Gangadhar Nanda

Horror Crime Thriller

4  

Gangadhar Nanda

Horror Crime Thriller

ପ୍ରେତର ପ୍ରତିଶୋଧ ଭାଗ୧୩

ପ୍ରେତର ପ୍ରତିଶୋଧ ଭାଗ୧୩

6 mins
15


 


       ଭବିଷ୍ୟତରେ ସାକ୍ଷାତ କରିବାର ପ୍ରତିଶ୍ରୁତି ଦେଇ କାଳୀ ପ୍ରସାଦ ମୋତେ ବିଦାୟ ଦେଲେ । ସେଦିନ ହୋଟେଲକୁ ଫେରିଆସି ପତ୍ନୀଙ୍କୁ କିଛି ଦର୍ଶନୀୟ ସ୍ଥାନ ବୁଲାଇ ଦେଖାଇ ସାରି ପରଦିନ ନିଜ କର୍ତ୍ତବ୍ୟସ୍ଥଳୀକୁ ପ୍ରତ୍ୟାବର୍ତ୍ତନ କଲି ।

         ବାରଣାସୀ ଗସ୍ତର ଡିଟେଲସ ରିପୋର୍ଟ ଆଇ.ଆଇ.ସି.ଙ୍କୁ ଦେଇସାରି ଡାଏରୀ ମେଣ୍ଚେନ୍‌ କଲି । ରିପୋର୍ଟିଙ୍ଗରେ କାଳୀ ପ୍ରସାଦଙ୍କ ସହ ହୋଇଥିବା ଆଲୋଚନାର ତଥ୍ୟରୁ ପ୍ରେତ କଥାଟିକୁ ବାଦ ଦେଇଥିଲି । କାରଣ ସେଭଳି କଥା ପୋଲିସ ଫାଇଲରେ ରହିପାରିବ ନାହିଁ ।

         ଅପରାହ୍ନରେ ଗ୍ରାମରକ୍ଷୀ ମଦନ ଦେଖାହେଲା । ବୋଧହୁଏ ମୋତେ କିଛି କହିବାକୁ ଚାହୁଁଥିଲା ।

'ସାର ! ଗତକାଲି ରାତିରେ ସରପଞ୍ଚଙ୍କର ଝିଅ ମିତାକୁ ଭୂତ ଲାଗିଥିଲା 'I

'ସତେ ! କଣ ହେଲା ସେଇଠୁ '? ମୁଁ କୌତୁହଳରେ ପଚାରିଲି ।

'କ'ଣ ଆଉ ହବ ଆଜ୍ଞା ! ଭୂତ ଛଡାଇବା ଲୋକ ନିଜେ ଭୂତ ହେଇ ଲାଗିଛି । ତାକୁ ଆଉ କିଏ ଭଲ କରିବ'?

' ମାନେ ' ? କଥାଟାକୁ ଟିକେ କ୍ଲିଅର କରି କୁହ ! ମୁଁ ଟିକିଏ ବିରକ୍ତ ଭାବରେ କହିଲି ।

'କହୁଛି ଆଜ୍ଞା ; ତାକୁ ଖୋଦ ପଣ୍ଡିତଙ୍କ ଭୂତ ଲାଗିଛି । ଆମର ଏଠାରେ କାହାକୁ ଭୂତ ପ୍ରେତ ଲାଗିଲେ , ନିଜେ ପଣ୍ଡିତେ ଆସି ଝଡ଼ା ଫୁଙ୍କା କରି ଭଲ କରନ୍ତି । ଏବେ ନିଜେ ପଣ୍ଡିତେ ଯଦି ଭୂତ ହେଇ ଲାଗିବେ , ତା'ହେଲେ ତାଙ୍କୁ କିଏ ତଡିବ ? ଆଖପାଖରେ ଥିବା ଛୋଟମୋଟ ଗୁଣିଆ ପଣ୍ଡିତଙ୍କ କଥା ଶୁଣି ଭୟରେ ଆସୁନାହାନ୍ତି । ଜଣେ ଗୁଣିଆ ସାହସ କରି ଆସିଥିଲା । ଯେମିତି ସେ ଝିଅ ପାଖରେ ବସି ଦିପଦ ମନ୍ତ୍ର ପଢି ବେତଟାକୁ ହଲେଇ ଦେଇଛି , ସାଙ୍ଗେ ସାଙ୍ଗେ ସେ ଝିଅଟା ଆଖି ତରାଟି ଦେଇ ଏମିତି ଗୋଟେ ଅଟ୍ଟହାସ୍ୟ କଲା ଯେ ସେ ଗୁଣିଆ ସେଇଠି ବେତଟାକୁ ଫୋପାଡି ଦେଇ ଗୋଡ଼ତଳେ ପଡିଗଲା ' ।

