ପ୍ରେତର ପ୍ରତିଶୋଧ ଅନ୍ତିମ ଭାଗ
ପ୍ରେତର ପ୍ରତିଶୋଧ ଅନ୍ତିମ ଭାଗ
'ଭୂଲଟା ସାର କ'ଣ କଲି କି , ମିତା ଦେଇଥିବା ଖବର ବିଷୟରେ ମୁଁ ସରପଞ୍ଚକୁ କହିଦେଲି ।ସବୁ ଶୁଣିସାରି ସରପଞ୍ଚ ମୋତେ ଆଉ ଗୋଟାଏ ବାଟ କହିଲା । ମିତା ଯେଉଁ ସ୍ଥାନରେ ଅପେକ୍ଷା କରିବ ବୋଲି ମୋ ହାତରେ ଖବର ଦେଇଥିଲା , ସେ ସ୍ଥାନ ନକହି ମୁଁ ପ୍ରଦୀପକୁ ସରପଞ୍ଚ କହିଥିବା ସ୍ଥାନ କହିଦେଲି । ଏତକ ମୁଁ ସରପଞ୍ଚ ବୁଦ୍ଧିରେ ପଡି କଲି ସାର' ।
'ତୁମର ଏ ଭୂଲ ପାଇଁ ଦୁଇଟା ପରିବାର ସଂପୂର୍ଣ୍ଣ ନଷ୍ଟ ହୋଇଗଲା ମଦନ । ଏକଥା ବୁଝିପାରୁଛ ତ '? ମୁଁ ଚଢା ଗଳାରେ ପଚାରିଲି ।
'ହଁ ସାର ! ମୁଁ କେତେବଡ ଭୁଲଟାଏ କଲି,ଏବେ ଜାଣିପାରୁଛି । ସେମାନେ ପିଲାଟାକୁ ମାରିଦେବେ ବୋଲି ମୋତେ ଜଣା ନଥିଲା ସାର । ମୋତେ ବିଶ୍ୱାସ କରନ୍ତୁ ।..... ମୁଁ ଏବେ କ'ଣ କରିବି ସାର '?
'ପ୍ରାୟଶ୍ଚିତ 'I ମୁଁ ନିର୍ବିକାର ଭାବରେ କହିଲି ।
'ସାର ! ଏଥିରୁ ବର୍ତ୍ତିଯିବାର ବାଟ ଆଉ କିଛି ନାହିଁ '?
'ନା, ନାହିଁ ; ତୁମେ ହିଁ ସେ ପଞ୍ଚମ ବ୍ୟକ୍ତି , ଯାହାକୁ ପୋଲିସ ଜାଣିବା ପୂର୍ବରୁ ପଣ୍ଡିତେ ଜାଣି ପାରିଥିଲେ'।
'ପଣ୍ଡିତେ ଆଉ କଣ କହୁଥିଲେ ଆଜ୍ଞା '?
'ନା ନା , ଆଉ କିଛି କହୁନଥିଲେ । ଏବେ ତୁମେ ମୋତେ ଯାହାସବୁ କହିଲ, ଆଇ.ଆଇ.ସି. ସାରଙ୍କୁ ସେସବୁ କଥା କୁହ । ଏହାପରଠାରୁ ସତର୍କ ହୋଇ ଚଳିବ 'I
'ଆଜ୍ଞା ' କହି ମଦନ ସେଠାରୁ ଚାଲିଗଲା ।
ପରଦିନ ସକାଳୁ ମଦନକୁ ଗୋଟାଏ ଗଛ ଡାଳରେ ବେକରେ ଦଉଡି ଦେଇ ଝୁଲୁଥିବା ଅବସ୍ଥାରେ ଗ୍ରାମବାସୀମାନେ ଦେଖିବାକୁ ପାଇଲେ । ଏଠାରେ ଗୋଟିଏ ବଡ ସଂଯୋଗର ବିଷୟ ହେଉଛି, ଆତ୍ମହତ୍ୟା କରିବାପାଇଁ ମଦନ ବାଛିଥିବା ଗଛଟିର ଗୋଟିଏ ନିର୍ଦ୍ଦିଷ୍ଟ ଡାଳରୁ କିଛି କାଳ ପୂର୍ବେ ଗୋଟିଏ ଅଭିଶପ୍ତ ଦିବସର