ବୁଲୁଥିଲି। କେବେ ଚିନ୍ତା କରିନଥିଲୁ ଏ ସମ୍ପର୍କର ଶେଷ କଉଠି ! ଶ୍ରବଣର ବର୍ଷାରେ ଯେତେବେଳେ ଆମେ ଭିଜି ଭିଜି କାଗଜ ଡଙ୍ଗାଟି ଭସେଇ ଦେଉଥିଲୁ। ଆମେ ଭାବୁ ନଥିଲୁ ସେ ଡଙ୍ଗାଟି କେବେ ବାଟ ଭାସି ଭାସି ଯିବ ନା ପାଣିର ସୁଅ ତାକୁ ବୁଡେଇ ଦେବ ?


କ୍ରମଶ ମୁଁ ଅନୁଭବ କରିଥିଲି ନାନୀ ଘରକୁ ଯିବାର କୌଣସି ସୁଯୋଗ ମୁଁ ହାତ ଛଡା କରୁନଥିଲି। ତାର ପ୍ରଥମ କାରଣ ଥିଲା ମାନସୀ। ଶେଷରେ ଠିକ୍ କଲି ଚିଠିଟେ ଲେଖିବି ସେଇ ମାନସୀ ପାଖକୁ। କାଗଜ କଲମ ବାହାର କଲି। କିନ୍ତୁ କେମିତି ଆରମ୍ଭ କରିବି ମୁଁ ଭାବି ପାରୁନଥିଲି । କୌଣସି ଝିଅକୁ ଚିଠି ଦେବାତ ତ ଦୂରର କଥା ସେମିତି ଚିଠି ଲେଖି ନଥିଲି ଆଜି ଯାଏ। ମୁଁ ମୋ ଜୀବନର ପ୍ରଥମ ଚିଠି ଲେଖିଥିଲି ଗାଁ ସରପଞ୍ଚଙ୍କ ପାଖକୁ ଗାଁ ନଳ କୂପ ସସମ୍ୟାକୁ ନେଇ ତା ପୁଣି ସପ୍ତମ ଶ୍ରେଣି ବାର୍ଷିକ ପରୀକ୍ଷାରେ ।ନୀତି ଦିନିଆ ଜୀବନରେ କେବେ ଚିଠି ଟିଏ ଲେଖି ନଥିଲି କାରଣ ତାର କୌଣସି ଆବଶ୍ୟକ ପଡିନଥିଲା। ତେଣୁ କେମିତି ଆରମ୍ଭ କରିବି ମୁଁ ଭାବି ପାରୁନଥିଲି। ମନେ ପଡିଯାଇଥିଲା ବାପୁନ ଦେଖେଇ ଥିବା ଚିଠିଟି ବିଷୟରେ

ମୋର ପ୍ରିୟ, ବାପୁନ..

ଏଇଠି ଚିଠି ଟା ଆରମ୍ଭ ହେଇଥିଲା ତେଣୁ ମୁଁ ମଧ୍ୟ ଲେଖି ଦେଲି..

ମୋର ପ୍ରିୟ ମାନସୀ....

କିନ୍ତୁ ତା ପରେ ତା ପରେ ମୋ କଲମ ଅଟକି ଯାଇଥିଲା। ଯାହା ସହ କଥା ହେଲା ବେଳେ ମୋ ପାଟିରେ ବାଟୁଳି ବାଜେନି.. ଆଜି ତା ପାଖକୁ ଚିଠି ଲେଖିଲା ବେଳକୁ ମୁଖ୍ୟ ପ୍ରତି ବନ୍ଧକ ଥିଲା ଭାଷା.... ମୋର ପ୍ରିୟ ମାନସୀ.. ବାସ୍ ସେଇ ତିନିଟି ଶବ୍ଦ ଲେଖି ମୋ କଲମ ଯେମିତି ଅଟକି ଯାଇଥିଲା । ରାତିର ବେଗ ବଢିବା ସହିତ ଶରୀରର କ୍ଲାନ୍ତି ବଢିବା ଯୋଗୁ ଚିଠି ଲେଖା ସେଇଠି ସରିଯାଇଥିଲା। ମୋ ଆଖିକୁ କେତେ ବେଳେ ନିଦ ଆସିଯାଇଥିଲା ମୁଁ ନିଜେ ବି ଜାଣି ପାରିନଥିଲି। ସ୍ୱପ୍ନ ଦେଖିଲି... ଗୋଟେ ସୁନ୍ଦର ବଗିଚା ଭିତରେ ମୁଁ ବୁଲୁଛି ରଙ୍ଗ ବେରଙ୍ଗର କେତେ ଯେ ଫୁଲ ଫୁଟିଛି। ପକ୍ଷୀ ମାନେ ଗୀତ ଗାଉଛନ୍ତି। ପ୍ରଜାପତି ଏ ଫୁଲରୁ ସେ ଫୁଲକୁ ଉଡି ବୁଲୁଚି। ତାରି ଭିତରେ ମୁଁ ମାନସୀକୁ ଦେଖିଲି । ଆଜି କାଇଁ କି ମାନସୀ ମତେ ପ୍ରଥମ ଥର ଟିକେ ଅଲଗା ଲାଗୁଥିଲା । ପରି ଟିକେ ପରି ଦିଶୁଥିଲା। ମୁଁ ତା ପଛରେ ଧାଇଁଲି, ଜୋର୍ରେ ଧାଇଁଲି ସେ କିନ୍ତୁ ଧରା ଦେଉନଥିଲା।


ତା ପର ଦିନ ବହୁ କଷ୍ଟରେ ମୋର ପ୍ରିୟ କଲମଟିକୁ ଦେଇ ବାପୁନ ଠୁ ତା ଚିଠି ଟି ଆଣିଲି। ସେଦିନ ରାତିରେ ସମସ୍ତେ ଶୋଇ ସାରିବା ପରେ ସେଇ ଚିଠି ଟିକୁ ଅନବରତ ଦୁଇ ଚାରି ଥର ପଢିବାକୁ ଲାଗିଲି। ସେ ଚିଠିର କେଉଁ ଭାଷା ମତେ ବୁଝା ଯାଉନଥିଲା। ମୋ ମୁଣ୍ଡରେ କିଛି ପଶୁନଥିଲା। ଚିଠି କେମିତି ଲେଖିବି ଯେ ? ମୁଁ ଯଦି ଚିଠି ନ ଲେଖେ ମାନସୀ କେମିତି ମୋ ଚିଠିର ଉତ୍ତର ଦେବ ! ମୁଁ ବାପୁନକୁ କେମିତି ମୋ ଚିଠି ଦେଖେଇବି ? ଶେଷରେ ସ୍ଥିର କଲି ବାପୁନର ଚିଠି ଟା ଉତାରି ଦେବୀ। ଏମିତି ପୁର୍ବରୁ ତା ଖାତାରୁ ଉତାରି ସାର୍ ଙ୍କୁ ଦେଖେଇଛି। ଆଜି କିନ୍ତୁ ଗୋଟେ ଭିନ୍ନ ଅନୁଭୂତି ହଉଥିଲା। ଲେଖିବାକୁ ଆରମ୍ଭ କଲି....


ମୋର ପ୍ରିୟ, ମାନସୀ... ତୁମେ ହେଉଛ ଇଶ୍ୱରଙ୍କର ସର୍ବ ଶ୍ରେଷ୍ଠ ସୃଷ୍ଟି । ଏତିକି ଲେଖିକି ମତେ ହସ ଲଗିଲା.... ଯାହାର ଚୁଟି ଭିଡିଛି, ଯାହାକୁ କେତେ ବିଧା ମାରିଛି, ଯାହା ସହିତ କେତେ ଝଗଡା କରିଛି ତାକୁ ତମେ ବୋଲି କହିଲା ବେଳକୁ ମତେ ଭାରି ଜୋର୍ରେ ହସ ଲାଗିଲା। ସେ ଧାଡ଼ି ଟିକୁ କାଟି ଦେଲି। ତମେ ଜାଗାର ତୁ ଲେଖି ପୁଣି ଥରେ ଲେଖିବା ଆରମ୍ଭ କଲି। ମୋର ପ୍ରିୟ, ମାନସୀ.... ତୁ ହଉଛୁ ଇଶ୍ୱରଙ୍କର ସର୍ବ ଶ୍ରେଷ୍ଠ ସୃଷ୍ଟି ମୋ ପାଇଁ ଗୋଟିଏ ମାତ୍ର ସ୍ତାନ ଅଛି ଯଉଠି ମୁଁ ତତେ ସବୁ ବେଳେ ପାଇବି। ସେ ସ୍ତାନଟି ହେଉଛି ମୋ ହୃଦୟ। ତୁ ହେଉଛୁ ମୋ ହୃଦୟ ବଗିଚାର ଏକ ମାତ୍ର ଗୋଲାପ, ତୁ ଅମ୍ଳଜାନ ମୋ ଶରୀର ପାଇଁ, ରକ୍ତ ମୋ ଜୀବନ ପାଇଁ, ସ୍ପନ୍ଦନ ମୋ ହୃଦୟ ପାଇଁ, ତୁ ଅନୁଭବ କରି ପାରିବୁ ନାହିଁ ମୋ ହୃଦୟ ଅବସ୍ତା ମୋ ମନର ଅବସ୍ଥା ଆଜି କଣ ? ଏ ସବୁ ପ୍ରଶ୍ନର ଉତ୍ତର ମୁଁ ଆଠଟି ଅକ୍ଷରରେ ଦେଇପାରିବି, ମୁଁ ତତେ ଭଲ ପାଏ.. କିଛି ସମୟ ରହି ଗଲି ଚିନ୍ତା କଲି, ଅକ୍ଷର ଗୁଡ଼ା ଗଣିଲି ଆରେ ଏ କଣ ମୋର ତ ସାତଟା ଅକ୍ଷର ହେଉଛି । କାରଣ ମୁଁ ତମକୁ ବଦଳରେ ତତେ ଲେଖି ଦେଇଚି ନା...


