ପ୍ରିୟତମା ର ଚିଠି
ପ୍ରିୟତମା ର ଚିଠି
୧୭-୦୮-୨୦୦୮ ସମୟ ସକାଳ ନଅଟା । ଲଘୁଚାପ ପାଇଁ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାହାରକୁ ଯିବା ବନ୍ଦ । ରେଡ଼ିଓରେ ଗୀତ ଶୁଣି ଶୁଣି ବସିଥାଏ ପଢା ଘରେ । ବହିଟେ ଆଣି ପଢିବାକୁ ଲାଗିଲି । ଏମିତି ପୃଷ୍ଠା ପରେ ପୃଷ୍ଠା ଖୋଲୁ ଖୋଲୁ ଦେଖିଲି ଚିଠିଟେ ଅଛି । ବିସ୍ମିତରେ ଚିଠିଟାକୁ ଧରି ପଢ଼ିବା ପାଇଁ ଚେଷ୍ଟା କଲି । ହେଲେ ଏ କଣ ଚିଠିରେ ଲେଖା ଥିଲା । ଭାରି ଉତ୍କଣ୍ଠା ସହ ଚିଠିଟିକୁ ପଢ଼ିବାରେ ଲାଗିଲି ।
ପ୍ରିୟତମ ମାନସ୍,
ମନର ଦେବତା ମୋର ସାଦରେ ପ୍ରଣାମ ଗ୍ରହଣ କରିବ । ଅଭାଗିନୀର ଚିଠିଟାକୁ ନପଢ଼ି ଫିଙ୍ଗି ଦବନି । ଏଇ ଚିଠି ମୋର ଅନ୍ଧାରୀ ଜୀବନର ଆଲୋକ ପ୍ରଦୀପ । ତମେ ବଡ ନିଷ୍ଠୁର, କେମିତି ଏ ଛାତିଟାକୁ ପଥର ପରି ଗଢ଼ିଛନ୍ତି । ତମକୁ ଦିନେ ନ ଦେଖିଲେ କିପରି ମୋ ପ୍ରାଣଟା ବିକଳରେ ଆର୍ତ୍ତନାଦ କରେ ତା ହୁଏତ ବୁଝିପାରିବ ନାହିଁ । ଅଧୈର୍ଯ୍ୟ ଭରା ମନରେ ଆଜି ଏ ଚିଠି ଖଣ୍ଡିକ ତମ ପାଖକୁ ଲେଖିବାକୁ ଅସୀମ ସାହସ କରିଛି । କ୍ଷମା ଦବ ରହିବା ନାହିଁ, କଣ ଯେ ସମ୍ବର୍ଦ୍ଧନ କରିବି ତମକୁ ଜାଣି ପାରୁନି । ତମେ ଯେ ପହିଲି ଜୀବନର ଆରାଧ୍ୟ ଦେବତା,ନୂଆ ଜୀବନ ଦେଇଛନ୍ତି । ଉପକାରୀ ବନ୍ଧୁ ପରା ......ଆପଣ ସେଦିନ କହିଥିଲେ । ତୁମେ ସମ୍ବର୍ଦ୍ଧନା କରିବାକୁ ଏତେ ଦିନ ହବ ସାହସ କରିପାରିନଥିଲି, ହେଲେ ଆଜି କାଇଁ ଏ ତୁମେ ଶବ୍ଦ ଟା ଭାରି ମୂଲ୍ୟବାନ ଲାଗୁଚି ମତେ । ସତେ ଯେମିତି ଏ ଭିତରେ କେତେ ସାଇତା ମଧୁବସା ବାନ୍ଧି ହେଇ ରହିଚି । ସେଥିପାଇଁ ଲେଖିଲି ତୁମେ.............।
ଏଇ ଦୀର୍ଘ କେତେ ଦିନର ବ୍ୟବଧାନରେ ବୁଝି ପାରୁଚି ଭଲ ପାଇବାର ଅମୋହ ନିଶା କିପରି ମୂଲ୍ୟବାନ । ଆକାଶ ଓ ପୃଥିବୀର ବିରହ ପରି,ଏ ପୂଣ୍ୟତୋୟା ମହାନଦୀ କୂଳରେ ଚାହିଁ ରହିଚି ତୁମ ପଥକୁ । ଦିନଟି ସିନା ଘର କାମରେ କଟି ଯାଉଚି___ହେଲେ ଏ ଶୁନଶାନ୍ ରାତିଟି, ମୋ ମନରେ ଦୁର୍ବିସହ ସମୟ ହୋଇ ଉଠୁଚି । ମନରେ ସ୍ଥିରତା ରହୁନାହିଁ ? ଆଖିକି ନିଦ ଆସୁନି ! ଘରଟା କେମିତି ଲୁହା ପଞ୍ଜୁରୀ ପରି ଲାଗୁଚି । ଝରକା ବାଟେ ଚାହିଁ ରହୁଚି ଉଚ୍ଛୁଳା ନଈର ଢେଉ ରାଶିକୁ ; ଲହଡ଼ି ଭାଙ୍ଗୁଚି କେତେ କଣ ଅସରନ୍ତି ଭାବନା । ଚାନ୍ଦିନୀ ଭରା ଖୋଲା ଆକାଶକୁ ଚାହିଁ ଦୀର୍ଘନିଃଶ୍ୱାସ ଚାଲି ଯାଉଚି ।
ଉପକାରୀ ବନ୍ଧୁ ମୋର...ବୁଝି ପାରିବନି ହୁଏତ । ମନ ଦେଇ ଚିଠି ଲେଖି ବସି ଛାତିଟା କିପରି ମୋର ଥରି ଉଠୁଚି । ଆଖିରେ କଢ଼େଇ ଆସୁଚି ଜମାଟ ବନ୍ଧା ତତଲା ଲୁହ । ପାଖରେ ଥିଲେ ଦେଖନ୍ତ କେମିତି ଲୁହଗୁଡ଼ାରେ କାଗଜ ଭେଦିଯାଉଚି । ସପନରେ କେବେ ଆଶା କରିନଥିଲି । ତୁମେ ଏମିତି ନିଷ୍ଠୁର ହବ ବୋଲି ମୋର କାଇଁ ଏତେ ଭାବନା ? କାହା ଲାଗି ମମତା କୁହୁଡି ପହଁରି ଦୁଇ ଦିଗବଳୟ ଆଡ଼କୁ ଚାହିଁ ରହୁଛି ?? ସତେ କଣ ବଦଳି ଗଲ ? ମନରୁ ପାଶୋରି ଦେଇ ଦୂରେଇ ରହିଲ ଥରେ ହେଲେ ଭାବିଲନି ।
କେମିତି ମୁଁ ତମକୁ ଛାଡି ବଞ୍ଚି ରହିବି । ସତ କହୁଚି ଏ ଚିଠିର ଉତ୍ତର ନ ଦେଲେ... ଆତ୍ମହତ୍ୟା କରିବି ! ତମ ନିଷ୍ଠୁରତାକୁ ଆଉ ସହି ପାରିବିନି! ମୋ ରାଣ ଦେହ ଭଲ ନଥିଲେ ଚିଠିର ଉତ୍ତର ଦବ ନହେଲେ ସାକ୍ଷାତକାର ଦେଇ ଏ ଅଭାଗିନୀକୁ ବଞ୍ଚାଇବ । ସେଦିନ ପରା କହୁଥିଲ ଜୀବନରେ କେବେ ପର କରିବନି ! ଆଜି କଣ ଭୁଲିଗଲ ସେକଥା? ପୁରୁଷ ମନ କଣ ଏତେ ହାଲୁକା ? ମନ ଭୁଲା କେତେ କଥା କୁହନ୍ତି? __କେବେ ଆସୁଚ ?__ଆସିବନି ? ନ ଆସିଲେ ଏ ମୋର ଶେଷ ଚିଠି ! ଆଉ ଦେଖିବାକୁ ପାଇବନି ଏ ହତଭାଗିନିକୁ ! କଣ କହୁଚ ...? ଆସିବ ତ...? ମୋ ରାଣ......ତମ ସାନ ଭଉଣୀ ରାଣ ଦେଲି ନିଶ୍ଚୟ ଆସିବ । ..... ରାଗିଲ କି ? ଛି ରାଗିବନି....? ଆସୁନ ବୋଲି ଏମିତି କହୁଚି ସିନା, ତମେ କଣ ବୁଝୁନ, ଯେ ଯାହାକୁ ଭଲ ପାଏ ; ତା ପାଖରୁ ସାମାନ୍ୟ ଆଘାତ ପାଇଲେ କିପରି ବେଦନା ପାଏ ।