ଅଶୁଭ ପ୍ରଭାତରେ ପଣ୍ଡିତଙ୍କର ଏକମାତ୍ର ପୁତ୍ର ପ୍ରଦୀପର ମୃତ ଶରୀରକୁ ଝୁଲନ୍ତ ଅବସ୍ଥାରେ ଆବିଷ୍କାର କରାଯାଇଥିଲା । ମଦନର ସ୍ତ୍ରୀ କହିବା ଅନୁଯାୟୀ ପୁଅର ଦେହ ଖରାପ ଥିବାରୁ ମଦନ ସେଦିନ ଥାନାରେ ନରହି ଔଷଧ ନେଇ ଘରକୁ ଯାଇଥିଲା । ପୂର୍ବରୁ ଦୁଇ ତିନି ଦିନ ହେବ , ବହୁତ ବିଚଳିତ ଓ ଭୟଭୀତ ଥିଲା । ଘରେ ଔଷଧ ଦେଇ ସାରି ଝାଡା ଯିବା କଥା କହି ଆସିଛି ଯେ ଆଉ ଘରକୁ ଫେରିନି ।
ଏ ଘଟଣା ପରେ ଶେଷଥର ପାଇଁ ମିତାକୁ ସାକ୍ଷାତ କରିବା ପାଇଁ ଗଲି । ସେଠାରେ ପହଞ୍ଚି ଶୁଣିଲି ମିତା ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଛି । ମୋତେ ଦେଖା କରିବାକୁ ନାହିଁ କରୁଥିଲା । ବହୁତ କଷ୍ଟରେ ପାଖକୁ ଆସିଲା ।
'ଭଲ ଅଛନ୍ତି ଆଜ୍ଞା '?
ମିତା ସଂପୂର୍ଣ୍ଣ ନିରୁତ୍ତର ରହିଲା ।
'କାଳୀ ପ୍ରସାଦ ମୋ ହାତରେ ଆପଣଙ୍କ ପାଇଁ ଖବର ଦେଇଛନ୍ତି ' । ପଣ୍ଡିତଙ୍କ ପ୍ରେତର ଉପସ୍ଥିତି ବିଷୟରେ ନିଶ୍ଚିନ୍ତ ହେବା ଲାଗି ମୁଁ ମିଛ କହିଲି ।
' କୋଉ କାଳୀ ପ୍ରସାଦ '? ମିତା ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା ।
ମୁଁ ଜାଣିଲି ,ଏଠାର କାମ ଶେଷ କରି ପଣ୍ଡିତେ ବିଦାୟ ନେଇ ସାରିଛନ୍ତି । ଅତଏବ ଚୁପଚାପ ଥାନାକୁ ଫେରିଲି ।
* * * * * *
ଇତିମଧ୍ୟରେ ପ୍ରାୟ ଦୁଇ ବର୍ଷ ବିତି ଯାଇଛି । ପ୍ରଦୀପ ହତ୍ୟାକାଣ୍ଡର ତିନିଜଣ ଅଭିଯୁକ୍ତ ମୃତ ଓ ଜଣେ ପାଗଳ ହେତୁ ଫାଇଲ ବନ୍ଦ ହୋଇ ସାରିଛି । ସରପଞ୍ଚ ଏବେ ପାଗଳଖାନାରେ ସ୍ଥାୟୀରୁପେ ବସବାସ କରୁଛନ୍ତି ।
ଇଶ୍ଵରଙ୍କ କୃପାରୁ ମୁଁ ଗୋଟିଏ ପୁତ୍ରର ଜନକ ହେବାର ସୌଭାଗ୍ୟ ଲାଭ କରିଛି । ଆସନ୍ତାକାଲି ମୋ ପୁଅ ଦେବୀ ପ୍ରସାଦର ଜନ୍ମଦିନ । ହିନ୍ଦୁ ରୀତି ନୀତି ଅନୁସାରେ ପୁଅର ଜନ୍ମଦିନ ପୂଜାଟିକୁ ପାଳନ କରିବା ପାଇଁ ଗାଁ'ରୁ ମୋ ପରିବାରକୁ ଏଠାକୁ ଡକାଇ ଆଣିଛି । ଶ୍ଵଶୁର ଘର ସଂପର୍କରୁ କିଛି ଅତିଥିଙ୍କର ମଧ୍ୟ ଆଗମନ ଘଟିଛି ।