ତେଣୁ କରି ଆଠଟି ଅକ୍ଷୟ କାଟି ଦେଇ ସାତଟି ଅକ୍ଷର ଲେଖି ଦେଲି। ପୁନଶ୍ଚ ଚିଠି ଲେଖିବା... ଆରମ୍ଭ କଲି। ଅନେକ ଦିନ ହେବ ଜଣେଇବି ଜଣେଇବି ବୋଲି ଭାବିଥିଲି କିନ୍ତୁ ସାହାସ କରିପାରୁନଥିଲି ତୁ ଯଦି ମତେ ଭଲ ପାଉ ଏ ଚିଠି ର ଉତ୍ତର ନିଶ୍ଚୟ ଦେବୁ..। ଏତିକି ଲେଖି ଭାବିଲି ମାନସୀ ଯଦି ମତେ ଭଲ ପାଉ ନଥିବ ଚିଠି ଦେବନି ତେବେ ମୁଁ ବାପୁନକୁ ମୁଁ କଣ ଦେଖେଇବି। ତେଣୁ ଶେଷରେ ମନକୁ ଦୁଇ ଧାଡ଼ି ଲେଖି ଦେଲି। ତୁ ଭଲ ପା.. କି.. 

ନ.. ପା ଚିଠି ନିଶ୍ଚୟ ଦେବୁ। ଚିଠି ତଳେ ନିଜ ନାଁ ଲେଖି, ଚିଠି ଟିକୁ ଭାଙ୍ଗି ଗୋଟେ ଲଫାପାରେ ପୂରେଇ ମାନସୀ ନାଁ ଆଉ ଠିକଣା ଲେଖି ଡାକ ବକ୍ସରେ ପକେଇ ଦେଲି। ତା ପରେ ମୋ ଦିନ ବିତିଲା ଡାକ ବାଲାର ବାଟ ଚାହିଁ ଚାହିଁ। ମାଟ୍ରିକ୍ ପାସ କରି କଲେଜରେ ଆଡମିସନ କରି ସାରିଥିଲି। କଲେଜରୁ ଫେରି ଘରେ ଆଗେ ପଚାରେ ମୁଁ ନାଁ ରେ କିଛି ଚିଠି ଆସିଥିଲା କି ? ଏମିତିରେ ଦୁଇ ମାସ ବିତି ଗଲା ଚିଠି ଆସିଲା ନାହିଁ।