'ତୁମେ ଏସବୁ ଦେଖିଛ'? ମୁଁ ପଚାରିଲି ।

'ନାଇଁ ଆଜ୍ଞା ; କିନ୍ତୁ ମୋତେ ନିଜେ ସରପଞ୍ଚ ଏସବୁ କହିଛନ୍ତି ' ।

'ହୁଁ ; ସେଇଠୁ '?

'ଭିତରୁ ସେ ଗୁଣିଆଟା ବିକଳରେ ବାହାରକୁ ଦଉଡି ଆସୁଥିଲା । ସେ ଝିଅଟା ଏମିତି ଗୋଟାଏ ବିକଟାଳ ହୁଳହୁଳି ପକାଇଲା ଯେ ଗୁଣିଆ ଏକାଥରକେ ବେହୋସ ହେଇ ସେଇଠି ପଡିଗଲା 'I

'ତା'ପରେ '? 

'ତା'ପରେ ଗୁଣିଆ ସିଧା ମେଡିକାଲ ଗଲା । ଖାଲି ସେତିକି ନୁହେଁ ଆଜ୍ଞା ; ସେ ହୁଳହୁଳି ଶୁଣିକି ଆଉ ଦି'ଜଣଙ୍କର ଝାଡା ବାନ୍ତି ଫିଟିଛି ଯେ , ଏପର୍ଯ୍ୟନ୍ତ ଭଲ ହେଇ ନାହାଁନ୍ତି 'I ମଦନ ଏତକ କହିସାରି ମୋ ମୁହଁକୁ ଚାହିଁଥିଲା ; ବୋଧହୁଏ ମୋ ପ୍ରତିକ୍ରିୟା ଜାଣିବା ଉଦ୍ଦେଶ୍ୟରେ ।

'ଏବେ ସେ ଝିଅ ଖବର କଣ '?

'ସେମିତି ତାଲା ପଡିକି ଅଛି । ଖାଲି ମାରିବି ମାରିବି ହଉଛି । ଭୟରେ କେହି ତା' ପାଖ ପଶୁନାହାନ୍ତି 'I. . . . ',ସାର '!

'ହଁ , କଣ ହେଲା '? 

'ମୁଁ ଆଜି ରାତିରେ ଥାନାରେ ରହିଯା'ନ୍ତି'!

' କାହିଁକି ? ଭୂତକୁ ଭୟ ଲାଗୁଛି ? ତୁମର ତ ଆଜି ପାଳି ନୁହେଁ '? ମୁଁ ଥଟ୍ଟାରେ ପଚାରିଲି ।

'ହଁ ସାର ; ମୋର ଭୂତ ପ୍ରେତଙ୍କୁ ଭାରି ଭୟ । ପାଳି ନଥାଉ ; କାହାର ଗୋଟେ ବଦଳିରେ ପାଳି କରିଦେବି । ଶରତ କହୁଥିଲା , ତା'ର କାମ ଅଛି ବୋଲି । ତା'ରି ପାଳିରେ ଆଜି ମୁଁ ରହିଯିବି 'I