ପରଦିନ ପ୍ରଭାତରୁ ସମସ୍ତେ ଜନ୍ମଦିନ ପୂଜାର ଆୟୋଜନରେ ବ୍ୟସ୍ତ ଥିଲେ । ମୁଁ ବାହାରେ ଏପଟ ସେପଟ ହେଉଥିବା ବେଳେ ଜଣେ ଧୋତି ପଞ୍ଜାବୀ ପରିହିତ ବ୍ୟକ୍ତି ମୋ ଆଡକୁ ଆସିବାର ଦେଖିଲି । ଚେହେରାଟି ଚିହ୍ନା ଚିହ୍ନା ଲାଗୁଥିଲା । ପାଖକୁ ଆସିବାରୁ ଚିହ୍ନିଲି , ସେ ବ୍ୟକ୍ତି ଜଣକ ସ୍ବୟଂ କାଳୀ ପ୍ରସାଦ ଥିଲେ । କିଛି ବାଟ ଆଗେଇ ଯାଇ ନମସ୍କାର କରି ତା'ଙ୍କୁ ଘରକୁ ପାଛୋଟି ଆଣିଲି । ଚା'ର ବନ୍ଦୋବସ୍ତ କରିସାରିବା ପରେ ଉଭୟ ଚା' କପ ହାତରେ ଧରି ଟିକିଏ ନିରୋଳା ସ୍ଥାନରେ ବସିଲୁ ।
'ଭଲ ଅଛନ୍ତି ଆଜ୍ଞା '? କାଳୀ ପ୍ରସାଦ ମୋତେ ପଚାରୁଥିଲେ । ମୁହଁରେ ତାଙ୍କର ଲାଖି ରହିଥିଲା ଆମାୟିକ ହସ ।
'ଆଜ୍ଞା ଭଲ ଅଛି । ଆଜି ମୋ ପୁଅର ଜନ୍ମଦିନ ପୂଜା । ଆପଣ ଏଠାରେ ରହି ମୋ ପୁଅକୁ ଆଶୀର୍ବାଦ ଦେବେ ଓ ପ୍ରସାଦ ସେବନ କରିସାରି ଯିବେ 'I ମୁଁ ଅଳି କରିବା ଭଳି କହୁଥିଲି ।
'ଆପଣଙ୍କ ପୁଅ ଜନ୍ମର ବହୁତ ଆଗରୁ , ତାର ଭୃଣ ରୂପରେ ସୃଷ୍ଟି ହେବାଠାରୁ ତା' ଉପରେ ମୋ ଆଶୀର୍ବାଦ ରହିଛି । . . . ଠିକ ଅଛି । ଆପଣ ପୁଅକୁ ଏଠାକୁ ଆଣନ୍ତୁ । ମୁଁ ଆଶୀର୍ବାଦ କରିଦେଇ ଯିବି । କିନ୍ତୁ କିଛି ଦର୍ଶନୀ ପାଉଣା ଦେଇ ପାରିବିନି । ଆମେ ତ ବାବାଜୀ ଲୋକ ; ଆମ ପାଖକୁ ପଇସା କୁଆଡୁ ଆସିବ ? ହା ହା ହା ' ।
'ନାଇଁ ଆଜ୍ଞା, ସେସବୁ କିଛି ଆବଶ୍ୟକ ନାହିଁ ' । କହିସାରି ପୁଅକୁ ଆଣିବାକୁ ଗଲି ।
କିଛି ସମୟପରେ ମମତା ପୁଅକୁ କୋଳରେ ଧରି କାଳୀ ପ୍ରସାଦଙ୍କ ନିକଟକୁ ଆସି ପ୍ରଣାମ କଲେ । ପୁଅକୁ ଦେଖି କାଳୀ ପ୍ରସାଦ ଖୁସିରେ ତା'କୁ କୋଳକୁ ନେଲେ ।
'ପୁଅର ନାଁ କଣ ଦେଇଛନ୍ତି '?