ଶୁଣ ନିଶ୍ଚୟ ଆସିବ । କାଲି ମୋ ସାଙ୍ଗ ପିଲା ହାତରେ ଚିଠିଟା ପଠେଇଦେବି । ପରଦିନ ହୁଏତ ଚିଠିଟା ପଢ଼ିସାରି ରାଗି ଉଠିବ ନିଶ୍ଚୟ ; କିଛି ନ ବିଚାରି ମନର ଅକୁହା କଥା କେତେ କହି ଯାଇଚି । କ୍ଷମା ଦବ, ତମକୁ ପ୍ରଥମ ଦେଖା ଦିନରୁ ମୋର ହୃଦୟ ମନ୍ଦିରରେ ବସାଇ ମନର ଫୁଲ ଦେଇ ଆରାଧନା କରି ଆସିଚି । ଆଉ କଣ କହିବି!! ଛି ଖୁବ୍ ରାଗୁଥିବ, ତମକୁ ରଗେଇବାକୁ ମୋର ମଧ୍ୟ ବହୁତ୍ ଇଛା । ____ ହଉ, ଆଜି ଏତିକିରେ ଥାଉ । ଅକୁହା କଥା କେତେ ରହିଗଲା, ପରେ କେବେ ଜାଣିବ । ଆଉ ଲେଖିବାକୁ କଲମ ଚାଲୁନି । ଚିଠି ମଧ୍ୟ ବହୁତ୍ ବଡ ହେଇଗଲାଣି । ବିଦାୟ ନେଲି, ଆଉ ସବୁ ପରେ ___ନମସ୍ତେ. ।
ସ୍ନେହର ଅନିତା
ଚିଠିଟା ପଢିଲା ପରେ ମାନସର ମନେ ପଡ଼ିଗଲା ସେ କଥା ସେ ଦିନର ସେ ଭୟାନକ ରାତି କଥା । ଠିକ୍ ପନ୍ଦର ଦିନ ତଳର କଥା ମାନସ ସେଦିନ ରାତିରେ ଫେରୁଥିଲା ମେଡିକାଲରୁ ରାତି ପ୍ରାୟ ଏଗାରଟା ସମୟ ହବ । ମାନସ ଆଚାର୍ଯ୍ୟ ଜଣେ ଜଣା ଶୁଣା ଡାକ୍ତର ପାଠ ପଢା ସାରି ସେ ସରକାରୀ ଡାକ୍ତରଖାନାରେ ଚାକିରି କରି ଥାଏ । ଝଡ଼ ବର୍ଷାର ରାତି, ,,,,,,,,,,,,,,,,,ନିଳୀମା ଆକାଶ ତଳେ ଅମୁହାଁ ଅନ୍ଧାର ଘୋଟି ରହିଚି, ରାସ୍ତା କଡର କସତାଣ୍ଡି ଫୁଳପରି ତାରାମାନେ ଉଙ୍କି ମାରୁଛନ୍ତି ବାଦଲ ଫାଙ୍କରୁ ? ସଂଜୁଆ ଝଡ଼ଟା ଥମି ଯାଇଥିଲେ ମଧ୍ୟ, ଛାତି ଥରାଳିଆ ଦମକା ପବନ ଥମିନାହିଁ । ନିଛାଟିଆ ରାସ୍ତାରେ ପବନର ଗତିକୁ ଚିରି ମାନସର ଗାଡି ଗଡ଼ି ଚାଲିଚି ଆଗକୁ, ଆଉ ଅଳ୍ପବାଟ ଚାଲିଗଲେ ଘରେ ପହଞ୍ଚି ଯିବ ।
ନିଛାଟିଆ ରାସ୍ତା, ଭୟର ଦମକ ଛାତିରେ, ଆଜି ବହୁତ୍ ଡେରି ହୋଇ ଗଲାଣି । ସଂଜ ବେଳ ଝଡ ତୋଫାନ ପାଇଁ ଆସିବାକୁ କଷ୍ଟ ହେଲା । ଏଣେ ବୋଉ ମୋର ଅନେଇ ବସିଥିବ, ମନେମନେ ଚିନ୍ତା କରୁଥିବ ଏତେ ରାତି ପର୍ଯ୍ୟନ୍ତ ରୁହେନି ତ । ସାନ ଭାଇ ଭଉଣୀ ମୋର ଅନେଇ ବସିଥିବେ ଭାଇ ଆସିଲେ ଖାଇବା । ଏମିତି ସବୁ ଭାବି ଗଡ଼େଇ ଚାଲିଥାଏ, ଗାଡ଼ିଟା ବି ଜାଗା ଜାଗାରେ ରହି ଯାଉଥାଏ । ରାସ୍ତା କଡରେ ଖାଲି କିଆବନ ଆଉ ବିଶାଳ ବିଶାଳ ଧାନ ଗହିର । ''ହଠାତ୍ କିଆବଣ ଗହିର ସେପାଖୁ ଗୋଟେ ଝିଅର କଣ୍ଠସ୍ୱର ଶୁଣାଗଲା ??? ବଞ୍ଚାଅ,,ବଞ୍ଚାଅ,,ମରିଗଲି ମରିଗଲି,,,ଛାଡ଼ିଦିଅ ମତେ, ଦୟାକରି ଛାଡ଼ିଦିଅ'' । ଏ ଡାକରେ ଚମକି ପଡିଲା ମାନସ, ଗାଡ଼ିକୁ ଅଟକାଇ କାନ ଡେରିଲା । ପୁରୁଷମାନଙ୍କର ଅଟ୍ଟହାସ, ଆଉ ନାରୀର ଆର୍ତ୍ତନାଦ ସୁଣାଯାଉଛି । ଆଶ୍ଚର୍ଯ୍ୟ ହେଲା ମାନସ,କିଏ ଏମାନେ ? ଏତେ ରାତିରେ ଏ ମଶାଣି ପାଖ ଜଙ୍ଗଲରେ? ଭୂତ ପିଶାଚ ନୁହେଁ ତ ?