'ହଉ ହଉ ; ଖାତାରେ ଦସ୍ତଖତ କରି ରହିଯା',l କହିସାରି କ୍ୱାଟରକୁ ଆସିଲି ।

        ପରଦିନ ସକାଳୁ ଥାନାକୁ ଖବର ଆସିଲା ସରପଞ୍ଚ ବଡ ପୁଅର ଗତରାତିରେ ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ସନ୍ଦେହ ଜନକ । ପରିବାର ତରଫରୁ କୌଣସି ରିପୋର୍ଟ ହୋଇନଥିଲେ ବି ଘେରାଏ ବୁଲି ଆସିଲେ ଭଲ ହେବ ବୋଲି ଭାବି ସ୍ପଟକୁ ଗଲି । ମୁୁଁ ପହଞ୍ଚିଲା ବେଳକୁ ଶବ ସଂସ୍କାର ସରିଥିଲା । ମୃତ ବ୍ୟକ୍ତି ଏକ ମର୍ଡର କେସର ଦୁଇ ନମ୍ବର ମୁଦୌଲା ଥିଲା , ଏଇ ଆଧାରରେ ପରିବାରର ସମସ୍ତଙ୍କୁ ଜେରା କଲି । ସମସ୍ତେ ହାର୍ଟ ଆଟାକରେ ମୃତ୍ୟୁ ହୋଇଛି ବୋଲି କହୁଥିବା ସ୍ଥଳେ ମୃତକଙ୍କ ପତ୍ନୀ କିନ୍ତୁ ଭିନ୍ନ କଥା କହିଲେ । ତା'ଙ୍କ କହିବା ଅନୁଯାୟୀ ମିତା ଅର୍ଥାତ ମୃତକଙ୍କ ଭଉଣୀ ବର୍ତ୍ତମାନ ପ୍ରେତଗ୍ରସ୍ତା । ତାକୁ ଗୋଟାଏ ଘରେ ରଖାଯାଇ ତାଲା ଦିଆ ହେଇଛି । ଗତ ରାତି ପ୍ରାୟ ବାରଟା ପାଖାପାଖି ମିତା କାନ୍ଦି କାନ୍ଦି ବୋଉକୁ ଡାକିଲା । ଭୋକ ଲାଗୁଛି ବୋଲି ବିକଳ ହୋଇ କହିଲା । ବାହାରେ ରହି ତା' ସଙ୍ଗେ କଥା ହେବାରୁ ଭଲରେ କଥା ହେଲା । ଆମେ ଭାବିଲୁ ବୋଧହୁଏ ଭଲ ହୋଇଗଲା । ମା' ପୁଅ ଦୁଇଜଣ ଖାଇବା ନେଇ ସେ ଘରର ତାଲା ଖୋଲି ଭିତରକୁ ଗଲେ । କିଛି ସମୟ ପରେ ସେ ଘରୁ ବିକଳ ଚିତ୍କାର ଶୁଭିଲା । ଆମେ ଦଉଡି ଯାଇ ଦେଖିଲା ବେଳକୁ ମିତା ତା ବଡଭାଇକୁ ମାଡି ବସିଛି '। . . . ' ବିଶ୍ୱାସ କରନ୍ତୁ ସାର , ସେ ଝିଅଟାର ଏତିକି ବଳ ଯେ ତା' କବଳରୁ ଏତେବଡ ଯୁଆନ ମରଦଟା ଖସି ଆସିନପାରି ଖାଲି ଗଁ ଗଁ ହଉଥିଲା'।. . . .

  'ତା' ପରେ '?

'ଆମେ ସମସ୍ତେ ମିଶି ବହୁ କଷ୍ଟରେ ଦୁଇ ଜଣଙ୍କୁ ଅଲଗା କଲୁ । ସେତିକିରେ ମଧ୍ୟ ଆମକୁ ନାକେଦମ୍ ହେଇଛି । ମୋ ସ୍ୱାମୀ ବହୁ କଷ୍ଟରେ ସେ ଘରୁ ବାହାରକୁ ଆସିଲେ । ସେତେବେଳକୁ ସେ ଆଉ କଥା କହିପାରୁ ନଥାନ୍ତି । ଅଳ୍ପ କିଛି ସମୟପରେ ଆରମ୍ଭ ହୋଇଗଲା ରକ୍ତବାନ୍ତି । ବିକଳରେ ଡାକ୍ତରଖାନା ନେଇ ଗଲୁ । କିନ୍ତୁ ଅଧାବାଟରେ ସବୁ ଶେଷ । ମିତା ମୋ ସ୍ୱାମୀଙ୍କୁ ମାରି ଦେଇଛି ସାର । ଆପଣ ତାକୁ ଆରେଷ୍ଟ କରନ୍ତୁ'। 