ଦଶହରାକୁ ନାନୀ ଆସିବ ବୋଲି ଶୁଣିଲି ସେଇ ବର୍ଷ ଦଶହରା ଛୁଟିକୁ ଚାତକ ପରି ଚାହିଁ ରଖିଲି ନାନୀ ଆସିବ ବୋଲି ନୁହେଁ ନାନୀ ଆସିଲେ ମାନସୀ ର ଚିଠି ଆଣିକି ଆସିଥିବ। ସେଇ କ୍ଷଣକ ସମ୍ଭାବନା ପାଇଁ। ଆସିଗଲା ଦଶହରା ଛୁଟି ଯଉ ଦିନ ନାନୀ ଆସିବ ସେଇ ଦିନ ବାପୁନକୁ କହି ଦେଇଥିଲି ସନ୍ଧ୍ୟାରେ ମନ୍ଦିର ପାଖକୁ ଆସିବୁ। ଦଶହରା ଛୁଟି ପାଇଁ କଲେଜ ବନ୍ଦ ଥିଲା। ଟିଉସନ ରୁ ଫେରି ଘରେ ଜାଣିଲି ନାନୀ ଆସି ସାରିଛି। ମୁଁ ନାନୀ ପାଖକୁ ଗଲି ନାନୀ କିନ୍ତୁ ମୋ ସହ କଥା ହେଲାନି ମୁଁ ଜାଣି ପାରିଲି ନାହିଁ ସେ କାହିଁକି ମୁହଁ ଫୁଲେଇଛି ।ମୁଁ କିନ୍ତୁ ତା କଥା ହେବାଠୁ ଅଥୟ ଥିଲି ସେ ଆଣିଥିବା ଚିଠି ଟି ପାଇବାକୁ କିନ୍ତୁ ମୁହଁ ଖୋଲି ତ ମାଗି ପାରୁନଥିଲି। ମୁଁ ବୁଝି ବି ପାରୁନଥିଲି ସେ ଚିଠିଟା କାଇଁ ଯେ ଦଉନି.. ନାନୀର ମୁହଁକୁ ଦେଖି ବୁଝି ହେଉଥିଲା ସତେ ଯେମିତି ସେ ବହୁତ ରାଗିଛି କିନ୍ତୁ କାହିଁକି ପଚାରିବାକୁ ବି ସାହାସ କରି ପାରୁନଥିଲି। କେଜାଣି କାହିଁକି ମନ ରେ ଅନେକ ଭାବନା ପସୁ ଥିଲା। କିନ୍ତୁ କଣ କରିବି କଣ କହିବି କିଛି ଭାବି ପାରୁନଥିଲି। ହଠାତ୍ ଭାଇଙ୍କ ଚିତ୍କାରରେ ମୁଁ ଚମକି ପଡ଼ିଲି। ଭାଇଙ୍କ ମୁହଁରେ ମୋ ନାଁ ର ଏମିତି ଚିତ୍କାର ଜୀବନରେ ପ୍ରଥମ ଥର ପାଇଁ ଶୁଣୁଥିଲି। ମୁଁ ଡରି ଗଲି ଆଉ ଭାଇଙ୍କ ପାଖକୁ ଗଲି। ଭାଇଙ୍କର ଗୋଟେ ଧାପଡ ମୋ ଗାଲମୁଣ୍ଡକୁ ପୁରା ଲାଲ କରି ଦେଇଥିଲି। ମୁଁ କିଛି ବୁଝି ପାରୁନଥିଲି ଭାଇ କଣ ପାଇଁ ମତେ ମାରିଲେ। ଜୀବନରେ ପ୍ରଥମ ଥର ପାଇଁ ଭାଇଙ୍କ ହାତରୁ ମାଡ ଖାଇଲି। କିନ୍ତୁ କଣ ପାଇଁ ବୁଝି ପାରୁନଥିଲି। ମୁଣ୍ଡ ଭିତର ତା ଛାଇ ଛାଇ ହେଇଯାଉଥିଲା। ଭାଇ ମତେ ପଚାରିଲେ ତୁ ମାନସୀକୁ ଚିଠି ଦେଇଥିଲୁ ? ଆଉ ପ୍ରତି ବଦଳରେ ମୁଁ ଛୋଟିଆ ଉତ୍ତରଟେ ଦେଲି.. ହଁ । ପୁଣି ଧାପଡଟେ ବାଜିଲା ମୋ ମୋ ଗାଲରେ... ତୋ ବୟସ କେତେ ନିଶ ଉଠିନି ଏ ବୟସରୁ ପ୍ରେମ କଲୁନି ପ୍ରେମ ଚିଠି ଲେଖା ଯାଉଚି। ନାନୀ ଶାଶୁଘର ସାମ୍ନାରେ ମାନ ସମ୍ମାନ ସବୁ ତଳେ ପକେଇଲେ ପାଠ ପଢା ବୟସରେ ଏ ସବୁ ଫାଜିଲାମି ଭାଇ ଗପି ଚାଲିଥିଲେ ଆଉ ମୁଁ ନିରବରେ ଶୁଣି ଚାଲିଥିଲି। ତା ପରର ଗୋଟେ ମାସ ଥିଲା ମୋ ଜୀବନର ସବୁଠୁ କଷ୍ଟ ଦାୟକ ସମୟ। ପରିବାର ସମସ୍ତ ସଦସ୍ୟ ପ୍ରତିଟି କଥାରେ କଟୁ ବାକ୍ୟ କହିବା ପାଇଁ କୌଣସି ସୁଯୋଗ ହାତ ଛଡା କରୁନଥିଲେ। ସେଇ ଦିନ ଠୁ ନାନୀ ଶାଶୁଘରକୁ ଯିବା ଆଉ ମାନସୀ ସହିତ ସମ୍ପର୍କ ଶେଷ୍ ହେଇଗଲା। ୟା ଭିତରେ ଦଶ ବର୍ଷ ବିତି ଗଲାଣି। ସେଇ ପରଠୁ ମାନସୀ ସହିତ କେତେ ସାକ୍ଷାତ ହେଇନି ଆଉ ତାକୁ ଦେଖା କରିବା ପାଇଁ ମୁଁ କେବେ ଚେଷ୍ଟା ବି କରିନି। ନାନୀ ଠୁ ଶୁଣିଥିଲି ତା ଚାକିରୀ କରିବା କଥା.. ଆଉ ମୋର ବି ଚାକିରୀ କରିବା ପ୍ରାୟତ ଛ ବର୍ଷ ବିତି ଗଲାଣି। ମୁଁ ମୋ କାମରେ ବେସ୍ତ ଆଉ ସେ ବି। କେବେ ଜାଣି ବାକୁ ଚେଷ୍ଟା କରିନାହିଁ ସେ କଉଠି ଚାକିରୀ କରୁଛି ଆଉ କଉଠି ରହୁଛି। ମୁଁ ମୋ ଦୁନିଆରେ ଖୁସିରେ ଅଛି ଆଉ ସେ ତା ଦୁନିଆରେ କିନ୍ତୁ ସେ ଚିଠି କଥା ଆଉ ସେ ସମୟର କଥା ଆଜି ମନେ ପଡିଲେ ମୋର ମନେ ପଡିଯାଏ ସେତେ ବେଳେ ମୋ ମନ ଭିତରେ ଉଠୁଥିବା ଅବୁଝା ପ୍ରଶ୍ନ ସବୁ। ଆଜି ସେ ସବୁ ପ୍ରଶ୍ନର ଉତ୍ତର ମୁଁ ପାଇଁ ସାରିଛି।


