ପରିଣାମ
ପରିଣାମ
ମାଧବ ଗଣମାଧ୍ୟମ ବିଭାଗର ଛାତ୍ର । କିଛି ତଥ୍ୟ ସଂଗ୍ରହ ପାଇଁ ଆସିଥାଏ ଗୋଟିଏ ଅଜଣା ସହର । ବସରୁ ଓହ୍ଲେଇ କିଛି ଦୂର ଗଲା ମାଧବ । ଶୁଣିଲା ଗୋଟେ କାନ୍ଦ ସ୍ବର ପରିଣତ ବୟସରେ ଯେମିତି ସବୁ ଲୁହକୁ ଲହୁ ଆକାରରେ ବୁହାଇ ଚାଲିଥିଲେ କେଉଁ ଜଣେ ବୃଦ୍ଧା । ମାଧବ ଜଣେ ହସକୁରା ପ୍ରକୃତିର । କାହା ଆଖିର ଲୁହ ସେ ଦେଖି ପାରେନି । ତେଣୁ କାନ୍ଦ ସ୍ବରକୁ ଧ୍ୟାନ ଦେଇ ସେଇ ସ୍ବରର ଦିଗେ ଦିଗେ ପାଦ ବଢାଏ । ଚୁପ୍ ଚାପ୍ ବୃଦ୍ଧାଙ୍କ ପାଖେ ବସି ପଡି ତାଙ୍କୁ ତୁନି କରାଇବା ବଦଳେ ନିଜେ ତାଙ୍କ ସହ କାନ୍ଦିବା ଆରମ୍ଭ କରେ । ଆଶ୍ଚର୍ଯ୍ୟାନ୍ବିତ ବୃଦ୍ଧା ଜଣକ ତତକ୍ଷଣାତ୍ କାନ୍ଦ ବନ୍ଦ କରି ମାଧବର ମୁଣ୍ଡ ଆଉଁସି ତାକୁ କାନ୍ଦିବାର କାରଣ ପଚାରନ୍ତି ।
ମାଧବ ଚତୁରତା ସହ ତୁନି ନରହି ଥର ଥର କାନ୍ଦିବା ଗଳାରେ ପଚାରେ ମୋ ମାଁ କାଇଁ କାନ୍ଦୁଥିଲା ଯେ ! ସେ କାନ୍ଦିଲା ମୁଁ କାନ୍ଦିଲି । ବୃଦ୍ଧା ଜଣକ ମାଧବର କଥାଶୁଣି ହସି ଉଠନ୍ତି । ମାଧବର ଉଦ୍ଦେଶ୍ୟ ସଫଳ ହୁଏ । ଦୁହିଁଙ୍କ ବଳକା ଲୁହ ତକ କାନିରେ ପୋଛିବା ପରେ ମାଧବ ପୁଣି ଚାହେଁ ସେ ଆସିଥିବା କାରଣକୁ ପୂର୍ଣ୍ଣ କରିବାକୁ । ସେ ତ କିଛି ତଥ୍ୟ ସଂଗ୍ରହ ପାଇଁ ଆସିଛି ଯାହା ମାଧ୍ୟମରେ ତାର ଶେଷ ବର୍ଷର ପରୀକ୍ଷା ଫଳ ନିର୍ଭର କରିବ । ଯେଉଁ ତଥ୍ୟ ଖୋଜୁଛି ତାକୁ ପାଇଗଲେ ସେ ଗଣମାଧ୍ୟମରେ କେବଳ ଡିଗ୍ରୀ ଟିଏ ନୁହେଁ ବରଂ ଗଣମାଧ୍ୟମର ବିଭିନ୍ନ ବିଭାଗରେ ସେ ପ୍ରସିଦ୍ଧ ହୋଇଯିଏ । ତେଣୁ ଯଦି ସେଥିରେ ଧ୍ୟାନ ନଦେଇ ସବୁ ସମୟ ସେଇ ବୃଦ୍ଧାଙ୍କ ସହ ବିତେଇ ଦେବ ତେବେ ତା ସ୍ବପ୍ନ ସବୁ ଅଧା ରହିଯିବ । ତେଣୁ ସେ ସେଠୁ ଫେରିବାକୁ ଉଦ୍ୟମ କରେ । ବୃଦ୍ଧା ଜଣକ ମାଧବର ହାତ ଧରି ଗେଲବସରରେ ଅନୁରୋଧ କରନ୍ତି ଯେ ଫେରିଯିବା ପୂର୍ବରୁ ଗଣ୍ଡେ କିଛି ଖାଇଦେଇଯା ବାପା । ଏତେ ସ୍ନେହ ଭରା ନିବେଦନକୁ ମାଧବ ଖଣ୍ଡନ କରିନପାରି ଓଲଟା ବୃଦ୍ଧାଙ୍କ ହାତ ଧରି ତାଙ୍କ ଘରକୁ ଯାଏ ।