        ମୁଁ ତାଙ୍କୁ ଆଶ୍ୱାସନା ଦେଇ ଚଉକି ଛାଡ଼ି ଉଠିଲି । ମିତା ଥିବା ଘରକୁ ମୋତେ ନେଇଯିବାକୁ କହିବାରୁ ସରପଞ୍ଚ ନିଜେ ମୋତେ ସେପର୍ଯ୍ୟନ୍ତ ନେଇଗଲେ ।

     ତାଲା ଖୋଲାହେଲା । ଦ୍ଵାର ଖୋଲି ଭିତରକୁ ପଶିଲି । ଗୋଡ ଦୁଇଟି ଲମ୍ବାଇ କାନ୍ଥକୁ ଆଉଜି ବସିଥିବା ଅବସ୍ଥାରେ ମିତା ମୋତେ ଥରେ ଚାହିଁଦେଇ ତଳକୁ ମୁହଁ ପୋତି ବସିଲା । ସୁନ୍ଦର ଝିଅଟିଏ ; ପତଳା ଚେହେରା ସାଙ୍ଗକୁ ଛୋଟିଆ ଶରୀର । ମନେ ମନେ ଆଶ୍ଚର୍ଯ୍ୟ ହେଉଥିଲି ଏଭଳି ଏକ ଝିଅ କବଳରୁ ଗୋଟାଏ ଶକ୍ତିଶାଳୀ ପୁରୁଷ ଖସି ଯାଇପାରିଲା ନାହିଁ ?

       ଘର ଭିତରେ ଆସବାବପତ୍ର କିଛି ନଥିଲା । କିଏ ଜଣେ ଚଉକିଟିଏ ଆଣି ଦେଲା । ଚିକିଏ ଦୂରରେ ଚଉକି ପକାଇ ବସିଲି । ଦୃଷ୍ଟି ଆପେ ଆପେ ଘରର ଚାରିଦିଗକୁ ପହଁରିଗଲା । ଦୁଇଟି ଥାଳି ଗିନା ଓ ଖାଦ୍ୟ ଇତସ୍ତତଃ ପଡ଼ିଥିଲା । ଗୋଟାଏ ପାଖରେ କିଛି ଭଙ୍ଗା ଚୁଡି ପଡିଥିଲା । ବୋଧହୁଏ ଧସ୍ତାଧସ୍ତି ସମୟରେ କାହାହାତରୁ ଭାଙ୍ଗିଯାଇଛି । 

     'ମିତା ! ମୁଁ ଧିର ସ୍ଵରରେ ଡାକିଲି । କୌଣସି ଉତ୍ତର ନଦେଇ ମିତା ମୋ ମୁହଁକୁ ଚାହିଁଲା ।' ଏ କ'ଣ ! ତା' ଆଖିରେ ମୋ ଦୃଷ୍ଟି ପଡିବା ମାତ୍ରେ ଚମକି ପଡି ଦିପାଦ ପଛକୁ ଫେରିଆସିଲି । ପଛପଟେ ଥିବା ଚ଼ଉକିଟି ସଶବ୍ଦେ ଓଲଟି ପଡିଲା । ନିକଟ ଅତୀତରେ ବାରଣାସୀର ହୋଟେଲରେ ଥିବା ବେଳେ ଥରେ ରାତିରେ ମୋ ସ୍ତ୍ରୀ ଆଖିକୁ ମୁଁ ଏମିତି ଦେଖିଥିଲି । 