ବେଳେ ବେଳେ ମୁଁ କୌଣସି ଏକ ସନ୍ଧ୍ୟାରେ ବାଲକୋନୀରେ ବସି ରମ୍ ର ଗୋଟେ ପ୍ୟାକ ନେଇଯାଏ ସେତେବେଳେ ମାନସୀ କଥା ବହୁତ ମନେ ପଡେ। ସେ ଚିଠି ମାନସୀ ପାଖରେ ପହଞ୍ଚି ଥିଲା କି ତାଙ୍କ ପରିବାର ଆଉ କେହି ପାଇ ନାନୀକୁ କହି ଦେଇଥିଲେ ମୁଁ ଆଜି ବି ଜାଣେନା.... ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ମୁଁ ଚାହିଁ ଥିଲେ ପରେ ନାନୀ ଠୁ ତ ବୁଝି ପାରିଥାନ୍ତି। ହଁ ମୁଁ ବୁଝି ପାରିଥାନ୍ତି କିନ୍ତୁ ମୁଁ କେବେବି ନାନୀକୁ ସେ କଥା ପଚାରି ନାହିଁ। କାରଣ ଆଜି ବି ମୋ ମନରେ ଗୋଟେ ସମ୍ଭାବନା ବଞ୍ଚି ରହିଚି। ସେ ଚିଠି ମାନସୀ ପାଖରେ ବୋଧେ ପହଞ୍ଚି ନଥିଲା ମୋ ଅଜଣାରେ ହେଇଥିବା ପ୍ରଥମ ପ୍ରେମର ସେ ପ୍ରଥମ ଚିଠି ଯଦି ମାନସୀ ପାଖରେ ପହଁଚି ଥାନ୍ତା। ହୁଏତ ଏ କାହଣୀ ଆଜି ଆଉ କିଛି ମୋଡ଼ ନେଇଥାନ୍ତା। ଖଣ୍ଡି ଉଡ଼ା ଦେଉଥିବା ସେ ଚଢେଇଟି ଆଜି ପ୍ରେମ ପକ୍ଷୀ ହୋଇ ଉଡି ବୁଲୁଥାନ୍ତା। ସେଇ ସମ୍ଭାବନା ଯୋଗୁ ମାନସୀ ଆଜି ବି ମୋ ହୃଦୟରେ କଉ ଏକ କୋଣରେ ଘର ଟିକେ କରି ସେମତି ରଖିଛି..... ।

  


Rate this content
Log in