ଜେଜେଙ୍କ ସଙ୍ଗେ ରହି ପ୍ରକୃତିକୁ ଖୁବ ଭଲ ପାଉଥିଲା ଆଭା. ଗଛ, ନଈ, ନଈରେ ମାଛ, ପକ୍ଷୀବସାର ଗଛ ସବୁର ଚିତ୍ର ଆଙ୍କୁ ଆଙ୍କୁ ଜେଜେଙ୍କ ପରି ଆଭା ମଧ୍ୟ ପ୍ରକୃତିକୁ ଭଲପାଉଥିଲା ଓ ଚିତ୍ର ଆଙ୍କି ଚାଲିଥିଲା ତ ସହରର ସାଙ୍ଗମାନେ ତାକୁ ପ୍ରକୃତି କନ୍ୟା ରୂପେ ଅଭିହିତ କଲାବେଳେ ଜେଜେଙ୍କ ସୁନାଚଢେଇ ର ରୂପେଲି ପର ସବୁ ସତେ ଯେମିତି ଡେଣା ଝାଡ଼ି ଉପରକୁ ଉଡ଼ୁଥିଲା. ଏବେ ଆଭା ସୁନ୍ଦରୀ ଶିକ୍ଷିତା, ଭଲ କମ୍ପାନୀର ଏମ. ଡି ଅଟେ. ଜେଜେ କହୁଥିଲେ ମୋ ସୁନାଚଢେଇର ହାତ ଧରିବ ଏମିତି କେହି ତ କୋଉଠି ମତେ ନଜରକୁ ଆସୁନି. ଶେଷକୁ ସମସ୍ତେ ଲକ୍ଷ କଲେ ସବୁ ଭଲ ଭଲ ପ୍ରସ୍ତାବ ଭାଙ୍ଗି ଯାଉଛି ଓ ଆଭା ଖୁସି ହେଉଛି. ବୁଝୁ ବୁଝୁ ଏକମାତ୍ର କାରଣ ଥିଲା ଆଭା ପୁଅମାନଙ୍କୁ ଯେବେ ଗୋଟେ ଦିଇଟା ପ୍ରଶ୍ନ ପଚାରୁଥିଲା ଯଥା ଆପଣଙ୍କୁ ଗାଁ ଭଲ ନା ସହର? ପୁଣି ପଚାରୁଥିଲା ଧରନ୍ତୁ ଆପଣ କବିତା ବା ଗଳ୍ପ ଲେଖିବେ ତେବେ ଶବ୍ଦ କୋଉଠୁ ପାଇବେ? ସମସ୍ତେ ପ୍ରାୟ ସହର ଭଲ କହୁଥିଲେ ଓ ଶବ୍ଦ ସବୁ ଏଇ ସହରର ରାଜରାସ୍ତା ଭିତରୁ ଉଦ୍ଧାର କରି କବିତା ଗଳ୍ପ ଲେଖିଯିବୁ କହୁଥିଲେ ମଧ୍ୟ ଗାଁରେ ଥିବା ଝରଣା, ନଈ କିମ୍ବା ଆକାଶ ପର୍ବତ, ପାହାଡ଼, ଗଛ ପକ୍ଷୀ ବୋଲି କହୁନଥିଲେ ପ୍ରାକୃତିକ ପରିବେଶ ନକହି କଳ କାରଖାନା, କଂକ୍ରିଟ ସହର, ଧୂଆଁ, ଚିମିନି ଓ ସଂରକ୍ଷଣ କଥା କହୁଥିଲେ ତ ଆଭା କହୁଥିଲା ସେ ପୁଅ ମୋର ପସନ୍ଦ ନୁଁହଁ.
ଏଥର ଜେଜେ ଯୋଉ ପ୍ରସ୍ତାବ ଆଣିଥିଲେ ସେ ତାଙ୍କ ଆଡୁ ପ୍ରସ୍ତାବ ରଖିଥିଲେ ମତେ ଗୋଟେ ଗାଁର ଠିକଣା ଦେଇପାରିବ ଆଭା ଯୋଉଠି ନଈ ବହିଯାଉଥିବ. ବହୁତ ଗଛ ଥିବ. ସୁନେଲି ସକାଳେ ପକ୍ଷୀଙ୍କ କାଳରବ ଭିତରେ ନିଦ ଭାଙ୍ଗୁଥିବ. ପକ୍ଷୀଙ୍କୁ ଖାଇବାକୁ ଖୁଦ ବୁଣିଲା ବେଳେ ସେମାନେ ପକ୍ଷୀବସା ତିଆରି କରୁଥିବେ. ସନ୍ଧ୍ୟାରେ ଗୋଧୂଳି ଉଡେଇ ଗାଈଗୋଠ ଫେରୁଥିବ ଓ ଗାଈଆଳ ଭାଇର ବଇଁଶୀ ସ୍ଵନ ସହିତ ରାତି ଆସିଯିବ. ରାତିରେ ମଧ୍ୟ ଗଛ ମାନଙ୍କ ଫାଙ୍କରେ ଚାନ୍ଦ ନୀଳକଇଁ ଙ୍କୁ ନୀଳ ପ୍ରେମ ପତ୍ର ଲେଖିବାକୁ ମନ କରି ନଈ ପାଣିରେ ମୁଁହଁ ଦେଖୁଥିବ. ଚହଲା ପାଣିରେ ପ୍ରତିବିମ୍ବ ଦେଖୁ ଦେଖୁ ରାଗିକି ଆକାଶକୁ ଫେରିଗଲା ବେଳେ ଉଲକା ବର୍ଷା ଦେଖି ଛପି ଯାଉଥିବ. ସେହି ପୁଅର ଏତେ କଥା ଶୁଣି ଉଲ୍ଲସିତ ହେଲା ଆଭା. ଚମତ୍କାର ଚମତ୍କାର କବି ଭାବ କହି ଚିତ୍କାର କରୁ କରୁ ଜେଜେ ଧାଇଁ ଆସିଲେ ଆଉ ଆଭା କହୁଥିଲା ଏଇ ପୁଅକୁ ବାହା ହେବି ଜେଜେ. ସେ ପୁଅ କହୁଥିଲା ମୋର କିନ୍ତୁ ଗୋଟେ ସର୍ତ୍ତ ଅଛି. ମୋର ଯୌତୁକ ବଦଳରେ ଗାଁରେ ବାହାହେବାର ଇଛା ଅଛି. ଜେଜେ କାହିଁକି ସେଦିନ ୟୁରେକା ୟୁରେକା କହୁଥିଲେ ବାହାଘର ପରେ ବୁଝିଥିଲା ଆଭା. ପୁଅକୁ ଜେଜେ ସୂଚନା ଦେଇଥିଲେ କି ମୋ ନାତୁଣୀ ପ୍ରକୃତି କୋଳରେ ବଢିଥିବା ପ୍ରକୃତିକନ୍ୟାଟିଏ.