'ସାର ! ମୁଁ ପଣ୍ଡିତ ଗଣନାଥ ଶର୍ମା । ଜାଣି ପାରୁଛନ୍ତି ତ '? ମିତା ସାମାନ୍ୟ ଧିର ସ୍ଵରରେ କହୁଥିଲା । ମୁଁ ତା' କଥାର ବିରୋଧ ନକରି ସମର୍ଥନ କରିବି ବୋଲି ଚିନ୍ତାକଲି । କାରଣ ବିରୋଧ କଲେ ହୁଏତ କୌଣସି ଭୟଙ୍କର ପ୍ରତିକ୍ରିୟା ଦେଖାଇପାରେ । ମୋତେ ମଧ୍ୟ ଭୟ ଲାଗୁଥିଲା । ବରଂ ସମର୍ଥନ କଲେ ଆଗକୁ ହୁଏତ ଆଉ କିଛି ଶୁଣିବାକୁ ମିଳିପାରେ ।

'ହଁ ହଁ ; ଜାଣିପାରୁଛି । ଆପଣ ଏଠାରେ କଣ କରୁଛନ୍ତି '? ମୁଁ ପଚାରିଲି ।

'ଆପଣ ମୋ ଗୁରୁ କାଳୀ ପ୍ରସାଦ କହିଥିବା କଥା ଭୁଲିଗଲେ କି ? . . କାଲି ରାତିରେ ଗୋଟାକୁ ମାରିଦେଲି । ସେ ଟୋକା ପ୍ରଥମେ ମୋ ପୁଅକୁ ମାଡିବସିଥିଲା । ମୋ ପୁଅର ଏତେ ବଳ ନଥିଲା ସାର । ରୋଗୀଣା ପତଳା ପିଲାଟା ' । . . . . . ପ୍ରବଳ କାନ୍ଦର ଶବ୍ଦ । ମିତା କାନ୍ଦୁଥିଲା ; ନା ନା , ପଣ୍ଡିତ ଗଣନାଥ ଶର୍ମା ହିଁ କାନ୍ଦୁଥିଲେ ବୋଲି ମୁଁ ଜାଣୁଥିଲି । ଗୋଟାଏ ପିତୃ ହୃଦୟର ଦୁଃଖ , ଅଭିମାନ , କୋହ , ପ୍ରତିଶୋଧର ଭାବନା ଇତ୍ୟାଦି ଅଶ୍ରୁ ଆକାରରେ ବାହାରି ଆସୁଥିଲା । ମୋ ଆଖିରେ ମଧ୍ଯ ଲୁହ ଜକେଇ ଆସିଲା । ନିଜକୁ ସଂଯତ କରି ପଚାରିଲି , ' ତା'ପରେ '? 