ରାସ୍ତାଠୁ ସାମାନ୍ୟ ଦୂରେ ତାଙ୍କ ଘର । ଛୋଟିଆ ଗୋଟିଏ ପକ୍କାଘରରେ ପକା ଯାଇଥାଏ ଟିଣ ଚାଦର । ବୃଦ୍ଧା ଜଣକ ମାଧବକୁ ଖଟରେ ବସେଇ ଦେଇ କିଛି ଖାଇବା ତିଆରି କରିବା ସହ ମାଧବ ସହ କଥା ହେଉଥାନ୍ତି । କିଛି ସମୟ ପରେ ଦରଫୁଟା ଭାତ ସହ ଖଣ୍ଡେ ଆଳୁ ଚକଟା ଏବଂ ଆଚାର ପେଟେ ଖାଇଦେଇ ମାଧବ ଶୋଇପଡେ କିଛି ସମୟ ପାଇଁ ।
ପାଞ୍ଚ ଦିନ ବିତିଯାଇଥାଏ । ମାଧବର କୌଣସି ଖବର ନାହିଁ । ପାଗଳ ପ୍ରାୟ ଘର ଲୋକଙ୍କ ଅବସ୍ଥା । ପୋଲିସ ଘନା ଘନା ତଦାରଖ ଚାଲିଥାଏ । ତଥ୍ୟ ସଂଗ୍ରହ ପାଇଁ ଆସିଥିବା ମାଧବର କିଛି ତଥ୍ୟ ମିଳୁନଥାଏ । ରିଳ ଷ୍ଟେସନ, ବସ ଷ୍ଟେସନ ସବୁଠି ଚାଲିଥାଏ ଖୋଜା ଖୋଜି । ପୋଲିସ ଦଳ ଘୃରି ବୁଲୁଥାନ୍ତି । ସାତ ଦିନ ଚାଲିଯାଏ । ଷ୍ଟେସନ ପାଖ ସାହିରୁ ଫୋନ୍ ଆସେ । ଗୋଟେ ଘରେ ତାଲା ଝୁଲୁଥାଏ କିନ୍ତୁ ବିକଟ ଗନ୍ଧ ରହିବାକୁ ଦେଉନଥାଏ । ପୋଲିସ ସଂଗେ ସଂଗେ ଯାଇ ସେ ଘରର ତାଲା ଖୋଲେ । ଖଟରେ ପଡିଛି ଜଣେ ଯୁବକର ଶବ। ପଚି ଶଢି ଯାଇଥାଏ । ପୋଲିସ ଟିମ ଶବ ବ୍ୟବଚ୍ଛେଦ କରିବାକୁ ପଠାଏ । ସେଇ ଘରରୁ କୌଣସି ସୁରାଗ ମିଳେନାହିଁ ଯାହା ମାଧ୍ୟମରେ ଯୁବକଙ୍କ ଶବ ଚିହ୍ନି ହେବ । ତଥାପି ସନ୍ଦେହ ହୁଏ ମାଧବ ଉପରେ । ହୁଏତ ସେଇ ଶବ ସହ ମାଧବର କିଛି ସଂଯୋଗ ଥାଇପାରେ ।
ସତକୁ ସତ ବ୍ୟବଚ୍ଛେଦ ରିପୋର୍ଟରେ ମାଧବର ଶବ ବୋଲି ଜଣାପଡେ । ଯାହାକୁ କିଛି ନିଶା ଦେବାପରେ ତାର ଦୁଇ ବୃକକକୁ ଚୋରି କରାଯାଇଛି । ପୋଲିସ ଲାଗିପଡେ ତାର ଆଗାମୀ ସନ୍ଧାନ ଚୋର ଧରିବାରେ । ଏପଟେ ମାଧବର ପରିବାର ଭାଙ୍ଗି ଯାଏ । ଯେଉଁ ମାଧବ ଦିନେ ଗଣମାଧ୍ୟମରେ ବଡ ହେବାକୁ ସ୍ବପ୍ନ ଦେଖୁଥିଲା ସେ ଆଜି ଅଳ୍ପ ବୟସରେ ମୃତ୍ୟୁ ପରେ ଗଣମାଧ୍ୟମରେ ଛାଇଗଲା । ତା ସ୍ବପ୍ନ ସ୍ବପ୍ନରେ ରହିଗଲା । ସେ ତଥ୍ୟ ସଂଗ୍ରହ ପାଇଁ ଆସି ନିଜେ ପୋଲିସ ପାଇଁ ଏକ ବଡ ତଥ୍ୟ ହୋଇରହିଗଲା । ହସକୁରା ମାଧବର ସରଳତା, ପରକୁ ବିଶ୍ବାସ କରିବାର ଗୁଣ, ଅଜଣା ସହରର ଅଚିହ୍ନା ମଣିଷଙ୍କୁ ଭଲ ପାଇବାର କାରଣ ତାକୁ ତାଠୁ ତାର ନିଶ୍ବାସ ସବୁଦିନ ପାଇଁ ଛଡାଇନେଲା ।