ଆଉ କଣ, କୋଉ ନାରୀ ପ୍ରତି ଅତ୍ୟାଚାର ହଉଚି ।
ନା, ସିଏ ଯାହା ହଉ ନା କାହିଁକି ମତେ ସନ୍ଧାନ ନବାକୁ ହବ।ଏମିତି କହି ଆଗେଇ ଚାଲିଲା ଆଗକୁ ଆଗକୁ,____ପୁଣି ସେଇ କଣ୍ଠସ୍ୱର, କିଏ କେଉଁଠାରେ ଅଛ, ରକ୍ଷାକର, ମରିଗଲି,ମରିଗଲି, ଏ ଗୁଣ୍ଡାମାନେ ମତେ ମାରି ପକେଇଲେ । 'ଆଗେଇ ପାରିଲାନି ମାନସ, ଦେହରେ ଖେଳିଗଲା ଗୋଟିଏ ଅଜଣା ଭୟ । ଗାଡିରୁ ଓହ୍ଲେଇ ଠିଆହେଲା ସେଠୀ । ବାରଆଡୁ ବାରକଥା ମନରେ ବାଡେଇ ହେଉଥାଏ । ଗାଡ଼ି ଡିକିରୁ ଟର୍ଚ୍ଚଟେ କାଢି ପକାଇଲା ଜଙ୍ଗଲ ଆଡ଼କୁ, କିନ୍ତୁ କିଛି ଦେଖିପରିଲାନାହିଁ । ଭାବିଲା ପଳେଇଯିବ, ହେଲେ ସତେ ଯେମିତି ତା ଗୋଡଟାକୁ କିଏ ଭିଡ଼ି ଧରିଛି_____କଣ ଉପାୟ କରିବ ସ୍ଥିର କରିପାରିଲା ନାହିଁ । ଟର୍ଚ୍ଚ ପକେଇ ଆଗେଇ ଚାଲିଲା ଜଙ୍ଗଲ ଆଡ଼କୁ । କାହିଁ !!,କିଏ କୋଉଠି କାହାର ତ ପତା ନାହିଁ । ଏମିତି ଆଗକୁ ଚାଲୁ ଚାଲୁ, ନିରବରେ ଗୋଟାଏ ଜାଗାରେ ଛିଡ଼ା ହେଇ ଚାରିଆଡକୁ ଟର୍ଚ୍ଚ ପକାଇଲା ।
ହଠାତ୍ ଦେଖିବାକୁ ପାଇଲା ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । କିଆବୁଦାର ଘାସଉପରେ ଲୋଟିପଡ଼ିଛି ଗୋଟେ ପୂର୍ଣ୍ଣଯୌବନା ଯୁବତୀଟିଏ । ଦେହର ଭାରସ୍ୟାମ ହରେଇ ବିପର୍ଯ୍ୟସ୍ତ ଭାବରେ ଲୁଗାପଟା ଗୁଡ଼ାଏ ଛିନ୍ ଛତ୍ର ହେଇ ଛିଟିକି ପଡିଚି ଏଣେ ତେଣେ । ପାଖରେ କେହିଜଣେ ନାହିଁ । ଦେହରେ ନା କୌଣସି ଅଳଙ୍କାର କି ସୂତାଖିଅଟେ ନାହିଁ । ଖାଲି ମୁହଁରେ ତାର ଭରିରହିଛି ଆତଙ୍କଭରା ଚିହ୍ନ ସୁକୋମଳ ଦେହରୁ କ୍ଷତ ବିକ୍ଷତ୍ ହୋଇ ରକ୍ତର ଧାର ଛୁଟୁଛି । ନିରବ ହୋଇ ଛିଡା ହୋଇ ମାନସ ଆଉଥରେ ଚାହିଁଲା ଚାରି ଦିଗକୁ । ନା କେହି ତ ନାହିଁ ?? କିଏ ଏ ଝିଅ ଟା? ଏ ତ ଆଉ ଶବ ନୁହେଁ, କେହି ନୃଶଂସ ଏ ଅଭାଗିନୀର ସର୍ବନାଶ କରି ଚାଲିଯାଇଛି ।