' ଏ ଟୋକା ମୋ ପୁଅର ମୁଣ୍ଡକୁ ନିଜ ଦୁଇ ଆଣ୍ଠୁ ସନ୍ଧିରେ ଚାପିଧରିଥିଲା' । ପୁଅ ମୋର ଜୀବନ ବିକଳରେ କେତେ ବାଡ଼େଇ ପିଟି ହେଇଚି ; ଏମାନଙ୍କର ଗୋଡହାତ ଧରି କେତେ ନେହୁରା ହୋଇ ଜୀବନ ଭିକ୍ଷା କରିଛି । ଏମାନେ କିଛି ଶୁଣିଲେନି । କାହାକୁ ଛାଡ଼ିବିନି ସାର ! ସମସ୍ତେ କଲବଲ ହେଇ ମରିବେ ; ଯେମିତି ମୋ ପୁଅ ମରିଛି ।ଏତିକି କହିସାରି ମିତା ଦୁଇ ହାତରେ ନିଜ ଚୁଟି ସବୁକୁ ଟାଣିଧରି ଗୁଁ ଗୁଁ ଶବ୍ଦ କରି କାନ୍ଥରେ ମୁଣ୍ଡ ପିଟିବାରେ ଲାଗିଲା । ମୁଁ ହତବାକ ହୋଇ ତାକୁ ଦେଖୁଥିଲି । ନିଜର ଏକମାତ୍ର ପୁତ୍ରର ଏଭଳି କରୁଣ ମୃତ୍ୟୁରେ ତାକୁ ରକ୍ଷା ନକରିପାରିବାର ପ୍ରବଳ ଆକ୍ରୋଶରେ ପଣ୍ଡିତେ ନିଜ ମୁଣ୍ଡ ପିଟୁଥିଲେ । ମୋତେ ଭୟ ଲାଗୁଥିଲେ ମଧ୍ୟ ଧିରେ ଧିରେ ମିତା ପାଖକୁ ଯାଇ ତା ମୁଣ୍ଡକୁ ଆଉଁସିଲି । ଓଃ , କି ତାତି ! ତା' ମୁଣ୍ଡରେ ପ୍ରବଳ ଉତ୍ତାପ । ମୁଣ୍ଡ ପିଟିବା ବନ୍ଦ କରି ହଠାତ ମିତା ମୋ ବାହୁରେ ମୁଣ୍ଡ ବାଡେଇ କାନ୍ଦିବାରେ ଲାଗିଲା । ମୁଁ ପଛକୁ ଚାହିଁ ଦେଖିଲି, ଦ୍ଵାର ସଂପୂର୍ଣ୍ଣରୁପେ ଆଉଜା ହୋଇଥିଲା । ମୋର ଭୟ ଥିଲା, କିଏ ଦେଖିଲେ କଥାଟିକୁ ଅନ୍ୟ ଅର୍ଥରେ ନେଇପାରେ ।

        ମୁଁ ଧିରେ ଧିରେ ମିତା ମୁଣ୍ଡକୁ ଆଉଁସି ଦେଉଥିଲି । ଆଉଁସିବା ଭିତରେ ଗୋଟାଏ ଆକୁଳ ବିକଳ ହେଉଥିବା ପିତାଟିକୁ , ମିତା ଶରୀରକୁ ଆଧାର କରି ରହିଥିବା ପଣ୍ଡିତ ଗଣନାଥ ଶର୍ମାଙ୍କୁ ସାନ୍ତ୍ଵନା ଦେଉଥିଲି । 

        ଫେରିବା ପାଇଁ ଉଠି ଠିଆ ହେଲି । ବିଦାୟ ଉଦ୍ଦେଶ୍ୟରେ ଦୁଇ ହାତ ଯୋଡିଲି ।

'ଆପଣ ପୁଣି ଆସିବେ ତ '? ଅଳି କରିବା ଭଙ୍ଗିରେ ଗୋଟିଏ ଶିଶୁ ଭଳି ମିତା ମୋତେ ପଚାରୁଥିଲା । ସମ୍ମତି ଦେଇ ବାହାରକୁ ଆସିଲି ।

       ବାହାରେ ସେ ଘରଠାରୁ ସାମାନ୍ୟ ଦୂରତ୍ଵ ବଜାୟ ରଖି ସରପଞ୍ଚଙ୍କର ପରିବାର ଲୋକ ଏବଂ କିଛି କୌତୁହଳୀ ଗ୍ରାମବାସୀ ମୋତେ ଅପେକ୍ଷା କରି ରହିଥିଲେ । ସେ ଘର ଭିତରୁ ମୋର ନିରାପଦପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ନେତ୍ରରେ ମୋତେ ଦେଖୁଥିଲେ । ସରପଞ୍ଚ ମହାଶୟ ମୋ ପାଖକୁ ଆସି ସବିସ୍ମୟେ ପଚାରିଲେ , 'ଆପଣଙ୍କର କିଛି ଅସୁବିଧା ହୋଇନାହିଁ ତ '?

       କାହାକୁ କିଛି ନ କହି ଥାନାକୁ ଫେରିଲି । ମୁଁ ମନେ ମନେ ମୋର କର୍ତ୍ତବ୍ଯ ଚିନ୍ତା କରୁଥିଲି ।

 *** କ୍ରମଶଃ *** 


Rate this content
Log in

Similar oriya story from Horror