'ଦେବୀପ୍ରସାଦ 'I ମୁଁ ଉତ୍ତର ଦେଲି ।
'ଏଭଳି ଏକ ନାମ କାହିଁକି ଦେଲେ '? କାଳୀ ପ୍ରସାଦ କୌତୁହଳରେ ପଚାରିଲେ ।
' ମୋ ପତ୍ନୀଙ୍କର ସିଲେକ୍ସନ ଥିଲା । ତାଙ୍କରି ଜିଦରେ ଏ ନାମ ରଖାଗଲା । କିଛି ଅସୁବିଧା ଅଛି କି ଆଜ୍ଞା '? ମୁଁ ସାମାନ୍ୟ ଶଙ୍କାଗ୍ରସ୍ତ ହୋଇ ପଚାରିଲି ।
'ନାଇଁ ନାଇଁ,କିଛି ଅସୁବିଧା ନାହିଁ । ମୁଁ ଏମିତି ଟିକେ ପଚାରିଦେଲି । . . . ଆଚ୍ଛା , ପୁଅର କପାଳରେ ଏ ଯେଉଁ ନାଲି ତିଳ ଚିହ୍ନ ଅଛି , ଏଇଟା ଜନ୍ମରୁ '?
'ଆଜ୍ଞା , ଜନ୍ମରୁ ଅଛି 'I ଆମ ପୁଅ କପାଳର ଦୁଇ ଭ୍ରୁଲତା ମଧ୍ୟରେ ଜନ୍ମରୁ ଏକ ଇଷତ ଲାଲ ରଙ୍ଗର ତିଳ ଚିହ୍ନ ଥିଲା ।
କାଳୀ ପ୍ରସାଦ ଆଉ କିଛି ନକହି ନିଜ ପକେଟରୁ ଏକ ପୁଡ଼ିଆ ବାହାର କରି ତା'ମଧ୍ଯରୁ ଘିଅ ମିଶ୍ରିତ ଅର୍ଦ୍ଧତରଳ ସିନ୍ଦୁର ଟିକିଏ ନିଜ ଟିପରେ ନେଇ ପୁଅର ଠିକ ସେ ତିଳ ଚିହ୍ନ ଉପରେ ଲଗାଇଲେ । ତିଲକ ଲଗାଇବା ସମୟରେ କାଳୀ ପ୍ରସାଦ ବୋଲୁଥିବା ଆଶୀର୍ବାଦ ଶ୍ଳୋକ ଓ ଦେବୀଙ୍କ ସ୍ତୁତି, ଆମ ଶରୀର, ମନ, ଓ ପ୍ରାଣକୁ ରୋମାଞ୍ଚିତ କରୁଥିଲା ।
କାଳୀ ପ୍ରସାଦ ବିଦାୟ ନେବା ପାଇଁ ବାହାରିଲେ ।
'ମୋତେ ଟିକିଏ ସାହାଯ୍ୟ କରିବେ '?
'ଆଜ୍ଞା କୁହନ୍ତୁ 'I ମୁଁ ତତ୍ପରତା ଦେଖାଇ କହିଲି ।
' ସରପଞ୍ଚକୁ ଦେଖିବାକୁ ମୋର ଇଚ୍ଛା ହେଉଛି । ମୋତେ ସାଙ୍ଗରେ ନେଇ ଯାଇ ପାରିବେ '?
'ଆଜ୍ଞା ଚାଲନ୍ତୁ । ଘଣ୍ଟାଏ ଭିତରେ ସମୟ ଲାଗିବ । ଦେଖା କରି ଫେରିବା' ।
'ପାଗଳ ହେବା ପରେ ଆପଣ କେବେ ସରପଞ୍ଚକୁ ସାକ୍ଷାତ କରିଛନ୍ତି '?
ମୁଁ ମୁଣ୍ଡ ହଲାଇ ନାହିଁ କଲି |
ସରପଞ୍ଚ ଆମକୁ ଚିହ୍ନିପାରୁ ନଥିଲେ । ଆମେ ଯାହା ବି ପ୍ରଶ୍ନ କରୁଥିଲୁ , ସବୁର ଗୋଟିଏ ଓଲଟା ପ୍ରଶ୍ନକୁ ଉତ୍ତର ଆକାରରେ ଶୁଣୁଥିଲୁ । ଗୋଟିଏ ବାକ୍ୟ ହିଁ ସର୍ବଦା ସେ ଘୋଷି ହେଉଥିଲେ । ବାକ୍ୟଟି ଥିଲା ' ତୁମେ ମୋ ପୁଅ ପ୍ରଦୀପକୁ ଦେଖିଛ ?' ..
ସରପଞ୍ଚଙ୍କର ଏ ଅବସ୍ଥାକୁ ମୁଁ ହତବାକ ହୋଇ ଦେଖୁଥିଲି ।
'ଚାଲନ୍ତୁ ଏବେ ଫେରିବା 'I କାଳୀ ପ୍ରସାଦଙ୍କ ଡାକିବାରେ ମୋର ଧ୍ଯାନ ଭଗ୍ନ ହେଲା । . . . ସେଠାରୁ ଫେରିବା ପରେ ଯେତେ ବାଧ୍ୟ କଲେ ବି କାଳୀ ପ୍ରସାଦ ମୋ ସାଙ୍ଗରେ ଘରକୁ ଆସିବାକୁ ମନାକଲେ । ଅତଏବ ତା'ଙ୍କ ଅନୁରୋଧ ରକ୍ଷା କରି ବସଷ୍ଟାଣ୍ଡରେ ତା'ଙ୍କୁ ବସରେ ବସାଇଲି । ଏଠାରୁ ତାଙ୍କର ଗନ୍ତବ୍ଯସ୍ଥଳ ଥିଲା ହିମାଳୟର ଗଙ୍ଗୋତ୍ରୀ ।
'ଶୁଣନ୍ତୁ '! କାଳୀ ପ୍ରସାଦ ମୋତେ ଉଦ୍ଦେଶ୍ୟ କରି କହୁଥିଲେ , 'ଗଣନାଥ ଆପଣଙ୍କୁ ଦେଇଥିବା ପୁଡିଆଟିକୁ ଓ ଆପଣଙ୍କ ପତ୍ନୀ ପିନ୍ଧିଥିବା ଡେଉଁରିଆକୁ ଏକତ୍ର କରି ଆସନ୍ତାକାଲି ଜଳରେ ବିସର୍ଜନ କରିଦେବେ'।
'ଆଜ୍ଞା ! .. ପଣ୍ଡିତ ଗଣନାଥ ଶର୍ମା ଏବେ କେଉଁଠି '? ମୋର ଏ ପ୍ରଶ୍ନରେ କାଳୀ ପ୍ରସାଦ ହସିଲେ । ବସ ଛାଡିବା ପାଇଁ ହର୍ଣ୍ଣ ବଜାଉଥିଲା । ମୁଁ ବିଦାୟ ନେବା ପାଇଁ ହାତ ଯୋଡିଲି ।
' ପଣ୍ଡିତ ଗଣନାଥ ଶର୍ମା ଏବେ ଆପଣଙ୍କ ଘରେ ଦେବୀପ୍ରସାଦ ହୋଇ ଜନ୍ମ ନେଇ ସାରିଛି । ଏହା ହିଁ ତା'ର ଅନ୍ତିମ ଇଚ୍ଛା ଥିଲା । ମୁଁ ମୋ ତନ୍ତ୍ର ଶକ୍ତି ସହାୟତାରେ ତା'ର ଆତ୍ମାକୁ ଆପଣଙ୍କ ପତ୍ନୀଙ୍କ ଗର୍ଭରେ ପ୍ରବୀଷ୍ଟ କରାଇଲି । କାର୍ଯ୍ୟଟିକୁ ସହଜ କରିବା ଲାଗି ଗଣନାଥ ଆପଣଙ୍କୁ ସେ ଦୁଇଟି ପୁଡିଆ ଦେଇଥିଲା ' । ଏତକ କହିସାରି କାଳୀ ପ୍ରସାଦ ହାତ ହଲାଇଲେ । ବସ ଛାଡିଦେଲା ।
* * * * *
ଏ ଗଳ୍ପଟି ଲେଖାହେବା ସମୟରେ ମୋ ପୁଅ ଦେବୀ ପ୍ରସାଦ , ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ପି.ଏଚ.ଡି. ସାରି ସେଠାରେ ଶିକ୍ଷାଦାନ ଦେଉଛି ।
** ସମାପ୍ତ **